Unknown

 

 

 

 

 

 

 

 

 

୧୦୯ତମ ସଂଖ୍ୟା କୋଣାର୍କ ୧୯୯୮

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସଭାପତି

ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ

 

ଉପ ସଭାପତି

ଶ୍ରୀ ରବି ସିଂ

 

ସଚିବ

ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକ

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

 

ମୁଦ୍ରାକର:

ପେଜ୍‍ମେକର,

ବାପୁଜୀନଗର, ଭୁବନେଶ୍ୱର

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ ପ୍ରକାଶିତ ଲେଖାଗୁଡ଼ିକର ପୁନର୍ମୁଦ୍ରଣ ଲେଖକ/ଅନୁବାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ଅନୁମତି ସାପେକ୍ଷ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କର ନିଜସ୍ୱ ମତ ।

 

ବିଷୟ-ସୂଚୀ

୧.

ସୁରେନ୍ଦ୍ର ମହାନ୍ତିଙ୍କ ସୃଷ୍ଟିରେ

ସଂସଦ ଓ ସାମ୍ବାଦିକତା

ଡକ୍ଟର ଆଦିକନ୍ଦ ସାହୁ

୨.

ଊନବିଂଶ ଶତକର ଓଡ଼ିଶା ଓ

ଭୀମଭୋଇଙ୍କ ସାହିତ୍ୟରେ ସଂସ୍କାରବାଦ

ଡକ୍ଟର ଉଦ୍ଧବ ଚରଣ ନାୟକ

୩.

ଜଗନ୍ନାଥ ଧର୍ମ, ସଂସ୍କୃତି ଏବଂ

ଐତିହାସିକ ଅବଦାନ

ଡକ୍ଟର ଶିବପ୍ରସାଦ ନାୟକ

୪.

ଓଡ଼ିଶାର ଲୋକଧର୍ମ ଓ ଲୋକବିଶ୍ୱାସ

ଡକ୍ଟର ରବିନାରାୟଣ ଦାଶ

୫.

ରୀତିଯୁଗୀୟ ଅସ୍ତରାଗର କବି

ଶ୍ରୀ ମୋହିତ ମୋହନ ମହାପାତ୍ର

୬.

ରମାକାନ୍ତଙ୍କ ଶ୍ରୀରାଧା: ଏକ

ମନସ୍ତାତ୍ତ୍ଵିକ ଅନୁଶୀଳନ

ଡକ୍ଟର ନିଶାମଣି କର

୭.

ବଣ୍ଡାମାନଙ୍କର ସାମାଜିକ ଓ

ସାଂସ୍କୃତିକ ଜୀବନ

ଡକ୍ଟର ହୃଷୀକେଶ ପଣ୍ଡା

୮.

ଦକ୍ଷିଣ ଓଡ଼ିଶାରେ ପ୍ରାଚୀନ

କଳିଙ୍ଗର ଇତିବୃତ୍ତ

ଡକ୍ଟର ବିଭୂତିଭୂଷଣ ମହାପାତ୍ର

୯.

ସାଂପ୍ରତିକ ଓଡ଼ିଆ ଶିଶୁକବିତାର

ଛନ୍ଦବିଭବ

ଶ୍ରୀ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

୧୦.

ପରିବର୍ତ୍ତିତ ସାମାଜିକ ସ୍ଥିତି ଓ

ବ୍ୟକ୍ତିଜୀବନରେ ଦୃଶ୍ୟକାବ୍ୟର ଭୂମିକା

ଡକ୍ଟର ରମେଶପ୍ରସାଦ ପାଣିଗ୍ରାହୀ

୧୧.

ଏକାଡେମୀ ସମାଚାର

 

୧୨.

ଓଡ଼ିଆ ସାହିତ୍ୟର ଉନ୍ନତିକଳ୍ପେ

ସାହିତ୍ୟ- ପତ୍ରିକାର ଭୂମିକା

 

 

 

ସୁରେନ୍ଦ୍ର ମହାନ୍ତିଙ୍କ ସୃଷ୍ଟିରେ ସଂସଦ ଓ ସାଂବାଦିକତା

ଡକ୍ଟର ଆଦିକନ୍ଦ ସାହୁ

 

ଜଣେ ଲେଖକର ଯେତେପ୍ରକାର ଆବେଗ ଅଛି ସବୁଠାରୁ ପରିପକ୍ୱ ବୌଦ୍ଧିକ ଆବେଗ ହେଲା ତା’ର ରାଜନୀତିକ ମତ ଓ ମନ୍ତବ୍ୟ ପ୍ରକାଶ କରିବାର ପ୍ରବଣତା । ପୁଣି ରାଜନୀତିକ ସଚେତନତା ଜଣେ ଶିଳ୍ପୀର ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ୱର ଏକ ବୌଦ୍ଧିକ ଅଂଶ ।

 

ଯେକୌଣସି ବଡ଼ ଶିଳ୍ପୀର ସର୍ବନିମ୍ନ ଐତିହାସିକ ଜ୍ଞାନ ତଥା ସାମାଜିକ ଅଭିଜ୍ଞତା ରହିଛି । ସେ ଜ୍ଞାନ ଓ ଅଭିଜ୍ଞତାର ଏକ ପ୍ରସାରିତ ବଳୟ ମଧ୍ୟ ରହିଛି । କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପଉପନ୍ୟାସର ଭାବପିଣ୍ଡ ଉଲ୍ଲିଖିତ ପ୍ରସାରିତ ବଳୟର ନିଦର୍ଶନ ।

 

ଜଣେ ଶିଳ୍ପୀର କଳାତ୍ମକ ସମ୍ବେଗ ପରିପକ୍ୱ ନହେଲେ ତା’ର ବିଶ୍ଵଦୃଷ୍ଟି ପ୍ରଶସ୍ତ ହୁଏନି । ଆବେଗ, ତତ୍ତ୍ୱ ଦର୍ଶନ, ଶୈଳ୍ପୀକ ପାରଦର୍ଶିତା ଊର୍ଦ୍ଧ୍ୱରେ ଜଣେ ଶିଳ୍ପୀର ପୁଣି ସର୍ବନିମ୍ନ ତଥ୍ୟଜ୍ଞାନ ଓ ପାଣ୍ଡିତ୍ୟ ରହିବା ଆବଶ୍ୟକ । ନହେଲେ ଜଣକର ସୃଜନଶୀଳ ଆବେଗ ସାର୍ବକାଳୀନ ଓ ସାର୍ବଜନୀନ ହେବନି ।

 

ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପଉପନ୍ୟାସରେ ଏକ ଉଲ୍ଲେଖଯୋଗ୍ୟ ରାଜନୀତିକ ସଚେତନତା ରହିଛି । ତାଙ୍କ ଗଳ୍ପ ଉପନ୍ୟାସମାନଙ୍କରେ ସେ ଯେତିକି ସାଂସ୍କୃତିକ ତଥା ସାମାଜିକ ଅବକ୍ଷୟର ଚିତ୍ର ଆଙ୍କିଛନ୍ତି ତାଠାରୁ ଅଧିକ ରାଜନୈତିକ ଅବକ୍ଷୟର ଚିତ୍ରଣ ସେ କରିଛନ୍ତି ।

 

ସାର ଓ ଶାଶ୍ୱତ ପ୍ରତି ନିଜ ଆତ୍ମାର ନିଃସର୍ତ୍ତ ସମର୍ଥନ ଯୋଗାଇଥିବା ଜଣେ ଶିଳ୍ପୀ କେବଳ ବିପୁଳ ଅବକ୍ଷୟର ଚିତ୍ରଣ ହିଁ କରିଥାଏ; ଯାହା ଓ ଯେପରିଭାବେ କରିଛନ୍ତି ଶିଳ୍ପୀ ସୁରେନ୍ଦ୍ର ମହାନ୍ତି ।

 

ସୁରେନ୍ଦ୍ରଙ୍କ ସୃଷ୍ଟିରେ ସଂସଦ ଓ ସାଂବାଦିକତାର ଅନୁଷଙ୍ଗ ଅଧିକ ସ୍ପଷ୍ଟ ଓ ପ୍ରତ୍ୟକ୍ଷ ହୋଇଛି । ସୁରେନ୍ଦ୍ର ମହାନ୍ତି ପ୍ରତ୍ୟକ୍ଷ ରାଜନୀତିରେ ଥିବା କାରଣରୁ ଯେତେ ନୁହେଁ ସେତେ ବେଶୀ ତାଙ୍କର ଏକ ସ୍ୱଚ୍ଛ ସାମାଜିକ ଓ ରାଜନୀତିକ ଦୃଷ୍ଟି ଭଂଗୀ ଯୋଗୁଁ; ହୁଏତ ଯାହା ଏକ କୋମଳତମ ମାନବୀୟ ସମ୍ବେଦନଶୀଳତା ଦ୍ୱାରା ନିର୍ଜ୍ଜିତ ହୋଇ ଅଧିକ ତୀକ୍ଷଣ ଓ ପ୍ରଭାବଦୀପ୍ତ ହୋଇଛି । ତାହା ସଂସଦ ହେଉ ବା ସାଂବାଦିକତା ହେଉ ତା’ର ଏକ ପାରସ୍ପର୍ଯ୍ୟାତ୍ମକ ଅନୁଷଙ୍ଗ ହେଉଛି ମାନବୀୟ ସମ୍ବେଦନଶୀଳତା । ମାନବୀୟ ସମ୍ବେଦନଶୀଳତା ବ୍ୟତିରେକ ଯେକୌଣସି ସାମାଜିକ ବ୍ୟବସ୍ଥା, ରାଜନୀତିକ ଆଦର୍ଶ କିମ୍ବା କୌଣସି ଉଚ୍ଚତର ସାଂସ୍କୃତିକ ମୂଲ୍ୟବୋଧ ସର୍ବଦାହିଁ ଶୂନ୍ୟଗର୍ଭ ବିଷୟ । ଏପରିକି ଜଣେ ଖୁବ୍‌ବଡ଼ ଶିଳ୍ପୀର ଅଭିଜାତ ବିଶ୍ଵଦୃଷ୍ଟି (Prospective world view) ମଧ୍ୟ ମାନବୀୟ ସମ୍ବେଦନଶୀଳତା ହରାଇ ସେହିପରି ଶୂନ୍ୟଗର୍ଭ ଓ ଅନାବଶ୍ୟକ ହୋଇ ପଡ଼ିଛି ।

 

ହଜାର ହଜାର ବର୍ଷର ସାମାଜିକ ବିବର୍ତ୍ତନ ସଂଜାତ ଜ୍ଞାନ ବିଜ୍ଞାନ, କଳା କବିତାର ଯେକୌଣସି ବିଭାବକୁ ସେପାଇଁ ଆଜି ମାନବୀୟ ବିଦ୍ୟା (Humanistic discipline) ବୋଲି କୁହାଯାଉଛି । ପ୍ରତ୍ୟେକ ବିଷୟର ଆମେ ମାନବିକତାର ଅନୁଷଙ୍ଗକୁ ହିଁ ଖୋଜୁ ।

 

ସୁରେନ୍ଦ୍ରଙ୍କ ଗଳ୍ପଉପନ୍ୟାସର ମୂଳ ସଂସର୍ଗଟି ହେଉଛି ସେହି ଊଷ୍ଣମାନବୀୟ ସମ୍ବେଗ । ଦସ୍ତୋଭସ୍କିଙ୍କ ପରି ବହୁ ଅସ୍ତିତ୍ୱବାଦୀ ଶିଳ୍ପୀ ମାନବୀୟ ସମ୍ବେଗ ବିନା ସବୁକିଛି ଅବାସ୍ତବ ବୋଲି ବର୍ଣ୍ଣନା କରିଛନ୍ତି । ବାର୍ଣ୍ଣାର୍ଡ଼ଶ ମଧ୍ୟ କହିଛନ୍ତି - ‘Without human passion everything is unreal.'

 

କଥାଶିଳ୍ପୀ ସୁରେନ୍ଦ୍ରଙ୍କ ଜୀବନରେ ସଂସଦ ସହିତ ପ୍ରତ୍ୟକ୍ଷ ଭାବେ ସମ୍ପର୍କିତ ହେବାପାଇଁ ସୁଯୋଗ ସୃଷ୍ଟି ହୋଇଥିଲା । ସେହିପରି ମଧ୍ୟ ସାଂବାଦିକତା ସହିତ । ଜୀବନର ଅନେକ ସମୟଖଣ୍ଡରେ ସେ କେତେବେଳେ ସମ୍ବାଦପତ୍ରର ଖୋଦ ସମ୍ପାଦକ ହୋଇଛନ୍ତି ତ କେତେବେଳେ ଓଡ଼ିଶାର ତଥା ଭାରତର କ୍ଷୁଦ୍ର ବୃହତ ସମ୍ବାଦ ପତ୍ର ପାଇଁ ସାମ୍ବାଦିକ ହୋଇଛନ୍ତି । ଜଣେ ସମର୍ଥ ସାହିତ୍ୟପାଠକ ଅବଶ୍ୟ ତାଙ୍କ ଗଳ୍ପ ଉପନ୍ୟାସରୁ ଉଲ୍ଲିଖିତ ସଂସଦ ଓ ସାମ୍ବାଦିକତାର ବହୁପ୍ରସ୍ଥଯୁକ୍ତ ପ୍ରଭାବକୁ ଚିହ୍ନଟ କରି ପାରିବ । ତାଙ୍କ ଗଳ୍ପ ଉପନ୍ୟାସରେ ଏହାର ଛାପ ବହୁଳଭାବରେ ରହିଛି ।

 

ତାଙ୍କ ଅଧିକାଂଶ ଗଳ୍ପର କାହାଣୀଟିତ ଏ ଚଳମାନ ସମାଜର ଏକ ଏକ ଘଟଣା ବା ଦୁର୍ଘଟଣା । ଜଣେ ଶିଳ୍ପୀଭାବରେ ତାଙ୍କର ପର୍ଯ୍ୟବେକ୍ଷଣଟି ତ ପୁଣି ଜଣେ ଉତ୍ତମ ସମ୍ବାଦଦାତାର ବିବରଣୀ ପ୍ରଦାନ ପ୍ରବଣତା ଠାରୁ ଆଦୌ ଅଲଗା ନୁହେଁ । ତଫାତ୍‌କେବଳ ତାଙ୍କର ଶବ୍ଦାଡମ୍ବରପୂର୍ଣ୍ଣ ବର୍ଣ୍ଣନା ଶୈଳୀଟି; ଯାହା ହୁଏତ ସାଧାରଣ ଭାବେ ସମ୍ବାଦ ରଚନାରେ ପରିଲକ୍ଷିତ ହୁଏନାହିଁ । ଜୀବନର ସାନବଡ଼, ଭଲମନ୍ଦ ପ୍ରତିଟି କଥାକୁ ଗୋଟେ ସମୁନ୍ନତ ଶୈଳୀ ଭିତରେ ବର୍ଣ୍ଣନା କରିବାର ପାରଦର୍ଶିତା ତାଙ୍କର ଥିଲା । ସେ ପ୍ରକାର ସଂଳାପଧର୍ମୀ ଶୈଳୀ ସୃଷ୍ଟି କରିବାରେ ସେ ଥିଲେ ତାଙ୍କ ସମୟରେ ଅନନ୍ୟ । ସେପାଇଁ ଗଳ୍ପଉପନ୍ୟାସରୁ ପାଠକ ଅନାୟାସରେ ଅଭିଜାତ ସୁରେନ୍ଦ୍ର ଶୈଳୀକୁ ବାରିନେଇ ପାରୁଥିଲା ।

 

ସୁରେନ୍ଦ୍ର ଥିଲେ ଏପରି ସଂଳାପଧର୍ମୀ ଦିବ୍ୟଭାଷାର ଶବ୍ଦଯୁଗ୍ମ ନିର୍ମାଣକ୍ଷେତ୍ରରେ ଏକାନ୍ତ ଅପ୍ରତିଦ୍ୱନ୍ଦ୍ୱୀ । ତାଙ୍କର ସବୁଜପତ୍ର ଓ ଧୂସର ଗୋଲାପ, ମରାଳର ମୃତ୍ୟ, କୃଷ୍ଣଚୂଡ଼ା, ମହାନଗରୀର ରାତ୍ରୀ, ରୁଟି ଓ ଚନ୍ଦ୍ର, ଶେଷ କବିତା, ଦୁଇ ସୀମାନ୍ତ, ମହା ନିର୍ବାଣ, ଓ କାଲକାଟା, କବି ଓ ନର୍ତ୍ତକୀ, ମାଂସର କୋଣାର୍କ, ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ, ରାଜଧାନୀ ଓ ଅନ୍ୟାନ୍ୟ ଗଳ୍ପ ଆଦି ଗଳ୍ପଗ୍ରନ୍ଥରେ ସନ୍ନିବେଶିତ ପ୍ରାୟ ଅଧିକାଂଶ ଗଳ୍ପ ଦିବ୍ୟ ଭାଷାରେ ରଚିତ ତଥା ରୋମାଣ୍ଟିକ ବାସ୍ତବତା ଉପରେ ପର୍ଯ୍ୟବସିତ ।

 

ବାଟଘାଟରେ ନଗ୍ନ ପ୍ରାୟ ପଚିସଢ଼ି ଯାଉଥିବା ମଣିଷର ଜୀଇଁ ରହିବାର ସ୍ୱପ୍ନକୁ ଗୋଟେ ସହର ତଳି ବସ୍ତିଇଲାକାର କର୍ଦ୍ଦମାକ୍ତ ଅଞ୍ଚଳରୁ ମୁକ୍ତ ଓ ଶୋଷଣ ରହିତ ଏକ ଉଦ୍ୟାନ ପ୍ରାୟ ଜନପଦକୁ ସାଉଁଟି ଆଣିବାର ଆବେଗକୁ ଜଣେ ମରମୀ ପାଠକ ଅବଶ୍ୟ ସୁରେନ୍ଦ୍ରଙ୍କ ଅଧିକାଂଶ ଗଳ୍ପରେ ପାଇବ । ଭାରି ଟିକିନିଖି ନିର୍ଭୁଲ ପର୍ଯ୍ୟବେକ୍ଷଣ ତାଙ୍କର ସତେ ଯେପରି ଜଣେ ଉତ୍ତମ ସାମ୍ବାଦିକଙ୍କ ପରି ।

 

ମଣିଷ ମଣିଷ ଭିତରେ ନିରନ୍ତର ଘଟୁଥିବା ବିଭେଦ ତାଙ୍କୁ ବ୍ୟଥିତ କରିଛି । ମଣିଷର ବ୍ୟଥା, ବେଦନା, ତା ଜୀବନର ଯାବତୀୟ ସ୍ଵପ୍ନଭଙ୍ଗ ଓ ସନ୍ତାପ ତାଙ୍କ ସମ୍ବେଦନଶୀଳ ଶିଳ୍ପୀଜୀବନକୁ ଆନ୍ଦୋଳିତ କରିଛି । ମଣିଷର ବଞ୍ଚି ରହିବା ସେଇଠି ସାର୍ଥକ ହୁଏ ଯେଉଁଠି ଗୋଟେ ମଣିଷର ଆଉ ଗୋଟେ ମଣିଷ ପ୍ରତି ଶ୍ରଦ୍ଧା ପ୍ରେମ ଥାଉବା ନଥାଉ ଅନ୍ତତଃ ଘୃଣା ନଥାଏ । ଏମିତି ଗୋଟିଏ ଅନୁଭବ ପ୍ରତି ସୁରେନ୍ଦ୍ରଙ୍କ ଶିଳ୍ପୀ ମାନସ ଅତ୍ୟନ୍ତ ଅନୁଗତ ଥିଲା ।

 

ତାଙ୍କ ରୋମାଣ୍ଟିକ ଭାବଚେତନା ପୁଣି ଶୁଦ୍ଧ ଆଦର୍ଶଗତ । ବାସ୍ତବ ପୃଥିବୀକୁ ତ୍ରୁଟି ରହିତ କରିବା ପାଇଁ ସେ ଜଣେ ଅଙ୍ଗୀକାରବଦ୍ଧ ମାନବବାଦୀ ଶିଳ୍ପୀଭାବେ କଳ୍ପିତ ପୃଥିବୀର ଆରୋପଣ କରିଛନ୍ତି । ତାଙ୍କ ଅସଂଖ୍ୟ ଗଳ୍ପ ଓ ଉପନ୍ୟାସରେ ସେ ଏଇ କଳ୍ପିତ ପୃଥିବୀକୁ ଆରୋପଣ କରିବାରେ ଅଧିକ ରୋମାଣ୍ଟିକ ହୋଇଛନ୍ତି । ନିରନ୍ତର ଜୀବନ ଓ ଜଗତ, ପଥ ଓ ପୃଥିବୀକୁ ଦେଖୁଥିବା ସାମ୍ବାଦିକଙ୍କ ପରି ସତ୍ୟ ଓ ନ୍ୟାୟର ପକ୍ଷ ନେଉଥିବା ଜଣେ ଶିଳ୍ପୀ ହେଉ ବା ସାମ୍ବାଦିକ ହେଉ ତାଙ୍କ ନିକଟରେ ଏମିତି ରୋମାଣ୍ଟିକ ଗୁଣ ରହିବା ଆବଶ୍ୟକ । ଗୋଟିଏ ଦୃଷ୍ଟିରୁ ଦେଖିଲେ ଜଣେ ଶ୍ରଦ୍ଧାକରେ ତା’ର ରୋମାଣ୍ଟିକ ମନ ନେଇ, ବିପ୍ଲବ କରେ ମଧ୍ୟ ସେହି ରୋମାଣ୍ଟିକ ମନନେଇ-। ସୁରେନ୍ଦ୍ରଙ୍କ ‘ନୀଳଜ୍ୟୋତ୍ସ୍ନା ଓ ‘ନୟନପୁରୁ ଏକ୍‌ସପ୍ରେସ’ ଗପ ଦୁଇଟି ଆପାତତଃ ବିପରୀତ ଧର୍ମୀ ମନେ ହେଲେ ହେଁ ଦୁଃଖପୀଡ଼ିତ ମଣିଷପ୍ରତି ପୁନଃ ସଶ୍ରଦ୍ଧ ହେବାର ଅନୁଭବ ଦୃଷ୍ଟିରୁ ଏକାପରି ଲାଗେ ।

 

ଏ ପରିପ୍ରେକ୍ଷୀରେ ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସଗୁଡ଼ିକୁ ମଧ୍ୟ ଲକ୍ଷ୍ୟ କରାଯାଇ ପାରେ । ‘ନୀଳଶୈଳ’, ‘ନୀଳାଦ୍ରିବିଜୟ’ ପରି ଐତିହାସିକ ଉପନ୍ୟାସ, ଅନ୍ଧଦିଗନ୍ତ ପରି ଶୁଦ୍ଧ ରାଜନୀତିକ ଉପନ୍ୟାସ କୁଳବୃଦ୍ଧ ବା ଶତାବ୍ଦୀର ସୂର୍ଯ୍ୟ ପରି ଚରିତ ଉପନ୍ୟାସ, ହଂସଗୀତି, ନେତିନେତି ପରି ଆଧୁନିକ ସମସ୍ୟାଧର୍ମୀ ଉପନ୍ୟାସ - ପ୍ରତ୍ୟେକ ଉପନ୍ୟାସରେ ପ୍ରତିଫଳିତ ତାଙ୍କର ଦୃଷ୍ଟିଭଂଗୀ, ବିଷୟବିନ୍ୟାସ, ମାନବକେନ୍ଦ୍ରିକ ଉଷ୍ମଭାବାବେଗ, ଶୁଦ୍ଧ ଗଣତାନ୍ତ୍ରିକ ଚେତନା ଆଦିକୁ ଲକ୍ଷ୍ୟ କଲେ ଜଣେ ତାଙ୍କ ସାଂସଦ, ତଥା ସାମ୍ବାଦିକ ଜୀବନର ପ୍ରଗାଢ଼ ଅଭିଜ୍ଞତାକୁ ଅବଶ୍ୟ ଚିହ୍ନଟ କରିପାରିବ ।

 

ଜଣେ ଶିଳ୍ପୀର ବିଷୟ ଚୟନର ମୂଳ ହେଉଛି ପର୍ଯ୍ୟବେକ୍ଷଣ । ଯାହାର ପର୍ଯ୍ୟବେକ୍ଷଣର ଯେତେ ଅନ୍ତର୍ଭେଦମୂଳକ ହେବ ସେ ସେତେ ଭିତର ଖଂଜାର ଦୃଶ୍ୟକୁ ଆଙ୍କି ପାରିବ ।

 

ଧୂ ଧୂ ଖରାକାଳ, ବୈତରଣୀର ଉତ୍ତପ୍ତ ବାଲିବନ୍ତ ପଠା, ବରଜୁଷେଣ୍ଢଘାଇ, ଘଇତାମାରି ପାଟ, ଦଙ୍ଗା ବିଧ୍ଵସ୍ତ ପଠାଣସାଇ, କଲିକତାର ହାଡ଼କଟା ଗଳି, ମହାନଗରୀର କୋଳାହଳମୟ ଜୀବନ, ସହରତଳି ବସ୍ତିଇଲାକା, କେଉଁ ମାଳିସାହି, ମହଳନ ଜହ୍ନରାତି, ପାହାଡ଼ମୂଳ ଗାଁର ଶୀତ ସଂଜ, କାଲୁମିଆଁ, କାଲୁମିଆଁର ଘୋଡ଼ା ଓ କୁକୁର, ମେହନତି ମଣିଷ, ନାରୀସ୍ତନର ପାହାଡ଼, କୁମାରୀ ମନର ସ୍ଵପ୍ନ, ରାତି ଫୁଟା ଫୁଲର ବାସ୍ନା, ବିଚ ବଜାରରେ ଇଜ୍ଜତ ବିକୁଥିବା ସ୍ତ୍ରୀ ଲୋକ, ନଈବଢ଼ି, ନିର୍ବାଣ ଖୋଜୁଥିବା ଶ୍ରମଣ ରୂପସୀ ଶୂଦ୍ରାଣୀ, ଅର୍ଥଗୃଧ୍ର ବ୍ରାହ୍ମଣ, ଅପଣ୍ଡିତ ଆଚାର୍ଯ୍ୟ, ପୁଷ୍ପ ସ୍ତବକିତ ଟୈତ୍ର ଉଦ୍ୟାନ ସବୁକିଛିର ଏକ କଳାତ୍ମକ ମନୋଜ୍ଞ ପ୍ରଦର୍ଶନୀ ସତେ ଯେପରି ସୁରେନ୍ଦ୍ରଙ୍କ ଗଳ୍ପସମୂହ ।

 

ତାଙ୍କ ବର୍ଣ୍ଣନାଶୈଳୀଟି ମଧ୍ୟ ଫିଚର ଲେଖିଲା ପରି । ନଈକୂଳ ଗାଁରେ ହେଉ କି ପାହାଡ଼ ମୂଳ ବସ୍ତିରେ ହେଉ, ଗୋଟେ ମହଲ ଭିତର ଜୀବନ ହେଉ ବା ଗୋଟେ ଖୋଲାମେଲା ଜୀବନ ହେଉ କଥାକାର ସୁରେନ୍ଦ୍ର ମହାନ୍ତି ସେସବୁକୁ ଏକ ଚମତ୍କାର ଶୈଳୀପୂର୍ଣ୍ଣ ବିବରଣୀ ଦେବା ଭାଷାରେ ଲେଖିଛନ୍ତି । ସବୁକଥା ବେଳେବେଳେ ତାଙ୍କର ଗୋଟେ ରୂପକ କିମ୍ବା କଳାତ୍ମକ ଟେଲି ପିକ୍‌ଚର ପରି ମନେହୁଏ ।

 

ଜଣେ ସାମ୍ବାଦିକ ପରି ସେ ପର୍ଯ୍ୟବେକ୍ଷଣ କରିଛନ୍ତି; କିନ୍ତୁ ପରିବେଷଣ କରିଛନ୍ତି ଜଣେ ଓସ୍ତାଦୀ ଶିଳ୍ପୀ ପରି । ମଣିଷ ଭିତରର ମୌଳ ସମ୍ବେଗ ସବୁକୁ ପ୍ରକଟିତ କରିବାର ଉନ୍ମୁଖତା ତାଙ୍କର ରହିଛି । ପୁଣି ମଫସଲ ଗାଁର ଟିକିଏ ଜହ୍ନରାତି, କୂଅମୂଳ କାମିନୀ ଗଛଟିଏ ବା ନୀଳକଇଁ ପରି ଆଖି ଯୋଡ଼ିଏ ଥିବା କେଉଁ ପାହାଡ଼ମୂଳ ବା ସମୂଦ୍ରକୂଳ ଗାଁର କାଳିଝିଅଟିଏକୁ ଯେଉଁଠି ଦେଖିଛନ୍ତି ତାଙ୍କର ଶିଳ୍ପୀପ୍ରାଣ ସେଇଠି ବିମୋହିତ ହୋଇ ଯାଇଛି ।

 

ସାମ୍ବାଦିକତାର ଶୈଳ୍ପିକ ତଥା ସୃଜନଶୀଳ ଦିଗକୁ ସେ ସ୍ୱୀକାର କରିଛନ୍ତି । ସଂସଦୀୟ ଗଣତନ୍ତ୍ର ଓ ତା’ର ସମସ୍ତ ଇସ୍ତାହାର ପ୍ରତି ତାଙ୍କ ଆତ୍ମାର ଯେଉଁ ସମର୍ଥନ ରହିଥିଲା ତା'ର ବହୁ ସଙ୍କେତକୁ ପାଠକ ତାଙ୍କ ଗଳ୍ପ ଉପନ୍ୟାସରୁ ଦେଖେ । ତାଙ୍କର ଅନ୍ଧଦିଗନ୍ତ ତ ତାଙ୍କ ରାଜନୀତିକ ଆଦର୍ଶର ଏକ ରୂପକାତ୍ମକ ଇସ୍ତାହାର । ସଂସଦୀୟ ଗଣତନ୍ତ୍ରର ସବୁଦୋଷ ତ୍ରୁଟିକୁ ତ ଅନ୍ଧଦିଗନ୍ତରେ ସେ ଦେଖାଇଛନ୍ତି । ସ୍ଵାଧୀନତା ପରେ କ୍ଷମତାସର୍ବସ୍ଵ ପରିବର୍ତ୍ତିତ ରାଜନୀତିକ କନ୍ଦଳରେ ଗାନ୍ଧିବାଦୀ କଂଗ୍ରେସୀ ସଂଗଠକମାନେ କିପରି ଅସହାୟ ହୋଇ ପଡ଼ିଛନ୍ତି ଓ ଗାନ୍ଧୀବାଦ କିପରି ଅଚଳ ହୋଇ ଯାଇଛି ତା’ର ଏକ ମାର୍ମିକ ଆଲେଖ୍ୟ ହେଉଛି ଅନ୍ଧଦିଗନ୍ତ । ଅନ୍ଧଦିଗନ୍ତରେ ନିଧିଦାସ ଚରିତ୍ରର ପରିକଳ୍ପନା ହିଁ ସୁରେନ୍ଦ୍ରଙ୍କ ରାଜନୀତିକ ଆଦର୍ଶ ଓ ଅଙ୍ଗୀକାରବଦ୍ଧତାର ନିଦର୍ଶନ-

 

ସେ ନିଜେ କନଫେସ କରିଛନ୍ତି, ‘ମୋଟ କଥା ସାହିତ୍ୟ ମୋର ଜୀବନରେ ଦେଇଛି ଯଦି ପୂର୍ଣ୍ଣତା ଓ ପ୍ରଶାନ୍ତି, ରାଜନୀତି ମୋ ଜୀବନରେ ଦେଇଛି ପ୍ରଚୁର ଉତ୍ତେଜନା । ସାହିତ୍ୟ ଓ ରାଜନୀତି, ମୋ ପକ୍ଷରେ ଉଭୟେ ଉଭୟର ପରିପୂରକ ହୋଇ ରହିଥିଲେ ହେଁ ମୁଁ କିନ୍ତୁ ମୋର ଯୌବନର ଆରମ୍ଭରୁ ଏ ପର୍ଯ୍ୟନ୍ତ ରହିଆସିଛି ବୃତ୍ତିଗତ ଭାବରେ ଜଣେ ସାମ୍ବାଦିକ । ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ସାହିତ୍ୟ, ରାଜନୀତି ଓ ସାମ୍ବାଦିକତାକୁ ଏକତ୍ର ସମନ୍ୱିତ କରିବା ପାଇଁ ମୁଁ ସେହି ଆରମ୍ଭ ଦିନରୁ ଚେଷ୍ଟା କରି ଆସିଛି । ମାତ୍ର ଏଠାରେ ସାମ୍ବାଦିକତାର ବଡ଼ପଣ୍ଡାମାନଙ୍କର ସ୍ଥୂଳରୁଚି ଓ ପ୍ରତିକ୍ରିୟାଶୀଳ ମନୋଭାବ ହେତୁ ସେ ଉଦ୍ୟମ ‘ଅନ୍ଧ ଦେଶକୁ ଗଲି ଦର୍ପଣ ବିକି’ ପରି ହୋଇ ପଡ଼ିଛି ।’

 

ଆଜକୁ ପ୍ରାୟ ଚାଳିଶବର୍ଷ ତଳେ ‘କୃଷ୍ଣଚୂଡ଼ା' ଗଳ୍ପରେ ସାମ୍ବାଦିକ ସଦାନନ୍ଦ କଳାଘୁମର ମେଘଢ଼ଙ୍କା ଆକାଶ ତଳେ ପୁଷ୍ପିତ କୃଷ୍ଣଚୂଡ଼ାର ଶୋଭା ଆଡ଼େ ଚାହିଁ ନିଜକୁ ନିଜେ ପଚାରିଥିଲା ଏଇ ପୁଷ୍ପିତ କୃଷ୍ଣଚୂଡ଼ା ଆଜିଦିନର ଶ୍ରେଷ୍ଠ ସମ୍ବାଦ ନହେବ କାହିଁକି ? (ପଥ ଓ ପୃଥିବୀ)

 

ସମ୍ବାଦ ସାହିତ୍ୟ ପରି କାବ୍ୟିକ ହେଉ । ତାହା ଆନନ୍ଦଦାୟକ ହେଉ, ତାହା ଆଷାଢ଼ ଆସିବାକୁ ଲେଖୁ, ଗିରି କାନନରେ କଦମ୍ବ ବିକଶିତ ହେବାକୁ ଲେଖୁ । ଏମିତି ଅନୁଭବ ପ୍ରତି ସଶ୍ରଦ୍ଧ ଯିଏ ସେ’ତ ପ୍ରାଣରେ, ଆବେଗରେ କବିଟିଏ ।

 

ସମ୍ବାଦ ମୃତ୍ୟୁ ବିଭୀଷିକା, ଯାବତୀୟ ଦୁର୍ବିପାକ ଓ ଦୁର୍ଘଟଣା ସବୁକୁ କାହିଁକି ସବୁବେଳେ ପରିବେଷଣ କରିବ ? ସମ୍ବାଦ ଖାଲି ଘର ପୋଡ଼ିଯିବା କ୍ଷେତ ଉଜୁଡ଼ିଯିବାକୁ କାହଁକି ସବୁବେଳେ ଲେଖିବ ? ମଣିଷ ଭିତରେ ଥିବା ସ୍ଵପ୍ନ, ତା ଭିତରେ ଥିବା ଆନନ୍ଦ ଉଲ୍ଲାସ, ତା’ର ସୃଜନଶୀଳ ଆତ୍ମାକୁ ସମ୍ବାଦ ପରିବେଷଣ କରୁ । ରାଜନୀତି ମଧ୍ୟ ଆହୁରି ସମ୍ବେଦନଶୀଳ ତଥା ଆହୁରି କଲ୍ୟାଣକର ହେଉ । ଏମିତି ଅଭିଳାଷ ସୁରେନ୍ଦ୍ରଙ୍କ ଗଳ୍ପ ଉପନ୍ୟାସରେ ନାନାଭାବରେ ପ୍ରତୀକିତ ହୋଇଛି । ବୌଦ୍ଧବିହାର ଯୁଗରୁ ରାଜତନ୍ତ୍ର ସାମନ୍ତବାଦ ମଧ୍ୟଦେଇ ଆଜିର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପର୍ଯ୍ୟନ୍ତ ପ୍ରତିଟି ସମୟର ଅନୁଶାସନ ଆହୁରି ଜନକଲ୍ୟାଣକର ହେଉ ପୁଣି କୌଣସି ସଂଘ ଜୀବନବିରୋଧୀ ନହେଉ, ଏମିତି ଇଚ୍ଛା ସୁରେନ୍ଦ୍ରଙ୍କ ଶିଳ୍ପୀମାନସକୁ ଏକାନ୍ତ ଜୀବନନିଷ୍ଠ କରିଛି ।

 

ରାଜନୀତିର ଅବକ୍ଷୟ ତାଙ୍କର ଅନେକ ଗଳ୍ପରେ ରୂପାୟିତ ହୋଇଛି । ଗଦ୍ୟ ପଦ୍ୟ ନିର୍ବିଶେଷରେ ଜଣେ ବଡ଼ଲେଖକ ଜୀବନ-ଜଗତର ସବୁ ବିଷୟ ଊର୍ଦ୍ଧ୍ୱରେ ରାଜନୀତିକ ଆଦର୍ଶ ତଥା ଶାସନତନ୍ତ୍ର ବିଷୟରେ ସଚେତନ ହୋଇଥାନ୍ତି । କ୍ରମଶଃ ଏକ କଲ୍ୟାଣକର, ଧର୍ମନିରପେକ୍ଷ ରାଜନୀତିକ ମତବାଦ ପ୍ରତି ସେମାନେ ଆକୃଷ୍ଟ ହୋଇ ପଡ଼ନ୍ତି । ଏଥିପାଇଁ ପୃଥିବୀର ବହୁ ବଡ଼ ଶିଳ୍ପୀ ଶାସକଙ୍କର ବିଷଦୃଷ୍ଟିରେ ପଡ଼ିଛନ୍ତି ସେମାନେ ପୋଷଣ କରିଥିବା ରାଜନୀତିକ ମତବାଦ ପାଇଁ କେବଳ । ସାର୍ତ୍ତ, କାମ୍ୟୁ ଦସ୍ତୋଭସ୍କି, ଏରେନବର୍ଗ, ସୋଲକୋଭ, ପୁଷ୍କିନ, ମାୟାକଭସ୍କି, ପାସ୍ତାରନାକ ପ୍ରମୁଖ ବହୁ ଶିଳ୍ପୀଙ୍କର ରାଜନୀତିକ ମତବାଦ ପୃଥିବୀର ଚିନ୍ତାଜଗତକୁ ଆଲୋଡ଼ିତ କରିଛି । ଜଣେ ଜଣେ ଶିଳ୍ପୀ ତ ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ଥାନ୍ତି । ଏପରି କେହି ବଡ଼ ଶିଳ୍ପୀ ନାହାନ୍ତି ଯାହାର କୌଣସି ନା କୌଣସି ରାଜନୀତିକ ଦୃଷ୍ଟିଭଙ୍ଗୀ ନାହିଁ ।

 

ସୁରେନ୍ଦ୍ର ମହାନ୍ତି ତାଙ୍କ ଜୀବନସ୍ମୃତି ‘‘ପଥ ଓ ପୃଥିବୀ’’ରେ ଅଧିକ ସଂସଦ ଓ ସାମ୍ବାଦିକତାର କଥା ଲେଖିଛନ୍ତି । ଅନୁପାତ ଅନୁସାରେ ତାଙ୍କର ‘‘ପଥ ଓ ପୃଥିବୀ’’ ତାଙ୍କ ଜୀବନର ବହୁ ରାଜନୀତିକ ସ୍ମୃତିବିଜଡ଼ିତ ଓ ତାଙ୍କ ସାମ୍ବାଦିକଜୀବନର ବହୁ କୌତୁକପ୍ରଦ ଘଟଣାବଳୀ ସେଥିରେ ସ୍ଥାନିତ ହୋଇଛି । ସୁରେନ୍ଦ୍ର ମହାନ୍ତିଙ୍କ ପରି ଜଣେ ବିଶିଷ୍ଟ ରୋମାଞ୍ଚିକଶିଳ୍ପୀ ସେସବୁକୁ ସରସ କରି ଲେଖି ପାରିଛନ୍ତି । ମାତ୍ର ତାଙ୍କ ସାରସ୍ଵତଜୀବନର ସ୍ମୃତି ସେତିକି ଉଦ୍ଭାସିତ ହୋଇ ପାରିନି ସେଥିରେ । କେତେକ ସାହିତ୍ୟ ଛାତ୍ର ତାଙ୍କ ପରି ଜଣେ ବଡ଼ଶିଳ୍ପୀଙ୍କ ସାରସ୍ଵତ ସ୍ମୃତିକଥା ତାଙ୍କ ଆତ୍ମଜୀବନୀ ‘‘ପଥ ଓ ପୃଥିବୀ’ରୁ ଅଧିକ ଜାଣିନପାରିବା କାରଣରୁ ନିରାଶ ହୁଅନ୍ତି । ହୁଏତ ସଂସଦ ଓ ସାମ୍ବାଦିକତା ପ୍ରତି ତାଙ୍କର ଅଧିକ ଉନ୍ମୁଖତା ଥିବା କାରଣରୁ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ଵର ପ୍ରକଟନ ତାଙ୍କ ଜୀବନସ୍ମୃତି ଗ୍ରନ୍ଥରେ ଏପରି ଅସମାନୁପାତିକ ହୋଇଛି ।

 

ଏ ପ୍ରସଙ୍ଗରେ ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ସୁରେନ୍ଦ୍ର ମହାନ୍ତି ଥିଲେ ଜଣେ ନିଦା ଜୀବନବାଦୀ ଶିଳ୍ପୀ । ଜୀବନବିରୋଧୀ କୌଣସି ସଂଘ ବା ନିର୍ବାଣ ପ୍ରାପ୍ତି ତାଙ୍କର କାମ୍ୟ ନୁହେଁ ବୋଲି ସେ ସ୍ପଷ୍ଟଭାବେ କହିଦେଇଛନ୍ତି । ତାଙ୍କର ଜୀବନ ଦର୍ଶନ ଅଧିକ ସ୍ପଷ୍ଟ ଓ ପରିଚ୍ଛନ୍ନ ହୋଇଛି ରାଜନୀତିକ ଦୃଷ୍ଟିଭଂଗୀ ପୋଷଣରେ । ଜଣେ ସତ୍ୟଶୀଳ ସାମ୍ବାଦିକ ଭାବେ ସେ ରାଜନୈତିକ ଅସ୍ଥିରତା ଓ ନୈରାଶ୍ୟକୁ ଲକ୍ଷ୍ୟ କରିଛନ୍ତି । ତାଙ୍କର ଏ ସଚେତନତା ଭାରତର ମୁକ୍ତି ସଂଗ୍ରାମର ପୂର୍ବ ଓ ପରକୁ ରୂପାୟିତ କରିଥିବା ‘‘ଅନ୍ଧ ଦିଗନ୍ତ’’ରେ ଯେତିକି ପରିଦୃଷ୍ଟ ହୁଏ ସେତିକି ପରିଦୃଷ୍ଟ ହୁଏ ତାଙ୍କର ‘ନୀଳଶୈଳ’ ପରି ଏକ ଐତିହାସିକ ଉପନ୍ୟାସରେ । ଅସ୍ଥିର ରାଜନୀତିକୁ ଲକ୍ଷ୍ୟ କରି ‘ନୀଳଶୈଳ’ରେ ସେ ମନ୍ତବ୍ୟ ଦେଇଛନ୍ତି ଯେ ବେଶ୍ୟାପ୍ରୀତିରେ ହୁଏତ କିଛି ସ୍ଥିରତା ଥାଇପାରେ କିନ୍ତୁ ରାଜନୀତିରେ ନୁହେଁ ।

 

      ନିଜର ଲେଖକଜୀବନ ପରିଧି ଭିତରେ ରାଜନୀତିରେ ଅଂଶ ଗ୍ରହଣ କରିଥିବା କାରଣରୁ ସେ ଯେଉଁ ଦ୍ୱନ୍ଦ୍ୱ ସଂଶୟର ସମ୍ମୁଖୀନ ହୋଇଛନ୍ତି ସେ ବିଷୟରେ ଉଲ୍ଲେଖ କରି ସେ ଲେଖିଛନ୍ତି ପ୍ରତ୍ୟକ୍ଷ ଭାବରେ ରାଜନୀତିରେ ଜଡ଼ିତ ଥିବାବେଳେ ମୁଁ ଅବଶ୍ୟ ବୁଝିପାରି ନଥିଲି; କିନ୍ତୁ ଏବେ ପ୍ରତ୍ୟକ୍ଷ ରାଜନୀତିରୁ ବିଦାୟ ନେବାପରେ ବୁଝୁଛି ସାଂପ୍ରତିକ ରାଜନୀତିର ଅର୍ଥ ହେଉଛି କଂପ୍ରମାଇଜ ବା ସାଲିସ । ନିଜ ବିବେକ ଓ ବିଚାର ସହିତ ଯିଏ ଯେତେ ବେଶୀ ସାଲିସ କରି ପାରିଛି ରାଜନୀତି କ୍ଷେତ୍ରରେ ସେ ସେତେ ବେଶୀ ସଫଳ ହୋଇ ପାରିଛି । ମାତ୍ର ମୁଁ ଲେଖକ ହୋଇଥିବାରୁ, ଏପରି ସାଲିସର ଚିନ୍ତା ମୋ ପକ୍ଷରେ ଦୁର୍ବିସହ ହୋଇଉଠେ । ସେହି ଅଭିଜ୍ଞତାରୁ ମୁଁ ବୁଝିଛି କୌଣସି ସଚ୍ଚୋଟ ସୃଷ୍ଟିଧର୍ମୀ ସାହିତ୍ୟିକ ସାଂପ୍ରତିକ ଭାରତୀୟ ରାଜନୈତିକ ପରିସ୍ଥିତିରେ ତିଷ୍ଠ ପାରିବା ସମ୍ଭବ ନୁହେଁ ।

 

ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପର ବିଷୟ-ବୈଚିତ୍ର୍ୟକୁ ତାଙ୍କ ସାମ୍ବାଦିକ ଜୀବନର ଅରିଜ୍ଞତାପ୍ରସୂତ ବୋଲି କୁହାଯାଇ ପାରେ । ତାଙ୍କ ଗଳ୍ପରଚନା ପାଇଁ ସେ ଏତେ ବିବିଧ ବିଷୟ ଚୟନ କରିଛନ୍ତି ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ମହାନିର୍ବାଣ, ମଧୁମତ୍ତାର ରାତ୍ରୀ, ସାରୀପୁତ୍ତ, ପିତା ଓ ପୁତ୍ର, ବାସିମଡ଼ା, ମେଣ୍ଢାଖାଇ, ସବୁଜପତ୍ର ଓ ଧୂସର ଗୋଲାପ, ମରାଳର ମୃତ୍ୟୁ, ପାଗଳ ଗାରଦର କାହାଣୀ, ପୁଷ୍ୟାଭିଷେକ, ବରଜୁ ଷେଣ୍ଢ ଘାଇ, କୁବେରର କବିତା, ନୀଳ ଜ୍ୟୋତ୍ସ୍ନା, ଓ କାଲକାଟା, ଗୁରୁ, କମ୍ୱଳର ତମ୍ୱୁ, ସଭ୍ୟତାର ଗ୍ରାସ, ବଳୀବର୍ଦ୍ଧ, କବନ୍ଧ, ମାଂସର କୋଣାର୍କ, କବି ଓ ନର୍ତ୍ତକୀ ଆଦି ଗଳ୍ପଗୁଡ଼ିକର ବିଷୟ-ବୈଚିତ୍ର୍ୟକୁ ଲକ୍ଷ୍ୟ କରାଯାଇପାରେ । କେତେ ପ୍ରକାରର ଆବେଗ ଓ ଅନୁଭୂତି ସଂଚାଳିତ ହୋଇଛି ସେ ଗଳ୍ପମାନଙ୍କରେ ।

 

ତାଙ୍କ ଗଳ୍ପର ବିଷୟପ୍ରସ୍ଥ ବହୁଚିନ୍ତାର ଉଦ୍ରେକ କରିବା ସଂଗେ ସଂଗେ ବହୁ ଚେତନାର ସଂକେତ ଦେଇଛି । ଗଳ୍ପଗୁଡ଼ିକ ପୁଣି ନିହାତି ଭାବେ ରାଜନୈତିକ ନହେଲେ ହେଁ ଅଧିକାଂଶ ଗଳ୍ପରେ ରାଜନୈତିକ ଦୃଷ୍ଟିଭଂଗୀ ଓ ବିଚାରଧାରା ରହିଛି ।

 

ସୁରେନ୍ଦ୍ର ମହାନ୍ତିଙ୍କ ଗୃହଦାହ ଓ ପୁଷ୍ୟାଭିଷେକ ଗଳ୍ପ ଦୁଇଟିକୁ‌ ତାଙ୍କ ରାଜନୈତିକ ଚେତନାର ଏକ ଏକ ଶୈଳ୍ପିକ ଦଲିଲ ବୋଲି କୁହାଯାଇପାରେ । ରାଜନୀତିକ ପ୍ରତିହିଂସା ସଂପର୍କରେ ତାଙ୍କର ସ୍ଵନିଷ୍ଠ ଅନୁଭବ ନଥିଲେ ସେ ଏସବୁ ଗଳ୍ପର ପରିକଳ୍ପନା ହଁ କରି ପାରିନଥାନ୍ତେ-। ରାଜାରାଜୁଡ଼ାଙ୍କ ଶାସନ ସରିଯିବା, ଜମିଦାରୀ ଉଚ୍ଛେଦ ହେବାର ରାଜନୈତିକ ପଟ୍ଟପରିବର୍ତ୍ତନ ଓ ତଦ୍‌ଜନିତ ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥା ସେ ଗଭୀର ଭାବେ ପର୍ଯ୍ୟବେକ୍ଷଣ କରିଛନ୍ତି । ଭୋଗବାଦୀ ସାମନ୍ତମାନେ ପରିବର୍ତ୍ତିତ ପରିସ୍ଥିତିରେ କିପରି ଅସହାୟ ହୋଇ ପଡ଼ିଛନ୍ତି ସେହି ଅବକ୍ଷୟଗ୍ରସ୍ତ ସାମନ୍ତମାନଙ୍କର ଜୀବନଚିତ୍ର ଆଙ୍କିବାରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି ଯଥେଷ୍ଟ ପାରଦର୍ଶିତାର ପରିଚୟ ଦେଇଛନ୍ତି ।

 

ତାଙ୍କ ପୁଷ୍ୟାଭିଷେକ ଗଳ୍ପର ଆରମ୍ଭ ଏହିପରି - ‘କେତେ ଶତାବ୍ଦୀ ତଳର, ଓଡ଼ିଶାର ରାଜନୈତିକ ଇତିହାସ, ହଳଦୀ ଗାଁ, ମେଦିନୀରାୟ ଉଆସର ଭଙ୍ଗାବର୍ଷାଧୁଆ ପାଚିରୀ, ଖତରା ନଅଶେଣିଆ, ଫାକ୍‌ଶେଣିଆ ଚାଳର ଓଲରା ଛପର, କୋଟୀ କମକରା, ଉଈଖିଆ କାଠଶେଣୀ, ଆଉ ପୁରୁଷେ ଉଞ୍ଚା ଦାଣ୍ଡପିଣ୍ଡାର ଭୂଷୁଣ କାନ୍ଥ ଭିତରେ ମୁହଁମାଡ଼ି ପଡ଼ିଛି - ତାହା ଆଜି ଯତ୍ନତତ୍ତ୍ୱର ଉର୍ଦ୍ଧରେ ।

 

ରାଜନୀତିକ ପଟ୍ଟପରିବର୍ତ୍ତନରେ ହେଉ କି ଇତିହାସର ସମୟ ଆବର୍ତ୍ତନ ଭିତରେ ହେଉ ପ୍ରତ୍ୟେକ ମଣିଷ ଓ ପ୍ରତିଟି ଅନୁଷ୍ଠାନ କାଳକବଳିତ ହେବ ହିଁ ହେବ । ଏହି ଦାରୁଣ ପରିସମାପ୍ତିର କାହାଣୀକୁ କଥାକାର ସୁରେନ୍ଦ୍ର ମହାନ୍ତି ଖୁବ୍‍ ପ୍ରଭାବପୂର୍ଣ୍ଣ କରି ଲେଖି ପାରିଛନ୍ତି । ତାଙ୍କ ଅନ୍ଧଦିଗନ୍ତ ଉପନ୍ୟାସର ନିଧିଦାସ ଓ କ୍ଷମତାସର୍ବସ୍ୱ ରାଜନୀତି କରୁଥିବା ଶୁଦ୍ଧୋଦନ ଚରିତ୍ର ଦୁଇଟି ତାଙ୍କ ଚିତ୍ରଣ ପାରଦର୍ଶିତାର ପରିଚୟ ଦିଏ । ସୁରେନ୍ଦ୍ର ମହାନ୍ତିଙ୍କ ଭାବଭାଷା ବହୁଭାବରେ ରୋମାଞ୍ଚକ ଓ ଏକ କାବ୍ୟିକ ଅନର୍ଗଳତା (Romantic verbosity) ସେଥିରେ ପରିଲକ୍ଷିତ ହୁଏ । ମାତ୍ର ତାଙ୍କ ଜୀବନ ସଂସଦ ଓ ସାମ୍ୱାଦିକତା ସହିତ ସଂଯୋଜିତ ହୋଇଥିବା କାରଣରୁ ତାଙ୍କ ଗଳ୍ପ ଉପନ୍ୟାସର ଅଭିଜ୍ଞତା ସବୁ ଭାରି ମୌଳିକ ଓ ଗମ୍ଭୀର ମନେହୁଏ । ଆପାତତଃ ଯେତେ ରୋମାଣ୍ଟିକ ମନେ ହେଲେହେଁ ସେ ଜଣେ ଗମ୍ଭୀର ଜୀବନନିଷ୍ଠ କଳାକାର ।

 

ସବୁକିଛି ସମସ୍ୟା ଓ ସଂଶୟ ଉର୍ଦ୍ଧ୍ୱରେ ଏ ସଂସାରରେ ମଣିଷର ବଞ୍ଚି ରହିବାକୁ ସେ ଇଶ୍ଵରଙ୍କ ସର୍ବଶ୍ରେଷ୍ଠ ଅବଦାନ ବୋଲି ମନେ କରିଛନ୍ତି । କୌଣସି ସଂସଦୀୟ ନିଷ୍ପତ୍ତି କିମ୍ବା ସେପରି କୌଣସି ଯୁଦ୍ଧ ବିଗ୍ରହ ମଣିଷର ବଞ୍ଚିରହିବାକୁ ଅବରୁଦ୍ଧ ନକରୁ କିମ୍ବା ସେଥିରୁ କେହି ତାଙ୍କୁ ବଞ୍ଚିତ ନକରୁ, ଏହାହିଁ ଶିଳ୍ପୀ ସୁରେନ୍ଦ୍ରଙ୍କ ସୃଜନଶୀଳ ଅଭିଳାଷର ଏକ ବଡ଼ ଶ୍ରଦ୍ଧାନ୍ୱିତ ଦିଗ । ନିଜର ଶୈଳୀ ବିଷୟରେ ସେ ତେଣୁ ଯଥାର୍ଥରେ କହିଛନ୍ତି - ମୋର ଶୈଳୀ, ଜୀବନ ପରି ତଥାପି ଏକ ଅସମାପ୍ତ ଏକସପେରିମେଣ୍ଟ ......... । ତଥାପି ଆପାତ ଦୃଷ୍ଟିରେ ବହୁଶୈଳୀ, ରୀତି ଓ ଭାଷାଭଙ୍ଗୀ ପୁଣି ଏକ ବହୁବିସ୍ତୃତ ପୃଷ୍ଟଭୂମି ମଧ୍ୟରେ ଏହି କ୍ଷୁଦ୍ରଗଳ୍ପଗୁଡ଼ିକରେ ଆଜିର ମନୁଷ୍ୟର ନିଃସଂଗତା, ଅତୃପ୍ତି ଓ ଅଶାନ୍ତି ଏକ ରୂପକାତ୍ମକ ପ୍ରକାଶ ଲାଭ କରିଛି ।

 

ସୁରେନ୍ଦ୍ରଙ୍କ ଅଧିକାଂଶ ଗଳ୍ପର ବର୍ହି ଓ ମଧ୍ୟଚ୍ଛେଦ ସବୁ ଆପାତତଃ ସାମାଜିକ, ରାଜନୀତିକ ତଥା ସମସ୍ୟାଧର୍ମୀ ମନେ ହୋଇଥିଲେ ହେଁ ସେ ସବୁର ନାଭିକେନ୍ଦ୍ର ଜୀବନ ସମ୍ବୋଗ ଦ୍ୱାରା ସୁଗଠିତ । ଗତ ଅର୍ଦ୍ଧଶତାବ୍ଦୀରୁ ଅଧିକ ବର୍ଷ ପ୍ରାୟ ସେ ଜାତୀୟଜୀବନର ବହୁ ଉତ୍‌ଥାନ ପତନର ସାମାଜିକ ତଥା ରାଜନୀତିକ ଇତିହାସ ସହିତ ନିଜର ଆବେଗ ଅନୁଭବକୁ ଜଡ଼ିତ କରିବାକୁ ଚାହିଁଛନ୍ତି । ତାଙ୍କର ଅଧିକାଂଶ ଗଳ୍ପର ବିଷୟପିଣ୍ଡକୁ କୌଣସି ନାଁ କୌଣସି ଭାବରେ ଏକ ଧାର୍ମିକ, ରାଜନୀତିକ, ସାମାଜିକ କିମ୍ବା ଅର୍ଥନୀତିକ ସମସ୍ୟା ପ୍ରଭାବିତ କରିଥାଏ । ଏସବୁ ସମସ୍ୟା ତାଙ୍କ ଗଳ୍ପସବୁର ବରଂ ଏକ ଏକ ଆବରଣ ହୋଇ ଥାଏ । ତାଙ୍କ ଗଳ୍ପରେ ଅଙ୍କିତ ଜୀବନ ଛବିଟିକୁ ନିବିଡ଼ ଭାବେ ଦେଖିବାକୁ ହେଲେ ଜଣକୁ ଏହିସବୁ ଆବରଣ ଭେଦକରି ଯିବାକୁ ପଡ଼ିବ ।

 

ଯେ କୌଣସି ସମାଜବାଦୀ ରାଷ୍ଟ୍ରର ଶିଳ୍ପୀମାନେ ଯେପରି ସାମାଜିକ ବାସ୍ତବତାକୁ ରୂପାୟିତ କରିବାପାଇଁ ଅଙ୍ଗୀକାରବଦ୍ଧ ହୋଇଥାନ୍ତି ସୁରେନ୍ଦ୍ର ମହାନ୍ତିଙ୍କ କଳାଚେତନାରେ ଜଣେ ହୁଏତ ସେହି ଅଙ୍ଗୀକାରବଦ୍ଧତାକୁ ଲକ୍ଷ୍ୟକରିପାରେ ।

 

ସରକାର ସଂସଦରେ ବେଶ୍ୟାବୃତ୍ତିକୁ ଲାଇସେନସ ଦେବା ଜନିତ ପାର୍ଲାମେଣ୍ଟର ସଂଖ୍ୟାଗରିଷ୍ଠ ନିଷ୍ପତ୍ତି ହେଉ କିମ୍ବା ମହୁଲୀ ମଦର ପୁନଃ ପ୍ରଚଳନ ପାଇଁ ବ୍ୟବସ୍ଥା ହେଉ ପ୍ରତିଟି ବିଷୟରେ କଥାକାର ସୁରେନ୍ଦ୍ର ନିଜର ମାନବୀୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

 

ସୋଲଚୈନତସିଙ୍କ ପରି ଜଣେ ବଡ଼ କଥାଶିଳ୍ପୀ କହିଥିଲେ ଏ ଦୁନିଆରେ ଭଲକୁ ଭଲ ଓ ମନ୍ଦକୁ ମନ୍ଦ ବୋଲି ସ୍ପଷ୍ଟ ଭାବରେ କହି ପାରୁଥିବା ଲୋକର ହୃଦୟବୃତ୍ତିକ ଈଶ୍ୱର ଯେଉଁ ମଣିଷମାନଙ୍କୁ ଭଲ ପାଆନ୍ତି ତାହା ସେମାନଙ୍କୁ ଦାନ କରିଥାନ୍ତି । ଅସ୍ତିତ୍ୱବାଦୀ ଶିଳ୍ପୀମାନେ ସମାଜ, ସରକାର, ଧର୍ମ ଅପେକ୍ଷା ନିଷ୍ପାପ ବ୍ୟକ୍ତିଙ୍କୁ ବେଶୀ ଶ୍ରଦ୍ଧା ଓ ସ୍ଵୀକୃତି ଦେଇଥାନ୍ତି । ସଂଘର ପରିବର୍ତ୍ତନ ଅଛି । ସମାଜ ସରକାର ବଦଳି ଯାଆନ୍ତି । ଧର୍ମ ବଦଳିଯାଏ । ବଦଳେ ନାହିଁ ମଣିଷର ନୃତାତ୍ତ୍ୱିକ ଭାବାବେଗସବୁ । କାଳକାଳକୁ ତାହା ସେପରି ଅପରିବର୍ତ୍ତିତ ହୋଇ ରହିଥାଏ । ଜଣେ ଶିଳ୍ପୀ ମାନବାତ୍ମାର ସେହି ଅପରିବର୍ତ୍ତନୀୟ ଭାବାବେଗ ପ୍ରତି କୌଣସି ସର୍ତ୍ତର ବିମୁଖ ନହେବା ଉଚିତ । ସାହିତ୍ୟଜଗତରେ ସବୁଠାରୁ ବଡ଼ ସଂପଦ ନନ୍ଦନବନ ନୁହେଁ, କୌଣସି ଚକ୍ରବର୍ତ୍ତୀର ରତ୍ନଖଚିତ ସିଂହାସନ ନୁହେଁ, ବରଂ ଶାଶ୍ୱତ ପ୍ରତି ଉନ୍ମୁଖ ଥିବା ସତ୍ୟଶୀଳ ଖାଣ୍ଟି ଏକୁଟିଆ ମଣିଷଟିଏ ।

 

ସୁରେନ୍ଦ୍ର ମହାନ୍ତିଙ୍କୁ ଜଣେ ସ୍ଥିତିବାଦୀ ଶିଳ୍ପୀ କହିବା ନକହିବା ଉର୍ଦ୍ଧ୍ୱରେ ସେ ଏକଲା ମଣିଷ ପ୍ରତି ସଶ୍ରଦ୍ଧ ଥିଲେ; ଯେଉଁଥିପାଇଁ ହୁଏତ ସେ ମଣିଷ ଜୀବନର ପ୍ରଚୁର ନିଃସଂଗତା ସବୁକୁ ଚିତ୍ରଣ କରିଛନ୍ତି ।

 

ତାଙ୍କର ଏପରି ଅନେକ ଗଳ୍ପ ଅଛି ଯଥା ‘କୃଷ୍ଣଚୂଡ଼ା’, ‘ମଣିଷ ଓ ଅର୍ଥନୀତି’, ‘ପତାକା ଭତ୍ତୋଳନ’ ଆଦି ଯେଉଁ ଗଳ୍ପର ଥିମ୍‌ ରାଜନୀତିକ ଚେତନା ଦ୍ୱାରା ପ୍ରସାରିତ ହୋଇଛି ।

 

ଜଣେ ପରିପକ୍ୱ ଶିଳ୍ପୀ ସର୍ବଦା ଗୋଟେ ବୃହତ୍ତର ଜାତୀୟ ପୃଷ୍ଠଭୂମି ପରିପ୍ରେକ୍ଷୀରେ ଚିତ୍ର ଚରିତ୍ରର ଉପସ୍ଥାପନ କରିଥାନ୍ତି । ଯେମିତି ହୋଇଛି ଟଲଷ୍ଟୟଙ୍କ ‘war And Peace’ ମିଖାଇଲ ସୋଇକୋଭଙ୍କ ‘‘Quiet flows the Don’’ ଏଲିଜାବେଥଙ୍କ ‘‘uncle Tom’s Cabin’’ ଇତ୍ୟାଦି ଅନେକ ଉପନ୍ୟାସରେ । ଜଣେ ଶିଳ୍ପୀର ବିଶ୍ଵଦୃଷ୍ଟି ଉପରେ ନିର୍ତ୍ତର କରେ ଏମିତି ବୃହତ୍ତର ଜାତୀୟଜୀବନର ଚିତ୍ରଣ । ଲେଖକର ବିଶ୍ଵଦୃଷ୍ଟି ନଥିଲେ, ମଣିଷ ଆତ୍ମାର ଚିରନ୍ତନ ଭାବାବେଗ ପ୍ରତି ଶ୍ରଦ୍ଧା ଓ ସମର୍ଥନ ନଥିଲେ ତଥା ବିରଳ ପରିବୋଧନୀୟ ମୁହୂର୍ତ୍ତର ଟିତ୍ର ଆଙ୍କିବା ଜନିତ କଳାତ୍ମକ ତୀକ୍ଷ୍‌ଣତା ନଥିଲେ ଜଣେ ଲେଖକ ଯେ କୌଣସି ଅସମର୍ଥ ଲେଖଙ୍କ ପରି ‘boy meets girl’ ବିଷୟକ ତରଳ ଚିତ୍ର ଅଙ୍କନ କରିବ କେବଳ ।

 

ମହାକାଳ, ମାଟି ଓ ମଣିଷର କଥା କହିବାରେ ସବୁକାଳର ସତସାହିତ୍ୟ ଗଦ୍ୟପଦ୍ୟ ନିର୍ବିଶେଷରେ ଏକ ଏକ ରୂପକ କେବଳ । ଏହି ରୂପକାତ୍ମକତାର ବହୁପ୍ରସ୍ଥ ଓ ବହୁ ସଙ୍କେତ ରହିଛି-। ମଣିଷଜାତିର ନୃତାତ୍ତ୍ୱିକ ତଥା ସମାଜତାତ୍ତ୍ୱିକ ବିବର୍ତ୍ତନକୁ ଏହି ସଙ୍କେତ ସବୁ ପ୍ରତୀକିତ କରେ । ଛୋଟ ଗଳ୍ପଟିଏ ମଧ୍ୟ ତାର କ୍ଷୁଦ୍ଧ ବିଷୟ ପରିସର ଭିତରେ ଏହି ସଙ୍କେତ ସବୁଠାରୁ ଦେଇଥାଏ । ତରଳ ପ୍ରେମ କଥାକୁ ଖାସ ଲେଖୁଥିବା ଅପୋଖତ ଶିଳ୍ପୀମାନେ ଗଳ୍ପ ବା ଉପନ୍ୟାସର ଭୂମି ବା କେନଭାସ୍‌କୁ ଆଦୌ ପରିବ୍ୟାପ୍ତ କରି ପାରନ୍ତିନି । ପ୍ରେମତର କାରୁଣ୍ୟରେ ବିମୋହିତ ହେଉଥିବା କୌଣସି ମାନବାତ୍ମାକୁ ସେମାନେ ରୂପାୟିତ କରିପାରନ୍ତିନି । ଦୟା ଓ ଦାନ ପରି ମହତ୍ତର ଶୀର୍ଷ ଅନୂଭବକୁ ସେମାନେ ଆଦୌ ସଂଚାଳିତ କରିପାରନ୍ତିନି । ପୁରୁଣା ତଥା ଗତାନୁଗତିକ ଢାଞ୍ଚାରେ ସେମାନେ କାହାଣୀର ପରିଣତି ଆଙ୍କନ୍ତି କେବଳ ।

 

ମଣିଷର ସ୍ଵପ୍ନ ବୋଧେ ଏ ସଂସାରରେ ସବୁଠାରୁ ବର୍ଣ୍ଣିଳ ଓ କୋମଳତମ ପୁଷ୍ପ, ଆଉ ମଣିଷର ସୁନ୍ଦର ଦେଖିବା ହେଉଛି ତା ଜୀବନର ସବୁଠାରୁ ବଡ଼ ଭାଗ୍ୟ । ସୃଜନଶୀଳତା ହେଉଛି ତା’ର ଅସଲ ଶ୍ରୀ ବା ସମ୍ପତ୍ତି ଯାହାକୁ ସେ ଭୋଗକରେ ଓ ନିଜର ଆତ୍ମାଅନ୍ତରକୁ ଉଲ୍ଲସିତ କରେ ।

 

କଥାକାର ସୁରେନ୍ଦ୍ର ମହାନ୍ତି କେତେ ମାର୍କସବାଦୀ ବା କେତେ ସ୍ଵୈରବାଦୀ ଏ ମୀମାଂସା ଉର୍ଦ୍ଧ୍ୱରେ ମଣିଷକୁ ଶ୍ରଦ୍ଧା କରିବା, ଶୋଷଣମୁକ୍ତ ସମାଜର ସ୍ଵପ୍ନ ଦେଖିବା ତଥା ଜୀବନ ବଞ୍ଚିବାକୁ ଆଶୀର୍ବାଦର ବିଷୟ ବୋଲି ଜ୍ଞାନ କରିବା ପାଇଁ ସେ ତାଙ୍କ ସୃଜନାଶ୍ଲୀଳ ଆତ୍ମାକୁ ସତେ ଯେପରି ଉନ୍ମୁଖ କରି ରଖିଥିଲେ ।

 

ତାଙ୍କ ଅଧିକାଂଶ ଗଳ୍ପର ଉତ୍ସ ହେଉଛି ଜାତୀୟ ଓ ପ୍ରାଦେଶିକ ଘଟଣାବଳୀ । ଯୌତୁକ ପ୍ରଥା, ମଦମୃତ୍ୟୁଠାରୁ ଆରମ୍ଭ କରି ସନ୍ତ୍ରାସବାଦ ପର୍ଯ୍ୟନ୍ତ ସବୁବିଷୟ ତାଙ୍କ ଅଧିକାଂଶ ଗଳ୍ପରେ ରହିଛି; ଅବଶ୍ୟ ତା’ର ଚିତ୍ରଣ କଳାତ୍ମକ ହୋଇଛି । ତାଙ୍କ ଗଳ୍ପର ସମସ୍ୟା ଅବତାରଣା ବେଶ ନାଟକୀୟ; ସେପାଇଁ ତାହା ଅଧିକ ଆକର୍ଷଣୀୟ ହୋଇଥାଏ । ନିକଟତମ ପରିପାର୍ଶ୍ୱର ବାସ୍ତବ ସମସ୍ୟା ଗଳ୍ପର ବିଷୟ ହୋଇଯିବାରୁ ପାଠକକୁ ତାହା ବେଶୀ ଛୁଏଁ ।

 

ଏଠାରେ ମରାଳର ମୃତ୍ୟୁ ଗଳ୍ପଗ୍ରନ୍ଥରୁ ‘ଗୃହଦାହ’ ଗଳ୍ପଟିକୁ ଉଲ୍ଲେଖ କରାଯାଇ ପାରେ । କେତେ ଅକୃତ୍ରିମ ଭାବେ ଜଣେ ରାଜନୀତିକ ଜୀବନ କଟାଉଥିବା ଶିଳ୍ପୀ ନିଜର ଆବେଗ ଓ ଅନୁଭବ ପ୍ରକାଶ କରିଛନ୍ତି । ସମୁଦାୟ ଗଳ୍ପଟିର ବିଷୟଯୋଜନା ପଛରେ ଅଛି ପ୍ରତ୍ୟକ୍ଷ ରାଜନୀତିକ ଅଭିଜ୍ଞତା ଯାହାକୁ ଆହୁରି ପରିବ୍ୟାପ୍ତ କରି ‘ଅନ୍ଧ ଦିଗନ୍ତ’ରେ ସେ ପ୍ରକାଶ କରିଛନ୍ତି ।

 

ଭାରତୀୟ ଜାତୀୟ କଂଗ୍ରେସର ମୂଲ୍ୟବୋଧହୀନ ରାଜନୀତି ଓ ତଦ୍‌ଜନିତ ଦାରୁଣ ଅବକ୍ଷୟକୁ ସେ ନାନା ଭାବରେ ପ୍ରକଟନ କରିଛନ୍ତି । ‘ଗୃହଦାହ’ ଗଳ୍ପର ରଥୀପୁର ଆଶ୍ରମ କଂଗ୍ରେସ ସଂଗଠନର ଏକ ପ୍ରତୀକ ଭାବେ ଗୃହୀତ ହୋଇଛି । ‘ଗୃହଦାହ’ ଗଳ୍ପରୁ ନିମ୍ନ କେତୋଟି ବାକ୍ୟ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ପ୍ରତ୍ୟକ୍ଷ ରାଜନୀତିକ ଅଭିଜ୍ଞତା ତଥା ସାମ୍ବାଦିକ ସୁଲଭ ରାଜନୀତିକ ପର୍ଯ୍ୟବେକ୍ଷଣର ନିଦର୍ଶନ । ଯଥା : ଇତିହାସର ଏକ କୁତ୍ସିତ ପରିହାସରେ ଯେଉଁ ରଥିପୁର ଆଶ୍ରମ, ଏ ଅଞ୍ଚଳରେ କଂଗ୍ରେସର ଭିତ୍ତି ନିର୍ମାଣ କରିଥିଲା, ଏବେ ସେହି ରଥୀପୁର ଆଶ୍ରମ କଂଗ୍ରେସ ଭିତରେ ସଂଘର୍ଷ ଓ ଅନୈକ୍ୟର ଏକ ରଣଭୂମିରେ ପରିଣତ ହୋଇଛି । ............ ଅତୀତରେ ଆଦର୍ଶବାଦ ଓ ମୂଲ୍ୟବୋଧର ଭିତ୍ତିରେ ସବୁ ଅନୈକ୍ୟ ଓ ବିଭେଦ ପର୍ଯ୍ୟବସିତ ହୋଇଥିବାରୁ ତାହାର ଏକ ସମୀଚୀନ, ସଂଯତ ଓ ଶୃଙ୍ଖଳିତ ସମାଧାନ ସମ୍ଭବ ହୋଇପାରୁଥିଲା । ........... କ୍ଷମତାଲିପ୍‌ସା ଯେତିକି ଉଗ୍ର ଓ ଉଲଙ୍ଘ ହେଉଅଛି ବିଭେଦ ସେତକି ବିକଟ ହେଉଅଛି ।

 

ରଥିପୁର ଆଶ୍ରମକୁ ଶେଷରେ କୁଚକ୍ରୀମାନେ ପୋଡ଼ି ଦେଲେ । ସାଧାରଣତନ୍ତ୍ର ଦିବସର ମଙ୍ଗଳ ପ୍ରଭାତରେ ସୁସଜ୍ଜିତ ଆନନ୍ଦାଶ୍ରମ ଏକ ଭସ୍ମସ୍ତୁପରେ ପରିଣତ ହୋଇଥିଲା । ଅତୃପ୍ତ କ୍ଷମତାଭିଳାଷର ହିଂସ୍ର ପ୍ରଶ୍ଵାସ ପରି ପାଉଁଶଗଦାରୁ ଧୂଆଁର ଶତଶତ କୁଣ୍ଡଳୀ ସକାଳର ଆଲୋକକୁ ବିଭୀଷିକାଗ୍ରସ୍ତ କରି ରଖିଥିଲା । ସେହି ବିଧ୍ଵସ୍ତ ପୃଷ୍ଠଭୂମିରେ ଆନନ୍ଦାଶ୍ରମର ପୋଡ଼ା କାଠଖୁଣ୍ଟ ସବୁ ଦିଶୁଥିଲା ଗୋଟିଏ କୁତ୍ସିତ ପ୍ରଶ୍ନବାଚକ ପରି ।

 

ମଣିଷ ଜୀବନର ଓ ସେ ବଞ୍ଚୁଥିବା ଚତୁଃପାର୍ଶ୍ଵ ଏବଂ ସମୟର ନିଛକ ଘଟଣାକୁ ନେଇ ସେ ଗପ ଲେଖିଛନ୍ତି । ଗୋଟେ ଫିଚରଲେଖାର ଫ୍ରେମ ସେଥିରୁ ବାରି ହୋଇ ପଡ଼େ । ଅଥଚ ଗପଗୁଡ଼ିକ ଦୈନନ୍ଦନ ଜୀବନର ମାମୁଲି ଘଟଣା ପରି ମନେ ହୁଏ ନାହିଁ । ଭାଷା, ଭାବ ବା ଚିତ୍ରଣରେ ବ୍ୟାବହାରିକତାର ଅକାବ୍ୟିକ ଲକ୍ଷଣ ସୁରେନ୍ଦ୍ରଙ୍କ ଗଳ୍ପରେ ଆଦୌ ଦେଖାଯାଏନି ।

 

ତାଙ୍କର ‘ଶେଷସ୍ତମ୍ଭ’ର ଶୈଳୀ ଓ ତାର ଆତ୍ମିକ ଭାବପକ୍ଷ ତାଙ୍କର ଯେକୌଣସି ଗଳ୍ପପରି ନାଟକୀୟ ଓ କେଉଁଠି କେଉଁଠି ମେଲୋଡ୍ରାମା ପରି; ଯଦିଚ ‘ଶେଷସ୍ତମ୍ଭ’ର ଲେଖାସବୁ ଗୋଟିଏ ଓଡ଼ିଆ ଦୈନିକ ସମ୍ବାଦପତ୍ରର ତାଙ୍କ ରଚିତ ସଂପାଦକୀୟ । ତାଙ୍କର ‘କ୍ଷୁଧିତ ବ୍ରହ୍ମପୁତ୍ର’ ପ୍ରବନ୍ଧଟି ବି ଗୋଟେ ଗଳ୍ପ ପରି ଲାଗେ । ଗୋଟିଏ ସାଧାରଣ ଗଦ୍ୟମୟ ବିଷୟକୁ କାବ୍ୟିକ ପ୍ରଭାବ ସୃଷ୍ଟିସ୍ତରକୁ ନେଇ ଯିବାର ଏକ ସୃଜନଶୀଳ ପାରଦର୍ଶିତା ଅବଶ୍ୟ ସୁରେନ୍ଦ୍ର ମହାନ୍ତିଙ୍କର ରହିଛି; ସେ ତାଙ୍କର ସଂସଦୀୟ ଦୃଷ୍ଟି ଓ ଦର୍ଶନକୁ ଲେଖନ୍ତୁ କି ସାମ୍ବାଦିକ ଜୀବନର ପର୍ଯ୍ୟବେକ୍ଷଣ ସବୁକୁ ଲେଖନ୍ତୁ ।

 

ତାଙ୍କ ସ୍ମୃତିକଥା ହେଉ କି ତାଙ୍କର ପେକିଂଡାଇରୀ ଭଳି ଭ୍ରମଣ କାହାଣୀ ହେଉ, ତାହା ଶତାବ୍ଦୀର ସୂର୍ଯ୍ୟପରି ଚରିତ ହେଉ କି ‘ଅନ୍ଧଦିଗନ୍ତ’ ପରି ଉପନ୍ୟାସ ହେଉ ତାଙ୍କ ସାମଗ୍ରିକ ଚରନାର ଅଧାରୁ ଅଧିକ ଭାଗ ପୂରାପୂରି ରାଜନୀତିକ । ତାଙ୍କ ଶିଳ୍ପୀଜୀବନରେ ରାଜନୀତିକ ଚେତନାଟି ଅଧିକ ତୀବ୍ର ଓ ପ୍ରତ୍ୟକ୍ଷ ହୋଇଛି । ସୁରେନ୍ଦ୍ର ମହାନ୍ତି ଗୋଟିଏ କାବ୍ୟିକ ଶୈଳୀ ପାଇଯିବାରୁ ଏହି ରାଜନୀତିକ ବିଷୟଗୁଡ଼ିକୁ ବେଶ ପ୍ରଭାବଦୀପ୍ତ କରି ଚମତ୍କାର ଶୈଳୀଭିତରେ ପରିବେଷଣ କରି ପାରିଛନ୍ତି । ସେଥିପାଇଁ ସେସବୁ ବିଷୟ ନିରସ ମନେ ହୋଇନି କି କାହାପାଇଁ କ୍ଳାନ୍ତିକର ମନେ ହୋଇନି।

 

ସୁରେନ୍ଦ୍ର ମହାନ୍ତିଙ୍କ ‘ହଂସଗୀତି’ କିମ୍ବା ‘ନେତିନେତି’ର ବିଷୟପିଣ୍ଡ ବହୁଭାବରେ ରାଜନୀତିକ । ମୂଲ୍ୟବୋଧହୀନ ପଙ୍କିଳ ରାଜନୀତିକ ନେତାମାନେ ତ ଆଜି ଡ୍ରଗସ୍‌ର ଚୋରା ବେପାରୀ । ପୃଥିବୀର କେତେକ ରାଜନୀତିକ ନେତାଙ୍କ ବିରୋଧରେ ଏ ଅଭିଯୋଗ ହେଉଛି ଓ ପ୍ରମାଣିତ ହୋଇଛି ମଧ୍ୟ । ହଂସଗୀତି ଉପନ୍ୟାସର ଆରମ୍ଭ ଏହିପରି ଘଟଣାର ଚିତ୍ରଣରୁ । ନେତାମାନଙ୍କର ଅନୈତିକ କାର୍ଯ୍ୟର ପ୍ରତିବାଦ କରିବାପାଇଁ ସେତେବେଳେ ଆଉ କେହି ନଥିବେ । ଯୁବକମାନେ ନିଶାଗ୍ରସ୍ତ ହୋଇ ପଙ୍ଗୁ ହୋଇ ଯାଇଥିବେ । ଏ ଦେଶର ଶହ ଶହ ହଜାର ହଜାର ଯୁବକ ରାସ୍ତାଘାଟରେ ପଡ଼ି ମରଣାନ୍ତକ ଯନ୍ତ୍ରଣାରେ ଛଟପଟ ହେଉଥିବେ । ନେତାମାନେ ଧଳା ପୋଷାକ ଧଳା ଫିନ୍‌ ଫିନ୍‌ ଟୋପି ପରିଧାନ କରି ଆହୁରି କ୍ଷମତା ଆହୁରି ପ୍ରତିପତ୍ତି ପାଇଁ ନିରନ୍ତର ସ୍ଵପ୍ନ ଦେଖୁଥିବେ ।

 

ଏମିତି ରାଜନୀତି ଯେଉଁ ସମାଜ ବ୍ୟବସ୍ଥାକୁ ଜନ୍ମଦେବ ସେଥିରୁ ପଲ ପଲ ନିଶାଗ୍ରସ୍ତ ନାରୀମାଂସ ଲୋଭୀ ପିଶାଚ କେବଳ ଉତୁରିବେ । ହଜାର ହଜାର ବର୍ଷଧରି ଗଢ଼ି ଉଠିଥିବା ସବୁ ନୀତି ଓ ଆଦର୍ଶକୁ ସେମାନେ ନିମିଷକେ ଶେଷ କରିଦେବେ । ସେସବୁ ପରିବର୍ତ୍ତିତ ପ୍ରତିମୂଲ୍ୟବୋଧର ଅଭିଲିପି ହେଉଛି ସୁରେନ୍ଦ୍ରଙ୍କ ‘ନେତିନେତି’ ଉପନ୍ୟାସ । ଗୋଟେ ସୁସ୍ପଷ୍ଟ ରାଜନୀତିକ ଦୃଷ୍ଟିଭଂଗୀ ପ୍ରତିଫଳିତ ହୋଇଥିବା ଏ ଦୁଇଖଣ୍ତି ଉପନ୍ୟାସ ଓଡ଼ିଆ ଉପନ୍ୟାସଧାରାରେ ନୂଆ ପ୍ରକାରର ନିଶ୍ଚୟ । ଭାରତବର୍ଷର ସୁଦୂର ଭବିଷ୍ୟତକୁ ଅନୁମାନ କରୁଥିବା ଶିଳ୍ପୀଟି ହିଁ କେବଳ ଅବକ୍ଷୟଗ୍ରସ୍ତ ପ୍ରତିମୂଲ୍ୟବୋଧ ତଥା ନେତିବାଦୀ ଦର୍ଶନ କଥା ଲେଖିଛନ୍ତି । ଅବଶ୍ୟ ଶାନ୍ତନୁ ଆଚାର୍ଯ୍ୟଙ୍କ ପରି ତାଙ୍କ ସମୟର ଆଉ ଜଣେ ଓଡ଼ିଆ କଥାଶିଳ୍ପୀଙ୍କ ଏପ୍ରକାର ରାଜନୀତିକ ସଚେତନତା ଅଛି । ତାଙ୍କ ରଚନାମାନଙ୍କରେ ସାମ୍ବାଦିକତାର କିଛି ଛଟା ବି ରହିଛି । ଶାନ୍ତନୁ ଆଚାର୍ଯ୍ୟଙ୍କ ‘ଯାତ୍ରାର ପଥମ ପାଦ’, ‘ମନ୍ତ୍ରୀଙ୍କ ସେୟାର’ କିମ୍ବା ‘କରଂଜିଆ ଡାଇରୀ’ ପରି ରଚନାମାନଙ୍କରେ କିଛି ରାଜନୀତିକ ବିଚାର ତଥା ମତ ଓ ମନ୍ତବ୍ୟ ରହିଛି ।

 

ସର୍ବକାଳୀନ ସାମାଜିକ ବିବର୍ତ୍ତନର ସତ୍ୟକୁ ଏହାଦ୍ୱାରା ପ୍ରତୀକିତ କରାଯାଇ ଥିବାରୁ ସେ ସୁରେନ୍ଦ୍ର ମହାନ୍ତି ହୁଅନ୍ତୁ କି ଶାନ୍ତନୁ ଆଚାର୍ଯ୍ୟ ହୁଅନ୍ତୁ ସେମାନଙ୍କ ରଚନାବଳୀ ଦେଶ କାଳ ପାତ୍ରର ଏକ ବୃହତ୍ତର କେନଭାସ୍‌କୁ ସୂଚାଇ ପାରୁଛି ଯାହା ହୁଏତ ତାଙ୍କ ସମୟର ଅନ୍ୟ ଓଡ଼ିଆ ଶିଳ୍ପୀଙ୍କ କିଛି କୃତିତ୍ୱ ଓ ସଫଳତା ସତ୍ତ୍ୱେ‌ ସେମାନଙ୍କ ରଚନାରେ ତାହା ସେତିକି କଳାତ୍ମକ ତୀକ୍ଷ୍‌ଣତା ତଥା ତୀବ୍ରତା (Varility) ଭିତରେ ପ୍ରକଟିତ ହୋଇ ପାରିନି । ଫକୀରମୋହନ ମଧ୍ୟ ଉତ୍ତରଓଡ଼ିଆ କଥା ସାହିତ୍ୟରେ ଏପରି କେନ୍‌ଭାସ ବାଛି ନେଇଥିଲେ ।

 

 

ସ୍ନାତକୋତ୍ତର ଓଡ଼ିଆ ବିଭାଗ

ସମ୍ବଲପୁର ବିଶ୍ଵବିଦ୍ୟାଳୟ, ସମ୍ବଲପୁର

 

***

 

Unknown

ଊନବିଂଶ ଶତକର ଓଡ଼ିଶା ଓ ଭୀମଭୋଇଙ୍କ ସାହିତ୍ୟରେ ସଂସ୍କାରବାଦ

ଡକ୍ଟର ଉଦ୍ଧବଚରଣ ନାୟକ

 

ଊନବିଂଶ ଶତାବ୍ଦୀରେ ଭାରତବର୍ଷର ଧର୍ମ ଓ ସମାଜକ୍ଷେତ୍ରରେ ପ୍ରକାଶ ପାଇଥିବା ପୁନଃ ଅଭ୍ୟୂତ୍‌ଥାନ ଆନ୍ଦୋଳନର ଅନ୍ୟତମ ପୁରୋଧା ଥିଲେ ଓଡ଼ିଶାର ମହିମା ଗୋସାଇଁ ଓ ତଦ୍ଦୀୟ ଗୃହୀଶିଷ୍ୟ ସନ୍ଥକବି ଭୀମଭୋଇ । ସେ ସମୟର ସମାଜ ସଂସ୍କାରକମାନଙ୍କ ମଧ୍ୟରେ ଏହି ଗୁରୁଶିଷ୍ୟଦ୍ୱୟଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୂତ୍ୱପୂର୍ଣ୍ଣ । ସର୍ବଭାରତୀୟ ସ୍ତରରେ ସାମାଜିକ ଚେତନା, ସଂସ୍କାର ଓ ଅଭ୍ୟୁତ୍‌ଥାନର ପୁରୋଧା ଥିଲେ ମୁଖ୍ୟତଃ ବଙ୍ଗଳାର ରାଜା ରାମମୋହନ ରାୟ, ଦ୍ୱାରକାନାଥ ଟାଗୋର, କେଶବଚନ୍ଦ୍ର ସେନ, ସ୍ଵାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ, ଗୁଜୁରାଟର ସ୍ଵାମୀ ଦୟାନନ୍ଦ ସରସ୍ଵତୀ, ମହାତ୍ମା ଗାନ୍ଧି, ବିହାରର ମହାଦେବ ଗୋବିନ୍ଦ ରାଣାଡେ ତଥା ଓଡ଼ିଶାର ସାଧୁ ସୁନ୍ଦର ଦାସ, ଅରକ୍ଷିତ ଦାସ ଓ ମହିମା ଗୋସାଇଁ - ଭୀମଭୋଇ ।

 

ତତ୍‌କାଳୀନ ଭାରତୀୟ ସମାଜର ବଡ଼ପଣ୍ଡାମାନଙ୍କ ଦ୍ୱାରା ଲାଞ୍ଛିତ, ଅପମାନିତ ଓ ଘୃଣିତ ହୋଇ ବହୁ ନୀଚବର୍ଣ୍ଣର ଲୋକ ତ୍ରାହି ତ୍ରାହି ଡାକ ଛାଡ଼ୁଥିଲେ । ଏହି ସୁଯୋଗରେ ତତ୍‌କାଳୀନ ଇଂରେଜ ସରକାର ଏହି ଲୋକମାନଙ୍କ ମଧ୍ୟରୁ ଅନେକଙ୍କୁ ଅକ୍ତିଆର କରି ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ କରାଇଥିଲେ । ଫଳରେ ଏଦେଶର ବହୁବିଜ୍ଞ ଲୋକଙ୍କର ହୃଦୟ ଆଲୋଡ଼ିତ ହେଲା । ସଂସ୍କାର ପଥ ପରିଷ୍କାର ହୋଇଗଲା । ରାଜା ରାମମୋହନଙ୍କ ପ୍ରତିଷ୍ଠିତ ବ୍ରାହ୍ମସମାଜ ଦ୍ୱାରା ବୈଦିକ ହିନ୍ଦୁ ଧର୍ମ । ରାମକୃଷ୍ଣ ପରମ ହଂସଙ୍କ ଜାତିଭେଦ ବିବର୍ଜିତ ରାମକୃଷ୍ଣ ମିଶନଦ୍ୱାରା ବିଶୁଦ୍ଧ ହିନ୍ଦୁଧର୍ମ । ମହିମା ସ୍ୱାମୀ-ଭୀମଭୋଇଙ୍କ ପ୍ରତିଷ୍ଠିତ ମହିମା ସମାଜଦ୍ୱାରା ମହିମାଧର୍ମର ଅଭ୍ୟୁଦୟ ଓ ପ୍ରସାର ଲାଭ କରି ଭାରତବର୍ଷର ବିଭିନ୍ନ ସ୍ଥାନରେ ଧର୍ମାନ୍ତରୀ ହୋଇଯାଇଥିବା ଲୋକମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଲା । କାରଣ ଏହି ମନୀଷୀମାନଙ୍କ ଅନୁସୃତ ଧର୍ମର ସଂସ୍କାର ଓ ବାଣୀ ଦ୍ୱାରା ବ୍ରାହ୍ମଣ୍ୟଧର୍ମର ପ୍ରଭାବ ପରାହତ ହେଲା । ବଡ଼ ଆଶ୍ଚର୍ଯ୍ୟର କଥା ଯେଉଁ ବ୍ରାହ୍ମଣମାନଙ୍କଦ୍ୱାରା ଅନ୍ଧବିଶ୍ଵାସ ଓ କୁସଂସ୍କାର ପ୍ରବର୍ତ୍ତିତ ହୋଇ ନୀଚବର୍ଣ୍ଣର ଲୋକଙ୍କୁ ଘୃଣିତ ଓ ଲାଞ୍ଚିତ କରାଯାଉଥିଲା, ସେହି ବ୍ରାହ୍ମଣ ପରିବାର ସମ୍ଭୂତ ରାଜା ରାମମୋହନ ରାୟ, ଦୟାନନ୍ଦ ସରସ୍ଵତୀ (ମୂରଲୀଶଙ୍କର ତ୍ରିବେଦୀ), ମହିମା ସ୍ଵାମୀ ! ସମାଜରେ ସଂସ୍କାର ଆନୟନପୂର୍ବକ ଭାରତୀୟ ସନାତନଧର୍ମକୁ ନିଶ୍ଚିତ ପତନମୁଖରୂ ଉଦ୍ଧାର କରିବାରେ ସହାୟକ ହୋଇଥିଲେ ।

 

ଊନବିଂଶ ଶତକରେ ଓଡ଼ିଶାର ରାଜନୈତିକ, ସାମାଜିକ, ଅର୍ଥନୈତିକ ଅବସ୍ଥା ଥିଲା ଅତ୍ୟନ୍ତ ବିପର୍ଯ୍ୟସ୍ଥ । ୧୮୦୩ ମସିହାରେ ଇଂରେଜମାନେ ମରହଟ୍ଟାମାନଙ୍କ ହାତରୁ ଓଡ଼ିଶାର ଶାସନଭାର ଗ୍ରହଣ କଲେ । ତା’ପୂର୍ବରୁ ମରହଟ୍ଟାମାନଙ୍କ ଶାସନ ଦାଉରେ ଓଡ଼ିଶାବାସୀ ଭୟ ଓ ଆତଙ୍କରେ କାଳାତିପାତ କରୁଥିଲେ । ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏଙ୍କ ଦ୍ୱାରା ବିପ୍ଲବ, ଅନୁଗୁଳରାଜା ସୋମନାଥ ସିଂହଙ୍କର ବ୍ରିଟିଶ ଶକ୍ତି ବିରୁଦ୍ଧରେ ପ୍ରତ୍ୟକ୍ଷ ସଂଗ୍ରାମ, କନ୍ଧମାଳରେ କନ୍ଧମେଳିର ସୂତ୍ରପାତ, ଖୋରଦ୍ଧାରେ ବକ୍ସିଜଗବନ୍ଧୁଙ୍କ ପାଇକ ବିଦ୍ରୋହ, ଯାଜପୁର ବାଲିଆରେ ଜମିଦାର ରାମକୃଷ୍ଣ ସାମନ୍ତସିଂହଙ୍କ ନେତୃତ୍ୱରେ ଖଜଣା ଛାଡ଼ ଆନ୍ଦୋଳନ ଓ ପୁରୀରେ ଚାଖି‌ଖୁଣ୍ଟିଆଙ୍କ ନେତୃତ୍ୱରେ ସ୍ଵାଧୀନତା ସଂଗ୍ରାମର ଡାକରାରେ ଓଡ଼ିଶାର ସମଗ୍ର ରାଜନୈତିକ ପରିସ୍ଥିତି ଥିଲା ଅତ୍ୟନ୍ତ ସାଂଘାତିକ ।

 

ଏହି ସମୟରେ କଲିକତାଠାରେ ଓଡ଼ିଶାର ଜମିଦାରୀଗୁଡ଼ିକୁ ସୂର୍ଯ୍ୟାସ୍ତ ପୂର୍ବରୁ ନିଲାମ କରିଦିଆ ଯାଉଥିବାରୁ ତାହା ଅଣ-ଓଡ଼ିଆମାନଙ୍କ ହାତରେ ପଡ଼ିଲା । ଇଂରେଜମାନେ ସଂଗ୍ରାମୀ ଓଡ଼ିଆଜାତିର ନିବାସସ୍ଥଳୀ ଓଡ଼ିଶାକୁ ପାଞ୍ଚଭାଗରେ ବିଭକ୍ତ କରିଦେଲେ । ଚାରିଭାଗକୁ ଅନ୍ୟ ପଡ଼ୋଶୀ ରାଜ୍ୟସହ ମିଶାଇ ଦେଲେ । ଏକଭାଗର ସାମାନ୍ୟ ଅଞ୍ଚଳକୁ ଖାସ୍‌ ଅଧୀନରେ ରଖି, ଅବଶିଷ୍ଟ ଅଞ୍ଚଳକୁ ୩୬ ଗୋଟି କରଦରାଜ୍ୟରେ ବିଭକ୍ତ କରିଦେଲେ । ଫଳରେ ଭାଷା, ସଂସ୍କୃତି ଓ ଉଦ୍ଦାମ ଜନଶକ୍ତିରେ ଉଦ୍ଦୀପ୍ତ ଉତ୍କଳର ମୂଳଭିତ୍ତି ଭୁଶୁଡ଼ି ପଡ଼ିଲା । ତା’ ସାଙ୍ଗକୁ ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ଓ ତା’ପରେ ୧୮୬୯-୭୦ ଓ ୧୮୭୫ରେ ଦୁର୍ଭିକ୍ଷମାନ ପଡ଼ି ଅଗଣିତଲୋକ ମୃତ୍ୟମୁଖରେ ପଡ଼ିଲେ । ଲୋକେ ଅନାହାରରେ ମଣିଷମାଂସ ଖାଇଲେ । ଲୋକଙ୍କର ଅର୍ଥନୈତିକ ମେରୁଦଣ୍ଡ ପୂରାପୂରି ଭାଙ୍ଗିପଡ଼ିଲା ।

 

ତତ୍‌କାଳୀନ ବଡ଼ଲାର୍ଟ ଉଇଲିଅମ୍‌ ବେଣ୍ଟିକ୍‌ଙ୍କ ଦ୍ୱାରା ସତୀଦାହପ୍ରଥା ନିଷେଧ ହୋଇଥିବା ସ୍ଥଳେ ୧୮୨୮ ମସିହା ମାର୍ଚ୍ଚ ମାସ ୧୫ ତାରିଖ ଦିନ ପୁରୀଜିଲ୍ଲାର କରମଳାର ତତ୍‌କାଳୀନ ଜମିଦାର ପଦ୍ମଚରଣ ପଟ୍ଟନାୟକଙ୍କ ଭାଉଜ ସତୀ ହେଲେ । ଖୋରଦ୍ଧା ଓ ଗଞ୍ଜାମର କେତେକ ଅଞ୍ଚଳରେ ଅନ୍ୟ କେତେଜଣ ସତୀ ହୋଇଥିବାର ପ୍ରମାଣମାନ ମିଳେ । ଏ’ତ ଗଲା ସାମାଜିକ କୁସଂସ୍କାର କଥା । ଭାଷା ଆନ୍ଦୋଳନ ଦେଖା ଦେଇଛି ଓଡ଼ିଶାରେ । ଓଡ଼ିଆ ଭାଷାର ମୂଳୋତ୍ପାଟନ ପାଇଁ କ୍ରାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଓ ଉମାଚରଣ ହାଲଦାର ଚକ୍ରାନ୍ତ କରିବାରୁ ଭାଷା ଆନ୍ଦୋଳନ ମୁଣ୍ଡ ଟେକିଲା । ଟି.ଇ. ରେଭେନ୍ସା ସାହେବଙ୍କର ଓଡ଼ିଶା କମିଶନର ଭାବରେ ନିଯୁକ୍ତି ଓଡ଼ିଶା ପାଇଁ ଭଗବାନଙ୍କର ଆଶୀର୍ବାଦ କହିଲେ ଚଳେ । ଓଡ଼ିଶାର ବହୁ ଜମିଦାରୀ ଅଣଓଡ଼ିଆ ବଙ୍ଗାଳୀମାନଙ୍କ ହାତକୁ ଚାଲିଯିବାରୁ ଓଡ଼ିଶାର ଜମିଦାରୀ ଓ ସରକାରୀ କାର୍ଯ୍ୟାଳୟମାନଙ୍କରେ ସ୍ଵଳ୍ପଶିକ୍ଷିତ ବଙ୍ଗୀୟ ବ୍ୟକ୍ତିମାନେ କାର୍ଯ୍ୟରେ ନିଯୁକ୍ତି ପାଇଲେ । ସେମାନେ ଅଧିକାଂଶ ଭାବରେ ଗୌଡ଼ୀୟ ବୈଷ୍ଣବ ମତାବଲମ୍ବୀ ହୋଇଥିବାରୁ ବଙ୍ଗଭାଷାର ଜଣାଣ ଓଡ଼ିଆ ହିନ୍ଦୁ ମନପ୍ରାଣକୁ ସ୍ପର୍ଶକଲା । ଫଳରେ ବଙ୍ଗଭାଷାର ନଦୀୟା କୀର୍ତ୍ତନ ତଥା ଉଦ୍ଦଣ୍ଡ କୀର୍ତ୍ତନ ଆଡ଼କୁ ମନବଳାଇବା ସ୍ଵାଭାବିକ ।

 

ଏହା ବ୍ୟତୀତ ଓଡ଼ିଶାରେ ବ୍ରାହ୍ମଣ୍ୟଧର୍ମର ପ୍ରଭାବରେ ତତ୍‌କାଳୀନ ସମାଜ ଉବୁଟୁବୁ । ଜାତି ଭେଦ, ଅନ୍ଧବିଶ୍ଵାସ ଓ କୁସଂସ୍କାର ସମାଜକୁ କରିଥାଏ କବଳିତ । ନୀଚବର୍ଣ୍ଣର ଲୋକେ ଏହି ପରିସ୍ଥିତିରେ ସମାଜରେ ଆର୍ତ୍ତନାଦ କରୁଥାଆନ୍ତି । ସେତେବେଳେ ସମାଜରେ ପ୍ରଚଳିତ ଥିଲା ବ୍ରାହ୍ମଣମାନେହିଁ କେବଳ ନଡ଼ିଆ ଗଛ ଲଗେଇ ପାରିବେ ଅନ୍ୟଜାତିମାନେ ନୁହଁନ୍ତି । ନୀଚକୁଳ ଜନ୍ମିତ ଲୋକେ ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ । ଏଣୁ ଏହି ଲୋକେ ସମାଜରେ ପଥହରା ହୋଇ ପଡ଼ିଥିଲେ ।

 

ଏହି ସମୟରେ ଭୀମଭୋଇଙ୍କ ପରି ମହାନ୍‌ ସନ୍ଥସାଧକ ଓ ସଂସ୍କାରକଙ୍କର ଆବିର୍ଭାବ ଘଟେ ୧୮୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଅନ୍ୟତମ ସଂସ୍କୃତିପୀଠ ସୋନପୁର ରାଜ୍ୟର ଜଟାସିଂହା ଗ୍ରାମରେ । ସେ ଗୁରୁ ମହିମାସ୍ଵାମୀଙ୍କଠାରୁ ଷୋହଳ ବର୍ଷ ବୟସରେ ଦୀକ୍ଷାଗ୍ରହଣ କରି ମହିମାଧର୍ମରେ ଆଶ୍ରିତ ହେଲେ । ସେତେବେଳକୁ ସେ ସମାଜରେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲେ । ପାଳିତପିତାଙ୍କ ମୃତ୍ୟପରେ ଦ୍ୱିତୀୟ ପାଳିତ ପିତାଙ୍କର ଦୁଇଟି ପୁତ୍ରସନ୍ତାନ ଲାଭ ତାଙ୍କ ଜୀବନରେ ଦୁଃସହ ଯନ୍ତ୍ରଣା ପ୍ରଦାନ କଲା । ପାଞ୍ଚବର୍ଷ ବୟସରେ ସେ ମୂଲମଜୁରୀ ଖଟି ପେଟ ପୋଷିଲେ । ଧାନ କୁଟିଲେ । ଗାଈ ବି ଜଗିଲେ । ସମାଜକୁ ସେ ଟିକିନିଖି କରି ଦେଖିଥିଲେ । ବାଲ୍ୟକାଳରେ ତାଙ୍କଠାରେ କବିତ୍ୱ ପ୍ରକାଶ ପାଇଥିଲା । ସେ କାଙ୍କଣପଡ଼ାର ଗୌନ୍ତିଆ ଚୈତନ୍ୟ ପ୍ରଧାନଙ୍କ ଘରେ ଆଶ୍ରୟ ନେଇଥିଲେ । ନିତ୍ୟ ପ୍ରଧାନଙ୍କ ଘରେ ଭାଗବତ ମହାପୁରାଣ, ମହାଭାରତ, ରାମାୟଣ ଆଦି ଅନେକ ଶାସ୍ତ୍ର ପୁରାଣ ପାଠ ହେଉଥିଲା । ସେ ପ୍ରତ୍ୟେକ ଦିନ ପୁରାଣ ପାଠ ପାଖରେ ବସି ଶୁଣନ୍ତି । ତାର ମୁଖ୍ୟ ଅଂଶଗୁଡ଼ିକୁ ମନେରଖି ଓ ସାରବତ୍ତାକୁ ଗ୍ରହଣପୂର୍ବକ ସରଳ ଓଡ଼ିଆ ପଦ୍ୟମାନ ରଚନା କରିବାରେ ଲାଗିଲେ । ଗୁଣୁ ଗୁଣୁ ହୋଇ ନିଜେ ରଚନା କରିଥି‌ବା ପଦଗୁଡ଼ିକୁ ଆବୃତ୍ତି କରନ୍ତି । ସେଥିରେ ସେ ଅପାରଆନନ୍ଦ ପାଆନ୍ତି । ତା’ପରେ ଲୋକଗୀତ ଛନ୍ଦରେ ରସର କେଳି, ଡାଲଖାଇ, ଜାଇଫୁଲ ଇତ୍ୟାଦି ଗୀତ ରଚନାକରି ଓଡ଼ିଆ ଲୋକସାହିତ୍ୟକୁ ସମୃଦ୍ଧ କଲେ ।

 

‘‘କୃଷ୍ଣ କହନ୍ତି ଯାହାକୁ କାମଦେବ ସେହି,

କରାଉଛି କର୍ମ ଜାଣରେ ବଉଳ,

କାମ କଳ୍ପଣା ଭିଆଇ ରେ ॥

 

କିସ ମୁଁ କହିବି ତୋତେ, କରଧରି ଦୂତୀ କହୁଛି ଏତେ ଜାଇଫୁଲ ।

କୃଷ୍ଣ ଆଣିଦେବୁ ମୋତେ, ଖଞ୍ଜିଛି ତ୍ରିବେଣୀ ଯୋରା, ସେହି ନନ୍ଦ

କାହ୍ନୁ ଅଟନ୍ତି ପରା ଜାଇଫୁଲରେ ବାଙ୍କେ ପାରିଅଛି ଝୁରା ॥

 

କରୁଣା ସାଗର ହରି କମ୍ଭୁଚକ୍ର ପାଣି,

କରଧରି ରାଧିକାକୁ କହେ ଚକ୍ରପାଣି

କଦମ୍ବ ମୂଳରେ ବସି, ନାଗର କଲବଂଶୀ ଧୂନୀ

ରସ ଯା ଚାଲିଯାରେ ।

 

ଚୈତନ୍ୟ ପ୍ରଧାନଙ୍କ ଘରେ ଆଶ୍ରୟ ନେଇ କାମଧନ୍ଦା କରି ଭୀମ ପେଟ ପୋଷୁଥିଲେ । ସେ ବାଲ୍ୟ ଓ କିଶୋର ସମୟ ଅତିବାହିତ କରୁଥିବା ସମୟରେ ଦୁଃସହ ଯନ୍ତ୍ରଣା ସହ୍ୟ କରିଛନ୍ତି । ଏକଥା ସେ ସ୍ଵରଚନାରେ ଉଲ୍ଲେଖ କରିଅଛନ୍ତି ।

 

ଧନ୍ୟ ଏ ପିଣ୍ଡ ନ ହୋଇ ଖଣ୍ଡଖଣ୍ଡ ପଡ଼ିଅଛି ଯେତେ ମାଡ଼ ।

ଗାଳିଦ୍ୱନ୍ଦ୍ୱ ପଛ ଆଡ଼କୁ ପକାଇ ହୃଦ କରିଥାଇ ଦୃଢ଼ ॥

ଲୁହନାହିଁ ରକ୍ତ ବହୁଥାଇ ମୋର ଶ୍ରୀହସ୍ତେ ଦିଅଇ ପୋଛି ।

କେହି ନଜାଣନ୍ତି ଶ୍ରୀଗୁରୁ ଜାଣନ୍ତି ଯେତେକଷ୍ଟ ପାଇଅଛି ॥

 

ଭୀମଭୋଇ ଖୁବ୍‌ ଅସ୍ଥିର ଚିତ୍ତରେ ବାଲ୍ୟକାଳରେ ଅରଣ୍ୟରେ ବୁଲୁଥିଲେ । ସେହି ଭଗବଦ୍‌ ପଙ୍‌କ୍ତି ଅନୁସାରେ ନିଜ କର୍ମ ଆଦରି ନେଇଥିଲେ ।

 

‘‘କର୍ମ କଷଣ ଦେହ ସହେ । ଅରଣ୍ୟେ ଅଜଗର ପ୍ରାୟେ ॥’’

ବାଲ୍ୟକାଳରୁ ଭୀମ ଥିଲେ ଅତ୍ୟନ୍ତ ଦୁଃଖୀ । ସେ ବାଲ୍ୟକାଳରୁ ଭୋଗିଥିବା ଦୁଃଖକଷ୍ଟ ସମ୍ପର୍କରେ ଲେଖିଛନ୍ତି-

 

ତହିଁଉତ୍ତାରୁ ଦିବସ ବହିଗଲା ହୋଇଲା ବରଷ ସାତ ॥

ସପ୍ତ ବରଷରୁ ଅଷ୍ଟମ ନବମ ଦଶମ ଏଗାର ହେଲା ।

ବାର ବରଷରେ ବତ୍ସାଙ୍କ ସଙ୍ଗତେ ବୁଲିବୁଲି ଦିନଗଲା ॥

ଶୋକ ସନ୍ତାପରେ ରୋଦନ କରଇ ବୃଷା ଛାୟାତଳେ ବସି ।

ବତ୍ସାଗଲେ ଚରି ପଛେ ଅନୁସରି ବୁଲୁଥାଇ ସଙ୍ଗେ ଆସି ॥

ବୁଲୁଥାଇ ବନେ ନିତି ପ୍ରତିଦିନେ ବତ୍ସାଙ୍କୁ ସଙ୍ଗତେ ଘେନି ।

କ୍ଷୁଧାତୃଷ୍ଣା କଲେ ଜୀବନ ବିକଳେ ପିଉଥାଇ ଝରପାଣି ॥

ବାରଠାରୁ ତେର ଚଉଦ ବରଷ ବହିଗଲା ଏହି ରୂପେ ।

ମନ ଜାଣିଅଛି ଅନ୍ତର ବେଦନା ଦହିର୍ଯ୍ୟ ହୋଇ ସନ୍ତାପେ ॥

(ସ୍ତୁତିଚିନ୍ତାମଣି)

 

ଗାଈ ଚରାଇବା ସମୟରେ ଭୀମଭୋଇ ଗୋଟିଏ କୂଅରେ ପଡ଼ିଯାଇଥିଲେ । ଏହି କୂଅଟି ଥିଲା କନ୍ଧରା ଗ୍ରାମରେ । କୂଅ ମାଲିକର ନାମ ଧନୁଘାସୀ । ସେହି କୂଅରେ ପଡ଼ି ସେ ଆର୍ତ୍ତନାଦ କଲେ । ସ୍ଵରଚିତ ଭଜନ ଜଣାଣ ଗାୟନ କରି ସେ ବିଶ୍ଵପ୍ରଭୁଙ୍କୁ ପ୍ରାର୍ଥନା କଲେ । ତାଙ୍କ ଆର୍ତ୍ତକଣ୍ଠରେ ଗଗନ ପବନ ମୁଖରିତ ହେଲା । ସେହି ପଥଦେଇ ଯାଉଥିଲେ ମହିମାଧର୍ମର ମୁଖ୍ୟ ପ୍ରଚାରକ ମହିମାସ୍ଵାମୀ । ତାଙ୍କ କର୍ଣ୍ଣ ଗହ୍ୱରରେ କୋମଳ କିଶୋର କଣ୍ଠର ଆର୍ତ୍ତନାଦ ପ୍ରବେଶକରି ତାଙ୍କ ହୃଦୟପ୍ରାଣକୁ ଆଲୋଡ଼ିତ କଲା । ସେ ହସ୍ତ ପ୍ରସାରୀ ଭୀମଙ୍କୁ କୂପ ମଧ୍ୟରୁ ଉଦ୍ଧାର କଲେ । ‘‘ନିରାଶ୍ରୟୋ ମାଂ ଜଗଦୀଶ ରକ୍ଷ’’ ।

 

ଏହି ଦୁର୍ଘଟଣାର କିଛିଦିନପରେ ମହିମାସ୍ଵାମୀ ତାଙ୍କର ପ୍ରଥମ ଶିଷ୍ୟ ଗୋବିନ୍ଦ ବାବାଙ୍କୁ ସଙ୍ଗରେ ଧରି ଦିନେ ଅର୍ଦ୍ଧରାତ୍ରୀରେ ଭୀମଭୋଇଙ୍କୁ ତାଙ୍କ କାଙ୍କଣପଡ଼ା ବାସଗୃହରେ ଦର୍ଶନ ପ୍ରଦାନକରି ମହିମା ଧର୍ମରେ ଦୀକ୍ଷିତ କଲେ । ଏକଥାକୁ ଭୀମଭୋଇ ସ୍ଵରଚନାରେ ଉଲ୍ଲେଖ କରିଛନ୍ତି ।

 

“ହୋଇଛି ଦଶ ଘଡ଼ି ରାତ୍ରୀ

ବିଜୟେ ଅଣାକାର ଜ୍ୟୋତି

ପ୍ରବେଶ ଶୟନ ମନ୍ଦିରେ

ତିମିର ଫିଟିଲା ତେଜରେ

ଛିଡ଼ା ହୋଇଣ ଦିବ୍ୟଜ୍ୟୋତି

ଜାଜୁଲ୍ୟମୟ ରୂପକାନ୍ତି

ଶ୍ରବଣେ ଶୁଭିଲା ଡାକିଲେ

ଅନାଦି ପ୍ରଭୁ ଆଜ୍ଞାଦେଲେ

ବୋଇଲେ ଉଠସିରେ ବାପ

ଦେଖ ଅନାଦି ବ୍ରହ୍ମରୂପ

ଚେତି ଉଠିଲେ ତତ୍‌କ୍ଷଣ

ପାରୁଶେ ବିଜେ ଶୂନ୍ୟବ୍ରହ୍ମ

ଚକ୍ଷୁ ମେଲିଣ ଦେଲି ଚାହିଁ

ସମାନ ଗୁରୁଶିଷ୍ୟ ଦୁଇ

କଲ୍ୟାଣ ବାଞ୍ଛିଲେ ତୁରିତ

ମଥାରେ ମାରିଦେଲେ ହସ୍ତ

(ନିର୍ବୋଦ ସାଧନ)

 

ଗୁରୁ ମହିମାସ୍ଵାମୀ ଶିଷ୍ୟ ଗୋବିନ୍ଦ ବାବାଙ୍କ ସହ ଭୀମଭୋଇଙ୍କୁ ଦର୍ଶନ ପ୍ରଦାନ କରି ପ୍ରତ୍ୟାବର୍ତ୍ତନ କରିବା ସମୟରେ ଭୀମଭୋଇଙ୍କ ମୁଖରୁ ସ୍ଵତଃନିଃସୃତ ହୋଇଥିଲା ଗୁରୁବନ୍ଦନା -

 

‘‘ବନ୍ଦନା ପାଦପଦ୍ମକୁ, ଧ୍ୟାୟୀ ଗୁରୁ ପୟରକୁ

ଧ୍ୟାୟୀ ସ୍ଵାମୀ ପୟରକୁ .......... ନଖକୋଣେ ସୁରାସୁରି ମାଳ ମାଳ

ଛନ୍ତି ପୂରି, ଅନନ୍ତବାସୁକୀ ଶିରେ ବହିଛ ମକରନ୍ଦକୁ ...........”

 

ମହିମାସ୍ଵାମୀ ଅତ୍ୟନ୍ତ ମୁଗ୍ଧ ହେଲେ ଭୀମଭୋଇଙ୍କ ସ୍ଵରଚିତ ପ୍ରାର୍ଥନା/ଜଣାଣ ଶ୍ରବଣ କରି । ରାଶିରାଶି କବିତା ରଚନା କରିବା ପାଇଁ ସେ ଭୀମଙ୍କୁ ଆଶୀର୍ବାଦ କଲେ । ଏହିକବିତା ମହିମାଧର୍ମର ପ୍ରଥମ କବିତା ଭାବରେ ସ୍ୱୀକୃତ । ଭୀମଭୋଇ ନିରକ୍ଷର ଥିବାରୁ ତାଙ୍କ ରଚନାରାଜିକୁ ଲିପିବଦ୍ଧ କରିବା ପାଇଁ ମହିମାସ୍ଵାମୀ ସମ୍ବଲପୁର ଜିଲ୍ଲାର ବନ୍ଧୋର ଗ୍ରାମର ଦୁଇଜଣ ଆରଣ୍ୟକ ଗୋତ୍ରୀ ବ୍ରାହ୍ମଣ ପଣ୍ଡିତଙ୍କୁ ଭୀମଭୋଇଙ୍କ ସମୀପକୁ ପ୍ରେରଣକଲେ । ସେମାନେ ଥିଲେ ତତ୍ତ୍ୱଜ୍ଞ ଓ ବ୍ରହ୍ମଜ୍ଞ । ସେମାନଙ୍କ ନାମ ହେଲା ହରିପଣ୍ଡା ଓ ବାସୁଦେବ ପଣ୍ଡା । ଏହା ବ୍ୟତୀତ ଆଉ ଦୁଇ ଜଣ ଲେଖନକାର ମଧ୍ୟ ଭୀମ ଭୋଇଙ୍କ ସମୀପକୁ ଆସି ଅବସ୍ଥାନ କରୁଥିଲେ । ସେମାନଙ୍କର ନାମ ହେଲା ଧର୍ମାନନ୍ଦ ଦାସ ଓ ମାର୍କଣ୍ଡ ଦାସ । ଏହିପରି ଚାରିଜଣ ବିଜ୍ଞପଣ୍ଡିତ ଓ ଲେଖନକାର ଭୀମଭୋଇଙ୍କ ଗହଣରେ ରହୁଥିଲେ । ଭୀମଭୋଇ ବଣ ଜଙ୍ଗଲରେ ବୁଲି ଗାଈ ଜଗିବା କାର୍ଯ୍ୟରେ ଲିପ୍ତଥିବା ସମୟରେ ହାତରେ ଗୋଟିଏ ବଳା ଓ ବେକରେ ଗୋଟିଏ ଲାଲରଙ୍ଗର ପୋହଳାମାଳି ଧାରଣ କରୁଥିଲେ ।

 

ବାସୁଦେବ ଓ ହରିପଣ୍ଡା କଙ୍କଣପଡ଼ାକୁ ଆସିବା ପରେ ଭୀମଭୋଇ କଙ୍କଣପଡ଼ା ତ୍ୟାଗକରି ନାନା ଅଞ୍ଚଳ ଭ୍ରମଣ କରି ପୁନରାୟ ଗ୍ରାମପଥ ଦେଇ ସୋନପୁର ଗଡ଼ଜାତ ରାଜ୍ୟରେ ଆସି ପହଞ୍ଚିଲେ । ଏଠାରେ ରାଜସରକାରଙ୍କର ଅନୁକମ୍ପା ଲାଭ କରି ମହିମାଧର୍ମ ପ୍ରଚାର କାର୍ଯ୍ୟରେ ମନବଳାଇଥିଲେ । ରାଶିରାଶି ଭଜନ, ଜଣାଣ, ପ୍ରାର୍ଥନା, ଚଉତିଶା, ଚଉପଦୀ ଆଦି ରଚନାକରି ମହିମାଧର୍ମର ସାହିତ୍ୟକୁ ଋଦ୍ଧିମନ୍ତ କରି ଗଢ଼ିତୋଳିଲେ । ଜାତିଭେଦ ବିରୁଦ୍ଧରେ ସେ ପ୍ରଥମେ ଆହ୍ୱାନ ଦେଇ କହିଥିଲେ ।

 

      ଜାତି ଖୋଜିଲେ ମୁକ୍ତି ନାହିଁ ।

ମୁକ୍ତି ଖୋଜିଲେ ଜାତି ନାହିଁ ।।

      ଏକ ଶୂନ୍ୟବ୍ରହ୍ମଙ୍କ ଠାରେ ଶରଣ ପଶ

      ରୂପନାମରେ ମୁକ୍ତି ନାହିଁ ।

      କାମନାହିଁ ମୁକ୍ତିର ପ୍ରତିବନ୍ଧକ ।

      ଅଲେଖ ଏକାକ୍ଷର ହିଁ ବ୍ରହ୍ମ ନାମ ॥

 

ସ୍ୱରଚନା ମାଧ୍ୟମରେ ସେ ସଂସ୍କାରର ପଥ ଉନ୍ମୋଚନ କଲେ । ଜାତିଭେଦ, ଅନ୍ଧବିଶ୍ଵାସ, କୁସଂସ୍କାର, ପ୍ରତିମାପୂଜା ଓ ବ୍ରାହ୍ମଣ୍ୟଧର୍ମର ପ୍ରଭାବ ଠାରୁ ଲୋକମାନଙ୍କୁ ଦୂରେଇ, ଦେଇ ସମାଜର ତଥା କଥିତ ନୀଚବର୍ଣ୍ଣର ଲୋକମାନଙ୍କୁ ମହିମାଧର୍ମରେ ଗ୍ରହଣ କରିନେଲେ । ଜାତିଭେଦ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ସେ ମୁକ୍ତ କଣ୍ଠରେ ଗାଇବାରେ ଲାଗିଲେ ।

 

‘‘ଛତିଶକୁଳୀ ଯେ ବାଉନ ପାଟକ ଯେ ଅଛ ସ୍ତିରୀପୁରୁଷ

ଉଚ୍ଚ-ନୀଚ ବୋଲି ବାରଣ ନକରି ନାମରେ ଶରଣ ପଶ ॥

(ସ୍ତୁତି ଚିନ୍ତାମଣି)

 

ଭକତ ମୋହର ଜୀବନ

ଆମ୍ଭେ ନକରୁ ଭିନ୍ନା ଭିନ୍ନ

ଦୁହଁକ ଜାଣ ଏକ ପ୍ରାଣ

ଭକ୍ତରେ ନକରିବା ରଣ

ହାଡ଼ି ଚଣ୍ଡାଳ ପଛେ ହେଉ

ମୋହର ନାମ ଭଜୁଥାଉ

ତା’ର ହୃଦରେ ମୋର ବାସ

କରଇ ଜ୍ଞାନ ପରକାଶ

(ନିର୍ବେଦ ସାଧନ)

 

ଭୀମଭୋଇ ଭବିଷ୍ୟବାଣୀ ଶୁଣାଇ କହିଛନ୍ତି ଯେ ସମୟ ଆସିବ ଜାତିଭେଦ ଲୋପ ପାଇଯିବ । ଆମେ ଜାତିକୁ ନେଇ ଯେପରି ଉଚ୍ଚନୀଚ ଭେଦଭାବରଖି ମନରେ ଗର୍ବ ଅହଂକାର କରୁଛେ, ସେସବୁ ଗର୍ବ ଅହଂକାର ଚୂରମାର ହୋଇଯିବ । ସମସ୍ତେ ଏକପତ୍ରରେ ଅର୍ଥାତ୍‌ ଏକତ୍ର ସ୍ଥାନରେ ବସି ଭୋଜନ କରିବେ ।

 

ବଂଶ ବୁଡ଼ା ହୋଇ ସର୍ବେ ସରିଯିବେ ତାଟିବାଟି ଦିଆହୋଇ ।

ପାକକ ରନ୍ଧାରେ ସମସ୍ତେ ଭୂଞ୍ଜିବେ ଏକାନ୍ତ ପରାଣ ହୋଇ ॥

ତେତେବେଳେ ଜାତିଗୋତ୍ର ରଖିଥିବ କେଉଁ ରାଣ୍ତ ପୁଅଝିଅ ।

କର୍ମର ଆଚାର ବାଚ୍ଛନ୍ଦ ବିଚାର ବୁଝିବା ଯେ ରହରହ ॥

(ସ୍ତୁତି ଚିନ୍ତାମଣି)

ବାଉନ ପାଟକଜାତି ସର୍ବେ ଏକପତ୍ରରେ ସେ ଭୁଞ୍ଜିବେ ॥

(ନିର୍ବେଦ ସାଧନ)

× × × × × × × × × × × × × × × ×

 

ସଂସାରରେ ଜାତି ବୋଇଲେ କିଛି ନାହିଁ । ସ୍ତ୍ରୀ ଓ ପୁରୁଷ ଦୁଇଟିଜାତି ବୋଲି ସେ ଦୃଢ଼ ମତପୋଷଣ କରି କହିଛନ୍ତି ଯେ-

 

ଛତିଶ କୁଳ ଯେ ବାହାନ ପାଟକ ଜାତି ଗୋଲାନାହିଁ ଯାଏ ।

ପାଣି ଅନ୍ତର ପାଟକ ସିନା ଏହୁ ସୁପଣ୍ତିତ କର ନ୍ୟାଏ ॥

ସ୍ତିରୀ-ପୁରୁଷ ଦୁହିଁଙ୍କୁ ଗଢ଼ି ଅଛି ଯୋଡ଼ିଏ ସ୍ୱରୂପ ଦେଖ ।

ଦ୍ୱିତୀୟ ଜାତିରୁ ତିନିଜାତି ନାହିଁ ସୁଜନେ କର ବିବେକ ॥

 

ସେ ଦୃଢ଼ କଣ୍ଠରେ ଗାଇଛନ୍ତି, ‘ମହିମାଧର୍ମରେ ହିଂସାର ସ୍ଥାନ ନାହିଁ । ମହିମା ଧର୍ମ ଅଣହିଂସା ଧର୍ମ ଭାବରେ ଖ୍ୟାତ -

ଅଣହିଂସା ଧର୍ମ ଏହି; ଡାକି କହୁଛି ବୁଝାଇ ॥

 

ସୃଷ୍ଟି କର୍ତ୍ତା ପରଂବ୍ରହ୍ମ ସବୁଠାରେ ବିଦ୍ୟମାନ । ସେ କେବଳ ମଠମନ୍ଦିର ଭିତରେ ରହି ନାହାଁନ୍ତି । ତାଙ୍କର ସ୍ଥିତି ସବୁଠାରେ ପରିଲକ୍ଷିତ । ସେ ସର୍ବ ଶକ୍ତିମାନ୍‌ ! ଏହି ସର୍ବତ୍ର ବିଦ୍ୟମାନ, ସର୍ବବ୍ୟାପୀ ନିରାକାର ପରଂବ୍ରହ୍ମଙ୍କୁ ଉପାସନା କରିବାର ଅଧିକାର ସମସ୍ତଙ୍କର ଅଛି ।

 

ସ୍ଥାବରୁ ଜଙ୍ଗମ କୀଟରୁ ପର୍ଯ୍ୟନ୍ତ ଚାହିଁଦେଲେ ଅନୁସରି ।

ସକଳଘଟରେ ପୂରି ସମାନରେ ନୋହେ ସାନବଡ଼ କରି ॥

(ସ୍ତୁତି ଚିନ୍ତାମଣି)

 

ଏଣୁ ସେ ଜଗତବାସୀଙ୍କୁ ନିଷ୍କାମ ଭକ୍ତିରେ ମିଶିଯିବା ପାଇଁ ଆହ୍ୱାନକରି ଦୃଢ଼ କଣ୍ଠରେ ଗାଇ ଉଠିଛନ୍ତି-

 

କର ନିଷ୍କାମ ଭକ୍ତି ସୂଚିରେ ଗୋ, ଦେହଧାରୀ ଯେତେ ଅଛ ଜଗତେ ଗୋ .... (ଭଜନ)

 

ସୃଷ୍ଟିକର୍ତ୍ତା ପରଂବ୍ରହ୍ମ ସମସ୍ତଙ୍କର; ସବୁଜାତିର, ସବୁବର୍ଣ୍ଣର ସମସ୍ତ କର୍ମରେ ଲିପ୍ତଥିବା ମନୁଷ୍ୟମାନଙ୍କର । ଯେଉଁ ବ୍ୟକ୍ତି ଯେକୌଣସି କର୍ମରେ ଲିପ୍ତ ଥାଉନା କାହିଁକି ଭଗବାନଙ୍କ ଉପାସନା କରିବା ପାଇଁ ତା’ର ସମସ୍ତ ଅଧିକାର ରହିଛି ।

 

ବ୍ରାହ୍ମଣ୍ୟ ଧର୍ମର ପ୍ରଭାବରେ ପ୍ରଚଳିତ ସମାଜରେ ମୂର୍ତ୍ତି, ପ୍ରତିମା ପୂଜା ଆଦି କୁସଂସ୍କାର ଓ ଅନ୍ଧବିଶ୍ଵାସ ବିରୁଦ୍ଧରେ ସ୍ୱର ଉତ୍ତୋଳନକରି ଭୀମଭୋଇ ଦୃଢ଼ଚିତ୍ତରେ ଗାଇଛନ୍ତି -

 

‘‘ଅଚେତରେ ସିନା ଜନପାଣୀମାନେ କରୁଛନ୍ତି ଦେବପୂଜା ।

ପାଦେପଡ଼ି ରକ୍ଷାକର ବୋଲୁଛନ୍ତି ଦେବୁ କ୍ଷୀରୀ ପୁରି ଖଜା ॥

ମୂର୍ତ୍ତିସିନା ସେହି ଜୀବଆତ୍ମା ନାହିଁ କାହୁଁ ଯାଚିଦେବ ବର ।

ବିଷ୍ଣୁ ନଟକୂଟ ମାୟାକୁ ନଜାଣି ଅଜ୍ଞାନରେ ମୂଢ଼ନର ॥

ମନୁଷ୍ୟ ହୋଇ ନିର୍ଜିବ ସଙ୍ଗେ ଭାବ ଦେଖଟି କେଡ଼େ ଅଜ୍ଞାନ ।

ଶୂନ୍ୟରୁ ଯେହୁ ପିଣ୍ଡପ୍ରାଣ ଗଢ଼ିଲା ନାହଁ ତାକୁ ଅନୁମାନ ॥

ଦେବଦେବୀ ଆଦି ଔଷଧ ମୌଷଧି ମନ୍ତ୍ର ଯନ୍ତ୍ର ଜପ ଯେତେ ।

ସକଳ କରଣୀ ସରିଆସିଲାଣି ନେତ୍ରେ ଦେଖନ୍ତୁ ସାକ୍ଷାତେ ॥

(ସ୍ତୁତି ଚିନ୍ତାମଣି)

 

ଶ୍ରୀଜଗନ୍ନାଥଙ୍କର ବଡ଼ଦେଉଳରେ ଅବସ୍ଥାନ ସମ୍ପର୍କରେ ଭୀମଭୋଇ କହନ୍ତି –

 

ସେଯେବେ ଜଗନ୍ନାଥ ହେନ୍ତା, ଠାବକେ କିମ୍ବାଇ ରହନ୍ତା ।

ଜଗତଯାକ ସମଚିତ୍ତ ତେଣୁ କହନ୍ତି ଜଗନ୍ନାଥ ॥

 

ଶେଷରେ ଭୀମଭୋଇ ଜଗତଜନଙ୍କୁ ଜଣାଇ ଦେଇଅଛନ୍ତି ଯେ ଭାରତବର୍ଷରେ ଯେଉଁସବୁ ତୀର୍ଥକ୍ଷେତ୍ର ରହିଛି କୌଣସି ସ୍ଥାନରେ ଆଉ ଧର୍ମ ନାହିଁ । କର୍ମମୟ ଜୀବନରେ ଅନବରତ ଖଟିଖଟି ଟିକିଏ ଆନନ୍ଦ ଓ ଅବସର ପାଇବା ଆଶାରେ ଧର୍ମପ୍ରାଣ ମଣିଷ ଭଗବାନଙ୍କ ନାମସ୍ମରଣ ଓ ରୂପ ଦର୍ଶନ ପାଇଁ ଆଗ୍ରହ ପ୍ରକାଶ କରି ଧର୍ମ ଓ ତୀର୍ଥ କ୍ଷେତ୍ରମାନଙ୍କରେ ଉପସ୍ଥିତ ହୁଏ । ହେଲେ ସେ ଧର୍ମନାମରେ ସେଠାରେ ଶୋଷିତ ହୁଏ । ଏହି ତୀର୍ଥସ୍ଥାନଗୁଡ଼ିକ ଠକ, ଭଣ୍ଡ, ଅନ୍ଧବିଶ୍ଵାସୀ, କୁସଂସ୍କାରୀମାନଙ୍କ ଆଡ଼ାସ୍ଥଳୀରେ ବର୍ତ୍ତମାନ ପରିଣତ ହୋଇଛି । ଏଣୁ ଭୀମଭୋଇଙ୍କ ଭାଷାରେ ମହିମାଧର୍ମ ଜଗତଜନଙ୍କୁ ଉପଦେଶ ଦେଇ କହେ, ବ୍ରହ୍ମ ସର୍ବତ୍ର ବିଦ୍ୟମାନ । ତାଙ୍କର ଉପାସନା ପ୍ରତ୍ୟେକ ସ୍ଥାନରେ ପ୍ରତ୍ୟେକ ସମୟରେ ଅନୁଷ୍ଠିତ ହେବାରେ କୌଣସି ବାଧା ବା ପ୍ରତିବନ୍ଧକ ନାହିଁ । ଏଣୁ ତୀର୍ଥକ୍ଷେତ୍ରକୁ ନଯିବା ପାଇଁ ସେ ଧର୍ମପ୍ରାଣ ଜନତାକୁ ଆହ୍ୱାନ ଦେଇଛନ୍ତି -

 

ପୁନରାୟ ଦଶମୀ ଓ ଏକାଦଶୀ ଆଦି ବ୍ରତପାଳନ ଅମୂଳକ ବୋଲି ସେ ପ୍ରକାଶ କରିଛନ୍ତି-। ପ୍ରାଣୀମାନେ ମାୟା ମୋହରେ ପଡ଼ି ବ୍ରତ ଆଦି ପାଳନପୂର୍ବକ ଉପାସ କରି ଆତ୍ମାକୁ କଷ୍ଟ ପ୍ରଦାନ କରୁଛନ୍ତି । ଭୀମଭୋଇ ଏସବୁରେ ବିରୋଧ କରି ଗାଇଛନ୍ତି -

 

‘‘ତୀର୍ଥ, ବ୍ରତ ଯଜ୍ଞ ହୋମ ନଲାଗଇ କ୍ରିୟାକର୍ମଆଦି ଛାଡ଼ି ।

ସକଳଜୀବ ମାୟାରେ ପଡ଼ିଛନ୍ତି ଆପଣ ମୋହେ ନପଡ଼ି ॥

ଦଶମୀ ଏକାଦଶୀ ବ୍ରତ ନପାଇ ନୁହଁଇ ତାହାର କର୍ମ ।

ବ୍ରହ୍ମକୁ ଭେଟିବୁ ବୋଲି ପ୍ରାଣୀମାନେ କରୁଛନ୍ତି ଦାନଧର୍ମ ॥

(ସ୍ତୁତି ଟିନ୍ତାମଣି)

 

ତତ୍‌କାଳୀନ ସମାଜରେ ଯେଉଁ ନାରୀକୁ ସତୀଦାହ ପ୍ରଥା ଭଳି କୁସଂସ୍କାରର ଶୀକାର ହୋଇ ଆର୍ତ୍ତଚିତ୍କାର କରି ପ୍ରାଣ ବିସର୍ଜନ କରିବାକୁ ପଡ଼ୁଥିଲା, ସେହି ନାରୀକୁ ଭୀମଭୋଇ ମହିମାଧର୍ମ ଜରିଆରେ ସମାଜରେ ସମାନସ୍ଥାନ ପ୍ରଦାନ କରିଛନ୍ତି । ନାରୀର ମାନସମ୍ମାନ ସମାଜରେ ଚିରକାଳ ଅତୁଟ ରହିବା ପାଇଁ ସେ ସମାଜର ସବୁଶ୍ରେଣୀର ଲୋକଙ୍କୁ ସଚେତନ କରି ଯାଇଛନ୍ତି -

 

‘‘ଯେସନେ ଜଳପବନର ଭେଦ ନାହିଁ ।

ପୁରୁଷ ଯେତିକି ଯିବ ନାରୀ ଯିବ ତହିଁ ॥

ଯେସନେ ମାଟି ପଥର ସର୍ଜିଲା ଦଇବ ।

ଏମାନଙ୍କୁ ଭିନ୍ନାଭିନ୍ନ କରିକେ କହିବ ?

ଯେସନେକ କ୍ଷୁଧା ତୃଷ୍ଣାଛନ୍ତି ବେନିମୂର୍ତ୍ତି ।

ଏକ ପାଖୁଡ଼ା ଗୋଟିକେ ହୃଦେ ଫଳିଛନ୍ତି ॥

ସେହି ରୂପେ ପତିପତ୍ନୀ ଏକ ବ୍ରହ୍ମେ ଜାତ ।

ଭିନ୍ନାଭିନ୍ନ ଯେ କରିବ କୁଳଯିବ ହତ ॥

ବ୍ରହ୍ମ ଭଗତିରେ ଆଉ ଭେଦା ନାହିଁ ।

ଯେ ଭେଦ କରିଲେ କୁମ୍ଭୀନର୍କରେ ପଡ଼ଇ ॥

ଗୁରୁ ଦୁଆରକୁ ସର୍ବେ ଅଟନ୍ତି ସମାନ ।

ସ୍ତିରୀ ବା ପୁରୁଷ ତହିଁ ନାହଁ ବଡ଼ ସାନ ॥

(ବ୍ରହ୍ମନିରୂପଣ ଗୀତା)

 

ଗୃହସ୍ଥ ଭାବରେ କାଳାତିପାତ କରି ସ୍ୱାମୀସ୍ତ୍ରୀଙ୍କର କର୍ତ୍ତବ୍ୟ ସମ୍ପର୍କରେ ଭୀମଭୋଇ ତାଙ୍କ ଲେଖାମାଧ୍ୟମରେ ସମାଜକୁ ଉପଦେଶ ଦେଇଛନ୍ତି ।

 

ସ୍ତ୍ରୀ-ପୁରୁଷ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ସମ୍ପର୍କରେ ଭୀମଭୋଇ ଦେଇଥିବା ଉପଦେଶ ତତ୍‌କାଳୀନ ସତୀଦାହ ପ୍ରଥା ବିରୁଦ୍ଧରେ ଯେଭଳି ସ୍ଵରଉତ୍ତୋଳନ କରିଥିଲା ବର୍ତ୍ତମାନ କାଳରେ ଯୌତୁକଜନିତ ବଧୂ ନିର୍ଯ୍ୟାତନା ସମୟରେ ତତ୍ତୋଽଧିକ ସହାୟକ ବୋଲି ବିଶ୍ଵାସ କରାଯାଏ । ପୁଣି ଭୀମଭୋଇ ସ୍ତ୍ରୀପୁରୁଷଙ୍କ ସମାନତା ସମ୍ପର୍କରେ କହିଯାଇଛନ୍ତି -

 

କି ଅବା ସ୍ତିରୀ ହେ କିଅବା ପୁରୁଷ ସର୍ବଜନ ଏକାକାର ।

ପାତକ ପୁଣ୍ୟ ଆପଣା ମହତ୍ତ୍ୱକୁ କାହାରି ନାହିଁ ବିଚାର ॥

(ସ୍ତୁତି ଚିନ୍ତାମଣି)

 

ସଂସ୍କୃତିସୁରକ୍ଷାରେ ଭୀମଭୋଇଙ୍କ ଭୂମିକା :

ବଙ୍ଗୀୟ କର୍ମଚାରୀମାନେ ଓଡ଼ିଶାରେ ପ୍ରବେଶ କରି ବଙ୍ଗଭାଷାରେ ରଚିତ ଉଦ୍ଦଣ୍ଡ ନଦୀୟା କୀର୍ତ୍ତନ ଗାୟନକରି ଓଡ଼ିଆ ହିନ୍ଦୁଜନତାର ମନପ୍ରାଣକୁ ସ୍ପର୍ଷ କରିଥିଲେ । ଫଳରେ ଭୀମଭୋଇ ଖଣ୍ଡିତ ବଙ୍ଗଳା ଭାଷାରେ ଓଡ଼ିଆ ଅକ୍ଷରରେ ‘ମହିମା ବିନୋଦ’ ନାମରେ ଗୋଟିଏ ମହିମାଧର୍ମ ପୁସ୍ତକ ରଚନା କଲେ । ଏଥିରେ ମହିମାଧର୍ମର ପ୍ରାଣପ୍ରତିଷ୍ଠାତା ମହିମାସ୍ଵାମୀଙ୍କର ଲୀଳା ଓ ଗୁଣ ବର୍ଣ୍ଣନା କରାଯାଇଛି । ଏହାର ତାଳମାନ ସବୁ ଉଦ୍ଦଣ୍ଡ ନଦୀୟା କୀର୍ତ୍ତନ ଠାରୁ କୌଣସିମତେ ଊଣା ନୁହେଁ । ଏହାମଧ୍ୟ ମହିମାଧର୍ମାବଲମ୍ବୀମାନଙ୍କ ଦ୍ୱାରା ବେଶ୍‌ ଆଦୃତ ଲାଭକଲା -

 

ଅର୍ଣ୍ଣପୂର୍ଣ୍ଣା ମାତାଙ୍କ ଆବିର୍ଭାବ ସମ୍ପର୍କରେ ସେ ପୁଣି ମହିମା‘ବିନୋଦ’ରେ ସେହି ଖଣ୍ଡିତ ବଙ୍ଗଳାଭାଷାରେ ଲେଖିଛନ୍ତି –

 

ଯୁଗେର ସଂଖ୍ୟାତେଜାନି ଅର୍ଣ୍ଣପୂର୍ଣ୍ଣାମାତ ।

ଜମ୍ବୁଦୀପେ ପୂର୍ବଭାଗେ ହୟାଚ୍ଛିଲ ଜାତ ॥

ପରମ ବୈଷ୍ଣବୀ ଅବଧୁତେନି ମୂରତି ।

ଅତିଥି ବେଶରେ ଫେରିଥିଲେ ନବକ୍ଷିତି ହେ ॥

କିଛିଦିନେ ବୁଦ୍ଧରୂପ ଶୂନ୍ୟ ହୟାଗେଲେ ।

ଅନନ୍ତ ଗର୍ଭରେ ପ୍ରଭୁ ଗୋପ୍ୟାନ ରହଲ ହେ ॥

 

ଏହିପରି ଭାବରେ ସନ୍ଥକବି ଭୀମଭୋଇଙ୍କ ଦ୍ୱାରା ସମାଜରେ ସଂସ୍କାର ଆନୟନ ହୋଇଛି । ସେ ଯାହା କହୁଥିଲେ, ଯାହା ଲେଖୁଥିଲେ ସେସବୁକୁ ନିଜେ ଅକ୍ଷରେ ଅକ୍ଷରେ ପାଳନ କରି ଜାତି, ବର୍ଣ୍ଣ ଲିଙ୍ଗ ନିର୍ବିଶେଷରେ ଏକତ୍ର ବସି ଶୂନ୍ୟ ମହିମାମୟ ଅଲେଖ ପୁରୁଷଙ୍କର ଉପାସନା କରୁଥିଲେ । ଭୋଜିଭାତର ଆୟୋଜନ କରି ଏକତ୍ର ସମସ୍ତଙ୍କ ସାଙ୍ଗରେ ବସିଖାଉଥିଲେ ଓ ଖୁଆଉଥିଲେ । ଫଳରେ ହଜାର ହଜାର ସଂଖ୍ୟାରେ ତାଙ୍କର ଶିଷ୍ୟମାନେ ବାହାରି ଥିଲେ । ୧୮୭୬ ମସିହାରେ ଢେଙ୍କାନାଳର ଯୋରନ୍ଦାଠାରେ ଗୁରୁ ମହିମାସ୍ଵାମୀଙ୍କର ମହାପ୍ରୟାଣ ଘଟିବାରୁ ସେ ମହିମା ଧର୍ମର ପ୍ରଚାରକରି ପଶ୍ଚିମ ଓଡ଼ିଶା ତଥା ମଧ୍ୟପ୍ରଦେଶ ଅଞ୍ଚଳକୁ ପ୍ରସାରିତ କରିନେଇଥିଲେ । ଓଡ଼ିଶାର ପଡ଼ୋଶୀରାଜ୍ୟ ମଧ୍ୟପ୍ରଦେଶର ରାୟଗଡ଼, ବସ୍ତର, ଛତିଶଗଡ଼ ଆଦି ଅଞ୍ଚଳରେ ମହିମାଧର୍ମର ଭକ୍ତମାନଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧିପାଇବାରେ ଲାଗିଲା । ଲୋକେ ଭୀମଭୋଇଙ୍କ ପ୍ରଚାରିତ ଏହି ଧର୍ମକୁ ‘କୁମ୍ବୁଚିଆ’ ଧର୍ମଭାବରେ ଆଖ୍ୟାୟିତ କଲେ । ବସ୍ତର ଅଞ୍ଚଳରେ କୁମ୍ବଚିଆଧର୍ମୀମାନେ ମା’ ଅର୍ଣ୍ଣପୂର୍ଣ୍ଣା ତଥା ଭୀମଭୋଇଙ୍କୁ ବିଶେଷ ପୂଜା ଆରାଧନା କରନ୍ତି । ଭୀମଭୋଇଙ୍କ ରଚନାର ବିଶେଷ ପଦମାନକୁ ସେମାନେ ଗାୟନ କରନ୍ତି -

 

‘‘ଚାରିଯୁଗେ କବି ଲେଖି ନପାରିଲେ ।

ଅଲେଖ ବୋଲିଣ ନାମ ତହୁଁ ଦେଲେ ॥’’

 

ଭୀମଭୋଇଙ୍କ ପ୍ରଚାରିତ ମହିମାଧର୍ମ ଗଣଧର୍ମଭାବରେ ବିବେଚିତ ହେଲା । ଭୀମଭୋଇ ଶ୍ରେଣୀହୀନ ସମାଜଗଠନରେ ପ୍ରୟାସୀ ହେଲେ । କେତେକ ହରିଜନ ଲୋକମାନଙ୍କର ସଂଜ୍ଞା ପରିବର୍ତ୍ତନ କରି ସେମାନଙ୍କୁ ‘ଶାସେନୀ’ ସଂଜ୍ଞା ପ୍ରଦାନ କଲେ । ଏବେ ସେହି ସଂଜ୍ଞାଧାରୀ ଲୋକେ ପଶ୍ଚିମ ଓଡ଼ିଶାରେ ବିଶେଷ ଭାବରେ ଦୃଷ୍ଟିଗୋଚର ହୁଅନ୍ତି ।

 

ଭୀମଭୋଇଙ୍କର ପ୍ରଭାବ ଓ ବ୍ୟକ୍ତିତ୍ୱ ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହେବାରୁ ଲୋକେ ତାଙ୍କୁ ହାସ୍ୟକଲେ । କେତେକ ମାଡ଼ଗାଳି ଦେଲେ । କେତେକ ଭୀମଭୋଇଙ୍କୁ ନାନା ଭାବରେ ଅପମାନିତ କଲେ, ହେଲେ ଭୀମଭୋଇ ସେସବୁକୁ ଭୃକ୍ଷେପ ନକରି ମହିମାଧର୍ମର ବ୍ୟାପକ ପ୍ରଚାର ନିମନ୍ତେ ମନପ୍ରାଣ ଢାଳିଦେଲେ । ତଥାପି ଏହି କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କ ଦ୍ୱାରା ବାରମ୍ବାର ନିର୍ଯ୍ୟାତିତ ହେବାରୁ ସେ ଗୁରୁ ମହିମାସ୍ଵାମୀଙ୍କୁ ସ୍ଵରଚନାରେ ନିଜର ଦୁଃଖ ଜଣାଇ ପ୍ରାର୍ଥନାକରି ଗାଇଛନ୍ତି -

 

ଜଣାଇଲି ଯେତେ ତୁମ୍ଭ ପାଦଗତେ ବୋଇଲେ ମୋତେ ବୁଝିବା ।

ମହିମା ମହିମା ବୋଲିବାକୁ ସ୍ୱାମୀ ଭାଙ୍ଗୁଛ ମୋର ଗାରିମା ॥

କିରସ୍ତାନ ବୋଲି ଦେଉଛନ୍ତିଗାଳି ନିନ୍ଦା କରୁଛନ୍ତି ଲୋକ ।

ଅଲେଖ ଅଲେଖ ବୋଲିବାକୁ ସ୍ଵାମୀ ଦେଉଛ ଦୁର୍ଦ୍ଦଣ୍ଡ ଦୁଃଖ ॥

ବସନ ପରାଏ ଘୋଡ଼ାଇଛି କାଏ କଳଙ୍କ ପାପ ବକଳ ।

ସତ୍ୟଧର୍ମ ସତ୍ୟଧର୍ମ ବୋଲିବାକୁ ନିନ୍ଦୁଅଛନ୍ତି ସକଳ ॥

 

କେତେକ ମୁଷ୍ଟିମେୟ ଲୋକ ଭୀମଭୋଇଙ୍କ ଧର୍ମ ପ୍ରଚାରକୁ ଘୋର ବିରୋଧକରି ତାଙ୍କୁ ଗାଁ ଗଣ୍ଡାରେ ପ୍ରବେଶ କରାଇ ନଦେଇ ନାନା ଅସୁବିଧା ସୃଷ୍ଟି କରିବାରୁ ଭୀମଭୋଇ ବିପ୍ଲବୀ ହୋଇ ଉଠିଥିଲେ ଏହା ତାଙ୍କ ରଚନାରାଶିରୁ ସ୍ପଷ୍ଟ ପ୍ରମାଣ ମିଳେ ।

 

ସଂସାରରେ ଦୁଃଖଶୋକ ଭୋଗୁଥିବା ତଥା ଅତ୍ୟାଚାରିତ ଓ ନିଷ୍ପେସିତ ହେଉଥିବା ଜନତାର ଆତୁର-କାତର, ଶୋଷଣ-କଷଣକୁ ଭୀମଭୋଇ ସହ୍ୟ କରିପାରି ନାହାଁନ୍ତି । ସେ ଜଗତର ମଙ୍ଗଳ ନିମନ୍ତେ ନିଜ ଜୀବନକୁ ବିଶ୍ଵସ୍ରଷ୍ଟାଙ୍କ ପାଖରେ ସମର୍ପଣ କରି ଆତ୍ମଖୋଲି ଗାଇଛନ୍ତି -

 

ଏ ପିଣ୍ଡ ବ୍ରହ୍ମାଣ୍ଡ ଅହ୍ମଣିଆକରି ବ୍ରହ୍ମକୁ ଦେଇଛି ଟେକି ।

ଏକଛତ୍ର ପାଦେ ଘୋଡ଼ାଇ ସମ୍ଭାଳ ଅମୃତ ଲୋଚନ ଦେଖି ॥

 

ପରିଶେଷରେ ସେ ଅନ୍ୟକୌଣସି ଉପାୟ ନପାଇ ନିଜ ଜୀବନକୁ ନରକକୁ ନିକ୍ଷେପ କରି ବିଶ୍ଵମାନବକୁ ବେଦନାମୁକ୍ତ କରିବା ନିମନ୍ତେ ବିଶ୍ଵସ୍ରଷ୍ଟା ଅଲେଖ ମହିମାଙ୍କ ପାଖରେ ସେ ହୋଇଥିଲେ ପ୍ରତିଜ୍ଞାବଦ୍ଧ । ତାଙ୍କ ମୁଖରୁ ସ୍ଵତଃ ନିଃସୃତ ହେଲା -

 

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେ’ବା ସହୁ ।

ମୋ ଜୀବନପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ॥

ଭୀମଭୋଇଙ୍କର ଏହିବାଣୀ ଆଜି ସମଗ୍ର ବିଶ୍ଵପ୍ରାଣରେ ଉଦ୍‌ଘୋଷିତ ।

 

ଭୀମଭୋଇ ଓ ଶ୍ରୀଜଗନ୍ନାଥ :

ଲୋକମୁଖରେ ପ୍ରଚଳିତ ଅଛି, ଅଲେଖ ବା ମହିମା ଧର୍ମାବଲମ୍ବୀମାନେ ଶ୍ରୀଜଗନ୍ନାଥଙ୍କର ବିରୋଧି ଥିଲେ । ଏଣୁ ସେମାନେ ଏଇ କେତେବର୍ଷତଳେ ଏହି ମହିମା ଧର୍ମାବଲମ୍ବୀମାନେ ପୁରୀଶ୍ରୀକ୍ଷେତ୍ରକୁ ଯାଇ ଶ୍ରୀଜଗନ୍ନାଥଙ୍କ ପ୍ରତିମାକୁ ଧ୍ୱଂସ କରିଦେବାପାଇଁ ବସିଥିଲେ । ଯେହେତୁ ମହିମା-ଧର୍ମାବଲମ୍ବୀମାନେ ପ୍ରତିମାପୂଜାର ଘୋର ବିରୋଧୀ, ଦେବଦେବୀଙ୍କ ପ୍ରସାଦ ସେବନର ବିରୋଧୀ, ତଥା ପୁରୀମନ୍ଦିର ମହାପ୍ରସାଦର ପ୍ରବଳ ବିରୋଧୀ ଏଣୁ ଲୋକେ ଏହି କଥା ଭାବିବା ସ୍ୱାଭାବିକ । କିନ୍ତୁ ତତ୍କାଳୀନ ସରକାରୀ ରେକର୍ଡପତ୍ର ସମ୍ବାଦପତ୍ରରେ ପରିବେଷିତ ତଥ୍ୟକୁ ଅନୁଧ୍ୟାନ କଲେ ଏହାର ସତ୍ୟାସତ୍ୟ ଜଣାଯିବ ।

 

ପ୍ରକୃତରେ ପୁରୀଜଗନ୍ନାଥ ମନ୍ଦିର ଆକ୍ରମଣ କରିଥିଲେ କେତେକ ଧର୍ମଦ୍ୱେଷୀ । କିନ୍ତୁ ଓଡ଼ିଶାର ମହିମାଧର୍ମାବଲମ୍ବୀ ବା ଭୀମଭୋଇଙ୍କ ନେତୃତ୍ୱରେ ନୁହେଁ । ଏହି ଦୁର୍ଘଟଣା ସମ୍ପର୍କରେ ତତ୍‌କାଳୀନ ଓଡ଼ିଆ ସମ୍ବାଦପତ୍ରରେ ଦୁଇଟି ସମ୍ବାଦ ଯଥାକ୍ରମେ ୧୩,୩.୧୮୮୧ ଓ ୨୬.୩.୧୮୮୧ ରେ ପ୍ରକାଶ ପାଇଥିଲା । ସେଥିରେ ପ୍ରକାଶ ପାଇଥିଲା ଯେ, ୧୮୮୧ ମସିହା ମାର୍ଚ୍ଚମାସ ୧ ତାରିଖ ମଙ୍ଗଳବାର ଷୋହଳ ଜଣ ସ୍ତ୍ରୀପୁରୁଷ ଉଲଗ୍ନ ଅବସ୍ଥାରେ ଭାତହାଣ୍ଡି ଧରି ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିବାକୁ ଉଦ୍ୟତ ହୋଇଥିଲେ । ସେମାନେ ମଦ୍ୟପାନ କରିଥିବାର ଜଣାଯାଉଥିଲା । ମନ୍ଦିର ଆରକ୍ଷୀ ଓ ସେମାନଙ୍କ ମଧ୍ୟରେ ଟଣାଓଟରା ବା ଧସ୍ତାଧସ୍ତି ହେବାରୁ ତଥା ମନ୍ଦିର ରକ୍ଷୀମାନେ ସେମାନଙ୍କୁ ମନ୍ଦିରରେ ପ୍ରବେଶ କରିବାପାଇଁ ପ୍ରତିରୋଧ କରିବାରୁ ସେହି ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକର ଗୋଡ଼ଖସିଯାଇ ଟଣାଓଟରାରେ ପଡ଼ି ଯିବାରୁ ସେ ଆଘାତପ୍ରାପ୍ତ ହୋଇଥିଲା ଓ ଡାକ୍ତରଖାନାରେ ତାର ମୃତ୍ୟ ଘଟିଲା । ସେହି ଲୋକଟିର ନାମ ଥିଲା ଦଶାରାମ । ଏହି ଦଶାରାମ ଥିଲା ଆକ୍ରମଣକାରୀ ମାନଙ୍କର ସର୍ଦ୍ଦାର । ଲୋକେ ତାକୁ ଗରୁଡ଼ସ୍ତମ୍ଭ ପାଖକୁ ନେଇ ଆସିଲେ । ତାକୁ ଖାଇବାପାଇଁ ଦେଲେ । ସେ ମାଡ଼ଦ୍ୱାରା ମରିନାହିଁ ବୋଲି ପୋଲିସ୍‌ ସବ୍‌ଇନିସ୍‌ପେକ୍ଟର ରାମ କୁମାର ମୁଖାର୍ଜୀ ଓ କୃପାସିନ୍ଧୁ ମହାନ୍ତି ଜମାନବନ୍ଦୀ ଦେଲେ । ମାଜିଷ୍ଟ୍ରେଟ କମଲ ଘୋଷଙ୍କ ଇଜ୍‌ଲାସ୍‌ରେ ଏହି ମକଦମା ବିଚାର କରାଯାଇଥିଲା । ମାନ୍ୟବର ବିଚାରପତି ବିଚାର କରି ଅନ୍ୟପନ୍ଦର ଜଣଙ୍କୁ ତିନିମାସ ଯାଏ ଜେଲଦସ୍ତ ଦେଇଥିଲେ । ଏହି ଲୋକମାନଙ୍କର ଘର ରାୟପୁର ଓ ସମ୍ବଲପୁର ଅଞ୍ଚଳରେ ବୋଲି ଜଣାଯାଏ ।

 

ସେହି ଲୋକମାନେ ମାଜିଷ୍ଟ୍ରେଟ୍‌ଙ୍କ‌ ଆଗରେ ବୟାନ କରିଥିଲେ ଯେ, ଦଶାରାମକୁ ଗୁରୁ ଅଲେଖଙ୍କର ଆଜ୍ଞା ହୋଇଥିଲାଯେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏହି ତିନି ଦାରୁମୂର୍ତ୍ତିରେ ବ୍ରହ୍ମ ବିଦ୍ୟମାନ ନଥିବାରୁ ସେମାନଙ୍କୁ ସିଂହାସନରୁ ଉଠାଇ ଆଣି ବଡ଼ଦାଣ୍ଡରେ ପୋଡ଼ିଦେବା ପାଇଁ ସେମାନେ ଆସିଥିଲେ । ସେମାନଙ୍କ ସଙ୍ଗରେ ଆସିଥିବା ଆହୁରି ୨୮ ଜଣଙ୍କୁ ସତ୍ୟବାଦୀଠାରେ ଅଟକ ରଖା ଯାଇଥିଲା । ସେମାନଙ୍କ ମଧ୍ୟରେ ସ୍ତ୍ରୀ ପୁରୁଷ ଓ ବାଳକ ବାଳିକା ଥିଲେ । ସେମାନଙ୍କ ମଧ୍ୟରୁ ଚାରିଜଣ ଏକଥା ପ୍ରକାଶ କରିବାରୁ ସେମାନଙ୍କୁ ଏକ ସପ୍ତାହ କରି ଜେଲ୍‌କୁ ପଠାଇ ଦିଆ ଯାଇଥିଲା ।

 

ଏହି ସଂବାଦରେ ଉଲ୍ଲେଖ ଅଛି - ଏହି ଲୋକମାନେ ମ୍ଲେଛ ସ୍ନାନ କରନ୍ତି ନାହିଁ କିମ୍ବା ପୋଖରୀରେ ବସି ଶୌଚ ହୁଅନ୍ତି ନାହିଁ । ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ଯେ ଓଡ଼ିଶା ମହିମାଧର୍ମର କୌଣସି ବ୍ୟକ୍ତି ବା ସନ୍ଥ ଭୀମଭୋଇ ଏପରି କାର୍ଯ୍ୟରେ କଦାପି ଲିପ୍ତ ନଥିଲେ । ପ୍ରତିମାପୂଜା, ତେତ୍ରିଶକୋଟି ଦେବଦେବୀଙ୍କ କଳ୍ପନା ବା ବାହ୍ୟ ଆଡ଼ମ୍ବରକୁ ଓଡ଼ିଶାର ମହିମାଧର୍ମ ଘୋର ବିରୋଧ କରେ । ତା’ର ଅର୍ଥ ନୁହେଁ ଯେ ହିନ୍ଦୁସମାଜ ପୂଜିତ ପ୍ରତିମାକୁ ସେମାନେ ଧ୍ଵଂସକରି ଦେବେ । ତାହାହେଲେତ ପ୍ରତ୍ୟେକ ଗ୍ରାମମୁଣ୍ଡରେ ଅଧିଷ୍ଠିତ ହୋଇଥିବା ଗ୍ରାମଦେବତୀ ଧ୍ଵଂସ କରିଦେବା ପାଇଁ ସେମାନେ ପ୍ରଥମରୁ ହିଁ ଚେଷ୍ଟା କରିଥାଆନ୍ତେ ।

 

ଭୀମଭୋଇ ମହିମାଧର୍ମର ଆଦ୍ୟକବି । ତାଙ୍କର ସମସ୍ତ ରଚନା ଗୁରୁ ମହିମାସ୍ୱାମୀଙ୍କ ଆଦେଶ ଓ ନିର୍ଦ୍ଦେଶରେ ରଚିତ । ଏକଥା ସେ ସ୍ଵରଚନାର ବହୁ ସ୍ଥାନରେ ଉଲ୍ଲେଖ କରିଅଛନ୍ତି ।

 

ମହିମାଧର୍ମର ଆଦ୍ୟ ତଥା ଶକ୍ତିଧର କବି ଭୀମଭୋଇଙ୍କ ରଚନାରେ ଶ୍ରୀଜଗନ୍ନାଥ ଓ ଅନ୍ୟାନ୍ୟ ଅବତାର ତଥା ଭଗବାନ ଶ୍ରୀରାମଙ୍କ ସମ୍ପର୍କରେ ଉଚ୍ଚକୋଟିର ବର୍ଣ୍ଣନା ଦେଖିବାକୁ ମିଳେ-

 

ଗୁରୁ ମହିମା ସ୍ଵାମୀଙ୍କ ମହାପ୍ରୟାଣ ପରେ ଭୀମଭୋଇ ତାଙ୍କୁ ଶ୍ରୀ ପୁରୁଷୋତ୍ତମର ନାରାୟଣଙ୍କସହ ସମାନକରି ସ୍ଵଭଜନରେ ଗାଇଛନ୍ତି -

 

ଜଗତ ଭଗତ ଜନ ଆସ ଲୋଡ଼ିବା ପ୍ରଭୁଙ୍କୁ ।

ଶ୍ରୀପୁରୁଷୋତ୍ତମେ ଜାଣ ଥିଲେ ଯେଉଁ ନାରାୟଣ

ସେ ପ୍ରଭୁ କାହଁ ରହିଲେ ତେଜିଲେ ତିନି ଦାରୁଙ୍କୁ

ମହିମା ଗୋସାଇଁ ଗୁରୁ ସେହି ଅବା ମହାପ୍ରଭୁ..............

ତହିଁ କରିଥିଲୁ ଆଶ - ଶୂନ୍ୟ ହେଲେ ଦେଖୁ ଦେଖୁ ............

(ଭଜନ)

 

ଭଗବାନଙ୍କର ଦଶାବତାର ସମ୍ପର୍କରେ ଭୀମଭୋଇ ନିଜ ଭାଷାରେ ଗାଇଛନ୍ତି –

 

ଦତ୍ୟଶଙ୍ଖାସୁର ବ୍ରହ୍ମାବେଦବର ବଳେ ନେଇଥିଲା ହରି ।

ନଥିଲେ ସେ କେହି ଉଧରିଲେ ମହୀ ମତ୍ସ୍ୟ ଅବତାର ଧରି ॥

ଦେବଦାନବ ମନ୍ଦର ଗିରିବର ପକାଇ କ୍ଷୀରସିନ୍ଧୁର ।

କେଡ଼େ ବଡ଼ଭାର ପୃଷ୍ଠରେ ବହିଲ ହୋଇ କୂର୍ମ ଅବତାର ।

ବୀର ହନୁମନ୍ତ ପବନରସୁତ ବିବାଦ ଅର୍ଜୁନ ଠାରେ ।

ଶରବନ୍ଧ ତଳେ ଆବୋରି ରହିଲ ରୋହିମତ୍ସ୍ୟ ଅବତାରେ ॥

ହିରଣ୍ୟ ଦ୍ରପିଷ୍ଟ ମନେକରି ରୋଷ୍ଟ ଗର୍ବେ ଅପରାଧ ବହି ।

ଦନ୍ତ ନଖେ ଅନ୍ତପିତ୍ତ ବିଦାରିଲ ନରସିଂହ ମୂର୍ତ୍ତି ହୋଇ ॥

କ୍ଷିତ୍ରିକଳେ ଉତପତ୍ତି ହୃଷୀକେଶ ଧନୁର୍ବାଣ ବହିକର ।

ସାଧିଲ ଧରିତ୍ରୀ ବୀରପଣ ବୃତ୍ତି ପର୍ଶୁରାମ ଅବତାର ॥

ସତ୍ୟଯୁଗେ ହରି ବଳିରାଜାପୁରୀ ଦାନେ ନାଶିଲ ବିଭୁତି ।

ତ୍ରିବିକ୍ରମ ରୂପ ଜଗତ ନାୟକ ବହି ବାମନ ମୂରତି ॥

ଋଷି ଯଜ୍ଞଚରୁ ଅନାମ ବ୍ରହ୍ମରୁ ଜନ୍ମଦଶରଥ ଘରେ ।

ରାବଣକୁମାରି ଜାନକୀ ଉଧରି ରାମଚନ୍ଦ୍ର ଅବତାରେ ॥

ଦ୍ୱାପର ଯୁଗରେ ବସୁଦେବଘରେ ଜନ୍ମ ଲଭି ଗୋପେ ରହି ।

ଦୁଷ୍ଟ କଂସ ମାରି ଭାରା ଶ୍ଵାସିଲ କୃଷ୍ଣାଅବତାର ବହି ॥

ଜଗତର ଛଳେ ଅବନୀମଣ୍ଡଳେ ରୂପ ଦାରୁବ୍ରହ୍ମ ତେଜ ।

ପାପୀଜନେ ଗତି ମୁକତି ଦିଅନ୍ତେ ଶଙ୍ଖଚକ୍ର ଚତୁର୍ଭୁଜ ॥

ତ୍ରିପୂର ଜଗତ ଅନ୍ୟାୟ ବହୁତ ଚାରିଧର୍ମ ହେଲା ନାଶ ।

କାଳେହେଁ କଳିକି ଅବତାର ହେଲେ ବହିବଇଷ୍ଣବ ବେଶ ॥

(ସ୍ତୁତି ଚିନ୍ତାମଣି)

 

ଭୀମଭୋଇ ସ୍ଵରଚିତ ଦଶାବତାର ବର୍ଣ୍ଣନାରେ ତ୍ରେତୟା ଯୁଗରେ ବଳରାମଙ୍କୁ ଅବତାର ଭାବରେ ଗ୍ରହଣ ନକରି ଶ୍ରୀକୃଷ୍ଣଙ୍କୁ ଅବତାର ଭାବରେ ଗ୍ରହଣ କରିଛନ୍ତି । ଶ୍ରୀରାମଙ୍କ ଅବତାର ବିଷୟ ଭୀମଭୋଇ ସୁନ୍ଦର ଓ ସରଳ ଭାଷାରେ ସ୍ଵଭଜନରେ ସ୍ଥାନ ଦେଇଛନ୍ତି -

 

ରାମ ଦେବହରି ହୋଇ ଦେହଧାରୀ ଅବନୀ ମଣ୍ତଳେ ଅବତରି ॥

ତ୍ରେତୟା ଯୁଗରେ ଅଯୋଧ୍ୟା ଦେଶରେ, ଦଶରଥ ଘରେ ରାମ ଅବତାରେ ।

ଜାତ ହେଲେ ନରଦେହଧରି । ଶ୍ରୀରାମ ଲକ୍ଷ୍ମଣ, ଭରତ, ଶତ୍ରୁଘନ ଜନମ ହୋଇଲେ ପୁତ୍ରଚାରି ॥

 

ଏସବୁ ବିଷୟକୁ ବିଚାରକୁ ନେଲେ, ଭୀମଭୋଇ ବା ତାଙ୍କର ଶିଷ୍ୟ ପ୍ରଶିଷ୍ୟ ତଥା ମହିମାଧର୍ମାବଲମ୍ବୀମାନେ ପୁରୀଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ବିଗ୍ରହକୁ ଧ୍ୱଂସ କରିବାକୁ ଯାଇଥିଲେ ବୋଲି କହିବା ଏକ ମସ୍ତବଡ଼ ଭୁଲ । ମହିମାଧର୍ମର ଅଭ୍ୟୁଦୟ ବା ପ୍ରଚାର ହିନ୍ଦୁଧର୍ମକୁ ଧ୍ୱଂସ କରିବା ପାଇଁ ଅଭିପ୍ରେତ ନଥିଲା ବା ଏବେ ମଧ୍ୟ ନୁହେଁ । ଏହା ଏକ ସ୍ଵତନ୍ତ୍ର ଧର୍ମ ନୁହେଁ । ହିନ୍ଦୁଧର୍ମରେ ତେତିଶକୋଟି ଦେବଦେବୀଙ୍କର ଆରାଧନା, କଳ୍ପନା, ବ୍ରାହ୍ମଣ୍ୟଧର୍ମର ଆଧିପତ୍ୟ, ଅନ୍ଧ ବିଶ୍ଵାସ, କୁସଂସ୍କାର ତଥା ବାହ୍ୟାଡ଼ମ୍ବରକୁ ଦୂରେଇ ଦେଇ ଏକ ଜାତିଭେଦ ବିବର୍ଜିତ ସମାଜ ଗଠନପୂର୍ବକ ସନାତନ ହିନ୍ଦୁଧର୍ମର ପୂର୍ବ ମର୍ଯ୍ୟାଦାକୁ ଫେରାଇ ଆଣିବା ମହିମାଧର୍ମର ମୂଳଲକ୍ଷ୍ୟ । ଏହା ହିନ୍ଦୁଧର୍ମର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ଏକ ସଂସ୍କାରବାଦୀ ମତବାଦ ।

 

ମହାତ୍ମା ଭୀମଭୋଇ ଓଡ଼ିଆ ସାହିତ୍ୟ ଜଗତର ଆଦିକବି ସାରଳା ଦାସଙ୍କ ରଚନାରାଜିକୁ ଖୁବ୍‌ ଭଲଭାବରେ ମନନ କରିଥିବା ପରି ମନେହୁଏ । ଏକଥା ତାଙ୍କ ଭଜନରୁ ସ୍ପଷ୍ଟ ପ୍ରତୀୟମାନ -

 

‘‘ଭଜ ଅବର୍ଣ୍ଣ ରୂପକୁ,

ବର୍ଣ୍ଣି ନାହାଁନ୍ତି ଯୋଗୀଏ ଅବର୍ଣ୍ଣିକା ପୁରୁଷକୁ,

ସାରଳା ଯେ ସିଦ୍ଧମୁନି, ବର୍ଣ୍ଣି ନପାରିଲେ ପୁଣି,

ଅରୂପ ଅବ୍ୟୟନାମ ଚିହ୍ନି ଧର ଧରତାଙ୍କୁ । (ଭଜନମାଳା)

 

ଭୀମଭୋଇଙ୍କ ରଚିତ ଗ୍ରନ୍ଥମାନଙ୍କ ମଧ୍ୟରେ ସ୍ତୁତିଚିନ୍ତାମଣି, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ନିର୍ବେଦ ସାଧନ, ଶ୍ରୁତିନିଷେଧ ଗୀତା, ଅଷ୍ଟକବିହାରୀ ଗୀତା, ବ୍ରହ୍ମସଂଯୁକ୍ତ ଗୀତା, ନବୀନବିହାରୀ ଗୀତା, ବ୍ରହ୍ମ ଚାଳନ, ଚଉତିଶା ଗ୍ରନ୍ଥମାଳା, ଭଜନମାଳା, ପଦ୍ମକଳ୍ପ, ପ୍ରଭାତ ଅବକାଶ, ମହିମା ବିନୋଦ, ମନୁସଭାମଣ୍ଡଳ, ପୂର୍ଣ୍ଣ ସଂହିତା ଓ କଳିଯୁଗ ଗୀତା ଆଦି ଅନ୍ୟତମ ।

 

‘ମନୁସଭାମଣ୍ଡଳ’ ଭୀମଭୋଇଙ୍କର ରଚିତ ଗ୍ରନ୍ଥମାନଙ୍କ ମଧ୍ୟରେ ଏକ ବ୍ୟତିକ୍ରମ । ତା’ର ଭାଷା, ଶୈଳୀ ଓ ପଦସଂଯୋଜନା ଅଦ୍ଭୂତ ରକମର । ଏହାକୁ ସେ ତତ୍‌କାଳୀନ ଢେଙ୍କାନାଳ ନରେଶଙ୍କୁ ନେଇ ରଚନା କରିଥିବାର ଶୁଣାଯାଏ - ସେହି ମନୁସଭାମଣ୍ତଳ ଏବେବି ଅପ୍ରକାଶିତ । ଏହା ସମ୍ବଲପୁର ବିଶ୍ଵବିଦ୍ୟାଳୟ ସଂଗ୍ରହାଳୟରେ ସୁରକ୍ଷିତ । ସେହି ଗ୍ରନ୍ଥର କିଞ୍ଚିତ ଅଂଶ ଏଠାରେ ଉଲ୍ଲେଖ କରାଗଲା :

 

ମୃତୋକ୍ଷ ଖେଦ ପ୍ରୀତି ପାଞ୍ଚନା ଗାହର୍ଘଶ୍ରୁତି

ଛିଦ୍ର ପ୍ରିୟଯୁକ୍ତ ମୂର୍ତ୍ତି ଅଛନ୍ତି ରହି ;

ମଭିଦାନ ପାତ୍ର ଏହି ଅଣଶ୍ରଏ ଛତ୍ର ଧୋଇ

ଧଉତକୁ ବାରିଦକୁ ସ୍ଥିତକୁ ଲିହି ;

ଯବ୍ୟୋତୀକ୍ଷ ମନ୍ତ୍ର ପ୍ରମୋଦେ

ଭଣେ ଭୀମକନ୍ଧ ଛନ୍ଦ ତିରିଶ ପଦେ ॥

 

ଷୋଡ଼ଶ ସପ୍ତତଶ ଶତକର କବି ନିର୍ଗୁଣବାଦୀ ଚୈତନ୍ୟଦାସ ଓ ବ୍ରହ୍ମବାଦୀ ଚନ୍ଦ୍ରମଣିଦାସଙ୍କର ପ୍ରଭାବ ଭୀମଭୋଇଙ୍କଠାରେ ପ୍ରତିଫଳିତ ହୋଇଥି‌ବା ଲକ୍ଷ୍ୟ କରାଯାଏ । ଖଡ଼ିଆଳ ରାଜା ଚୈତନ୍ୟଦାସଙ୍କର ବିଷ୍ଣୁଗର୍ଭପୁରାଣ, ନିର୍ଗୁଣ ମହାତ୍ମ୍ୟ, ଦେବଦର୍ଶନ ପୁରାଣ ଆଦିଗ୍ରନ୍ଥମାନଙ୍କରେ ଅଲେଖ, ବ୍ରହ୍ମ, ନିର୍ଗୁଣ, ନିରାକାର ଇତ୍ୟାଦିର ବହୁଳ ତଥା ବିସ୍ତୃତ ବର୍ଣ୍ଣନା ହୋଇଛି । ଏହିଗ୍ରନ୍ଥ ତ୍ରୟ ମହିମାଧର୍ମାବଲମ୍ବୀମାନଙ୍କ ଦ୍ୱାରା ବେଶ ଆଦୃତ । ସେହିପରି ସୋନପୁର ରାଜ୍ୟସ୍ଥ ମହାନଦୀର ଉତ୍ତରତୀରରେ ହରିହରଯୋଡ଼ା ନିକଟରେ ଅବସ୍ଥିତ ବାଘବର ଗ୍ରାମ ଆଶ୍ରମର ପ୍ରତିଷ୍ଠାତା ବ୍ରହ୍ମବାଦୀ ଚନ୍ଦ୍ରମଣିଦାସଙ୍କର ଅନେକ ରଚନା ରହିଛି । ତନ୍ମଧ୍ୟରୁ ସୁଧାସାର ଗୀତା ଅନ୍ୟତମ ଅଟେ । ଏହିଗ୍ରନ୍ଥରେ ଅଲେଖତତ୍ତ୍ୱ‌ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣିତ ହୋଇଛି । ଏହି କବିଦ୍ୱୟ ଭୀମଭୋଇଙ୍କର ପୂର୍ବବର୍ତ୍ତୀ କବିଭାବରେ ପରିଚିତ ।

 

ଖ୍ରୀଷ୍ଟ ଧର୍ମର ସେଣ୍ଟପଲ, ବୌଦ୍ଧଧର୍ମର ନାଗାର୍ଜୁନ ଓ ବ୍ରାହ୍ମସମାଜର କେଶବ ଚନ୍ଦ୍ର ସେନଙ୍କ ପରି ମହିମାଧର୍ମରେ ଭୀମଭୋଇଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

 

ସହାୟକ ଗ୍ରନ୍ଥସୂଚୀ :

୧.

ଊନ୍ନବିଂଶ ଶତାବ୍ଦୀର ଓଡ଼ିଶା - ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ

୨.

ମହିମାଧର୍ମ ବିଶ୍ଵଇତିହାସ - ଡଃ ଉଦ୍ଧବ ଚରଣ ନାୟକ

୩.

ମହିମା ଆଲୋକ - ମହୀନ୍ଦ୍ର ବାବା

୪.

ମହିମା ପ୍ରସଙ୍ଗ - ମହୀନ୍ଦ୍ର ବାବା

୫.

ମହିମାଧର୍ମର ସଂକ୍ଷିପ୍ତ ଇତିହାସ - ମହୀନ୍ଦ୍ର ବାବା

୬.

ସତ୍ୟ ମହିମାଧର୍ମର ଇତିହାସ - ବିଶ୍ଵନାଥ ବାବା

୭.

Mahimadharma Darshan - A Souvenir on Mahima Religion Sonepur in the Sambalpur Tract. B. C. Majumdar.

୮.

ମହାତ୍ମା ଭୀମଭୋଇ - ଡଃ ଉଦ୍ଧବ ଚରଣ ନାୟକ ।

୯.

ଉତ୍କଳ ଦୀପିକା ।

୧୦.

କବି ଭୀମଭୋଇ ମହିମାଧର୍ମ ପରିଚୟ - ଭାଗୀରଥି ନେପାକ

୧୧.

ଭୀମଭୋଇ ଗ୍ରନ୍ଥାବଳୀ (ସଂ) - ବୀର କିଶୋର ଦାସ ।

୧୨.

ପ୍ରବନ୍ଧ ମାନସ - ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ।

 

***

 

ଜଗନ୍ନାଥ ଧର୍ମ, ସଂସ୍କୃତି ଏବଂ ଐତିହାସିକ ଅବଦାନ

ଡକ୍ଟର ଶିବ ପ୍ରସାଦ ନାୟକ

 

ଓଡ଼ିଶାରେ ବହୁ ଧର୍ମ ଆଜିକାଲି ପ୍ରଚାରିତ ହେଲେ ହେଁ ତଥା ବହୁ ଦେବଦେବୀଙ୍କର ପୂଜାର୍ଚ୍ଚନା ହେଲେ ହେଁ ଶ୍ରୀଜଗନ୍ନାଥ ଧର୍ମ ହିଁ ଏହି ଧରାଭୂମିରେ ସର୍ବାଧିକ ମାନ୍ୟତା ପ୍ରାପ୍ତ ଓ ଉପାସିତ ଧର୍ମ । ଜଗନ୍ନାଥଙ୍କ ଧର୍ମ, ସଂସ୍କୃତି ଓ ଐତିହାସିକ ଅବଦାନ ସଂପର୍କରେ ଆଲୋକପାତ କରିବା ପୂର୍ବରୂ ଏହା ନିଶ୍ଚୟ ସ୍ଵୀକାର ଯୋଗ୍ୟ ଯେ ଏହି ଧର୍ମ ଆମ ଓଡ଼ିଆମାନଙ୍କର ଏକମାତ୍ର ମୂଳପିଣ୍ଡ । ସେ ହେଉଛନ୍ତି ପରଂବ୍ରହ୍ମ । ଅର୍ଥାତ୍‌ ସେ (ଦାରୁବ୍ରହ୍ମ ଜଗନ୍ନାଥ) ଅଖିଳ ଜଗତର ସ୍ରଷ୍ଟା ଅଟନ୍ତି । ବାସ୍ତବରେ ଅନ୍ୟ କେହି ସୃଷ୍ଟି କର୍ତ୍ତା ନୁହଁନ୍ତି । ଶବ୍ଦବ୍ରହ୍ମ ଓ ପରଂବ୍ରହ୍ମ ଉଭୟଙ୍କ ମଧ୍ୟରେ ତିଳେ ମାତ୍ର ପ୍ରଭେଦ ନାହିଁ ।

 

ଜଗନ୍ନାଥ ହେଉଛନ୍ତି ଦାରୁବ୍ରହ୍ମ, ଶୂନ୍ୟବ୍ରହ୍ମ ଓ ବେଦାନ୍ତବାଦୀଙ୍କ ମତାନୁସାରେ ପ୍ରଜ୍ଞାନ ବ୍ରହ୍ମ-। ସୁତରାଂ ସମସ୍ତ ସାକାର ନିରାକାର ଉପାସନାର ଶ୍ରୀଜଗନ୍ନାଥ ହେଉଛନ୍ତି କେନ୍ଦ୍ରବିନ୍ଦୁ । ସର୍ବଧର୍ମ ସମନ୍ୱୟର ପ୍ରକୃଷ୍ଟ ପ୍ରତୀକ । ଆର୍ଯ୍ୟଭୂମି ଭାରତ ବର୍ଷରେ, ଶ୍ରୀଜଗନ୍ନାଥଙ୍କୁ ପ୍ରତ୍ୟେକ ଧର୍ମସଂପ୍ରଦାୟ ଓ ଆଧ୍ୟାତ୍ମିକ ଦର୍ଶନର ପ୍ରବର୍ତ୍ତକଗଣ ନିଜ ନିଜର ପ୍ରତିପାଦ୍ୟ ଇଷ୍ଟ ରୂପେ ଗ୍ରହଣ କରି ଯାଇଛନ୍ତି ।

 

ଅପର ପକ୍ଷରେ ଜଗନ୍ନାଥଙ୍କର ଆଉ ଏକ ବୈଶିଷ୍ଟ୍ୟ ଏହି ଯେ, ଅନ୍ୟତ୍ର ପୂଜିତ ଦେବତାଙ୍କ ନାମ ସହ ସେହି ଦେଶର ଧର୍ମ ବା ସଂସ୍କୃତି ଜଡ଼ିତଥିବା ଦେଖାଯାଏ ନାହିଁ । ମଧ୍ୟଭାରତରେ ‘ବିଶ୍ଵନାଥ’ଙ୍କ ସହିତ କିମ୍ବା ଦକ୍ଷିଣ ଭାରତରେ ‘ରାମନାଥ ବା ରାମେଶ୍ୱରଙ୍କ’ ସହିତ ସେ ଦେଶ ସଂସ୍କୃତିର କୌଣସି ସଂପର୍କ ନାହିଁ । ପୁନଶ୍ଚ ପଶ୍ଚିମଭାରତରେ ସୁପ୍ରସିଦ୍ଧ ଦେବତା ‘ସୋମନାଥ’ଙ୍କ ନାମରେ ମଧ୍ୟ ସେ ଅଞ୍ଚଳର ଧର୍ମ ବା ସଂସ୍କୃତି ନାମିତ ହେବା ଶୁଣାଯାଇ ନାହିଁ, ବରଂ ଓଡ଼ିଶାର ଧର୍ମ କହିଲେ ‘ଜଗନ୍ନାଥ ଧର୍ମ’ ସଂସ୍କୃତି କହିଲେ ‘ଜଗନ୍ନାଥ ସଂସ୍କୃତି’, ଇତିହାସ କହିଲେ ‘ଜଗନ୍ନାଥ ଇତିହାସ’ । ଅତଏବ ଜଗନାଥ ହିଁ ଓଡ଼ିଶାର ସଂସ୍କୃତି ଓ ସାହିତ୍ୟର ପ୍ରାଣକେନ୍ଦ୍ର-। ଏଣୁ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତିରେ ଜଗନ୍ନାଥଙ୍କ ଭାବ ପ୍ରଭାବ ବିଚ୍ଛିନ୍ନ ଧାରାରେ ପ୍ରତିଷ୍ଠିତ ହୋଇ ଆସିଛି, ହୋଇ ଆସିଥିଲା ଓ ହୋଇ ଆସୁଥିବ ।

 

ଶ୍ରୀ ଜଗନ୍ନାଥ କ୍ଷେତ୍ରର ପ୍ରାଚୀନତା ବା ପୁରାତତ୍ତ୍ୱ ସଂବନ୍ଧରେ ବହୁ ପୁରାଣ, ଶାସ୍ତ୍ର, ଗ୍ରନ୍ଥ ଓ ଉପାଖ୍ୟାନ ଆମ ଦେଶରେ ପ୍ରଚଳିତ । ଦୁଃଖର କାରଣ ଏହି ଯେ ସେଗୁଡ଼ିକର ସଂକଳନ ହୋଇପାରି ନାହିଁ କହିଲେ ଚଳେ । ପ୍ରଥମେ ଆମେ ମହାଭାରତର ବନପର୍ବରେ ଶ୍ରୀକ୍ଷେତ୍ରର ଉଲ୍ଲେଖ ଦେଖିବାକୁ ପାଇଥାଉଁ ଓ ମହାଭାରତ ପରେ ଅନ୍ୟାନ୍ୟ ସଂସ୍କୃତ ପୁରାଣ ଯଥା - ବିଷ୍ଣୁ, କୁର୍ମ, ନାରଦ, ପଦ୍ମ, ସ୍କନ୍ଦ, ନୀଳାଦ୍ରି ମହୋଦୟ ଓ କ୍ଷେତ୍ର ମାହାତ୍ମ୍ୟ ପ୍ରଭୃତି ବହୁ ଗ୍ରନ୍ଥରେ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଶସ୍ତ ଗାନକରାଯାଇଅଛି । ତିବ୍ଦତ, ନେପାଳ, ବହୁଦେଶ ଓ ସିଂହଳରେ ମଧ୍ୟ ଶ୍ରୀ ଜଗନ୍ନାଥଙ୍କର ଉପାସନା ରହିଥିବାର ବିଷୟ ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଉପାଦାନରୁ ଜଣାପଡ଼ିଥାଏ ।

 

(୧)

‘କୋଣାର୍କ’ର ପଞ୍ଚସଖା ବିଶେଷାଙ୍କ, ଡଃ ବଂଶୀଧର ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀ, ସଂପାଦକୀୟ ।

 

ବୌଦ୍ଧଧର୍ମ ଓ ଜଗନ୍ନାଥ :

ଖ୍ରୀଷ୍ଟୀୟ ୭ମ ଓ ୮ମ ଶତାବ୍ଦୀରେ ଓଡ଼ିଶାରେ ତାନ୍ତ୍ରିକ ବୌଦ୍ଧଧର୍ମର ଅଭ୍ୟୁଦୟ ଘଟିଛି । ଜଗନ୍ନାଥଙ୍କୁ ପ୍ରାଚୀନ କାଳରୁ ବୁଦ୍ଧାବତାର ଭାବରେ ଓଡ଼ିଶାର ଧର୍ମ, ଦର୍ଶନ ଓ ସାହିତ୍ୟ କ୍ଷେତ୍ରରେ ପ୍ରତିପାଦିତ କରାଯାଇଛି । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଯଥାକ୍ରମେ ବୁଦ୍ଧ, ସଂଘ ଓ ଧର୍ମର ପ୍ରତୀକ । ଏହି ତିନି ଠାକୁରଙ୍କ ସହିତ ବୌଦ୍ଧମାନଙ୍କ ଏକ ପ୍ରସିଦ୍ଧ ମନ୍ତ୍ରର ପାଲିବର୍ଣ୍ଣ ସହିତ ସାମଞ୍ଜସ୍ୟ ଥିବା କଥା ପ୍ରଥମେ କନିଂହାମ୍‌ ଦର୍ଶାଇଥିଲେ ବୋଲି ଡକ୍ଟର ହରେକୃଷ୍ଣ ମହତାବଙ୍କର ମତ । ବୌଦ୍ଧ ଦେବାଦେବୀଙ୍କର ସ୍ନାନଯାତ୍ରା ଓ ରଥଯାତ୍ରା ଯେଭଳି ଭାବରେ କରାଯାଏ ତାହା ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଓ ରଥଯାତ୍ରା ସହିତ ସାମଞ୍ଜସ୍ୟ ରହିଛି । ପୁନଶ୍ଚ, ଓଡ଼ିଶାର ଚିତ୍ରକଳାରେ ଦଶାବତାର ମଧ୍ୟରେ ବୁଦ୍ଧାବତାର ଚିତ୍ର ହେଉଛନ୍ତି ‘ଜଗନ୍ନାଥ’, ବୌଦ୍ଧପୁରାଣ ଷଷ୍ଠଖଣ୍ତରେ ଲିପିବଦ୍ଧ ହୋଇଛି ଯେ କୈବଲ୍ୟରୂପୀ ନିର୍ମାଲ୍ୟରେ ଉଦ୍ଦିଷ୍ଟ ଭାବ ନଧରି ତାହାକୁ ଅଚାଣ୍ଡାଳ ବ୍ରାହ୍ମଣ ଗ୍ରହଣ କରିବା ମୂଳରେ ବୌଦ୍ଧଧର୍ମର ସାମ୍ୟଭାବ ରହିଛି । ବୌଦ୍ଧ ପୁରାଣରେ ନିମ୍ନରୂପେ ଉଲ୍ଲେଖିତ ହୋଇଛି ।

 

ଭୋଜନ ବେଳେ ଯେ ଯାହା କରଇ କେବଳ

କଣିକା ପ୍ରପାତ ହେଲେ, ସାକ୍ଷାତ ନିର୍ମାଲ୍ୟ ।

ଏହି ସର୍ବ ବଉଦ୍ଧ ଧର୍ମର କରମ

ଥାବରୁଁ ଯେ କଷ୍ଟ ୟାଏ ଯେଣୁ ସର୍ବେ ବ୍ରହ୍ମ

ଏ କାରଣୁ ଦାରୁବ୍ରହ୍ମ ପୁର ମହାତମ

ସୁରକ୍ଷାକୃତ ପ୍ରକାଶି ବଉଧ ଧରମ ।

(ବୌଦ୍ଧ ପୂରାଣ)

 

କେତେକ ବୌଦ୍ଧଶାସ୍ତ୍ରାନୁସାରେ, ଯେ ବୁଦ୍ଧ ସେ ହେଉଛନ୍ତି ବ୍ରହ୍ମ । ସେହିପରି ବ୍ରହ୍ମ ହେଉଛନ୍ତି ଜଗନ୍ନାଥ । ଏଣୁ ବୁଦ୍ଧ ଓ ବ୍ରହ୍ମ ମଧ୍ୟରେ ବିଭେଦ ସୃଷ୍ଟି କରିବା ଯେପରି ପ୍ରମାଦପୂର୍ଣ୍ଣ ସେହିପରି ବୁଦ୍ଧ ଓ ଜଗନ୍ନାଥଙ୍କ ମଧ୍ୟରେ ଭିନ୍ନତା ଅନ୍ୱେଷଣ କରିବା ବିଧେୟ ।

 

ବୌଦ୍ଧଙ୍କ ପରି ଜୈନମାନଙ୍କ ମଧ୍ୟରେ ତ୍ରିରତ୍ନର ବିଶ୍ଵାସ ରହିଛି । ଏହି ତ୍ରିରତ୍ନ ସକଳ ତତ୍ତ୍ଵର ଆଧାର । ଏହା ହେଉଛି ସମ୍ୟକ ଦର୍ଶନ, ସମ୍ୟକ ଜ୍ଞାନ ଓ ସମ୍ୟକ ଚରିତ୍ର । ଅନେକଙ୍କ ମତରେ ଜଗନ୍ନାଥ ଶବ୍ଦ ମୂଳରେ ରହିଛି ଜୈନ ଧର୍ମର ଭିତ୍ତିଭୂମି । ପଣ୍ଡିତ ନୀଳକଣ୍ଠ ଦାସଙ୍କ ମତରେ, ଜଗନ୍ନାଥ କଥାଟି ଗୋଟିଏ ଜୈନ ଶବ୍ଦ, ‘ଜଗନ୍ନାଥ’ ଶବ୍ଦ ମୂଳତଃ ଜୈନ ଏବଂ ଏହା ଜିନେଶ୍ଵର ଅର୍ଥାତ୍‌ ଆଦିନାଥ ରଷଭଙ୍କର ନାମାନ୍ତର ବୋଲି ଜୈନ୍ୟ ଅଭିଧାନରୁ ଜଣାଯାଏ । ‘ଜଗନ୍ନାଥ' ଶବ୍ଦର ଅର୍ଥ ‘ଜଗତ୍‌’ ‘ରୂପ’ ‘ନାଥ’ ବା ପୁରୁଷ । ଜୈନ୍ୟମାନେ ଉପାସ୍ୟ ପୁରୁଷକୁ ‘ନାଥ’ ବୋଲି କହିଥାନ୍ତି । ଜଗନ୍ନାଥଙ୍କର ରଥଯାତ୍ରା ଜୈନ ତୀର୍ଥଙ୍କର ରଥ ଉତ୍ସବରେ ପରିଣତ ବୋଲି ପ୍ରଫେସର ଏନ୍‌.କେ.ସାହୁଙ୍କର ମତ । ସେହିପରି ଜଗନ୍ନାଥ ଆମର କଳ୍ପବଟ ଜୈନ୍ୟଧର୍ମର କଳ୍ପବୃକ୍ଷ ବୋଲି ମନେହୁଏ । (୨)

 

(୨)

ଡଃ ଅମୂଲ୍ୟ ମହାପାତ୍ର, ‘ଶ୍ରୀ ଜଗନ୍ନାଥ ତତ୍ତ୍ୱ ଓ ଦର୍ଶନ ! ଭିନ୍ନ ମତବାଦର ସମନ୍ୱୟ’ ଉତ୍କଳ ପ୍ରସଙ୍ଗ, ଜୁଲାଇ, ୧୯୮୩, ପୃ. ୩୧ ।

 

ଜଗନ୍ନାଥ ଧର୍ମର ବ୍ୟାପ୍ତି :

ଉକ୍ତ ଧର୍ମର ବ୍ୟାପ୍ତି ସଂପର୍କରେ ବିଶେଷ ଗବେଷଣା ହୋଇନଥିଲେ ହେଁ ବ୍ରହ୍ମଦେଶ, ସିଂହଳ ଓ ତିବ୍ବତ ସମ୍ବନ୍ଧୀୟ ବହୁ ଆଲୋଚନାରୁ ଜଣାଯାଏ ଯେ ଏକ ସମୟରେ ଏହି ଧର୍ମର ଆଭା ସେହି ସବୁ ଦେଶକୁ ପରିବ୍ୟାପ୍ତ ହୋଇଉଠିଥିଲା । ପୁନଶ୍ଚ, ବ୍ରହ୍ମଦେଶର ପ୍ରତ୍ନତାତ୍ତ୍ୱିକ ଗବେଷଣାତ୍ମକ ପତ୍ରିକାରୁ ଏହା ସୁସ୍ପଷ୍ଟ ଯେ ‘ପ୍ରାଚୀନ ପ୍ରୋମ’ର ନାମ ଥିଲା ‘ଶ୍ରୀକ୍ଷେତ୍ର’ ଏବଂ ସମଗ୍ର ‘ପ୍ରୋମ’ ଅଞ୍ଚଳ ‘ଉକ୍‌କଳାପ’ ନାମରେ ଆଖ୍ୟାତ ଥିଲା । ଏହି ଅଞ୍ଚଳ ରେଙ୍ଗୁନ୍‌ଠାରୁ ଟଣ୍ଟେ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ଅପରପକ୍ଷରେ କୁହାଯାଇଛି ଯେ ପ୍ରୋମ ଅଞ୍ଚଳ ଥିଲା ‘ବ୍ରହ୍ମଦେଶ’ ଓ ତାହାର ରାଜଧାନୀ ଥିଲା ଶ୍ରୀକ୍ଷେତ୍ର । (୩) ଓଡ଼ିଶାର ଉପନିବେଶକାରୀମାନେ ବ୍ରହ୍ମଦେଶର ପ୍ରୋମ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିଲେ ଏବଂ ସେମାନେ ଥିଲେ ମୁଖ୍ୟତଃ ଦକ୍ଷିଣପନ୍ଥୀ ବୌଦ୍ଧ ଏବଂ ସେମାନେ ସେମାନଙ୍କ ସଙ୍ଗରେ ଆଣିଥିଲେ ବହୁ ପାଲି ଧର୍ମଗ୍ରନ୍ଥ । ବାଲିଦ୍ୱୀପର ଧର୍ମ ପ୍ରସାଙ୍ଗନୁସାରେ ସେଠାରେ ଶିବ-ନାମିତ ହୋଇଛନ୍ତି ‘ଜଗନ୍ନାଥ’ଙ୍କ ନାମରେ ଓ ବିଭିନ୍ନ ଅବତାର ମଧ୍ୟରେ ଶଙ୍ଖ-ଚକ୍ର-ଗଦା-ପଦ୍ମଧାରୀ ବିଷ୍ଣୁ ‘ପୁରୁଷୋତ୍ତମ’ ରୂପେ ବର୍ଣ୍ଣିତ । (୪)

 

(୩)

Arch. survey of Burma, 1917, P. 24 ହୁଏନ୍‌ସାଂଙ୍କ ଭାଷାରେ ଶ୍ରୀକ୍ଷେତ୍ର ହେଉଛି “Chih-

li-ch' a ta-lo.”

(୪)

Miscellaneous papers relating to Indo-China and the Indian Archpalogo, IInd series, Vol. ।।, P. 107.

(୫)

The Perahera Festival in Ceylon - Indian Antiguary, 1874, Part - XXXIV

(୬)

ଡଃ ବଂଶୀଧର ମହାନ୍ତି, ‘‘କୋଣାର୍କ’’ର ପଞ୍ଚସଖା ବିଶେଷାଙ୍କ, - ସଂପାଦକୀୟ ।

 

ସିଂହଳର ପ୍ରାଚୀନ ଧର୍ମ ସମ୍ବନ୍ଧୀୟ ବିବରଣୀ ପଢ଼ିଲେ ଜଣାଯାଏ ଯେ ମୁଖ୍ୟତଃ ସୁପ୍ରାଚୀନ ଜଗନ୍ନାଥ ଧର୍ମ ଓ ଦାରୁ ପୂଜା ଯାହା ବୁଦ୍ଧଦନ୍ତ ଉପାଖ୍ୟାନ ସହ ଗ୍ରଥିତ ତାହା ସିଂହଳରେ ଏକ ସମୟରେ ପ୍ରାଧାନ୍ୟ ଲାଭ କରିଥିଲା । ଏବେ ମଧ୍ୟ ଆମର ଶ୍ରୀକ୍ଷେତ୍ରର ରାଜନୀତି ଓ ରଥଯାତ୍ରାର ଅବିକଳ ଆଲେଖ୍ୟ ନେଇ ସିଂହଳ ଦନ୍ତମନ୍ଦିରର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଜଗନ୍ନାଥ ଦାରୁ ପ୍ରତିଷ୍ଠାର ଅବିକଳ ଉପାଖ୍ୟାନ, ରଥଯାତ୍ରା ଓ ଜଗନ୍ନାଥଙ୍କ ସେବା ପୂଜାର ରୀତିନୀତି ସିଂହଳର ‘ପେରହେରା’ (Perahera) ଉତ୍ସବ ସଂପର୍କରେ ବର୍ଣ୍ଣନା କରାଯାଇଛି । (୫) ଅନ୍ୟତ୍ର ନେପାଳ ଓ ତିବ୍ବତ ପ୍ରସଙ୍ଗରେ ଖ୍ରୀ ୧୬ଶ ଶତକର ବୌଦ୍ଧ ସାଧକ ଲାମା ତାରାନାଥଙ୍କର ବିବରଣୀରେ ଜଗନ୍ନାଥଙ୍କ ସମ୍ବନ୍ଧୀୟ ବହୁ ଆଖ୍ୟାନ ବର୍ଣ୍ଣିତ ହୋଇଛି । ଅଦ୍ୟାପି ନେପାଳର ବହୁସ୍ଥାନରେ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ରହିଛି । ତଥ୍ୟବହୁଳ ଜଗନ୍ନାଥ ଧର୍ମର ପ୍ରସଙ୍ଗ ଭାରତ ଓ ଭାରତ ବାହାର ଦେଶମାନଙ୍କରେ ଖ୍ୟାତି ଲାଭ କରିବା ବିଷୟ ଓଡ଼ିଶାର ସାଂସ୍କୃତିକ ଇତିହାସରେ ଏକ ଅଦ୍ଭୂତପୂର୍ବ ଗୌରବମୟ ଅଧ୍ୟାୟ । (୬)

 

ସର୍ବଭାରତୀୟ ତୀର୍ଥସ୍ଥଳୀ ‘ଜଗନ୍ନାଥ ପୀଠ’ :

ବହୁ ଆଦିମ ଯୁଗରୁ ଜଗନ୍ନାଥ ଧାମ ସର୍ବଭାରତୀୟ ତୀର୍ଥରୂପେ ଖ୍ୟାତି ଲାଭ କରି ଆସିଛି । ଆଦିବାସୀ ଦେବତା ଜଗନ୍ନାଥ, ବୌଦ୍ଧ ଓ ଜୈନ ଦେବତା ଜଗନ୍ନାଥ ଓ ପରିଶେଷରେ ଏହି ଜଗନ୍ନାଥ ହେଲେ ବ୍ରାହ୍ମଣ୍ୟ ଧର୍ମର ସର୍ବଶ୍ରେଷ୍ଠ ଦେବତା ଭଗବାନ ବିଷ୍ଣୁ । ଜଗନ୍ନାଥ ଧର୍ମ ପରି ଅତି ଉଦାର ଧର୍ମ ସମଗ୍ର ଭାରତରେ ବିରଳ । ଭାରତର ବହୁ ଧର୍ମାଚାର୍ଯ୍ୟ, ଭକ୍ତ, ସାଧକ, ଜଗନ୍ନାଥ ମହିମାରେ ଅଭିଭୂତ ହୋଇ ପଡ଼ିଛନ୍ତି । ବ୍ରାହ୍ମଣ୍ୟ ଧର୍ମର ପୁନଃ ଅଭ୍ୟୁତ୍‌ଥାନରେ ଶଙ୍କରାଚାର୍ଯ୍ୟ (ଖ୍ରୀ ୭୮୮ - ୮୨୨) ଶ୍ରୀକ୍ଷେତ୍ରକୁ ଆସି ବହୁକାଳ ସେଠାରେ ଅବସ୍ଥାନ କରିଥିଲେ ଓ ଭାରତର ଚାରିପୀଠ ମଧ୍ୟରୁ ଗୋବର୍ଦ୍ଧନପୀଠ ସ୍ଥାପନ କରିଥିଲେ । ଅପରପକ୍ଷରେ ଆଚାର୍ଯ୍ୟ ଶଙ୍କର ଶ୍ରୀକ୍ଷେତ୍ରରେ ରହି ବହୁ ବୌଦ୍ଧ ପଣ୍ଡିତଙ୍କୁ ଯୁକ୍ତିତର୍କ ବଳରେ ପରାସ୍ତ କରି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବ୍ରାହ୍ମଣ୍ୟ ଧର୍ମରେ ଧର୍ମାନ୍ତରିତ କରାଇଥିଲେ ।

 

ଖ୍ରୀ ୭-୮ ଶତାବ୍ଦୀର ବୌଦ୍ଧ ଦେବତା ଜଗନ୍ନାଥ କ୍ରମେ ବ୍ରାହ୍ମଣ୍ୟ ଧର୍ମର ଶ୍ରେଷ୍ଠ ଦେବତାରୂପେ ରୂପାନ୍ତରିତ ହେବାକୁ ଲାଗିଲେ । ମାଦଳାପାଞ୍ଜିର ଉପାଖ୍ୟାନରୁ ଜଣାଯାଏ ଯେ ବୌଦ୍ଧ ପଣ୍ଡିତମାନଙ୍କୁ ପରାସ୍ତ କରିବା ପରେ ଶ୍ରୀଜଗନ୍ନାଥଙ୍କ ରତ୍ନସିଂହାସନରେ ଶଙ୍କର ଓ ପଦ୍ମପାଦଙ୍କର ମୂର୍ତ୍ତି ସ୍ଥାପିତ ହେଲା; କିନ୍ତୁ ପରେ ଦ୍ୱିତୀୟ ଦିବ୍ୟସିଂହ ଦେବଙ୍କ ରାଜତ୍ୱରେ ଅର୍ଥାତ୍‌ ଖ୍ରୀ: ୧୮ଶ ଶତକର ଶେଷ ଭାଗରେ ତାହା ସ୍ଥାନାନ୍ତରିତ ହୋଇଥିଲା ।

 

ଚୋଡ଼ଗଙ୍ଗଦେବଙ୍କର ଉତ୍କଳ ଅଧିକାର ପୂର୍ବରୁ ପୁରୀଠାରେ ପୁରୁଷୋତ୍ତମଙ୍କର ଯେ ଏକ ମନ୍ଦିର ଥିଲା ତାହା ପ୍ରାଚୀନ ଗ୍ରନ୍ଥ ଓ ଅଭିଲେଖଠାରୁ ଜଣାଯାଏ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସେହି ସବୁ ଗ୍ରନ୍ଥ ଓ ଅଭିଲେଖ ମଧ୍ୟରୁ କେଉଁ ଗୋଟିଏ ସୁଦ୍ଧା ଏକାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ନୁହେଁ-। କେତେକଙ୍କ ମତରେ ସେଗୁଡ଼ିକ ମଧ୍ୟରୁ କେତେକ ଗ୍ରନ୍ଥ ନବମ ଶତାବ୍ଦୀରେ ସଂକଳିତ ।

 

ଯେଉଁ ଅଭିଲେଖ ଗୁଡ଼ିକରେ ପୁରୁଷୋତ୍ତମ କ୍ଷେତ୍ର ସମ୍ପର୍କରେ ବିବରଣୀ ଲିପିବଦ୍ଧ ସେଗୁଡ଼ିକ ହେଉଛି :

 

କାଳିଦିଣ୍ତି ଅଭିଲେଖ - ପୂର୍ବଚାଲୁକ୍ୟ ରାଜା ପ୍ରଥମ ରାଜରାଜ ଦେବଙ୍କ ରାଜତ୍ୱର ଶେଷ ଦଶକରେ ଅର୍ଥାତ୍‌ ଏକାଦଶ ଶତାବ୍ଦୀର ମଧ୍ୟ ଭାଗରେ ।

 

ନାଗପୁର ଅଭିଲେଖ - ବିକ୍ରମ ସମ୍ବତ୍‌ ୧୧୬୧ ଅର୍ଥାତ୍‌ ୧୧୦୪ ଖ୍ରୀ ।

ପୁଜାରୀପାଲି ଅଭିଲେଖ - ଏକାଦଶ ଶତାବ୍ଦୀର ଶେଷଭାଗରେ ।

ମଇହର ଅଭିଲେଖ - ଏକାଦେଶ ଶତାବ୍ଦୀ ।

 

ଉପରୋକ୍ତ ଗ୍ରନ୍ଥ ଏବଂ ଅଭିଲେଖ ଗୁଡ଼ିକର କାଳ ସ୍ପଷ୍ଟ ସୂଚାଇ ଦିଏ ଯେ ପୁରୀଠାରେ ପୁରୁଷୋତ୍ତମଙ୍କର ପ୍ରଥମ ମନ୍ଦିରର ନିର୍ମାତା ହେଉଛନ୍ତି ଦ୍ଵିତୀୟ ଯଯାତି ମହାଶିବଗୁପ୍ତ (୧୦୨୩ - ୧୦୪୦ ଖ୍ରୀ:) ପ୍ରଥମ ଯଯାତି (୮୮୫ - ୯୨୫ ଖ୍ରୀ) ନୁହଁନ୍ତି । ଚୋଡ଼ଗଙ୍ଗଦେବ ବର୍ତ୍ତମାନ ମନ୍ଦିର ନିର୍ମାଣ କରିବା ପୂର୍ବେ ପୁରୀଠାରେ ପୁରୁଷୋତ୍ତମଙ୍କ ମନ୍ଦିରରେ ଠାକୁରଙ୍କୁ ଦେଇଥିବା ଦାନ ଉଲ୍ଲେଖ କରି ଦୁଇଗୋଟି ଅଭିଲେଖ ଉତ୍ତୀର୍ଣ୍ଣ କରିଥିଲେ । ଏବେ ସେହି ଅଭିଲେଖ ଦ୍ୱୟ ମଧ୍ୟରୁ ଗୋଟିଏ ମିଳେ ମୁକ୍ତି ମଣ୍ଡପ ନିକଟରେ ଥିବା ନୃସିଂହଙ୍କ ମନ୍ଦିରର ଦ୍ୱାର ଦେଶରେ (ଯାହା ତାଙ୍କ ରାଜତ୍ୱର ୫୮ ଅଙ୍କ ଅର୍ଥାତ୍‌ ୧୧୩୨ - ୩୩ ଖ୍ରୀ:ରେ ଉତ୍କୀର୍ଣ୍ଣ) ଏବଂ ଅନ୍ୟଟି ମିଳେ ମାର୍କଣ୍ଡେଶ୍ଵର ମନ୍ଦିରରେ (ଯାହା ବର୍ଷକ ପୂର୍ବେ ଅର୍ଥାତ୍‌ ୧୧୩୧ - ୩୨ ଖ୍ରୀ:ରେ ଉତ୍କୀର୍ଣ୍ଣ) । ଏହି ଅଭିଲେଖ ଦ୍ୱୟରୁ ନିମ୍ନୋକ୍ତ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଜଣାପଡ଼େ ।

 

୧.

ବର୍ତ୍ତମାନ ପୁରୁଷୋତ୍ତମ ମନ୍ଦିର ୧୧୩୨ -୩୩ ଖ୍ରୀ: ପର୍ଯ୍ୟନ୍ତ ଚୋଡ଼ଗଙ୍ଗଙ୍କ ଦ୍ୱାରା ନିର୍ମିତ ହୋଇ ନଥିଲା ।

୨.

ବର୍ତ୍ତମାନ ନରସିଂହ ମନ୍ଦିର ହେଉଛି ସମ୍ଭବତଃ ଦ୍ୱିତୀୟ ଯଯାତି ମହାଶିବ ଗୁପ୍ତ ନିର୍ମାଣ କରିଥିବା ପୁରୁଷୋତ୍ତମ - ନରସିଂହଙ୍କର ମନ୍ଦିର । ଅବଶ୍ୟ ପରବର୍ତ୍ତୀ ସମୟରେ ନୃସିଂହ ମନ୍ଦିରଟି ସଂସ୍କାର ସାଧନ କରାଯାଇଅଛି ଏବଂ ତାହାର କେତେକ ଭଗ୍ନାଂଶ ମାର୍କଣ୍ଡେଶ୍ଵର ମନ୍ଦିରର ସଂସ୍କାର ସମୟରେ ବ୍ୟବହାର କରାଯାଇଛି । (୭)

 

(୭)

ଡଃ ନବୀନ କୁମାର ସାହୁ, ‘‘ପୁରୁଷୋତ୍ତମ ଉପାସନା’’, ଉତ୍କଳପ୍ରସଙ୍ଗ, ଜୁଲାଇ ୧୯୮୩, ପୃ୧୯-୨୦

 

 

ଖ୍ରୀ: ୧୧୧୨ରେ କଳିଙ୍ଗାଧିପତି ଚୋଡ଼ଗଙ୍ଗ ଦେବଙ୍କ ରାଜତ୍ୱ କାଳରେ ଓଡ଼ିଶାରେ ଏକ ଗୌରବମୟ ରାଜତ୍ଵ-ତାଙ୍କରି ସମୟରେ ହିଁ ଜଗନ୍ନାଥ ମନ୍ଦିର ପୁନଃ ନିର୍ମିତ ହୋଇଥିଲା । ତାଙ୍କର ରାଜତ୍ୱ କାଳରେ ପରମ ବୈଷ୍ଣବ ଶ୍ରୀରାମାନୁଜ ତାଙ୍କର ବିଶିଷ୍ଠାଦ୍ୱୈତ ମତାନୁସାରେ ସ୍ମୃତିଶାସ୍ତ୍ରାନୁଯାୟୀ ଶ୍ରୀଜଗନ୍ନାଥଙ୍କୁ ଶେଷଶାୟୀ ନାରାୟଣ ଭାବରେ ବର୍ଣ୍ଣନା କରିଛନ୍ତି । ଶଙ୍କରାଚାର୍ଯ୍ୟଙ୍କ ପରି ରାମାନୁଜ ମଧ୍ୟ ଜଗନ୍ନାଥଙ୍କ ଉପାସନାରେ ନିଜର ଧର୍ମାନୁଷ୍ଠାନ ପଦ୍ଧତି ପ୍ରବର୍ତ୍ତନ କରିଥିଲେ । ତାଙ୍କର ପ୍ରଧାନ ଶିଷ୍ୟ ଗୋବିନ୍ଦ ଶ୍ରୀକ୍ଷେତ୍ରରେ ସ୍ଥାପନ କଲେ ଏମାର ମଠ, ଯାହାର ମୌଳିକ ତାମିଲ ରୂପ ହେଉଛି (ଏମ୍‌ - ପେରୁ - ମନ୍‌ - ର) ଏବଂ ପୁରୀଠାରୁ ୧୬ ମାଇଲ ଦକ୍ଷିଣରେ ଅଲଓ୍ୱାରନାଥ ମନ୍ଦିର ଏହି ସମୟରେ ହିଁ ନିର୍ମିତ ହୋଇଥିଲା । ଖ୍ରୀ: ୧୨ଶ ଶତାବ୍ଦୀର ଶେଷ ଭାଗକୁ ଅନ୍ୟତମ ପରମ ବୈଷ୍ଣବ ବିଷ୍ଣୁସ୍ଵାମୀଙ୍କର ଶ୍ରୀକ୍ଷେତ୍ରକୁ ଆଗମନ ହୁଏ ଏବଂ ମାର୍କଣ୍ଡେଶ୍ୱର ପୁଷ୍କରିଣୀ ନିକଟରେ ସେ ତାଙ୍କର ଧର୍ମପ୍ରଚାରପୀଠ ‘ବିଷ୍ଣୁସ୍ଵାମୀ ମଠ’ ସ୍ଥାପନ କରିଥିଲେ । ଖ୍ରୀ ୧୧-୧୩ଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ଧାର୍ମିକ ଚେତନା ବହୁ ଭାବରେ ପ୍ରଭାବିତ ହୋଇଛି । ଦକ୍ଷିଣଦେଶର ବହୁ ବୈଷ୍ଣବ ଧର୍ମ ପ୍ରଚାରକଙ୍କ ଦ୍ୱାରା - ନିମ୍ବାର୍କ, ମାଧ୍ୱାଚାର୍ଯ୍ୟ ବା ଆନନ୍ଦ ତୀର୍ଥ, ଶ୍ରୀଚୈତନ୍ୟ, ଶିଖଗୁରୁ ନାନକ, ମହାତ୍ମା, କବୀର, ଯବନ, ହରିଦାସ ଓ ସାଲବେଗ, ଭକ୍ତ ଜଗନ୍ନାଥ ଦାସ ପ୍ରଭୃତି ଶ୍ରୀଜଗନ୍ନାଥଙ୍କୁ ନିଜ ନିଜ ଭାବ ଭକ୍ତିର ଚେତନାରେ ଉପାସନା କରିଯାଇଛନ୍ତି । ହିନ୍ଦୁ ବ୍ୟତୀତ ମୁସଲମାନ, ଖ୍ରୀଷ୍ଟିୟାନ୍‌ ଓ ଅନ୍ୟ ଜାତିର ଲୋକମାନେ ଶ୍ରୀଜଗନ୍ନାଥଙ୍କ ନିକଟରେ ଭକ୍ତିର ଅର୍ଘ୍ୟ ନିବେଦନ କରିଥାନ୍ତି ।

 

ଓଡ଼ିଶାରେ ବୈଷ୍ଣବଧର୍ମ ଖୁବ୍‌ ପ୍ରାଚୀନ ଓ ଏହାର ଏକ ସୁଦୀର୍ଘ ଓ ବଳିଷ୍ଠ ପରଂପରା ରହିଛି । ପଞ୍ଚମ, ଷଷ୍ଠ ଶତାବ୍ଦୀରେ କଳିଙ୍ଗ ସାମ୍ରାଜ୍ୟ ଶାସନ କରୁଥିବା ମଠର ଓ ପୂର୍ବୀ ଗଙ୍ଗବଂଶର ରାଜାମାନେ ବୈଷ୍ଣବ ଥିବାର ଜଣାଯାଏ । ମାଠରବଂଶର ରାଜାମାନେ ବୈଷ୍ଣବ ଧର୍ମ ଗ୍ରହଣ କରି ଏହାକୁ ରାଜଧର୍ମରେ ପରିଣତ କରିଥିଲେ ଓ ରାଜା ପ୍ରଭଞ୍ଜନ ବର୍ମା ତ୍ରୟୋଦଶ ଶତାବ୍ଦୀରେ ଶୈବକ୍ଷେତ୍ର ଭୁବନେଶ୍ଵରରେ ଅନନ୍ତ ବାସୁଦେବ ମନ୍ଦିର ନିର୍ମାଣ କରିଥିଲେ । ବୈଷ୍ଣବଧର୍ମ ମାଠରବଂଶୀୟ ଶାସକମାନଙ୍କ ପୃଷ୍ଠପୋଷକତାରେ ଉନ୍ନତିର ଚରମ ସୀମାରେ ପହଞ୍ଚିବା ପରେ ପୂର୍ବୀ ଗଙ୍ଗବଂଶର ରାଜାମାନେ ପରବର୍ତ୍ତୀ କାଳରେ ବୈଷ୍ଣବ ଧର୍ମମତ ଗ୍ରହଣ କରିଥିଲେ । ଏହାଛଡ଼ା ଦ୍ୱାଦଶ ଶତାବ୍ଦୀ ବେଳକୁ ଭକ୍ତକବି ଜୟଦେବ ‘ଗୀତଗୋବିନ୍ଦ’ କାବ୍ୟ ରଚନା କରି ଓଡ଼ିଶାରେ ବୈଷ୍ଣବ ଧର୍ମ ପ୍ରଚାର ଓ ପ୍ରସାରରେ ସାହାଯ୍ୟ କଲେ । ଏହିପରି ଭାବରେ ଓଡ଼ିଶାରେ ବୈଷ୍ଣବ ଧର୍ମଧାରା ୧୬ଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରବାହିତ ହୋଇ ଆସିଥିଲା ।

 

ସୂର୍ଯ୍ୟବଂଶର ଅଭ୍ୟୁତ୍‌ଥାନରେ (ଖ୍ରୀ ୧୪୩୫ - ୧୫୩୩) ଓଡ଼ିଆ ଭାଷାର ଅଭୂତପୂର୍ବ ପ୍ରଗତିଶୀଳ ବିକାଶ ଘଟିଲା । କିନ୍ତୁ ଏହି ସମୟରେ ବହୁ ସଂସ୍କୃତ କବି, ପଣ୍ଡିତ ରାଜପୃଷ୍ଠପୋଷକତା ମଧ୍ୟ ଲାଭ କରିଥିଲେ । ପ୍ରତାପରୁଦ୍ରଙ୍କ ରାଜତ୍ଵରେ କବି ଡିଣ୍ତିମ ଜୀବଦେବାଚାର୍ଯ୍ୟଙ୍କର ‘ଭକ୍ତି ବୈଭବ ନାଟକ’ ଓ ତାଙ୍କର ପୁତ୍ର ଜୟଦେବଙ୍କର ‘ବୈଷ୍ଣବାମୃତ’ ଓ ‘ପୀୟୂଷଲହରୀ’ (ନାଟିକା) ଓ ଶ୍ରୀ ରାୟରାମାନନ୍ଦଙ୍କର ‘ଜଗନ୍ନାଥ - ବଲ୍ଲଭ ନାଟକ’, ମାଧବୀ ଦେବୀଙ୍କର ‘ପୁରୁଷୋତ୍ତମ ଦେବ ନାଟକମ୍‌’ ସଂସ୍କୃତ ବୈଷ୍ଣବ - ସାହିତ୍ୟ କ୍ଷେତ୍ରରେ ଅନୁପମ ଅବଦାନ । ପୁନଶ୍ଚ, ଶ୍ରୀଚୈତନ୍ୟଙ୍କର ଓଡ଼ିଶା ଆଗମନ ଓ ଶ୍ରୀକ୍ଷେତ୍ରରେ ଶେଷ ଜୀବନର ଚବିଷ ବର୍ଷ କାଳ ଅବସ୍ଥାନ ଓଡ଼ିଶାରେ ଆଣିଦେଲା ବୈଷ୍ଣବଧର୍ମର ବିକାଶରେ ଅଭୂତପୂର୍ବ ରୂପରେଖ । ଶ୍ରୀଚୈତନ୍ୟଙ୍କ ସହ ଅନ୍ୟ ଦିଗରେ ଓଡ଼ିଶାର ବିଶିଷ୍ଟ ସନ୍ଥସାଧକ ଓ କବି ପଞ୍ଚସଖାଙ୍କର ଆବିର୍ଭାବ ଘଟିଲା । ଓଡ଼ିଶାର ଧର୍ମ- ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏହି ଯୁଗ ହେଉଛି ‘ସ୍ୱର୍ଣ୍ଣଯୁଗ’ । (୮)

 

(୮)

ଡକ୍ଟର ବଂଶୀଧର ମହାନ୍ତି, ‘‘କୋଣାର୍କର ପଞ୍ଚସଖା ବିଶେଷାଙ୍କ’’, ସଂପାଦକୀୟ ।

 

ଜଗନ୍ନାଥଙ୍କ ମୂର୍ତ୍ତି ପ୍ରସଙ୍ଗ :

ଜଗନ୍ନାଥଙ୍କ ମୂର୍ତ୍ତି କଳ୍ପନା ହିନ୍ଦୁ ଦେବଦେବୀମାନଙ୍କର କଳ୍ପନାଠାରୁ ପୃଥକ୍‌ । ସେ ଆର୍ଯ୍ୟ ଅନାର୍ଯ୍ୟ ସମସ୍ତଙ୍କର ଦେବତା ରୂପେ ପୂଜା ପାଇଥାନ୍ତି ।

 

କଥିତ ଅଛି ଯେ ଜଗନ୍ନାଥ ପ୍ରଥମେ ଶବର ଦେବତା ରୂପେ ପୂଜିତ ହେଉଥିଲେ । ଆଦିବାସୀମାନେ ଦେବତାମାନଙ୍କୁ ଭୟ କରୁଥିଲେ । ଏଣୁ ଦେବତାଙ୍କ ମୂର୍ତ୍ତି କୁଶ୍ରୀ ଓ ଭୟଙ୍କର ହୋଇଥିଲା । ଜଗନ୍ନାଥ ମୂର୍ତ୍ତି ସେଥିପାଇଁ ଭୟଙ୍କର ହୋଇଥିଲା ବୋଲି କେତେକ ମତପୋଷଣ କରନ୍ତି ।

 

ଶବରରାଜା ବିଶ୍ଵାବସୁ ଯେଉଁ ଦେବତାଙ୍କୁ ‘ନୀଳାଚଳ’ ଉପରେ ପ୍ରତିଷ୍ଠା କରି ପୂଜା କରୁଥିଲା ସେହି ଦେବତାଙ୍କୁ ନୀଳମାଧବ ବୋଲି କୁହାଯାଏ ।

 

ଏହି ନୀଳମାଧବ କାଳକ୍ରମେ ବୌଦ୍ଧ ଦେବତା, ବୈଷ୍ଣବ ଦେବତା, ଶୈବ ଦେବତା ପ୍ରଭୃତିରେ ପରିଣତ ହେଲେ ଓ ନୀଳମାଧବ ରୂପୀ ଜଗନ୍ନାଥ ଅବଶେଷରେ ସର୍ବଧର୍ମର ପ୍ରତୀକ ରୂପେ ଗୃହୀତ ହେଲେ ।

 

ନୀଳମାଧବ ବୁଦ୍ଧରୂପେ ପୂଜିତ ହେବା ବିଷୟ, ବୌଦ୍ଧ ଧର୍ମାବଲମ୍ବୀମାନେ ସ୍ୱୀକାର କରନ୍ତି । ବୌଦ୍ଧଧର୍ମରେ ଏହି ତିନି ମୂର୍ତ୍ତି ସ୍ଥାପିତ ହେଲେ । ଅଷ୍ଟମ ଶତାବ୍ଦୀରେ ରାଜା ଇନ୍ଦ୍ରଭୂତି ତାଙ୍କ ଜ୍ଞାନ ସିଦ୍ଧ ଗ୍ରନ୍ଥରେ ଆଦିବୁଦ୍ଧଙ୍କୁ ଜଗନ୍ନାଥଙ୍କ ନାମରେ ଅଭିହିତ କଲେ । ଏବେ ମଧ୍ୟ ନେପାଳର ବୌଦ୍ଧଧର୍ମରେ ଆଦିବୁଦ୍ଧଙ୍କୁ ଜଗନ୍ନାଥ ବୋଲି କୁହାଯାଏ ।

 

ବୈଷ୍ଣବଙ୍କ ମତରେ ଜଗନ୍ନାଥ ମାଧବ, ମାଧବ ଅର୍ଥ ମା-ଧବ ବା ଲକ୍ଷ୍ମୀଙ୍କର ପତି ।

 

୧୮୬୭ ମସିହାରେ ଲିଖିତ ଗୋଟିଏ ଚିଠିରୁ ଜଗନ୍ନାଥ ବେଦୀ ଉପରେ ଗୋଟିଏ ଶିବଲୀଳା ମୂର୍ତ୍ତି ଭୈରବ ରକ୍ଷିତ ଥିବା ବିଷୟ ଅଧ୍ୟାପକ ପ୍ରଭାତ ମୁଖାର୍ଜୀ ପ୍ରକାଶ କରିଛନ୍ତି । ଊନବିଂଶ ଶତାବ୍ଦୀର ପ୍ରଥମ ଦଶକରେ ବୈରାଗୀ ବୈଷ୍ଣବଗଣ ସେହି ମୂର୍ତ୍ତି ଭାଙ୍ଗି ଦେବାରୁ ଦଣ୍ଡୀ ସନ୍ନ୍ୟାସୀମାନେ ମନ୍ଦିର ଛାଡ଼ି ଚାଲିଯାଇଥିବା ପ୍ରକାଶ । ୧୮୯୬ ମସିହାରେ ପୁଣି ଥରେ ଭୈରବମୂର୍ତ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ହୋଇଥିଲା ଓ ସେହି ଉଦ୍ଦେଶ୍ୟରେ ‘ଭୈରବୀ ଚକ୍ର’ର ମନ୍ତ୍ର ଜାଣିବା ଲାଗି ଜଣେ ସ୍ମାର୍ତ୍ତ ପଣ୍ଡିତଙ୍କୁ ଚିଠି ଲେଖା ହୋଇଥିଲା ।

 

ଅପର ପକ୍ଷରେ ଯଦିଚ ଦ୍ୱାଦଶ ଶତାବ୍ଦୀର ପ୍ରଥମ ଭାଗରେ ‘ଶ୍ରୀ’ ସଂପ୍ରଦାୟରେ ଆଚାର୍ଯ୍ୟ ରାମାନୁଜ ନୀଳାଚଳକୁ ଆସି ଜଗନ୍ନାଥଙ୍କୁ ବିଷ୍ଣୁ ପ୍ରତିମା ରୂପେ ଅଭିହିତ କଲେ । କିନ୍ତୁ ଅଧ୍ୟାପକ ପ୍ରଭାତ ମୁଖାର୍ଜୀଙ୍କ ମତାନୁସାରେ ଜଗନ୍ନାଥ ପୁରୁଷୋତ୍ତମ ରୂପେ ବହୁ ପୂର୍ବରୁ ପରିଚିତ ଥିଲେ । ଏହାର ସୁସ୍ପଷ୍ଟ ପ୍ରମାଣ ନିମନ୍ତେ ସେ ନିମ୍ନଲିଖିତ ବିଷୟମାନ ଉତ୍‌ଥାପନ କରିଛନ୍ତି ।

 

୧.

୧୧୦୪ର ନାଗପୁର ଶିଳାଲିପିରେ ସମୁଦ୍ର କୂଳରେ ପୁରୁଷୋତ୍ତମଙ୍କ ଉଲ୍ଲେଖ ଅଛି ।

୨.

ତୃତୀୟ ଅନଙ୍ଗଭୀମଙ୍କ ତାମ୍ରଲିପିର ୨୨ ଶ୍ଳୋକରୁ ସୂଚନା ମିଳେ ଯେ, ଗଙ୍ଗ ରାଜତ୍ୱ ପୂର୍ବରୂ ମଧ୍ୟ ପୁରୁଷୋତ୍ତମ ପୂଜିତ ହେଉଥିଲେ । ଏହି ‘ପୁରୁଷୋତ୍ତମ’ କାଳକ୍ରମେ ଜଗନ୍ନାଥ ନାମରେ ଅଭିହତ ହୋଇଥିବା ସେ ପ୍ରକାଶ କରି ନିମ୍ନଲିଖିତ ଯୁକ୍ତିମାନ ବାଢ଼ିଥିଲେ ।

 

(କ)

ଚୋଡ଼ଗଙ୍ଗଙ୍କ ବଂଶଧରମାନଙ୍କ ଶିଳାଲିପି ଓ ତାମ୍ରଲିପିମାନଙ୍କରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ନାମ ଉଲ୍ଲେଖ ନାହିଁ ।

(ଖ)

ମୁରାରି ମିଶ୍ରଙ୍କ ‘ଅନର୍ଘରାଘବ’ ଓ କୃଷ୍ଣ ମିଶ୍ରଙ୍କ ‘ପ୍ରବୋଧ ଚନ୍ଦ୍ରୋଦୟ’ ନାଟକରେ ପୁରୁଷୋତ୍ତମ ମନ୍ଦିରର ଉଲ୍ଲେଖ ରହିଛି । ଏ ନାଟକ ଦ୍ୱୟ ଦଶମ କିମ୍ବା ଏକାଦଶ ଶତାବ୍ଦୀରେ ରଚିତ ହୋଇଥିଲା ।

(ଗ)

ଦ୍ୱାଦଶ ଶତାବ୍ଦୀର ମଧ୍ୟଭାଗରେ କେବଳ ପୁରୁଷୋତ୍ତମ ହିଁ ଅଧୁନା ଜଗନ୍ନାଥ ମନ୍ଦିର ନାମରେ ଖ୍ୟାତ ନବ ନିର୍ମିତ ମନ୍ଦିରରେ (ଚୋଡ଼ଗଙ୍ଗ ଦେବଙ୍କ) ପୂଜିତ ହେଉଥିଲେ ।

(ଘ)

ଜଗନ୍ନାଥଙ୍କ ବେଦୀ ଉପରେ ଏବେ ମଧ୍ୟ ଲକ୍ଷ୍ମୀଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି ।

 

ପ୍ରାଚୀନ ଭାଗବତ - ମତର ତ୍ରୟିବାଦକୁ ଓଡ଼ିଶାର ବୈଷ୍ଣବ ମତବାଦୀଗଣ ଗ୍ରହଣ କରି ବାସୁଦେବ - ସଙ୍କର୍ଷଣ । ଏକାନଂସା, ଏହି ତ୍ରୟ କଳ୍ପନାର ପ୍ରଭାବରେ ଜଗନ୍ନାଥ - ବଳଭଦ୍ର - ସୁଭଦ୍ରା ନାମରେ କଳ୍ପନା କରାଯାଇଥିବା ବିଷୟ ଅଧ୍ୟାପକ ପ୍ରଭାତ ମୁଖାର୍ଜୀ ପ୍ରକାଶ କରିଛନ୍ତି । ଏହାର ପ୍ରମାଣତଃ ସେ ଉଲ୍ଲେଖ କରିଛନ୍ତି ଯେ ତୃତୀୟ ଅନଙ୍ଗ ଭୀମଙ୍କ ପୁରୀ ତାମ୍ରଲିପି (୧୭୭୫)ରେ ହଳୀନ ଚକ୍ରୀନ ଓ ସୁଭଦ୍ରାଙ୍କ ନାମ ରହିଛି । ଅନନ୍ତ ବାସୁଦେବ ମନ୍ଦିର ଶିଳାଲିପି (୧୭୭୮)ରେ ବଳ, କୃଷ୍ଣ ଓ ସୁଭଦ୍ରାଙ୍କ ନାମ ଉଲ୍ଲେଖିତ ହୋଇଛି । ଏଣୁ ତ୍ରୟୋଦଶ ଶତାବ୍ଦୀରେ ମଧ୍ୟ ଜଗନ୍ନାଥ, ବଳରାମ ଓ ସୁଭଦ୍ରାଙ୍କ ନାମ ଚୂଡ଼ାନ୍ତ ହୋଇ ନଥିଲା । ତେଣୁ ଶିଳାଲିପିରେ ବଳରାମ, ସୁଭଦ୍ରାଙ୍କ ସହିତ କୃଷ୍ଣଙ୍କର ନାମୋଲ୍ଲେଖ ଥିଲେ ମଧ୍ୟ ଜଗନ୍ନାଥଙ୍କ ନାମ ରହିଲା ନାହିଁ । ପରେ ପରେ ଜଗନ୍ନାଥଙ୍କ ନାମର ପ୍ରଚଳନ ହେଲା ।

 

ବଳଭଦ୍ରଙ୍କୁ ବଳରାମ ମୂର୍ତ୍ତି କୁହାଯାଏ । କିନ୍ତୁ ଏ ମୂର୍ତ୍ତି ଜଗନ୍ନାଥଙ୍କ ମୂର୍ତ୍ତି ଅନୁକରଣରେ କଳ୍ପିତ ହୋଇଛନ୍ତି । ଶାସ୍ତ୍ରୋକ୍ତ ବଳରାମ ମୂର୍ତ୍ତି ଭିନ୍ନ ଧରଣର । ମଥୁରା ମିଉଜିଅମ୍‌ରେ ଥିବା ବଳରାମ ମୂର୍ତ୍ତି ହଳଧର । କୋଣାର୍କର ବଳରାମ ମୂର୍ତ୍ତି ଉପରେ ଅନନ୍ତ ସର୍ପର ଫଣା ରହିଛି ।

 

ହିନ୍ଦୁ -ମୂର୍ତ୍ତି -ଶାସ୍ତ୍ରରେ ସୁଭଦ୍ରାଙ୍କ ଉଲ୍ଲେଖ ନଥିବାରୁ ଏହାଙ୍କୁ ପରବର୍ତ୍ତୀ ଯୁଗର କଳ୍ପନା କରାଯାଏ । ତ୍ରୟୋଦଶ ଶତାବ୍ଦୀରେ ହିଁ ସୁଭଦ୍ରାଙ୍କ ନାମର ପ୍ରଥମ ଉଲ୍ଲେଖ ରହିଛି ।

 

ଅନେକଙ୍କ ମତାନୁସାରେ ଭୁବନେଶ୍ଵରର ଅନନ୍ତ ବାସୁଦେବ ମନ୍ଦିରରେ ବୈଷ୍ଣବ ମତର ଏକାନଂସାଙ୍କୁ ପରେ ସୁଭଦ୍ରା ନାମରେ ନାମିତ କରାଗଲା ।

 

ବିବର୍ତ୍ତନରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ

ଜର୍ମାନ୍‌ର ଗବେଷକବୃନ୍ଦ ଏ.ଏସ୍‌.ମାନ୍‌. ଓ ଡକ୍ଟର ହର୍ମାନ୍‌ କୁଲ୍‌କେ ତଥା ଭାରତୀୟ ଗବେଷକ, ଏଲାହାବାଦ ଗଙ୍ଗାନାଥ ଝା ଇନ୍‌ଷ୍ଟିଚ୍ୟୁଟ୍‌ର ଡିରେକ୍ଟର ଡକ୍ଟର ବି.ସି. ତ୍ରିପାଠୀଙ୍କ ମତାନୁସାରେ ଜଗନ୍ନାଥ ପ୍ରଥମେ ନୃସିଂହ ରୂପେ ପୂଜିତ ହେଉଥିଲେ । ‘The Cult of Jagannatha and Regional tradition of Orissa’ ରେ ସେମାନେ ନିମ୍ନଲିଖିତ ମତାମତ ପୋଷଣ କରିଛନ୍ତି ।

 

ନରସିଂହଙ୍କ ପୂଜା ପ୍ରାଚୀନ କାଳରୁ ହୋଇ ଆସୁଛି । ଆନ୍ଧ୍ର ଉପକୂଳରେ ଏକ ପ୍ରାଚୀନତମ ନରସିଂହ ମୂର୍ତ୍ତି ମିଳିଛି । ଏହା ନରସିଂହଙ୍କର ଗିରିଜ ରୂପ । କିମ୍ବଦନ୍ତୀ ଅନୁଯାୟୀ ନରସିଂହ ଗିରିଜା ପର୍ବତରେ ଜନ୍ମଗ୍ରହଣ କରିଥିଲେ । ଗିରିରେ ଜନ୍ମିତ ତାଙ୍କର ଉଗ୍ରରୂପ ଆଦିବାସୀ ଜନସମାଜକୁ ନିଶ୍ଚିତ ଭାବେ ପ୍ରଭାବିତ କରିଥିବ । ଆନ୍ଧ୍ର ଉପକୂଳରୁ ବୈଷ୍ଣବଧର୍ମର ପ୍ରବାହରେ ଏହି ନରସିଂହ ରୂପ ଓ ନରସିଂହ ପୂଜା ଓଡ଼ିଶାରୁ ଆସିଥିବ ।

 

ଓଡ଼ିଶାର ଶୈବ ରାଜାମାନେ ଯେ ନରସିଂହ ପୂଜାର ବିରୋଧ କରିନଥିଲେ ଏହାର ଉଦାହରଣ ହେଉଛି, ଭୁବନେଶ୍ଵରରେ ଲିଙ୍ଗରାଜ ମନ୍ଦିର ବେଢ଼ାରେ ଲକ୍ଷ୍ମୀ-ନୃସିଂହଙ୍କ ପୂଜା ଏବେ ମଧ୍ୟ ସିଂହନାଥ ମନ୍ଦିରରେ ନୃସିଂହସିଂହ - ମୁଖ ହେଲେ ମଧ୍ୟ ତ୍ରିଶୁଳଧାରୀ ଶିବ ରୂପେ ବିଦ୍ୟମାନ, ତେଣୁ ମୂର୍ତ୍ତିର ବିବର୍ତ୍ତନ ଦୃଷ୍ଟିରୁ ଆଦିବାସୀ ଦେବତା ନୃସିଂହ ହୋଇ ପରେ ଜଗନ୍ନାଥରେ ପରିଣତ ହେବା ଅଧିକ ବିଶ୍ଵାସ ଯୋଗ୍ୟ ।

 

ଏବେ ମଧ୍ୟ ଜଗନ୍ନାଥ ମନ୍ଦିର ଭିତରେ ଗର୍ଭଗୃହ ସମ୍ମୁଖରେ ଠିଆ ହେଲେ ଗୋଟିଏ ସିଂହାସନରେ ତ୍ରିମୂର୍ତ୍ତି ପରିଷ୍କାର ଭାବେ ଦୃଶ୍ୟ ହୁଅନ୍ତି । ଗୋଟିଏ ମୂର୍ତ୍ତିର କିଛି ଅଂଶ ଘୋଡ଼ାଇ ହେବା ପରି ଲାଗେ । ଚୋଡ଼ଗଙ୍ଗଙ୍କ ଦ୍ୱାରା ମନ୍ଦିର ନିର୍ମାଣ, ବର୍ଣ୍ଣନାରେ ମଧ୍ୟ ପୁରୁଷୋତ୍ତମ ଓ ଲକ୍ଷ୍ମୀଙ୍କ ପାଇଁ ଏହା ନିର୍ମିତ ବୋଲି ବର୍ଣ୍ଣିତ ରହିଛି ।

 

ପୁନଶ୍ଚ, ଆଚାର୍ଯ୍ୟ ରାମାନୁଜଙ୍କ ପରେ ପରେ ଜଗନ୍ନାଥଧର୍ମରେ ବୈଷ୍ଣବ ପ୍ରାଧାନ୍ୟ ପ୍ରତିଷ୍ଠିତ ହେଲା । ଏହା ସହ ମନ୍ଦିରରେ ପଞ୍ଚରାତ୍ର ପଦ୍ଧତିର ପ୍ରଚଳନ ଘଟିଲା । ‘ପଞ୍ଚରାତ୍ର ପଦ୍ଧତି’ ରେ କୃଷ୍ଣଙ୍କର ଭଉଣୀ ଏକାନଂସା ଓ ଭାଇ ବଳଦେବଙ୍କ ବିଷୟରେ ଉଲ୍ଲେଖିତ ରହିଛି ।

 

ଚୋଡ଼ଗଙ୍ଗ ରାମାନୁଜଙ୍କ ସମସାମୟିକ, ସେ ଦୁଇଟି ମୂର୍ତ୍ତି ପାଇଁ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ । ପରେ ପରେ କୃଷ୍ଣଭକ୍ତିର ପ୍ରାଧାନ୍ୟ ପ୍ରତିଷ୍ଠିତ ହେବା ପରେ ବଳଭଦ୍ରଙ୍କୁ ତୃତୀୟ ଦେବତା ରୂପେ ସ୍ଥାପନ କରାଯାଇଥିବା ସମ୍ଭବ ।

 

ପଞ୍ଚରାତ୍ର ପଦ୍ଧତିର ଆହିବ୍ୟୁଧ୍ନ୍ୟ ସଂହିତାରେ ବିଷ୍ଣୁ ଅସୁରମାନଙ୍କ ବିନାଶ ପାଇଁ ସୁଦର୍ଶନ ରୂପ ଧାରଣ କରିଥିଲେ ବୋଲି କୁହାଯାଇଛି । ଏହା ବିଷ୍ଣୁଙ୍କର ଉଗ୍ରରୂପ ଓ କ୍ରିୟାଶକ୍ତି । ନୃସିଂହଙ୍କୁ ମଧ୍ୟ ବିଷ୍ଣୁଙ୍କର ଉଗ୍ରରୂପ କୁହାଯାଏ । ଏଣୁ ସୁଦର୍ଶନ ଓ ନୃସିଂହଙ୍କ ମଧ୍ୟରେ ସାମଂଜସ୍ୟ ରହିଛି । ନୃସିଂହଙ୍କୁ ସୁଦର୍ଶନ ଯନ୍ତ୍ରରେ ବସାଇ ଉପାସନା କରିବାର ବିଧି ଆହିବ୍ୟୁଧ୍ନ୍ୟ ପଦ୍ଧତିର ସଂହିତାରେ ବର୍ଣ୍ଣିତ ରହିଛି ।

 

କାଞ୍ଚିପୁରମ୍‌ ବରଦାରାଜ ମନ୍ଦିରରେ ନୃସିଂହଙ୍କ ମୂର୍ତ୍ତି ପଛଭାଗରେ ସୁଦର୍ଶନ ମୂର୍ତ୍ତି ରହିଛି । ଏଣୁ ସୁଦର୍ଶନ ନୃସିଂହଙ୍କର ପ୍ରତୀକ ସ୍ଵରୂପ । ଜଗନ୍ନାଥ ଓ ନୃସିଂହଙ୍କ ପ୍ରତୀକ ରୂପେ ସୁଦର୍ଶନ ଏକଦା ଚଳନ୍ତି ପ୍ରତିମା ଥିବାର ଅନୁମାନ କରାଯାଏ । ଏବେ ମଧ୍ୟ ସୁଦର୍ଶନଙ୍କୁ କେତେକ କ୍ଷେତ୍ରରେ ଏକାକୀ ମନ୍ଦିରରୁ ବାହାରକୁ ନିଆଯାଇଥାଏ ।

 

ତ୍ରିମୂର୍ତ୍ତିଙ୍କ ପ୍ରତିଷ୍ଠା :

ତ୍ରୟୋଦଶ ଶତାବ୍ଦୀରେ ଅନଙ୍ଗଭୀମ ଦେବଙ୍କ ସମୟରେ ଜଗନ୍ନାଥ ଆଦି ତ୍ରିମୂର୍ତ୍ତିଙ୍କ ପ୍ରାଧାନ୍ୟ ଥିବା ଜଣାଯାଏ । ୧୨୩୭ ଖ୍ରୀ:ଅରେ ପାତାଳେଶ୍ଵର ମନ୍ଦିରର ଅଭିଲେଖାନୁଯାୟୀ ହଳୀ (ବଳରାମ), ଚକ୍ରୀ (କୃଷ୍ଣ) ଓ ସୁଭଦ୍ରାଙ୍କର ପ୍ରଶଂସା କରାଯାଇଛି । ୧୨୭୮ ଖ୍ରୀ:ଅରେ ଅନଙ୍ଗଭୀମ ଦେବଙ୍କ କନ୍ୟା ଭୁବନେଶ୍ଵରର ଅନନ୍ତ ବାସୁଦେବ ମନ୍ଦିରକୁ ବଳରାମ, କୃଷ୍ଣ ଓ ସୁଭଦ୍ରାଙ୍କୁ ସମର୍ପଣ କରିଛନ୍ତି ।

 

ଅନଙ୍ଗଭୀମ ଦେବ ଜଗନ୍ନାଥଙ୍କୁ ରାଷ୍ଟ୍ରଦେବତା ରୂପେ ଘୋଷଣା କରି ତାଙ୍କର ସାମ୍ରାଜ୍ୟକୁ ଜଗନ୍ନାଥଙ୍କ ଉତ୍ସର୍ଗ କରିଛନ୍ତି (୧୨୩୦ ଖ୍ରୀ :ଅ) ଓ ନିଜକୁ ତାଙ୍କର ପୁତ୍ର ଓ ରାଉତ (ପ୍ରତିନିଧି) ରୂପେ ଘୋଷଣା କରିଛନ୍ତି ।

 

ଏଥିରୁ ଜଣାଯାଏ ଯେ, ୧୨୩୦ ଖ୍ରୀ:ଅରେ ତ୍ରିମୂର୍ତ୍ତିଙ୍କର ନବନିର୍ମିତ ମନ୍ଦିରରେ ପ୍ରତିଷ୍ଠା କରାଯାଇଛି ଓ ତାପରେ ଏପର୍ଯ୍ୟନ୍ତ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପୂଜା ପାଇ ଆସୁଛନ୍ତି । (୯)

 

(୯)

ଭାଗୀରଥି ନେପାକ, ଜଗତର ନାଥ ଶ୍ରୀଜଗନ୍ନାଥ, ୧୯୮୨, କଟକ - ପେ. ୯୩-୧୦୦

 

ଅପର ପକ୍ଷରେ ‘ଶ୍ରୀଚୈତନ୍ୟ’ଙ୍କ ମତାନୁସାରେ ଶ୍ରୀ ଜଗନ୍ନାଥ ହିଁ ସାକ୍ଷାତ୍‌ ବ୍ରଜେନ୍ଦ୍ର ନନ୍ଦନ ଶ୍ରୀକୃଷ୍ଣ । ରାଜା ପ୍ରତାପରୁଦ୍ରଙ୍କ ସମୟରେ ଜଗନ୍ନାଥଙ୍କ ନିକଟରେ ସଂକୀର୍ତ୍ତନ ହେଉଥିଲା । ବ୍ରିନ୍ଦାବନେ ଛିଲେନ୍‌ କ୍ରିଷ୍ଣ ଆଚ୍ଛେନ୍‌ ନୀଳାଚଲେ । ସଂଙ୍କୀର୍ତ୍ତାନାଚାର୍ଯ୍ୟ ‘ଶ୍ରୀ ବାସୁଦେବ ଦାସ’ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣ ବୋଲି ସ୍ଵୀକାର କରି ସଂକୀର୍ତ୍ତନ ସ୍ଵର ମୂଚ୍ଛର୍ନାରେ ଭାବ ବିଭୋର ହୋଇ ଗାଇ ଉଠିଥିଲେ - ‘ବାସୁଦେବ ଦାସ ବୋଲେ ତୋଲି ବେନିହାଥ । ନେଇ ଗୋରା ସେହି କ୍ରିଷ୍ଣ ସେଇ ଜଗନ୍ନାଥ' । ଭକ୍ତ ସାଲବେଗଙ୍କ ମତାନୁସାରେ ଶ୍ରୀଜଗନ୍ନାଥ ହିଁ ବୌଦ୍ଧ ଅବତାର, ଏଣୁ ତାଙ୍କ ଜଣାରେ - ନୀଳାଚଳେ ବିଜେ କଲ ବୌଦ୍ଧ ଅବତାରେଣ । ବେନିଭୁଜ ଟେକି ପ୍ରଭୁ ଯାଚୁଅଛି ଶରଣ, ଆହେ ନୀଳ ଶୈଳ ।

 

‘ରାମକୃଷ୍ଣ ପରମହଂସ’ ଙ୍କ ମତାନୁସାରେ ସର୍ବଧର୍ମ ସମନ୍ୱୟର ପ୍ରତୀକ ଓ ସମସ୍ତ ଜାତିର ମହାପ୍ରଭୁ ହିଁ ଶ୍ରୀଜଗନ୍ନାଥ । ସେ ଜଗନ୍ନାଥଙ୍କୁ ପରଂବ୍ରହ୍ମ ମନେକରି ଶ୍ରୀମନ୍ଦିରକୁ ଯାଇ ଦର୍ଶନ କରିବା ପାଇଁ ଉଚିତ୍‌ ମନେ କରୁନଥିଲେ । ତାଙ୍କର ଇହଲୀଳା ସମ୍ବରଣ ପରେ ପରେ ତାଙ୍କର ପତ୍ନୀ ‘ଶାରଦା ଦେବୀ’ ପତିଙ୍କର ଫଟୋ (ଚିତ୍ର) ନେଇ ଜଗନ୍ନାଥଙ୍କୁ ଦର୍ଶନ ଉଦ୍ଦେଶ୍ୟରେ ଆସିଥିଲେ । କିନ୍ତୁ ସେ ଜଗନ୍ନାଥଙ୍କ ମଧ୍ୟରେ ଶିବ ବିଶ୍ଵନାଥଙ୍କ ରୂପ ଦର୍ଶନ କରିବାକୁ ପାଇଲେ । ବାବାଜୀ ‘ରାମକୃଷ୍ଣ ଦାସ’ଙ୍କ ମତାନୁସାରେ ଶ୍ରୀଜଗନ୍ନାଥ ହେଉଛନ୍ତି ସତ୍‌, ଚିତ୍‌, ଆନନ୍ଦ ପୂର୍ଣ୍ଣବ୍ରହ୍ମ, ପୁରୁଷୋତ୍ତମ ତତ୍ତ୍ୱର ପ୍ରତୀକ । ଏହିଭଳି ନାନା ମହାପୁରୁଷଙ୍କ ଦୃଷ୍ଟିଭଙ୍ଗୀରେ ଶ୍ରୀଜଗନ୍ନାଥ ବ୍ରହ୍ମରୂପୀ ।

 

ସେହିଭଳି ସାଂପ୍ରଦାୟିକ ମତାନୁସାରେ ମଧ୍ୟ ଶ୍ରୀଜଗନ୍ନାଥ ବିଭିନ୍ନ ରୂପେ ସର୍ବ ସଂପ୍ରଦାୟ ସ୍ଵୀକୃତ । ବୈଷ୍ଣବମାନଙ୍କ ମତାନୁସାରେ ଶ୍ରୀଜଗନ୍ନାଥ ବିଷ୍ଣୁ, ଶୈବମାନଙ୍କ ମତରେ ଶ୍ରୀବଳଭଦ୍ର ଶିବ ଓ ସୁଭଦ୍ରା ହିଁ ଶକ୍ତି, ଯୋଗୀମାନଙ୍କ ମତରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା - ଇଡ଼ା, ପିଙ୍ଗଳା, ସୁଷମ୍ନା ଭାବେ ପରିକଳ୍ପିତ । ବୌଦ୍ଧ ମତାନୁସାରେ ଜଗନ୍ନାଥ - ବଳଭଦ୍ର - ସୁଭଦ୍ରା, ବୁଦ୍ଧ - ସଂଘ ଓ ଧର୍ମ ରୂପରେ ପରିପ୍ରକାଶିତ । ଜୈନ ମତାନୁସାରେ ଶ୍ରୀ ଜଗନ୍ନାଥହିଁ ଜୈନଧର୍ମମୂର୍ତ୍ତିର ପ୍ରତୀକ । ତାଙ୍କର ତ୍ରିରତ୍ନ ମୂର୍ତ୍ତି ସହିତ ଶ୍ରୀଜଗନ୍ନାଥଙ୍କର ପୂର୍ବମୂର୍ତ୍ତି ନୀଳମାଧବଙ୍କର ସାମ୍ୟ ପରିଦୃଷ୍ଟ ହୁଏ । ‘ବ୍ରାହ୍ମଣ୍ୟ’ ମତରେ ଶ୍ରୀ ଜଗନ୍ନାଥ ହେଉଛନ୍ତି ବୈଦିକ ଦେବତା ଓ ପୂର୍ଣ୍ଣବ୍ରହ୍ମ । ଶାବର ମତରେ ଶ୍ରୀଜଗନ୍ନାଥ ଅଟନ୍ତି ଶବର ଦେବତା । ଏଣୁ ଦଇତା ପତିମାନେ ଶବର ଜାତିର ବଂଶଧର ହୋଇଥିବାରୁ ସେମାନେ ଜଗନ୍ନାଥଙ୍କର କୁଟୁମ୍ବ ସ୍ଵରୂପ ସେବା ପୂଜାଦି କରିଥାନ୍ତି ।

 

ଏହିଭଳି ବିଭିନ୍ନ ଦୃଷ୍ଟିଭଙ୍ଗୀରେ ଶ୍ରୀଜଗନ୍ନାଥଙ୍କର ଭିନ୍ନ ଭିନ୍ନ ରୂପ ପରିଦୃଷ୍ଟ ହୋଇଥାଏ । ପ୍ରଭୁଙ୍କର ରୂପ ଭିନ୍ନ ହେଲେ ମଧ୍ୟ ସେ ଅଭିନ୍ନ । ବାସ୍ତବିକ୍‌, କହିବାକୁ ଗଲେ ଶ୍ରୀଜଗନ୍ନାଥଙ୍କର ହସ୍ତରେ ଥିବା ଶଙ୍ଖ ସଂସାରରେ ପ୍ରାଣୀକୁ ଆହ୍ୱାନ କରେ ବା ସୃଷ୍ଟି କରେ । ଚକ୍ର ପ୍ରାଣୀଙ୍କୁ ସଂହାର କରେ । ଏଣୁ ଶ୍ରୀଜଗନ୍ନାଥ ସୃଷ୍ଟି ଓ ସଂହାର କର୍ତ୍ତା, ସୁଭଦ୍ରା ସାକ୍ଷାତ ଶକ୍ତି ଅର୍ଥାତ୍‌ ଅତି ପ୍ରାକୃତିକ ଶକ୍ତି ହୋଇଥିବା ହେତୁ ଆତ୍ମଶକ୍ତି ବା ପ୍ରାଣଶକ୍ତି ପ୍ରଦାୟିନୀ । ସେ ପ୍ରାଣଦାନ କରିବା ଦ୍ୱାରା ସଂସାରରେ ପ୍ରାଣୀର ସ୍ଥିତି ବଜାୟ ରହେ । ବଳଭଦ୍ରଙ୍କର ହସ୍ତରେ ଥିବା ହଳଲଙ୍ଗଳହିଁ କୃଷିବିଦ୍ୟାର ପ୍ରତୀକ । ଏଣୁ ବଳଦେବହିଁ କୃଷି ଦେବତା । ଏହାଙ୍କ କୃପାରୁ କୃଷି ଉତ୍ପାଦନରେ ଉନ୍ନତି ସାଧନ ହୋଇ ପ୍ରାଣିଙ୍କୁ ପ୍ରଚୁର ଖାଦ୍ୟ ଭକ୍ଷଣ କରିବାକୁ ମିଳିଥାଏ । ଏଣୁ ସଂକ୍ଷେପରେ କହିବାକୁ ଗଲେ ବଳଭଦ୍ର କୃଷି ଦେବତା, ସୁଭଦ୍ରା ପ୍ରାଣଦାତ୍ରୀ ଓ ଶ୍ରୀ ଜଗନ୍ନାଥ ସୃଷ୍ଟି ଓ ସଂହାର କର୍ତ୍ତା ଭାବରେ ଆରାଧ୍ୟ । ସେ ହେଉଛନ୍ତି ସର୍ବଧର୍ମ, ସର୍ବ ସଂପ୍ରଦାୟ, ସର୍ବଗ୍ରନ୍ଥ, ସର୍ବଜନ ସ୍ଵୀକୃତ । ବାସ୍ତବରେ ଶ୍ରୀଜଗନ୍ନାଥ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ, ସଂପ୍ରଦାୟ ଅଥବା ଧର୍ମମତର ଦେବତା ନୁହଁନ୍ତି । ସେ ହେଉଛନ୍ତି ମାନବ ସଂସ୍କୃତିର ଏକ ଉତ୍ସ । ପୁନଶ୍ଚ, ଶ୍ରୀଜଗନ୍ନାଥ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଦୃଷ୍ଟିଭଙ୍ଗୀରେ ସ୍ଵାଭିଳଷିତ ରୂପେ ବିଦ୍ୟମାନ । ଏଣୁ ଜଗନ୍ନାଥ ସଂସ୍କୃତିରେ ସର୍ବଧର୍ମ ସମନ୍ୱୟର ସାମ୍ୟ, ମୈତ୍ରୀ ଓ ପ୍ରୀତି ସନାତନ ଧର୍ମ ଓ ନୀତି ଆଦି ବିଭିନ୍ନ ମାନବୀୟ ମୂଲ୍ୟବୋଧକତା ଦେଖାଦେଇଥାଏ । ଏହି ଜଗନ୍ନାଥ ସଂସ୍କୃତି ଯଦିଚ ଅନ୍ୟ କେତେକ ଧର୍ମଦ୍ୱାରା ଆକ୍ରମିତ ହୁଏ ତେବେ ହେଁ ସଦାସର୍ବଦା ସେ ଉଜ୍ଜୀବିତ ହୋଇ ରହିଥିବ ଏବଂ ଏହାର ତୁଳନୀୟ ଅନ୍ୟ କୌଣସି ଧର୍ମ ହୋଇ ନପାରେ ଓ ସାରା ଜଗତକୁ ଏହି ଧର୍ମ ହିଁ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରି ଚାଲିଥିବ ଯଦ୍ଦ୍ୱାରା ଏହାର ମୂଳଭିତ୍ତି ବାସ୍ତବରେ ବହୁ ଭାବରେ ବଜାୟ ରହିଛି ଓ ରହିଥିବ ମଧ୍ୟ-। ଜୟ ଜଗତର ନାଥ ଜଗନ୍ନାଥ ।

 

 

ଇତିହାସ ବିଭାଗ

ଉତ୍କଳ ବିଶ୍ଵବିଦ୍ୟାଳୟ

ବାଣୀବିହାର

 

***

 

Unknown

ଓଡ଼ିଶାର ଲୋକଧର୍ମ ଓ ଲୋକବିଶ୍ୱାସ

ଡକ୍ଟର ରବିନାରାୟଣ ଦାଶ

 

ଓଡ଼ିଶା, ଓଡ଼ିଆ ଭାଷା ବ୍ୟବହାର କରୁଥିବା ଏକ ବ୍ୟାପକ ଅଞ୍ଚଳ । ଏହାକୁ ସୀମା-କମିଶନଙ୍କ ନିର୍ଦ୍ଧାରିତ ସୀମା ମଧ୍ୟରେ, ଅନ୍ତତଃ ସାଂସ୍କୃତିକ ଦୃଷ୍ଟିକୋଣରୁ ସଂକୁଚିତ କରାଯାଇ ପାରିବ ନାହିଁ । ତେଣୁ ସଂସ୍କୃତି ଅଥବା ଧର୍ମ ଓ ବିଶ୍ଵାସ ଦୃଷ୍ଟିରୁ ଆଲୋଚନା କଲାବେଳେ ତାହାକୁ ଏହି ସୀମା ପରିସରରୁ ଓଡ଼ିଆମାନେ ବସବାସ କରୁଥିବା ଅଥଚ ମୂଳ ଭୂଖଣ୍ଡରୁ ବିଚ୍ଛିନ୍ନ ଭାବରେ ଥବା ପରିସୀମାଯାଏଁ ଅର୍ଥାତ୍‌ ଉପାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ଛୁଇଁବାକୁ ପଡ଼ିବ । ତେଣୁ ଏହି ବ୍ୟାପକ ପରିସର ମଧ୍ୟରେ ବିକଶିତ ଲୋକଧର୍ମ ଓ ଲୋକବିଶ୍ଵାସ ଓଡ଼ିଶାର ଲୋକଧର୍ମ ଓ ଲୋକବିଶ୍ଵାସର ଅନ୍ତର୍ଗତ ହେବ ।

 

ଧର୍ମ ଏକ ଆପେକ୍ଷିକ ଶବ୍ଦ । ଏହା ବିଶ୍ଵାସ, ଚଳଣି ଓ ପ୍ରବୃତ୍ତି ଆଦି ନେଇ ବ୍ୟକ୍ତି ଭେଦରେ ପୃଥକ୍‌ ହୋଇଥାଏ । ଆଉମଧ୍ୟ ଗୋଷ୍ଠୀ ଓ ସାମୂହିକ ଦୃଷ୍ଟିରୁ ତାହା ସ୍ଵତନ୍ତ୍ର ଅଥବା ଏକ ହୋଇପାରେ । ସେଥିରେ ମଧ୍ୟ ପାର୍ଥକ୍ୟର ସୂଚନା ମିଳେ, ଯାହାକି ଅଞ୍ଚଳ ଭେଦରେ ଅଥବା ଦାର୍ଶନିକ ମତ ବ୍ୟାଖ୍ୟାରେ ଭିନ୍ନ ଦୃଷ୍ଟିକୋଣ ପ୍ରଖ୍ୟାପନରୁ ହେବା ସ୍ଵାଭବିକ୍‌ । ମାତ୍ର ସାଧାରଣ ଭାବରେ ଧର୍ମର ଦୁଇଟି ଧାରା ରହିଛି । ଗୋଟିଏ ଲୋକ-ଆଚରିତ ମାନବଧର୍ମ ଓ ଅନ୍ୟଟି ଲୋକ ଆଚରଣକୁ ମାର୍ଜିତ କରିବା ନିମନ୍ତେ ତା ଉପରେ ନିୟନ୍ତ୍ରଣ ପ୍ରୟୋଗ କରୁଥିବା ବିବିଧ ନୀତି ଉପରେ ପର୍ଯ୍ୟବସିତ ଧର୍ମସମୂହ । ଲୋକ ଆଚରିତ ମାନବଧର୍ମକୁ ଜୀବଧର୍ମ ରୂପେ ବ୍ୟାଖ୍ୟା କରାଯାଇ ପାରେ । ଏହା ଆହାର, ନିଦ୍ରା, ଭୟ ଓ ମୈଥିନକୁ ଆଶ୍ରୟ କରି ଗଢ଼ି ଉଠିଥାଏ । କିନ୍ତୁ ମନୁଷ୍ୟର ସାମାଜିକତା ଅର୍ଥାତ୍‌ ତାର ପରିବାର, ଜ୍ଞାତି, ବନ୍ଧୁ ଓ ଅନ୍ୟାନ୍ୟ ! ମାନବ ଏବଂ ମାନବେତର ଗୋଷ୍ଠୀ ସହ ବ୍ୟବହାର ତାହାର ପ୍ରକୃତ ଧର୍ମ ଅଟେ । ସେହିପରି ମନୁଷ୍ୟେତର ପ୍ରାଣୀଙ୍କଠାରୁ ନିଜର ଖାଦ୍ୟ, ସୁରକ୍ଷା ଓ ଆବଶ୍ୟକ ସହଯୋଗିତା ଗ୍ରହଣ ଓ ପ୍ରକୃତି ସହିତ ସଂପର୍କ ମଧ୍ୟ ମାନବର ଧର୍ମ ପରିସରଭୁକ୍ତ ହୁଏ । ଏହା ବ୍ୟକ୍ତି ବିଶେଷ କ୍ଷେତ୍ରରେ ଯେପରି, ଗୋଷ୍ଠୀ ଓ ସାର୍ବଜନୀନ କ୍ଷେତ୍ରରେ ମଧ୍ୟ ସେହିପରି ପ୍ରଯୁଜ୍ୟ ଅଟେ । ଏହି ସାର୍ବଜନୀନତାହିଁ ଲୋକ ପଦବାଚ୍ୟ ହୁଏ । ସେଥିରେ ବ୍ୟକ୍ତି ବିଦ୍ୟମାନ ଥିଲେ ସୁଦ୍ଧା ତାର ଅସ୍ତିତ୍ୱ ଅଜ୍ଞାତ ଅଥବା ଲୁକ୍କାୟିତ ରହେ । ତେଣୁ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ଅଥବା ଆଚରିତ ଧର୍ମ ଅର୍ଥାତ୍‌ ଚଳଣି ହିଁ ଲୋକଧର୍ମର ମର୍ଯ୍ୟାଦା ଲାଭ କରିଥାଏ । ଲୋକଧର୍ମର ଉତ୍ପତ୍ତି ବ୍ୟକ୍ତି, ଗୋଷ୍ଠୀ ଓ ଅଞ୍ଚଳ ଭିତ୍ତିକ ହୋଇଥିବାରୁ ଅନେକ କ୍ଷେତ୍ରରେ ତାହା ସାମଗ୍ରିକ ଧର୍ମ ବିଶ୍ଵାସ ହୋଇନଥାଏ । ତଥାପି ତାହା ଲୋକଭିତ୍ତିକ ଅଟେ । ସେଥିପାଇଁ ଏହି ଲୋକଧର୍ମର ବିଭିନ୍ନ ରୂପ ଏବଂ ଏହାର ବ୍ୟାପ୍ତି ରେ ତାରତମ୍ୟ ଓ ସ୍ଵାତନ୍ତ୍ର୍ୟ ପରିଲିକ୍ଷିତ ହୁଏ । ଓଡ଼ିଶାରେ ପ୍ରଚଳିତ ଥିବା ଲୋକଧର୍ମ ଏହି ଦୃଷ୍ଟିକୋଣରୁ ଆଲୋଚିତ ହୋଇପାରେ । ଲୋକଧର୍ମର ଏକ ବିଶେଷ ଲକ୍ଷଣ ହେଉଛି ଏଥିରେ ପୁରୋହିତମାନଙ୍କର କୌଣସି ଭୂମିକା ନଥାଏ ଅଥବା ତାହାର ଆବଶ୍ୟକତା ନଗଣ୍ୟ ହୋଇଥାଏ । କିନ୍ତୁ ଆଦିବାସୀଙ୍କ ଲୋକଧର୍ମ ଏକ ସାମଗ୍ରିକ ଧର୍ମର ସତ୍ତା ବହନ କରିଥିବାରୁ ସେଥିରେ ପୁରୋହିତର ଆବଶ୍ୟକତା ଉପଲବ୍‌ଧ ହୁଏ ।

 

ଓଡ଼ିଶାରେ ପ୍ରଚଳିତ ଲୋକଧର୍ମ ବା ଲୋକଧର୍ମମାନଙ୍କର ବ୍ୟାପ୍ତିରୁ ସେଗୁଡ଼ିକୁ ଆଦିବାସୀ ଓ ଅଣ-ଆଦିବାସୀ ଏପରି ଦୁଇଟି ବିଭାଗରେ ବିଭକ୍ତ କରାଯାଇପାରେ । ଆଦିବାସୀଙ୍କ ଲୋକଧର୍ମ ଯୁକ୍ତି ହୀନ ପ୍ରଗାଢ଼ ବିଶ୍ଵାସ ତଥା ବ୍ୟାପକ ବଳି ପ୍ରଥାରେ ପ୍ରକାଶ ପାଏ । ଏଗୁଡ଼ିକ ଗୋଷ୍ଠୀ ଭେଦରେ ବିଭିନ୍ନ ରୂପରେ ଦେଖାଦିଏ । ସେଗୁଡ଼ିକ ଏକ ପକ୍ଷରେ ପରିବାର ଓ କୁଟୁମ୍ବ ସହିତ ଜଡ଼ିତ ଓ ଅନ୍ୟ ପକ୍ଷରେ ଜୀବନଧାରଣ ନିମନ୍ତେ ଉଦ୍ଦିଷ୍ଟ ପାରମ୍ପରିକ କର୍ମଭିତ୍ତିକ ଅଟେ । ପରିବାର ସହିତ ସଂପୃକ୍ତ ଧର୍ମ ଜନ୍ମ, ବିବାହ ଓ ମୃତ୍ୟୁ ଜନିତ । କିନ୍ତୁ ଅନ୍ୟଟି ଖାଦ୍ୟ ସଂଗ୍ରହ, ଶିକାର, କୃଷି ଆଦି ସହ ସଂଶ୍ଳିଷ୍ଟ । ଏଗୁଡ଼ିକୁ ସ୍ଵତନ୍ତ୍ର ଭାବରେ ସ୍ଥୂଳତଃ ଆଲୋଚନା କରାଯାଇ ପାରେ ।

 

ଆଦିବାସୀମାନେ ସେମାନଙ୍କ ପରିବାରର ଆଗନ୍ତୁକ ଅତିଥିର ସ୍ଵାଗତ ନିମନ୍ତେ ଯେଉଁ ପ୍ରସ୍ତୁତିପର୍ବ ପାଳନ କରନ୍ତି ସେଗୁଡ଼ିକ ଗୋଷ୍ଠୀଭେଦରେ କେତେକ ପରିମାଣରେ ପୃଥକ୍‌ ଥିଲେ ମଧ୍ୟ ସାଧାରଣତଃ ସ୍ତ୍ରୀ ଅନ୍ତସତ୍ତ୍ଵା ହେବାଠାରୁ ଆରମ୍ଭ ହୋଇଥାଏ । ଉଦାହରଣ ସ୍ଵରୂପ କନ୍ଧମାନଙ୍କ ପରିବାରରେ ପିଲା ଜନ୍ମ ହେବାର ଏକମାସ ପୂର୍ବରୁ ଦମ୍ପତି ସ୍ତ୍ରୀର ବାପଘରକୁ ଯାଇ ପ୍ରତିକ୍ଷିତ ସନ୍ତାନ ନିମନ୍ତେ ଖେଳଣା, ଧନୁଶର ଆଦି ଆଣନ୍ତି । ପିଲାଜନ୍ମ ପରେ ପ୍ରାୟ ସବୁ ଗୋଷ୍ଠୀ ଅଶୌଚ ପାଳନ କରନ୍ତି । ଅଶୌଚର ଅବଧି ଗୋଷ୍ଠୀ ଭେଦରେ ତିନି ଦିନରୁ ଏକମାସ ବ୍ୟାପି ହୋଇଥାଏ ଏବଂ ତୃତୀୟ, ପଞ୍ଚମ, ଦଶମ ତଥା ଦ୍ୱାଦଶ ଦିବସରେ ପ୍ରାୟ ଅଶୌଚର ପରିସମାପ୍ତି ହୁଏ । ସାଧରଣତଃ ନବଜାତ ସନ୍ତାନକୁ ଆଦିବାସୀମାନେ ଦମ୍ପତିଙ୍କ ପିତା ବା ମାତାର ଆମ୍ମା ତଥା ତାଙ୍କର ପୁନର୍ଜନ୍ମ ରୂପେ ଗ୍ରହଣ କରିଥାନ୍ତି । ସେଥିପାଇଁ ସେମାନଙ୍କ ନାମକରଣ ବେଳେ ସେହି ନାମମାନ ଅଥବା ସେମାନଙ୍କ ଅନ୍ୟାନ୍ୟ ପୂର୍ବପୁରୁଷଙ୍କ ନାମକୁ ବିଚାରକୁ ନେଇଥାନ୍ତି । ଆଉମଧ୍ୟ ବଣ୍ଡା ପ୍ରଭୃତି କେତେକ ଗୋଷ୍ଠୀରେ ବିଶେଷତଃ ବାରର ନାମ ସନ୍ତାନମାନଙ୍କ ନାମ ରୂପେ ପ୍ରଦତ୍ତ ହୋଇଥାଏ । ଜନ୍ମିତ ସନ୍ତାନମାନଙ୍କର ନାମକରଣ ଏବଂ ଅନ୍ୟାନ୍ୟ କେତେକ କର୍ମ ସଂପାଦନ ନିମନ୍ତେ ସେମାନେ ଯେଉଁ ପୁରୋହିତ ବା ସମାଜର ବୟସ୍କମାନଙ୍କ ସାହାଯ୍ୟ ନିଅନ୍ତି ସେମାନଙ୍କୁ ବିବିଧ ଉପାୟରେ ସମ୍ମାନିତ କରାଯାଇଥାଏ । ସେମାନେ ମଧ୍ୟ ଆଦିବାସୀ ସମାଜର ଏକ ଅତ୍ୟାବଶ୍ୟକ ଅଙ୍ଗରୁପେ ଧର୍ମ ଧାରଣାର ରକ୍ଷକ, ପରିଚାଳକ ଓ ନିର୍ଦ୍ଦେଶକ ଅଟନ୍ତି ।

 

ବିବାହ ମାନବର ଏକ ପ୍ରବୃତ୍ତିଗତ ଧର୍ମ । ଏହା ପ୍ରବୃତ୍ତିଗତ ହେଲେ ମଧ୍ୟ ସେଥିରେ ଆକର୍ଷଣ, ମାନସିକ ତୃପ୍ତି, ଆବଶ୍ୟକତାଦି ପୂରଣ ନିମନ୍ତେ ବିଚାରବିମର୍ଶ ଅନ୍ତର୍ଗତ ହୋଇଥାଏ । ଏହା ମଧ୍ୟ ପାରିବାରିକ ଧର୍ମର ମୂଳ ରୂପେ ଗୃହୀତ ହୋଇପାରେ । ଏହି ସାର୍ବଜନୀନ ମାନବଧର୍ମ ଆଦିବାସୀ ସମାଜରେ କେତେକ ନିୟମର ପରିସର ମଧ୍ୟରେ ବିକଶିତ ହୋଇଥାଏ । ପ୍ରସ୍ତାବିତ, ପ୍ରେମ ମୂଳକ, ବିଧବା, ପରିତ୍ୟକ୍ତା ସ୍ତ୍ରୀର ବିବାହ ଆଦି ଆଦିବାସୀ ତଥା ଅଣ-ଆଦିବାସୀ ବିବାହରେ ଦେଖିବାକୁ ମିଳିଥାଏ । ମାତୃ ଆଦିବାସୀଙ୍କ ସ୍ଵାତନ୍ତ୍ର୍ୟ - କନ୍ୟା ବରଗୃହରେ ବଳପୂର୍ବକ ପ୍ରବେଶ କରିବା, ପୁଅ କନ୍ୟା ମୁଣ୍ତରେ ସିନ୍ଦୁରଟିପା ଦେବା ବା ତା ମୁଣ୍ତରେ ଫୁଲ ଖୋସିଦେବା ଓ ବଳପୂର୍ବକ ଟାଣିନେଇ ବିବାହ କରିବା ଏବଂ ବର କନ୍ୟାପିତାଙ୍କ ବାସଗୃହରେ ଚାକିରୀ କରି ବିବାହ କରିବାରେ ପରିସ୍ଫୁଟ ହୋଇଥାଏ । ସେହିପରି କନ୍ୟା ବିବାହପୂର୍ବରୁ ଗୃହଯୋଗ୍ୟା ହେଲେ ତାର ବିବାହ ଗୋଟିଏ ତୀର ସହ ହୋଇଥାଏ । କେତେକ କ୍ଷେତ୍ରରେ ବିବାହ ପୂର୍ବରୁ ଆମ୍ବ ଆଦି ଗଛ ସହିତ ବିବାହର ପ୍ରଚଳନ ରହିଛି । ସେମାନଙ୍କ ସମାଜରେ ସ୍ୱାମୀ ତଥା ସ୍ତ୍ରୀ ପରସ୍ପରକୁ ଛାଡ଼ପତ୍ର ଦେବାର ସ୍ଵାଧୀନତା ରହିଛି । ଆଉମଧ୍ୟ ବିବାହ ପୂର୍ବରୁ ନାଚ, ଗୀତ ଆଦିରେ ସ୍ଵାଧୀନ ଭାବରେ ଯୋଗଦେଇ ସେମାନେ ଯେଉଁ ମୁକ୍ତ ଜୀବନ ବିତାଇଥାନ୍ତି ବିବାହ ପରେ ସେଥିରେ ପ୍ରାୟ ପୂର୍ଣ୍ଣଛେଦ ପଡ଼ିଥାଏ । ତଥାପି ବିବାହ ଆଦିବାସୀ ସମାଜରେ ଏକ ଗୋଷ୍ଠୀଗତ ଚଳଣି ବା ଧର୍ମରେ ପରିଣତ ହୋଇଥିବା ଦେଖାଯାଏ ।

 

ମୃତ୍ୟୁ ଆଦିବାସୀ ଜୀବନରେ କେବଳ ଦୁଃଖଦ ଘଟଣା ନୁହେଁ । ମୃତ୍ୟୁ ପରେ ତାର ଆତ୍ମାକୁ ପରିବାର ମଧ୍ୟକୁ ଫେରାଇ ଆଣିବା ପଦ୍ଧତି ସେମାନେ ଅନୁସରଣ କରନ୍ତି । ତାହା ଏକ ସ୍ଵତନ୍ତ୍ର ଧର୍ମଧାରଣା ଅଟେ । ପରିବାର ମଧ୍ୟରେ ବିଶେଷତଃ ଘର ଭିତରେ ପିତୃପୁରୁଷଙ୍କ ନିମନ୍ତେ ଏକ ସ୍ଵତନ୍ତ୍ର ଆସ୍ଥାନ ବା ‘ଭିତର’ ନିର୍ଦ୍ଦିଷ୍ଟ କରାଯାଇଥାଏ । ସମସ୍ତ ସଫଳତା ଓ ବିଫଳତା, ଦୁଃଖ ଓ ଦୈନ୍ୟ ଆଦିରେ ପରିବାରର ମୁଖ୍ୟ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ସେଠାରେ ଏକାନ୍ତ ଭାବରେ ନିବେଦନ କରିଥାନ୍ତି । ନିଜର ଓ ପରିବାରର ଦୁଃଖ ଦୁର୍ଦ୍ଦଶା ବିମୋଚନରେ ସହାୟକ ହେବାପାଇଁ ଏହା କରାଯାଇଥାଏ । ସେମାନଙ୍କ ଉଦ୍ଦେଶ୍ୟରେ ପ୍ରାୟ ଅଧିକାଂଶ ଆଦିବାସୀ ସ୍ମାରକୀ ନିର୍ମାଣ କରନ୍ତି ଏବଂ ତାହା କାଠ ବା ପଥରରେ ହୋଇଥାଏ । ବଣ୍ଡା, କୋୟା, ଗଦବା, ଶବର, କନ୍ଧ, ମୁଣ୍ଡା, କୋହ୍ଲ, ମାଙ୍କଡ଼ିଆ ଆଦିଙ୍କ ମଧ୍ୟରେ ଏହାର ପ୍ରଚଳନ ଦେଖାଯାଏ । ଏହି ସ୍ମାରକୀ ଏବଂ ଗୃହର ‘ଭିତର’କୁ ପିତୃ-ପୁରୁଷଙ୍କ ଆତ୍ମାକୁ ଆମନ୍ତ୍ରଣ କରିବା ଜୀବନାବସାନ ପରେ ଜୀବନର ସତ୍ତା ସଂପର୍କରେ ବିଶ୍ଵାସ ସୂଚାଇଥାଏ । ଏହା ଜୀବନାବସାନ ପବବର୍ତ୍ତୀ ଅଶରୀରୀ ରୂପରେ ବିଦ୍ୟମାନ ଥିବା ଏକ ଅବିନଶ୍ୱର ଆତ୍ମାର ଦର୍ଶନ ସେମାନଙ୍କ ମଧ୍ୟରେ ଅନୁସୃତ ହେଉଥିବା ମଧ୍ୟ ଦର୍ଶାଇଥାଏ-। ସେହିପରି ଆତ୍ମାମାନଙ୍କ ମଧ୍ୟରେ ଶାନ୍ତ ଉପକାରୀ ଓ ଅପକାରି ଦୁର୍ଦ୍ଦାନ୍ତ ଆତ୍ମାମାନଙ୍କ ସଂପର୍କରେ ଭାବନା ଆଦିବାସୀ ସମାଜରେ ପ୍ରଚଳିତ ରହିଛି । ତାହା ଏକ ବିଶେଷ ଲୋକଧର୍ମ ଅଟେ । ସେଥିପାଇଁ ଅପମୃତ୍ୟ ଜନିତ ଶବସତ୍କାରରେ କେତେକ ବିଶେଷ ସାବଧାନତା ଅବଲମ୍ବନ କରାଯାଇଥାଏ । ଏହି ଧାରଣାରୁ ସୃଷ୍ଟି ହୋଇଥିବା ଭୂତ, ପ୍ରେତ, ଚିରଗୁଣୀ, ପିତାଶୁଣୀ ଆଦି ଆଦିବାସୀ ସମାଜର ଜନଜୀବନ ଚିନ୍ତାରେ ଏକ ମୁଖ୍ୟ ସ୍ଥାନ ଗ୍ରହଣ କରିଥାଏ । ଯଦିଚ ଭୟ ଏପରି ଏକ ଚିନ୍ତା ବା ଧାରଣା ମୂଳରେ ବିଦ୍ୟମାନ ଥାଏ ତଥାପି ପାରମ୍ପରିକ ରୀତିରେ ଏହା କ୍ରମେ ଉତ୍ତର ପୁରୁଷଠାରୁ ପରବର୍ତ୍ତୀ ପୁରୁଷଯାଏଁ ସଂଚାରିତ ହୋଇଥାଏ । ଏହି ଧାରଣା ମଧ୍ୟ ଆଦିବାସୀ ସମାଜରୁ ପାରିପାର୍ଶ୍ୱିକ ଅଣ-ଆଦିବାସୀ ସମାଜରେ ପ୍ରସାରିତ ହୋଇ ତାହାର ସଂସ୍କୃତିକୁ ପ୍ରଭାବିତ କରିଥିବା ଉପଲବ୍‌ଧ ହୁଏ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଳିର ବ୍ୟବସ୍ଥା ଆଦିବାସୀ ସମାଜରେ ବିଶେଷ ଭାବରେ ପ୍ରଚଳିତ ଥିବା ଦେଖାଯାଏ । ଏହା ମଧ୍ୟ ପୁରୋହିତ, ଜାନି, ଡିସାରି, ନାୟା ଇତ୍ୟାଦି ବହୁ ଧର୍ମ ତଥା ଗ୍ରାମ ଓ ଗୋଷ୍ଠୀମୁଖ୍ୟଙ୍କ ସୃଷ୍ଟି ଏବଂ ସେମାନଙ୍କୁ ସମ୍ମାନ ଦେବାରେ ସାମାଜିକତା ରକ୍ଷା କରିଥାଏ । ଏହି ଧର୍ମ ଧାରଣା ବହୁ ଉନ୍ନତ ଧର୍ମାବଲମ୍ବୀଙ୍କ ଦ୍ୱାରା ଅନୁସୃତ ରୀତିଠାରୁ କୌଣସି ଗୁଣରେ ନ୍ୟୁନ ନୁହେଁ: ବରଂ ଉନ୍ନତ ଅଟେ ।

 

ଆଦିବାସୀ ସମାଜକୁ ଏକ ଅନୁନ୍ନତ ସମାଜ ରୂପେ ନାମିତ କରାଯାଇଥାଏ କାରଣ ଏହାର ଅର୍ଥନୈତିକ ଦିଗ ଖାଦ୍ୟସଂଗ୍ରହ, ଶିକାର ଓ ଅନୁନ୍ନତ କୃଷି ପଦ୍ଧତିକୁ ଆଶ୍ରୟ କରି ତିଷ୍ଠି ରହିଥିବା ହେତୁ ସ୍ଵୟଂସଂପୂର୍ଣ୍ଣ ନୁହେଁ । ଅନ୍ୟ ପକ୍ଷରେ ଏହା ପ୍ରକୃତି ଦ୍ଵାରା ଅନେକ ପରିମାଣରେ ନିୟନ୍ତ୍ରିତ ହୋଇଥାଏ । ସେଥିସହିତ ଏହି ଅର୍ଥନୈତିକ କାର୍ଯ୍ୟ ପ୍ରଣାଳୀ ସ୍ଥଳବିଶେଷରେ ବିବିଧ ପର୍ବପର୍ବାଣି, ନୃତ୍ୟ ଗୀତ ଓ ବଳିର ଆୟୋଜନ ମାଧ୍ୟମରେ ପରିଚାଳିତ ହୋଇଥାଏ । ଖାଦ୍ୟସଂଗ୍ରହ ମାନବର ଜୀବନ ଧାରଣ ନିମନ୍ତେ ଅନୁସୃତ ଅର୍ଥନୈତିକ କର୍ମ ପରିସରର ପ୍ରଥମ ଉଦ୍ୟମ ହେଲେବି ଏହା ଜୀବଧର୍ମ ଅନୁସାରେ ଅଟେ । ଆଦିବାସୀମାନେ ସେମାନଙ୍କ ସମାଜରେ ବିବିଧ ଅର୍ଥନୈତିକ ସ୍ତରରେ ଥିବାରୁ ଏବଂ ସାମୟିକ ଅଥବା ପ୍ରାକୃତିକ ପ୍ରତିକୂଳ ପରିସ୍ଥିତିରେ ଜୀବିକା ନିର୍ବାହ କରୁଥିବାରୁ ଏହା ସେମାନଙ୍କ ଧର୍ମ ଜୀବନର ମଧ୍ୟ ଅଙ୍ଗ ହୋଇଥିବା ଦେଖାଯାଏ । ଖାଦ୍ୟସଂଗ୍ରହ, ବିବିଧ ଫଳ, ମୂଳ, ଫୁଲ ଆଦିର ସଂଗ୍ରହକୁ ଭିତ୍ତିକରି ହୋଇଥାଏ । ସେଗୁଡ଼ିକ ମଧ୍ୟରେ ମହୁଲ, ଆମ୍ୱ, ନାନା ପ୍ରକାର କୋଳି, କନ୍ଦା ଇତ୍ୟାଦି ମୂଖ୍ୟ ରୂପେ ଗୃହୀତ ହୁଏ । ଏଗୁଡ଼ିକ ସଂଗୃହୀତ ହେବାପରେ ଖାଇବା ପୂର୍ବରୁ ଦେବଦେବୀଙ୍କୁ ଅର୍ପିତ ହୋଇଥାଏ । ଏହାକୁ ସଂଗ୍ରହ କରିବା ନିମନ୍ତେ ଯିବାବେଳେ ଦେବଦେବୀଙ୍କ ଆଶୀର୍ବାଦ ଭିକ୍ଷା କରାଯାଇଥାଏ । ତେଣୁ ସେଗୁଡ଼ିକ ଧର୍ମର ଅଙ୍ଗୀଭୂତ ହୁଏ । ଉଦାହରଣ ସ୍ଵରୂପ ଶବର ବା ସଉରାମାନେ ମହୁଲ ଫୁଲ, ସାନ୍ତାଳ ଓ ମୁଣ୍ଡାମାନେ ଶାଳଫୁଲ ସଂଗ୍ରହକରି ଆଣି ପିତୃପୁରୁଷ ଓ ଦେବଦେବୀଙ୍କୁ ଅର୍ପଣ କରିବା ପରେ ହିଁ ଖାଇଥାନ୍ତି । ସେଥିରେ ପୁରୋହିତର ଆବଶ୍ୟକତା ଅନୁଭୂତ ହୂଏ । ତେଣୁ ଏହା ସେମାନଙ୍କ ଧର୍ମଜୀବନର ପରିସରଭୁକ୍ତ ହୋଇଥିଲେ ସୁଦ୍ଧା ଜୀବଧର୍ମ ଅନ୍ତର୍ଗତ ଲୋକଧର୍ମ ଅଟେ ।

 

ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଆଦିବାସୀମାନେ ଶିକାର କରିବାକୁ ଯାଆନ୍ତି । ଏଥିପାଇଁ ଏକ ପର୍ବ ପାଳିତ ହୁଏ । ତାହା ସ୍ଥାନ ଭେଦରେ ଅଖ୍‌ନ ପାରଧ୍‌, ବିଶୁ ଶିକାର ଇତ୍ୟାଦି ବିବିଧ ନାମରେ ପରିଚିତ ହୋଇଥିଲେ ମଧ୍ୟ ଖାଦ୍ୟ ସଂଗ୍ରହ ପଦ୍ଧତିର ଏକ ବିକଶିତ ରୂପ ଭାବରେ ପ୍ରଚଳିତ ଥିବା ଜଣାଯାଏ । ତେଣୁ ତାକୁ ଜୀବଧର୍ମ ଓ ତତ୍‌ସଂଲଗ୍ନ ଲୋକଧର୍ମ ରୂପେ ଗ୍ରହଣ କରାଯାଇପାରେ । ଏଥିରେ ବଳି ଓ ଅନ୍ୟାନ୍ୟ ପୂଜାପଦ୍ଧତି ଅନୁସୃତ ହୁଏ ଏବଂ ପୁରୋହିତ ମଧ୍ୟ ଭାଗନିଏ । ଶିକାର ସହିତ ସଂଶ୍ଳିଷ୍ଟ ପୂଜାଦିରେ ଶିକାରରେ ବ୍ୟବହୃତ ହାତହତିଆରର ପୂଜା ହୋଇଥାଏ ଏବଂ ଉତ୍ତମ ଶିକାର ମିଳିବା ନିମନ୍ତେ କାମନା କରାଯାଇ ଦେବଦେବୀଙ୍କ ଉଦ୍ଦେଶ୍ୟରେ କୁକୁଡ଼ା ବଳି ଦିଆଯାଏ । ଶିକାର ଆଦିବାସୀଙ୍କର ଏକ ଗୋଷ୍ଠୀଗତ ଅନୁଷ୍ଠାନ । ତାହା ମଧ୍ୟ ଏକ ପାରଂପରିକ ଲୋକ ସଂସ୍କୃତି ଅଟେ । କାରଣ ଶିକାର ଦଳଗତ ପ୍ରଚେଷ୍ଟାରେ ଅଧିକ ସଫଳ ହୋଇଥାଏ ଏବଂ ପ୍ରାଗୈତିହାସିକ କାଳରୁ ଏହାର ପ୍ରଚଳନ ହୋଇଥିବା ଶିଳାଶ୍ରୟମାନଙ୍କରେ ଖୋଦିତ ଅଥବା ଚିତ୍ରିତକଳାରୁ ଉପଲବ୍‌ଧ ହୋଇଥାଏ । ଏହି ଜୀବଧର୍ମ ଶିକାର ମାଧ୍ୟମରେ ଖାଦ୍ୟ ଅନ୍ୱେଷଣ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କୃଷିର ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ ଅବା ଜଣାଯାଏ । ପ୍ରଥମ ଶିକାର ଦେବଦେବୀଙ୍କୁ ଅର୍ପିତ ହୁଏ ଏବଂ ସେହି ପ୍ରସାଦକୁ ପୁରୋହିତ ଗ୍ରାମବାସୀମାନଙ୍କ ମଧ୍ୟରେ ବଣ୍ଟନ କରିଥାନ୍ତି । ଏହାକୁ ସେହି ଦୃଷ୍ଟିରୁ ଏକ ଲୋକପର୍ବ ଏବଂ ତତ୍‌ସଂଲଗ୍ନ ଲୋକଧର୍ମ ରୂପେ ବ୍ୟକ୍ତ କରାଯାଇପାରେ ।

 

ସେହିପରି କୃଷି ମଧ୍ୟ ଆଦିବାସୀଙ୍କ ମଧ୍ୟରେ ପ୍ରଚଳିତ ଏକ ଲୋକସଂସ୍କୃତି ଅଟେ । ଏହା ଅତୀତରେ ଜୀବନଧାରଣ ନିମନ୍ତେ ଅଭିପ୍ରେତ ଏକ ନୂତନ ପ୍ରଚେଷ୍ଟା ଏବଂ ତାହା ସେମାନଙ୍କ ଲୋକଧର୍ମ ପଦବାଚ୍ୟ ହୋଇପାରେ । କାରଣ ଏହାର ଆରମ୍ଭଠାରୁ ଶେଷ ଯାଏଁ ବହୁ ପୂଜା ଓ ବଳିର ବିଧାନ ରହିଛି । ଆଉମଧ୍ୟ ଫସଲ ଅମଳ, ଖଳାପୂଜା, ବିହନ ପର୍ବ, ଜଙ୍ଗଲ କାଟିବା ପର୍ବ ଆଦି ଅନେକ ପର୍ବର ସମଷ୍ଟି ରୂପେ କୃଷି, ଆଦିବାସୀ ସମାଜରେ ପ୍ରଚଳିତ ଏକ ଲୋକଧର୍ମ ଅଟେ-। କୃଷି ମଧ୍ୟ ସେମାନଙ୍କର ଏକ ସମଷ୍ଟିଗତ କର୍ମ । ଯଦିଚ ବ୍ୟକ୍ତିଗତ ଭାବରେ ଅଥବା ପାରିବାରିକ ଭିତିରେ ଅନେକ କୃଷିକୁ ଗ୍ରହଣ କରିଥିବା ଦେଖିବାକୁ ମିଳେ ତଥାପି ସେଥିରେ ଗ୍ରାମ ବା ଗୋଷ୍ଠୀ ଜୀବନର ଅଧିକାର ରହିଥିବା ଦେଖାଯାଏ । ସେହିପରି ବିହନ ସଂରକ୍ଷଣ ନିମନ୍ତେ ମଧ୍ୟ ପର୍ବ ପାଳନ କରାଯାଏ । ସେଥିରେ ଅଭିମନ୍ତ୍ରିତ କୁକୁଡ଼ାର ରକ୍ତ ମିଶାଯାଏ । ମେରିଆ ବା କେଡ଼ୁ ପର୍ବରେ ମେରିଆର ଅବଶେଷାଂଶକୁ ପୋଡ଼ିଦେଇ ସେହି ପାଉଁଶ ବିହନରେ ମିଶାଇ ରଖିବା କନ୍ଧମାନଙ୍କ ଲୋକଧର୍ମ ଅଟେ । କୃଷିପର୍ବ ସହିତ ପିତୃପୁରୁଷଙ୍କ ସଂପର୍କରେ ଏବଂ ସେମାନଙ୍କ ନିମନ୍ତେ ବିଶେଷ ଉତ୍ସର୍ଗ ଆଦିବାସୀ ଲୋକଧର୍ମର ଗୋଟିଏ ବିଶିଷ୍ଟ ଦିଗ ।

 

ଆଦିବାସୀମାନଙ୍କ ଧର୍ମଧାରଣା ଯାହାକି ଲୋକଧର୍ମ ରୂପେ ସେମାନଙ୍କ ସମାଜରେ ପ୍ରଚଳିତ ତହିଁରେ ସୂର୍ଯ୍ୟଙ୍କ ଆରାଧନା ମୁଖ୍ୟ ଅଟେ । ସୂର୍ଯ୍ୟ ଆଦିବାସୀମାନଙ୍କର ଶ୍ରେଷ୍ଠ ଦେବତା ଏବଂ ତାଙ୍କୁ ବୁରାପେନୁ, ଧରମ ଦେବତା ଇତ୍ୟାଦି ବହୁ ନାମରେ ସେମାନେ ଗୋଷ୍ଠୀଭେଦରେ ନାମିତ କରିଥାନ୍ତି । ତାଙ୍କ ଉଦ୍ଦେଶ୍ୟରେ ବଳି ଅର୍ପିତ ହୁଏ । ସେ ଆଦିବାସୀଙ୍କ ପାଇଁ ସର୍ବଶକ୍ତିର ଆଧାର ଓ ସମସ୍ତ ଅପକାରୀ ଶକ୍ତିର ଅପନୋଦନ ନିମନ୍ତେ ତାଙ୍କର ଆବାହନ କରାଯାଏ । ସେମାନଙ୍କ ଗୀତ, ନୃତ୍ୟ ଓ ଚିତ୍ରକଳାରେ ସୂର୍ଯ୍ୟଙ୍କୁ ଆହ୍ୱାନ ଅଥବା ପ୍ରଖ୍ୟାପନ କରାଯାଇଥାଏ । ସବୁ ରୋଗ, ଫସଲ ହାନୀ, ମଡ଼କ ଆଦିର ପ୍ରତିକାର ତାଙ୍କ ଦ୍ୱାରାହିଁ ସମ୍ଭବ ବୋଲି ସେମାନେ ମନେ କରନ୍ତି । ଆଦିବାସୀଙ୍କ ଏହି ଲୋକଧର୍ମ ପରେ ମହିମାଧର୍ମ ଉତ୍ପତ୍ତିର ମୁଖ୍ୟ କାରଣ ହୋଇଥିବା ମନେ ହୁଏ । ଏହା ମଧ୍ୟ ପାଟୁଆ ତଥା ଚଡ଼କ ପୂଜାର ମୂଳରେ ବିଦ୍ୟମାନ ଥିବା ଗୃହୀତ ହୋଇପାରେ । କେତେକଙ୍କ ମତରେ କନ୍ଧମାନେ ନିର୍ମାଣ କରୁଥିବା ଗୃହର ପୂର୍ବ ଓ ପଶ୍ଚିମ କାନ୍ଥର ଶୀର୍ଷ ଦେଶରେ କରାଯାଇଥିବା ଖୋଲା ଅଂଶ ଗୃହରେ ସୂର୍ଯ୍ୟଙ୍କ କିରଣ ପ୍ରବେଶ ଉଦ୍ଦେଶ୍ୟରେ ହୋଇଥାଏ । ତଦ୍ଦ୍ୱାରା ଗୃହସ୍ଥ ସୂର୍ଯ୍ୟଙ୍କୁ ଏକାନ୍ତ ଭାବରେ ପୂଜା କରିପାରେ । ସୂର୍ଯ୍ୟଙ୍କ ଆରାଧନା କେବଳ ବ୍ୟସ୍ତ ବିଶେଷରେ ଧର୍ମ ନୁହେଁ ବରଂ ତାହା ଗୋଷ୍ଠୀ ଭେଦରେ ସମଗ୍ର ଆଦିବାସୀ ସମାଜରେ ପ୍ରଚଳିତ ରୀତି ଅଟେ । ଯାହାକି ସେମାନଙ୍କ ଲୋକଧର୍ମର ପ୍ରତୀକ ।

 

ସେହିପରି ଧରଣୀ ପୂଜା ଆଦିବାସୀଙ୍କ ଧର୍ମ ଅନ୍ତର୍ଗତ ଏକ ବିଶିଷ୍ଟ ପର୍ବ । ଏହା ସେମାନଙ୍କ ମଧ୍ୟରେ ଗୋଷ୍ଠୀ ଭେଦରେ ବିବିଧ ରୂପରେ ପ୍ରଚଳିତ । ଧରଣୀ ପୂଜା ଉତ୍ପାଦିକା ଶକ୍ତି ତଥା ମାତୃଶକ୍ତିର ପୂଜା ଅଟେ । ଯେ ଖାଦ୍ୟ, ବସ୍ତ୍ର, ଗୃହ, ଔଷଧ ଆଦି ସମସ୍ତ ଦ୍ରବ୍ୟ ମନୁଷ୍ୟକୁ ଯୋଗାଇଥାଏ ତାର ପୂଜା ଏକ କୃତଜ୍ଞତା ଜ୍ଞାପକ ନୈବେଦ୍ୟ ଅଟେ । ରଜ, ଆଷାଢୀ, ବାଲିଯାତ୍ରା ପ୍ରଭୃତି ଆଦିବାସୀ ସମାଜର ବିଶିଷ୍ଟ ପର୍ବ ଏବଂ ଏଗୁଡ଼ିକ ବିଶେଷ ନିଷ୍ଠାର ସହ ପାଳନ କରାଯାଇଥାଏ । ସେହି ପର୍ବଗୁଡ଼ିକ କାଳକ୍ରମେ ଅଣ-ଆଦିବାସୀ ସମାଜ ଗ୍ରହଣ କରିଛି । ବିଶେଷତଃ ଓଡ଼ିଶାରେ ରଜପର୍ବ ଏକ କ୍ରମବର୍ଦ୍ଧିଷ୍ଣୁ ଲୋକପର୍ବ ରୂପେ ପାଳିତ ହେଉଛି ମାତ୍ର ତାର ମୂଳ ଉତ୍ସ ଭୂୟାଁ ଓ ଅନ୍ୟାନ୍ୟ ସଂପ୍ରଦାୟଙ୍କ ମଧ୍ୟରେ ରହିଛି । ଖୁବ୍‌ ସମ୍ଭବ ଭୌମକରମାନଙ୍କ ରାଜତ୍ୱ କାଳରେ ଏହା ଭୂୟାଁମାନଙ୍କଠାରୁ ଆସି କ୍ରମେ ଓଡ଼ିଆଜାତିର ଏକ ପର୍ବ ରୂପେ ପ୍ରଚଳିତ ହୋଇଥିଲା । ମାତ୍ର ଏବେ ଏହା ଏକ ଲୋକପର୍ବ ଓ ଲୋକଧର୍ମ ଭାବରେ ପରିବ୍ୟାପ୍ତ ହୋଇଛି । ଏହି ପର୍ବଗୁଡ଼ିକ ସାଧାରଣତଃ ଦେବଦେବୀଙ୍କ ଉଦ୍ଦେଶ୍ୟରେ ପୂଜା ଓ ଉତ୍ସର୍ଗ ମଧ୍ୟରେ ସମାପିତ ହେଉଥିବାରୁ ଏବଂ ସେଥିରେ ନିଷ୍ଠା ଓ ପବିତ୍ରତା ରକ୍ଷା ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇଥିବାରୁ ତାକୁ ଧର୍ମ ପର୍ଯ୍ୟାୟକୁ ଉନ୍ନୀତ କରାଯାଇପାରେ । ଆଉମଧ୍ୟ ରଜ ଏକ ଲୋକଧର୍ମୀ ପର୍ବ ଏବଂ ଏଥିରେ ମାଟିକୁ ସମ୍ମାନ ଜଣାଇବା ପାଇଁ ଲୋକଙ୍କ ଆବେଗ ଭରି ରହିଥିବାରୁ ତାହା ଲୋକଧର୍ମ ରୂପେ ଗୃହୀତ ହୋଇପାରେ । କନ୍ଧମାନଙ୍କ ମଧ୍ୟରେ ପ୍ରଚଳିତ ଥିବା ମେରିଆ ବା କେଡ଼ୁପର୍ବ ଧରଣୀ ପୂଜାକୁ ଆଶ୍ରୟ କରି ପାଳିତ ହୋଇଥାଏ । ଏହା କନ୍ଧ ସମାଜର ଏକ ଲୋକଧର୍ମ ଅଟେ । ମାତ୍ର ଅନ୍ୟାନ୍ୟ ଆଦିବାସୀ ଗୋଷ୍ଠୀରେ ଏହା ପାଳିତ ହୋଇ ନଥାଏ । କିନ୍ତୁ କନ୍ଧମାନଙ୍କ ନିମନ୍ତେ ଏହା ଏକ ମହତ୍ତ୍ଵପୂର୍ଣ୍ଣ ଏବଂ ଭାବପ୍ରବଣ ଲୋକଧର୍ମ ଅଟେ । ଏହାର ପଟାନ୍ତର ଅନ୍ୟତ୍ର ବିରଳ ।

 

ଅଣ-ଆଦିବାସୀ ଲୋକଧର୍ମ ମଧ୍ୟରେ ଜୀବନଧାରଣର ଦିଗ ଏକ ମୁଖ୍ୟ ଧର୍ମ ନୁହେଁ ଯଦିଚ ତାହା ଅପରିହାର୍ଯ୍ୟ । ସେମାନଙ୍କ ମଧ୍ୟରେ ଆନନ୍ଦ, ଉଲ୍ଲାସ, ଭୋଜି ଓ ପାର୍ବଣ ଅଧିକ ଲୋକଧର୍ମୀ ଅଟେ । ଏହାର କାରଣ ସେମାନେ ପ୍ରାୟ କୌଣସି ନା କୌଣସି ଧର୍ମର ଆଶ୍ରୟ କରିଥାନ୍ତି । ଓଷା, ବ୍ରତ, ଉପବାସ, ସ୍ନାନ, ଧର୍ମୀୟଉତ୍ସବ ଓ ଅନୁଷ୍ଠାନମାନଙ୍କ ପାଳନରେ ସେମାନେ ଅଧିକ ଭାବରେ ନିମଜ୍ଜିତ ଥାଆନ୍ତି । ଏହାର ଅନ୍ତର୍ନିହିତ ସତ୍ତା ଆତ୍ମା ଓ କାୟାକୁ ନିର୍ମଳ ରଖିବା ଏବଂ ଏକ ଆଦର୍ଶ ପର୍ଯ୍ୟାୟର ଅନ୍ତର୍ଭୂକ୍ତ ହେବା । କିନ୍ତୁ ଏପରି ଏକ ଲୋକଧର୍ମ ସାମୟିକ ପ୍ରକାଶ ମଧ୍ୟରେ ଅଧିକ ଉପଲବ୍‌ଧ ହୋଇଥାଏ । ଓଷା ଲୋକଧର୍ମର ଏକ ପ୍ରକୃଷ୍ଟ ଉଦାହଣ । ଏହାର ପାଳନ ସ୍ୱଳ୍ପ ସମୟ ନିମନ୍ତେ ହୋଇଥାଏ । ଫଲୋରୀ ଓଷା, ଷଷ୍ଠୀ ଓଷା, ଦ୍ୱିତୀୟା ଓଷା, ପୁଅ ଜିଉନ୍ତୀଆ ଓଷା, ଧାନ ମାଣିକା ଓଷା, କାଞ୍ଜଁଳା ଓଷା ଇତ୍ୟାଦି ଲୋକ ଆଚରିତ ବିଶେଷତଃ ନାରୀମାନଙ୍କ ଦ୍ୱାରା ପାଳିତ ଲୋକଧର୍ମ ଅଟେ । ବ୍ରତ ମାନସିକ ବା ମନର କାମନା ଚରିତାର୍ଥ କରିବା ନିମନ୍ତେ ପାଳିତ ହୋଇଥାଏ । ଏଥିରେ ଉପବାସ, ନିର୍ଦ୍ଦିଷ୍ଟ ଦିବସରେ ଆରମ୍ଭ ଏବଂ କାମନା ପୂରଣ ଅନ୍ତେ ଉଦ୍‌ଯାପନାଦି ହୋଇଥାଏ । ବ୍ରତ ମଧ୍ୟ ବହୁ ପ୍ରକାରର; ଯଥା - ସୁଦଶାବ୍ରତ, ମଙ୍ଗଳ ସଂକ୍ରାନ୍ତି ବ୍ରତ, ବଜ୍ରମହାକାଳୀ ବ୍ରତ, କୁକ୍ଵୁଟୀ ବ୍ରତ କେଦାରମା ବ୍ରତ, ରବିନାରାୟଣ ବ୍ରତ ଇତ୍ୟାଦି । ଏଗୁଡ଼ିକ ବିବିଧ ଧର୍ମକୁ ଆଶ୍ରୟ କରିଥିଲେ ମଧ୍ୟ ମୁଖ୍ୟତଃ ସ୍ତ୍ରୀଲୋକମାନଙ୍କ ଦ୍ୱାରା ପାଳିତ ହୋଇଥାଏ । ଯଦିଚ ପୁରୁଷ ସମାଜରେ ବ୍ରତର ପ୍ରଚଳନ ରହିଛି ତଥାପି ସେଗୁଡ଼ିକ ସ୍ତ୍ରୀ-ସମାଜ ଦ୍ୱାରା ଆଚରିତ ଲୋକଧର୍ମ ପର୍ଯ୍ୟାୟର ନୁହେଁ । ପୁରୁଷମାନେ ମାଘବ୍ରତ, ଚତୁର୍ମାସ୍ୟା ବ୍ରତ, କାର୍ତ୍ତିକ ବ୍ରତ ଆଦି ଦୀର୍ଘକାଳୀନ ବ୍ରତ ପାଳନ କରିଥାନ୍ତି । ମାତ୍ର ସେଗୁଡ଼ିକ ସ୍ନାନବ୍ରତ ଅଟନ୍ତି । ଏଥିରେ ସ୍ଵାନକୁ ବ୍ରତ ପର୍ଯ୍ୟାୟକୁ ନିଆଯାଇ ତାହା ପାଳିତ ହୁଏ । ବ୍ୟକ୍ତି ଓ ବ୍ୟଷ୍ଟି ନିମନ୍ତେ ଏହା ଉନ୍ମୁକ୍ତ ଅଟେ । ମାତ୍ର ଏହାର ପାଳନ ଅବଧି ସ୍ଵଳ୍ପ ବା ଦୀର୍ଘକାଳ ହୋଇପାରେ । ଆମ୍ଭେମାନେ ଅଣ-ଆଦିବାସୀ ସମାଜର ପ୍ରକୃଷ୍ଠ ଲୋକଧର୍ମ ପର୍ଯ୍ୟାୟରେ ବ୍ରତ ଓ ଉପବାସକୁ ଗ୍ରହଣ କରିବା ସମୀଚୀନ ହେବ । ଉପବାସ ଅନ୍ତଶୂଦ୍ଧି ସହ ମନର ସନ୍ତୋଷବିଧାନ ଏବଂ ଶାରୀରିକ ସୁସ୍ଥତା ନିମନ୍ତେ ଅପରିହାର୍ଯ୍ୟ ହୋଇଥାଏ । ତେଣୁ ଏହା ପ୍ରତ୍ୟେକ ବ୍ୟକ୍ତି ପାଳନ କରିପାରେ ଏବଂ ସାମୂହିକ ଭାବରେ ମଧ୍ୟ ତାହା ପାଳିତ ହୋଇପାରେ । ସେହିପରି ଉପବାସ ମଧ୍ୟ ସାର୍ବଜନୀନ ଓ ବ୍ୟକ୍ତି ଆଚରିତ ଏକ ମନସ୍ତାତ୍ତ୍ୱିକ ଧର୍ମ ଅଟେ ।

 

ଅଣ-ଆଦିବାସୀ ସମାଜରେ ଜୈନ, ବୌଦ୍ଧ, ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟୀୟାନ୍‌ ଆଦି ଧର୍ମର ପ୍ରସାର ଦେଖିବାକୁ ମିଳିଥାଏ । ବିଶେଷତଃ ହିନ୍ଦୁଧର୍ମରେ ବହୁ ମତର ପ୍ରସାର ହେତୁ ତାହା ବହୁଧା ବିଭକ୍ତ ଅଟେ । ସେଥିରେ ଶୈବ, ଶାକ୍ତ, ଗାଣପତ୍ୟ ବୈଷ୍ଣବ ଆଦି ଗୋଷ୍ଠୀଗତ ଧର୍ମମତର ପ୍ରସାର ହୋଇଥିବା ଦେଖାଯାଏ । ଏପରିକି ଶୈବ ଓ ବୈଷ୍ଣବ ଧର୍ମରେ ବହୁ ଉପଗୋଷ୍ଠୀ ଏହି ଧର୍ମମତମାନଙ୍କରେ ସାଂପ୍ରଦାୟିକ ସ୍ଥିତିର ପ୍ରତିନିଧିତ୍ୱ କରନ୍ତି । ଶୈବ ଗୋଷ୍ଠୀର ଭୈରବ, ଲକୁଳୀଶ, ଲିଙ୍ଗାୟତ, କାପାଳିକ, ମତ୍ତମୟୂର ଇତ୍ୟାଦି ସଂପ୍ରଦାୟ ବିଭିନ୍ନ ରୂପରେ ଓଡ଼ିଶାରେ ତିଷ୍ଠି ରହିଥିବା ଜଣାଯାଏ । ସେହିପରି ବୈଷ୍ଣବ ସଂପ୍ରଦାୟ ମଧ୍ୟରେ ରାମାନୁଜ, ମାଧ୍ୱ, ବିଷ୍ଷୁସ୍ଵାମୀ, ବଲ୍ଲଭ, ଚୈତନ୍ୟ ପ୍ରଭୃତି ସଂପ୍ରଦାୟର ଅବସ୍ଥିତି ମଧ୍ୟ ଦେଖିବାକୁ ମିଳେ । ଏହା ସତ୍ତ୍ଵେ ଏହି ବହୁଧା ବିଭକ୍ତ ଉପଗୋଷ୍ଠୀର ଧର୍ମ ସେହି ସେହି ସଂପ୍ରଦାୟର ଲୋକଧର୍ମ ଅଟେ ଏବଂ ତାହା ନିଷ୍ଠାର ସହ ପାଳିତ ହୋଇଥାଏ । ଏଥିରେ ବିଶ୍ଵାସ, ଦର୍ଶନ ଓ ମୋକ୍ଷ ମୂଳରୂପେ ଗୃହୀତ ହୋଇଥାଏ । ଯଦିଓ ଏଥିରେ ଦାର୍ଶନିକ ତତ୍ତ୍ଵର ଅବତାରଣା ରହିଛି ତଥାପି ଏଥି ସହିତ ସଂପୃକ୍ତ ପର୍ବପର୍ବାଣି ଓ ଉତ୍ସବାନୁଷ୍ଠାନ ଲୌକିକ-ଧର୍ମ ରୂପେ ଅଧିକ ଭାବରେ ଅନୁସୃତ ହୋଇଥାଏ । ସେହିପରି ଜୈନ ସଂପ୍ରଦାୟ ମଧ୍ୟରେ ଶ୍ଵେତାମ୍ବର ଓ ଦିଗମ୍ବର; ବୌଦ୍ଧ ସଂପ୍ରଦାୟ ମଧ୍ୟରେ ହୀନଯାନ, ମହାଯାନ, ବଜ୍ରଯାନ ଇତ୍ୟାଦି; ମୁସଲମାନ ସଂପ୍ରଦାୟ ମଧ୍ୟରେ ସିହା, ସୁହ୍ନୀ ଓ ଖ୍ରୀଷ୍ଟିୟାନ୍‌ମାନଙ୍କ ମଧ୍ୟରେ କ୍ୟାଥଲିକ୍‌ ଏବଂ ପ୍ରୋଟେଷ୍ଟାଣ୍ଟ ଇତ୍ୟାଦି ଗୋଷ୍ଠୀର ମଧ୍ୟ ପରିଚୟ ମିଳେ ।

 

ଉପବାସ ପାଳନ ଯେଉଁଠାରୁ ଯେପରି ଭାବରେ ସୃଷ୍ଟି ହେଉନା କାହିଁକି ତାହାର ବିଶେଷ ଆଦିର ଜୈନ ସମାଜରେ ହୋଇଥିବା ମନେହୁଏ । ଏଥିରେ ଏକାଦଶୀ, ଚତୁର୍ଦ୍ଦଶୀ ଓ ଅଷ୍ଟମୀ ଆଦି ଉପବାସ ପାଳନର ମୁଖ୍ୟ ତିଥି ଅଟେ ଏବଂ ଜୈନ ସଂସ୍କୃତିର ଏହି ଲୌକିକ ଧର୍ମ ଅନ୍ୟ ଧର୍ମ ସଂପ୍ରଦାୟ ଆତ୍ମୀକରଣ କରିଥିବା ଦେଖାଯାଏ । ଓଡ଼ିଶା ଅତୀତରେ ଜୈନଧର୍ମର ଏକ କେନ୍ଦ୍ର ଥିଲା ଏବଂ ଏଠାରେ ଜୈନ ରାଜତ୍ୱ ପରିଚାଳିତ ହେଉଥିଲା । ସେହି ସମୟରୁ ଜୈନ ଧର୍ମମତର ଲୌକିକ ଦିଗ ଅଧିକ ବିକଶିତ ହୋଇଥିଲା । ତେଣୁ ଏକାଦଶୀ, ଚତୁର୍ଦ୍ଦଶୀ ଓ ଅନେକ କ୍ଷେତ୍ରରେ ଅଷ୍ଟମୀରେ ବିବିଧ ପର୍ବର ଅନୁଷ୍ଠାନ ସେହି ସମୟରୁ କରାଯାଇ ଆନନ୍ଦ, ଉଲ୍ଲାସ, ଭୋଜି ଓ ପାର୍ବଣ ଆଦିର ବ୍ୟବସ୍ଥା ହୋଇଥିବା ଅସମ୍ଭବ ନୁହେଁ । ବିଶେଷତଃ ଖାରବେଳଙ୍କ ଖଣ୍ଡଗିରି ଶିଳାଲିପିରୁ ଏହାର ସୂଚନା ମିଳିଥାଏ । ମାତ୍ର ଜୈନଧର୍ମ ଓଡ଼ିଶାରୁ ବିଲୁପ୍ତ ହେବା ପରେ ମଧ୍ୟ ସେମାନଙ୍କ ଦ୍ୱାରା ପ୍ରବର୍ତ୍ତିତ ଧର୍ମାନୁଷ୍ଠାନର ପାଳନ ଅବ୍ୟାହତ ରହିଥିଲା । ଏହା ଲୋକ ସମାଜର ମଜ୍ଜାଗତ ହୋଇଥିବାରୁ ସେମାନେ ତାହାକୁ ସ୍ଵତଃ ପାଳନ କରିଥିଲେ । ଫଳରେ ପରିବର୍ତ୍ତିତ ପରିସ୍ଥିତିରେ ଅନ୍ୟ ଧର୍ମାବଲମ୍ବୀମାନଙ୍କ ଧର୍ମ ସଂପ୍ରସାରଣ ବେଳେ ସେଥିରେ ଗୁରୁତ୍ୱର ଅବକ୍ଷୟ ଘଟିଥିଲା । ତେଣୁ ସେଗୁଡ଼ିକ ମ୍ଳାନ ଭାବରେ ଅଥବା ଅନ୍ୟ ଧର୍ମାନୁମୋଦିତ ପର୍ବପର୍ବାଣିର ପ୍ରଲେପିତ ପ୍ରଚଳନ ଫଳରେ ସତ୍ତା ହରାଇ ପୂର୍ଣ୍ଣ ଭାବରେ ଲୋକସ୍ମୃତିରୁ ବିସ୍ତୃତ ହୋଇଥିଲା । ସେଥିପାଇଁ ଜନ୍ମାଷ୍ଟମୀ, ପ୍ରଥମାଷ୍ଟମୀ, ଅଶୋକାଷ୍ଟମୀ, ମହାଷ୍ଟମୀ ଆଦି ବୈଷ୍ଣବ, ଶାକ୍ତ, ବୌଦ୍ଧ ଓ ଶୈବ ଧର୍ମ ଦ୍ଵାରା ଆତ୍ମୀକରଣ କରାଯିବା ହେତୁ ଜୈନ ସଂସ୍କୃତିର ବିଲୋପ ଘଟିଛି । ମାତ୍ର ତାର ଲୌକିକ ଦିଗ ବା ଅନୁଷ୍ଠାନମାନଙ୍କର ପାଳନ ଲୋକସମାଜରେ ସ୍ୱତଃ ପ୍ରଚଳିତ ରହିଛି । ତେଣୁ ଏହି ପର୍ବଗୁଡ଼ିକ କେତେକ ଅଞ୍ଚଳ ଅଥବା ସମଗ୍ର ଓଡ଼ିଶାର ଲୋକଧର୍ମ ଅଟେ । ଯଦିଓ ମହାବୀର ଜୟନ୍ତୀ ସର୍ବ ଭାରତୀୟ ସ୍ତରରେ ଏବେ ପାଳନ କରାଯାଉଛି ତଥାପି ତାହା ଧର୍ମାନୁଷ୍ଠାନ ସହିତ ପର୍ବପର୍ବାଣି ବିଜଡ଼ିତ ନଥିବାରୁ ସେତେ ଲୋକଧର୍ମୀ ହୋଇ ପାରିନାହିଁ । ମାତ୍ର ଦୀପାବଳି ଅମାବାସ୍ୟାରେ ଦୀପଦାନ ଅଦ୍ୟାବଧି ଏକ ଲୋକଧର୍ମୀ ପର୍ବରୂପେ ପାଳିତ ଏବଂ ଏହାର ମୂଳଉତ୍ସ ଜୈନ ଧର୍ମରେ ନିହିତ ।

 

ସେହିପରି ବୌଦ୍ଧଧର୍ମରୁ ସମ୍ଭୂତ ଜାଗୁଳେଇ ପଞ୍ଚମୀ, ମାଘ ସପ୍ତମୀ, କାଳୀପୂଜା, ରଟନ୍ତୀ ଚତୁର୍ଦ୍ଦଶୀ ବା ତାରାପୂଜା ଆଦି ଲୋକଧର୍ମାନୁମୋଦିତ ବୌଦ୍ଧ ପର୍ବ ଅଟନ୍ତି । ଖୁବ୍‌ ସମ୍ଭବ ଦୋଳପୂର୍ଣ୍ଣିମା ଏକ ବୌଦ୍ଧଧର୍ମାନୁସୃଷ୍ଟ ପର୍ବ ଅଟେ । କିନ୍ତୁ ଏହି ଲୋକଧର୍ମୀ ପର୍ବ ଓଡ଼ିଶାର ସର୍ବସାଧାରଣଙ୍କ ଦ୍ୱାରା ପାଳିତ ହୁଏ ନାହିଁ ଯଦିଓ ଏଥି ସହିତ ସଂପୃକ୍ତ ଅବିର ଖେଳ ଓ ଆନନ୍ଦ ଉଲ୍ଲାସ ସର୍ବଜନାଦୃତ ଅଟେ । ସେହିପରି ବୁଦ୍ଧ ଜୟନ୍ତୀ ଏକ ସର୍ବଜନ ପାଳିତ ପର୍ବ ନୁହେଁ । ତାହା ଗୋଟିଏ ଗୋଷ୍ଠୀର ପର୍ବ ଅଟେ । କିନ୍ତୁ ବିଭିନ୍ନ ଗୋଷ୍ଠୀ ଅଥବା ଗୋଷ୍ଠୀମାନଙ୍କର ଏଥିରେ ଯୋଗଦାନ ସମ୍ଭବ ହେଲେ ଏହା ବହୁଲୋକଙ୍କଦ୍ୱାରା ଅନୁମୋଦିତ ଧର୍ମ ରୂପେ ସ୍ଵୀକୃତ ହେବ ନଚେତ୍‌ ତାହା ରାଜନୈତିକ ଉଦ୍ଦେଶ୍ୟ ନିହିତ ଏକ ସରକାରୀ ପ୍ରବର୍ତ୍ତିତ ଧର୍ମ ରୂପେ ପାଳିତ ହେବ-। ବୌଦ୍ଧଧର୍ମର ଲୋକଧର୍ମକୁ ଅବଦାନ ରୂପେ ସ୍ନାନପର୍ବଗୁଡ଼ିକୁ ନିଆଯାଇପାରେ । କେତେକ ସ୍ନାନପର୍ବ ଯଦିଓ ଜୈନଧର୍ମକୁ ଆଶ୍ରାକରି ବିକଶିତ ହୋଇଥିବା ମନେହୁଏ ତଥାପି ତାହା ଚିହ୍ନଟ କରିବା କଠିନ ଅଟେ । ଯମ ତର୍ପଣ, ଭୌମୀ ଏକାଦଶୀ ଓ କାଳୀକା ପୂଜା ବୌଦ୍ଧଧର୍ମାନୁମୋଦିତ ପର୍ବ ହେବା ସମ୍ଭବ ମାତ୍ର ଏଗୁଡ଼ିକ ବ୍ୟାପକ ଲୋକଧର୍ମୀ ହୋଇପାରି ନଥିବା ହେତୁ ବିଲୁପ୍ତ ପ୍ରାୟ । କେବଳ ସାର୍ବଜନୀନ ଲୋକଧର୍ମ ଅନୁମୋଦିତ ବୌଦ୍ଧ ପର୍ବ ମଧ୍ୟରେ ମାଘ ସପ୍ତମୀ ଓ କାଳୀପୂଜା ଅନ୍ୟତମ ଅଟେ ।

 

ଶୈବଧର୍ମ ଅନୁସୃତ ଲୋକଧର୍ମ ମଧ୍ୟରେ ବହୁ ଉତ୍ସବ ଅନୁଷ୍ଠାନାଦି ରହିଥିଲେ ମଧ୍ୟ ଜାଗର, ବଡ଼ଓଷା, ଶୀତଳଷଷ୍ଠୀ, ଚମ୍ପକ ଦ୍ୱାଦଶୀ ଆଦି ସେଗୁଡ଼ିକ ମଧ୍ୟରେ ଅନ୍ୟତମ । ଏଗୁଡ଼ିକରେ ପାଳିତ ଯାତ୍ରା ବା ଅନୁଷ୍ଠାନରେ ଲୋକମାନଙ୍କର ସ୍ଵତଃ ସମାବେଶ ହୋଇଥାଏ । ସେଥିପାଇଁ ଏଗୁଡ଼ିକ କେବଳ ଶୈବପର୍ବ ହୋଇ ରହିନାହିଁ ବରଂ ଲୋକଧର୍ମ ଅନ୍ତର୍ଗତ ପର୍ବର ରୂପ ଗ୍ରହଣ କରିଛି । ଶୈବ ପରିବାର ଅନ୍ତର୍ଗତ ଅନ୍ୟାନ୍ୟ ଲୋକଧର୍ମ ମଧ୍ୟରେ ଗଣେଶ ଚତୁର୍ଥୀ, ପ୍ରଥମାଷ୍ଟମୀ, ନାଗପଞ୍ଚମୀ ଆଦିକୁ ଗ୍ରହଣ କରାଯାଇପାରେ । ଏଗୁଡ଼ିକ ଶୈବ ପରିବାର ପର୍ବ ହେଲେ ମଧ୍ୟ ଗୋଟିଏ ଗୋଟିଏ ସ୍ଵତନ୍ତ୍ର ଗୋଷ୍ଠୀର ପର୍ବ ଅଟନ୍ତି । ମାତ୍ର ସେଗୁଡ଼ିକ ଲୋକଧର୍ମୀ ହୋଇଛନ୍ତି ଅଥବା ସେ ଦିଗରେ ପ୍ରଭାବିତ ହେଉଛନ୍ତି । ଭୈରବଙ୍କ ପୂଜା ସହିତ ଜଡ଼ିତ ରେଖାପଞ୍ଚମୀ ଶିବ ପାର୍ଶ୍ୱପରିବର୍ତ୍ତନ ଉତ୍ସବ ଏବଂ କେଦାର ବ୍ରତ, ଅନନ୍ତବୃତ ଆଦି ଶୈବ ପରିବାରଭୁକ୍ତ ଲୋକଧର୍ମ । ଏଥିରେ ଲୋକଧର୍ମର ସ୍ୱାକ୍ଷର ଅଧିକ ଜଡ଼ିତ ଥିଲେ ସୁଦ୍ଧା ସେଗୁଡ଼ିକ ସାର୍ବଜନୀନ ନୁହଁନ୍ତି ।

 

ଶାକ୍ତଧର୍ମାନୁମୋଦିତ ପର୍ବ ବା ଧର୍ମ ଗୁଡ଼ିକ ଅଧିକ ଲୋକଧର୍ମୀ, ସେଥିରେ ବହୁ ଓଷା ଓ ବ୍ରତଦେବୀଙ୍କ ଉଦ୍ଦେଶ୍ୟରେ ମାନସିକ ସହ ପାଳିତ ହୁଏ । ଲୋକଧର୍ମୀ ଶାକ୍ତଧର୍ମାଶ୍ରିତ ଉତ୍ସବାନୁଷ୍ଠାନ ବା ଓଷାଦି ମଧ୍ୟରେ ରଜ, ବାଲିତୃତୀୟା, ଆଶ୍ଵୀନ ମାସର ଦୂର୍ଗାପୂଜା, ଚଇତିମଙ୍ଗଳବାର, ମାଣବସା ଗୁରୁବାର, କୁମାର-ପୂର୍ଣ୍ଣମୀରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା, ବସନ୍ତ ପଞ୍ଚମୀ ପ୍ରଭୃତି ପ୍ରଧାନ ଲୋକଧର୍ମୀ ଶାକ୍ତପର୍ବ ଅଟନ୍ତି । ଏହା ବ୍ୟତୀତ ଭାଦ୍ରବ ମାସରେ ଅନୁଷ୍ଠିତ ଖୁଦୁରୁକୁଣୀ, ଜ୍ୟେଷ୍ଠମାସରେ ପାଳିତ ସାବିତ୍ରୀ ଅମାବାସ୍ୟା, ଜାଗୁଳେଇ ପଞ୍ଚମୀ ଓ ମନସା ପଞ୍ଚମୀ ମଧ୍ୟ ଉଲ୍ଲେଖଯୋଗ୍ୟ ଲୋକପର୍ବ ଅଟନ୍ତି । ଅଧିକାଂଶ ଶାକ୍ତ ପର୍ଯ୍ୟାୟ ଲୋକଧର୍ମ ସ୍ତ୍ରୀଲୋକମାନଙ୍କ ଦ୍ୱାରା ଆଚରିତ ହୋଇଥାଏ । ଏହା ସତ୍ତ୍ଵେ ଏହି ଲୋକଧର୍ମାନୁସୃତ ଶାକ୍ତପର୍ବଗୁଡ଼ିକ ବିବିଧ ସାଂପ୍ରଦାୟିକ ଧର୍ମ ଅନ୍ତର୍ଗତ ଅଟନ୍ତି ।

 

ବୈଷ୍ଣବ ଧର୍ମ ଅନ୍ତର୍ଗତ ପର୍ବଗୁଡ଼ିକ ମଧ୍ୟରୁ ଅଧିକ ସଂଖ୍ୟକ ଲୋକଧର୍ମୀ ଅଟନ୍ତି । ଏଥି ସହିତ ସଂପୃକ୍ତ ଉତ୍ସବାନୁଷ୍ଠାନ ଗୁଡ଼ିକର ଲୋକଚରିତ୍ର ଅଧିକ ସର୍ବଜନାନୁମୋଦିତ ହୋଇଥିବା ଦେଖାଯାଏ । ଚନ୍ଦନ ଯାତ୍ରା, ଝୁଲଣ, ଗହ୍ମା ପୂର୍ଣ୍ଣିମା, ଜନ୍ମାଷ୍ଟମୀ, ଫଗୁଦଶମୀ, ଦୋଳପୂର୍ଣ୍ଣିମା, ରାମ ନବମୀ, ବିଶ୍ୱକର୍ମା ପୂଜା, ଶ୍ରୀଗୁଣ୍ଡିଚା, ବାହୁଡ଼ା, ସ୍ନାନ ପୂର୍ଣ୍ଣୀମା ଇତ୍ୟାଦି ବୈଷ୍ଣବ ଧର୍ମୀ ଓ ତତ୍‍ସଂଲଗ୍ନ ଅନୁଷ୍ଠାନ ଗୁଡ଼ିକ ଆଞ୍ଚଳିକ, ରାଜ୍ୟସ୍ତରୀୟ ଓ ଜାତୀୟ ଲୋକଧର୍ମ ରୂପେ ପରିଚିତ ହୋଇପାରନ୍ତି । ବୈଷ୍ଣବ-ଧର୍ମାଶ୍ରିତ ଉତ୍ସବ ଓ ଅନୁଷ୍ଠାନଗୁଡ଼ିକ ଉଦାର, ଭାବପ୍ରବଣ, ବାଦ୍ୟ, ଗୀତ, ଭଜନ, ନୃତ୍ୟ ଆଦି ଆଶ୍ରିତ ହୋଇଥିବା ହେତୁ ଅଧିକ ଲୋକଧର୍ମୀ ହୋଇଥିବା ଦେଖାଯାଏ । ବିଶେଷତଃ ଚୈତନ୍ୟ ଏବଂ ତାଙ୍କ ସଂପ୍ରଦାୟ ଅନ୍ତର୍ଗତ ଅନ୍ୟାନ୍ୟ ଧର୍ମପ୍ରଚାରକମାନଙ୍କ ଦ୍ୱାରା ଲୋକହୃଦୟକୁ ସ୍ପର୍ଶ କରିଥିବା କେତେକ ବିଭାବ ବୈଷ୍ଣବ ଧର୍ମର ଏହି ଉତ୍ସବାନୁଷ୍ଠାନ ଗୁଡ଼ିକୁ ଲୋକଧର୍ମର ନିକଟତର କରିପାରିଛି ।

 

ମହିମାଧର୍ମ ଏକ ନୂତନ ପ୍ରସାରିତ ଲୋକଧର୍ମ ଅଟେ । ଏଥିରେ ଆଦିବାସୀ ଓ ଅଣ-ଆଦିବାସୀଙ୍କ ମହାମିଳନ ସଂଗଠିତ ହୋଇଛି । ଏହା ମଧ୍ୟ ସୂର୍ଯ୍ୟଙ୍କ ଆରାଧନା ବା ପୂଜାକୁ ଆଶ୍ରୟ କରିଥିବା ଏକ ଲୋକଧର୍ମ । କ୍ରମେ ଏହା ବ୍ୟାପକ ଲୋକଧର୍ମ ହେବା ଦିଗରେ ଆଗେଇ ଚାଲିଛି । ସେହିପରି ଖ୍ରୀଷ୍ଟୀୟାନ୍‌ ସଂପ୍ରଦାୟର ଖ୍ରୀଷ୍ଟମାସ ପର୍ବ ଏକ ଲୋକଧର୍ମୀ ଉତ୍ସବାନୁଷ୍ଠାନ ଅଟେ । ଏହା ଖ୍ରୀଷ୍ଟୀୟାନ୍‌ ସମାଜରୁ କ୍ରମେ ଅନ୍ୟ ସଂପ୍ରଦାୟର ପାଳନ ପରିସରକୁ ସଂଚାରିତ ହେଉଛି ।

 

      କେତେକ କୃଷି-ଭିତ୍ତିକ ପର୍ବ ବିଭିନ୍ନ ଧର୍ମାବଲମ୍ବୀଙ୍କ ଦ୍ୱାରା ଆଦୃତ ହେବା ହେତୁ ଲୋକଧର୍ମୀ ହୋଇଥିବା ଦେଖାଯାଏ । ସେଥିନିମିତ୍ତ ଯେଉଁ ଅନୁଷ୍ଠାନମାନ କରାଯାଇଥାଏ ତାହା ସ୍ଵତନ୍ତ୍ର । ଅକ୍ଷୟତୃତୀୟା, ମକର ସଂକ୍ରାନ୍ତି ପ୍ରଭୃତି ଲୋକଧର୍ମକୁ ଆଶ୍ରୟ କରୁଥିବା କୃଷିଭିଭିକ ଧର୍ମ ଉଲ୍ଲେଖଯୋଗ୍ୟ ଅଟେ । ଏଗୁଡ଼ିକ ବିବିଧ ଧର୍ମର ଅନୁଗାମୀମାନେ ପାଳନ କରୁଥିଲେ ସୁଦ୍ଧା ସେମାନଙ୍କର କୃଷିଭିତ୍ତିକୁ ଅକ୍ଷୁର୍ଣ୍ଣ ରଖିପାରିଛନ୍ତି । ତେଣୁ ଏହାକୁ ଏକ ସ୍ପଷ୍ଟ ବା ସ୍ଵତଃସ୍ଫୂର୍ତ୍ତ ଲୋକଧର୍ମ ଭାବରେ ଗ୍ରହଣ କରାଯାଇପାରେ ।

 

ଲୋକଧର୍ମ ଭଳି ଲୋକ ବିଶ୍ଵାସ ମଧ୍ୟ ସ୍ଵତନ୍ତ୍ର ଭାବରେ ଆଲୋଚିତ ହୋଇପାରେ । ବିଶ୍ଵାସ ଏକ ବ୍ୟକ୍ତିକେନ୍ଦ୍ରିକ ଶବ୍ଦ ତଥା ବିଷୟ ଅଟେ । ଏହା ମଧ୍ୟ ବ୍ୟକ୍ତି ଭେଦରେ ପୃଥକ୍‌ ଭାବରେ ବିଦ୍ୟମାନ । ବିଶ୍ୱାସର ପ୍ରକୃତି ସାଧାରଣତଃ ଅବୈଜ୍ଞାନିକ ଅଥବା ଯୁକ୍ତି ବିବର୍ଚ୍ଚିତ ହୋଇପାରେ । ଏହା ମଧ୍ୟ ବେଳେ ବେଳେ ସତ୍ୟର ନିକଟବର୍ତ୍ତୀ ହୋଇଥାଏ; ମାତ୍ର ତାହା ତାତ୍‌କାଳୀକ ଅଟେ । ଲୋକ ବିଶ୍ଵାସ ଅଜ୍ଞାତ ବ୍ୟକ୍ତି ବିଶେଷର ବିଶ୍ଵାସ । ଅଥବା କୌଣସି ପ୍ରତିକ୍ରିୟାରୁ ସୃଷ୍ଟି ହୁଏ । ସେଥିରେ ମଧ୍ୟ ବିବିଧ ଅବସ୍ଥାର ପ୍ରତିଫଳନ ଥାଏ । ଏହା ଏକାଧିକ ଅଜ୍ଞାତ ବ୍ୟକ୍ତି ଅଥବା ଗୋଷ୍ଠୀଙ୍କ ଦ୍ୱାରା ଗ୍ରହଣୀୟ ହେଲେ କିମ୍ବା ବ୍ୟକ୍ତି ବିଶ୍ଵାସ ଗୋଷ୍ଠୀ ଦ୍ୱାରା ଅନୁସୃତ ହେଲେ ତାହା ଲୋକ ବିଶ୍ଵାସ ରୂପେ ପରିଚିତ ହୋଇଥାଏ । ଏପରି ଲୋକବିଶ୍ଵାସର ପରିସର ମଧ୍ୟ । ସାର୍ବଜନୀନ ଅଥବା ସୀମିତ ଗୋଷ୍ଠୀ ଭିତ୍ତିକ କିମ୍ବା ଆଞ୍ଚଳିକ ହୋଇପାରେ । ତେଣୁ ଓଡ଼ିଶାର ଲୋକବିଶ୍ଵାସ । ଏକ ଆଞ୍ଚଳିକ ଲୋକବିଶ୍ଵାସ ହେବା ଅଥବା ଏହାର ଉପଖଣ୍ଡମାନଙ୍କରେ ତିଷ୍ଠି ରହିଥିବା ଭିନ୍ନ ଭିନ୍ନ ଲୋକବିଶ୍ଵାସଗୁଡ଼ିକର ସାମୂହିକ ପରିପ୍ରକାଶ ଅଟେ । ସେହି ଦୃଷ୍ଟି କୋଣରୁ ଆଲୋଚନାର ବ୍ୟାପକତା ଅନୂମିତ ହୋଇପାରେ । ସେଥିପାଇଁ କେବଳ ତାର ସ୍ଥଳ ପରିସର ବିଷୟରେ ସୂଚନା ଦିଆଯାଉଛି ।

 

ଯେ କୌଣସି ବିଶ୍ଵାସ ବ୍ୟକ୍ତି ମନରେ ନିଭୃତରେ ସୃଷ୍ଟି ହୋଇଥାଏ । ପରେ ତାହାର ବିକାଶ ହୋଇପାରେ ଅଥବା ତାହା ସାମୟିକ ହୁଏ । ସାମୟିକ ବିଶ୍ଵାସର ପ୍ରଭାବ ସମାଜ ଉପରେ ପଡ଼େନାହିଁ । ତାହା ତାତ୍କାଳୀକ । କିନ୍ତୁ ଯଦି ଏହି ବିଶ୍ଵାସର ପରିସର ବୃଦ୍ଧିପାଏ ଏବଂ ତାହା ପରିବାର, କୁଟୁମ୍ବ, ବନ୍ଧୁ, ଗ୍ରାମ, ଅଞ୍ଚଳ ଦେଶ ଆଦିରେ ପ୍ରସାରିତ ହୁଏ ତେବେ ତାହା ଲୋକବିଶ୍ଵାସ ସ୍ତରକୁ ଉନ୍ନୀତ ହୁଏ । ଏହି ବିଶ୍ଵାସର ବ୍ୟାପ୍ତି ପରିବାର, କୁଟୁମ୍ବ ଓ ବନ୍ଧୁ ଅଥବା ଗ୍ରାମ ମଧ୍ୟରେ ବିସ୍ତାରିତ ହେଲେ ତାହା ଗୋଷ୍ଠୀଗତ ବିଶ୍ଵାସ ହୋଇଥାଏ ଏବଂ ତାକୁ ଗୋଷ୍ଠୀ ଅନୁସୃତ ଲୋକବିଶ୍ଵାସ ରୂପେ ଗ୍ରହଣ କରାଯାଇପାରେ । ମାତ୍ର ଅଞ୍ଚଳ, ରାଜ୍ୟ, ଦେଶ ବା ଜାତୀୟ ସ୍ତରକୁ ତାହା ସ୍ପର୍ଶ କଲେ ପୂର୍ଣ୍ଣ ଲୋକବିଶ୍ଵାସର ମର୍ଯ୍ୟାଦା ଲାଭକରେ । ବିଶ୍ଵାସ ପ୍ରାକୃତିକ ପ୍ରକ୍ରିୟା ଅଥବା ମାନବ ମନର ପ୍ରତିକ୍ରିୟାରୁ ସୃଷ୍ଟ ଭାବାନ୍ତର ଜନିତ ହୋଇପାରେ । ଭାବାନ୍ତର ଉପକାରୀ ବା ଅପକାରୀ ଚିନ୍ତାରେ ସଂଦେହ ଓ ଭୟକୁ ଆଶ୍ରୟ କରି ହୋଇଥାଏ । ଏପରି ଚିନ୍ତାର ବିଭାଗୀକରଣ କରିବା କଷ୍ଟକର ବ୍ୟାପାର; କାରଣ ପ୍ରତି ମୁହୂର୍ତ୍ତରେ ଚିନ୍ତାର ପରିସର ବଦଳୁଥାଏ ଏବଂ ଏହା ପରିସ୍ଥିତି ଜନିତ ଅଟେ । ପରିସ୍ଥିତ ଏକ ତାତ୍କାଳୀକ ବ୍ୟାପାର ହୋଇଥିବା ହେତୁ ତାହାର କଳ୍ପନା ଓ ବିଭାଗୀକରଣ ମଧ୍ୟ ଅସମ୍ଭବ ଅଟେ ।

 

      ଆଦିବାସୀ ସମାଜରେ ବିଶ୍ଵାସ ପ୍ରକୃତିର ବୈଚିତ୍ର୍ୟକୁ ବିଚାରକୁ ନେଇ ସୃଷ୍ଟି ହୋଇଥିଲେ ତାକୁ ପ୍ରାକୃତିକ ବିଶ୍ଵାସର ଅନ୍ତର୍ଭୁକ୍ତ କରାଯାଇପାରେ । ଉଷ୍ଣ ପ୍ରସ୍ରବଣ, ସ୍ଥଳ ବିଶେଷରେ ଭୁମିରୁ ଅଗ୍ନିର ଆବିର୍ଭାବ, ଭୂମିକଂପ, ଅଗ୍ନି ଉଦ୍‌ଗୀରଣ, ବାତ୍ୟା, ସୂର୍ଯ୍ୟ ପରାଗ ବା ଚନ୍ଦ୍ର ଗ୍ରହଣ, ବନାଗ୍ନି ସୃଷ୍ଟି, ମରୁଡ଼ି, ବନ୍ୟାଦିର ଉତ୍ପତ୍ତି ପ୍ରାକୃତିକ ହେଲେ ମଧ୍ୟ ସେଥିର କାରଣ ନିବାରଣ କରିବାରେ ଆଦିବାସୀଙ୍କ ନିକଟରେ ଯୁକ୍ତିଯୁକ୍ତ ଉତ୍ତର ଥିବା ସାଧାରଣତଃ ଦେଖାଯାଏ ନାହିଁ । ଏଗୁଡ଼ିକ ସଂପର୍କରେ ସେମାନଙ୍କ ବିଶ୍ଵାସର ଭିତ୍ତି ଭୟ ଅଥବା ଆଶ୍ଚର୍ଯ୍ୟରୁ ହୋଇଥାଏ । ସେଥିପାଇଁ ସେହି ସେହି ବିଭାବର ବୈଚିତ୍ର୍ୟକୁ ଆଶଙ୍କାଠାରୁ ଦୂରରେ ରଖିବା ନିମନ୍ତେ ଏବଂ ମଣିଷ ମନର ଆବେଗରୁ ନିବୃତ୍ତ ରହିବାକୁ ଅବସର ଅଥବା ନିର୍ବାଚିତ ସ୍ଥାନରେ ପୂଜା ଓ ବଳିର ବ୍ୟବସ୍ଥା କରାଯାଇଥାଏ । ଏହା ଭବିଷ୍ୟତରେ ସେଗୁଡ଼ିକର ପୁନରାବୃତ୍ତି ନିରୋଧ ଅଥବା ସେସବୁର ନିରାକରଣ ପାଇଁ ପ୍ରାର୍ଥନା ବିଜଡ଼ିତ ହୁଏ । ପୂଜା, ବଳି ଓ ପ୍ରାର୍ଥନାର ଗୁରୁତ୍ୱ କ୍ଷୟକାରି ଶକ୍ତିର ପ୍ରଭାବ ଉପରେ ନିର୍ଭର କରେ । ଉଦାହରଣ ସ୍ଵରୂପ କନ୍ଧମାନଙ୍କର ମେରିଆ ପର୍ବ ଯୁକ୍ତିହୀନ ବିଶ୍ଵାସ ଉପରେ ଆଧାରିତ ଏବଂ ଏହା ଫସଲହାନୀ, ରୋଗବୈରାଗ ଆଦିର ନିରାକରଣ ପାଇଁ ଅନୁଷ୍ଠିତ ହୋଇଥାଏ । ବହୁ ଲୋକକ୍ଷୟରୁ ରକ୍ଷା ପାଇବା ନିମନ୍ତେ ମନୁଷ୍ୟବଳିର କଳ୍ପନା ହୋଇଥିବା ମନେହୁଏ । ମାତ୍ର ଏହା ପଛରେ ଅନ୍ୟ କିଛି ଯୁକ୍ତିଯୁକ୍ତ କାରଣ ଥିବା ଦେଖାଯାଏ ନାହିଁ-। ଅନେକ ସମୟରେ ପ୍ରାକୃତିକ ବୈଚିତ୍ର୍ୟକୁ ଦେବୀ ଆଖ୍ୟା ପ୍ରଦାନ କରାଯାଇ ତାହାର କୁପ୍ରଭାବ ପ୍ରତିହତ କରିବା ନିମନ୍ତେ ଉଦ୍ୟମ ହୋଇଥାଏ । ଉଦାହରଣ ସ୍ଵରୂପ ତାଳଚେର କୋଇଲା ଖଣି ଅଞ୍ଚଳରେ ଖରାଦିନେ ସ୍ଵତଃ ଅଗ୍ନିର ଆବିର୍ଭାବ ଘଟିଲେ ତାହାକୁ ହିଙ୍ଗୁଳା ଦେବୀଙ୍କ ଆବିର୍ଭାବ ଆଖ୍ୟା ପ୍ରଦାନ କରାଯାଇ ପୂଜାଦି ଅର୍ପିତ ହୁଏ । ଏହା ମଧ୍ୟ ପ୍ରତିବର୍ଷ ଉତ୍ସବ ମାଧ୍ୟମରେ ପାଳିତ ହୁଏ । ସେହିପରି ଗନ୍ଧକର ଅବସ୍ଥିତି ହେତୁ ଅତ୍ୟାଧୁନିକ ଉତ୍ତାପ ସୃଷ୍ଟି ହୋଇ ଜଳ ଫୁଟୁଥିବା ତପ୍ତପାଣି, ହଟକେଶ୍ଵର ପ୍ରଭୃତି ନିକଟରେ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ମେଳାର ଆୟୋଜନ ହୋଇଥାଏ ।

 

ସମ୍ଭବତଃ ମେଳାର ଆରମ୍ଭ ଦିବସ ବା ମେଳା ନିମନ୍ତେ ସ୍ଥିରୀକୃତ ଦିବସରେ ଏହାର ଆୟୋଜନ ହୁଏ । ନଦୀମାନଙ୍କ ସଙ୍ଗମ ସ୍ଥଳ, ଜଳପ୍ରପାତ, ନିର୍ଝର ପ୍ରଭୃତି ମଧ୍ୟ ଧର୍ମକର୍ମାଦି ନିମନ୍ତେ ନିର୍ବାଚିତ ସ୍ଥାନ ହୋଇଥାଏ ଏବଂ ତାହା ବିଶ୍ଵାସ ଉପରେ ଆଧାରିତ ଅଟେ ।

 

କିନ୍ତୁ ମାନବକୃତ ବିଶ୍ଵାସର କୌଣସି ନିର୍ଦ୍ଧାରିତ ରୂପରେଖ ପ୍ରସ୍ତୁତ କରିବା କଠିନ । ଏହା ମନର ବିବିଧ ଭାବାନ୍ତର ବା ବିଭାବକୁ ସ୍ପର୍ଶ କରିଥାଏ । ବିଶେଷତଃ ସଂଶୟ, ପ୍ରବୃତ୍ତି ଭୟ, କିଂକର୍ତ୍ତବ୍ୟ-ବିମୂଢ଼ାବସ୍ଥାରେ ଯୁକ୍ତି ରହିତ ଭାବେ କୌଣସି ସିଦ୍ଧାନ୍ତ ନେବା ଏବଂ ତାକୁ ଗ୍ରହଣ କରିବା ସହିତ ତାର ପ୍ରଚାର ପ୍ରସାର ଘଟାଇବା ବିଶ୍ଵାସର ସାମାଜିକୀକରଣ ଅଟେ । ତାହାର ପରିଚିତିକୁ ଆମେ ମାନବକୃତ ଲୋକବିଶ୍ଵାସ ରୂପେ ଅନୁଭବ କରୁ । ଏହି ପର୍ଯ୍ୟାୟର ଲୋକ-ବିଶ୍ଵାସ ଆମମାନଙ୍କୁ କେତେକ ବାରଣ ଅଥବା କର୍ତ୍ତବ୍ୟ ଅକର୍ତ୍ତବ୍ୟ ନିର୍ଦ୍ଧାରଣର ଶିକ୍ଷା ଦେଇଥାଏ । କିନ୍ତୁ ତାହା ଲୋକ ବିଶ୍ଵାସରୁ ସୃଷ୍ଟ ଏକ କ୍ରିୟା- ମାତ୍ର ଲୋକ-ବିଶ୍ଵାସ ନୁହେଁ । କିନ୍ତୁ ଏହି କ୍ରିୟା ଅନ୍ୟମାନଙ୍କ ଦ୍ୱାରା ଗୃହୀତ ହେଲେ ଏବଂ ସେମାନେ ତାକୁ ଅବିଚାରିତ ଭାବେ ଗ୍ରହଣ କଲେ ତାହା ଲୋକ ବିଶ୍ଵାସ ପର୍ଯ୍ୟାୟକୁ ଉନ୍ନୀତ ହୋଇଥାଏ । ଉଦାହରଣ ସ୍ଵରୂପ ଆଦିବାସୀମାନେ ସେମାନଙ୍କ ସଦ୍ୟ ଜନ୍ମିତ ସନ୍ତାନକୁ କୌଣସି ପୂର୍ବ ପୁରୁଷର ଆତ୍ମା ରୂପେ ଗ୍ରହଣ କରି ସେହି ଅନୁସାରେ ତାର ନାମକରଣ କରନ୍ତି । ମାତ୍ର ଏହା ପଛରେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନଥାଏ । ତେଣୁ ସମାଜର ଯେଉଁ ପ୍ରଥମ ବ୍ୟକ୍ତି ଏପରି ଏକ ଚିନ୍ତା ପ୍ରକାଶ କଲେ ସେ ସେହି ଭାବଟିକୁ ଅନ୍ତରର ସହ ବିଶ୍ଵାସ କଲେ ଏବଂ ଏହା ସାମାଜିକ ରୂପ ନେଇ ଲୋକ-ବିଶ୍ଵାସରେ ପରିଣତ ହେଲା । ଠିକ୍‌ ଏହି କ୍ରମରେ ଶୁଭାଶୁଭ ଶକୁନ, ଖାଦ୍ୟପେୟର ନିର୍ଦ୍ଧାରଣ, କହିବାରେ ବାଛବିଚାର ମୂଳକ ପ୍ରୟୋଗ, ବିଭିନ୍ନ କ୍ରିୟା କଳାପ ବିଶେଷତଃ ଯୌନକ୍ରିୟାଦିର ଅବଲୋକନରେ ଶ୍ଳୀଳ ଅଶ୍ଲୀଳ ଜ୍ଞାନ, ସ୍ପର୍ଶ କରିବାରେ ଭଲ ମନ୍ଦର ବିଚାର, ବିବାହ ନିର୍ଦ୍ଧାରଣରେ କରଣୀୟ ଅକରଣୀୟ ସୂଚନାଦି ବିଶ୍ଵାସ ବା ବ୍ୟକ୍ତି ବିଶ୍ଵାସରୁ ସୃଷ୍ଟ ଅଟେ । ପରେ ଏଗୁଡ଼ିକ ଲୋକସମାଜରେ ପ୍ରଚଳିତ ହୋଇ ଲୋକବିଶ୍ଵାସ ରୁପେ ଗୃହୀତ ହୋଇଥିବା ଦେଖାଯାଏ । କୌଣସି କର୍ମରେ ଯିବାବେଳେ ବାଟରେ କେତେକ ଚିହ୍ନ, ପଶୁପକ୍ଷୀ ଆଦିଙ୍କୁ ସମ୍ମୁଖରେ, ବାମ ବା ଡାହାଣରେ ଦେଖିବା, ଯିବା ବେଳେ କେତେକ ଅନୁକୂଳର ବ୍ୟବସ୍ଥା କରିବା ଯଥା - ଦହିମାଛ ଖାଇ କରି ଯିବା, ଦୁଆର ମୁହଁରେ କଳସ ଥୋଇବା ଇତ୍ୟାଦି ନାନା ବିଧାନର ବ୍ୟବସ୍ଥା ଲୋକବିଶ୍ଵାସ ରୂପେ ପରିଗଣିତ ହୋଇପାରେ-। ଆଦିବାସୀମାନେ କୌଣସି ଫଳନ୍ତି ଆମ୍ବଗଛ ସହ ପୁରୁଷର ବିବାହ ଦେଇ ତାପରେ କନ୍ୟାକୁ ବିବାହ କରାଇଥାନ୍ତି । ଏହା ସନ୍ତାନ ପ୍ରାପ୍ତି ଦିଗରେ ସହାୟକ ହେଉଥିବା ଚିହ୍ନ ରୂପେ ବିବେଚିତ ହୁଏ । ସେହିପରି ମୃତବ୍ୟକ୍ତିମାନଙ୍କ ନିମନ୍ତେ ଉତ୍ସର୍ଗ କରାଯାଉଥିବା ବ୍ୟବହୃତ ଦ୍ରବ୍ୟ, କୃଷି ଉପକରଣ, ବଳି ଦିଆଯାଇଥିବା ଗୋରୁ ମଧ୍ୟ ପରଲୋକରେ ମୃତବ୍ୟକ୍ତି ଲାଭ କରୁଥିବା ଆଦିବାସୀମାନେ ବିଶ୍ଵାସ କରନ୍ତି । କନ୍ଧମାନେ କଚେରୀରେ ସାକ୍ଷ୍ୟ ଦେବାବେଳେ ଗୋଟିଏ ମାଟି ନିର୍ମିତ ତାମ୍ବି ଅଥବା ସେମାନଙ୍କ ପଞ୍ଚାୟତରେ ବିଚାର ବେଳେ ଧରଣୀଙ୍କ ନିକଟରେ ବଳି ଦିଆଯାଇଥିବା ମେଣ୍ଢା ରକ୍ତରେ ଭିଜିଥିବା ଚାଉଳ ପାଟିରେ ରଖି ସାକ୍ଷ୍ୟ ଦେବାକୁ କୁହାଯାଉଥିଲା । ଏପରି କ୍ଷେତ୍ରରେ ସାକ୍ଷ୍ୟ ଦେଉଥିବା ବ୍ୟକ୍ତି ସତ ବ୍ୟତୀତ ଅନ୍ୟ କିଛି କହିବ ନାହିଁ ବୋଲି ବିଶ୍ଵାସ କରାଯାଉଥିଲା । କେତେକ ସ୍ଥାନରେ କନ୍ଧମାନଙ୍କ ପରିବାରରେ କୌଣସି ଅଘଟଣ ଘଟିଲେ ବା କେବେ ବସନ୍ତ ବା ମିଳିମିଳା ରୋଗର ଲକ୍ଷଣ ପ୍ରକାଶ ପାଇଲେ ସେମାନେ ଘରେ ରଖିଥିବା ପିତଳର ଦେବାଦେବୀ ପ୍ରତିମାକୁ କ୍ଷୀରରେ ଭାତ ଓ ହଳଦୀଗୁଣ୍ଡ ମିଶାଇ ସେହି ମୂର୍ତ୍ତିଗୁଡ଼ିକ ଉପରେ ଛିଞ୍ଚିଥାନ୍ତି । ତାପରେ ଜାନିକୁ ଡାକି କୁକୁଡ଼ା ବା ମେଣ୍ଢା ବଳିଦେଇ ସେମାନଙ୍କୁ ପୂଜା ଅର୍ପଣ କରି ଭୋଜିରେ ଯୋଗ ଦିଅନ୍ତି । ଏପରି କରିବା ଦ୍ଵାରା ଦୁଃଖର ଅପନୋଦନ ଓ ବସନ୍ତ ବା ମିଳିମିଳାର ଉପଶମ ଘଟୁଥିବା ସେମାନେ ବିଶ୍ୱାସ କରନ୍ତି ।

 

ବଣ୍ଡାମାନେ ବିଶ୍ଵାସ କରନ୍ତି ଯେ ସୀତାଙ୍କ ଗାଧୁଆବେଳେ ସେମାନେ ତାଙ୍କୁ ଦେଖି ହସିଥିବାରୁ ତାଙ୍କ ଅଭିଶାପରୁ ସେମାନେ ମୁଣ୍ତ ଲଣ୍ଡା କରି ଅଧଲଙ୍ଗଳା ଶରୀରରେ ରହିଛନ୍ତି । ସେହିପରି ଦୁଇଟି ଯାଆଁଳା ଝିଅ ଜନ୍ମ ହେଲେ ସେମାନେ ପୂର୍ବଜନ୍ମର ସାଥୀ ଥିବା ଏବଂ ଯାଆଁଳା ପୁଅମାନେ ପୂର୍ବ ଜନ୍ମର ମଇତ୍ର ଥିବା ସେମାନେ ବିଶ୍ଵାସ କରନ୍ତି । ଯୁଆଙ୍ଗ ରମଣୀମାନେ ବିବାହ ବେଳେ ପାରଂପରିକ ପତର ପୋଷାକ ପିନ୍ଧନ୍ତି । କାରଣ ପତରରେ ଅପୂର୍ବ ଶକ୍ତି ଭରି ରହିଥିବା ସେମାନେ ବିଶ୍ଵାସ କରନ୍ତି । ଲାଞ୍ଜିଆ ଶବରମାନେ ଘରେ କୌଣସି ରୋଗ ବୈରାଗ ହେଲେ ଭଲ ହେବା ନିମନ୍ତେ କାନ୍ଥରେ ଛବି ଆଙ୍କିଥାନ୍ତି । ସେଥିରେ ଯେଉଁ ଦେବତାଙ୍କ ଯୋଗୁ ରୋଗ ବୈରାଗ୍ୟ ହେଉଥିବା ବିଶ୍ଵାସ କରାଯାଏ ତାଙ୍କର ଛବି ଅନ୍ୟାନ୍ୟ ପ୍ରଖ୍ୟାପନ ମଧ୍ୟରେ ଅଙ୍କାଯାଇ ପୂଜା ଦିଆଯାଏ । ଏହାଦ୍ୱାରା ରୋଗୀ ଭଲ ହୋଇଯିବା ବିଶ୍ୱାସ ସେମାନଙ୍କର ଥାଏ । ସ୍ଥୁଳତଃ ଆଦିବାସୀ ସମାଜରେ ଭରି ରହିଥିବା ଲୋକ ବିଶ୍ୱାସରେ ମୃତ ବ୍ୟକ୍ତିଙ୍କ ଆତ୍ମା, ପ୍ରକୃତିରେ ଥିବା ବହୁ ବିଭାବର ଶକ୍ତି ଓ ଅଶରୀରୀମାନଙ୍କ କଳ୍ପନା ଏବଂ ବିଶ୍ଵାସ ଥାଏ । ସ୍ତ୍ରୀଲୋକ ଡାହାଣୀ ହେଉଥିବା ବେଳେ ବେଳେ ସେମାନେ ବିଶ୍ଵାସ କରିଥାନ୍ତି । ସେଥିନିମନ୍ତେ ସେହି ସ୍ତ୍ରୀଲୋକକୁ ହତ୍ୟା କରିବା ଦେଖାଯାଏ ଏବଂ ଏହା ପ୍ରବଳ ସଂଦେହାତ୍ମକ ଲୋକବିଶ୍ଵାସର ପରିଣତି ଅଟେ ।

 

ଅଣ-ଆଦିବାସୀ ସମାଜରେ ମଧ୍ୟ ଲୋକବିଶ୍ଵାସ ଭରି ରହିଛି । ଏଗୁଡ଼ିକ ବିବାହ ସମୟରେ ଅନୁସୃତ ରୀତିର କର୍ମକର୍ମାଣୀ, ଯାତ୍ରାରେ ଶୁଭାଶୁଭ ଶକୁନର ବିଚାର, ରୋଗବୈରାଗ ବା ବିପର୍ଯ୍ୟୟରେ ଜାତକ ଦେଖାଇ ଅଶୁଭଗ୍ରହଶାନ୍ତି, ଗୁଣିଆ ବା କାଳେସୀଙ୍କ ସହାୟତାରେ ବିଭିନ୍ନ ପ୍ରତିକାର ଓ ଭବିଷ୍ୟ-କଥନ ଆଦି ପଛରେ ଗଭୀର ପାରଂପରିକ ଲୋକବିଶ୍ଵାସ ଥିବା ଦେଖାଯାଏ-। ଗାଁ ଗହଳରେ ଭୂତ, ପ୍ରେତ ଓ ଅନ୍ୟାନ୍ୟ ବିବିଧ ଅଶରୀରୀଙ୍କ ସଂପର୍କରେ ବହୁ କଳ୍ପିତ ବିଶ୍ଵାସ ମଧ୍ୟ ଭରି ରହିଥିବା ଦେଖିବାକୁ ମିଳେ । ଯିବା ଆସିବା ବେଳେ ଆଗରେ ଗୋଟିଏ ବିରାଡ଼ି ଚାଲିଗଲେ ପଛକୁ ଫେରି ପୁଣି ଯିବା କ୍ରମେ ଏକ ବଦ୍ଧମୂଳ । ଲୋକବିଶ୍ଵାସରେ ପରିଣତ ହେବାକୁ ଯାଉଛି । କିନ୍ତୁ ପୂର୍ବେ ଏହା ଓଡ଼ିଶାର ଲୋକବିଶ୍ଵାସ ମଧ୍ୟରେ ଅନ୍ତର୍ଭୁକ୍ତ ନଥିଲା । ତେଣୁ ପାଶ୍ଚାତ୍ୟ ଦେଶର ଏହି ଲୋକବିଶ୍ଵାସ କ୍ରମେ ଓଡ଼ିଶାର ଲୋକବିଶ୍ଵାସ ମଧ୍ୟକୁ ପ୍ରବେଶ କରିଥିବା ସ୍ପଷ୍ଟ ହୁଏ । ଏଥିରୁ ଅନ୍ୟ ଗୋଟିଏ ସିଦ୍ଧାନ୍ତ ନିଆଯାଇପାରେ ଯେ ବିଭିନ୍ନ ଲୋକବିଶ୍ଵାସ, କ୍ରମେ ଏକ ଗୋଷ୍ଠୀରୁ ଅନ୍ୟ ଗୋଷ୍ଠୀକୁ ସଂଚରଣ କରୁଛି । ଏହା ଦୁଇଟି ଅଥବା ବହୁ ସଂସ୍କୃତିର ସଂସ୍ରବ ହେତୁ ଘଟୁଥିବା ନିଶ୍ଚିତ ଅଟେ । ଫଳରେ ଗୋଟିଏ ସଂସ୍କୃତିରେ ଭରି ରହିଥିବା ଲୋକବିଶ୍ଵାସମାନଙ୍କର ଅଧ୍ୟୟନରୁ ବିଭିନ୍ନ ଗୋଷ୍ଠୀ ବା ସଂପ୍ରଦାୟର ସାଂସ୍କୃତିକ ପ୍ରଭାବ ଉନ୍ମୋଚିତ ହୋଇପାରିବ । କିନ୍ତୁ ଏଥି‌ନିମନ୍ତେ ପ୍ରଚେଷ୍ଟା ଆୟାସସାଧ୍ୟ କାରଣ କୌଣସି ଲୋକବିଶ୍ଵାସ ନିର୍ଦ୍ଦିଷ୍ଟ ଗୋଷ୍ଠୀର କି ନୁହେଁ ତାହା ନିର୍ଣ୍ଣୟ କରିବା ଉପରେ ଏହା ନିର୍ଭର କରେ । ଲୋକବିଶ୍ଵାସଗୁଡ଼ିକର ମୂଳ ବ୍ୟବହାର-କାରୀ ଗୋଷ୍ଠୀ ନିର୍ଣ୍ଣିତ ହେବା ପରେ ସେଗୁଡ଼ିକର ସଂଚରଣ ଜନିତ ବ୍ୟବହାର କରୁଥି‌ବା ଗୋଷ୍ଠୀ ସହ ସେମାନଙ୍କ ସଂସ୍ରବର ସମୟ ନିର୍ଦ୍ଧାରଣ କରାଯିବା ଆବଶ୍ୟକ । ଏଥି‌ରୁ କେଉଁ ପରିସ୍ଥିତିରେ ସେହି ଲୋକ ବିଶ୍ଵାସଗୁଡ଼ିକ ବ୍ୟବହାରକାରୀ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବେଶ କରିଛି ତାହା ନିର୍ଣ୍ଣୟ କରାଯାଇ ପାରିବ ଏବଂ ତହିଁରୁ ଗୋଷ୍ଠୀ ସହଯୋଗ, ବିରୋଧ ଅଥବା ମୂଳ ଗୋଷ୍ଠୀରୁ ସେମାନଙ୍କର ପୃଥକ୍‌ ହେବାର କାରଣ ମଧ୍ୟ ଉପଲବ୍‌ଧ୍‌ କରାଯାଇ ପାରିବ ।

 

ଖ୍ରୀଷ୍ଟୀୟାନ୍‌ ଓ ମୁସଲମାନ ସଂପ୍ରଦାୟମାନଙ୍କ ମଧ୍ୟରେ ବହୁ ଲୋକବିଶ୍ଵାସ ରହିଛି । ସେଗୁଡ଼ିକ ଧର୍ମ ଅଥବା ସାଧାରଣ ଲୋକବିଶ୍ଵାସ ଅଟେ । ଖ୍ରୀଷ୍ଟୀୟାନ୍‍ମାନେ ବିପଦ ଆପଦରେ ଛାତି ଉପରେ କଳିତ ଯୁକ୍ତ ବା କ୍ରସ୍‌ ଟିହ୍ନ ଆଙ୍କିଥାନ୍ତି । ମୁସଲମାନମାନେ ମଧ୍ୟ ବିଭିନ୍ନ ଗୋଷ୍ଠୀର ଖାଣ୍ଟି ଅଥବା ମିଶ୍ରିତ ମୁସଲମାନ ରୂପ ସଂପର୍କରେ କେତେକ ବାଛ ବିଚାର ମୂଳକ ବିଶ୍ଵାସ ପୋଷଣ କରନ୍ତି । ମାତ୍ର ଲୋକବିଶ୍ଵାସର ଭିତ୍ତି ଏପରି ଦୃଢ଼ ଯେ ତାହାର ପରିବର୍ତ୍ତନ କଷ୍ଟସାଧ୍ୟ ମନେହୁଏ ।

 

ଭି.ଆଇ. ୬୧, ଇୟୁନିଟ୍‌ - ୬,

ଭୁବନେଶ୍ୱର - ୧

 

***

 

ରୀତିଯୁଗୀୟ ଅସ୍ତରାଗର କବି

ଶ୍ରୀ ମୋହିତ ମୋହନ ମହାପାତ୍ର

 

କବି ପରିଚୟ:

ବ୍ରଜରାଜ ସିଂହଦେବ ଖଡ଼ିଆଳର ଚୌହାନ ରାଜା ପଦ୍ମନ ସିଂହଙ୍କ ଜ୍ୟେଷ୍ଠ ପୁତ୍ର । ସେ ୧୮୫୧ ମସିହା ଶ୍ରୀପଞ୍ଚମୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ ଏବଂ ତାଙ୍କ ତିରୋଧାନ ୧୯୦୭ ମସିହାରେ ହୋଇଥିଲା । ରାଜନୈତିକ କାରଣବଶତଃ ପଦ୍ମନ ସିଂହ କଳାହାଣ୍ଡିର ମହାରାଜ ଉଦିତ ପ୍ରତାପ ଦେବଙ୍କ ଆଶ୍ରୟ ନେଇଥିଲେ । ତେଣୁ ବ୍ରଜରାଜଙ୍କ ବାଲ୍ୟଶିକ୍ଷା ଜୁନାଗଡ଼ରେ ନିର୍ବାହ ହୋଇଥିଲା । ନିଜେ ଉଦିତ ପ୍ରତାପ କବି ତଥା ବିଦ୍ୱାନ ଥିବାରୁ ଶିକ୍ଷାପ୍ରତି ଅନୁକୂଳ ପରିବେଶ ପାଇ ବ୍ରଜରାଜ ସଂସ୍କୃତ କାବ୍ୟ, ପୁରାଣ, ବ୍ୟାକରଣ, ଜ୍ୟୋତିଷ ଶାସ୍ତ୍ର, ଆୟୁର୍ବେଦ, କାବ୍ୟନାଟକ, ବେଦାନ୍ତ, ଭାଗବତ ସହିତ ଓଡ଼ିଆ କବି ଭଞ୍ଜ, ଅଭିମନ୍ୟୁ ଓ ଦୀନକୃଷ୍ଣ ଆଦିଙ୍କ କାବ୍ୟକବିତାଦି ପଠନ କରିଥିଲେ । ତାଙ୍କ ପିତା ପଦ୍ମନ ସିଂହ, କୃଷ୍ଣଚନ୍ଦ୍ର ସିଂହ ଦେବଙ୍କ ସ୍ଵର୍ଗାରୋହଣ ପରେ ଖଡ଼ିଆଳବାସୀଙ୍କ ଅନୁରୋଧକ୍ରମେ ଖଡ଼ିଆଳର ରାଜ୍ୟଭାର ଗ୍ରହଣ କଲେ । ବ୍ରଜରାଜ ଯୁବରାଜ ଥିବାବେଳୁ ୧୮୮୧ ମସିହାରୁ ୧୮୮୯ ମସିହା ପର୍ଯ୍ୟନ୍ତ ଅନେକ କାବ୍ୟକବିତା ରଚନା କରିଥିଲେ । ସେ ୧୮୮୯ରୁ ୧୯୦୭ ପର୍ଯ୍ୟନ୍ତ ଖଡ଼ିଆଳର ରାଜା । ରାଜ୍ୟଭାର ଗ୍ରହଣ କଲାପରେ ସେ କୌଣସି କାବ୍ୟକବିତାଦି ରଚନା କରିଥିବାର ଜଣାଯାଏ ନାହିଁ । ୧୮୮୩ ମସିହାରେ ‘ଖଡ଼ିଆଳ ସାହିତ୍ୟ ସମିତି ତାଙ୍କଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । ସର୍ବଶ୍ରୀ ଶଙ୍କର ନାଗେଶ ଶାସ୍ତ୍ରୀ (ମହାରାଷ୍ଟ୍ରୀୟ ପଣ୍ତିତ), ଭଗବାନ ଦାସ ରାୟଗୁରୁ, ଗଙ୍ଗାଧର ବୈଦ୍ୟ, ହରେକୃଷ୍ଣ ପ୍ରହରାଜ, ଭୁବନେଶ୍ଵର ବଡ଼ପଣ୍ଡା, ମଧୁସୂଦନ ପଟ୍ଟନାୟକ ଆଦି ସାହିତ୍ୟପ୍ରେମୀ ତାଙ୍କ ସହଯୋଗୀ ଥିଲେ । ଏହି ସମିତିର ଅନେକ କବି ଓ ପଣ୍ଡିତଙ୍କ ସାହିତ୍ୟସେବା ଏହି ଅଞ୍ଚଳର ସାହିତ୍ୟ ସାଧନାର ମୂଳଦୁଆ ପକାଇଥିଲା ।

 

ସମକାଳୀନ ଲେଖକ : ବ୍ରଜରାଜ, ଫକିର ମୋହନ, ମଧୁସୂଦନ ଓ ଗଙ୍ଗାଧର ଆଦିଙ୍କ ସମସାମୟିକ । ରାଧାନାଥ ରାୟ ଓ ଗଙ୍ଗାଧର ତାଙ୍କୁ ଦ୍ୱିତୀୟ ଉପେନ୍ଦ୍ର ଉଞ୍ଜ ବୋଲି ଅଭିହିତ କରିଛନ୍ତି । ୨ । ତାଙ୍କ ସମୟରେ ଓଡ଼ିଆ ସାହିତ୍ୟର ଆଦର୍ଶ ଓ ଆଭିମୁଖ୍ୟ ପ୍ରାଚୀନ ପରଂପରାକୁ ଛାଡ଼ି ଆଧୁନିକତା ଆଡ଼କୁ ଗତି କରୁଥିଲେ ହେଁ ବ୍ରଜରାଜ ରୀତିଯୁଗୀୟ କାବ୍ୟାଦର୍ଶର ଜଣେ ନିଷ୍ଠାପର ସାରସ୍ଵତ ସାଧକ ଥିଲେ । ସେ ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗୀୟ ଆଭିମୁଖ୍ୟ ସହିତ ପରିଚିତ ଥିଲେ ସୁଦ୍ଧା ତାଙ୍କ କାବ୍ୟ କବିତା ସଂପୂର୍ଣ୍ଣ ରୂପେ ଭଞ୍ଜୀୟ ଶୈଳୀର ଅନୁସାରୀ ହୋଇଛି । ଅତଏବ ଓଡ଼ିଆ ସାହିତ୍ୟର ଆଭିମୂଖ୍ୟ ଓ ଯୁଗ ବିଭାଜନ ଦୃଷ୍ଟିରୁ କବି ବ୍ରଜରାଜଙ୍କୁ ରୀତିଯୁଗୀୟ ଅସ୍ତରାଗର କବି କୁହାଯାଇ ପାରେ ।

 

ରଚନା : ବ୍ରଜବଧୂ ବିଳାସ, ଶୋଭା ବଲ୍ଲରୀ, ରତ୍ନପ୍ରଭା, ରୂପମଞ୍ଜରୀ, ଚଉତିଶାତ୍ରୟ, ସଙ୍ଗୀତଗୁଚ୍ଛ, ପ୍ରବନ୍ଧ ଚିତ୍ରକାବ୍ୟ ବ୍ରଜରାଜ ସିଂହଦେବଙ୍କ ସାରସ୍ଵତ ସୃଷ୍ଟି ଓ ସେ ସଂସ୍କୃତ ସ୍କନ୍ଦ ପୂରାଣରୁ ନବାକ୍ଷରୀ ‘ସତ୍ୟନାରାୟଣ ବ୍ରତକଥା’ ଅନୁବାଦ କରିଥିଲେ ।

 

କବି ବ୍ରଜରାଜ ଓଡ଼ିଆ ରୀତିକାବ୍ୟ ରଚନା କ୍ଷେତ୍ରରେ ନିଜର କବିତ୍ୱଶକ୍ତିର ଅସାଧାରଣ ପରିଚୟ ଦେଇ ଯାଇଛନ୍ତି । ଉପେନ୍ଦ୍ର ଭଞ୍ଜ ଦୀନକୃଷ୍ଣ, ଅଭିମନ୍ୟୁ, ଭକ୍ତଚରଣ ତଥା ଜଗନ୍ନାଥ ଦାସଙ୍କ ଅମୁଂଚ୍ଛନୀୟ ପ୍ରଭାବ ତାଙ୍କ କାବ୍ୟ କବିତାର ପ୍ରତି ଛତ୍ରେ ପଡ଼ିଛି । କାଳିଦାସ ଓ ଶ୍ରୀହର୍ଷଙ୍କ ସଂସ୍କୃତ ରଚନାର ପ୍ରଭାବ ମଧ୍ୟ କବିଙ୍କ ରଚନାରେ ଉପଲବ୍‌ଧ ହୋଇଅଛି । ଅଧ୍ୟାପକ ବ୍ରହ୍ମାଙ୍କ ମତରେ ‘ଭଞ୍ଜ ସାହିତ୍ୟର କ୍ଲିଷ୍ଟତାରୁ ଓଡ଼ିଆ ସାହତ୍ୟକୁ ବିମୁକ୍ତ କରିବାର ଯେଉଁ ସାରସ୍ଵତ ଉଦ୍ୟମ ରାଧାନାଥ ଯୁଗରେ ଆରମ୍ଭ ହୋଇଥିଲା, ତାହାର ସଂକେତ ଉପଲବ୍‌ଧି କରିବାରେ ବ୍ରଜରାଜ ନିଜର ସାମର୍ଥ୍ୟର ପରିଚୟ ହିଁ ଦେଇଛନ୍ତି । ସ୍ଥାନେ ସ୍ଥାନେ ଦୀନକୃଷ୍ଣଙ୍କ ସରଳତା ଓ ଭଞ୍ଜୀୟ ଆଳଙ୍କାରିକତା ବ୍ରଜରାଜଙ୍କ କବିତାବଳୀରେ ପ୍ରତିଫଳିତ । ୩ । ବ୍ରଜରାଜଙ୍କ ପ୍ରତ୍ୟେକ କାବ୍ୟର ଆଙ୍ଗିକ ଓ ଆତ୍ମିକ ଭଞ୍ଜ, ଦୀନକୃଷ୍ଣ, ଅଭିମନ୍ୟୁ ଆଦିଙ୍କ କାବ୍ୟରୁ ଆହରଣ କରାଯାଇଛି । ତେଣୁ ଆହରଣ ଓ ଅନୁସରଣର ପ୍ରାଚୁର୍ଯ୍ୟ ମଧ୍ୟରେ ମୌଳିକତାର ପଦଚିହ୍ନ ଅସ୍ପଷ୍ଟ । ତେବେ ଭଞ୍ଜୀୟ ଭାବତ୍ତବାହ, ପାଣ୍ଡିତ୍ୟ, ଆଳଙ୍କାରିକତା, ଶବ୍ଦଯୋଜନା, କଳ୍ପନାବିଳାସ ଆଦିରେ ବ୍ରଜରାଜଙ୍କ କୃତିତ୍ୱ ସ୍ୱାଗତଯୋଗ୍ୟ । କବିଙ୍କ ରଚନାର ପ୍ରସାଦଗୁଣ ଓ ବୈଦର୍ଭୀରୀତି କାବ୍ୟସମୂହକୁ ସୁଖପାଠ୍ୟ କରିଛି-

 

ବ୍ରଜବଧୂ ବିଳାସ କବି ବ୍ରଜରାଜଙ୍କ ‘ବ’ ପୂର୍ବାନୁପ୍ରାସଯୁକ୍ତ ବାଇଶି ଛାନ୍ଦ ବିଶିଷ୍ଟ କାବ୍ୟ । ଏହାର କଥାବସ୍ତୁ ଶ୍ରୀକୃଷ୍ତଙ୍କ ଲୀଳାଉପରେ ଆଧାରିତ । ଆତ୍ମିକ ଶ୍ରୀମଦ୍‌ ଭାଗବତ ଓ ରସକଲ୍ଲୋଳକୁ ଗ୍ରହଣ କରି ଆଙ୍ଗିକ ରୂପେ ଭଞ୍ଜୀୟ ବୈଦେହୀଶ ବିଳାସର ଅନୁସରଣରେ ଏହା ରଚନା କରିଛନ୍ତି । ଶ୍ରୀକୃଷ୍ଣଙ୍କ ଜନ୍ମଠାରୁ ବାଲ୍ୟ, ପୌଗଣ୍ଡ ଗୋବର୍ଦ୍ଧନ ଧାରଣ, କାଳୀୟ ଦଳନ, କୈଶୋର ଲୀଳା, ବୃନ୍ଦାବନରେ ରାସଲୀଳା, ବସ୍ତ୍ରହରଣ, ପୂତନା, ବକାଅଘା ଆଦି ବଧ, କଂସର ଧନୁଯାତ୍ରା, ଅକ୍ରୁରର ଗୋପପୁର ଯାଇ କୃଷ୍ଣବଳରାମଙ୍କୁ ଆଣିବା, ମଥୁରାରେ କୃଷ୍ଣ ବଳରାମଙ୍କ କଂସବଧ, ଉଦ୍ଧବ ଗୋପୀ ସଂବାଦ ଆଦି କଥାବସ୍ତୁ ରସକଲ୍ଲୋଳର କଥାବସ୍ତୁ ପରିକଳ୍ପିତ । କଥାବସ୍ତୁର ଛାନ୍ଦଯୋଜନା ମଧ୍ୟ ରସକଳ୍ଲୋଳର ପ୍ରଭାବପୁଷ୍ଟ । ସ୍ଥାନେ ସ୍ଥାନେ ଦୀନକୃଷ୍ଣଙ୍କ ପଦାବଳୀର ପ୍ରଭାବ ଏଡ଼ିପାରି ନାହାନ୍ତି । ତେଣୁ କବିଙ୍କ ‘ବ୍ରଜବଧୂ ବିଳାସ’ ରସକଲ୍ଲୋଳର ଏକ ନୂତନ ସଂସ୍କରଣ ବୋଲାଯାଇପାରେ ।

 

ଶୋଭା ବଲ୍ଲ‌ରୀ ଏକ ସ୍ଵକୀୟା ପ୍ରୀତି ମୂଳକ ବିପ୍ରଲମ୍ଭ ଶୃଙ୍ଗାର ରସାଶ୍ରିତ କାଳ୍ପନିକ କାବ୍ୟ-। ପାଞ୍ଚଟି ଛନ୍ଦ ବିଶିଷ୍ଟ ଏହି କାବ୍ୟରେ ପ୍ରିୟାନୂଚିନ୍ତା, ବର୍ଷା, ଶୀତ ଓ ବସନ୍ତ ରତୁରେ ନାୟିକା ବିଚ୍ଛେଦରେ ପୂର୍ବ ମିଳନସ୍ମୃତି ନାୟକ ମନରେ ଉଦ୍ଦୀପନା ଆଣିଛି । ବିଦର୍ଭର ନରକେଶରୀ ରାଜା ସିନ୍ଧୁ ଦେଶର ଇନ୍ଦ୍ରସେନ ରାଜାଙ୍କ କନ୍ୟାକୁ ବିବାହ କରିଥିଲେ । ସେ ପିତାଙ୍କ ଆଦେଶ ପାଇ ତାଙ୍କ ଚାରୋଟି ମିତ୍ରଙ୍କୁ ନେଇ ବିଦେଶ ଯାଇଛନ୍ତି । ପ୍ରିୟା ବିରହରେ ନରକେଶରୀଙ୍କ ପ୍ରିୟାନୁଚିନ୍ତା ବିଭିନ୍ନ ଋତୁରେ ବର୍ଣ୍ଣିତ ହୋଇଛି । ସମ୍ବୋଗ ଶୃଙ୍ଗାର ବର୍ଣ୍ଣନା ଏହି ଛାନ୍ଦମାନଙ୍କରେ ସଂପୂର୍ଣ୍ଣ ଭବୋଦ୍ଦୀପକ ହୋଇଛି । ବିଦେଶରୁ ଫେରିଲା ପରେ ନରକେଶରୀଙ୍କ ଶୋଭାବଲ୍ଲରୀ ସହିତ ମିଳନ ହୋଇଛି ।

 

ରତ୍ନପ୍ରଭା ସପ୍ତଦଶ ଅଷ୍ଟାଦଶ ଶତାବ୍ଦୀର କାଳ୍ପନିକ କାବ୍ୟ ଅନୁବର୍ତ୍ତନରେ ଏହାର କଥାବସ୍ତୁ ଶୋଭାବଲ୍ଲରୀ ପରି । ଏହି କାବ୍ୟଟି ବିଭିନ୍ନ ରାଗରାଗିଣୀ ବ୍ୟବହୃତ ବାରଟି ଛାନ୍ଦ ବିଶିଷ୍ଟ-। ପ୍ରଥମ ଛାନ୍ଦରେ ନାୟକ ସୁରକେଶରୀଙ୍କ ଜନ୍ମ ଓ ଦ୍ୱିତୀୟ ଛାନ୍ଦରେ ନାୟିକା ରତ୍ନପ୍ରଭାର ଜନ୍ମ ବର୍ଣ୍ଣିତ । ତୃତୀୟ ଛାନ୍ଦରେ ନାୟକର ବାଲ୍ୟଲୀଳା ଓ ବିଦ୍ୟାଧ୍ୟାନ, ଚତୁର୍ଥ ଓ ପଞ୍ଚମ ଛାନ୍ଦରେ ନାୟିକା ରତ୍ନ ପ୍ରଭାର ରୂପ ବର୍ଣ୍ଣନା ପାରଂପରିକ ରୀତିରେ ହୋଇଛି । ଷଷ୍ଠ ଛାନ୍ଦରେ ନାୟକ ନାୟିକା ବିବାହ ଓ ମଧୁଶଯ୍ୟା, ସପ୍ତମ ଛାନ୍ଦରେ ନାୟକର ବିଦେଶଗମନ ଓ ଅଷ୍ଟମ ଛାନ୍ଦରେ ବିରହ, ନବମ ଛାନ୍ଦରେ ନାୟକର ଅନୁଚିନ୍ତା, ଦଶମ ଛାନ୍ଦରେ ନାୟିକାନୁଚିନ୍ତା, ଏକାଦଶ ଛାନ୍ଦରେ ନାୟିକାର ନାୟକ ନିକଟକୁ ଦୂତ ପ୍ରେରଣ ଓ ଦ୍ୱାଦଶ ଛାନ୍ଦରେ ନାୟକ ନାୟିକାଙ୍କ ମିଳନ ବର୍ଣ୍ଣିତ । ଏହି କାବ୍ୟ ମଧ୍ୟ ସ୍ଵକୀୟ ପ୍ରୀତିମୂଳକ ଶୃଙ୍ଗାର ରସାଶ୍ରିତ କାବ୍ୟ ଅଟେ ।

 

ରୂପମଞ୍ଜରୀ କବି ବ୍ରଜରାଜଙ୍କ ଏକ ସାର୍ଥକ କାଳ୍ପନିକ କାବ୍ୟ । ଏହି କାବ୍ୟରେ ତାଙ୍କ ସୃଷ୍ଟି ସାଫଲ୍ୟର ଆକଳନ କରାଯାଇ ପାରେ । କାବ୍ୟରେ କଳ୍ପନା ବିଳାସ, ଉପମା ତଥା ଶବ୍ଦ ଯୋଜନା ଓ ଶବାଳଙ୍କାର ଅର୍ଥାଳଙ୍କାର ପ୍ରୟୋଗରେ କବିଙ୍କ ନିପୁଣତା ରହିଛି ।

 

କଥାବସ୍ତୁ - ସ୍ୱର୍ଗର ଦେବରାଜ ଚନ୍ଦ୍ରଙ୍କ ଦ୍ୱାରା ଶାପଗ୍ରସ୍ତ ନର୍ତ୍ତକୀ ମେନକା ଓ ଗନ୍ଧର୍ବସେନ ଯଥାକ୍ରମେ କାଞ୍ଚନପୁର ରାଜାଙ୍କ କନ୍ୟା ରୁପମଞ୍ଜରୀ ତଥା ବାରଣ ରାଜାଙ୍କ ପୁତ୍ର ବିଦ୍ୟାସୁନ୍ଦର ନାମରେ ମର୍ତ୍ତ୍ୟରେ ଜନ୍ମ ହେଲେ । ଯୌବନପ୍ରାପ୍ତି ପରେ ବିଦ୍ୟାସୁନ୍ଦର ଓ ରୂପମଞ୍ଜରୀର ବିବାହ ପ୍ରସ୍ତାବ ପୂର୍ବରାଗ - ବିବାହ - ମଧୁଶଯ୍ୟା ବର୍ଣ୍ଣିତ ହୋଇଛି । ଏହି କାଳରେ କବି ସମ୍ଭୋଗଶୃଙ୍ଗାରର ବର୍ଣ୍ଣନା କରିଛନ୍ତି । ନାୟକ ମୃଗୟା କାଳରେ ବତ୍ସାୟନ ଋଷିଙ୍କ ରତିକ୍ରୀଡ଼ା ଭଗ୍ନ କରିବା ଦୋଷରୁ ଅଭିଶପ୍ତ ହୋଇ ଗୋଦାବରୀ ତଟରେ ପ୍ରିୟାଠାରୁ ବିଚ୍ଛେଦରେ ରହିଛନ୍ତି । ଏହି ଅବସରରେ ଷଡ଼ରତୁ ବର୍ଣ୍ଣନା ସହିତ ବିଭିନ୍ନ ରତୁରେ ନାୟକର ବିରହାନୂଚିନ୍ତା ବର୍ଣ୍ଣିତ ହୋଇଛି । ଏକବର୍ଷ ପରେ ପ୍ରିୟା ରୂପମଞ୍ଜରୀ ସହିତ ମିଳନ ହେବା ପରେ ନାୟକର ରାଜ୍ୟାଭିଷେକ ସହ କାବ୍ୟର ପରିସମାପ୍ତି ଘଟିଛି । ମଧ୍ୟଯୂଗୀୟ କାଳ୍ପନିକ କାବ୍ୟର ଆଧାରରେ କବି ରୂପମଞ୍ଜରୀ କାବ୍ୟର କଥାବସ୍ତୁ ଚୟନ କରିଛନ୍ତି ।

 

‘ବଳାହକ ଚଉତଶା’ ଓ ‘କ୍ଷମାନିଧି ଚଉତିଶା’ ସମ୍ଭୋଗ ଓ ବିପ୍ରଲମ୍ଭ ଶୃଙ୍ଗାର, ପ୍ରିୟାନୁଚିନ୍ତା ଆଦିକୁ ନେଇ ରଚିତ । ବଳାହକ ଚଉତିଶାରେ କାଳିଦାସଙ୍କ ‘ମେଘଦୂତ’ର ପ୍ରଭାବ ପଡ଼ିଛି । ଏହାଛଡ଼ା ‘ମାନଭଙ୍ଗ ଚଉତିଶାରେ ନାୟକ ନାୟିକାର ମାନଭଙ୍ଗ କରିଛନ୍ତି ।

 

ସଙ୍ଗୀତଗୁଚ୍ଛରେ ଭକ୍ତି ଓ ପ୍ରେମମୂଳକ ପନ୍ଦରଟି ସଙ୍ଗୀତ ଓ ଚଉପଦୀ ରହିଛି ।

 

‘ପ୍ରବନ୍ଧ ଚିତ୍ରକାବ୍ୟ’ ଭଞ୍ଜଙ୍କ ‘ଚିତ୍ରକାବ୍ୟ ବନ୍ଧୋଦୟ’ ଅନୁବର୍ତ୍ତୀ । ଏଥିରେ ବାସ୍ତୋରିଟି ବନ୍ଧ ରହିଛି । କବି କେତୋଟି କ୍ଲିଷ୍ଟ ବନ୍ଧ ରଚନା କରିଛନ୍ତି । ଏହା ତାଙ୍କ ସ୍ଵକୀୟ କବିତ୍ଵ ଶକ୍ତିର ପରିଚାୟକ ।

 

ଏତଦ୍‌ ବ୍ୟତୀତ କବି ସଂସ୍କୃତ ସ୍କନ୍ଦ ପୁରାଣରୁ ନବାକ୍ଷରୀ ଓଡ଼ିଆ ‘ସତ୍ୟ ନାରାୟଣ ବ୍ରତକଥା’ ଅନୁବାଦ କରିଛନ୍ତି । ଏହା ଓଡ଼ିଆ ଜାତିର ଘରେ ଘରେ ସୁପରିଚିତ ।

 

କବି ବ୍ରଜରାଜଙ୍କ ସମସ୍ତ ରୀତିକାବ୍ୟର ପର୍ଯ୍ୟାଲୋଚନାରୁ ଜଣାଯାଏ ଯେ, ସଂସ୍କୃତ ତଥା ଓଡ଼ିଆ ରୀତୀକାବ୍ୟ ଓ ଆଳଙ୍କାରିକତାରେ କବିଙ୍କ ଗଭୀର ପ୍ରବେଶ ଥିଲା । ଅବଶ୍ୟ ଓଡ଼ିଆ ରୀତିକାବ୍ୟର କାବ୍ୟରଚନା ରୀତିର ବୈଚିତ୍ର୍ୟହୀନ ଗତାନୁଗତିକ ଧାରାରେ କବି ବ୍ରଜରାଜଙ୍କ କାବ୍ୟାବଳୀ ରଚିତ; କିନ୍ତୁ ଏକ ହିନ୍ଦୀଭାଷୀ ଅଞ୍ଚଳରେ ଜଣେ ପ୍ରଭାବଶାଳୀ କବି ରୂପେ ବ୍ରଜରାଜଙ୍କ କବିତ୍ୱ, ପାଣ୍ଡିତ୍ୟ ଓ ସାହିତ୍ୟସାଧନା- ପ୍ରୀତି ଅଭିନନ୍ଦନୀୟ ।

 

ଭାଷା ଓ ଛନ୍ଦ : କବି ବଳରାଜଙ୍କ କାବ୍ୟରେ ସଂଯୋଜିତ ଭାଷାରେ ଏକ ସାବଲୀଳତା, ସରଳତା ଓ ଆଳଙ୍କାରିକତାର ମଧୁର ସମନ୍ୱୟ ହୋଇଛି । ଉପେନ୍ଦ୍ର, ଅଭିମନ୍ୟୁଙ୍କଠାରୁ ଆରମ୍ଭକରି ଯଦୁମଣିଙ୍କଠାରେ ରୀତିକାବ୍ୟ ଯେଉଁ କ୍ଲିଷ୍ଟତା ମଧ୍ୟରେ ଆତ୍ମପ୍ରକାଶ କରୁଥିଲା ସେହି କ୍ଲିଷ୍ଟତା ମଧ୍ୟରୁ ଓଡ଼ିଆ ସାହିତ୍ୟକୁ ମୁକ୍ତ କରିବାର ପ୍ରୟାସକାଳରେ ବ୍ରଜରାଜଙ୍କ କାବ୍ୟର ପ୍ରକାଶଭଙ୍ଗୀ ସରଳ ଓ ସୁଖପାଠ୍ୟ ହୋଇଛି । ଭାଷା ପ୍ରୟୋଗରେ ତେଣୁ କବିଙ୍କ ବୈଶିଷ୍ଟ୍ୟ ରହିଛି । ଓଡ଼ିଆ ସାହିତ୍ୟରେ ଆଧୁନିକତା ପ୍ରବେଶ କାଳକୁ ବ୍ରଜରାଜଙ୍କ ଏବଂବିଧ ପ୍ରୟାସ ସମୟୋପଯୋଗୀ । କବି ରୀତିଯୁଗୀୟ ସାଙ୍ଗୀତିକତା ଓ ଛନ୍ଦକୁ ଗ୍ରହଣ କରିଛନ୍ତି । ସଂଗମ ତିଆରି, ଚକ୍ରକେଳି, କଳଶା, ଘଣ୍ଟାରବ, କୌଶିକ, ଗୁଣ୍ଡିଚା ବସନ୍ତ, କୁମ୍ଭକାମୋଦୀ, କନଡ଼ା, ମୁଖାରୀ, ବସନ୍ତ ଭୈରବ, ରାମକେରୀ, କାଳୀ, ଚୋଖୀ, କଳହଂସ କେଦାର, ଆଷାଢଶୁକ୍ଳ, ବଙ୍ଗଳାଶ୍ରୀ ବରାଡ଼ି, ଦେଶାକ୍ଷ, ମଙ୍ଗଳ, ଶଙ୍କରାଭରଣ, ରସକୋଇଲୀ, ଧନାଶ୍ରୀ, କଲ୍ୟାଣ ଆହାରୀ, ଖେମଟା ଆଦି ଛାନ୍ଦର ବ୍ୟବହାର କବି ବିଭିନ୍ନ କାବ୍ୟରେ କରିଛନ୍ତି । କବିଙ୍କ ଭାଷାର ସରଳତା ଓ ସାବଲୀଳତାର ଦୃଷ୍ଟାନ୍ତ ସ୍ୱରୂପ ଯେ କୌଣସି କାବ୍ୟର ପଦକୁ ଗ୍ରହଣ କରାଯାଇ ପାରେ, ଯଥା :

 

ବଚ୍ଛା ଗାଈ ଛନ୍ଦି                  ଗୋ ଦହନ ବିଧି

ବଢ଼ାଇ ବନେ ବିହାର ।

ବିଚାରିଲେ ମନେ                  ବସନ ହରଣେ

କରିବଇଁ ଗୋପୀଙ୍କର ସେ ବଳ,

ବଚ୍ଛା ରଖିଲେ ଯମୁନା କୂଳ ।

ବହି ଆନନ୍ଦ ଗୋପାଳ ବାଳ ।

ବିଚାରିଲେ ଖେଳ କୁତୂହଳ ସେ । ୨/୬

ବ୍ରଜବଧୂ ବିଳାସ

 

ପୁଣି

ବରଜବାଳୀ ଭାଳି ରହିଲେ ଯହୁଁ ।

ବଳିପଡ଼େ ସନ୍ତାପ ଦେଖିଲେ ତହୁଁ ଯେ ॥

ବ୍ରଜରାଜ କେଶରୀ ଯୁବ ଭୂପତି ।

ବାହୁଡ଼ାଇବି ବୋଲି ପଛେ ଗୋଡ଼ାନ୍ତି ଯେ ॥ ୩୨/୧୭ (ବ.ବି.).

 

କ୍ଲିଷ୍ଟ ଓ ଆଳଙ୍କାରିକ ପଦ ଯୋଜନାରେ ମଧ୍ୟ କବିଙ୍କର ନିପୁଣତାର ଅନେକ ନିଦର୍ଶନ ରହିଛି ।

 

ଅଳଂକାର : ରୀତିଯୁଗୀୟ କବିଙ୍କର ଏକ ମୁଖ୍ୟ ବିଭାବ ଅଳଂକାର ପ୍ରୟୋଗ ପ୍ରବଣତା । ଉଭୟ ଶବ୍ଦାଳଙ୍କାର ଓ ଅର୍ଥାଳଂକାର ପ୍ରୟୋଗରେ କବି ଉପେନ୍ଦ୍ର, ଦୀନକୃଷ୍ଣଙ୍କ ପରି କବି ବ୍ରଜରାଜ ଓଡ଼ିଆ ରୀତିସାହିତ୍ୟରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଛନ୍ତି । କବି ଆଦ୍ୟ, ମଧ୍ୟ, ପ୍ରାନ୍ତ, ଯୁଗ, ମାଳ, ଆଦ୍ୟମଧ୍ୟ, ସର୍ବ, ତ୍ରିବିଧ ଯମକ, ପୁନରୁକ୍ତି, ବିରୋଧାଭାସ, ଶୃଙ୍ଖଳା, ଚକ୍ରସିଂହାବଲୋକନ, ବର୍ଣ୍ଣାନୁପ୍ରାସ, ଅବନା, ନିରୋଷ୍ଠକ, ସରୋଷ୍ଠକ, ଚ୍ୟୁତାକ୍ଷର, ଦଭାକ୍ଷର, ଗୋମୂତ୍ରଛନ୍ଦ, ଅନ୍ତର୍ଲିପି, ବହିର୍ଲିପି, ଅଦ୍ଭୁତ, ଆଶୟ, ମହା ଅଦ୍ଭୁତାଶୟ, ମଣ୍ତକପ୍ଳୁତି, ମେଷଯୁଦ୍ଧ, ଲୋମବିଲୋମ, ପୁନରୁକ୍ତିବଦାଭାସ, ବକ୍ରୋକ୍ତି ଆଦି ପ୍ରୟୋଗ କରିଛନ୍ତି । ଶବ୍ଦାଳଙ୍କାରର ସର୍ବଶ୍ରେଷ୍ଠ ପ୍ରୟୋଗ ତାଙ୍କ ‘ପ୍ରବନ୍ଧ ଚିତ୍ରକାବ୍ୟ’ର ପ୍ରତ୍ୟେକ ବନ୍ଧରେ ନିର୍ଜିତ ହୋଇଅଛି । ନିମ୍ନରେ କବି ବ୍ରଜରାଜଙ୍କର ଆଳଙ୍କାରିକ ପ୍ରୟୋଗର କେତେକ ନିଦର୍ଶନ ଉଲ୍ଲେଖ କରାଗଲା :-

 

ରତ୍ନପ୍ରଭାର ରୂପ ବର୍ଣ୍ଣନା ପ୍ରସଙ୍ଗରେ କବିଙ୍କ ଭାଷାରେ

 

ଉତ୍‌ପ୍ରେକ୍ଷା

ସୁରଧାରା ମଧ୍ୟ ଦେଶେ କି ସୁରସୁତା ବହଇ ।

 

ବେନି ଘସ୍ର ମଧ୍ୟ ବାସୁକୀକୁ ଏ ରଜନୀ ଥାଇ ॥ ୧୪ ॥

 

ଚନ୍ଦ୍ରମଣ୍ଡଳ ମଧ୍ୟରେ କି କୃଷ୍ଣ ଅଭ୍ର ରେଖାଏ ।

 

ବିହି କିବା ନେଇ ଥୋଇଛି ଏହି ପରତେ ହୁଏ ॥ ୧୫ ॥

 

 

ପୁଣି

ପୂର୍ବା ଫାଲଗୁନୀ କିଅବା ବେନି ସେବତୀ ଫୁଲ ।

 

ଝଲକା ଅଳକା ଦିଶଇ ଅନୁରାଧାର ତୁଲ ॥ ୨୨ ॥ (୫ମ ଛାନ୍ଦ, ରତ୍ନ ପ୍ରଭା)

 

 

ବକ୍ରୋକ୍ତି

ଦିନେ ପକ୍ୱଚୂତ ଧରି ଧରିତ୍ରୀଶୋଭୀ ନାଗରୀ

 

ଚିତ୍ରିବା ଆଶେ ମୋ ପାଶେ ଦେଉଁ ଧନକୁ ।

 

ବୋଇଲି ଆରେ ସୁନାରି ନାରି କେଳ ଚିତ୍ରପରି

 

ପରିଶ୍ରମ ନାହଁ ମୋର ଆନ ଚିତ୍ରକୁ ॥

 

ଶୁଣି ହସି ବକ୍ରେ ଚାହିଁଲା ।

 

କାହିଁ କଥା କାହିଁ ଲଗାଉଛ ବୋଇଲା ॥ ୧୧/୪ ଶୋଭା ବଲ୍ଲରୀ

 

 

ଉପମା

ବୋଲି ବନିତା ବ୍ରାତ ତୁନି ହୋଇଲେ ।

 

ବେନି ନୟନରୁ କଜ୍ଜ୍ୱଳକୁ ମୁଞ୍ଚିଲେ ଯେ ॥

 

ବରଷା କାଳେ ବନଗିରିରୁ ଯଥା

 

ବହଇ ବକ୍ଷୋଜରୁ ଦିଶିଲା ତଥା ଯେ ॥ ୨୭/୧୭ ବ୍ରଜବଧୂ ବିଳାସ

 

 

ଆଦ୍ୟପ୍ରାନ୍ତାନୁପ୍ରାସ

ପରବତ ବକ୍ଷୋରୂହରେ କରଜ ବିଘାତୁଁ ଧବର ।

 

ପରକାଶ ରଙ୍ଗ ବିକଳା ଶଶିକି ମସ୍ତକେ ଶିବର ॥ ୭/ ୧୦ (ରୂ.ମ)

 

 

ବିରୋଧାଭାସ

ପୟୋଧରରୁ ମୁଞ୍ଚିବାର ପାଣି ଦିଶଇ ନିକର

 

ପୟୋଧରରୁ ପାଣି ମୁଞ୍ଚିବାର ।

 

ନଦିଶଇତ ନିକର ବାଳା ଅନୁରାଗୀ ସାର

 

ଏଥୁଁ ଆଉ କେଉଁ ଭାଗ୍ୟବରରେ,

 

ସୁକୁମାରୀ, ସବୁମତେ ଗତି ମୋ ହୋଇଛୁ ।

 

ଭାବବତି ମୋତେ ସବୁ ଦେଖାଉଛୁରେ ॥ ୮/୧୧ (ରୂ.ମ)

 

 

ଗୋମୂତ୍ରଛନ୍ଦ

ଶରଧରେ ମାର ମୋରେ ବହି ରୋଷ

 

ଦେଖି ତୋର ବିରସର ।

 

ଶରଧାରେ ଦର ବାରେ ସହି ହାସ

 

ସୁଖୀକର ସୁରସର ॥ ୮/ ୯ ଛା (ରୂ.ମ.)

 

 

ଆଦ୍ୟ ଯମକ

ବିଧି ବିଧିରେ ଭୂସୁରେ ବାକ୍ୟ ଭିଆଇ ।

 

ହର ହରଷେ ସୁମୁରି ବିଭା ବଢ଼ାଇ ॥ ୧୯/୮ ଛା (ରୂ.ମ.)

 

 

ସର୍ବ ଯମକ

ପରଭଞ୍ଜନକୁ ଜିଣିବା ଭଳିରେ ଦେଲେ ବାଜିବର । ।

 

ପରଭଞ୍ଜନକୁ ଜିଣିବା ଭଳିରେ ଦେଲେ ବାଜିବର ॥ ୧୬/୧୦ (ରୂ.ମ.)

 

 

ଯୋଡ଼ି ଯମକ

ଦିନେ ଦିନେ ଶିତଶୀତ ମୟୂଖ ମୁଖୀ ଚାହିଁତ

 

ହିତ କରିବାକୁ ବାରେ ବାରେ ।

 

ଶଯ୍ୟା ସଜାଇ ସେ ଧନ ଧନଦ ଭୂତିକି ଭିନ୍ନ

 

ଭିନ୍ନାଞ୍ଜନ କୋଶୀ ଥରେ ଥରେ ସେ,

 

ସୁକୁମାରୀ, କରି କରୀ ଗତି ରତେ ରତେ ।

 

ରସି ରସିକା ରହେ ଉଚିତେ ଚିତ୍ତେ ସେ ।। ୧୦/୧୧ ଛ. (ରୂ.ମ.)

 

 

ମହାଯମକ

ଝର ଝର ଝରଇ ତହିଁ ପରାଗ ସୁମନରୁ ।

 

ଝଲ୍ଲ ଝଲ୍ଲ ଝଲ୍ଲକା ଏକି କାମ ହେମ ରଜରୁ ।। ୯ / ୧୨ ଛା. (ରୂ.ମ.)

 

 

ଛନ୍ଦରୂପକ

କେଳିବାସେ କେତେବେଳେ ବସି ପ୍ରିୟା ପାଶେ ଗେଲେ ।

 

ଚାଟୁବାଣୀ ରସିକ କହଇ ।

 

ଭଲାତୁ ରସିକ ନିଧି ରାଜ ଉପଚାର ବିଧି

 

ସିଦ୍ଧି କରିଅଛି ତୋରେ ବିହରେ,

 

ସୁକୁମାରୀ, ମନୋହର ଭଦ୍ରାସନ ଉରୁ ।

 

ଶ୍ରୀକର ତୋ ଆତପତ୍ର ଚାରୁ ରେ ।। ୨୦/୧୧ (ରୁ.ମ.)

 

ଅନ୍ତର୍ନିହିତ ଶୃଙ୍ଖଳ, ଅଦ୍ଭୂତ, ଆଶୟ, ମହାଅଦ୍ଭୁତାଶୟ ଆଦି ରୂପମଞ୍ଜରୀ ପଞ୍ଚଦଶ ଛାନ୍ଦରେ ବର୍ଣ୍ଣିତ ।

 

ଅବନା

ସମୟ ଶରଦ ରତ ଶଶଧର ଉଜ୍ଜ୍ୱଳତ

 

ଅନ୍ତର ଅର୍ଣ୍ଣଦ ଅନନ୍ତ ସରମ୍ୟ ଜନ ପ୍ରମଦ ଅତ୍ୟନ୍ତ ॥ ୨/ ୧୬ ଛା (ରୂ.ମ.)

 

 

ଶ୍ଲେଷ ବକ୍ରୋକ୍ତି

କୁମ୍ଭକାର ନାରୀ ପାଶେ ଯାଇ କେ କହଇ ।

 

କୁମ୍ଭ ପୟୋଧର ରସ ଲାଗିଛି କି ନାହଁ ଯେ ॥ ୭୬॥

 

ଜାଣି ସେ ତରୁଣୀ ହସି କହିଲା ଏ ଗିର ।

 

କରେ ଧଇଲେ କରିବ ପରୀକ୍ଷା ଏହାର ହେ ॥ ୭୭/୩ ଛା. (ପ୍ରବନ୍ଧ ଚିତ୍ରକାବ୍ୟ)

 

ପ୍ରବନ୍ଧ ଚିତ୍ରକାବ୍ୟର ୭୨ଟି ବନ୍ଧ ମଧ୍ୟରୁ କବିଙ୍କ ଶବ୍ଦାଳଙ୍କାରରେ ପାଣ୍ଡିତ୍ୟ ଓ ଶବ୍ଦଚାତୁରୀ ପ୍ରୟୋଗର ନିଦର୍ଶନ ସ୍ଵରୂପ ନିମ୍ବଲିଖିତ ବନ୍ଧ ପଠନରେ :

 

ଅଚଳ ବନ୍ଧରେ - ଏ ବନ୍ଧର ବେନି ପାରୁଶେ ଅଛିତ କୃଷ୍ଣ ବନ୍ଦନା -

 

ଯଥା - ନନ୍ଦର ନନ୍ଦନ ଜଗତ ବନ୍ଦନ - ଭୂମିରୁ ୨ୟ ଧାଡ଼ିରେ (ପୃ ୩୦୮)

 

ପୁଣି ତଳୁ ଉପର ମଝି ଧାଡ଼ିରେ - ବାରେ ଧନ ଦୟାକର । (ଚିତ୍ର)

 

ମହାମୂରୁଜ ବନ୍ଧ - କବିଙ୍କ ମୌଳିକତା (ଚିତ ପୃ ୩୧୧)

 

ମୀନକେତନ ରଥ ବନ୍ଧ - ଶ୍ରୀରାମଙ୍କ ସ୍ତୁତିରେ କବି କହିଛନ୍ତି –

 

‘ବୁଝ ଆହେ ବୁଧ ଏହି ବନ୍ଧ ମଧ୍ୟ ଚାରି ଭାଷା ଅଛି ରହି’,

 

ସଂସ୍କୃତ ବଙ୍ଗାଲି ହିନ୍ଦୁସ୍ଥାନୀ ମିଶି ମାର ହଟ୍ଟୀରେ ଶୋଭଇ ॥ ୩୪ - ପୃ ୩୧୫ ।।

 

ସଂସ୍କୃତ

ଧୃତ ଶଂଖ ଚକ୍ର ।

ବଙ୍ଗାଳୀ

ରାମେର ବିନେ ଗତି କେ

ମରହଟ୍ଟୀ

ଧୀଆନଇ ଦେବସୂ

ହିନ୍ଦୀ

ଆପ୍‌ ଯୋ କରେ । (ଚିତ୍ର)

 

 

ମଣ୍ଡପ ବନ୍ଧରେ

ହିନ୍ଦୁସ୍ଥାନୀ ଗିରେ ଷଡ଼ ଅକ୍ଷରରେ ଗେଲାଇ ହୋଇ କହିଲା -

 

ଆଓ ମେରେ ପ୍ୟାରେ । (ଚିତ୍ର / ପୃ ୩୧୯)

 

 

ରବିରଥ ବନ୍ଧ

ଇଂରାଜୀ ସଂସ୍କୃତ ତୈଲଙ୍ଗୀ ଏ ତିନି ଭାଷା ।

 

ମିଳି ଏହି ବନ୍ଧ ବୁଧବୃନ୍ଦ ହୃଦଭୂଷା ॥ ୩୨ ॥

 

 

ଇଂଗ୍ରାଜୀ

ପ୍ରଭିଡ଼େନସ୍‌ ଇଜ୍‌ ଗ୍ରେଟେଷ୍ଟ ।

ସଂସ୍କୃତ

ରବିରଥ ବନ୍ଧମିଦଂ ବ୍ରଜରାଜ ସିଂହ କୃତି ।

ତୈଲଙ୍ଗୀ

ନିନ୍ନେନୁ ମିନାନୁ (ମୁଁ ତୁମକୁ ବିଶ୍ଵାସ କରେ) । ଚିତ୍ର / ପୃ ୩୫୦

 

 

ମହାନାଗବନ୍ଧ, ଦ୍ୱାଦଶଛନ୍ଦ ବନ୍ଧରେ କବି କ୍ଲିଷ୍ଟ ପଦଶବ୍ଦ ଯୋଜନାରେ ନିପୁଣତା ପ୍ରଦର୍ଶନ କରିଛନ୍ତି ।

 

କମାଚ ବନ୍ଧ କଲା ପ୍ରକାଶ ସରସ ହିନ୍ଦୁସ୍ଥାନୀ ଭାଷ ଶେଷକୁ ଅଛି ଏଥିରେ ଘେନ ‘ରାମନାମ ଭଲା ହୈ ଚିତ୍ର/ପୃ ୩୯୩ ।

 

ରସ :

କବି ବ୍ରଜରାଜ ରୀତି ପରଂପରାର ଜଣେ ଏକନିଷ୍ଠ ସାଧକ ଥିଲେ । ରୀତିଯୁଗୀୟ କାବ୍ୟ ସାଧନାର ପ୍ରଧାନ ଅବଲମ୍ବନ ଥିଲା ଶୃଙ୍ଗାର ରସ । ଅଳଙ୍କାର ଶାସ୍ତ୍ରରେ ଉଲ୍ଲେଖ ଅଛି - ଶୃଙ୍ଗାରୀ ଚେତ୍‌ କବିଃ, କାବ୍ୟେ ଜାତଂ ରସମୟ ଜଗତ୍‌ । ତେଣୁ କବି ବ୍ରଜରାଜ ତାଙ୍କ ସମସ୍ତ କାବ୍ୟର ମୁଖ୍ୟ ରସ ରୂପେ ଶୃଙ୍ଗାର ରସକୁହିଁ ଗ୍ରହଣ କରିଛନ୍ତି । ସମ୍ଭୋଗ ଶୃଙ୍ଗାର ଓ ବିପ୍ରଲମ୍ଭ ଶୃଙ୍ଗାରର ବର୍ଣ୍ଣନା, ମାନ, ପ୍ରବାସ, ବିରହମିଳନ ଏଥିରେ ସମୁଚିତ ଭାବେ ସ୍ଥାନ ପାଇଛି । ସ୍ଵକୀୟା ପ୍ରୀତିମୂଳକ ସମସ୍ତ ଆଖ୍ୟାୟିକା କାବ୍ୟ ତଥା ପରକୀୟା ପ୍ରୀତିମୂଳକ ଶ୍ରୀକୃଷ୍ଣ ଲୀଳାତ୍ମକ ‘ବ୍ରଜବଧୂ ବିଳାସ’ରେ ଶୃଙ୍ଗାରହିଁ ମୁଖ୍ୟ ରସ । ନାୟକର ବିରହାନୁଚିନ୍ତା, ପ୍ରବାସ, ନାୟିକାର ବିଚ୍ଛେଦ ଜନିତ ଅନୁଚିନ୍ତା ଆଦି କବିଙ୍କ ରଚନାରେ ସ୍ଥାନ ପାଇଛି । ରୀତି ଯୁଗୀୟ କାବ୍ୟଶାସ୍ତ୍ରର ଅନୁସାରୀ ହୋଇ କବି ଯୌବନ ବର୍ଣ୍ଣନା, ନାୟିକାର ରୂପବର୍ଣ୍ଣନା କେଳିପୁର, ରତିକ୍ରୀଡ଼ା ବର୍ଣ୍ଣନାଦିରେ ଶତମୁଖ ହୋଇ ଉଠିଛନ୍ତି । ଅତଏବ କବି ସମ୍ଭୋଗ ଶୃଙ୍ଗାର ବର୍ଣ୍ଣନାରେ କେତେକ ନୂତନ ଉପମା ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି ।

 

ବିପ୍ରଲମ୍ଭ ଶୃଙ୍ଗାର ରସକୁ ଆଶ୍ରୟ କରି କାବ୍ୟରେ ଶୃଙ୍ଗାରେ ସମର୍ଥିତ କରୁଣ ରସ ପ୍ରୟୋଗର ଚମତ୍କାରିତା ରହିଛି । ପ୍ରିୟ ବିରହରେ ନାୟିକାର ବିଭିନ୍ନ ଦଶା ବର୍ଣ୍ଣନା, ପ୍ରିୟା ବିଚ୍ଛେଦରେ ନାୟକ ପ୍ରବାସରେ ପ୍ରିୟାନୁଚିନ୍ତା ଭାବୋଦ୍ଦୀପକ ହୋଇଛି । ବ୍ରଜବଧୂ ବିଳାସରେ ଗୋପୀଉଦ୍ଧବ ସଂବାଦରେ ଗୋପୀମାନଙ୍କର ମନୋଦଶାକୁ ଅତ୍ୟନ୍ତ ସୁନ୍ଦର ଭାବେ କରୁଣ ରସାଶ୍ରିତ କରି କବି ବର୍ଣ୍ଣନା କରିଛନ୍ତି । କବିଙ୍କ କାବ୍ୟାବଳୀରେ ବାତ୍ସଲ୍ୟ ରସ, ଶାନ୍ତରସ, ବୀରରସ ଆଦି ପ୍ରୟୋଗ ତୁଳନାରେ କେବଳ ଶୃଙ୍ଗାର ରସର ବର୍ଣ୍ଣନା ବହୁଳତା ରହିଛି । ଭକ୍ତି ରସ ପ୍ରୟୋଗ କ୍ଷେତ୍ରରେ କବି ପାଞ୍ଚଟି କାବ୍ୟରେ ଗଣେଶ, ଶିବ, ବିଷ୍ଣୁ, ରାମ, କୃଷ୍ଣ ଆଦିଙ୍କ ବନ୍ଦନା କରିଛନ୍ତି । କାବ୍ୟ ସମାପ୍ତି କାଳରେ ଶେଷରେ ଶିବ ଓ ବିଷ୍ଣୁଙ୍କ ବନ୍ଦନା ଅଛି ।

 

ପ୍ରକୃତି ଚିତ୍ରଣ :

ରୀତି କାବ୍ୟରେ ରସର ପରିପୁଷ୍ଟି ପାଇଁ ପ୍ରକୃତି ଏକ ଉଦ୍ଦୀପନ ବିଭାବ । ତେଣୁ ସଂସ୍କୃତ ରୀତି କାବ୍ୟଠାରୁ ଆରମ୍ଭ କରି ଓଡ଼ିଆ ରୀତିକାବ୍ୟରେ ପ୍ରକୃତିକୁ ନାନା ଭାବରେ କବିମାନେ ବର୍ଣ୍ଣନା କରିଛନ୍ତି । ଷଡ଼ରତୁ ବର୍ଣ୍ଣନା, ପୁଷ୍ପ ସୌନ୍ଦର୍ଯ୍ୟ, ପ୍ରକୃତି ଶୋଭା, ଉପବନ ସରୋବର ଆଦିର ବର୍ଣ୍ଣନା କରି ସେହି ପୃଷ୍ଠଭୂମି ଓ ପରିବେଶରେ ନାୟକ ନାୟିକାଙ୍କ ମିଳନ ବିରହ ବର୍ଣ୍ଣନା କରିବା ରୀତିକାବ୍ୟର ଏକ ବିଶିଷ୍ଟ ଲକ୍ଷ । ସେହି ପରିପ୍ରେକ୍ଷୀରେ ଆଲୋଚ୍ୟ କବି ବ୍ରଜରାଜ ମଧ୍ୟ ପ୍ରକୃତି ବର୍ଣ୍ଣନାକୁ କାବ୍ୟମଧ୍ୟରେ ସ୍ଥାନ ଦେଇଛନ୍ତି । ‘ବ୍ରଜବଧୂ ବିଳାସ’ରେ ବୃନ୍ଦାବନ ବର୍ଣ୍ଣନା ପ୍ରସଙ୍ଗରେ କବି ଗାଇଛନ୍ତି :

 

ବିକାଶି ଅଛନ୍ତି କୁନ୍ଦ ବିଳସୁଛି ଅଳିବୁନ୍ଦ । ।

ବାତ ବହେ ମନ୍ଦ ମନ୍ଦ ବୃକ୍ଷକୁବିନ୍ଦ ବିପିନେ ॥ ୨॥ ।

ବକୁଳ ନିଆଳି ମଲ୍ଲୀ ବଧୁଲି ଆଦି ପାଟଳି ।

ବସନ୍ତ ଦୟଣା ମିଳି ବିଦ୍ୟ କୃବେଲି ବିପିନେ ॥ ୩॥

ବିତପନ କେଳି ସ୍ଥାନ ବାଧଇ ନାହିଁ ତପନ ।

ବିଲୋକିଲେ କାମିଜନ ବଳିବ ମନ ବିପିନେ॥ ୪॥

(ଦଶମ ଛାନ୍ଦ)

 

ପ୍ରକୃତି ତେଣୁ ନାୟକନାୟିକାଙ୍କର ଉଦ୍ଦୀପନ ବିଭାବ ରୂପେ କାର୍ଯ୍ୟ କରିଛି ।

 

‘ଶୋଭା ବଲ୍ଲରୀ’ କାବ୍ୟରେ ବର୍ଷା ବର୍ଣ୍ଣନା :

ଝର ଝର ନୀର ନିରତେ ପଡ଼ି ।

ଡାକେ ଡାହୁକ ଦେଇ ଦୀର୍ଘ ରଡ଼ି ॥

ଭେକ ଗର୍ଜନତର୍ଜନ କାମର ।

ଡଗର ମୟୂର ଡାକେ ପ୍ରଖର ॥

ହୋଇଲା ବରଷା । ବିଯୋଗୀ ଜନେ ପଡ଼ିଲା କି ଦଶା ॥ ୩॥ ୨ୟ ଛାନ୍ଦ

 

‘ରୂପମଞ୍ଜରୀ’ରେ :

ସୋଦୟ ଘନ କାଳ କାଳ ଗରୁ ପ୍ରବଳ

ବଳ ବିଯୋଗୀଙ୍କର ହରି ।

ହରି ଲୁଚି ଉଚିତ ଚିନ୍ତ ଚଞ୍ଚଳା ହିଁ ତ

ହିତରେ ପ୍ରଭାକୁ ବିତରି ସେ ଚାରିଦିଶେ,

 

ଦିଶେ ଅନ୍ଧାର ଧାରନୀର,

ନିରତ ରତ ରସାପର ।

ପରମୋଦରେ କଳ କଳ ଡାହୁକ ମାଳ

ମାଳତୀ ଆଦି ଷ୍ଫୁଟିକର ସେ ଚାରି ଦିଶେ ॥ ୨॥ ପଞ୍ଚଦଶ

 

ବସନ୍ତ ବର୍ଣ୍ଣନା :

ବିକଶିତ ନବମାଳୀ ମାଳି ସୁବାସରୁ ଅଳି

ଆଳି ଚୁମ୍ବିବାରେ ବାରେ ହୋଇଲେ ମତ୍ତ ।

କୁସୁମ ପରାଗ ରଙ୍ଗ ଉଡ଼ି ପଡ଼ିବାରୁ ଅଙ୍ଗ

ଅନଙ୍ଗ ଚର୍ଚ୍ଚରୀ ପରି ହୁଏ ପ୍ରତୀତ ॥

ବସନ୍ତ ଆଗତ ହୋଇଲା ।

ଵିରହୀ କୁଳେ ଆକୁଳ ସନ୍ତତେ ହେଲା । ୫/୪ ଶୋ.ବ.

 

କବିଙ୍କ ଆହରଣ ଓ ମୌଳିକତା : କବି ବ୍ରଜରାଜଙ୍କ ରଚନାରେ କବି ଦୀନକୃଷ୍ଣ, ଉପେନ୍ଦ୍ର ଓ ଅଭିମନ୍ୟୁ ଆଦି ପୂର୍ବସୂରୀଙ୍କ ପ୍ରଭାବ ପଡ଼ିଛି । କାବ୍ୟ କଳ୍ପନା ଓ ପ୍ରକାଶ ରୀତିରୁ ଏହା ସ୍ପଷ୍ଟ ହୋଇଯାଏ । ବ୍ରଜବଧୂ ବିଳାସରେ ରସ କଲ୍ଲୋଳର, ଶୋଭାବଲ୍ଲରୀରେ ରସିକ ହାରାବଳୀ ଓ ଭାବବତୀର ପ୍ରଭାବ ତଥା ରୂପମଞ୍ଜରୀରେ ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ପ୍ରଭାବ ପଡ଼ିଛି-। କେତୋଟି ଉଦାହରଣ ଦେଲେ ଯଥେଷ୍ଟ ହେବ ।

 

ରସକଲ୍ଲୋଳ ଦ୍ୱିତୀୟ ଛାନ୍ଦ –

 

କରେ ଶଙ୍ଖଚକ୍ରଧରି କଂସଠାରେ କ୍ରୋଧ କରି

ବାଳକାଳୁ ବୀରବେଶ କଲେ ପ୍ରକାଶ । ୫ ।

 

ବ୍ରଜବଧୂ ବିଳାସ ଦ୍ୱିତୀୟ ଛାନ୍ଦ –

 

ବହିରଥାଙ୍ଗ ପଦ୍ମଗଦାଧର

ବର ମୂରତି ଧରି ଦାମୋଦର

॥ ୨୪ ॥

ବାଳ କାଳରୁ କଂସ ନାଶ ପାଇଁ

ବୀର ବେଶ ଧଇଲେ ଭାବଗ୍ରାହୀ

॥ ୨୫ ॥

 

ରସକଲ୍ଲୋଳ ତ୍ରୟତ୍ରିଂଶ ଛାନ୍ଦ ଉଦ୍ଧବଗୋପୀ ସଂବାଦ ପରି ବ୍ରଜରାଜ ବ୍ରଜବଧୂ ବିଳାସରେ –

 

ବସି ଜପି କଳପ କଳପରେ ଅଳପ

ଯୋଗୀଏ ନ ଭେଟନ୍ତି ଯାକୁ ।

ବଡ଼ଭାଗ୍ୟ ବଳରେ ଏତେ କାଳ କୋଳରେ

ଘେନି ଯା ଖେଳିଲ ତାହାଙ୍କୁ ଗୋ ବରାଙ୍ଗନା ॥

 

ବହିଲେ ସେ ଯେତେ କୃପାକୁ ।

ବୋଲ କି କଲେ ନିର୍ଦ୍ଦୟାକୁ ॥

ବାସବ ସୁଧାକର ଅମର କ୍ଷିତୀଶ୍ଵର ।

ସମ କି ହୋଇବେ ତୁମ୍ଭଙ୍କୁ ଗୋ ॥ ୮ ॥ (୨୨ ଛାନ୍ଦ) ।

 

‘ଶୋଭା ବଲ୍ଲ‌ରୀ’ ରେ ଲାବଣ୍ୟବତୀର ପ୍ରଭାବ –

 

ଦିନେ ମଲ୍ଲିକା ମାଳା ଗୁନ୍ଥି ସହି ।

 

ପୁଣି ଲାବଣ୍ୟବତୀର ୪୧ ଛାନ୍ଦର ଅନୁକରଣରେ ଶୋଭା ବଲ୍ଲରୀର ୨ୟ ଛାନ୍ଦ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର କାଞ୍ଚନନଗର ବର୍ଣ୍ଣନା ପରି ରୂପମଞ୍ଜରୀର କାଞ୍ଚନପୁର ବର୍ଣ୍ଣନା, କାବ୍ୟାରମ୍ଭରେ ନୀଳାଚଳନାଥ ବର୍ଣ୍ଣନା (କୋ.ବ୍ର.ସୁ) ପରି ରୂପମଞ୍ଜରୀରେ ପୁରୁଷୋତ୍ତମ କ୍ଷେତ୍ର ବର୍ଣ୍ଣନାର ସାମ୍ୟ ରହିଛି ।

 

ଉପମା ସୃଷ୍ଟିରେ, କ୍ଲିଷ୍ଟପଦ ପରିବର୍ତ୍ତେ ବର୍ଣ୍ଣନାର ସାବଲୀଳତାରେ, କଳନା ପ୍ରବଣତା ଓ ବର୍ଣ୍ଣନା ପାଟବରେ କବି ବ୍ରଜରାଜଙ୍କ ମୌଳିକତା ଆକଳନ ଯୋଗ୍ୟ । ରତ୍ନପ୍ରଭା ନାମକରଣର ବୈଶିଷ୍ଟ୍ୟ - (୨ୟ ଛାନ୍ଦ, ୩୫ ରୂ ୪୦ ପଦ)-

 

ରଦ ହୀରକ ମୌକ୍ତିକ ଅଧର ପ୍ରବାଳ ।

ମାଣିକ ଜାଣି କଳ୍ପିତ ହୋଇବ ମଞ୍ଜୁଳ ଯେ ॥ ୩୫ ॥

ମନୋହର ଡୋଳାନୀଳା ହୋଇ ବିରାଜିତ ।

ହୋଇବ ପ୍ରକାଶ ହାସ ସ୍ପଟିକ ନିୟତ ଯେ ॥ ୩୬ ॥

ଘଞ୍ଚକୁଚ ମରକତ ବିଦିତ ହୋଇବ ।

ଅପଘନ ମସୃ‌ଣ ଗୋମେଧ ସମ୍ଭବିବ ଯେ ॥ ୩୭ ॥

ଯଶ ମିତ୍ରକାନ୍ତ ଆହ୍ଲାଦ ବିଧୁକାନ୍ତ ।

ବିମଳିତ ଚିତ୍ତ ହେବ କୁସୁମ ଭାଗତ ଯେ ॥ ୩୮॥

ତନୁ ଜ୍ୟୋତି ବଇଦୁର୍ଯ୍ୟଭାଜନ ହୋଇବ ।

ମାର ବ୍ୟାଧି ବିଧିବାକୁ ବଇକ୍ରାନ୍ତ ହେବ ଯେ ॥ ୩୯ ॥

ଏତେ ଲକ୍ଷଣେ ଲକ୍ଷଣ ହେବ ସୁଲକ୍ଷଣା ।

କବି ଭାବିବାକୁ ଛବି କରାଇବ ଊଣା ଯେ ॥ ୪୦ ॥

ଏହା ଭାଳି ଭାଳି ନୃପ କୁମାରୀକି ତହିଁ ।

ମନଲୋଭା ରତ୍ନପ୍ରଭା ବୋଲି ନାମ ଦେଇ ଯେ ॥ ୪୧ ॥

 

ରତ୍ନପ୍ରଭାର ରୂପ ବର୍ଣ୍ଣନା, ‘ବ୍ରଜବଧୂ ବିଳାସର’ ୨୧ ଛାନ୍ଦରେ ଶ୍ରୀକୃଷ୍ଣଙ୍କର ପ୍ରିୟାବିରହାନୁଚିନ୍ତା, ‘ଶୋଭାବଲ୍ଲରୀ’ ୪ର୍ଥ ଛାନ୍ଦରେ ଛନ୍ଦ ଓ ବକ୍ରୋକ୍ତିର ଯେଉଁ ଅନୁପମ ବର୍ଣ୍ଣନା ରହିଛି ତାହା ବ୍ରଜରାଜଙ୍କ କଳ୍ପନାର ମୌଳିକତାର ପ୍ରମାଣ ଦିଏ । କେବଳ ସେତିକି ନୁହେଁ ଜଣେ ବିଦ୍ୱାନ ତଥା କଳ୍ପନାପ୍ରବଣ କବି ରୂପେ ବ୍ରଜରାଜଙ୍କ ସାରସ୍ଵତ ସାଧନାର ଗଭୀର ପ୍ରୀତିର ପ୍ରମାଣ ତାଙ୍କ କାବ୍ୟର ଛତ୍ରେ ଛତ୍ରେ ପ୍ରସ୍ପୁଟିତ ହୋଇଛି ।

 

ଶୈଳୀ :

ସଂସ୍କୃତକାବ୍ୟ ଓ ରୀତିକାବ୍ୟ ଶୈଳୀକୁ କବି ବ୍ରଜରାଜ ଗ୍ରହଣ କରିଛନ୍ତି । ତାଙ୍କ ରଚନା ସରଳ ଓ ସାବଲୀଳ ତଥା ଆଳଙ୍କାରିକତାର ଏକ ମଧୁର ସମନ୍ୱୟ । ତେଣୁ ସପ୍ତଦଶ ଶତାବ୍ଦୀର ଭଞ୍ଜ ପୂର୍ବର କବିମାନଙ୍କର ରଚନାର ସରଳତା ଓ ମାଧୁର୍ଯ୍ୟ ସହିତ ଭଞ୍ଜୀୟ ଆଳଙ୍କାରିକତାର ମିଶ୍ରଣରେ କବିଙ୍କ ଶୈଳୀ ନିର୍ଜିତ । ଶବ୍ଦ ଯୋଜନାଗତ ପାଟବରୁ କବିଙ୍କ ରଚନାରୀତି ବୈଦର୍ଭୀରୀତି ଅନ୍ତର୍ଗତ । ତେଣୁ ପ୍ରସାଦ ଗୁଣ ଓ ମାଧୁର୍ଯ୍ୟଗୁଣ ବିମଣ୍ଡିତ ରଚନାରେ କବିଙ୍କ ନିପୁଣତା ରହିଛି । କାରଣ ମାଧୁର୍ଯ୍ୟ ବ୍ୟଞ୍ଜନାଯୁକ୍ତ ଲଳିତ ପଦଯୁକ୍ତ ଅଳ୍ପ ବୃତ୍ତି (ସମାସ) ଯୁକ୍ତ ରଚନା ହେଉଛି ବୈଦର୍ଭୀ ରୀତି । କବିଙ୍କ ରଚନାରେ -

 

ବାରିଜ ବଦନୀ ଶୁଣି ସ୍ନେହ ବାଣୀ

ପ୍ରେମ ଆନନ୍ଦେ ହେଲେ ବଶ ।

ବ୍ୟଥା ତେଜି ହୋଇଲେ ହସ ହସ ।

ବକ୍ରକରି ଚାହିଁ ବଦନ ହଲାଇ ।

ବାଣୀ ପ୍ରକାଶି ପୀୟୂଷ ସେ ବରାଙ୍ଗୀ ।

ବେଢ଼ି ରହିଲେ କଦମ୍ବ ବୃକ୍ଷକୁ

ବାଞ୍ଛା ବଳାଇ ବାସ କୁସୁମକୁ

ବିକାଶିଲା ଝଳି ବିଦ୍ୟୁମାଳି ବଳି

ଚାହିଁ ଚନ୍ଦ୍ରିକା ଚୂଳକୁ ସେ ବରାଙ୍ଗୀ ॥ ୧୮ ॥

(ବ୍ର.ଗ. ପୃ ୩୩)

 

ମୂଲ୍ୟାୟନ :

ଊନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ସୁଦ୍ଧା ଏହି ଅଞ୍ଚଳକୁ ଓଡ଼ିଆ ସାହିତ୍ୟର ଆଧୁନିକ ଧାରା ସ୍ପର୍ଶ କରି ନଥିଲା । ଯାହା ଫଳରେ କି ସପ୍ତଦଶ ଶତାବ୍ଦୀଠାରୁ ବ୍ରଜରାଜଙ୍କ ସାହିତ୍ୟ ସୃଷ୍ଟି ପର୍ଯ୍ୟନ୍ତ କାଳ୍ପନିକ ରୀତି କାବ୍ୟର ଧାରା ଗଡ଼ି ଚାଲି ଆସିଛି । ତେଣୁ ଓଡ଼ିଆ ରୀତିସାହିତ୍ୟର ଶେଷ ଆରାଧକ ଓ ସାଧକ ରୂପେ ବ୍ରଜରାଜଙ୍କୁ ସ୍ମରଣ ରଖି‌ବାକୁ ହେବ ।

 

ସାହିତ୍ୟ ଯୁଗାଶ୍ରୟୀ । ମାତ୍ର ବ୍ରଜରାଜଙ୍କ ସାହିତ୍ୟରେ ଯୁଗ ପରିବର୍ତ୍ତନ କାଳୀନ ସାଂସ୍କୃତିକ, ରାଜନୈତିକ ଓ ସାମାଜିକ ପରିବର୍ତ୍ତନର ସଂକେତ ଆଦୌ ନାହିଁ । କାରଣ ନୂତନ ଚିନ୍ତାଧାରା ସହିତ ବ୍ରଜରାଜ ପରିଚିତ ଥିଲେହେଁ ପରବର୍ତ୍ତୀ କାଳରେ ତାଙ୍କ ସାହିତ୍ୟର ଆଭିମୁଖ୍ୟ ବଦଳି ନାହିଁ ବରଂ ଲେଖନୀ ନୀରବ ହୋଇଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳଠାରୁ ବହୁଦୂରରେ ହିନ୍ଦୀଭାଷୀ ଅଞ୍ଚଳରେ ପୁଣି ଅରଣ୍ୟ ବେଷ୍ଟିତ ଦୁର୍ଗମ ଅଞ୍ଚଳରେ ଅବସ୍ଥାନ କରି ସୁଦ୍ଧା କବି ବ୍ରଜରାଜ ଖଡ଼ିଆଳ ସାହିତ୍ୟ ସମିତି ପ୍ରତିଷ୍ଠା କରି ଏହି ଅଞ୍ଚଳରେ ସାହିତ୍ୟିକମାନଙ୍କର ସାଧନାକୁ ପ୍ରେରଣା ଦେବା ସଂଗେ ସଂଗେ ଓଡ଼ିଆ ରୀତିକାବ୍ୟ କ୍ଷେତ୍ରରେ ଅପୂର୍ବ କାବ୍ୟ ସୁମନମାଳା ଗ୍ରନ୍ଥନ କରି ଉତ୍କଳ ଭାରତୀଙ୍କ ଶୋଭାଶ୍ରୀ ବର୍ଦ୍ଧନ କରିଛନ୍ତି, ତାହା ଏହି ଅଞ୍ଚଳର ଓଡ଼ିଆ ପ୍ରୀତିର ଜ୍ଵଳନ୍ତ ନିଦର୍ଶନ । ସେହିଦିନର ଖଡ଼ିଆଳ ସାହିତ୍ୟ ସମିତିର ଅନେକ ସାହିତ୍ୟିକ ପରବର୍ତ୍ତୀ କାଳରେ ଏହି ଅଞ୍ଚଳର ସାହତ୍ୟସାଧନା ଧାରାକୁ ପ୍ରାଣବନ୍ତ କରି ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶ ଓ ଅଭିବୃଦ୍ଧି ପାଇଁ ଯଥେଷ୍ଟ ସହାୟକ ହୋଇଛନ୍ତି । ତେଣୁ କବି ବ୍ରଜରାଜଙ୍କୁ ରାଧାନାଥ ଓ ଗଙ୍ଗାଧର ‘ଦ୍ୱିତୀୟ ଉପେନ୍ଦ୍ର ଭଞ୍ଜ’ କହିବାରେ ଯଥାର୍ଥତା ଅଛି । ତାଙ୍କ ବିୟୋଗରେ ଚିନ୍ତାମଣି ମହାନ୍ତି ‘ଉତ୍କଳ - କମଳା’ କାବ୍ୟରେ ଖେଦ ପ୍ରକାଶ କରି ଗାଇଛନ୍ତି - ‘‘ଉତ୍କଳ ବିକ୍ରମାଦିତ୍ୟ ରାଜା ବ୍ରଜରାଜ ସ୍ଵକୀୟ ଅସାଧାରଣ ପ୍ରତିଭା ବଳରେ ----

 

ଉତ୍କଳ ସାହିତ୍ୟ ରୂପୀ ଦଥି‌ଭାଣ୍ଡେ ତହୁଁ

ଜାତକଲା ଯେଉଁ ସ୍ଵାଦୁ ସୁଗନ୍ଧ ଲହୁଣୀ,

ଅମର ବାଞ୍ଛିତ, ତାହା ସ୍ଵଧର୍ମ ନିରତ,

ସେହି ରାଜଧର୍ମୀ ରାଜା ନାହିଁରେ ବାଳୁତ,

ଆଉ ଏ ରିପୁ ପିଚ୍ଛିଳ ମର ନର ଲୋକେ ।’’

୨ୟ ସର୍ଗ, ଚିନ୍ତାମଣି ଗ୍ରନ୍ଥାବଳୀ - ପୃ ୨୮/୨୯ ।

 

କବି ଗଙ୍ଗାଧର ମେହେର ମଧ୍ୟ ବ୍ରଜରାଜଙ୍କ ସାହିତ୍ୟ ସାଧନାକୁ ଲକ୍ଷ୍ୟ କରି ‘ଉତ୍କଳ ଲକ୍ଷ୍ମୀ’ କାବ୍ୟରେ ବ୍ୟକ୍ତ କରିଛନ୍ତି :-

 

ଖଡ଼ିଆଳ ପତି ବ୍ରଜରାଜଙ୍କର

ସଙ୍ଗୀତ ଲଳିତ ରାଗେ

ଗାଉଥି‌ଲେ ବେନି କଲ୍ଲୋଳିନୀ ‘ତେଲ’

‘ଚିତ୍ରୋତ୍ପଳା’ ପଛ ଭାଗେ ।

 

ଖଡ଼ିଆଳ ବନ କୁସୁମ ସ୍ତବକେ

ଶୋଭୁଥିଲା ତାଙ୍କ ଖୋଷା ।

ଜନମନ ଟାଣି ନେଉଥି‌ଲେ ଫୁଲ -

ବାସେ ସେହି ବେନି ଯୋଷା ।

 

ତେଣୁ ଓଡ଼ିଆ ରୀତିସାହିତ୍ୟର ଜଣେ ଯଥାର୍ଥ ସାଧକ ରୂପେ ତଥା ସାହିତ୍ୟ ସଂଗଠନର ପ୍ରତିଷ୍ଠାତା ଓ ସାହିତ୍ୟ ପୃଷ୍ଠପୋଷକ ଭାବରେ କବି ବ୍ରଜରାଜଙ୍କର ଓଡ଼ିଆ ସାହିତ୍ୟକୁ ଅବଦାନ ଯଥେଷ୍ଟ ରହିଛି ।

 

ସୂଚନା :

୧.

ଖଡ଼ିଆଳ ଦରବାରରେ ସାହିତ୍ୟ ସାଧନା - କବିରାଜ ଶ୍ରୀ ପ୍ରୟାଗଦତ୍ତ ଯୋଷୀ, ବସୁନ୍ଧରା, ପ୍ରଥମ ବର୍ଷ ତୃତୀୟ ସଂଖ୍ୟା, ପୃ. ୯୦ ।

୨.

ଗଙ୍ଗାଧର ଗ୍ରନ୍ଥାବଳୀ - ଉତ୍କଳ ଲକ୍ଷ୍ମୀ ।

୩.

ବ୍ରଜରାଜ ଗ୍ରନ୍ଥାବଳୀ - ଅବତରଣିକା, ଶ୍ରୀ ଗୌରୀକୁମାର ବହୁ, ପୃ ୩/୪ ।

୪.

ସହାୟକ ଗ୍ରନ୍ଥ - ରସ କଲ୍ଲୋଳ – ଦୀନକୃଷ୍ଣ କବି ସମ୍ରାଟ ଭଞ୍ଜ ଗ୍ରନ୍ଥାବଳୀ ।

 

 

ଉପସଭାପତି

ଖଡ଼ିଆଳ ସାହିତ୍ୟ ସମିତି,

ଖଡ଼ିଆଳ, ନୂଆପଡ଼ା

 

***

 

Unknown

ରମାକାନ୍ତଙ୍କ ଶ୍ରୀରାଧା : ଏକ ମନସ୍ତାତ୍ତ୍ୱିକ ଅନୁଶୀଳନ

ଡକ୍ଟର ନିଶାମଣି କର

 

ରମାକାନ୍ତ ରଥଙ୍କ ଶ୍ରୀରାଧା କାବ୍ୟ ଏକ କାଳଜୟୀ ସୃଷ୍ଟି ବୋଲି ବହୁ ଆଗରୁ ବହୁଧା ଆଲୋଚିତ । କେହି କେହି ସମାଲୋଚକ କବିଙ୍କ ସୃଷ୍ଟି ସମ୍ବେଦନାର ମୌଳିକତା ବିଷୟରେ କହିଲା ବେଳେ, ଆଉ କେହି ବିମୁଗ୍‌ଧ ପ୍ରେମାନୁଭୂତି ଓ ତତ୍‌ସହ୍ନିତ ପ୍ରଗାଢ଼ ମାନବୀୟ ସ୍ପର୍ଶାତୁରତା ସଂପର୍କରେ ଟିପ୍‌ପଣୀ ଦେଇଅଛନ୍ତି । ମାତ୍ର ଏକଥା ସତ୍ୟ ଯେ ଏକଷଠିଟି ସମକେନ୍ଦ୍ରୀ କବିତାରେ ପୁଷ୍ଟ କାବ୍ୟଟି ପ୍ରେମର ଏକ ସ୍ଵତନ୍ତ ପରିଭାଷା ପରିବେଷଣ କରିବାରେ ଉନ୍ମୁଖ । ପ୍ରେମର ଅନ୍ୟତମ ପୂଜାରୀ ମାନସିଂହଙ୍କ ଭାଷାରେ ‘ପ୍ରେମ ନୁହେଁ ଦେହର ଦେହ ଭୋଗ ଆକର୍ଷଣ/ପ୍ରେମ ଏକ ଆମ୍ମା ପ୍ରତି ଅନ୍ୟର ବନ୍ଧନ’ ହୋଇପାରେ, ମାତ୍ର ରମାକାନ୍ତଙ୍କ କାବ୍ୟାଲୋକରେ ପ୍ରେମ ସଂପୂର୍ଣ୍ଣ ଭାବେ ପାର୍ଥିବ । ଏଥି‌ରେ ଆଶା ଓ ହତାଶାର ଲୁଚୁକାଳି ଖେଳ, ମିଳନ ଓ ବିଚ୍ଛେଦର ବହୁ ତିକ୍ତ-ମଧୁର ରାଗିଣୀ । ସେଇଥିପାଇଁ ତ ଯୁଗେ ଯୁଗେ ମଣିଷ, ପ୍ରେମର ପୁଲକିତ ଅନୁଭବ ପାଇଁ ସତତ ବ୍ୟାକୁଳ ।

 

‘ପୃଷ୍ଠବନ୍ଧ’ରେ କବି ସ୍ଵୀକାର କରନ୍ତି ଯେ ପୌରାଣିକ ଚରିତ୍ର ରାଧା ତାଙ୍କ ପାଇଁ ଏକ ବିସ୍ମୟ, ସ୍ଥଳବିଶେଷରେ ବୋଧଗମ୍ୟ ମଧ୍ୟ ନୁହଁନ୍ତି । ରାଧା ତାଙ୍କପାଇଁ ଦେବୀ ନୁହଁନ୍ତି, ସଂପୂର୍ଣ୍ଣ ଭାବେ ରକ୍ତମାଂସର ଦେହଧାରୀ ମାନବୀ । (୧) ପୁଣି ମଧ୍ୟ ରାଧାଙ୍କର ‘ଅନାବିଳ ଲୋଡ଼ିବା ପଣ’, ନିଷ୍କାମ ପରିଚର୍ଯ୍ୟା’ ଓ ‘ଉଚ୍ଚାଙ୍ଗ ଚିତ୍ତବୃତ୍ତି’ ତାଙ୍କୁ ଉଚ୍ଚତର ସୋପାନକୁ ନେଇଯାଏ ଆପେ ଆପେ । ରାଧା ଚରିତ୍ରଟି ତେବେ ଏକ ସମୟରେ ‘ଇଣ୍ଡିଭିଜୁଆଲ’ ଓ ‘ଟାଇପ୍‌’ ମଧ୍ୟ । ପୃଷ୍ଠବନ୍ଧରେ କବିଙ୍କର ଶେଷୋକ୍ତ ଉଚ୍ଚାରଣ ଏହିପରି :

 

‘‘ଦେବୀ ନ ହେଲେ ସାରା ବ୍ରହ୍ମାଣ୍ଡର ଉଦାସୀନତା ସତ୍ତ୍ୱେ, ନିଜ ଭିତରେ ଭବିଷ୍ୟତ ଠାରୁ

କିଛି ପାଇବାର ନାହିଁ ବୋଲି ଏକ ନିରନ୍ତର ବିଳାପ ଧ୍ଵନି ଶୁଣିବା ସତ୍ତ୍ୱେ, ..............

କିଏ ପ୍ରତିଦିନ ନଈକୁ ଗାଧୋଇବାକୁ ବା ପାଣି ଆଣିବାକୁ ଯାଉଥି‌ବ, ଦୁଧ ଦହି ବିକୁଥିବ,

ଅନ୍ୟମାନଙ୍କ ପରି ଅନେକ ଧରାବନ୍ଧା କାମ କରି ଚାଲିଥି‌ବ ? ସେ ଯଦି ଦେବୀ, ସେ

ସୁଖୀ କି ଅସୁଖୀ ଜାଣିବା ସମ୍ଭବ ନୁହେଁ । ସେ ସୁଖୀ ନୁହନ୍ତି କି ଅସୁଖୀ ବି ନୁହନ୍ତି ବା

ଏକାଧାରରେ ସୁଖୀ ଓ ଅସୁଖୀ ଓ ତା’ଛଡ଼ା ବି ଆହୁରି କିଛି ; ଆମର ସେ ସବୁ ବୁଝିବାର

ଶକ୍ତି ନାହିଁ, ବର୍ଣ୍ଣନା କରିବାର ସାମର୍ଥ୍ୟ ତ ଜମାରୁ ନାହିଁ ।’’(୨)

 

ଉପରୋକ୍ତ ଉଦ୍ଧୃତାଂଶରେ ଉତ୍ତର-ମୁଖୀ-ପ୍ରଶ୍ନଟିଏ ଉତ୍‌ଥାପିତ କରି କବି ରାଧାଙ୍କୁ ଦେବୀ ହିସାବରେ ଗ୍ରହଣ କରିଛନ୍ତି, କିନ୍ତୁ ଠିକ୍‌ ପରମୁହୂର୍ତ୍ତରେ ଯଦି’ ଦେବୀ .... ବାକ୍ୟାଂଶର ପ୍ରୟୋଗ କରି ତାଙ୍କୁ ଦେବୀ ଭାବେ ଗ୍ରହଣ କରିବାକୁ ଅମଙ୍ଗ ହୋଇଛନ୍ତି ଏବଂ ଶେଷରେ ନିଜର ଅସାମର୍ଥ୍ୟର ଅନ୍ତରାଳରେ (ହୁଏତ ତାହା କବି ସୁଲଭ ନମ୍ରତା ହୋଇପାରେ) ରାଧାଙ୍କୁ ରାଧା ରୂପେ ଛାଡ଼ି ଦେଇଛନ୍ତି । ଅବଶ୍ୟ ସେ ଦେବୀ ବା ମାନବୀ-ଏ ବିଷୟରେ ଆଲୋଚନା କରିବା ଆମର ଉଦ୍ଦେଶ୍ୟ ନୁହେଁ, ମାତ୍ର ରାଧା ଚରିତ୍ରର ମାନସିକତାକୁ ମନୋବୈଜ୍ଞାନିକ ବିଶ୍ଲେଷଣ କରିବା ଅବସରରେ ଆମେ କବିଆତ୍ମାର ମାର୍ମିକ ଅଭିବ୍ୟକ୍ତିକୁ ପରଖି‌ପାରନ୍ତି ।

 

।। ୨।।

 

ମନସ୍ତାତ୍ତ୍ଵିକ ବିଚାରଧାରାରେ ମଣିଷ ମନର ଅବଚେତନରେ ଥି‌ବା ସଂଗୁପ୍ତ କାମନା ଓ ବାସନା ଓ ସେ ସବୁର କ୍ରିୟାଶୀଳତା ଉପରେ ପ୍ରାଧାନ୍ୟ ଦିଆଯାଇଥାଏ । ମନସ୍ତାତ୍ତ୍ୱିକ ଅନୁଶୀଳନର ଜନକ ସିଗ୍‌ମଣ୍ଡ ଫ୍ରଏଡ଼୍‌ଙ୍କ ମତରେ ମଣିଷର ଚେତନ (ସମଗ୍ର ମନସ୍ଥିତିର ଏକ ଦଶମାଂଶ) ମୁଖ୍ୟତଃ ଅବଚେତନ (ସମଗ୍ର ମନସ୍ଥିତିର ଏକ ନଅଦଶମାଂଶ) ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ବାହ୍ୟ ସାମାଜିକ ଶୃଙ୍ଖଳା, ଯୁଗାଶ୍ରୟୀ ନୀତି ନିୟମ ଓ ପ୍ରଚଳିତ ଜୀବନର ଧାରା, ମନ ଭିତରେ ଥିବା ଯାବତୀୟ କାମନା ଓ ବାସନାକୁ ଚରିତାର୍ଥ କରିବାରେ ଅନ୍ତରାୟ ହୋଇଥାଆନ୍ତି ଏବଂ ଯେଉଁ ସବୁ କାମନା/ବାସନା/ଚେତନରେ ପରିତୃପ୍ତ ହୋଇପାରନ୍ତି ନାହିଁ, ତାହା ଅବଦମିତ ହୋଇ ଅବଚେତନରେ ବସା ବାନ୍ଧନ୍ତି ଏବଂ ସମୟାନୁସାରେ ସ୍ଵପ, ଦିବାସ୍ୱପ୍ନ, ଅସଙ୍ଗତ କଳ୍ପନା ମାଧ୍ୟମରେ ପରିତୁଷ୍ଟ ହୋଇଥାଆନ୍ତି ବା ସ୍ଥଳ ବିଶେଷରେ ସେ ସବୁ ଅବଦମିତ କାମନା /ଇଚ୍ଛା ଉତ୍କର୍ଷିତ ହୋଇ କଳା, ସ୍ଥାପତ୍ୟ ଓ ସାହିତ୍ୟ କୃତିରେ ପ୍ରକାଶିତ ହୁଅନ୍ତି । ଫ୍ରଏଡ଼୍‌ଙ୍କର ଶିଷ୍ୟ ଆଡ଼ଲର୍‌ ଓ ଜୁଙ୍ଗ ଏହି ତତ୍ତ୍ଵକୁ ପ୍ରୟୋଗ କରି ବ୍ୟକ୍ତିର ନ୍ୟୁନଭାବ ଏବଂ ସାମୂହିକ ଅବଚେତନ ବିଷୟରେ ନିଜ ନିଜର ମତ ଦେଇଅଛନ୍ତି ।

 

ଆଡ଼ଲର୍‌ଙ୍କ ମତରେ ପ୍ରତ୍ୟେକ ବ୍ୟକ୍ତି ପାଖରେ ସାମର୍ଥ୍ୟ ପାଇଁ ଇଚ୍ଛା ବଳବତ୍ତର ଥାଏ, ଯାହା ସହିତ ନିଜ ପ୍ରତି ଏକ ନ୍ୟୂନଭାବ ମଧ୍ୟ ରହିଥାଏ । ଏହି ଦୁଇ ମାନସିକ ସ୍ଥିତିରେ ସଂଘର୍ଷ ଅହରହ ଚାଲିଥାଏ ଓ ତାହା ବ୍ୟକ୍ତିକୁ ବିଭିନ୍ନ କୌଶଳର ଅବଲମ୍ବନରେ, ବାସ୍ତବତାଠାରୁ ଖସି ପଳେଇବାକୁ ବାଧ୍ୟ କରେ । ପୁଣି ମଧ୍ୟ ଏଇ ଉଦ୍ୟମ ବ୍ୟର୍ଥ ହେବାର ଭୟରେ, ବ୍ୟକ୍ତି ସମାଜରୁ ଓହରି ଯିବାକୁ ଚାହିଁଥାଏ । ଫଳତଃ ଏକ ସ୍ନାୟବିକ ଦୌର୍ବଲ୍ୟର ଶିକାର ହୁଏ ସେ, ଉଦ୍‌ବିଗ୍ନ ଓ ବିଚଳିତ ହୁଏ, ଆପଣାର ଅଜାଣତରେ ।

 

ଜୁଙ୍ଗଙ୍କର ଅନୁଶୀଳନ ଫ୍ରଏଡ଼ୀୟ ତତ୍ତ୍ଵର ଜାଗରୁକ୍‌ ଆତ୍ମଚେତନା ଉପରେ ଆଧାରିତ । ଫ୍ରୟଡ଼ଙ୍କ ଧ୍ୟାନ ଧାରଣା ଅନୁଯାୟୀ ‘ଇଗୋ’ ସର୍ବଦା ବିଚାରକ୍ଷମ ଏବଂ ତାହା ସାମାଜିକ ଆବଶ୍ୟକତା/ବ୍ୟକ୍ତିର ବିବେକାନୁମୋଦିତପନ୍ଥା ଓ ଅବଦମିତ ଇଚ୍ଛାରେ ପୁଷ୍ଟ ଅବଚେତନ ମଧ୍ୟରେ ଭାରସାମ୍ୟ ରଖି‌ବାରେ କ୍ରିୟାଶୀଳ ହୋଇଥାଏ । ତେଣୁ ବ୍ୟକ୍ତିର ସୁସ୍ଥ ମାନସିକ ସନ୍ତୁଳନ ପାଇଁ ‘ଇଗୋ’ ଅବଚେତନ ସହ ପରିଚିତ ହେବାର ଅପେକ୍ଷା ରଖେ । ପୁଣି ମଧ୍ୟ ଏକ କର୍ମୋପଯୋଗୀ ପ୍ରଜ୍ଞାର ସହାୟତାରେ ‘ଇଗୋ’ ଭାରସାମ୍ୟ ରଖିଥାଏ ‘ସୁପର ଇଗୋ’ ଓ ‘ଶାଡ଼ୋ’ ମଧ୍ୟରେ । ତା’ଛଡ଼ା ପ୍ରତ୍ୟେକ ବ୍ୟକ୍ତି ପାଇଁ ବାହ୍ୟ ମାନସିକ ଅବସ୍ଥା ଓ ଅନ୍ତର୍ଜଗତ ମଧ୍ୟରେ ସମତୁଲ୍ୟତା ରକ୍ଷା କରିଥାଏ କର୍ମୋପଯୋଗୀ ପ୍ରଜ୍ଞା । ବାହ୍ୟ ଅବସ୍ଥାକୁ ଏକ ସାମାଜିକ ମୁଖା ଓ ଅନ୍ତସ୍ଥିତିକୁ ବା ପ୍ରେମାନୁଭୂତିର ନାଭିକେନ୍ଦ୍ର ବୋଲି ଗ୍ରହଣ କରାଯାଏ । ଏଇ ଦୁଇ ସ୍ଥିତି ଭିତରେ ଭାରସାମ୍ୟ ରକ୍ଷା ହୋଇପାରିଲେ, ମଣିଷର ଅବଚେତନରୁ ଦୁଇଟି ଶକ୍ତି/ସାମର୍ଥ୍ୟ ନିର୍ଗତ ହୁଏ, ଯାହାକୁ ଫ୍ରୟଡ଼୍‍ କହନ୍ତି ପିତୃମାତୃ ତୁଲ୍ୟ ପ୍ରତିକୃତି ଏବଂ ଜୁଙ୍ଗଙ୍କ ଯୁକ୍ତି ଅନୁସାରେ ସେ ଦୁଇଟି ହେଲା ମହାନ୍‌ ମାତା ଓ ଜାଦୁକର ବା ପ୍ରଜ୍ଞାଦୀପ୍ତ ବୃଦ୍ଧ । ଅନ୍ୟପକ୍ଷେ ଯଦି କର୍ମୋପଯୋଗୀ ପ୍ରଜ୍ଞା Persona ବା anima/animus ଭିତରୁ ଗୋଟିକରେ ନିବିଷ୍ଟ ହୁଏ, ତେବେ ବ୍ୟକ୍ତିର ଭିନ୍ନ ରକମର ହୁଏ । ବାହ୍ୟ Persona ରେ ମଗ୍ନ ହେଲେ ନାୟକସୁଲଭ ବ୍ୟକ୍ତିତ୍ୱରେ ଏବଂ ଅନ୍ତସ୍ଥିତି ଗତ anima/animus ରେ ନିବିଷ୍ଟ ହେଲେ ୠଷି ସୁଲଭ ବ୍ୟକ୍ତିତ୍ୱରେ ରୂପାୟିତ ହୋଇଥାଏ । ଏତଦ୍‌ଭିନ୍ନ ଯଦି ଭାରସାମ୍ୟ ରକ୍ଷା କରାଯାଇ ପାରିଲା ତେବେ ବ୍ୟକ୍ତିତ୍ୱର କେନ୍ଦ୍ର ‘ଇଗୋ’ରୁ ଆତ୍ମସତ୍ତାକୁ ସ୍ଥାନାନ୍ତରିତ ହୁଏ । ପୁନଶ୍ଚ ଆତ୍ମସତ୍ତା ବ୍ୟକ୍ତିତ୍ୱର କେନ୍ଦ୍ର ହେଲେ ତାର ଚତୁଃପାର୍ଶ୍ଵରେ ଚାରିଟି ମଣ୍ଡଳ ଆବର୍ତ୍ତମାନ ହୋଇ ଅନୁରୂପ ଭାବେ ଚାରିଟି ଆଦିରୂପର ଆବିର୍ଭାବ ହୁଏ, ଯାହା ମୁଖ୍ୟତଃ ଚାରିଟି କାର୍ଯ୍ୟ ସଂପାଦନ କରିଥାଆନ୍ତି । ସେଗୁଡ଼ିକ ହେଲା : ଅନୁଭବ, ଚିନ୍ତନ, ଅନ୍ତଦୃଷ୍ଟି ଏବଂ ଇନ୍ଦ୍ରିୟାନୁଭୂତି । ପୁନଶ୍ଚ କୁଜଙ୍ଗର ବିଶ୍ଵାସ ଥିଲା ଯେ ଅଧିକାଂଶ ବ୍ୟକ୍ତିଙ୍କ କ୍ଷେତ୍ରରେ ଆତ୍ମସତ୍ତାର କ୍ରମ ପରିସ୍ପୁଟନ ହୋଇ ନ ଥାଏ, ଯଦିଓ ସେଥି‌ରେ ବ୍ୟକ୍ତିକ ସ୍ଵାତନ୍ତ୍ର୍ୟ ପାଇଁ ଏକ ସାମର୍ଥ୍ୟ କ୍ରିୟାଶ୍ରୀଳ ଥାଏ । ଏହି କ୍ରିୟାଶୀଳ ସାମର୍ଥ୍ୟ କେବଳ ବ୍ୟକ୍ତିର ଆତ୍ମସତ୍ତାର ପରିସ୍ଫୁଟନ ଜନିତ ପ୍ରକ୍ରିୟାରେ ନଥାଏ, ତାହା ମଧ୍ୟ ବ୍ୟକ୍ତି ମଧ୍ୟରେ ଥିବା ସାମୂହିକ ଅବଚେତନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ତେଣୁ ବ୍ୟକ୍ତିର ସ୍ଵପ୍ନ ବା ଅବାସ୍ତବ କଳ୍ପନା କେବଳ ତାର ଆତ୍ମସତ୍ତା ପ୍ରସୂତ ନୁହେଁ, ବରଂ ତାହା ମଣିଷ ଜାତିର ସାମୂହିକ ଅବଚେତନରେ ଗ୍ରଥି‌ତ କଳା, ପୁରାଣ ଭିତ୍ତିକ ଉପକଥା, ଧର୍ମ, ଆଚାର-ବିଚାର-ଉପଚାର ଇତ୍ୟାଦି ମିଥ୍‍‌ସୁଲଭ କାର୍ଯ୍ୟଧାରାର ବୈୟକ୍ତିକ ପରିପ୍ରକାଶ ।

 

ଉପରୋକ୍ତ ଭାବଧାରାର ଭିତ୍ତିଭୂମି ଉପରେ ମନସ୍ତାତ୍ତ୍ଵିକ ବିଚାରଧାରା ସାହିତ୍ୟରେ, ପ୍ରାୟତଃ ତିନି ପ୍ରକାର ଅନୁଶୀଳନ କରିବାରେ ସହାୟକ ହୋଇଥାଏ । ପ୍ରଥମଟି ହେଲା ଲେଖକ ଓ ପାଠକ ମଧ୍ୟରେ ଗଢ଼ି ଉଠିଥି‌ବା ଅଜଣା ସଂପର୍କର ହେତୁ ଓ ତାହାର ଆଲୋଚନା । ଏହି ଧାରାର ପ୍ରବର୍ତ୍ତନ କରିଥି‌ଲେ ଆଇ. ଏ. ରିଚାର୍ଡସ୍‌ ତାଙ୍କର Principles of Literary Critism (1924) ସମାଲୋଚନା ପୁସ୍ତକରେ । ଦ୍ୱିତୀୟ ପ୍ରୟୋଗର ସୂତ୍ରଧର ଥିଲେ ଏଡ୍‌ମଣ୍ଡ ଉଇଲସନ, ତାଙ୍କ The wound and the Bow ପୁସ୍ତକରେ ସେ ଯୁକ୍ତି କରିଥିଲେ ଯେ ମନସ୍ତାତ୍ତ୍ୱିକ ଅଧ୍ୟୟନ ଲେଖକର ବ୍ୟକ୍ତିଗତ ଜୀବନକୁ ଅଧ୍ୟୟନ କରିବା ମାଧ୍ୟମରେ ତା’ର କୃତିର ମୂଲ୍ୟାୟନ କରିପାରିବ । ଏଠାରେ ଡି.ଏଚ୍‌. ଲୱରେନ୍ସଙ୍କର ମନ୍ତବ୍ୟ ମଧ୍ୟ ପ୍ରଣିଧାନ ଯୋଗ୍ୟ । ଲରେନ୍‌ସ୍‌ଙ୍କ ଯୁକ୍ତି ଥିଲା ଯେ ଲେଖକ ଆପଣାର ପୀଡ଼ାକୁ ନିଜ ସାହିତ୍ୟ କୃତିରେ ମୋଚନ କରିଥାଏ । ରୋଗୀ (ମୁଖ୍ୟତଃ ମାନସିକ ରୋଗୀ) ସ୍ଵପ୍ନ ମାଧ୍ୟମରେ ଆପଣାର ଅବଦମିତ ଇଚ୍ଛାକୁ ପରିତୁଷ୍ଟ କଲାପରି ଲେଖକ ଆପଣାର ସାହିତ୍ୟକୃତି ମାଧ୍ୟମରେ ତାହାର ପରିପ୍ରକାଶ କରିଥାଏ । ତେଣୁ ଲେଖକର ବ୍ୟକ୍ତିଗତ ଜୀବନକୁ ଅନୁଧ୍ୟାନ କରି ତା’ର ସାହିତ୍ୟକୃତିର ମୂଲ୍ୟାୟନ କରିବା ବିଧେୟ । ତୃତୀୟ ଅନୁଶୀଳନ ଧାରା ହେଉଛି ଆର୍‌.ଏଲ୍‌. ଲୁକାସ୍‌ଙ୍କର ଓ ସେ Literature and psychology (1951) ସମାଲୋଚନା ପୁସ୍ତକରେ ଯୁକ୍ତି ବାଢ଼ିଲେ ଯେ ମନସ୍ତାତ୍ତ୍ୱିକ ବିଚାରଧାରା ସାହିତ୍ୟକୃତିରେ ସୃଷ୍ଟ ଚରିତ୍ରମାନଙ୍କର ମାନସିକ କ୍ରିୟା ଓ ପ୍ରତିକ୍ରିୟା ଅନୁଧ୍ୟାନ କରିବାରେ ସହାୟକ ହେବ, ନତୁବା ଚରିତ୍ର ଓ ସର୍ବୋପରି ସାହିତ୍ୟକୃତିର ଓ ସାହିତ୍ୟକଙ୍କର ମୂଲ୍ୟାୟନ ଠିକ୍‌ ରୂପେ ହୋଇପାରିବ ନାହିଁ । ଅବଶ୍ୟ, ଆଜିର ସାହିତ୍ୟ ସମାଲୋଚନାରେ Phenomenology, Structuralism, Post- structuralism, de-construction ଇତ୍ୟାଦି ପଦ୍ଧତି ଅନୁସୃତ ହୋଇଥିବାରୁ, ମନସ୍ତାତ୍ତ୍ୱିକ ବିଚାରଧାରାର ପ୍ରୟୋଗ ପ୍ରାୟ ନାହିଁ - ବହୁ ଦୋଷ, ଦୁର୍ବଳତାର କଷାଘାତରେ ଏହା ସେତେ ଗ୍ରହଣୀୟ ନୁହେଁ ମଧ୍ୟ । ସେ ଯାହା ହେଉନା କାହିଁକି, ଆମର ପୂର୍ବୋକ୍ତ ପ୍ରସ୍ତାବ ଅନୁଯାୟୀ ଆମେ ରାଧା ଚରିତ୍ରର ମାନସିକ ସ୍ଥିତିକୁ ଅନୁଧ୍ୟାନ କରିବା ।

 

।। ୩ ।।

 

ରାଧା ଭାରତୀୟ ପରଂପରାରେ, ସଂସ୍କୃତିରେ, ଦର୍ଶନରେ, ପୁରାଣରେ ଓ ଏପରିକି ଲୋକକଥାରେ ଆରାଧ୍ୟା ଦେବୀ ରୂପେ ପୂଜିତା, ଯାହାଙ୍କର ସ୍ମରଣରେ ଭବ ସାଗରରୁ ମୁକ୍ତି; ନାମ କୀର୍ତ୍ତନରେ ଯାବତୀୟ ପାପରୁ ନିଷ୍କୃତି ହେବାର ମାର୍ଗ ନିର୍ଦ୍ଧାରିତ । ବୈଷ୍ଣବ ତତ୍ତ୍ୱ ଅନୁସାରେ ରାଧା ହିଁ ଭକ୍ତିର ସାକାର ରୂପ ଓ ପରଂବ୍ରହ୍ମ ଶ୍ରୀକୃଷ୍ଣଙ୍କ ଆଶିଷ ପ୍ରାପ୍ତିର ସହଜ ମାର୍ଗ । ସେ ହିଁ ‘ଆହ୍ଲାଦିନୀ ଶକ୍ତି’ ଓ ‘ଲୀଳା ଶକ୍ତି’ । ତେଣୁ ଆମର ସାମୂହିକ ଅବଚେତନରେ ରାଧା ହିଁ ଦେବୀ, ଚିର ଆରାଧ୍ୟା ପ୍ରେମାଶକ୍ତି । ସୁତରାଂ ବିଦ୍ୟାପତି (ପଦାବଳୀ), ସୁର ଦାସ (ସୁରସାଗର), ଜୟଦେବ (ଗୀତ ଗୋବିନ୍ଦ), ଅଭିମନ୍ୟୁ (ବିଦଗ୍‌ଧ ଚିନ୍ତାମଣି), ଗୋପାଳକୃଷ୍ଣ (ପଦ୍ୟାବଳୀ), କବିସୂର୍ଯ୍ୟ (କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ) ଆଦିଙ୍କର ରଚନା ସେଇ ରୂପେ । ଏ ସବୁରେ ରାଧା ହିଁ ପ୍ରେମର ଆଦିରୂପ । ମାତ୍ର ଅଯୋଧ୍ୟା ସିଂହ ଉପାଧ୍ୟାୟ ହରିଔେଧ (ପ୍ରିୟ ପ୍ରବାସ), ଜୟଶଙ୍କର ପ୍ରସାଦ (କାମାୟନୀ), ଧର୍ମବୀର ଭାରତୀ (କନୁପ୍ରିୟା) ଇତ୍ୟାଦି କବିଗଣ ରାଧା ଚେତନାରେ ତନ୍ମୟ ହୋଇଥିଲେ ହେଁ ‘ଚିରନ୍ତନ ନାରୀକର୍ତ୍ତୃକ ଶୃଙ୍ଗାରିକତା’ରେ ପ୍ରାଧାନ୍ୟ ଦିଅନ୍ତି । ରମାକାନ୍ତଙ୍କ ରାଧା ସେଇ ରୂପେ ଉଭା ହୋଇଛନ୍ତି ଏକ ବାସ୍ତବ ଲୌକିକ ପରିବେଶରେ । ଏ ସାରସ୍ଵତ ଆଳାପରେ କବି ସ୍ଵୀକାର କରନ୍ତି :

 

ମୁଁ ଯେଉଁ ରାଧାଙ୍କୁ କଳ୍ପନା କରିବାକୁ ଚେଷ୍ଟା କରିଛି, ସେ ସାହିତ୍ୟ ବା ଧର୍ମତତ୍ତ୍ଵ ପରଂପରାରେ ପ୍ରତିଷ୍ଠିତା ରାଧା ନୁହନ୍ତି । ସେ ଜଣେ ପ୍ରେମିକ, ଯାହାଙ୍କର ପ୍ରେମାନୁଭୂତି ଏତେ ପ୍ରଗାଢ଼ ଯେ ପ୍ରେମ ସହିତ ଅସଂଲଗ୍ନ ତାଙ୍କ ଜୀବନର ପ୍ରତ୍ୟେକ ଦିଗ, ଏପରିକି ମୃତ୍ୟ ଅବାନ୍ତର । (୩)

 

ଅତଏବ, ରମାକାନ୍ତଙ୍କ କାବ୍ୟରେ ଚିରନ୍ତନ ନାରୀ ସତ୍ତା ରାଧା, ସାଧାରଣ ଜୀବନ ଜୀଇଁଛନ୍ତି । ମାଟି, ପାଣି, ପବନରେ ସାମିଲ ହୋଇ ‘ପ୍ରତି ମୁହୂର୍ତ୍ତର ଉତ୍କଣ୍ଠା’ରେ ଏକୀଭୂତ ହୋଇଛନ୍ତି । ‘କଳନାତୀତ ପୁଲକ’ରେ ତାଙ୍କର ପ୍ରାଣ ପୁଲକିତ ହୋଇଛି । ‘ଉଚ୍ଚାଙ୍ଗ ଚିତ୍ତଧାରିଣୀ’ ହୋଇଥିବାରୁ ସେ ଅନନ୍ୟା ହୋଇ ଯାଇଛନ୍ତି ମଧ୍ୟ । ଆପଣାର ବ୍ୟକ୍ତିତ୍ୱର ଆଭାରେ ସେ ହୋଇଛନ୍ତି ମହିମାନ୍ୱିତା । ଜାଗରୁକ୍‌ ଆତ୍ମଚେତନାର କର୍ତ୍ତୃତ୍ୱରେ ତାଙ୍କର ଆତ୍ମସତ୍ତାର ବିକାଶ ହୋଇଛି, କ୍ରମପରିସ୍ଫୁଟନ ହୋଇଛି । କ୍ରିୟାଶୀଳ ବୈୟକ୍ତିକ ସ୍ଵାତନ୍ତ୍ର୍ୟ ଆଣି ଦେଇଛି ତାଙ୍କଠାରେ ଅନୁଭବ, ଚିନ୍ତନ, ଅନ୍ତର୍ଦୃଷ୍ଟି ଓ ଇନ୍ଦ୍ରିୟାନୁଭୂତିର (ବା ତହିଁର ସ୍ମୃତିର) ପର୍ଯ୍ୟାୟରେ । ଭାବର ବିନ୍ୟାସରେ ପଲ୍ଲବିତ ହୋଇଥିବା ଆତ୍ମଲୀନ ଶୃଙ୍ଗାରିକତାକୁ ମଧ୍ୟ ଆମେ ନିରୀକ୍ଷଣ କରିପାରିବା ପ୍ରତ୍ୟେକଟି କବିତାରେ, ଏପରିକି ସାମଗ୍ରିକ ଭାବେ ଦେଖି‌ଲେ ସଂପୂର୍ଣ୍ଣ କାବ୍ୟରେ ।

 

॥ ୪ ॥

 

କାବ୍ୟଟିର ପ୍ରାଥମିକ ଉଚ୍ଚାରଣ ଅନୁଭବର । ଉଦାହରଣ ସ୍ଵରୂପ କେତୋଟି ପଙ୍‌କ୍ତି ଉଦ୍ଧାର କରି ପାରନ୍ତି ।

 

ଅନ୍ୟସବୁ ସକାଳ ଠୁଁ ଆଜିର ସକାଳ

କାହିଁକି କେଜାଣି ଲାଗେ ଅଲଗା ଅଲଗା ।

× × × × ×

ଆଗରୁ କେବେ ତ ଛାତି

ଆଜିପରି ଧପ୍‌ଧପ୍‌ ହେଉ ନଥିଲା,...

 

× × × × ×

ସେଦିନ ସକାଳେ, ମୁଁ ନଈରେ ଗାଧୋଇବା ବେଳେ

ପାଣିରେ ଦେଖି‌ଲି ମୋର ଗୋଡ଼କୁ, ଲାଗିଲା

ଏ ଗୋଡ଼ ତ ମୋର ନୁହେଁ......

 

ଆମେ କ’ଣ ଜାଣିଥି‌ଲୁ ଏତେ କଥା କହିବାକୁ ଅଛି,

ରାତିର ସୁଗନ୍ଧ ଅଛି, ତାରାମାନେ ଏଡ଼େ ଏକୁଟିଆ ?

× × × × ×

ବେଳେ ବେଳେ ଲାଗୁଥି‌ଲା ଏଇ ସତ, ମୋର

ସୀମାବଦ୍ଧ ଜୀବଦଶା,.......

 

ଉପରୋକ୍ତ ଉଦ୍ଧୃତାଂଶ ଓ ଏହିପରି ଅନେକ ସ୍ଥାନରେ ଆମେ ‘ଲାଗେ’, ‘ଲାଗିଲା’ ,‘ଆମେ କଣ ଜାଣିଥି‌ଲୁ’, ‘ମତେ ଲାଗିଲା’, ‘ବେଳେ ବେଳେ ଲାଗୁଥି‌ଲା’ ଆଦି କ୍ରିୟାପଦର ବହୁଳ ବ୍ୟବହାର ପାଇପାରିବା । ଏସବୁ ପ୍ରେମ କାଙ୍ଗାଳୁଣୀ ରାଧାଙ୍କର ଅନୁଭବ । କୃଷ୍ଣଙ୍କର ପ୍ରତ୍ୟାଗମନରେ ପ୍ରତ୍ୟାଶୀ ସେ, ତେଣୁ ମନରେ ତାଙ୍କର ରୋମାଞ୍ଚ - ଏକ ନିଷ୍କପଟ, ସୂକ୍ଷ୍ମ ଅନୁଭବ । ସେଇଥିପାଇଁ ରାଧାଙ୍କର ସ୍ଵଗତୋକ୍ତି :

 

ତମେ ତ ଅବଶ କର, ଆତ୍ମହରା କର

ଚେତନାକ୍ର ଚିତି ନୂଆ ଆନନ୍ଦରେ ।

 

ଏହି ସନ୍ଧିକ୍ଷଣରେ କୃଷ୍ଣଙ୍କର ନ ଫେରିବାର ଭାବବୃତ୍ତାନ୍ତ ତାଙ୍କ ଚିନ୍ତନକୁ ନିୟନ୍ତ୍ରିତ କରିଛି-। ସେଥି‌ପାଇଁ ସେ ଆତଙ୍କିତା ଓ ଆଶଙ୍କିତା । ନିଜର ସ୍ଥିତି ବିଷୟରେ ସଂପୂର୍ଣ୍ଣ ସଚେତନ ରହି ‘ପୁନର୍ମିଳନର/ଆଲୋକିତ ସୁଖର’ ସନ୍ଧାନୀ ହୋଇ ପଡ଼ିଛନ୍ତି ।

 

ମୁଁ ସର୍ବଦା କାଙ୍ଗାଳୁଣୀ, ଅନ୍ତରୀକ୍ଷ ଯାଏଁ

ପ୍ରସାରିତ ମୋର ଦୁଇ ସୀମାହୀନ ବାହୁଙ୍କ ଭିତରେ

ମୁଁ ଉଦ୍‌ଗ୍ରୀବ ଶୂନ୍ୟସ୍ଥାନଟିଏ

ଖାଲି ଶୂନ୍ୟସ୍ଥାନଟିଏ ହୋଇ ରହିଯିବା

କାହା କାହା କପାଳେ ତ ଥାଏ ।

 

ରାଧାଙ୍କର ମର୍ମଭେଦୀ ଉଦ୍‌ଗ୍ରୀବତାର ଅନ୍ତରାଳେ ରହିଛି ‘ଜନ୍ମ ଜନ୍ମାନ୍ତରର ସାନ୍ତ୍ୱନା’, ପ୍ରକୀର୍ଣ୍ଣ ପ୍ରବୋଧନା । ପ୍ରେମିକର ପ୍ରଥମ ସ୍ପର୍ଶର ସ୍ମୃତିରେ ସବୁ ଶୂନ୍ୟସ୍ଥାନ ତେଣୁ ମୁଖର ।

 

ତମେ ମତେ ଯେଉଁଥର ପ୍ରଥମ ଛୁଇଁଲ

ମୋ ଭିତରେ ରହିଥିବା ଶୂନ୍ୟସ୍ଥାନ

ହଠାତ୍‌ ମୁଖର ହେଲା, ପ୍ରତ୍ୟେକ ଦିଗରୁ

ତମେ ମତେ ଡାକୁଥି‌ବା ପରି ଜଣାଗଲା

ମୁଁ ଯାହା ହୁଅନ୍ତି ତାର ଆକାଡ୍‌କ୍ଷା ଭିତରୁ ।

 

ସ୍ଵପ୍ନ ବିଭୋର ରାଧାଙ୍କ ମନରେ ତେଣୁ ଅଜଣା ଉଚ୍ଚାଟନ । କିଛି ହେଇଯିବାର ଆଶାରେ ମୁକୁଳିତା ସିଏ । ଠିକ୍‌ ଏଇ ମୁହୂର୍ତ୍ତରେ ଇନ୍ଦ୍ରିୟାସକ୍ତ ଆବେଗର ରାଶି ରାଶି ଉଦ୍‌ବେଳନ । କଳ୍ପନାର କୁହୁକ ସ୍ପର୍ଶରେ ତେଣୁ, ସେ ଭେଟନ୍ତି ପ୍ରିୟତମଙ୍କୁ :

 

ମୁଁ ତୁମର କେହି ନୁହେଁ, ମତେ ଦେଖଉଛ

ରୂପଟିଏ ଅନୁଗ୍ରହ କରି,

ସେ ରୂପର ଆକ୍ଷି, ଓଠ, ବାହୁ, କଟୀଦେଶ

ବାୟବୀୟ ଇନ୍ଦ୍ରଧନୁ ପରି ।

 

ରାଧାଙ୍କର ବ୍ୟାକୁଳତା ‘ଅସ୍ଥି ପାଇଁ, ଅସ୍ଥିର ଉପରେ/ଥି‌ବା ମାଂସ ପାଇଁ, ମାଂସକୁ ଆବୋରି ରହିଥିବା ଚମ ପାଇଁ ସେଇଥି‌ପାଇଁ ସେ ‘ଚୁମାରେ’, ‘ଦୂରବର୍ତ୍ତୀ ସ୍ୱପ୍ନଙ୍କର ପ୍ରତିଶ୍ରୁତି’ ଲେଖି‌ବା ପାଇଁ ଆଗ୍ରହୀ, ‘‘ଓଠରେ ଚାହିଦାନୁଯାୟୀ/ହସ ବା ଉତ୍ତରଟିଏ’ ପାଇବା ପାଇଁ ଉନ୍ମୁଖା । ମାତ୍ର ପରକ୍ଷଣରେ ଇନ୍ଦ୍ରୟାସକ୍ତ ବିକଳଭାବ ଉତ୍ତୋରିତ ହୋଇଛି ତୀକ୍ଷଣ୍‌ ଅନ୍ତର୍ଦୃଷ୍ଟିର ପ୍ଲାବନରେ :

 

ମୁଁ ସବୁ ଜାଣିଛି ମୋର ଶ୍ୟାମବର୍ଣ୍ଣ ପ୍ରିୟତମ, ଜାଣେ

କ୍ରମେ କ୍ରମେ ତମେ କୃଷ୍ଣବର୍ଣ୍ଣ ହୋଇଯିବ

ତା’ପରେ ଅଦୃଶ୍ୟ ହେବ, ନିରାକାର ହେବ ଓ ମୁଁ ଯେତେ

ନିରେଖି‌ଚାହଁଲେ ତମ କଟାକ୍ଷ ଓ ହସ ନ ଦିଶିବ ।

 

ମୁଁ ଜାଣିଛି ପ୍ରିୟତମ ସମୟର ମାନେ କ’ଣ, ମୋର

ଅସହାୟ, ନିସ୍ଫଳ ଆତ୍ମାରେ

ତମେ ନଥିବାର ପ୍ରତିବିମ୍ବ ପଡ଼ୁଥି‌ବ

ଏକାନ୍ତରେ, ମଧୁ ଯାମିନୀରେ ।

 

ରାଧାଙ୍କର ଏଇ ମାନସିକ ସ୍ଥିତିର ହେତୁ ଦର୍ଶାଇବାକୁ ଯାଇ, କବି ଟିପ୍ପଣୀ ଦିଅନ୍ତି ପୃଷ୍ଠବନ୍ଧରେ :

 

ଯେଉଁ ଚେତନାରେ କାମନା ସାଙ୍ଗେସାଙ୍ଗେ କାମନା ଅପୂର୍ଣ୍ଣ ରହିଯିବାର ସମ୍ଭାବନା ବି ସ୍ଵୀକୃତ ହୁଏ, ସେ ଚେତନାର ସ୍ଥଳଭାଗରୁ ବିଛିନ୍ନ ହୋଇ ଉପରକୁ ଉଠିବାକୁ ଆରମ୍ଭ କରିବାର ନିର୍ଦ୍ଦିଷ୍ଟ ମୁହୂର୍ତ୍ତଟିଏ ତାଙ୍କ ଜୀବନରେ ଅବଶ୍ୟ ଆସିଥିବ । .... ଯେତେବେଳେ ସମୁଦାୟ ସଭା ଈପ୍‌ସିତ ଲକ୍ଷ୍ୟ ସହିତ ଏକା ହୋଇଯାଏ, କାମନା କହିଲେ ଆମେ ଯାହା ବୁଝୁ, ତାହା ଆଉ ଅନୁଭୂତ ହେଉ ନଥିବ ॥୫॥

 

ଏଠାରେ କବି ରାଧାଙ୍କର ‘ଉଚ୍ଚାଙ୍ଗ ଚିତ୍ତବୃତ୍ତି’କୁ ଦର୍ଶାଇବାକୁ ଚାହିଁଛନ୍ତି । ଏଇ ଭୂମିକାରେ ସେ ଜଣେ ଏକନିଷ୍ଠ ଯୋଗୀ ପରି ପ୍ରତୀତ ହୁଅନ୍ତି । ରାଧା ଚରିତ୍ରର ବିଶିଷ୍ଟ ଦିଗକୁ ଉନ୍ମୋଚନ କରିବାର ଅଭୀପ୍‌ସାରେ ସେ ଏକ ଦାର୍ଶନିକର ଭୂମିକାକୁ ଗ୍ରହଣ କରିଥିଲା ପରି ମନେ ହୁଅନ୍ତି । ତାଙ୍କର ଜୀବନାଦର୍ଶର ମୁଖ୍ୟ ସୂତ୍ରଟ ବୋଧେ ଏହିପରି - ଜୀବନ ବହୂରୂପୀ । ଜୀବନର ଗତିପଥରେ ସବୁ କାମନା ଯେ ପୂରଣ ହେବ, ଏଇ ଧାରଣା ରଖି‌ବା ଅମୂଳକ । ବରଂ ସିଏ ହିଁ ସଫଳ, ଯିଏ ସବୁ ଅପ୍ରାପ୍ତି ଭିତରେ, ନିଜକୁ ଭାଙ୍ଗିଯିବାକୁ ନଦେଇ ଆଗେଇ ଚାଲେ, ହାରି ଯାଏନା, ଦୁଃସ୍ଥିତିକୁ ସାମନା କରିବାର ପ୍ରୟାସ ଜାରିରଖେ । ‘ନିଜ ଭିତରେ ଆଶ୍ରୟ ଖୋଜେ’, ନିଜର ସ୍ଵତନ୍ତ ବ୍ୟକ୍ତିସତ୍ତା’ ବିଷୟରେ ସଚେତନ ହୁଏ । ତାଙ୍କ ମତରେ : ‘‘ ସେ ବ୍ୟକ୍ତତ୍ୱ ବେଳେବେଳେ ଖରାଦିନିଆ ସନ୍ଧ୍ୟାବେଳେ ବୋହୁଥି‌ବା ପବନ ପରି - ପୂରାପୂରି ଶୀତଳ ନୁହେଁ, କିନ୍ତୁ ଶୀତଳତାର ପ୍ରତିଶ୍ରୁତିରେ ଓ ଫୁଲଙ୍କର ସୁବାସରେ ପରିପୂର୍ଣ୍ଣ ।’’ (୬) ଜୀବନ ଯେତେବେଳେ ପ୍ରତିଶ୍ରୁତିବଦ୍ଧ ହୁଏ, ଯାବତୀୟ ସାଫଲ୍ୟ (ଐହିକ ଜଗତର) ଅସାର ଲାଗେ । ମୃତ୍ୟୁ ମଧ୍ୟ ଅବାନ୍ତର ବୋଧ ହୁଏ । ଉଚ୍ଚାଙ୍ଗ ଚିତ୍ତଧାରିଣୀ ରାଧା ଉପରୋକ୍ତ ସତ୍ୟକୁ ସ୍ଵୀକାର କରିଥିବାରୁ , ସାଧାରଣ ପାର୍ଥିବ ଜୀବନର ଚଉହଦି ଡେଇଁ ଯାଆନ୍ତି ଅନାୟାସରେ । ସେ ତେଣୁ ଆବାହନ କରନ୍ତି :

 

ଯେତେଥର ଇଚ୍ଛା ହେବ ସେତେଥର ଅନ୍ଧାର ଭିତରୁ

ତମକୁ ଓଟାରି ଆଣି ମୋର ଅଗଣାକୁ

ଆଜ୍ଞାଦେବି ଠିଆହୁଏ ଏଠି ଯେଉଁ ଠାରେ

ତମ ପୂରା ପ୍ରତିବିମ୍ବ ନଈରେ ପଡ଼ିବ,

କିମ୍ବା ସେଠି ଯେଉଁଠାରେ ପାହାଡ଼ ସେ ପାଖୁ

ଜହ୍ନ ଉଏଁ, ବା ଅନ୍ୟତ୍ର ଯେଉଁଠାରେ ରାତି

ପାହି ପାରେ ନାହିଁ ମୋର ବିନାନୁମତିରେ ।

ଏହି ଅବକାଶରେ ଆମେ ରମାକାନ୍ତଙ୍କୁ ଜଣେ ମନସ୍ତତ୍ତ୍ଵବବିଦ୍‌ ରୂପେ ମଧ୍ୟ ବିବେଚନା କରିପାରିବା । ନାରୀ-ପୁରୁଷ ସଂପର୍କର ସୁକ୍ଷ୍ମତାକୁ ଅନୁଧ୍ୟାନ କରିବାରେ ତାଙ୍କର ସିଦ୍ଧହସ୍ତତାକୁ ପରଖି‌ପାରିବା । ବୋଧହୁଏ ତାଙ୍କର ଧାରଣା ହୋଇଛି ଯେ ରାଧାଙ୍କର ସଖ୍ୟ ବା ସାହଚର୍ଯ୍ୟ ବିନା, କୃଷ୍ଣ ଅଧୁରା । ତେଣୁ ସେ ଯୁକ୍ତିଛଳରେ ରାଧାଙ୍କର ବକ୍ତବ୍ୟରେ ରଖିଛନ୍ତି :

 

ତୁମକୁ ଈଶ୍ଵର ବୋଲି କିଏ କହେ ? ତମେ

ଲବଣୀ ପିତୁଳାଟିଏ, ଆକ୍ଷିରେ ଆକ୍ଷିଏ

ଲୁହ ଧରି ଯାଆ ଆସ କର,

କଥା କହୁଁ କହୁଁ ତମେ ରହିଯାଅ ହଠାତ୍‌, ଯେପରି

ତମ ଗଳା ରୁନ୍ଧି ଦିଏ କେତେ ଶତାବ୍ଦୀଙ୍କ

ନେପଥ୍ୟରେ ଥି‌ବା ହାହାକାର ।

 

ପୁନଶ୍ଚ,..

.... ସୁତରାଂ ହେ ଅଣଈଶ୍ଵର

ତମେ ଯାହା ନୁହଁ ତାହା ତମେ ଅଟ ବୋଲି

ଭାବିଲେ ଭାବନ୍ତୁ ଲୋକେ ଦୁନିଆଁ ଯାକର,

ମୁଁ ଜାଣିଛି ତମେ ଖୁବ୍‌

କ୍ରୋଧ ଜର୍ଜରିତ ଶୋକ ଜର୍ଜରିତ ହୋଇ

କ୍ରମଶଃ ବୟସ୍କ ହୋଇ ଚାଲିଥି‌ବ, ଶେଷରେ ମୋ ପରି

ଚାଲିଯିବ ସବୁଦିନ ପାଇଁ ।

 

ଅତଏବ, ମଣିଷ କାହିଁକି, ଏପରିକି ଈଶ୍ଵର ଧରାଧାମରେ ପାଦଦେଲେ, ତାଙ୍କ ଈଶ୍ଵରତ୍ୱର ପ୍ରତିପାଦନ ପାଇଁ ଲୋଡ଼ା ନାରୀର ସଖ୍ୟ, ସଙ୍ଗ ବା ସାହଚର୍ଯ୍ୟ, ରାମାୟଣ ମହାକାବ୍ୟରେ ଏହି ସତ୍ୟର ଯଥାର୍ଥତା ଆମେ ଉପଲବ୍ଧ କରିପାରନ୍ତି । ମର୍ଯ୍ୟାଦା ପୁରୁଷ, ପୁରୁଷୋତ୍ତମ ରାମଚନ୍ଦ୍ର ସୀତାଙ୍କ ସାହଚର୍ଯ୍ୟ ବିନା ସଂପୂର୍ଣ୍ଣ ଅସହାୟ, ସତେ ଯେମିତି ସାଧାରଣ ମଣିଷ । ସେଇଥି‌ପାଇଁ ସ୍ଥଳବିଶେଷରେ ସେ ଶୋକାତୁର, ଦ୍ଭଗ୍ନ ମନୋରଥ ଓ ସହାୟ ଶୂନ୍ୟ । ମାତ୍ର ଭାଗବତରେ ଶ୍ରୀକୃଷ୍ଣ ସର୍ବଦା ପ୍ରତ୍ୟୟାନ୍ୱିତ, ସ୍ଥିର ନିଶ୍ଚିତ ଓ ନିଃଶଙ୍କ । ଏହା ପଛରେ ହୁଏତ ରହିଛି ରାଧାଙ୍କର, ଷୋଳସହସ୍ର ଗୋପୀଙ୍କର ସାହଚର୍ଯ୍ୟ, ତାଙ୍କ ପ୍ରତି ସମର୍ପିତ ଭାବ, ଯାହା ହୁଏତ ଆଣି ଦେଇଛି ତାଙ୍କଠାରେ ଅସାଧାରଣ ଧୀଶକ୍ତି, ଅଦମ୍ୟ ସାହସ, ଅଚିନ୍ତ୍ୟ ଆତ୍ମବିଶ୍ଵାସ । ସେଇଥି‌ପାଇଁ ରାଧା ତାଙ୍କୁ ସଖ୍ୟା ଦେବାକୁ ଚାହାନ୍ତି । କାରଣ ସେ ଜାଣନ୍ତି, ତାଙ୍କ ବିନା -

 

କ୍ରୋଧଜର୍ଜରିତ ତମେ ସବୁକାଳେ ଅବୁଝା କିଶୋର

ତମ ସ୍ଵର ନିରୁଦ୍ଦିଷ୍ଟ ହୋଇଯିବ କୋଳାହଳ ଭିତରେ ନିଶ୍ଚୟ

ନିରର୍ଥକ ଶବ୍ଦ ଆଉ ବାକ୍ୟମାନଙ୍କର

ପୁଣିଦିନେ ମିଳିଯିବ

ଆମର ଅପରାଜିତ ଭବିଷ୍ୟତ ଭିତରେ କେଉଁଠି

ଆଉ କିଏ ଯଦି ତମେ ନୁହଁ

ମନୁଷ୍ୟମାନଙ୍କ ପରି କାଳକାଳ ଈଶ୍ଵର ତମେ ତ

ଚନ୍ଦ୍ରପରି ଦିନୁଁଦିନ ହ୍ରାସ ପାଅ ଅବଶେଷେ ଲୋପ ପାଇଯାଅ

ଚୂଡ଼ାନ୍ତ ଅନ୍ଧାରେ .....

 

ତେବେ, ରାଧା ‘କ୍ଷଣସ୍ଥାୟୀ ଓ ନିକୃଷ୍ଟ ତୃଷ୍ଟିବିଧାନ’ ପାଇଁ ଆଗ୍ରହୀ ନୁହଁନ୍ତି । ତାଙ୍କଠାରେ ରହଛି ‘ଅନାବିଳ ଲୋଡ଼ିବାପଣ’ । ସେଇଥି‌ପାଇଁ ‘ଅପରିସୀମ ନିଃସଙ୍ଗତା’ ସତ୍ତ୍ୱେ ‌ସେ ଜୀଇଁ ରହିବାକୁ ଚାହାନ୍ତି । ତାଙ୍କର ଶାଣିତ ଆତ୍ମବିଶ୍ଵାସ ଆଣି ଦେଇଛି ଅପରିସୀମ ଦାମ୍ଭିକତା ତାଙ୍କଠାରେ :

 

ସବୁ କାରଣର ପୂର୍ବବର୍ତ୍ତୀ ପରିଣାମ

ଭାବେ ସବୁବେଳେ ଥିବ, କେବେ ତ ତୁମକୁ

ଭେଟିବି, କେବେ ତ ମିଛିମିଛିକା ଦିନର

ଆଲୁଅ ଲିଭିବା ପରେ ଦେଖି‌ବି ଯେ ତମେ

ନିଜ ଅନ୍ତରାତ୍ମା ଛନ୍ଦି ମୋ ଅନ୍ତରାତ୍ମାରେ

ମତେ ନିଜ ଚେତନାରେ ପରିଣତ କର ।

ସେତିକି ବୁଝିବା ମାତ୍ରେ କେତେ ଦମ୍ଭ ଆସେ !

ସବୁ ଅସଂଲଗ୍ନ ଭାବ କଟିଯାଇ ଲାଗେ

ଆଗକୁ ଆଗକୁ ଗଲାବେଳେ ପ୍ରକୃତରେ

ମୁଁ ଫେରି ଆସୁଛି, ଆଦୌ ହତାଶା ନଥି‌ବା

ମୋ ହୃଦୟ କୃଷ୍ଣ କୃଷ୍ଣ ଡାକିବା ମାତ୍ରକେ

ତମେ ଦେଖାଯିବ ତମେ ନଥି‌ବା ଯାଗାରେ ।

 

‘ପ୍ରତି ମୁହୂର୍ତ୍ତର ଉତ୍କଣ୍ଠାର ପ୍ରତିଦାନ’ ମଧ୍ୟ ସେ ଚାହାନ୍ତି । ‘ତମର ଅନ୍ତକରଣରେ ରହିଯାଏଁ ନଈ ଆଉ ବାୟୁ ହୋଇକରି’ - ଏଇ କାମନା ତାଙ୍କର । ମୃତ୍ୟ ତେଣୁ ହାରମାନେ ତାଙ୍କ ସମକ୍ଷରେ । ସେ କାଳାତୀତ, ତେଣୁ ତାଙ୍କର ବକ୍ତବ୍ୟ : ‘ସ୍ଵପ୍ନର ଅପ୍ରତ୍ୟାଶିତ ଉପାଦାନ ପରି/ତମ ହୃଦୟରେ ତିଷ୍ଠି ଥିବି’ । ସେ ପୂରାପୂରି ସମର୍ପିତା :

 

ତମକୁ ସମର୍ପିଦେଲି ମୋର ଶରୀର

କଠିନତା, ବୋଝବୋଝ ପୁରୁଣା ଅଭ୍ୟାସ

ଭୟଭ୍ରାନ୍ତି, ସୁଖଦୁଃଖ ଜରା ଓ ମରଣ

ତା’ପରେ ତରଳି ଯାଇ ବ୍ରହ୍ମାଣ୍ଡ ଉପରେ

ବୋହିଗଲି ଯେପରି ମୁଁ ପର୍ବତ ଭିତରୁ ।

ସଦ୍ୟ ମୁକ୍ତ ହୋଇଥି‌ବା ଚନ୍ଦ୍ରର କିରଣ ।

 

ନିଜର ବାହ୍ୟିକ ଦେହସର୍ବସ୍ଵ ସତ୍ତାଙ୍କୁ ପରିତ୍ୟାଗ କରି ସେ ପଞ୍ଚଭୂତ ସହ ଏକାତ୍ମ ହୋଇଯିବାକୁ ଚାହାନ୍ତି । କାରଣ ଏହି ପ୍ରୟାସର ପ୍ରେକ୍ଷାପଟରେ ରହଛି ତେଜୋଦୀପ୍ତ ପରମ ପୁରୁଷ କୃଷ୍ଣଙ୍କୁ ପ୍ରାପ୍ତିର ଅଭିଳାଷ, ପୁଣି ମଧ୍ୟ କୃଷ୍ଣଙ୍କୁ କୃଷ୍ଣ ରୂପେ ପ୍ରତୀତ କରେଇବାର ଉତ୍‌କଣ୍ଠା । ଏଇ ସ୍ଥିତିରେ କୃଷ୍ଣଙ୍କର ମୃତ୍ୟୁ ସମ୍ବାଦ ତାଙ୍କ ପାଇଁ ଦୁଃଖର ହେତୁ ନୁହେଁ । ବରଂ ସେ ଆନନ୍ଦିତା । ଏହା ଏକ ବିରୋଧାଭାସ, ଆମ ପରି କ୍ଷୁଦ୍ର ମଣିଷମାନଙ୍କ ପାଇଁ । କିନ୍ତୁ ତାଙ୍କ ପାଇଁ ଏଥି‌ରେ ଗ୍ରଥିତ ଏକ ଚିରନ୍ତନ ସତ୍ୟ ତାଙ୍କର ମନ ଆକାଶରେ ଘୂରି ବୁଲୁଥିବା ଅସୁମାରୀ ଅବଦମିତ ଇଚ୍ଛାର ଉଦାତ୍ତ ଉଦ୍ଦୀପନା ଅବଶ୍ୟ, ଏହା ସତ୍ୟ ଯେ ତାଙ୍କ ପାଇଁ ମୃତ୍ୟୁର ସମସ୍ତ ଭୟାବହତା ପ୍ରତିହତ । ମାତ୍ର ପ୍ରକୃତ ସତ୍ୟଟି ହେଲା :

 

ମୁଁ କିନ୍ତୁ ପାରୁନି ଆଉ

ରୋକି ପାରୁନି ମୋ ସୁଖ ସନ୍ତୋଷକୁ ।

ତମେ ଯଦି ତାଙ୍କ ପାଇଁ ନ ମରିଥାନ୍ତ ମୁଁ

ଗୋଟାପଣେ ପାଇଥାନ୍ତି କିପରି ତୁମକୁ ?

 

ଏହା କଣ ତେବେ ରାଧାଙ୍କର ସ୍ୱାର୍ଥାନ୍ଵେଷୀ ବିକଳ ପଣର ପ୍ରକୃଷ୍ଟ ନିଦର୍ଶନ । ନିଜର ପ୍ରେମିକକୁ ସର୍ବାନ୍ତକରଣରେ ପାଇବାରେ ପ୍ରେମିକାର ମର୍ମସ୍ପର୍ଶୀ ନିବେଦନ-ରାଧା ଚରିତ୍ରର ଉଚ୍ଚାଙ୍ଗ ଚିତ୍ତବୃତ୍ତି ? ଶୂନ୍ୟତାର ପ୍ରବାହରେ ନିର୍ଗୁଣ ହେଇ ଯାଇଥି‌ବା ମନର ପୁଣି ଏ ଆକୁଳତା କାହିଁକି ? ବଡ଼ ବିଚିତ୍ର ସତେ ମଣିଷ ମନର ଆକାଶ, ଅଲଂଘ୍ୟ ସତେ ଆମ ମନର ଇଲାକା, ସଂପୂର୍ଣ୍ଣ ଅବୋଧ୍ୟ ଓ ଅବ୍ୟବସ୍ଥିତ । ରମାକାନ୍ତଙ୍କ ଯାଦୁକରୀ କଲମ ମୁନରେ ଏହା ବଡ଼ ଅଦ୍ଭୂତ ରୂପରେଖ ନେଇ ଉଭା ଆମ ସମ୍ମୁଖରେ । ତେଣୁ କବିଙ୍କ ବକ୍ତବ୍ୟକୁ ସାମାନ୍ୟ ପରିବର୍ତ୍ତନ କରି ଘୋଷଣା କରିବାକୁ ହେବ - ଆମର ଏ ସବୁ ବୁଝିବାର ଶକ୍ତି ନାହିଁ, ଅନୁଶୀଳନ କରିବାର ସାମର୍ଥ୍ୟ ତ ଜମାରୁ ନାହିଁ ।

 

ସଂକେତ ସୂଚୀ :

୧.

ରବିବାର ପ୍ରଜାତନ୍ତ୍ର, ଜାନୁୟାରୀ ୧୭,୧୯୯୩, ପୃ୫ ।

୨.

‘ପୃଷ୍ଠବନ୍ଧ’, ଶ୍ରୀରାଧା, ଅଗ୍ରଦୂତ : କଟକ, ୧୯୯୦ (ଦ୍ୱିତୀୟ ପ୍ରକାଶ), ପୃ ୧୩୪ ।

୩.

ପୂର୍ବସୂଚିତ, ରବିବାର ପ୍ରଜାତନ୍ତ୍ର ..... ପୃ ୫ ।

୪.

ପ୍ରବନ୍ଧରେ ଦର୍ଶାଯାଇଥି‌ବା ଏଇ ଉଦ୍ଧୃତ।ଶ ଓ ଏହାର ପରବର୍ତ୍ତୀ ଉଦ୍ଧୃତାଂଶ ପୂର୍ବ ସୂଚିତ ଶ୍ରୀରାଧା କାବ୍ୟରୁ ନିଆ ଯାଇଛି ।

୫.

ପୂର୍ବସୂଚିତ, ପୃଷ୍ଠବନ୍ଧ .......... ପୃ ୧୨୨ ।

୬.

ତତୈବ, ପୃ ୧୩୩

 

 

ଏଚ୍‌. ଆଇ. ଜ଼ି ୧/୮୩

କପିଳପ୍ରସାଦ, ଭୁବନେଶ୍ୱର

 

***

 

ବଣ୍ଡାମାନଙ୍କର ସାମାଜିକ ଓ ସାଂସ୍କୃତିକ ଜୀବନ ।

ଡକ୍ଟର ହୃଷୀକେଶ ପଣ୍ଡା

 

ମାନବ ସଭ୍ୟତାର ଇତିହାସରେ ଆଦିବାସୀସମାଜ ଓ ସଭ୍ୟତା ଆଦିସମାଜ ବା ଆଦିସଭ୍ୟତା ନାମରେ ପରିଚିତ । ଅପେକ୍ଷାକୃତ ଏହା କମ୍‌ଗତିଶୀଳ ସମାଜ ହୋଇଥି‌ବାରୁ ଏହାକୁ ଆଦିସମାଜ ବା ‘Premitive Society’ ବୋଲି କୁହାଯାଏ । ମାତ୍ର ‘Premitive’ ଶବ୍ଦଟିକୁ କେହି କେହି ଗୌଣ ଅର୍ଥବାଚକ ଭାବରେ ଗ୍ରହଣ କରି, ଆଦିବାସୀ ସମାଜ ଓ ତା’ର ଜୀବନଧାରାକୁ ହେୟ, ହୀନମନ୍ୟ ଓ ଉଦାର ଉତ୍ସୁକତାର ଦୃଷ୍ଟିରେ ବିଚାର କରନ୍ତି । ଆଦିବାସୀମାନଙ୍କ ପ୍ରତି ଏହିଭଳି ଏକ ଭୁଲ ବିଚାରଧାରାର ଦୃଷ୍ଟିବିକାର ଅଣଆଦିବାସୀମାନଙ୍କ ମଧ୍ୟରେ ରହି ଆସିଛି । ତେଣୁ, ଆଦିବାସୀମାନଙ୍କର ଜୀବନଧାରା, ଜୀବନଚର୍ଯ୍ୟା ଓ ଜୀବନଚେତନା ସଂପର୍କରେ ଅଣଆଦିବାସୀ ସମାଜ ଦ୍ୱାରା କୌଣସି ସୃଜନଶୀଳ ସାହିତ୍ୟ ସୃଷ୍ଟି ହେବାବେଳେ ବା ସମୀକ୍ଷାଧର୍ମୀ ଆଲୋଚନା ହେଲାବେଳେ, ସେହି ଦୃଷ୍ଟିବିକାର ହିଁ ଯଥାର୍ଥରେ ଆଦିବାସୀ ସମାଜକୁ ଅଣଆଦିବାସୀ ସମାଜଠାରୁ ଦୁରେଇ ରଖି‌, ଟିକିଏ ହୀନଦୃଷ୍ଠିରେ ହିଁ ଦେଖିଥାଏ । ଫଳତଃ, ସେମାନଙ୍କ ପ୍ରତି ଅନ୍ୟମାନଙ୍କର ଏକ ଅନ୍ଧସର୍ବସ୍ଵ ଅନ୍ଧବିଶ୍ଵାସ ପ୍ରତିଫଳିତ ହୋଇଥାଏ । ଏହି ଦୃଷ୍ଟିଭଂଗୀକୁ ଡକ୍ଟର ଭେରିଅର୍‌ ଏଲ୍‌ଉଇନ୍‌ଙ୍କ ଭାଷାରେ ‘ମ୍ୟୁଜିୟମ ଇଣ୍ଟାରେଷ୍ଟ୍‌’ ବୋଲି କୁହାଯାଇପାରେ ।

 

ବାସ୍ତବରେ, ଆଦିବାସୀ ସମାଜ ଓ ସଭ୍ୟତାକୁ ସମୂହ ମନୁଷ୍ୟ ସଭ୍ୟତାର ଅବିଚ୍ଛିନ୍ନ ଧାରା ଭାବରେ ବିଚାରକରି, ଆପଣାର ଅଂହପ୍ରଣୋଦିତ ଅନ୍ଧବିଶ୍ଵାସର ଦେହଳି ଭାଂଗି, ଆପଣା ସହିତ ଏକାକାର ଓ ଏକାନ୍ତ କରି ପାରିଲେ ହିଁ, ସେମାନଙ୍କ ଜୀବନଧାରା, ଜୀବନଚର୍ଯ୍ୟା ଓ ଜୀବନ ଚେତନାର ସାର ନିର୍ଯ୍ୟାସ ଅନୁଭବ କରି ହେବ । ନିଜକୁ ଆଲୋଚକର ଭୂମିକାରେ ରଖି‌, ସମାଲୋଚନାର ଯଥାର୍ଥ ଧାରାଟିରେ ହିଁ ସେ ସମାଜ ଓ ସଂସ୍କୃତିର ମୌଳିକତା ନିର୍ବାରଣରେ ଯତ୍‌ସାମାନ୍ୟ ମୂଲ୍ୟାୟନ କରିହେବ । ମାତ୍ର, ଏଭଳି ଏକ ମହାର୍ଘ ମହନୀୟ ଚେତନାବୋଧର ସ୍ପର୍ଶକାତରତା, ଏଯାଏ ଆମ ଭିତରେ ସୃଷ୍ଟି ହୋଇ ପାରିନାହିଁ । ଆଦିବାସୀ ସମାଜରେ ‘ସମୂହ’ ହିଁ ତା’ର ସାଂସ୍କୃତିକ ଐତିହ୍ୟ । ସମାଜ ବା ସମୂହକୁ ଛାଡ଼ି ବ୍ୟକ୍ତିର ବ୍ୟକ୍ତିତ୍ୱବୋଧର ସ୍ଥାନ ନାହିଁ । ଚିତ୍ତରଂଜନ ଦାସଙ୍କ ଭାଷାରେ କହିଲେ - ‘ଆଦିବାସୀ ସଂସ୍କୃତି ମଣ୍ଡଳଟି ଭିତରେ ସମାଜ ସହିତ ବ୍ୟକ୍ତିର ନାହିଁ ଏବେ ମଧ୍ୟ କଟା ହୋଇ ନାହିଁ । ତେଣୁ ସାମାଜିକ ଜୀବନରେ ଯେତିକି ଅନ୍ତର ଘଟିଲେ ଅର୍ଥାତ୍‌ Weaning ସମ୍ଭବ ହେଲେ ଯାଇ ମଣିଷ ଭିତରେ ବ୍ୟକ୍ତି ସଂଭବ ହୁଏ, ଆଦିବାସୀ ସମାଜରେ ସେତିକି Weaning ମୋଟେ ହୋଇନାହିଁ । ଯୁଗପତ୍‌ଭାବରେ ଏହାହଁ ଆଦିବାସୀ ସମାଜରେ ଏକ ଗୌରବ ଓ ଅଭାବ ।’ (ଆଦିବାସୀ ସଂସ୍କୃତିର ସ୍ୱରୂପ :୧୯୮୨- ଓଡ଼ିଶା ସାହିତ୍ୟ ଏକାଡେମୀର ରଜତଜୟନ୍ତୀ ଅବସରରେ ପଠିତ ଭିତ୍ତି-ପ୍ରବନ୍ଧ) ଆଦିବାସୀ ସମାଜ ଓ ସଂସ୍କୃତିକୁ ବିଚାର କଲାବେଳେ ଏହି ସାମୂହିକ ଜୀବନବୋଧ ପ୍ରତି ଦୃଷ୍ଟି ଦେବାର ପ୍ରୟୋଜନ ରହିଛି । ୧୯୭୧ ଜନଗଣନା ଅନୁସାରେ ଭାରତବର୍ଷରେ ଶତକଡ଼ା ସାତଭାଗ ହେଉଛନ୍ତି ଆଦିବାସୀ । ଓଡ଼ିଶାରେ ଆଦିବାସୀମାନଙ୍କର ସଂଖ୍ୟା ଶତକଡ଼ା ୨୩ । ଆଦିବାସୀମାନଙ୍କ ମଧ୍ୟରୁ ଶତକଡ଼ା ୯୭ ଭାଗ ପାହାଡ଼, ଗିରିକନ୍ଦର ଓ ଅରଣ୍ୟାଞ୍ଚଳରେ ବସବାସ କରନ୍ତି ଓ ଶତକଡ଼ା ୩ ଭାଗ ସହରତଳି ବସ୍ତି ଅଞ୍ଚଳରେ ବସବାସ କରନ୍ତି । ଆମ ରାଜ୍ୟରେ ୬୨ଟି ବିଭିନ୍ନ ସଂପ୍ରଦାୟର ଆଦିବାସୀ ଅଛନ୍ତି ଏବଂ ସେଥି‌ମଧ୍ୟରୁ କେବଳ କୋରାପୁଟ ଜିଲ୍ଲାରେ ଗଣ୍ଡ, କୋହ୍ଲ, ଭୂମିଆ, କୋୟା, କୁଇ, ଗଦବା, ପରଜା, ସଉରା, ତଡ଼ାଇ, ବଣ୍ଡା, ଲରିଆ ପାରେଙ୍ଗା, ଦୋରା, ମେରିଆ, ପେଣ୍ଟିଆ, ରଣା, ଉତଡ଼ା, ବଗତା, ଜତପୁ, ମାଟିଆ ପ୍ରଭୃତି ୨୭ ପ୍ରକାର ଆଦିବାସୀ ରହିଛନ୍ତି ।

 

ସମୁଦ୍ର ପତନର ପ୍ରାୟ ୩୫୦୦ ଫୁଟ ଉଚ୍ଚରେ, ସମତଳ ସଭ୍ୟତାର ବହୁଦୂରରେ କୋରାପୁଟ ଜିଲ୍ଲାର ମାଲ୍‌କାନ୍‌ଗିରି ବ୍ଲକ୍‌ର ପାହାଡ଼ ପର୍ବତପୂର୍ଣ୍ଣ ଅଞ୍ଚଳରେ, ଦାନ୍ତିପଡ଼ା, ବନ୍ଧଗୁଡ଼ା, ବାଉଁଶ ପଡ଼ା, କ୍ରିସାନ୍‌ପଡ଼ା, ପତେଇଗୁଡ଼ା, ଚାଲାନ୍‌ଗୁଡ଼ା, ଗୋପରଗୁଡ଼ା, ସିରେଲ୍‌ଗୁଡ଼ା, ଡୋଲାଗୁରୂଡ଼ା, ବରଗୁଡ଼ା ଓ ମୁଦୁଲିପଡ଼ା ଗ୍ରାମଗୁଡ଼ିକରେ ସର୍ବପୁରାତନ ଆଦିସମାଜର ‘ବଣ୍ଡା’ ସଂପ୍ରଦାୟ ବସବାସ କରନ୍ତି । କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶ ଓ ଭୌଗୋଳିକ ଅବସ୍ଥିତି ହିଁ ତାର ମୌଳିକତା ଓ ସ୍ଵାତନ୍ତ୍ର୍ୟ ବଜାୟ ରଖୁଛି । ସଭ୍ୟତାର କ୍ରମବିବର୍ତ୍ତିତ ପ୍ରବାହ କୋରାପୁଟ ଉପରେ ବିଶେଷ ପ୍ରଭାବ ପକାଇ ପାରିନାହିଁ । ସେ ଦୃଷ୍ଟିରୁ ଏକ ଦିଗରୁ ଏହା ନୈସର୍ଗିକ ସୌନ୍ଦର୍ଯ୍ୟର ଯାଦୁଘର ମନେହେଲେବି ମେରିଆ, ଗଦବା ଓ ବଣ୍ଡାପରି ଆଦିବାସୀମାନେ ସେହି ପ୍ରସ୍ତରଯୁଗୀୟ ଜୀବନଧାରା ଭିତରେ ଛନ୍ଦି ହୋଇ ରହିଛନ୍ତି ।

 

ପଣ୍ଡିତ ନୀଳକଣ୍ଠ ଦାସ ଏହି ଆଦିବାସୀମାନଙ୍କୁ ଦ୍ରାବିଡ଼ ଜାତୀୟ ବୋଲି ଉଲ୍ଲେଖ କରିଛନ୍ତି । (ଓଡ଼ିଆ ସାହିତ୍ୟର କ୍ରମପରିଣାମ - ପୃ : ୨୯) ମାତ୍ର ବିଶିଷ୍ଠ ଐତିହାସିକ ସ୍ଵର୍ଗତ ନବୀନ କୁମାର ସାହୁ ଏହି ସଂପ୍ରଦାୟର ଆଦିବାସୀମାନଙ୍କୁ ଅଷ୍ଟ୍ରିକ୍‌ କିମ୍ବା ଦ୍ରାବିଡ଼ ବୋଲି ଚିହ୍ନିତ କରିଛନ୍ତି । (ଓଡ଼ିଶା ଡିଷ୍ଟିକ୍‌ଟ ଗେଜେଟିୟର - କୋରାପୁଟ - ୧୯୬୬ ପୃ : ୩୯) । ‘ବଣ୍ଡା’ମାନଙ୍କର ଆଧ୍ୟାତ୍ମିକ ଆଚରଣ ଓ ଉଚ୍ଚାରଣ ମଧ୍ୟରୁ ଅନ୍ୟ ଆଦିବାସୀ ସମାଜଠାରୁ ଏହାର ସ୍ଵାତନ୍ତ୍ର୍ୟ ଓ ପ୍ରାଚୀନତା ଜଣାପଡ଼େ । ‘ବଣ୍ଡା’ମାନେ ନିଜକୁ ସବୁଠାରୁ ଶକ୍ତିଶାଳୀ ଓ ସୃଷ୍ଟିପ୍ରାରମ୍ଭ କାଳର ମଣିଷ ସମାଜ ବୋଲି ମନେ କରନ୍ତି । ନିଜକୁ ‘ରେମୋ’ ଭାବରେ ସେ ପରିଚିତ କରାନ୍ତି । ‘ବଣ୍ଡା’ମାନଙ୍କର କଥିତ ଭାଷାରେ ‘ରେମୋ’ ଶବ୍ଦର ଅର୍ଥ ହେଉଛି ମଣିଷ’ । ସେମାନେ ପୂର୍ବପୁରୁଷମାନଙ୍କର ସ୍ମୃତିଚାରଣ ପାଇଁ ସେମାନଙ୍କ ନାମରେ ଖଣ୍ଡ ଖଣ୍ଡ ପଥର ଠୁଳ କରି ସ୍ତୁପ କରନ୍ତି ଏବଂ ସେହି ପ୍ରସ୍ତରର ସ୍ତୁପକୁ ଦେବତା ମାନି ପୂଜା କରନ୍ତି । ଏହି ପ୍ରସ୍ତରଖଣ୍ଡର ସ୍ତୂପସ୍ଥଳୀକୁ ଶ୍ମଶାନ ବା ସମାଧୀ ଦୃଷ୍ଟିରେ ଗ୍ରହଣ କରନ୍ତି ନାହିଁ । ଦୁଃଖ ବା କାରୁଣ୍ୟର ତୀବ୍ରତର ଅନୁଭବରେ ସେମାନେ ବିଷାଦଗ୍ରସ୍ତ ବା ମ୍ରିୟମାଣ ହୁଅନ୍ତି ନାହିଁ । ତେଣୁ ଆନନ୍ଦ ଓ ପ୍ରଫୁଲ୍ଲତାର ଦୀପ୍ତି ‘ବଣ୍ଡା’ମାନଙ୍କର ମୁଖମଣ୍ଡଳକୁ ସଦା ପ୍ରସନ୍ନ କରି ରଖି‌ଥାଏ । ମୃତବ୍ୟକ୍ତିମାନଙ୍କର ସ୍ମୃତିପୂଜା ଓ ଦେବଦେବୀଙ୍କ ପାଇଁ ନିଜର ଭାକ୍ତିକ ଶ୍ରଦ୍ଧା ଏ ଦୁଇଟି ଆଧ୍ୟାତ୍ମିକ ଚିନ୍ତାଧାରାଦ୍ୱାରା ବଣ୍ଡାମାନଙ୍କର ଜୀବନଧାରା ନିୟନ୍ତ୍ରିତ । (Furor Haimendort, christoph von. - Megalithic ritual among the gadabas and Bondas of Orissa - JPRASB Vo.1.Iv - 1943 ୮୮ 149-178)

 

ବଣ୍ଡାମାନେ ଅଷ୍ଟ୍ରୋ-ଏସିଆଟିକ୍‌ ଶ୍ରେଣୀର । ମାଛକୁଣ୍ଡନଦୀର ଉତ୍ତର-ପଶ୍ଚିମ ଉଚ୍ଚ ପାର୍ବତ୍ୟ ଘନାରଣ୍ୟ ଅଞ୍ଚଳରେ, ନିଭୃତ ଓ ନିରାପଦ ଭାବରେ ସେମାନଙ୍କର ବସତିସ୍ଥାପନ କରି ଆସିଛନ୍ତି । ଯେପରିକି ସମତଳ ସଭ୍ୟତା ସେମାନଙ୍କୁ ସ୍ପର୍ଶ କରିପାରିବନି । ୧୯୪୧ର ଜନଗଣନା ଅନୁସାରେ ଏମାନଙ୍କ ସଂଖ୍ୟା ଥିଲା ମାତ୍ର ୨୫୬୫ । ହେଣ୍ଡରସନ୍‌ ବଣ୍ଡାମାନଙ୍କୁ ଗଦବା ସଂପ୍ରଦାୟରୁ ଉଦ୍‌ଭୂତ ବୋଲି କହିଛନ୍ତି । ରାମଦାସ ତାଙ୍କ ‘The paraja of Orissa’ ପ୍ରବନ୍ଧରେ ବଣ୍ଡାମାନଙ୍କୁ ପରଜାର ପଞ୍ଚିମ ବିଭକ୍ତ ଶାଖା ଭାବରେ ବର୍ଣ୍ଣନା କରିଛନ୍ତି । ‘ବଣ୍ଡା’ ସଂପ୍ରଦାୟର ଉଦ୍‌ଭବ ସଂପର୍କରେ ଏପରି ବିତର୍କ ଉଠିବାର କାରଣ ହେଉଛି, ବଣ୍ଡା, ଗଦବା ଓ /ପରଜା ସଂପ୍ରଦାୟର ସାଂସ୍କୃତିକ ଜୀବନଧାରାର ଅଧିକ ନିକଟବର୍ତ୍ତୀ ।

 

ବଣ୍ଡାମାନଙ୍କର ଆଧ୍ୟାତ୍ମିକ ଚିନ୍ତାଚେତନା ଓ ଆରାଧନାର ଶ୍ରେଷ୍ଠ ପ୍ରତୀକ ହେଉଛି ପାଟଖଣ୍ଡା ବା ପାଟଖଣ୍ଡା ମହାପ୍ରଭୁ । ଯାହାକୁ ଡକ୍ଟର ଏଲ୍‌ଉଇନ୍‌ ‘Gods of Gods’ ଏବଂ ‘Lord of Lords’ ବୋଲି ଉଲ୍ଲେଖ କରିଛନ୍ତି । ପାଟଖଣ୍ଡା ପୂଜା ଉତ୍ସବଟି ବଣ୍ଡାମାନଙ୍କର ଏକ ପ୍ରଧାନ ପର୍ବ । ବଣ୍ଡାମାନଙ୍କର ପ୍ରଚଳିତ କିଂବଦନ୍ତୀ କହେ, ଈଶ୍ଵର ମଣିଷକୁ ସୃଷ୍ଟିକଲାପରେ ଦିନକୁ ଦିନ ମଣିଷମାନଙ୍କର ନିର୍ଯ୍ୟାତନାରେ ପୃଥିବୀ ଅଶାନ୍ତ ଓ ଉତ୍ତେଜନାମୟ ହୋଇଉଠିଲା । ନିଜେ ଈଶ୍ଵର କେଉଁଠି ହେଲେ ନିଜପାଇଁ ଶାନ୍ତିପ୍ରଦ ସ୍ଥାନ ପାଇଲେ ନାହିଁ । ଚାରିଆଡ଼େ ବୁଲି ବୁଲି କୋରାପୁଟ ଜିଲ୍ଲାର ମୁଦୁଲିପଡ଼ାଠାରେ ପହଞ୍ଚିଲେ । ମୁଦୁଲିପଡ଼ାର ପ୍ରାକୃତିକ ପରିବେଶ ଓ ଲୋକଙ୍କର ଆତିଥ୍ୟରେ ମୁଗ୍ଧହୋଇ ସେହିଠାରେ ରହିବାକୁ ସିଦ୍ଧାନ୍ତ କଲେ। କିନ୍ତୁ ସେ ବୁଢ଼ାହୋଇ ଯାଇଥିଲେ ଓ ଭାରି କ୍ଳାନ୍ତବୋଧ କରୁଥି‌ଲେ । ତେଣୁ ସେ ଲୋକଙ୍କୁ ଦେଖାଦେଇ ଉଭେଇଗଲେ । ପରଦିନ ରାତିରେ ବଣ୍ଡାମାନଙ୍କର ପୁରୋହିତ ବା ‘ଶିସା’ ସ୍ଵପ୍ନରେ ଈଶ୍ୱରଙ୍କୁ ଖଣ୍ଡା ରୂପରେ ଦର୍ଶନ କଲେ । ଈଶ୍ଵର ତାଙ୍କୁ ସେହି ରୂପରେ ପୂଜା କରିବାକୁ ନିର୍ଦ୍ଦେଶ ଦେଲେ । ତାଙ୍କ ନିର୍ଦ୍ଦେଶ ଅନୁସାରେ ପୂଜା କଲେ ସବୁ ପ୍ରକାର ବିପଦରୁ ରକ୍ଷାପାଇ ସେମାନେ ସୁଖ ଶାନ୍ତିରେ ଓ ଅଧିକ ଶକ୍ତିଶାଳୀ ଭାବରେ ବସବାସ କରିପାରିବେ ବୋଲି କହିଲେ । ସେହି ଦିନଠାରୁ ପାଟଖଣ୍ଡା ରୂପରେ ସେମାନେ ଈଶ୍ଵରଙ୍କୁ ପୂଜା କଲେ । ଭକ୍ତି ଓ ଶକ୍ତିରେ ସେମାନେ ଅନ୍ୟମାନଙ୍କଠାରୁ ଅଧିକ ବୋଲି ସେମାନଙ୍କର ବିଶ୍ୱାସ । ଆଧୁନିକ କାଳର ଆଉ ଏକ ପ୍ରଚଳିତ କିଂବଦନ୍ତୀରେ ‘ପାଟଖଣ୍ଡା’ କୋରାପୁଟର ଐତିହାସିକ ସ୍ଥାନ ନନ୍ଦପୁରରୂ ଆନୀତ ବୋଲି କୁହାଯାଏ । ପାଟଖଣ୍ଡା ସଂପର୍କିତ ବଣ୍ଡାମାନଙ୍କର ଏ ଧର୍ମଗତ ବିଶ୍ଵାସ ଓ ପାଟଖଣ୍ଡା ପୂଜାଉତ୍ସବର ମୌଳିକ ଧାରଣା ବହୁ ପ୍ରାଚୀନ । ଏପରିକି ମାନବ ସଭ୍ୟତାର ବିକାଶକ୍ରମରେ ଦେବ ଦେବୀ ସଂପର୍କିତ ଧ୍ୟାନ ଧାରଣା ଓ ସାମାଜିକ ଉପଚାର, ପୂଜାପଦ୍ଧତି ଆରମ୍ଭ ହେବାର ବହୁ ପୂର୍ବରୁ ଏହା ବଣ୍ଡାମାନଙ୍କ ମଧ୍ୟରେ ପ୍ରଚଳିତ ହୋଇ ଆସିଥି‌ବା ଡକ୍ଟର ଏଲ୍‌ଉଇନ୍‌ ମତ ଦେଇଛନ୍ତି ।

 

ପ୍ରତିବର୍ଷ ଫେବୃୟାରୀ ମାସରେ ବଣ୍ଡାମାନଙ୍କର ପାଟଖଣ୍ଡା ପୂଜାଉତ୍ସବ ଅନୁଷ୍ଠିତ ହୁଏ । ପାଟଖଣ୍ଡା ପୁରାତନ ବଟବୃକ୍ଷର ଉଚ୍ଚକୋଟରରେ ଆବୃତ୍ତ ହୋଇ ରହିଥାଏ । ପୂଜା ସମୟରେ ଏହି ଖଣ୍ଡାକୁ କୋଟରରୁ ତଳକୁ ଅଣାଯାଇ ପର୍ବ ଆରମ୍ଭ ହୁଏ । ନୂଆ ଅମଳ ହୋଇଥିବା ଶସ୍ୟକୁ ପବିତ୍ର କରିବା ପାଇଁ ବଣ୍ଡାମାନଙ୍କର ପ୍ରଧାନ ପୁରୋହିତ ‘ଶିସା’ ମହଣେ ଚାଉଳ ନେଇ ତା’ଉପରେ କୁକୁଡ଼ାଟିଏ ବଳିଦେଇଥାଏ । ଏହା ମାଟି- ଦେବତା ଉଦ୍ଦେଶ୍ୟରେ କୃତଜ୍ଞତାର ସୂଚନା । ଏଥି‌ରେ ଅଣ-ଆଦିବାସୀ ‘ଭଣ୍ଡାରୀ’ ମଧ୍ୟ ‘ଶିସା’କୁ ସାହାଯ୍ୟ କରିଥାଏ । ରକ୍ତ ମିଶ୍ରିତ ଶସ୍ୟକୁ ‘ମୁଠା’ ‘ମୁଠା’ ବଣ୍ଡାମାନେ ଘରକୁ ନେଇଯା’ନ୍ତି । ଭଲଫସଲ ଅମଳ ପାଇଁ ଓ କ୍ଷେତକୁ ଉର୍ବର କରିବା ପାଇଁ କୃଷି ଆରମ୍ଭରୁ ସେହି ଚାଉଳକୁ ସେମାନେ କିଛି ପରିମାଣରେ ଜମିରେ ବୁଣି ଦିଅନ୍ତି । ‘ଶିସା’ ବଣ୍ଡା ପାହାଡ଼ର ଉପରେ ଥିବା ଏକ ତୋଟାକୁ ଯା’ନ୍ତି । ସେଠାରେ ପୁରାତନ ବଟବୃକ୍ଷଟିଏ ଥାଏ । ତା’ ତଳେ ବଳିପାଇଁ ଖଣ୍ଡିଏ ପଥର ପଡ଼ିଥାଏ । ‘ଭଣ୍ଡାରୀ’ ଗଛର ଗଣ୍ଡିକୁ ଧୋଇଦିଏ । ‘ଶିସା’ ବୃକ୍ଷ ଉପରକୁ ଆରୋହଣ କରି ପାଟଖଣ୍ଡା ମହାପ୍ରଭୂଙ୍କ ତଳକୁ ଆଣେ । ଏହା ଏକ ଲୁହାଖଣ୍ଡା । ଏହାକୁ ପାଣିରେ ଧୋଇ ପରିଷ୍କାର କଲାପରେ ଖଣ୍ଡା ମହାପ୍ରଭୁଙ୍କୁ ପୂଜା କରାଯାଏ । ‘ଶିସା’ ପ୍ରାର୍ଥନା ମନ୍ତ୍ର ଉଚ୍ଚାରଣ କରି କଳାରଂଗର ଗୋଟିଏ ଛେଳି ଓ କୁକୁଡ଼ା ବଳି କରି ଖଣ୍ଡାକୁ ରକ୍ତରେ ଧୋଇ ପବିତ୍ର କରିଥାଏ ।

 

ମାଲ୍‌କାନ୍‌ଗିରିର ନିବିଡ଼ ଅରଣ୍ୟରେ ଧୀରେଧୀରେ ସଂଧ୍ୟା ନଇଁ ଆସିଲେ, ଢୋଲର ଶବ୍ଦରେ ବନଭୂଇଁ ମୁଖରିତ ହୋଇଉଠେ । ଦଳଦଳ ହୋଇ ବଣ୍ଡା ଯୁବକମାନେ ବିଭିନ୍ନ ମୁଖା ପିନ୍ଧି ବେଶ ପୋଷାକ ହୋଇ ନୃତ୍ୟ ଆରମ୍ଭ କରନ୍ତି । ବଣ୍ଡା ଯୁବତୀମାନେ ଏହି ନୃତ୍ୟରେ ଅଂଶଗ୍ରହଣ ନକଲେ ମଧ୍ୟ ଯୁବକମାନଙ୍କୁ ନାଚିବାରେ ପ୍ରେରଣା ଯୋଗାଇଥାନ୍ତି । ଏହି ଦିନଠାରୁ ବଣ୍ଡାମାନଙ୍କର ନୂଆବର୍ଷ ଆରମ୍ଭ ହୁଏ । ନୂଆବର୍ଷ ଆରମ୍ଭରେ ପୁରୁଣା ଘର ମରାମତି ଓ ନୂଆଘର ତିଆରିରେ ସେମାନେ ଲାଗିପଡ଼ନ୍ତି । ଝିଅ ବୋହୂଙ୍କ ପାଇଁ ବୃଦ୍ଧାମାନେ ଧାର୍ମିକ ବିଶ୍ଵାସକୁ ନେଇ ରଂଗବେରଂଗୀ ସୂତାରେ ଅଣଓସାରିଆ ଲୁଗା ବୁଣିବା ଆରମ୍ଭ କରନ୍ତି । ପାଟଖଣ୍ଡା ପୂଜା ବଣ୍ଡାମାନଙ୍କର କୃଷିଭିତ୍ତିକ ପର୍ବ ହେଲେ ମଧ୍ୟ ଆଧ୍ୟାତ୍ମିକ ଆଚରଣ ଓ ଉଚ୍ଚାରଣ ଏଥି‌ରେ ଗୁରୁତ୍ୱ ଲାଭ କରିଥାଏ ।

 

ବଣ୍ଡାମାନେ ଦେଖି‌ବାକୁ ବାଙ୍ଗର ଓ ହୃଷ୍ଟପୁଷ୍ଟ । ସେମାନେ ଖୁବ୍‌ ସ୍ଵାଭିମାନୀ ଓ ଅହଂକାରୀ ହୋଇଥିବାରୁ ଅନ୍ୟର ପ୍ରଭୁତ୍ୱକୁ ମୋଟେ ମାନନ୍ତି ନାହଁ । ଫଳତଃ ବଣ୍ଡା ଗ୍ରାମମୁଡ଼ିକରେ ଅଧିକାଂଶ ସମୟରେ ଅଶାନ୍ତି ଓ ବିତର୍କ ଲାଗିରହିଥାଏ । ସେମାନେ ଘର ଚାରିପାଖରେ ମଜ୍‌ଭୂତ କାଠଖମ୍ବ ଓ ମାଟି କାନ୍ଥ ଦେଇଥାନ୍ତି । ବଣ୍ଡା ରମଣୀମାନେ ସମସ୍ତେ ଲଣ୍ଡିତ ମସ୍ତକ । କଟି ଦେଶ ସ୍ଵଳ୍ପ ପରଦାରେ ଆବୃତ୍ତ । ମୁକ୍ତବକ୍ଷ, କେବଳ ସ୍ତନାଗ୍ରରେ କାଇଁଚ ମାଳି ପକାଇଥାନ୍ତି । ନାକରେ କୌଣସି ଅଳଙ୍କାର ପିନ୍ଧନ୍ତି ନାହଁ । କାନ ଓ ବେକରେ କେବଳ ଲୁହାର ବଳା ପଡ଼ିଥାଏ । ବଣ୍ଡା ପୁରୁଷମାନେ କିଛି କାମ କରନ୍ତି ନାହିଁ । ଘରେ ଶୋଇ ଶୋଇ ଦିନ କଟାଇ ଦିଅନ୍ତି । ବଣ୍ଡା ରମଣୀମାନେ ଶ୍ରମ କରି ଅର୍ଥ ରୋଜଗାର କରନ୍ତି ଓ ଘର ଚଳାନ୍ତି । ବଣ୍ଡାମାନଙ୍କର ଲିଖି‌ତ ଭାଷା ନାହିଁ । ବଣ୍ଡା ଏବଂ ଗଦବାମାନଙ୍କ ମଧ୍ୟରେ ଅନ୍ତଃସମ୍ପ୍ରଦାୟ ବିବାହ ସାମାଜିକ ସ୍ଵୀକୃତି ଲାଭ କରି ନଥି‌ଲେ ମଧ୍ୟ ଏହି ବିବାହପ୍ରଥା ବାସ୍ତବରେ କାର୍ଯ୍ୟକାରୀ ହେଉଛି । ବଣ୍ଡାମାନଙ୍କର ବିବାହପ୍ରଥାରେ ଯୁବକ ଅପେକ୍ଷା ଯୁବତୀର ବୟସ ଅଧିକ ହୋଇଥାଏ । ବଣ୍ଡାମାନେ କମ୍‌ ବୟସରେ ବିବାହ କରନ୍ତି । ବଣ୍ଡାମାନଙ୍କର ବିବାହ-ବିଚ୍ଛେଦରେ ସେହିଭଳି କେତେକ ସ୍ଵାତନ୍ତ୍ର୍ୟ ଦେଖାଯାଏ । ବିବାହ ବିଚ୍ଛେଦ ପାଇଁ କୌଣସି ସାମାଜିକ ଅନୁଷ୍ଠାନ ହୁଏ ନାହିଁ । ଯଦି ଜଣେ ବଣ୍ଡା ରମଣୀ ତା ସ୍ଵାମୀ ଘର ଛାଡ଼ି ଚାଲିଯାଏ, ତା ସ୍ଵାମୀ ତାକୁ ପରିତ୍ୟାଗ କରେ ବା ଅନ୍ୟ ପୁରୁଷ ସହିତ ସେ ସମ୍ପର୍କ ରକ୍ଷା କରିବାକୁ ଇଚ୍ଛାକରେ ସେତେବେଳେ ବିବାହ - ବିଚ୍ଛେଦ ସାଧାରଣ ଭାବରେ ହୋଇଥାଏ । ବଣ୍ଡା ଝିଅର ବାପା ମା ଝିଅର ସ୍ଵାମୀ ଘରକୁ ଆସି ଯୁକ୍ତି ତର୍କ କରନ୍ତି । ବଣ୍ଡା ଯୁବକ ଯଦି ତା’ର ପନ୍ନୀକୁ ଛାଡ଼ିବାକୁ ଦୃଢ଼ ନିଷ୍ପତ୍ତି ନିଏ ତେବେ ଗୋଟିଏ ଟଙ୍କା ତାଙ୍କ ହାତରେ ଦେଇ ଫେରାଇ ଦିଏ । ତା’ପରେ ସେମାନଙ୍କର ବିଚ୍ଛେଦ ହୋଇଯାଏ । ମାତ୍ର ବର୍ତ୍ତମାନ ସେମାନେ ଏକ ଘୁଷୁରି ମାରନ୍ତି, ଏହା ଯେ କୌଣସି ଘୁଷୁରି ହୋଇପାରେ । ଘୁଷୁରିଟି ଯଦି ସ୍ୱାମୀର ନ ହୋଇ ଅନ୍ୟ କାହାର ହୋଇଥିବ ତେବେ ସେଥି‌ପାଇଁ ତାଙ୍କୁ ଘୁଷୁରିର ମୂଲ୍ୟ ଅର୍ଥ ଦେବାକୁ ପଡ଼ିବ । ତା’ପରେ ତା ସ୍ତ୍ରୀ ତା’ଠାରୁ ମୁକ୍ତ ହୋଇଯିବ । (ଭେରିଅର ଏଲଉଇନ୍‌) ବଣ୍ଡା ସମାଜରେ ବିଧବା ବିବାହର ପ୍ରଚଳନ ନାହିଁ । ବଣ୍ଡା ରମଣୀମାନଙ୍କ ଭିତରେ ଏତେ ମୁକ୍ତ ସ୍ଵାଧୀନତା ରହିଛି ଯେ ବିବାହ ଆଗରୁ ଏବଂ ପରେ ମଧ୍ୟ ସେମାନେ ଅନ୍ୟ ପୁରୁଷ ସହିତ ନାଚି ଗାଇ ପାରନ୍ତି ଏପରିକି ଯୌନ ସମ୍ପର୍କ ମଧ୍ୟରଖି ପାରନ୍ତି । ବିବାହ ପୂର୍ବରୁ ଅନ୍ୟ ଯୁବକ ସହିତ ପ୍ରେମ ଓ ନିବିଡ଼ ସମ୍ପର୍କ ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ମୁକ୍ତ । ବିବାହ ପୂର୍ବର ପ୍ରେମ ସମ୍ପର୍କ ବିବାହ ପରବର୍ତ୍ତୀ ଜୀବନରେ କିଛି ପ୍ରଭାବ ପକାଏ ନାହିଁ । ଏପରିକି ବିବାହ ପରେ ମଧ୍ୟ କେତେକ ବିଶେଷ ଅବସ୍ଥାରେ ନାରୀମାନଙ୍କର ଅନ୍ୟମାନଙ୍କ ସହିତ ସମ୍ପର୍କକୁ ସ୍ଵାଧୀନ ଭାବରେ ଗ୍ରହଣ କରାଯାଏ ।

 

ବଣ୍ଡାମାନେ ଅଧିକାଂଶ ସମୟ ହସଖୁସି ଓ ଆନନ୍ଦ ଉତ୍ସବ ଭିତରେ କଟାଇଥାନ୍ତି । ଗୀତ, ନାଚ, ଆନନ୍ଦ ଭିତରେ ସମୟ ବିତାନ୍ତି । ବଣ୍ଡାମାନଙ୍କର ଗୀତ, ନୃତ୍ୟ ଓ ବାଦ୍ୟ ଅନ୍ୟ ଆଦିବାସୀ ସମ୍ପ୍ରଦାୟଠାରୁ ଭିନ୍ନ ।

 

ବଣ୍ଡାମାନଙ୍କର ‘ସୁମେଗେଲିରାକ୍‌’ ଉତ୍ସବ ଏକ ଆମୋଦଦାୟକ ଉତ୍ସବ । ବଣ୍ଡା ଯୁବକ ଯୁବତୀମାନେ ଏହି ଦିନର ପ୍ରତୀକ୍ଷାରେ ସାରାବର୍ଷ କଟାଇଥାନ୍ତି । ବୟସ୍କା ନାରୀ ମଧ୍ୟ ଏ ଉତ୍ସବରେ ଯୋଗଦେଇ ରତି ନିପୁଣା ଓ ରମଣୀୟା ଦେଖାଯାନ୍ତି ବୋଲି ବଣ୍ଡା ସଂପ୍ରଦାୟରେ ପ୍ରଚଳିତ ବିଶ୍ଵାସ-। ବର୍ଷତମାମ କଠିନ ପରିଶ୍ରମର କ୍ଳାନ୍ତିରୁ ମୁକ୍ତହେବା ପାଇଁ ଗ୍ରାମର ଯୁବକଯୁବତୀମାନେ ଅବାଧରେ ମିଳାମିଶା ପାଇଁ ଏହା ସପ୍ତାହବ୍ୟାପୀ ଏକ ଅପୂର୍ବ ସୁଯୋଗ । ସମସ୍ତ ସାମାଜିକ ବିଧିବିଧାନରୁ ଏହା ମୁକ୍ତ । ସମବଂଶୀ ସଗୋତ୍ରୀ କିମ୍ବା ସମ୍ପର୍କୀୟ ବନ୍ଧୁବାନ୍ଧବ ମଧ୍ୟ ଏକତ୍ର ମିଳିମିଶି ଆମୋଦ ପ୍ରମୋଦରେ ଯୋଗ ଦିଅନ୍ତି । ଏ ସମୟରେ ଯୁବକଯୁବତୀମାନେ ପରସ୍ପର ଭିତରେ ଅଶ୍ଲୀଳ ଇଙ୍ଗିତ ଦେବା, ଟଣା ଓଟରା, ଭିଡ଼ାଭଡ଼ି, ଧସ୍ତାଧସ୍ତି ହେବା ଏକ ଆମୋଦଦାୟକ ଅନୁଭୂତି-। ‘ବଣ୍ଡା’ ଯୁବକ ଯୁବତୀ ଯୋଡ଼ିଯୋଡ଼ି ହୋଇ ଗହନ ଜଙ୍ଗଲ ଭିତରେ କିଛି ମୁହୂର୍ତ୍ତ ହଜିଯିବା - ଏକ ଗରମ ଅନୁଭୂତିର ମଧୁରତମ ଅଧ୍ୟାୟ । ଏକ ନିର୍ଦ୍ଦିଷ୍ଟ ନୃତ୍ୟ ସମୟରେ ଯୁବତୀଟିଏ ପୁଅର ପିନ୍ଧାଲୁଗା ଚୋରାଇ ନେଇ ନିଜେ ଦେହରେ ଘୋଡ଼ାଇ ହୁଏ । ଏହି ସୂଚନା ହିଁ ବଣ୍ଡା ଯୁବକ ପାଇଁ ଏକ ଅବ୍ୟକ୍ତ ଅଧିକାରର ସ୍ଵୀକୃତି । ଗହନ ଜଙ୍ଗଲରେ ଯୁବତୀ ସହିତ ହଜିବାର ଏ ହେଉଛି ନୀରବ ଆମନ୍ତ୍ରଣ । ଯେଉଁଥି‌ପାଇଁ ବଣ୍ଡାଯୁବକ ଯୁବତୀଟିକୁ ଘନବନର ନିବିଡ଼ ଅଂଧକାର ଭିତରକୁ ଯେ କୌଣସି ମୁହୂର୍ତ୍ତରେ ବିନା ଦ୍ୱିଧାରେ ନେଇଯାଇପାରେ ।

 

‘ସୁମେଗେଲିରାକ୍‌’ ଉତ୍ସବ ରବିବାର ଦିନ ଆରମ୍ଭ ହୋଇ ଦଶଦିନ କାଳ ଚାଲେ । ଉତ୍ସବ ଆରମ୍ଭରୁ ‘ବଣ୍ଡା’ମାନେ ସମସ୍ତ ଦେବଦେବୀଙ୍କୁ ପୂଜା ଦେଇ ପ୍ରସନ୍ନ କରାଇଥାନ୍ତି । ଏହା ସହିତ ପ୍ରଚୁର ଭୋଜିଭାତର ଆୟୋଜନ ହୋଇଥାଏ । ସଦ୍ୟ ପ୍ରସ୍ତୁତ ମଦ୍ୟପାନ ପରେ ନାଟକୀୟ ଭାବରେ ଶାସ୍ତି ବିଧାନ ଉତ୍ସବ ଆରମ୍ଭ ହୁଏ । ଯୁବକଯୁବତୀମାନେ ନୃତ୍ୟ କରିବାକୁ ଆରମ୍ଭ କରନ୍ତି-। ପାଖ ଗ୍ରାମଗୁଡ଼ିକରେ ବରସଙ୍ଗଙ୍କୁ ପୂଜା କରାଯାଏ । ଶେଷରେ ‘ବଣ୍ଡା’ ପୁରୋହିତ ‘ଶିସା’ ସୂଚନାତ୍ମକ ଭାବରେ ଜଂଗଲ ଭିତରକୁ ଯାନ୍ତି ଓ କେରଙ୍ଗା ଗଛର ଶାଖାଟିଏ କାଟି ଆଣନ୍ତି । ଯୁବକଯୁବତୀଙ୍କ ନୃତ୍ୟ ଚତୁର୍ଥଦିନରୁ ଶେଷ ପର୍ଯ୍ୟନ୍ତ ଅବ୍ୟାହତ ରହେ । ଅବଶ୍ୟ ଉତ୍ସବର ସର୍ବାପେକ୍ଷା ଗୁରୂତ୍ୱପୂର୍ଣ୍ଣ ଘଟଣା ନାଟକୀୟ ଭାବେ ଘଟେ ‘ଶାସ୍ତି ବିଧାନ’ ସମୟରେ । ଏହିଠାରେ ବଣ୍ଡାମାନଂକ ବିବାହପ୍ରଥାର କିଛିଟା ପରିବର୍ତ୍ତନ ଦେଖାଯାଏ । ବଣ୍ଡାମାନଙ୍କର ‘ଉଦୁଲିଆ’ ବିବାହ ପ୍ରଥାରେ କନ୍ୟାହରଣ ଓ ତା’ ସହ ବଳାତ୍କାର ଯୌନସଂପର୍କ ସ୍ଥାପନର ଚାଞ୍ଚଲ୍ୟ ଘଟିଥାଏ ଏବଂ ତାହାର ସାମାଜିକ ଅନୁମୋଦନ ଥାଏ । ମାତ୍ର ଶାସ୍ତିବିଧାନ ଉତ୍ସବରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ଥିଲେ ହେଁ କଳିଗୋଳ ମାରଧର ଓ ପରସ୍ପର ଆକ୍ରମଣ ମାଧ୍ୟମରେ ହେବାର ବ୍ୟବସ୍ଥା ହୁଏ । ଶିଶୁମାନଙ୍କଠାରୁ ହିଁ ଶାସ୍ତିବିଧାନ ଆରମ୍ଭ ହୁଏ । କୌଣସି ଯୁବକ ‘ଶିସା’ ଘରୁ ‘କିଣ୍ଡିଙ୍ଗ୍‌ସଗର’ ବା ପବିତ୍ର ଢୋଲ ସନ୍ଦିବେରରେ ପିଟିବାକୁ ଲାଗେ । ଅନ୍ୟ ଢୋଲିଆମାନେ ତା’ ସହ ଯୋଗ ଦିଅନ୍ତି । ପରେ ପରେ ଗାଁର ସମସ୍ତେ ସେଠାରେ ରୁଣ୍ଡ ହୁଅନ୍ତି । ଛୋଟ ଶିଶୁମାନେ ପତ୍ରହୀନ ସଲପ ବାହୁଁଗା ନେଇ ଯୋଡ଼ି ଯୋଡ଼ି ହୋଇ ସନ୍ଦିବର ସମ୍ମୁଖରେ ଛିଡ଼ା ହୁଅନ୍ତି । ନିଜର ସମସ୍ତ ଶକ୍ତି ଦେଇ ପରସ୍ପରକୁ ପିଟିବାକୁ ଲାଗନ୍ତି । ଏଥି‌ରେ କୁଣ୍ଠା ବା ଛଳନା ନଥାଏ । ଅଳ୍ପ ସମୟ ପରେ ପିଠି ଫାଟି ଧାର ଧାର ରକ୍ତ ବୋହିବାକୁ ଲାଗେ । ତାରି ଉପରେ ପୁଣି ମାଡ଼ । ଏଣେ ଦେଖଣାହାରିଙ୍କର ଘନ ଘନ କରତାଳି ଆଉ କାନ ଅତଡ଼ା ଢୋଲ ବାଦ୍ୟ । ହୁଏତ ଏ ନିର୍ମମତାର ମାଦକତା ଆମକୁ ଦ୍ୱିଧାଗ୍ରସ୍ତ କରିପାରେ । ମାତ୍ର, କ୍ଳାନ୍ତ-ଶ୍ରାନ୍ତ ହେବା ପର୍ଯ୍ୟନ୍ତ ସେହିପରି ଚାଲିଥାଏ । କ୍ଳାନ୍ତ ହେବାପରେ ଦୁହେଁ ଦୁହିଁଙ୍କୁ ଆଲିଂଗନ କରି ପୂର୍ବସ୍ଥାନରେ ଛିଡ଼ା ହୁଅନ୍ତି । ତା ପରେ ଆଉ ଏକ ଯୋଡ଼ି ଆସନ୍ତି .... ଏମିତି ଯୋଡ଼ିକ ପରେ ଯୋଡ଼ିଏ .... ମାଆମାନେ ଛିଡ଼ା ହୋଇ ସେ ଦୃଶ୍ୟ ଦେଖୁଥାନ୍ତି । କ୍ରୀଡ଼ାପରେ ଓଷଧ ଗୁଣଯୁକ୍ତ କୌଣସି ଜଂଗଲି ଗଛର ରସ ସହିତ ତେଲ ହଳଦୀ ପିଲାର କ୍ଷତ ସ୍ଥାନରେ ଲଗାଇ ଦିଅନ୍ତି । ତାହା ଶୁଭ ଶୀଘ୍ର ଫଳପ୍ରଦ ହୁଏ । କ୍ଷତ ସ୍ଥାନ ଶୁଖି‌ଯାଏ । ଏହି ଉଦ୍ଦୀପନାମୟ କ୍ରୀଡ଼ା ଶେଷରେ ‘ଶିସା’ ସେମାନଙ୍କୁ କିରିମ୍‌ଟର (ପିଠା) ଖାଇବାକୁ ଦିଅନ୍ତି ଓ କଳିଗୋଳ ନକରି ମିଳିମିଶି ଚଳିବାକୁ ଉପଦେଶ ଦିଅନ୍ତି । ପରଦିନ ସଂଧ୍ୟାରେ ବଣ୍ଡା ଯୁବକମାନଙ୍କ ଶାସ୍ତିବିଧାନର ପାଳି । ତା’ପରେ ବୃଦ୍ଧମାନଙ୍କର । ବଣ୍ଡାମାନଙ୍କର ଏ ଉଦ୍ଦୀପନା ପୂର୍ଣ୍ଣ ଶାସ୍ତିବିଧାନ ଉତ୍ସବ ଯେତିକି କୌତୁକମୟ ସେତିକି ଉତ୍ତେଜନାପୂର୍ଣ୍ଣ । ଯେତିକି ନୃଶଂସତାପୂର୍ଣ୍ଣ ସେତିକି ସୌହାର୍ଦ୍ଦ୍ୟମୟ । ଏହି ଉତ୍ସବ ଶେଷରେ ‘ଶିସା’ ତାର ସହକାରୀ ପରସ୍ପରକୁ ଦୁଇହାତ ଯୋଡ଼ି ଓ ମୁଣ୍ଡ ନୁଆଁଇ ସମ୍ମାନ ଦେଖାନ୍ତି ଓ ଘୂରି ଘୂରି ନାଚନ୍ତି । ପରେ ପରେ ସମସ୍ତଶକ୍ତି ଖଟାଇ ପତ୍ରହୀନ ସଲପଧାରରେ ପ୍ରହାର କରନ୍ତି । ଧାର ଧାର ହୋଇ ରକ୍ତ ଛୁଟେ । ଶ୍ରାନ୍ତକ୍ଲାନ୍ତ ହେବାପରେ ପରସ୍ପର ପାଦ ଛୁଇଁ ଆସି କୋଳା କୋଳି ହୁଅନ୍ତି । ପିଠିରେ ରକ୍ତର ଧାର ଛୁଟୁଛି ଅଥଚ ପ୍ରସନ୍ନ ମୁଁହରେ ହସର ଧାର ଫିଟି ପଡ଼ୁଛି । କି ବିଚିତ୍ର ଜୀବନ ସତରେ !

 

ସମୁଦ୍ରପତନର ୩ହଜାର ୫୦୦ ଫୁଟ ଉଚ୍ଚରେ କୋରାପୁଟ ଜିଲ୍ଲାର ମାଲକାନାଗିରି ନିବିଡ଼ ଅରଣ୍ୟ ଭିତରେ ଏହି ବଣ୍ଡା ସଂପ୍ରଦାୟର ଲୋକମାନେ ଏବେବି ଆଧୁନିକ ସଭ୍ୟତାଠାରୂ ବହୁଦୂରରେ । ନିଜସ୍ଵ ଜୀବନଧାରା, ଜୀବନଚର୍ଯ୍ୟା ଓ ଜୀବନଚେତନା ଭିତରେ ନିଜସ୍ଵ ପୃଥିବୀଟିଏ ଗଢ଼ିଛନ୍ତି ବଣ୍ଡାମାନେ । ତାଙ୍କର ଏହି ଜୀବନଧାରା ଭିତରେ କିଛିଟା ବର୍ବରତା ଓ ହିଂସ୍ରତା ହୁଏତ ଲୁଚି ରହିଥାଇପାରେ, କିନ୍ତୁ ଏସବୁ ସତ୍ତ୍ଵେ ସେମାନଙ୍କ ସାମାଜିକ ଜୀବନ, ଆଧ୍ୟାତ୍ମିକ ଆଚରଣ ଓ ଉଚ୍ଚାରଣ ଏବଂ ସାଂସ୍କୃତିକ ପରିମଣ୍ଡଳ ଏତେ ଜୀବନପ୍ରାଚୂର୍ଯ୍ୟରେ ପରିପୂର୍ଣ୍ଣ ଯେ, ସେମାନଙ୍କ ମୁକ୍ତ ଚିନ୍ତାଧାରା ଓ ସ୍ଵାଧୀନ ଜୀବନଚେତନା ମାନବସଭ୍ୟତାର ଇତିହାସରେ ଏକ ସ୍ଵତନ୍ତ୍ର ପର୍ଯ୍ୟାୟରେ ସ୍ଥାନିତ ହେବାକୁ ବାଧ୍ୟ ।

 

ଅବଶ୍ୟ ବଣ୍ଡା ସଂପ୍ରଦାୟର ସାମାଜିକଶିକ୍ଷା ଓ ଅର୍ଥନୈତିକ ବିକାଶପାଇଁ ଏବଂ ଆଧୁନିକ ଚିନ୍ତା ଓ ଚେତନା ସହିତ ସେମାନଙ୍କୁ ସଂଶ୍ଳିଷ୍ଟ କରିବା ପାଇଁ ସରକାର ବଣ୍ଡା ଉନ୍ନୟନ ଯୋଜନା ନାମରେ ମୁଦୁଲିପଡ଼ାଠାରେ ଏକ ବିଧିବଦ୍ଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସେମାନଙ୍କର ଉନ୍ନତିପାଇଁ ଶିକ୍ଷାଦାନର ବ୍ୟବସ୍ଥା, ଅର୍ଥନୈତିକ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ମାତ୍ର ଏସବୁ ପ୍ରଗତିର ବିବର୍ତ୍ତିତ ଧାରାରେ ସେମାନଙ୍କର ଜୀବନଚେତନା, ଜୀବନଧାରା ଓ ଜୀବନପ୍ରାଚୂର୍ଯ୍ୟର ମୌଳିକତା ଯେଭଳି କ୍ଷୁର୍ଣ୍ଣ ନହୁଏ ସେଥିପ୍ରତି ଗୁରୁତ୍ୱର ସହିତ ବିଚାର କରିବା ସର୍ବାଦୌ ବାଞ୍ଛନୀୟ ।

 

 

ପ୍ରୋଗ୍ରାମ, ଏକଜିକ୍ୟୁଟିଭ

ଆକାଶବାଣୀ, କଟକ -୨

 

***

 

ଦକ୍ଷିଣ ଓଡ଼ିଶାରେ ପ୍ରାଚୀନ କଳିଙ୍ଗର ଇତିବୃତ୍ତ

ଡକ୍ଟର ବିଭୂତି ଭୂଷଣ ମହାପାତ୍ର

 

ପୁରାଣ ଯୁଗରେ ଭାରତର ପୂର୍ବ ଭୂଖଣ୍ଡର ରାଜା ଥି‌ଲେ ବାଳି । ସେ ବହୁକାଳ ଅପୁତ୍ରିକ ଥିଲେ । ବୈଦିକ ୠଷି ଉତଥ୍ୟଙ୍କ ପରିତ୍ୟକ୍ତ ପୁତ୍ର ଅନ୍ଧମୁନି ଦୀର୍ଘତମା ବାଳିରାଜାଙ୍କ ଆଶ୍ରୟରେ ଜୀବନ ଅତିବାହିତ କରିଥି‌ଲେ । ତତ୍କାଳୀନ ସମାଜର ପରଂପରା ଅନୁକ୍ରମେ ଅତିଥି‌ ଦୀର୍ଘତମାଙ୍କ ପରିଚର୍ଯ୍ୟା ସକାଶେ ବାଳି ରାଜାଙ୍କ ମହିଷୀ ସୁଦେଷ୍‌ଣା ସେବାକାରିଣୀ ରୂପେ ନିଯୁକ୍ତା ଥି‌ଲେ । ମହର୍ଷି ଦୀର୍ଘତମାଙ୍କ ଔରଷରେ ସୁଦେଷ୍ଣା ପାଞ୍ଚପୁତ୍ରର ଜନନୀ ହୋଇ ପାରିଥି‌ଲେ । ଏମାନଙ୍କ ନାମ ଥିଲା ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ଡ୍ର ଓ ସୁହ୍ମ । ଏହାହିଁ ପ୍ରାଚୀନ କଳିଙ୍ଗ ନାମକରଣର ମୂଳାଧାର । (୧)

 

ପ୍ରାଚୀନ କାଳରେ ପୂର୍ବ-ଆଣବ ଅଂଚଳର ପୂର୍ବାଂଶ ଖଣ୍ଡ ଅର୍ଥାତ୍‍ ଆଧୁନିକ ଭାଗଲପୁରଠାରୁ ପୂର୍ବରେ ଗଙ୍ଗା ଓ ଦକ୍ଷିଣରେ ଗଂଜାମ ପର୍ଯ୍ୟନ୍ତ ସସାଗରା ଧରଣୀ ‘କଳିଙ୍ଗ’ ନାମରେ ଖ୍ୟାତ ଥିଲା । (୨) ଜଗନ୍ନାଥଧାମ ପୁରୀର ପୂର୍ବଭାଗରୁ (ବୈତରଣୀ ନଦୀ) କୃଷ୍ଣାନଦୀ ପର୍ଯ୍ୟନ୍ତ ସମଗ୍ର ଦକ୍ଷିଣାଞ୍ଚଳ ମଧ୍ୟ କଳିଙ୍ଗ ନାମରେ ଅଭିହିତ ହୋଇଥିଲା । (୩) ମହାଭାରତର ଉଲ୍ଲେଖ ଅନୁସାରେ ପୁଣ୍ଡ୍ର, କଳିଙ୍ଗ, ମଗଧ ଓ ଚେଦୀର ଅଧିବାସୀଗଣ ଉଚ୍ଚଶିକ୍ଷିତ, ବୈଦିକ ସଂସ୍କୃତିସଂପନ୍ନ ଓ ଧର୍ମପରାୟଣ ଥିଲେ । (୪) ପଞ୍ଚପୁତ୍ରଙ୍କ ପଞ୍ଚଜନ ପଦରେ ବସବାସ କରୁଥି‌ବା ଲୋକମାନେ ପରସ୍ପର ଘନିଷ୍ଠ ସଂପର୍କ ମଧ୍ୟରେ ରହି ଆସିଥିଲେ (୫) ।

 

 

ବୈଦିକ ସାହିତ୍ୟରେ କଳିଙ୍ଗ ନାମ ଲିପିବଦ୍ଧ ନଥି‌ଲେହେଁ ବୌଦ୍ଧ ସାହିତ୍ୟାନୁସାରେ ବ୍ରାହ୍ମଣ ଯୁଗରେ ଏହା ଖୁବ୍‌ ଜଣାଶୁଣା ଥିଲା । (୬) ପାଣିନୀ (୭) କଳିଙ୍ଗକୁ ମଗଧର ନିକଟବର୍ତ୍ତୀ ବୋଲି ଉଲ୍ଲେଖ କରନ୍ତି । ବ୍ରାହ୍ମଣ ଯୁଗୀୟ ରାଜା ନିମିଙ୍କୁ କଳିଙ୍ଗ ରାଜା କରକଣ୍ଡୁଙ୍କ ସମସାମୟିକ ଶ୍ରାସକ ରୂପେ ଚିହ୍ନିତ କରାଯାଇଛି । (୮)

 

୧.

ମହାଭାରତ ୧ - ୧୦୪ ଓ ୩ - ୧୧୪।

୨.

Pargitor-Ancient Indian Historical Tradition -P-158.

୩.

ଜଗନ୍ନାଥାତ୍‌ ପୂର୍ବାଭାଗାକୃଷ୍ଣ ତୀରାନ୍ତଗଂଶିବେ କଳିଙ୍ଗଦେଶଃ ସମ୍ପ୍ରୋକ୍ତ ବାମ ମାର୍ଗ ପାରାୟଣଃ ଶକ୍ତି ସଂଗମତନ୍ତ୍ର-ସପ୍ତମ ପଟଳ

୪.

Sahu, Dr.N.K.-Budhi’sm in Orissa

୫.

Singh Dr. M.R.-A Critical Study of Geographical data in early purans

P-278.

୬.

କୁମ୍ଭକାର ଜାତକ - ସଂ- ୪୦୮

୭.

ଅଷ୍ଟାଧ୍ୟାୟୀ - ୪ - ୧ – ୧୭୦

୮.

Ray Choudhury Dr.H.C.-Political History of Ancient India P-82.

 

 

ପୁରାଣ ସାହିତ୍ୟରେ (୯) ‘କଳିଙ୍ଗ’ ଦକ୍ଷିଣ ଜନପଦର ଜନପଦ ନାମରେ ଅଭିହିତ ହୋଇଥିବା ବେଳେ ମାର୍କଣ୍ଡେୟ ପୁରାଣ ଓ ‘ବ୍ରହ୍ମସଂହିତାରେ’ ଏହା ଦକ୍ଷିଣପୂର୍ବ ଭାରତର ସ୍ଥାନ ବିଶେଷ ରୂପେ କଳ୍ପିତ (୧୦) ‘ପଦ୍ମ ପୁରାଣ’’ (୧୧)ରେ କଳିଙ୍ଗର ନାମ ଦୁଇ ସ୍ଥାନରେ ଉଲ୍ଲେଖ ରହିଛି । ମହାଭାରତରେ ଅଙ୍ଗ, ବଙ୍ଗ, କଳିଙ୍ଗ, ସୌରାଷ୍ଟ୍ର ଓ ମଗଧ ମ୍ଳେଛ ଦେଶ ଥିଲା । ‘ବାୟୁ ପୂରାଣ’ (୧୨) କଳିଙ୍ଗକୁ ଏକ ଅପବିତ୍ର ଦେଶ ରୂପେ ଚିହ୍ନଟ କରିଅଛି । ଏ ଦେଶକୁ ଆସୁଥିବା ପରିବ୍ରାଜକମାନଙ୍କୁ ପ୍ରାୟଶ୍ଚିତ୍ତ କରିବା ସକାଶେ ବାଧ୍ୟ କରାଯାଉଥିଲା । (୧୩) କିନ୍ତୁ ପରବର୍ତ୍ତୀ ସମୟରେ କଳିଙ୍ଗ ଯାତ୍ରାକୁ ଧର୍ମଶାସ୍ତ୍ର ଅନୁମୋଦନ କରିବା ସଂଗେ ସଂଗେ ଅତ୍ରସ୍ଥ ପଣ୍ତିତମାନେ ଶାଶ୍ୱତ ଧର୍ମରେ ଅଭିଜ୍ଞ ରହିଥିବା ବର୍ଣ୍ଣନା କରାଯାଇଅଛି । (୧୪) ବିଷ୍ଣୁ ପୁରାଣରେ (୧୫) କଳିଙ୍ଗ ଦ୍ୱିଜମାନଙ୍କ ନାମୋଲ୍ଲେଖ ରହି ଶ୍ରୀକୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନଙ୍କ ବିବାହ ଉତ୍ସବରେ କଳିଙ୍ଗ ରାଜନ ଯୋଗଦେଇଥିବା ଉଲ୍ଲେଖନୀୟ ।

 

ବାମନ ପୁରାଣ - ୧୩-୪୭-୫୦, ବ୍ରହ୍ମାଣ୍ତ ପୁରାଣ - ୫-୨-୧୬୫୬ ବାୟୁପୁରାଣ-୫-୧.୪୫-୧୨୫

୧୦

ମାର୍କଣ୍ତେୟ ପୁରାଣ -୫୮,୧୬-୧୮, ବ୍ରହ୍ମ ସଂହିତା-୧୪.୮.୧୦

୧୧.

ପଦ୍ମ ପୁରାଣ - ସ୍ୱର୍ଗଖଣ୍ଡ - ୬.୩୭

୧୨.

ବାୟୁପୁରାଣ-୭୮.୩୩ ।

୧୩

ବୌଦ୍ଧାୟନ ଧର୍ମ ସୂତ୍ର-୨.୨.୧୬ ଅଙ୍ଗ ବଙ୍ଗ କଳିଙ୍ଗେଷୁ ସୌରାଷ୍ଟ୍ରଂ ମଗଧେଷୁଚ ତୀର୍ଥଯାତ୍ରା ବିନା ଯାତଃ ପୁନଃ ସଂସ୍କାରମର୍ହତି (ମନୁସଂହିତା)

୧୪.

ମହାଭାରତ-୮-୪୫,୧୩-୧୪

୧୫

ବିଷ୍ଣୁ ପୁରାଣ - ୩.୭.୯.୧୨.୩୬ ଓ ୫.୨୮.୨୬

 

ବରାହଦତ୍ତଙ୍କ ‘ବୃହଦତ୍ତ ସଂହିତା’ରେ ଭାରତକୁ ନବଖଣ୍ଡ ମେଦିନୀରେ ବିଭକ୍ତ କରାଯାଇଛି । ନବଖଣ୍ତ ମେଦିନୀ ମଧ୍ୟରେ, କେନ୍ଦ୍ରରେ କେନ୍ଦ୍ରାଞ୍ଚଳ ଓ ପୂର୍ବଭାଗରେ କଳିଙ୍ଗ ବିଦ୍ୟମାନ । କଳିଙ୍ଗ ରାଜ୍ୟ ବୈତରଣୀ ନଦୀ ଅବବାହିକାରେ ଅବସ୍ଥିତ ଥିବାର ମହାଭାରତରୁ ସୂଚନା ମିଳେ । (୧୬) ଏହି ନଦୀ କେନ୍ଦୁଝର ଜିଲ୍ଲାର ଗୋନାସିକା ପର୍ବତରୁ ବାହାରି କେନ୍ଦୁଝର ଓ ବାଲେଶ୍ଵର ଜିଲ୍ଲା ମଧ୍ୟଦେଇ ଜାମରାଠାରେ ସମୁଦ୍ରରେ ପଡ଼ିଛି । (୧୭) କିନ୍ତୁ କେତେକ ଏହା ସିଂହଭୂମିର ଦକ୍ଷିଣରୁ ବାହାରିଥିବା ମତ ପ୍ରଦାନ କରନ୍ତି । (୧୮କ) କଳିଙ୍ଗ ଦେଶର ପଶ୍ଚିମାର୍ଦ୍ଧରେ ଅମରକଣ୍ଟକ ପର୍ବତ ବିଦ୍ୟମାନ । (୧୮ଖ)

 

୧୬.

ଏତେ କଳିଙ୍ଗାଃ କୌନ୍ତେୟଯତ୍ର ବୈତରଣୀ ନଦୀ (ବନପର୍ବ-୧୧୫ ଅଧ୍ୟାୟ ୪.୫ ଓ ୧.୨-୫, ୧୮.୩-୧୪

୧୭.

ସଂପାଦକ ଆଚାର୍ଯ୍ୟ ବାନାମ୍ବର- ଭଞ୍ଜ ମହୋଦୟ- ପୃ.୫

୧୮

(କ) Law, B.C. - Historical geography in Ancient India (France) 1966- P-37.

 

ମତ୍ସ୍ୟପୁରାଣ-୫.୧.୮୬ -୧୨,କୁର୍ମ ପୁରାଣ-୨.୩୯-୯ ସ୍କନ୍ଦ ପୁରାଣ-୫,୩.୨୧.୭

 

(ଖ) ପଦ୍ମପୁରାଣ-ସ୍ୱର୍ଗଖଣ୍ତ - ୧୩ - ୮

 

‘ବାୟୁପୁରାଣ’ ଓ ‘ମତ୍ସ୍ୟପୁରାଣ’ରେ ଗଂଜାମରେ ପ୍ରବାହିତ ନଦୀସମୂହର (ଋଷିକୁଲ୍ୟା, ବଂଶଧାରା, ମହେନ୍ଦ୍ର ତନୟା ଓ ଲାଙ୍ଗୁଳିଆ ଇତ୍ୟାଦି) ବର୍ଣ୍ଣନା ଦୃଷ୍ଟି ପଥାରୂଢ଼ ହୁଏ । କାଳିଦାସଙ୍କ ‘ରଘୁବଂଶ’, କହ୍ଲଣଙ୍କ ‘ରାଜତରଙ୍ଗିଣୀ’, ମାଘଙ୍କର ପ୍ରସିଦ୍ଧ ସଂସ୍କୃତ ସଂକଳନ ‘ନୈଷଧ କାବ୍ୟ’, ଜୟଗୋମନ୍ଥ (୧୯) ‘କଳିଙ୍ଗ ଭୂପାରାରୀ, ପ୍ରଭୃତି କାବ୍ୟକୃତିଗୁଡ଼ିକରେ ପ୍ରାଚୀନ ଗଂଜାମର ଉପାଦେୟ ସନ୍ନିବେଶିତ । (୨୦) ଏହି କଳିଙ୍ଗରାଜ୍ୟ ବର୍ତ୍ତମାନ ଗଂଜାମର ପ୍ରାଚୀନସଂସ୍କୃତି ରୂପେ ଆମ୍ଭେ ଗ୍ରହଣ କରିଅଛୁ ।

 

୧୯.

ଜୟଗୋମନ୍ଥ ଚୋଳବଂଶୀୟ ରାଜା ରାଜେନ୍ଦ୍ରଚୋଳଙ୍କ ଦରବାରୀ କବି

୨୦.

ସ୍ୱର୍ଣ୍ଣାଲୋକ - ୧୯୮୭ - ୨ୟ ସଂଖ୍ୟା-ପୃ.୫୩ ‘ପ୍ରାଚୀନ ଓ ମଧ୍ୟଯୁଗୀୟ ଗଂଜାମ’- ପ୍ରମୋଦ ରଂଜନ ପଣ୍ଡା

 

ମହାଭାରତରେ ଗଂଜାମ ଜିଲ୍ଲାର କ୍ଷୀଣ ଆଭାସ ମିଳେ । ମହାରଥି କର୍ଣ୍ଣ ମହେନ୍ଦ୍ରପର୍ବତରେ ପର୍ଶୁରାମ କର୍ତ୍ତୃ‌କ ବିଦ୍ୟାଧ୍ୟୟନ କରିଥିଲେ ଏବଂ ପାଣ୍ଡବମାନଙ୍କ ବନବାସ ସମୟରେ ଏମାନେ ଏଠାରେ କିଛିଦିନ ଅତିବାହିତ କରିଥିବା ଜଣାଯାଏ । ଏହି ଅଂଚଳର ନରପତି କୌରବ ପକ୍ଷରୁ ଯୁଦ୍ଧରେ ଝାସ ଦେଇଥିବାର ବର୍ଣ୍ଣନା ମିଳେ । ଗଙ୍ଗମାନଙ୍କ ରାଜତ୍ୱ କାଳରେ କଳିଙ୍ଗନଗର ଓ ଦନ୍ତପୁର ଯଥାକ୍ରମେ ମୁଖ୍ୟ ଓ ଗୌଣ ରାଜଧାନୀ ଥିଲା । ଏହି ସମୟରେ ଗଙ୍ଗବଂଶର ଅନ୍ୟ ଏକ ନରପତି ଶ୍ଵେତକ, ଚିକିଟିରେ ରାଜତ୍ୱ କରୁଥିଲେ । (୨୧) ଗଙ୍ଗବଂଶୀୟ ରାଜା ଇନ୍ଦ୍ରବର୍ମନଙ୍କ ଜିରିଙ୍ଗି ଅଭିଲେଖରେ (୪୭୫-୫୫୦ ଖ୍ରୀଷ୍ଟାବ୍ଦ) ଦନ୍ତପୁର ନାମ ଉଲ୍ଲେଖ ରହିଛି । (୨୨) ଐତିହାସିକ ପ୍ଳିନିଙ୍କ ବର୍ଣ୍ଣିତ କଳିଙ୍ଗ ନଗର, ଦଣ୍ଡକୂଳ ବା ପାଲୁର ଦନ୍ତପୁର । ମହାଭାରତରେ ଦନ୍ତପୁର ଓ ପାଲିସାହିତ୍ୟରେ ଦନ୍ତପୁର ନାମେ, ପ୍ରୋକ୍ତ ନାମର ପରିମାର୍ଜିତ ନାମକରଣ ରୂପେ ନିଆଯାଇପାରେ । (୨୩) ଐତିହାସିକ ସିଲଭାନିଆ ଲେଭି ପାଲୁ ଶବ୍ଦର ତାମିଲ ଅର୍ଥ ଦନ୍ତ ଓ ପାଲୁର କହିଲେ ଦନ୍ତପୁର ଯୁକ୍ତି କରନ୍ତି । (୨୪) ଏହି ଦନ୍ତପୁର ବଂଶଧାରା ନଦୀର ଦକ୍ଷିଣତୀରରେ ପ୍ରତିଷ୍ଠିତ ଥିଲା ।

 

ପାଲୁରଠାରେ ମହାପ୍ରଭୁ ବୁଦ୍ଧଙ୍କର ଦନ୍ତ ସଂରକ୍ଷିତ କରାଯାଇଥିଲା । ବୌଦ୍ଧଗ୍ରନ୍ଥ ‘ଦୀର୍ଘନିକାୟ’ର ମହାଗୋବିନ୍ଦ ସୁତ ଅଧ୍ୟାୟରେ ଯେଉଁ ଛ’ ଗୋଟି ବୌଦ୍ଧ ସହରର ନାମ ଦିଆଯାଇଛି ତନ୍ମଧ୍ୟରୁ ପାଲୁର ନାମ ଅନ୍ୟତମ । (୨୫) ଏହି ଅଂଚଳରେ ଦନ୍ତବକ୍ର ନାମକ ଜଣେ ରାଜା ପ୍ରଶାସନ କରୁଥିବାର ସଂକେତ ‘ଜୈନସୂତ୍ରାଙ୍ଗ’ ନାମକ ପୁସ୍ତକରୁ ମିଳେ । ହୁଏତ ରାଜନଙ୍କ ନାମାନୁସାରେ ଦେଶର ନାମ ପାଲୁର ହୋଇଥାଇ ପାରେ । (୨୬)

 

୨୧.

Epigraphia Indica-Vol-XXVI-P.109

୨୨.

ତତ୍ରୈବ Vol XXV-Pt-VI-P-285

୨୩.

ମହାଭାରତ - ୪.୪୭.୭୬. ଦୀର୍ଘନିକାୟ ୨-ପୃଷ୍ଠା - ୨୩୫ ।

୨୪.

ସ୍ଵର୍ଣ୍ଣାଲୋକ ୧୯୮୭ ୨ୟ ସଂଖ୍ୟା ପୃ - ୫୩.

୨୫.

ତତୈବ ପୃ - ୫୩.

୨୬.

ସ୍ୱର୍ଣ୍ଣାଲୋକ - ୧୯୮୭ ପୃ - ୫୩.

 

ପାଲୁରଠାରେ ରାଜଧାନୀ ସ୍ଥାପନ ପୂର୍ବକ ଋଷିକୂଲ୍ୟା ଓ ବଙ୍ଗାପସାଗରର ସଂଗମ ସ୍ଥଳରେ ନୌବାଣିଜ୍ୟର ସୁବିଧା ପାଇଁ ବନ୍ଦର ସ୍ଥାପନ କରିଥାଇ ପାରନ୍ତି । ଧ୍ଵଂସ ଓ ଲୁପ୍ତପ୍ରାୟ ଏହ ବନ୍ଦରର ପୁନଃ ସଂସ୍ଥାନ କରି ପରବର୍ତ୍ତୀ ଯୁଗରେ ଫରାସୀମାନେ ‘ଗଞ୍ଜ’ ନାମ ଦେଇଥିଲେ । ଜନସମାଗମ ବହୁଳ ଏହି ଅଂଚଳ ପରବର୍ତ୍ତୀ ସମୟର ଗଂଜାମ ରୂପେ ଦେଖିବାକୁ ମିଳେ । ଗଂଜାମ ଶବ୍ଦର ଅର୍ଥ ପୁଣ୍ୟଭୂମି । ବୌଦ୍ଧ ବିହାର ପୁଷ୍ପଗିରି ଏଠାରେ ଅବସ୍ଥିତ ଥିଲା । ଗଂଜାମର ପଣ୍ୟଦ୍ରବ୍ୟ ଗୋଦାବରୀ ଓ ରଷିକୁଲ୍ୟା ବାଟେ ଯିବା ଆସିବା ସୁବିଧା ଜନକ ଥିଲା । (୨୭) କଳିଙ୍ଗ ଉପକୂଳର ପ୍ରାଚୀନ ବନ୍ଦରମାନଙ୍କ ମଧ୍ୟରେ ଚିଲିକା, ପାଲୁର, ତାମ୍ରଲିପ୍ତ ଧାମରା, କୋଣାର୍କ, ପୁରୀ ପ୍ରଭୃତି ପ୍ରଧାନ ଥିଲା । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତକରେ ଗ୍ରୀକ୍‌ପର୍ଯ୍ୟଟକ ଟଲେମି କଳିଙ୍ଗ ରାଜ୍ୟର ନଦୀ ଓ ବନ୍ଦରର ଯେଉଁ ବର୍ଣ୍ଣନା କରିଛନ୍ତି ତନ୍ମଧ୍ୟରୁ ପାଲୁର ନାମ ସ୍ଥାନ ପାଇଛି । ଏଠାରୁ ସେ ବାଣିଜ୍ୟ ପୋତରେ ମାଳୟକୁ ଯାଇଛନ୍ତି । (୨୮)

 

୨୭.

ଦାସ ଶିବପ୍ରସାଦ-ସମ୍ୱଲପୁର ଇତିହାସ-Vol-1-1962-p.112

୨୮.

ତତୈବ- p.112

 

ଭାରତରେ ନନ୍ଦବଂଶର ମହାପଦ୍ମନନ୍ଦଙ୍କ ରାଜନୈତିକ ପଟ୍ଟଭୂମିର ଅବତାରଣା ପୂର୍ବରୁ ଯେଉଁ ବତିଶ ଜଣ ଓଡ୍ରଦେଶୀୟ ରାଜା ରାଜତ୍ୱ କରୁଥିଲେ; ସେମାନେ ଭାରତ ବର୍ଷର ସମସ୍ତ କ୍ଷତ୍ରୀୟକୁଳକୁ ଧ୍ୱଂସ କରିଦେଇଥିଲେ । ଯାହାକି ମହାଭାରତ ଅର୍ଥାତ୍‌ ଖ୍ରୀ:ପୂ: ଏକାଦଶ ଶତକ ଓ ମଗଧ ରାଜା ନନ୍ଦବଂଶୀୟ ମହାପଦ୍ମନନ୍ଦଙ୍କ ଖ୍ରୀ.ପୂ: ଚତୁର୍ଥ ଶତକ ମଧ୍ୟବର୍ତ୍ତୀ ସମୟ ବୋଲି ଜଣାଯାଏ । (୨୯) ଗଂଜାମ ଅଂଚଳ ଖ୍ରୀ:ପୂ: ଚତୁର୍ଥ ଶତକରେ ମଗଧର ନନ୍ଦବଂଶୀୟ ମହାପଦ୍ମନନ୍ଦଙ୍କ ଶାସନାଧୀନ ଥିଲା । (୩୦)

 

୨୯.

ମହତାବ ହରେକୃଷ୍ଣ - ଓଡ଼ିଶା ଇତିହାସ-Vol-1-1981-3rd Edn.p.28

୩୦.

ରାଜଗୁରୁ ଡଃ ସତ୍ୟନାରାୟଣ - ଓଡ଼ିଶା ଇତିହାସ Vol-1-1985-P.104

 

ବିନ୍ଦୁସାରଙ୍କ ମୃତ୍ୟୁପରେ ଖ୍ରୀ: ପୂ ୨୭୩ରେ ଅଶୋକ ମଗଧର ରାଜସିଂହାସନ ଆରୋହଣ କରିଥିଲେ । ତାଙ୍କ ସମୟରେ ଅଶୋକ କଳିଙ୍ଗ ଆକ୍ରମଣ କରି ଦଖଲ କରିନେଲେ । ସେତେବେଳେ କଳିଙ୍ଗ ଦୁଇଭାଗରେ ବିଭକ୍ତ ହୋଇଥିଲା । ଦୟାନଦୀ କୂଳରେ ଧଉଳି ପାହାଡ଼ ଗାତ୍ରରେ ତାଙ୍କର ଯେଉଁ ଅନୁଶାସନଟି ଖୋଦିତ ହୋଇଅଛି ତାହା ତୋଷାଳି ରାଜ୍ୟର ପ୍ରଜାମାନଙ୍କ ସକାଶେ ଉଦ୍ଦିଷ୍ଟ । ଅନ୍ୟ ଅନୁଶାସନଟି ଗଂଜାମ ଜିଲ୍ଲାର ରଷିକୁଲ୍ୟା ନଦୀ ତଟବର୍ତ୍ତୀ ଜଉଗଡ଼ ନାମକ ଦୁର୍ଗ ମଧ୍ୟରେ ଅବଲୋକିତ ହୁଏ । ଅନୁଶାସନଟି କଳିଙ୍ଗଦେଶର ପ୍ରଜାମାନଙ୍କ ସକାଶେ ଖୋଦିତ । (୩୧) କଳିଙ୍ଗର ରାଜଧାନୀ ‘ସମାପ’ ଥିବା ଜଣାଯାଏ । ଜଉଗଡ଼ ଅନୁଶାସନରୁ ଡକ୍ଟର ରାଜଗୁରୁ (୩୨) ରାଜଧାନୀର ଅବସ୍ଥିତିକୁ କୋଦଳା ନିକଟସ୍ଥ ‘ସମା’ ଗ୍ରାମକୁ ଚିହ୍ନଟ କରିଛନ୍ତି । ଖଲିକୋଟ ଜମିଦାରୀର ତିନୋଟି ଗ୍ରାମ ବିରୁଳି, ପାଲୁର ଓ ହୁମାର ଆୟ ସଂଗେ ଏକମାତ୍ର ‘ସମାପେଣ୍ଠ’ର ଆଦାୟ ସମାନ ଥିବା କଥା ଲୋକପ୍ରବାଦରୁ ଗ୍ରହଣୀୟ । (୩୩) ଅତଏବ ଖ୍ରୀ.ପୂ: ତୃତୀୟ ଶତକରେ ସାରା ଦକ୍ଷିଣ ଓଡ଼ିଶା ଅଶୋକଙ୍କର ଅଧୀନରେ କଳିଙ୍ଗ ନାମରେ ପରିଚିତ ଥିଲା-। (୩୪) କଳିଙ୍ଗର ଶାସନକାର୍ଯ୍ୟ ‘ମହାପାତ୍ର’ମାନଙ୍କ ଦ୍ୱାରା କରାଯାଉଥିଲା । (୩୫)

 

୩୧.

ରାଜଗୁରୁ ଡଃ ସତ୍ୟନାରାୟଣ-ଓଡ଼ିଶା ଇତିହାସ-V୦l-1-1985-p.106

୩୨

ତତୈବ - ପୃ- ୧୧୫ - ପ୍ରସ୍ତାବ ଚିନ୍ତାମଣି ମୁଖବନ୍ଧ- ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରକାଶନ ୫.୧୯୭୬ - ପୃ - ୩

୩୩.

ପ୍ରବାଦାନୁକ୍ରମେ-ବିରୁଳି, ପାଲୁର, ହୁମା ଏକା ଆଠଗଡ଼, ସମା ।

୩୪

Behera Dandapani-The Bhanj (House of Upendrabhanj) and the Kandhas of Orissa -1987-1st Edn.-P.5.

୩୫.

Dr. Hultisch-Corpus Inspriptianum Indicarum-Vol-1-PP.95-97

 

ଚୈତ୍ରବଂଶର ଅବସାନ କ୍ରମେ କଳିଙ୍ଗ ଭିନ୍ନ ଭିନ୍ନ ରାଜ୍ୟରେ ବିଭକ୍ତ ହେଲା । କୋଶଳ ଓ କଙ୍ଗୋଦ ତନ୍ମଧ୍ୟରୁ ଅନ୍ୟତମ । ମୌର୍ଯ୍ୟମାନଙ୍କ କଳିଙ୍ଗ ଅଧିକାର ପୂର୍ବେ କଳିଙ୍ଗ ତିନିଭାଗରେ ଥାଇ ତ୍ରିକଳିଙ୍ଗ ନାମେ ଖ୍ୟାତ ଥିଲା । ଉତ୍ତରଭାଗ ଉଜ୍ଜଳ ବା ପ୍ରାଚୀକଳିଙ୍ଗ, ଦକ୍ଷିଣକଳିଙ୍ଗ ବା ଗଙ୍ଗାରାଇଡ଼ କଳିଙ୍ଗ ଏବଂ ମଧ୍ୟ ଭାଗକୁ ମଧ୍ୟକଳିଙ୍ଗ ବା ମଗକଳିଙ୍ଗ କୁହାଯାଉଥିଲା । ପ୍ରାଚୀକଳିଙ୍ଗ ଗୋଦାବରୀଠାରୁ କପିଷା ପର୍ଯ୍ୟନ୍ତ ବିସ୍ତୃତ ଥିଲା । କପିଷା ଠାରୁ ଗଙ୍ଗା ରାଇଡ଼ କଳିଙ୍ଗରେ ଅନ୍ତର୍ଭୁକ୍ତ ଥିବାବେଳେ ପଦ୍ମାଠାରୂ ପୂର୍ବ ଭାରତୀୟ ଦୀପ ପର୍ଯ୍ୟନ୍ତ ମଗକଳିଙ୍ଗ ପରିସରଭୂକ୍ତ ରହିଥିଲା । (୩୬) ଖ୍ରୀ.ପୂ. ୩୨୭ରେ ଆଲେକ୍‌ଜାଣ୍ଡେର ପ୍ରାଚୀକଳିଙ୍ଗ ଓ ଗଙ୍ଗାରାଇଡ଼ କଳିଙ୍ଗ କଥା ଶୁଣିଛନ୍ତି ମାତ୍ର କେତେବର୍ଷ ପରେ ମେଘାସ୍ଥନିସ୍‌ ଉଭୟ କଳିଙ୍ଗକୁ ଗୋଟିଏ ରାଜ୍ୟ ରୂପେ ବର୍ଣ୍ଣନା କରିଛନ୍ତି । ମେକ୍ରିଣ୍ତଲ୍‌ ଗଙ୍ଗାରାଇଡ଼ କଳିଙ୍ଗବାସୀଙ୍କୁ କଳିଙ୍ଗଜାତିର ଏକ ଶାଖାରୂପେ ଅଭିହତ କରନ୍ତି । (୩୭) ପଣ୍ଡିତ ନୀଳକଣ୍ଠ ଦାସ ଉତ୍କଳ, କଙ୍ଗୋଦ ଓ କୋଶଳକୁ ‘ତ୍ରିକଳିଙ୍ଗ’ ବୋଲି ବର୍ଣ୍ଣନା କରିଛନ୍ତି । (୩୮)

 

୩୬.

ଦାସ ଶିବ ପ୍ରସାଦ-ସମ୍ବଲପୁର ଇତିହାସ ୧୯୬୨ - ପୃ - ୧୦୩ ।

୩୭.

M.Crindle-Ancient India-Megasthenes and Arrian-P.136

୩୮.

Mr. Journal of Andhra Historical Research Society-Vol-VI-P.79

 

ମୌର୍ଯ୍ୟ ଓ ଚୈତ୍ରବଂଶ ଶାସନରେ ତ୍ରିକଳିଙ୍ଗ କୋଶଳରାଜ୍ୟ ସହ ଏକ ରାଜ୍ୟ ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ପୃଥକ୍‌ ହୋଇଗଲା । ତନ୍ମଧ୍ୟରୁ ମଧ୍ୟକଳିଙ୍ଗ ଆଧୁନିକ ବାଣପୁର, ଖଲିକୋଟ, ଆଠଗଡ଼, ରଣପୁର, ନୂଆଗଡ଼, ଘୁମୁସର ପ୍ରଭୃତି ଇଲାକାକୁ ନେଇ କଙ୍ଗୋଦ ରାଜ୍ୟରେ ପରିଣତ ହେଲା । ଆଧୁନିକ ବାଣପୁର ସନ୍ନିକଟ ସାକିମା (ଶାଳିଆ) ନଦୀକୂଳ ଏହାର ରାଜଧାନୀ ଥିଲା । କଙ୍ଗୋଦବାସୀ ସାହସୀ, ଶୌର୍ଯ୍ୟବନ୍ତ ଓ ପରାକ୍ରମୀ ଥିଲେ । (୩୯)

 

ଅଶୋକଙ୍କ ପରେ ‘ମହାମେଘବାହନ’ ଉପାଧି ଭୂଷିତ ଚେଦିବଂଶୀ ରାଜାମାନେ ଖ୍ରୀ:ପୂ: ପ୍ରଥମ ଶତକରେ କଳିଙ୍ଗରେ ସ୍ଵାଧୀନ ଭାବେ ରାଜତ୍ୱ କରିବାକୁ ଲାଗିଲେ । ଐତେରିୟ ବ୍ରାହ୍ମଣରେ ବିଦର୍ଭ, କଳିଙ୍ଗ ଓ ଆନ୍ଧ୍ରର ଉଲ୍ଲେଖ ଏକତ୍ର ରହିଅଛି । ଏଥିରୁ ଅନୁମେୟ କି ଏହି ତିନି ଦେଶ ମଧ୍ୟରେ ଅନ୍ୟଦେଶର ପ୍ରାୟତଃ ସ୍ଥାନ ନାହିଁ । କଳିଙ୍ଗ ଏବଂ ଆନ୍ଧ୍ରଦେଶ ବିଦର୍ଭଦେଶର ସନ୍ନିହିତ ରାଜ୍ୟ । ବିଦର୍ଭରେ ଶିଶୁପାଳ ଚେଦିଙ୍କ ରାଜବଂଶ ଓ କଳିଙ୍ଗରେ ଖାରବେଳ ଚେଦିଙ୍କ ରାଜବଂଶ ରାଜତ୍ୱ କରୁଥିଲେ । (୪୦) କଳିଙ୍ଗରେ ଚେଦିରାଜବଂଶ ରାଜତ୍ୱର ନିର୍ଣ୍ଣୟ ନେଇ ଇତିହାସ ସନ୍ଦିହାନ । ତେବେ ଏହି ବଂଶର ପ୍ରାଚୀନତର ରାଜଧାନୀ ‘ପୃଥଦକ’ (୪୧) କ୍ରମେ ବୈଦେଶିକ ପର୍ଯ୍ୟଟକମାନଙ୍କ ଦ୍ୱାରା ‘ପାର୍ଥାଲି’ ନାମରେ ଗୃହୀତ । ଏହି ରାଜଧାନୀ ଭୂତଳଗାମୀ ରହି ୧୧୩ ବର୍ଷ ପରେ ଖାରବେଳଙ୍କ ରାଜତ୍ଵର ଏକାଦଶ ବର୍ଷରେ ଜୀର୍ଣ୍ଣସଂସ୍କାର କରାଗଲା । ସୁତରାଂ ଖାରବେଳଙ୍କ ସନର ଦୀର୍ଘ ଏକଶତ ବର୍ଷ ପୂର୍ବରୁ ଚେଦିରାଜବଂଶର ଅଭ୍ୟୁତ୍‌ଥାନ ହୋଇଥିବା ସମ୍ଭବପର ମନେହୁଏ । ମେଘାସ୍ଥନିସ୍‌ଙ୍କ ବର୍ଣ୍ଣନାରେ ଏହି ପ୍ରସଂଗ ସ୍ଥାନ ପାଇଥିବା ହେତୁ ‘ପ୍ରାର୍ଥାଲି’ ରାଜଧାନୀ ଏହାର ପୂର୍ବବର୍ତ୍ତୀ ସମୟରେ ସୃଷ୍ଟି ହୋଇଥିବା ସମୀଚୀନ ମନେହୁଏ । (୪୨) ଖାରବେଳ ଏହି ଅଂଚଳକୁ ତାଙ୍କ ଦକ୍ଷିଣପଥ ଆକ୍ରମଣର ମୁଖ୍ୟ ରାସ୍ତା ରୂପେ ବ୍ୟବହାର କରିଥିଲେ-। (୪୩) ଖାରବେଳଙ୍କ ସମୟରେ କଳିଙ୍ଗର ରାଜଧାନୀ ପିଥୁଣ୍ଡ ନାମକ ସ୍ଥାନରେ ଥିଲା । ଏହି ପିଥୁଣ୍ଡ ନଗରୀକୁ ଡକ୍ଟର ରାଜଗୁରୁ ଖଲିକୋଟ ଜମିଦାରୀ ଅନ୍ତର୍ଭୁକ୍ତ ପଥରା ନାମକ ଗ୍ରାମକୁ ଚିହ୍ନଟ କରିଛନ୍ତି । ତାହାଙ୍କ ମତରେ ଏହି ଗ୍ରାମ କୋଦଳା- ଆଠଗଡ଼ ରାଜଧାନୀ ଲଙ୍ଗଳବେଣୀ ଦୁର୍ଗର ସମୀପବର୍ତ୍ତୀ ଥିଲା । (୪୪)

 

୩୯.

ମିଶ୍ର କୃପାସିନ୍ଧୁ -ଉତ୍କଳ ଇତିହାସ ୧୯୭୯ ପୃ - ୨୬ ।

୪୦.

ଦାସ ଶିବପ୍ରସାଦ-ସମ୍ବଲପୁର ଇତିହାସ ୧୯୬୨ - ପୃ - ୩୨ ।

୪୧

M.Crindle-Ancient India as described by Meghastenes and arrian.Pling-First Century A.D.

୪୨.

ଦାସ ଶିବପ୍ରସାଦ-ସମ୍ବଲପୁର ଇତିହାସ ୧୯୬୨ - ପୃ - ୩୬ ।

୪୩.

ସ୍ୱର୍ଣ୍ଣାଲୋକ- ୨ୟ ସଂଖ୍ୟା ପୃ - ୫୩ - ୧୯୮୭ ।

୪୪.

ରାଜଗୁରୁ ଡଃ ସତ୍ୟନାରାୟଣ-ଓଡ଼ିଶା ଇତିହାସ-Vol-I-1985-P.142

 

ଖାରବେଳଙ୍କ ମୃତ୍ୟୁର ଅଳ୍ପକାଳ ଅନ୍ତେ ଆନ୍ଧ୍ରର ସାତବାହାନ ବଂଶୀୟ ରାଜାମାନେ କଳିଙ୍ଗ ଜୟ କରି କିଛିବର୍ଷ ସ୍ୱଶାସନାଧୀନ ରଖିଥିଲେ । (୪୫) ଖ୍ରୀ:ପୂ: ୧୮୦ ଖ୍ରୀଷ୍ଟାବ୍ଦରୁ ୨୪୯ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଆନ୍ଧ୍ରମାନଙ୍କ ଗୌରବକାଳ କହିଲେ ଦ୍ୱିରୁକ୍ତି ହେବନାହିଁ । ବୌଦ୍ଧଜାତକରୁ କଳିଙ୍ଗ ଓ ଆନ୍ଧ୍ରର ଉତ୍ତରସୀମା ତେଲବାହ ଓ ତେଲନଦୀ ପର୍ଯ୍ୟନ୍ତ ଥିବା ଜଣାଯାଏ । (୪୬) ଆନ୍ଧ୍ରମାନଙ୍କ କଳିଙ୍ଗ ବିଜୟ ପରେ କଳିଙ୍ଗକୁ ଅସଂଖ୍ୟ ଖଣ୍ତ ଖଣ୍ଡ ରାଜ୍ୟରେ ବିଭକ୍ତ କରାଇ ପ୍ରତ୍ୟେକରେ ଜଣେ ରାଜାଙ୍କୁ ଶାସନ ଭାର ଦେଲେ । (୪୭) ଅତଏବ ଏହା ସୁନିଶ୍ଚିତକି ଆନ୍ଧ୍ରମାନଙ୍କ କଳିଙ୍ଗ ବିଜୟ ଦିନଠାରୁ ହର୍ଷବର୍ଦ୍ଧନଙ୍କ ରାଜତ୍ୱ ପର୍ଯ୍ୟନ୍ତ କଳିଙ୍ଗ ଓ କୋଶଳ ଦୁଇ ଭିନ୍ନ ରାଜ୍ୟ ହୋଇ ରହିଲା ଏବଂ ରାଜ୍ୟଦ୍ୱୟ ହର୍ଷବର୍ଦ୍ଧନଙ୍କ ରାଜ୍ୟର ବାହାରେ ରହିଥିଲା । (୪୮)

 

୪୫.

ଦାସ ଶିବପ୍ରସାଦ-ଅତୀତର ଓଡ଼ିଶା-ଷଷ୍ଠ ପରିଚ୍ଛେଦ

୪୬.

ଦାସ ଶିବପ୍ରସାଦ-ସମ୍ବଲପୁର ଇତିହାସ ପୃ - ୩୯ ।

୪୭.

ପ୍ରୟୋଗ ସ୍ତମ୍ଭଲେଖ-ସମୁଦ୍ରଗୁପ୍ତ ।

୪୮.

Benarjee R.D.-History of Orissa-PP-129-130 FF

 

ସାତବାହାନ ବଂଶଠାରୁ କୁଶାଣବଂଶ ଶାସନ ହସ୍ତାନ୍ତର କରିନେଲେ । କୁଶାଣମାନଙ୍କ ରାଜଧାନୀ ଭୁବନେଶ୍ଵର ସନ୍ନିକଟ ଶିଶୁପାଳ ଗଡ଼ରେ ରହିଥିବା ସୂଚନା ମିଳେ । (୪୯) କୁଶାଣମାନଙ୍କ ସମୟରେ ତୋଷାଳୀ ଓ କଳିଙ୍ଗ ଏପରି ଦୁଇ ଭାଗରେ ବିଭକ୍ତ ହୋଇଥିଲା । (୫୦) କୁଶାଣମାନଙ୍କ ସମୟରେ ସଂଗୃହୀତ ପ୍ରଚଳିତ ମୁଦ୍ରା ସହିତ ପ୍ରୋକ୍ତ ଅଂଚଳର ଜତୁଗଡ଼ରୁ ସଂଗୃହୀତ ମୁଦ୍ରାର ସାମ୍ୟତା ଦୃଷ୍ଟିରୁ ଏହି ରାଜ୍ୟ କଳିଙ୍ଗ ଶାସନଭୁକ୍ତ ଥିବାଭଳି ପ୍ରତୀୟମାନ ହୁଏ । (୫୧)

 

୪୯

ରାଜଗୁରୁ ଡକ୍ଟର ସତ୍ୟନାରାୟଣ-ଓଡ଼ିଶା ଇତିହାସ - Opcit-P-182

୫୦.

ତତୈବ -P-181

୫୧.

Archeological Survey of India-Report-Vol-XIll-P-116

 

ତୃତୀୟ ଶତାବ୍ଦୀରେ ‘ସୁରୁଣ୍ଡା’ ନାମକ ଏକ ରାଜବଂଶ ଦ୍ୱାରା ଏହି ଅଂଚଳ ବିଜିତ ହୋଇଥଲା । ଚତୁର୍ଥ ଶତାବ୍ଦୀର ମଧ୍ୟଭାଗରେ ଗୁପ୍ତ ରାଜବଂଶର ସମୁଦ୍ରଗୁପ୍ତଙ୍କ ଦ୍ୱାରା ସମସ୍ତ ଗଂଜାମ ଅଂଚଳ ଅଧିକୃତ ହୋଇଥିବା ଏଲାହାବାଦ ଶିଳାଲିପି ପ୍ରମାଣ ଦିଏ । (୫୨)

 

ଗୁପ୍ତସାମ୍ରାଜ୍ୟର ପତନପରେ ଚତୁର୍ଥ ଓ ପଂଚମ ଶତାବ୍ଦୀରେ ମାଥର ବା ମାଠରବଂଶର ଶାସକମାନେ କଳିଙ୍ଗ ଶାସନ କରିଥିଲେ । ବିଶାଖାବର୍ମନ ନରେଶଙ୍କ ଦ୍ୱାରା କଳିଙ୍ଗ ବିଜିତ ହେଲା ଓ ନିଜର ରାଜଧାନୀକୁ ସେ ପାରଳାଖେମୁଣ୍ତି ନିକଟସ୍ଥ ଶ୍ରୀପୁରକୁ ବାଛି ନେଇଥିଲେ । ଏହାଙ୍କ ପୁତ୍ର ଉମା ବର୍ମନ ଶ୍ଵେତକ ବା ଆଧୁନିକ ଚିକିଟି ରାଜ୍ୟ ଜୟ କରି ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ । ଏହି ବଂଶର ଶେଷ ଶକ୍ତିଶାଳୀ ରାଜା ପ୍ରଭଂଜନ ବର୍ମନ ଥିବା ଜଣାଯାଏ । (୫୩) ଡକ୍ଟର ସତ୍ୟନାରାୟଣ ରାଜଗୁରୁ (୫୪) ମାଠରବଂଶୀୟ ରାଜାମାନଙ୍କ ରାଜଧାନୀ ସିଂହପୁରଠାରେ ରହିଥିବା ଉଲ୍ଲେଖ କରିଛନ୍ତି । ମାଠରବଂଶର ଦ୍ୱିତୀୟ ଇନ୍ଦ୍ରବର୍ମା ପ୍ରଖ୍ୟାତ ପାରଳାଖେମୁଣ୍ଡି ତାମ୍ରଲେଖ ଜାରି କରିଥିଲେ । ଉପରୋକ୍ତ ତାମ୍ରଲେଖ ବ୍ୟତୀତ ମାଠର ବଂଶୀୟ ରାଜାମାନେ ଅନେକ ତାମ୍ରଶାସନ ପ୍ରଦାନ କରିଥିବା ପ୍ରମାଣ ମିଳେ । ତାମ୍ରଲେଖ ଗୁଡ଼ିକରେ ସରଳ ସଂସ୍କୃତକୃତ ଗଦ୍ୟସାହିତ୍ୟର ବ୍ୟବହାର ଦେଖାଯାଏ । (୫୫)

 

୫୨.

ସ୍ୱର୍ଣ୍ଣାଲୋକ - ୧୯୮୭ - ୨ୟ ସଂଖ୍ୟା ଜନ୍ମ ବିଶେଷାଙ୍କ - ପୃ - ୫୩ ।

୫୩.

ତତୈବ

୫୪.

ରାଜଗୁରୁ ଡକ୍ଟର ସତ୍ୟନାରାୟଣ-ଓଡ଼ିଶା ଇତିହାସ Vol-l-1985-P-203

୫୫.

ଯୋଷୀ ଡକ୍ଟର ଅର୍ଜୁନ-ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି -1987-P-19

 

ମାଠରବଂଶର ପତନପରେ ଏହି ରାଜ୍ୟରେ ବିଗ୍ରହ ରାଜବଂଶର ଅଭ୍ୟୁତ୍‌ଥାନ ହୋଇଥିଲା । ଏମାନେ ସମ୍ଭବତଃ ଷଷ୍ଠ ଶତାବ୍ଦୀରେ ନିଜର ପ୍ରତିଷ୍ଠା ଲାଭ କରିଥିବା ଜଣାଯାଏ । କୋଦଳା ପଞ୍ଚାୟତ ସମିତି ପରିସରଭୁକ୍ତ ସୁମଣ୍ତଳ (ସୁମଣ୍ଡନ) ନିକଟରୁ ୫୭୦ ଖ୍ରୀଷ୍ଟାବ୍ଦର, ସୂର୍ଯ୍ୟପରାଗ ଦିବସରେ ଦିଆଯାଇଥିବା ଏକ ଦାନଶାସନ ତାମ୍ରଲେଖ ମିଳେ । ତନ୍ମଧ୍ୟରେ ଧର୍ମରାଜ ନାମକ ଜନୈକ ରାଜା ବିଗ୍ରହ ବଂଶର ପୃଥିବୀବିଗ୍ରହ ନାମକ ଜଣେ ରାଜାଙ୍କୁ ନିଜର ପ୍ରଭୁ ରୂପେ ସ୍ଵୀକାର କରିଛନ୍ତି । ଏଥିରେ ସାମନ୍ତ ରାଜାଙ୍କ କର୍ତ୍ତୃକ ପରଂକାଳ ମାର୍ଗ ବିଷୟରେ ମଣ୍ଡକୁ ଗ୍ରାମ ଓ ଚନ୍ଦନ ବାଟକ ନାମକ ଗ୍ରାମଦୁଇଟି ଭୂଷୁରବର୍ଗଙ୍କୁ ଦାନ କରାଯାଇଥିଲା । (୫୬) ଏହି ଗ୍ରାମଗୁଡ଼ିକ କୋଦଳା ଗ୍ରାମର ଉତ୍ତର ଦିଗରେ ଅବସ୍ଥିତ । ତତ୍କାଳୀନ ପଙ୍କାଳ ବିଷୟ ବା ପଙ୍କାଳ ଜିଲ୍ଲାକୁ ଆଧୁନିକ ପଙ୍କାଳ ଗ୍ରାମ, ମଣ୍ଡୁକ ଗ୍ରାମକୁ ମଣ୍ଡୁଳା ଗ୍ରାମ ଓ ଚନ୍ଦନବାଟ ଗ୍ରାମକୁ ସୁମଣ୍ଡଳ ସନ୍ନିକଟ ଚନ୍ଦନପୁର ଗ୍ରାମ ବୋଲି ଚିହ୍ନଟ କରାଯାଇପାରେ । ଧର୍ମରାଜଙ୍କ ଅନ୍ୟ ଏକ ଅଭିଲେଖ କୋଦଳା ନିକଟବର୍ତ୍ତୀ ନୂଆଁ ପଲ୍ଲୀ ଗ୍ରାମରୁ ଉଦ୍ଧାର କରାଯାଇଅଛି । ଏଥିରେ ଖିଡ଼ିଙ୍ଗିହାର ବିଷୟରେ ଥିବା ଏକ କଟକ ୫୭୦ ଖ୍ରୀଷ୍ଟାବ୍ଦରେ ବ୍ରାହ୍ମଣବର୍ଗଙ୍କୁ ଦାନ କରାଯାଇଥିବା ପ୍ରସଙ୍ଗ ଉଲ୍ଲେଖ ରହିଛି । (୫୭) ଏତଦ୍‌ବ୍ୟତୀତ ପୃଥିବୀ ବିଗ୍ରହଙ୍କ ଅନ୍ୟ ଏକ ତାମ୍ରାଭିଲେଖ ପାରଳାଖେମୁଣ୍ଡିରୁ ଉଦ୍ଧାର କରାଯାଇଛି । (୫୮) ପୃଥିବୀ ବିଗ୍ରହଙ୍କ ତାଣ୍ଡିବାଡ଼ ଅଭିଲେଖରେ ଶ୍ରୁତି, ସ୍ମୃତି, ବେଦ, ବେଦାଙ୍ଗ, ନ୍ୟାୟ, ଉପନିଷଦ ଏବଂ ଯୋଗର ଆଦର କଳିଙ୍ଗରେ ରହିଥିବା କଥା ସ୍ଥାନ ପାଇଛି । ଏହି ଅଭିଲେଖର ଦାନ ଗ୍ରହୀତା ସୁବିଖ୍ୟାତ ‘ପଞ୍ଚତନ୍ତ୍ର’ର ପ୍ରଣେତା ବିଷ୍ଣୁଶର୍ମାଙ୍କ ପ୍ରପୌତ୍ର ତଥା ପୃଥ୍ଵୀଶର୍ମାଙ୍କ ପୁତ୍ର ଭବବର୍ମା ଅଟନ୍ତି । (୫୯) ଲୋକ ବିଗ୍ରହଙ୍କ ନିଶାଣ ତାମ୍ରଶାସନରୁ (ଖ୍ରୀ ୬୦୦) ତତ୍କାଳୀନ ସମାଜର ସଂସ୍କୃତ ଗଦ୍ୟ ସାହିତ୍ୟର ସମାଜର ଓ ପ୍ରତିଷ୍ଠା ଉପଲବ୍‌ଧି ହୁଏ । (୬୦)

 

୫୬.

Orissa Historical Research Journal-Vol-I-No.I-PP-67-69

୫୭.

Inscription of Orissa-VOI-II-P-323-329

୫୮

ସ୍ୱର୍ଣ୍ଣାଲୋକ- ୧୯୮୭- ୨ୟ ସଂଖ୍ୟା-ଜନ୍ମ ବିଶେଷାଙ୍କ ପୃ - ୫୩ ।

୫୯.

ଯୋଶୀ ଡକ୍ଟର ଅର୍ଜୁନ-ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି - ୧୯୭୮ - ପୃ - ୧୯ ।

୬୦.

ତତ୍ରୈବ ।

 

ଏହି ବଂଶୀୟ ରାଜାମାନେ କିଛିଦିନ ଗୌଡ଼ ଦେଶ ରାଜା ଶଶାଙ୍କ ଓ କନୌଜର ନରପତି ରାଜା ହର୍ଷବର୍ଦ୍ଧନଙ୍କର ଅଧୀନରେ କାଳାତିପାତ କରିଥିଲେ । ଖ୍ରୀ ୬୨୦ରେ ଶୈଳୋଦ୍‌ଭବ ରାଜବଂଶୀୟ ମହାରାଜା ମାଧବରାଜ, ଶଶାଙ୍କ ରାଜାଙ୍କର ଜଣେ ଅଧସ୍ଥନ ସାମନ୍ତ ରାଜା ରୂପେ ପରିଚିତ ଥିଲେ । (୬୧) ଗୌଡ଼ଦେଶୀୟ ଏହି ଶଶାଙ୍କ ରାଜାଙ୍କ ସମ୍ବନ୍ଧେ ରାଖଲ ଦାସ ବାନାର୍ଜି କହନ୍ତି (୬୨) “In this period it is not possible to think of any other Sasanka than that of the much abused Sasanka king of Gouda.” ଏ ସଂପର୍କରେ ବି.ସି. ମଜୁମଦାର (୬୩)ଙ୍କ ମନ୍ତବ୍ୟ ପ୍ରଣିଧାନ ଯୋଗ୍ୟ- “Ancient records of Narendra Gupta (Sasanka) of Karnasuvarna in Bengal bear evidence of only Kangoda Country (Puri & part of Ganjam) to have been sub-judged by Narendra Gupta; Utkal or ucha of Hieuentsang does not appeared to have owned his rulership. It is only shortly after the time of Narendra Gupta. Hienentsang speaks of a separate ruler of the Utkal Country. The question may be raised if in the first place it could be possible for Narendra Gupta to come upon Puri without traverseng the district of Balasore and Cuttack, and if in the second place Narendra Gupta having his principal seat in Bengal could keep the Kangoda Country undr his rule. When the northern portion or Orissa was under another house of rulers” ସୁତରାଂ ଶଶାଙ୍କ ଜଣେ ରାଜା ନଥିଲେ । ସେ ଥିଲେ କୋଶଳର ମହାସାମନ୍ତ ଏବଂ ଗୌଡ଼, ରାଡ଼, ଓଡ୍ର କଙ୍ଗୋଦ ଏବଂ କଳିଙ୍ଗ ମଣ୍ଡଳର ଶାସନାଧିପତି । ରାଜା ହର୍ଷବର୍ଦ୍ଧନଙ୍କ ଦ୍ୱାରା ଶଶାଙ୍କରାଜାଙ୍କ ପତନ ପରେ ହର୍ଷବର୍ଦ୍ଧନ-ସକଳ କଳିଙ୍ଗାଧିପତି’ ଉପାଧି ବହନ କରି କଙ୍ଗୋଦରେ ଜଣେ ସ୍ଵାଧୀନ ରାଜା ରୂପେ ନିଜକୁ ଘୋଷଣା କଲେ । (୬୪) ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ଚିନ୍‌ପରିବ୍ରାଜକ ହୁଏନ୍‌ସାଂ ଏହି ଅଂଚଳର ବିଭିନ୍ନ ମଠ, ମନ୍ଦିର ଓ ପାଲୁର ବନ୍ଦର ପରିଦର୍ଶନ କରିଥିବା ତାହାଙ୍କ ବିବରଣୀରେ ସ୍ଥାନ ପାଇଅଛି-। ଚୀନ ଭାଷାରେ ସେ ଯେଉଁ ବିବରଣୀ ଉଲ୍ଲେଖ କରିଛନ୍ତି ସେଥିର ଇଂରେଜୀ ତର୍ଜମା କରି ୱାଟସ୍‌ (୬୫) ଲେଖିଛନ୍ତି – “The Century Contained some tens of towns which stretched from the slopes of the bills to the edge of the Sea. As the towns were naturally strong there was a Gallant army which kept the neighbouring Countries in awa: and so there was no powerful enemy .........., The Country produced large dark elephants Capable of long journey” ଗିରିମାଳାରୁ ପ୍ରାରବ୍‌ଧ ବେଳାକୂଳ ପର୍ଯ୍ୟନ୍ତ (ବଙ୍ଗୋପ ସାଗର) ସୁବିସ୍ତୃତ ରାଜ୍ୟରେ ଦଶଟି ନଗର ରହିଅଛି । ଏଗୁଡ଼ିକ ସୁସୈନ୍ୟସାମନ୍ତ ଯୁକ୍ତ ଓ ପ୍ରାକୃତିକ ଅବସ୍ଥିତି କ୍ରମେ ସୁଦୃଢ଼ । ପଡ଼ୋଶୀ ଶତ୍ରୁ ଆକ୍ରମଣ ବିମୁକ୍ତ । ବହୁ ଦୂରଦୂରାନ୍ତ ଗତିଶୀଳ ସମର୍ଥ ବିରାଟକାୟ କୃଷ୍ଣବର୍ଣ୍ଣ ହସ୍ତୀପୁଞ୍ଜ ଏଠାରେ ସମ୍ଭୂତ ।

 

୬୧.

Kalinga Historical Research Society Journal-Vol-II.No.!.Pp.59-65

୬୨.

History of Orissa-Vol-l-P-125

୬୩.

Orissa in making -PP-99-100 ୮୬

୬୪.

ରାଜଗୁରୁ ଡଃ ସତ୍ୟରାରାୟଣ-ଓଡ଼ିଶା ଇତିହାସ Vol-1-1985-P.254

 

ହର୍ଷବର୍ଦ୍ଧନଙ୍କ ପରେ କାଳକ୍ରମେ ଶୈଳୋଦ୍‌ଭବ ବଂଶୀୟ ରାଜାମାନେ ପ୍ରବଳ ପରାକ୍ରମୀ ହୋଇ ସମଗ୍ର ଗଂଜାମ ଅଂଚଳ ତଥା ଆଧୁନିକ ଦକ୍ଷିଣ ପୁରୀ ଜିଲ୍ଲାର କେତେକ ଅଂଚଳ ଜୟ କରି ପ୍ରସିଦ୍ଧ କଙ୍ଗୋଦ ରାଜ୍ୟର ସାର୍ବଭୌମ ରାଜାରୂପେ ନିଜକୁ ଘୋଷଣା କରିଥିଲେ । କଳିଙ୍ଗର ଏକ ଅଂଶରେ ଏମାନେ ଶାସନ କରୁଥି‌ବା ହେତୁ ଏହି ସମଗ୍ର ଅଂଚଳକୁ କଙ୍ଗୋଦ ନାମେ ନାମିତ କରାଯାଇଥିଲା । ଏମାନେ ମୁଖ୍ୟତଃ ଶୈବ ଥିଲେ । ଝାଡ଼େଶ୍ଵର (କାନପୁର), ସକଳେଶ୍ୱର, ତୁମ୍ବେଶ୍ଵର, ସୁନ୍ଦରେଶ୍ଵର (ସୁନ୍ଦରପୁର) କଙ୍ଗଦେଶ୍ଵର, (ଗଂଜାମ) ପ୍ରଭୃତି ଶୈବ ମନ୍ଦିରଗୁଡ଼ିକ ଏହି ବଂଶୀୟ ରାଜାମାନଙ୍କ ଅକ୍ଷୟ କୀର୍ତ୍ତି । (୬୫କ) ଡକ୍ଟର ସତ୍ୟନାରାୟଣ ରାଜଗୁରୁ । (୬୬) କଙ୍ଗୋଦର ନାମ ଅପଭ୍ରଂଶ ହୋଇ କୋଦଳା ହୋଇପାରିଥିବା ଅନୁମାନ କରନ୍ତି । ଏଥିରେ ଥିବା ଖିଡ଼ିଙ୍ଗିହାର ବିଷୟ (୬୭) ଓ ବରତନୀ ବିଷୟ କୋଦଳା - ଆଠଗଡ଼, ରାଜ୍ୟର ଖଲାଡ଼ି ଓ ପୋଲସରା ନିକଟସ୍ଥ ବରତନୀ ଗ୍ରାମକୁ ଚିହ୍ନଟ କରାଯାଇପାରେ । (୬୮) ସ୍ଥୂଳତଃ ମହାନଦୀଠାରୁ ଆରମ୍ଭ କରି ମହେନ୍ଦ୍ରଗିରି ପର୍ଯ୍ୟନ୍ତ ଏମାନଙ୍କ ରାଜ୍ୟ ବିସ୍ତାର ଲାଭ କରିଥିଲା । ସେଥିରେ ଖୋର୍ଦ୍ଧା, ରଣପୁର, ନୂଆଁଗଡ଼, ଶେରଗଡ଼, ସୋରାଡ଼ା, ମହୁରୀ, ବଡ଼ଗଡ଼, ବାଣପୁର, ପାଲୁର, ଆଠଗଡ଼ ଆସିକା, ଧରାକୋଟ ଅନ୍ତର୍ଭୁକ୍ତ ହୋଇଥିଲା । ତନ୍ମଧ୍ୟରୁ ଖଲିକୋଟ ଓ ଆଠଗଡ଼ କେନ୍ଦ୍ରସ୍ଥଳ ଥିବାରୁ ସେଠାରେ ରାଜଧାନୀ ସ୍ଥାପିତ ହୋଇଥିବା ଅନୁମେୟ । (୬୯)

 

୬୫

Watters-Ywan Chwang, Vol II PP196-197.

୬୫

(କ) ସ୍ୱର୍ଣ୍ଣାଲୋକ - ୨ୟ ସଂଖ୍ୟା-ଜନ୍ମ ବିଶେଷାଙ୍କ ୧୯୮୭ - ପୃ - ୫୪ ।

୬୬.

ଓଡ଼ିଶା ଇତିହାସ -Opcit-P.254

୬୭

ମହତାବ ଡଃ ହରେକୃଷ୍ଣ -History of Orissa-Vol-I-3rd Edn. -1981 -P-149 ‘‘This khidingihar is identified with Khilidinga’ in Kodala Taluka of Ganjam District”.

୬୮

ରାଜଗୁରୁ ଡଃ ସତ୍ୟନାରାୟଣ -Opcit-P.365 (ବରତନୀ ଗ୍ରାମ ଖଲିକୋଟ ନିକଟବର୍ତ୍ତୀ ବୋଲି ଉଲ୍ଲେଖ କରିଛନ୍ତି)

୬୯

ବିଦ୍ୟାଧର, ନୀଳାମ୍ୱର- ପ୍ରସ୍ତାବ ଚିନ୍ତାମଣି-ମୁଖବନ୍ଧ-ବହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରକାଶନ ୫-୧୯୭୬ ପୃ - ୩- ୪

 

ପୁଣି ଧର୍ମରାଜଙ୍କ ନିମିନା ଦାନପତ୍ରରେ ଉଲ୍ଲେଖ ରହିଛି ଯେ ପ୍ରଥମ ରାଜାଙ୍କ (୬୬୫-୬୯୫) ମୃତ୍ୟୁପରେ ତାହାଙ୍କ ସିଂହାସନ ଆରୋହଣ ପାଇଁ ଦୁଇପୁତ୍ର ଗୃହ ଯୁଦ୍ଧରେ ମନୋନିବେଶ କରିଥିଲେ । ଅନୁଜ ଭ୍ରାତା ମାଧବ ରାଜ ମହାକୋଶଳର ପାଣ୍ଡୁ ବଂଶୀୟ ରାଜା ତିବର ଦେବଙ୍କ ସହାୟତାରେ ଅଗ୍ରଜ ଧର୍ମରାଜଙ୍କୁ ରାଜ୍ୟରୁ ବିତାଡ଼ିତ କରିଦେଇ ଥିଲେ । କିନ୍ତୁ ଧର୍ମରାଜ ଖିଡ଼ିଙ୍ଗିହାର ବିଷୟ କର୍ମଚାରୀ ସାମନ୍ତ ଓ ପାଇକମାନଙ୍କ ସହାୟତାରେ ‘ଫାସିକା’ ଯୁଦ୍ଧ କ୍ଷେତ୍ରରେ ମାଧବରାଜ ଓ ତିବର ଦେବଙ୍କୁ ପରାସ୍ତ କରି ତିବର ଦେବଙ୍କୁ ଯୁଦ୍ଧକ୍ଷେତ୍ରରେ ହତ୍ୟା କରିଥିଲେ । (୭୦) ମାଧବ ରାଜବର୍ମା ଯୁଦ୍ଧରେ ପରାଜୟ ଲାଭ କରି ବିନ୍ଧ୍ୟ ଅଂଚଳକୁ ଯାଇ ଆତ୍ମଗୋପନ କରି ସେଠାରେ ମୃତ୍ୟୁ ବରଣ କରିଥିଲେ । (୭୧) ଯେଉଁଠାରେ ତିବର ଦେବଙ୍କୁ ଫାସି ଦିଆଯାଇ ମାରିଦିଆଯାଇଥିଲା ସେହି ସ୍ଥାନଟି ଆଧୁନିକ ଫାସି ଗ୍ରାମକୁ ଚିହ୍ନଟ କରାଯାଇଛି । (୭୨) ଫାସିର ପୂର୍ବଭାଗରେ ରହିଥିବା ବିରାଟ ଜଳାଶୟ ‘ରଣତୋଳା’ ଫାସିଠାରେ ଅନୁଷ୍ଠିତ ବିଖ୍ୟାତ ରଣାଙ୍ଗନର ସ୍ମୃତି ଚାରଣ କରୁଅଛି । ଆଂଚଳିକ କିଂବଦନ୍ତୀ; ତିବରଦେବଙ୍କୁ ଫାସିର ଏହି ଐତିହାସିକ ରଣକ୍ଷେତ୍ରରେ ବୃକ୍ଷରେ ଓହଳାଇ ହତ୍ୟା କରିଥିବା ଉଦନ୍ତ ପ୍ରକାଶ କରେ । ମାଧବ ବର୍ମା ୬୨୦ ଖ୍ରୀଷ୍ଟାବ୍ଦରେ ଯଜ୍ଞ କରିଥିବାର ସଂକେତ ମିଳେ । (୭୩) ଚୀନ ପରିବ୍ରାଜକ ହୁଏନସାଂଙ୍କ ଭ୍ରମଣ ବୃତ୍ତାନ୍ତରେ ଖିଡ଼ିଙ୍ଗିହାର ବିଷୟରେ ପାଇକମାନଙ୍କ ସାହସ ଓ ବୀରତ୍ୱ ସ୍ଥାନ ପାଇଅଛି । ସପ୍ତମ ଶତାବ୍ଦୀରେ ସେ କଙ୍ଗୋଦ ଦେଇ କଳିଙ୍ଗ ଯିବା ପଥରେ କଙ୍ଗୋଦର କେତେକ ଦୁର୍ଗ ଅବଲୋକନ କରିଥିଲେ । (୭୪) ପୁଣି ନିମିନା ଦାନପତ୍ରରେ ଖିଡ଼ିଙ୍ଗିହାର ବିଷୟର ଯେଉଁ ନିମିନା ଗ୍ରାମ ଦାନ କରାଯାଇଅଛି ତାହା କୋଦଳା ପଞ୍ଚାୟତ ସମିତି ଅନ୍ତର୍ଗତ ଆଧୁନିକ ନିମିନା ଗ୍ରାମକୁ ଚିହ୍ନଟ କରାଯାଇପାରେ । ସେହିପରି କେଣ୍ଡଡ଼ା ବା କେଦେଣ୍ଡା (୭୫) ଗ୍ରାମକୁ କୋଦଳା ସନ୍ନିକଟ କନ୍ଦିଆ ଗ୍ରାମକୁ ଚିହ୍ନଟ କରାଯାଇପାରେ । (୭୬)

 

୭୦.

Mahatab Harekrushna of Orissa-Vol-I-3rd Edn. 1981-P.151

୭୧.

ରାଜଗୁରୁ ଡଃ ସତ୍ୟନାରାୟଣ -ଓଡ଼ିଶା ଇତିହାସ -Vol-I-1985-P-262

୭୨.

Sahu, Dr. N.Kand & others-History of orissa-2nd Edn. 1981-P.111

୭୩.

ମିଶ୍ର ସ୍ଵର୍ଗତ କୃପାସିନ୍ଧୁ-ଉତ୍କଳ ଇତିହାସ ୧୯୭୯ ପୃ - ୨୬ ।

୭୪.

ରାଜଗୁରୁ ଡଃ ସତ୍ୟନାରାୟଣ-ଓଡ଼ିଶା ଇତିହାସ-Opcit Pp-291-267- F.F

୭୫.

Epigraphic Of India-Vol-XIX-PP.289-290

୭୬.

ସ୍ଵର୍ଣ୍ଣାଲୋକ-ଜନ୍ମ ବିଶେଷାଙ୍କ ୧୯୮୭ - ୨ୟ ସଂଖ୍ୟା ପୃ - ୫୪ ।

 

ପୁରୀ ଦାନପତ୍ର (୭୭) ଅନୁଯାୟୀ ବରତନୀ ବିଷୟସ୍ଥ ଯେଉଁ ଦୋଙ୍ଗି ଗ୍ରାମ ଓ ଡୁକା ଗ୍ରାମ ଦାନ କରାଯାଇଥିଲା ତାହା ଆଧୁନିକ ତଦାନୀନ୍ତନ କୋଦଳା-ଆଠଗଡ଼ ରାଜ୍ୟାଧୀନ ପୋଲସରା ସନ୍ନିକଟ ଦେଓଳା ଓ ପୋଲସରା ସନିକଟ ତୁଙ୍କାପଡ଼ା ଗ୍ରାମକୁ ଚିହ୍ନଟ କରାଯାଇପାରେ-। କେତେକ ଐତିହାସିକଙ୍କ ମତରେ ସୁବର୍ଣ୍ଣ ଦ୍ୱୀପ (ଯାଭା)ର ଶୈଳେନ୍ଦ୍ର ରାଜବଂଶ କଙ୍ଗାଦର ଶୈଳୋଦ୍‌ଭବ ରାଜବଂଶର ଗୋଟିଏ ଶାଖା । ଏଥିରେ ଅଧ୍ୟାପକ ପ୍ରମୋଦ ରଂଜନ ପଣ୍ଡା ‘କେଡ଼େଣ୍ଡା’ ଗ୍ରାମକୁ ଆଧୁନିକ କୋଦଳା ଗ୍ରାମ ରୂପେ ଗ୍ରହଣ କରିଛନ୍ତି । କିନ୍ତୁ ଡଃ ରାଜଗୁରୁଙ୍କ କଙ୍ଗାଦର ଅପଭ୍ରଂଶ ‘କୋଦଳା’ର ଉତ୍ପତ୍ତିର ଯୁକ୍ତି ଯୁକ୍ତତା ଅଧିକ ମନେ ହେଉଥିବାରୁ ଆମ୍ଭେ କନ୍ଦିଆ ଗ୍ରାମକୁ ଚିହ୍ନଟ କରିବା ପ୍ରୟାସ କରିଅଛୁ । (୭୮) ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ବିଖ୍ୟାତ ଶୈଳୋଦ୍‌ଭବ ରାଜବଂଶର ପତନଘଟି ବୌଦ୍ଧ ଧର୍ମାବଲମ୍ବୀ ଭୌମକର ନାମକ ଏକ ଶକ୍ତିଶାଳୀ ରାଜବଂଶର ଉନ୍ମେଷ ହୁଏ । (୭୯) ଏମାନେ କଙ୍ଗୋଦ ସମେତ ସମଗ୍ର କଳିଙ୍ଗ ଓ କୋଶଳ ଜୟ କରି ବଲାଙ୍ଗୀର ଜିଲ୍ଲାର ସୋନପୁର (ସୁବର୍ଣ୍ଣପୁର)ଠାରେ ରାଜଧାନୀ ସ୍ଥାପନ କରିଥିଲେ । (୮୦) ଭୌମକର ରାଜବଂଶର ପ୍ରଭୁତ୍ୱ ପୂର୍ବଦିଗରେ ସୁବର୍ଣ୍ଣ ରେଖାଠାରୁ ଦକ୍ଷିଣରେ ମହେନ୍ଦ୍ରାଞ୍ଚଳ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା । (୮୧) ଭୌମକର ରାଜବଂଶର ପ୍ରଥମ ରାଜା ଉନ୍ମତ୍ତ-କେଶରୀ କଙ୍ଗୋଦ ମଣ୍ଡଳକୁ କରାୟତ କରି କଙ୍ଗୋଦକୁ ଦକ୍ଷିଣ ତୋଷାଳିର ଏକ ଅଂଶ ରୂପେ ରଖାଇଲେ । (୮୨) କଙ୍ଗୋଦ ମଣ୍ଡଳ ତଥା ଦକ୍ଷିଣ ତୋଷାଳିରେ ବିଷବର୍ଣ୍ଣବ କ୍ଷେତ୍ରପାଳ ରୂପେ ଅବସ୍ଥାପିତ ହୋଇଥିଲେ । (୮୩) ପୁରୀଜିଲ୍ଲା ବାଣପୁର ନିକଟବର୍ତ୍ତୀ କୁମାରଂଗ ଶାସନରୁ ମିଳିଥିବା ଦଣ୍ଡୀ ମହାଦେବୀଙ୍କ ତାମ୍ରଶାସନରୁ ଜଣାଯାଏ ଯେ ଦକ୍ଷିଣ ତୋଷାଳିସ୍ଥିତ କଙ୍ଗୋଦମଣ୍ଡଳର ଖିଡ଼ିଙ୍ଗିହାର ବିଷୟରେ ଥିବା କଂସରା ନଗରୀରୁ ଭୂସଂପତି ସହ ଅନ୍ୟ କେତେକ ଦ୍ରବ୍ୟ ଦାନ କରାଯାଇଛି । ତାମ୍ରଶାସନଟି କଙ୍ଗୋଦ ମଣ୍ଡଳସ୍ଥ ଖିଡ଼ିଙ୍ଗିହାର ବିଷୟର ରାଜକର୍ମଚାରୀଙ୍କ ଉଦ୍ଦେଶ୍ୟରେ ଜ୍ଞାପିତ । (୮୪) ଏଥିରେ ଲିଖିତ କଂସରା ନଗରୀକୁ ବର୍ତ୍ତମାନ କୋଦଳା ବ୍ଳକ ଖଲିକୋଟ ତହସିଲ ଅନ୍ତର୍ଗତ କଞ୍ଚଣା ଗ୍ରାମକୁ ଚିହ୍ନଟ କରାଯାଇପାରେ । ତତ୍‌କାଳୀନ ସମୟରେ କଙ୍ଗୋଦ ମଣ୍ଡଳର ପୂର୍ବ ଭାଗରେ ଶ୍ଵେତକ ଗଙ୍ଗାବଂଶ ଗଂଜାମ ଜିଲ୍ଲାର ଚିକିଟି ଅଂଚଳରେ ଶାସନ କରୁଥିବା ଜଣାଯାଏ । ଏହି ଶ୍ଵେତକ ଗଙ୍ଗାବଂଶର ଜୟବର୍ମା ରାଜାଙ୍କ ଦ୍ୱିତୀୟ ଖଣ୍ତ ଶାସନ ବଡ଼ଖେମୁଣ୍ଡି ତାଲୁକର ପାଲଝାଡ଼ି ଗ୍ରାମରୁ ସଂଗୃହୀତ । (୮୫) ଏଥିରେ ମହାରାଜା ଜୟବର୍ମାଦେବ କଙ୍ଗୋଦ ମଣ୍ଡଳର ବର୍ତ୍ତନୀ ବିଷୟରେ ଥିବା ବାଲ୍‌ମଶ୍ରଙ୍ଗ ଗ୍ରାମ ଭଟଶ୍ରୀନନ୍ନଟ ମହତ୍ତର ନାମକ ବ୍ରାହ୍ମଣକୁ ଦାନ କରିଥିଲେ । ଏହି ଗ୍ରାମକୁ ଦାନ କରିବା ସମୟରେ ବିଷଭର୍ଣ୍ଣଭଦେବ ଭୌମକର ବଂଶୀୟ ମହାରାଜା ଉନ୍ମତ୍ତ ସିଂହଙ୍କ (ବିରଜା ନଗରୀ ରାଜଧାନୀ)ଠାରୁ କଙ୍ଗୋଦର କ୍ଷେତ୍ରପାଳଙ୍କ ଜରିଆରେ ଅନୁମତି ଆଣିବାକୁ ପଡ଼ିଥିଲା । (୮୬) ବର୍ତ୍ତନୀ ଗ୍ରାମକୁ ପୂର୍ବେ ଆମ୍ଭେ ଚିହ୍ନଟ କରିଅଛୁ-। ବାଲମ୍‌ଶ୍ରୁଙ୍ଗ ଗ୍ରାମ କୋଦଳା ସନ୍ନିକଟ ବାଳସିଙ୍ଗ (ବେଛପର) ଗ୍ରାମ ହୋଇଥାଇପାରେ ।

 

୭୮.

ରାଜଗୁରୁ ଡଃ ସତ୍ୟନାରାୟଣ-ନୀଳାମ୍ବର ବିଦ୍ୟାଧର-ପ୍ରସ୍ତାବ ଚିନ୍ତାମଣିର ମୁଖବନ୍ଧ- ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରକାଶନ ନଂ ୫ - ପୃ - ୪ ।

୭୯.

ତତୈବ

୮୦.

ସ୍ୱର୍ଣ୍ଣଲୋକ-ଜନ୍ମସଂଖ୍ୟା - ୧୯୮୭-୨ୟ ସଂଖ୍ୟା ପୃ - ୫୪ ।

୮୧.

ରାଜଗୁରୁ ଡଃ ସତ୍ୟନାରାୟଣ-ଓଡ଼ିଶା ଇତିହାସ Vol-I-1985-P-267

୮୨.

ତତୈବ - ପୃ - ୪୦୩ ।

୮୩.

Sahu Dr. N.K. & Others-History of Orissa-2nd Edn. 1981-P116.

୮୪.

ରାଜଗୁରୁ ଡଃ ସତ୍ୟନାରାୟଣ-ଓଡ଼ିଶା ଇତିହାସ Opcit-P-436-437.

୮୫.

Inscription History of Orissa-Vol-XII-P-480-493-FF

(ii) Inscription of Orissa- Vol-II-PP-258-263

୮୬.

(I) Sahu N.K. and others-History of Orissa-2nd Edn-1981-P-116
(II) ରାଜଗୁରୁ ଡଃ ସତ୍ୟନାରାୟଣ-ଓଡ଼ିଶା ଇତିହାସ- Opcit-P-365

 

ଭୌମକର ରାଜବଂଶର ଦଣ୍ଡୀ ମହାଦେବୀଙ୍କର ଗଂଜାମ ତାମ୍ର ଶାସନ (୮୭) କଙ୍ଗୋଦ ମଣ୍ଡଳସ୍ଥ ବରିଡ଼ାଖଣ୍ଡ ବିଷୟ ଅନ୍ତର୍ଗତ ବିଲ୍‌ଗ୍ରାମର ଅଧିବାସୀଙ୍କ ପାଇଁ ଉଦ୍ଦିଷ୍ଟ । ବରିଡ଼ାଖଣ୍ଡ ବିଷୟ କବିସୂର୍ଯ୍ୟନଗର ନିକଟସ୍ଥ ତରିଡ଼ା ଗ୍ରାମକୁ ଚିହ୍ନଟ କରାଯାଇପାରେ । ବିଲ୍‌ଗ୍ରାମ ଏତଦ୍‌ସନ୍ନିକଟ ବେଲ୍‌ପୁର ଗ୍ରାମ ହୋଇଥାଇପାରେ । ଦଣ୍ଡୀ ମହାଦେବୀ କେଶରୀ ବଂଶୀୟ ରାଜା ଚଣ୍ଡୀହର ଯଯାତଙ୍କୁ ପତି ରୂପେ ଗ୍ରହଣ କରିଥିଲେ । (୮୮)

 

୮୭.

Epigraphic Indica-Vol-II-PP-133-142 FF .

୮୮.

ମହତାବ ହରେକୃଷ୍ଣ-ଓଡ଼ିଶା ଇତିହାସ ପୃ - ୯୪-୯୫ ।

 

ଭୌମବଂଶ ତ୍ରିଭୁବନ ମହାଦେବୀଙ୍କର ବୌଦ ତାମ୍ର ଶାସନରୁ (୮୯) ଅନୁମିତ ହୁଏକି, ଭୌମକର ରାଜବଂଶ ପ୍ରାୟ ଦୁଇଶହ ବର୍ଷରୁ ଉର୍ଦ୍ଧ୍ୱକାଳ ଉଭୟ ତୋଷାଳିରେ ଶାସନ ବିସ୍ତାର କରିଥିଲେ । ଖ୍ରୀ ୯୯୪ ରେ ପଶ୍ଚିମ ଓଡ଼ିଶାରେ ରାଜତ୍ୱ କରୁଥିବା ସୋମବଂଶୀୟ ରାଜାମାନଙ୍କର ରାଜନୈତିକ ଓ ପାରିବାରିକ ସଂପର୍କ ଭୌମମାନଙ୍କ ସଂଗେ ସ୍ଥାପିତ ହେବାରୁ କ୍ରମେ ତୋଷାଳୀର ଖଣ୍ଡପାଳମାନେ ପ୍ରତାପଶାଳୀ କୋଶଳସ୍ଥ ସୋମବଂଶୀମାନଙ୍କର ଆନୁଗତ୍ୟ ସ୍ଵୀକାର କରିବା ପାଇଁ ବାଧ୍ୟ ହେଲେ । ଭୌମକର ବଂଶର ଶେଷରାଣୀ ଧର୍ମମହାଦେବୀଙ୍କ ଜୀବନଦଶାରେ ରାଜ୍ୟରେ ଅଶାନ୍ତି ଓ ଉପଦ୍ରବ ସୃଷ୍ଟି ହେବାରୁ ଅରାଜକତା ଦେଖାଦେଇ ଖଣ୍ଡପାଳ ତଥା ଉଚ୍ଚ କର୍ମଚାରୀମାନଙ୍କ ଅନୁରୋଧ କ୍ରମେ ଦକ୍ଷିଣ ତୋଷଳର ପରାକ୍ରମଶାଳୀ ସୋମବଂଶୀ ରାଜା ମହାଶିବ ଗୁପ୍ତ ଯଯାତି ଦ୍ୱିତୀୟ (୯୦) (୧୦୨୩-୧୦୪୦) ଉତ୍କଳର ଶାସନ ଭାର ଗ୍ରହଣ କଲେ-। ଏଣୁ ଦଣ୍ଡୀ ମହାଦେବୀଙ୍କ ରାଜତ୍ଵ ବେଳକୁ ଭୌମ ସାମ୍ରାଜ୍ୟରୁ କେତେକ ଅଂଶ ଛିନ୍ନ ହୋଇ ଖଣ୍ତପାଳମାନେ ସ୍ଵାଧୀନତା ଘୋଷଣା କରି ବିଭିନ୍ନ କରଦ ରାଜ୍ୟମାନ ସୃଷ୍ଟି କଲେ । (୯୧) ଇନ୍ଦ୍ରରଥଙ୍କ ବାଣପୁର ତାମ୍ରଲିପିରୁ ଜଣାଯାଏ ମହଶିବଗୁପ୍ତ ଧର୍ମରଥ (୯୬୦-୯୯୫) କଳିଙ୍ଗ ଓ କଙ୍ଗାଦ ଅଧିକାର କରି ଇନ୍ଦ୍ରରଥ ନାମକ ତାହାଙ୍କର ଭାଇଙ୍କୁ କଳିଙ୍ଗ ଓ କଙ୍ଗୋଦ ଅଂଚଳର କ୍ଷେତ୍ରପାଳ କରି ନିଯୁକ୍ତି ଦେଇଥିଲେ । ଧର୍ମରଥଙ୍କର ମୃତ୍ୟୁ ପରେ ହଜାରେ ଖ୍ରୀଷ୍ଟାବ୍ଦରେ ଯଯାତି ନଗରରେ ନିଜକୁ ରାଜା ରୂପେ ଘୋଷଣା କରିଥିଲେ-। ସମ୍ଭବତଃ ଧର୍ମରଥ ଅପୁତ୍ରିକ ଥିଲେ । ଯଯାତି ନଗରରେ ଇନ୍ଦ୍ରରଥଙ୍କ ସିଂହାସନ ଆରୋହଣ ପରେ ଖବିରାବାଣୀ ନାମକ ଏକ ଗ୍ରାମ କଙ୍ଗୋଦର ଏକ ତାନ୍ତ୍ରିକ ଦେବୀଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ । (୯୨) ଧର୍ମରଥଙ୍କ ଶାସନର ଏକାଦଶ ବର୍ଷରେ ପ୍ରଦତ୍ତ ଏକ ତାମ୍ରଶାସନ ଖଣ୍ଡପଡ଼ା ମହୁଲପଦା ଗ୍ରାମରୁ ଆବିଷ୍କୃତ । (୯୩) ଇନ୍ଦ୍ରରଥଙ୍କ ମୃତ୍ୟୁପରେ ସୋମବଂଶୀ ରାଜ୍ୟ ପତନାଭିମୁଖୀ ହେଲା । କଙ୍ଗୋଦ ଓ କଳିଙ୍ଗର କ୍ଷେତ୍ରପାଳମାନେ ମହାଶିବ ଗୁପ୍ତ ଯଯାତି ଦ୍ୱିତୀୟଙ୍କୁ ହଜାରେ ତେଇଶି ଖ୍ରୀଷ୍ଟାବ୍ଦରେ ନିଜର ରାଜାରୂପେ ମନୋନୀତ କଲେ । (୯୪) କିନ୍ତୁ ଯଯାତିଙ୍କ ରାଜତ୍ଵ ବେଳକୁ ସେ କଳିଙ୍ଗ, କଙ୍ଗୋଦ, କୋଶଳ, ଉଜ୍ଜଳର ରାଜାଧିରାଜ ରୂପେ ସର୍ବେସର୍ବା ଥିବା ଡକ୍ଟର ସତ୍ୟନାରାୟଣ ରାଜଗୁରୁ ମତ ଦିଅନ୍ତି । (୯୫) ଯଯାତି ମହାଶିବ ଗୁପ୍ତଙ୍କ ଚାରୋଟି ତାମ୍ର ଶାସନ ମଧ୍ୟରୁ ପ୍ରଥମଟି ରାଜସ୍ଵର ନବମ ବର୍ଷରେ ଘୋଷିତ । ସେଥିରେ ଦକ୍ଷିଣ ତୋଷାଳୀର (ଚିଲିକା ସନିକଟ) ମରଡ଼ ବିଷୟସ୍ଥ ଚନ୍ଦ୍ରଗ୍ରାମ ଦାନ କରାଯାଇଥିଲା । ଏହା ନିଃସନ୍ଦେହ କି ଏମାନେ କଳିଙ୍ଗର ରାଜାଧିରାଜ ଥିଲେ । ତାମ୍ରଶ୍ରାସନ ଗୁଡ଼ିକରେ ତ୍ରିକଳିଙ୍ଗାଧିପତି ବର୍ଣ୍ଣନା ରହିଛି । ଚିଲିକା ଅଂଚଳକୁ ଦକ୍ଷିଣ ତୋଷଳୀ କୁହାଯାଉଥିବା ବେଳେ ଆଉ ଗୋଟିଏ ଉତ୍ତର ତୋଷଳୀ ଭୁବନେଶ୍ୱର, ବଲାଙ୍ଗୀର, ପାଟଣାର ତୋଷରା ଅଂଚଳକୁ ନେଇ ରହିଥାଇପାରେ । (୯୬) ଏହାଙ୍କ ପରବର୍ତ୍ତୀ ବଂଶଧରମାନଙ୍କ ଶିଳାଲିପି ଅନୁଧ୍ୟାନରୁ ଅନୁମିତ ହୁଏକି ଯଯାତି ଦ୍ୱିତୀୟ କଳିଙ୍ଗ ଓ କଙ୍ଗୋଦ ହରାଇଥିଲେ କିନ୍ତୁ ଉତ୍କଳ ଓ କୋଶଳର ରାଜାଥିଲେ । ସେତିକିବେଳେ ପ୍ରାଚୀନ ଗଙ୍ଗବଂଶ ଦକ୍ଷିଣରେ ଦନ୍ତପୁର ବା କଳିଙ୍ଗ ନଗରଠାରେ ଶାସନ କରୁଥିଲେ । ଏହି ବଂଶର ପ୍ରଥମ ରାଜା ବଜ୍ରହସ୍ତ-V(1038-1070 A.D) କଳିଙ୍ଗ କଙ୍ଗୋଦ ଅଧିକାର କରିନେଇ କଳିଙ୍ଗ ଓ କଙ୍ଗୋଦର ସତ୍ତା ଲୋପ କରି ସେମାନଙ୍କ ଇତିହାସ ପ୍ରସିଦ୍ଧ ‘ତ୍ରିକଳିଙ୍ଗ’ ସାମ୍ରାଜ୍ୟରେ ମିଶାଇ ନିଜକୁ ମହାରାଜାଧିରାଜ ତ୍ରିକଳିଙ୍ଗାଧିପତି ବୋଲାଇଲେ । (୯୭) କଳିଙ୍ଗ ଓ କଙ୍ଗୋଦ ଏକତ୍ରିତ ହୋଇ କଳିଙ୍ଗନାମେ ଖ୍ୟାତ ହେଲା ଓ ରାଜଧାନୀ ଦନ୍ତପୁରଠାରେ କଳିଙ୍ଗ ନଗର ରୂପେ ଖ୍ୟାତ ହେଲା ।

 

୮୯.

(i) ରାଜଗୁରୁ ଡଃ ସତ୍ୟନାରାୟଣ -ଓଡ଼ିଶା ଇତିହାସ -Opcit-P-540
(ii) Epigraphica Indica-Vol-XXIX-P.210

୯୦.

Sahu Dr. N.K & others-History of Orissa-2nd Edn.-1981-P-127

୯୧.

ରାଜଗୁରୁ ଡଃ ସତ୍ୟନାରାୟଣ-ଓଡ଼ିଶା ଇତିହାସ-Vol-I-1985-P-440-462 FF .

୯୨.

Sahu Dr. N.K & other- History Of orissa-Opcit-PP-174-175

୯୩

ରାଜଗୁରୁ ଡ଼ଃ ସତ୍ୟନାରାୟଣ -ଓଡ଼ିଶା ଇତିହାସ -Opcit-P.540

୯୪.

ତତୈବ ପୃ - ୧୭୬ ।

୯୫.

ତତୈବ ପୃ - ୫୪୬ ।

୯୬.

ଦାସ ଶିବପ୍ରସାଦ- ସମ୍ବଲପୁର ଇତିହାସ ୧୯୬୨ - ପୃ - ୭୦ ।

୯୭.

Sahu N.K & Others-History Of orissa-Opcit-P.177.

 

ବଜ୍ରହସ୍ତ ଦେବଙ୍କର ତାମ୍ର ଶାସନରୁ ଜଣାଯାଏ କି ଶାସନର ଅନ୍ତିମ ସମୟକୁ କଳିଙ୍ଗ ଭାଗ ଭାଗ ହୋଇଥିଲା । ଏହାଙ୍କ ପରେ ରାଜରାଜଦେବ ପ୍ରଥମ ୧୦୭୦ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ୧୦୭୭ ଖ୍ରୀଷ୍ଟାବ୍ଦରେ ଚୋଡ଼ଗଙ୍ଗଦେବ କଳିଙ୍ଗ ନଗରଠାରେ ସିଂହାସନ ଗ୍ରହଣ କଲେ । ଖ୍ରୀ : ଅ ୧୧୧୮ ରେ ସେ ଉତ୍କଳ ରାଜ୍ୟ ଅଧି‌କାର କରି ନିଜର ରାଜଧାନୀ କଳିଙ୍ଗନଗରଠାରୁ ଯଯାତୀନଗର (ବହାନଦୀ)କୁ ସ୍ଥାନାନ୍ତରିତ କରିଦେଇଥିଲେ । ୧୧୩୫ ବେଳକୁ ସେ ସାର୍ବଭୌମ ଅଧୀଶ୍ଵର ହୋଇ ଗଙ୍ଗାଠାରୁ ଗୋଦାବରୀ ନଦୀଯାଏଁ ସାମ୍ରାଜ୍ୟ ବିସ୍ତାର କରି ଚକ୍ରବର୍ତ୍ତୀ ବୋଲାଇଥିଲେ ।

 

କବିଚନ୍ଦ୍ର ସାହିତ୍ୟ ସଂସଦ

ଲାଠୁଳି ରଘୁନାଥ ପୁର, ପୋ-ଫାସି,

ଜି-ଗଂଜାମ, ପିନ୍‌୭୬୧୦୩୮

***

 

ସାଂପ୍ରତିକ ଓଡ଼ିଆ ଶିଶୁକବିତାର ଛନ୍ଦ-ବିଭବ

ଶ୍ରୀ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

 

‘ଛନ୍ଦ’ ଶବ୍ଦଟି ସଂସ୍କୃତ ଶବ୍ଦ ‘ଛନ୍ଦମ୍‌’ର ରୁପାନ୍ତର । ବ୍ୟାକରଣଗତ ବ୍ୟୁତ୍ପତ୍ତି ଅନୁସାରେ ‘‘ଛନ୍ଦାୟତି ଆହ୍ଲାଦୟତି ଇତି ଛନ୍ଦଃ’’ ଅର୍ଥାତ୍‌ ଯାହା ପାଠକର ଚିତ୍ତକୁ ଆହ୍ଲାଦ ପ୍ରଦାନ କରେ, ତାହା ଛନ୍ଦ ପଦବାଚ୍ୟ । ଅଭିନବ ଭରତଙ୍କ ମତରେ ଶବ୍ଦମାନଙ୍କର ଗତିର ସଂଯମକୁ ଛନ୍ଦ କୁହାଯାଏ । ଶବ୍ଦପ୍ରବାହର ଶୃଙ୍ଖଳିତ ପଦ୍ଧତିର ଅନ୍ୟନାମ ଛନ୍ଦ । (୧) ସେଥିପାଇଁ ସାହିତ୍ୟଦର୍ପଣାକାର ବିଶ୍ଵନାଥ କୁହନ୍ତି - “ଛନ୍ଦୋବଦ୍ଧଂ ପଦଂ ପଦ୍ୟମ୍‌’’ ଅର୍ଥାତ୍‌ ବିଶିଷ୍ଟ ଛନ୍ଦରେ ଲିଖିତ ପଦକୁ ପଦ୍ୟଭାବରେ ଅଭିହିତ କରାଯାଇଥାଏ ।

 

ଭାଷାକୋଷକାର ଗୋପାଳ ପ୍ରହରାଜ ‘ଛନ୍ଦ’ ଶବ୍ଦଟିକୁ ତିନୋଟି ବିଶିଷ୍ଟ ଅର୍ଥରେ ବ୍ୟବହୃତ କରିଥାନ୍ତି । ତାହା ହେଲା ପ୍ରଥମତଃ - ଏହା ଗୀତର ରାଗିଣୀ, ଦ୍ଵିତୀୟତଃ ଗୀତର ରାଗ, ତୃତୀୟତଃ ଏକ ରାଗିଣୀରେ ବନ୍ଧା ଯାଇଥିବା ଗୀତକୁ ମଧ୍ୟ ବୁଝାଇଥାଏ ।

 

‘ଛନ୍ଦ’ ହେଉଛି ସାହିତ୍ୟର ଧ୍ଵନିତ ରୂପବିଭବ । ଏହି ଛନ୍ଦ ହିଁ କେତୋଟି ଲିପିକୁ ଜୀବନ୍ୟାସ ଦିଏ ।’’ (୨) ତେଣୁ ଛନ୍ଦ ହଁ କବିତାର ଏକ ଜୀବନ୍ତ ଉପାଦାନ ।

 

କବିତାରେ ଛନ୍ଦପ୍ରୟୋଗ ହେବାଦ୍ୱାରା କବିତାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ । ଏକପକ୍ଷରେ ଏହା ଶ୍ରୁତିମଧୁର ହେବା ସଙ୍ଗେ ସଙ୍ଗେ ଶ୍ରୋତାର ପ୍ରାଣକୁ ଆଲୋଡ଼ିତ କରିଥାଏ । ଫଳରେ କବିତା ହୁଏ କାଳଜୟୀ । ଛନ୍ଦହୀନ କାବ୍ୟକବିତା କୃତିମତା ଏବଂ ନିରସତାରେ ପୂରିଉଠେ । ଯଦ୍ୱାରା ତାହା ଏକ ଉନ୍ନତମାନର କବିତା ଭାବରେ ସମାଲୋଚନାର ବହୁ ଉର୍ଦ୍ଧ୍ୱରେ ରହିଯାଏ । ଅତଏବ କବିତା ଏବଂ ଛନ୍ଦ ପରସ୍ପରର ସଂପର୍କ ଅତି ନିବିଡ଼ ।

 

କାହିଁ କେଉଁ ଯୁଗରୁ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ କାବ୍ୟ ଆଜି ପାଠକ ତଥା ଶ୍ରୋତାର ପ୍ରାଣରେ ଆସ୍ଥାନ ଜମାଇ ବସିଛି । ତାର ଅନ୍ତରାଳରେ ରହିଛି ଛନ୍ଦୋବଦ୍ଧତା । ସେହିପରି ରବୀନ୍ଦ୍ରନାଥ ଠାକୁରଙ୍କ କବିତା ବିଶ୍ଵର ପ୍ରତ୍ୟେକ ପାଠକପ୍ରାଣକୁ ଛୁଇଁ ପାରିଲା, କେବଳ ତାର ‘ଛନ୍ଦ’ ପ୍ରୟୋଗ ଯୋଗୁଁ । ଓଡ଼ିଆ ସାହିତ୍ୟର କବିସମ୍ରାଟ ଉପେନ୍ଦ୍ର ଭଂଜ ସ୍ଵକୀୟ କାବ୍ୟସମ୍ଭାରକୁ ବିବିଧ ଛନ୍ଦରେ ରସାପ୍ଲୁତ କରି ଜନମାନସକୁ ହରଣ କରିଥିବାରୁ ଉତ୍କଳମଣି ଗୋପବଂଧୁ ଭଂଜଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଥିଲେ-

 

‘‘ଗାଏ ତୁମ ଗୀତ            ସଭାରେ ପଣ୍ଡିତ

ପଥେ ପାନ୍ଥ ହୃଷ୍ଟ ମନା

ବିଲେ ଗାଏ ଚଷା            ଅନ୍ତଃପୁରେ ଯୋଷା

ନୃତ୍ୟାଙ୍ଗନେ ବାରାଙ୍ଗନା ।’’

 

ଏହା ପଛରେ ଯେଉଁ ସୁପ୍ତ ବୀଜଟି ନିଦ୍ରିତ ଅବସ୍ଥାରେ ରହିଛି, ତାହା ‘ଛନ୍ଦ’ ବ୍ୟତୀତ ଆଉ କିଛି ହୋଇନପାରେ । ଯେଉଁ ଛନ୍ଦର ପ୍ରୟୋଗ ପାଇଁ ଓଡ଼ିଆ ସାହିତ୍ୟରେ ଏକ ଯୁଗର ପ୍ରଚଳନ ହୋଇଥିଲା, ଯାହା କି ରୀତିଯୁଗ ନାମରେ ସୁବିଦିତ । ‘ରୀତି’ ଯେ ‘ଛନ୍ଦ’ର ଅନ୍ତର୍ଭୁକ୍ତ; ତାହା ଯେକେହି ସ୍ଵୀକାର କରିବେ । ଅତଏବ କବିତା ଏବଂ ଛନ୍ଦର ସଂପର୍କକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ କହିଲେ ଭୁଲ ହେବ ନାହିଁ । ଏଥିରୁ ସ୍ପଷ୍ଟ ଅବଧାର୍ଯ୍ୟ ଯେ କବିତା ସହିତ ଛନ୍ଦର ବି ନିବିଡ଼ ସଂପର୍କ ।

 

ଏହି ଦୃଷ୍ଟି କୋଣରୁ ଶିଶୁକବିତା ସହିତ ଛନ୍ଦର ସଂପର୍କକୁ ବିଚାର କରାଯାଉ । ଶିଶୁକବିତାର ଛନ୍ଦ ଏକ ଅଭିନ୍ନ ଅଂଗ । ଏହା କବିତାର ଭାବ ଉପରେ ନିର୍ଭରଶୀଳ । ତେଣୁ ଶିଶୁର ନିତିଦିନିଆ କଥାବାର୍ତ୍ତା ଭାଷାରେ ହିଁ ଶିଶୁକବିତାରେ ଛନ୍ଦର ବ୍ୟବହାର ସମ୍ଭବ ହୋଇଥାଏ । ଅତଏବ ସରଳ ମଧୁର ଛନ୍ଦରେ ଲିଖିତ କବିତା ଶିଶୁପ୍ରାଣକୁ ବେଶ୍‌ ଆକର୍ଷଣ କରିପାରିଥାଏ ।

 

ଶିଶୁ ଆଗରେ ଭାଷାର ଦିଓଟି ବିଭାଗ ବିଦ୍ୟମାନ । ଗୋଟିଏ ଗଦ୍ୟ ଓ ଅନ୍ୟଟି ପଦ୍ୟ । ସେ ସ୍ୱଭାବତଃ ପଦ୍ୟାନୁରାଗୀ ହୋଇ ଉଠେ । ପଦ୍ୟ ହିଁ ଛନ୍ଦୋବଦ୍ଧ କବିତାର ସମାହାର । ତାଛଡ଼ା କବିତା ପଢ଼ିବା ଅପେକ୍ଷା ଗାନ କରିବାକୁ ସେ ବହୁମାତ୍ରାରେ ପ୍ରାଧାନ୍ୟ ଦେଇଥାଏ । ତେଣୁ କେହି କେହି ଶିଶୁ-କବିତାକୁ ‘ଶିଶୁ ଗୀତ’ ବୋଲି କହିବା ଅଧିକ ଯୁକ୍ତି ସଂଗତ ବୋଲି ମତ ଦେଇଥାନ୍ତି । (୩) ଏହି ଛନ୍ଦୋବଦ୍ଧ କବିତା ବା ଗୀତ ମାଧ୍ୟମରେ ଏକ ସ୍ଵପ୍ନିଳ ପରିବେଶ ମଧ୍ୟରେ ଶିଶୁର ମନ ଭୁଲିଯାଇଥାଏ । ଓଡ଼ିଆ- ପ୍ରାଣର ଭାଷା ହିଁ ଶିଶୁ-କବିତା ମାଧ୍ୟମରେ ରୂପାୟିତ ହୋଇଥାଏ । ଅନ୍ୟ ଅର୍ଥରେ କହିଲେ ଶିଶୁ କବିତା-ଗୁଡ଼ିକ ଛନ୍ଦୋବଦ୍ଧ ହେବା ଦ୍ୱାରା ସାଙ୍ଗୀତିକତା ଲାଭ କରିଥାଏ ।

 

‘‘କବିତାର ଭାବ ଛନ୍ଦହୀନ ଭାଷାରେ ବ୍ୟକ୍ତ ହେଲେ ଯେତିକି ହୃଦୟଗ୍ରାହୀ ହୁଏ, ତଦୁପଯୋଗୀ ଛନ୍ଦରେ ବ୍ୟକ୍ତ ହେଲେ ତାହା ଅପେକ୍ଷା ଅଧିକ ଶିଶୁମନଗ୍ରାହୀ ହୋଇଥାଏ । ଛନ୍ଦର ଏହି ଗୁଣପାଇଁ କବିତାରେ ତାର ଆଦର ଅଧିକ ।’’ (୪) ଅତଏବ ଶିଶୁ କବିତା ସହିତ ‘ଛନ୍ଦ’ର ସଂପର୍କ ଅତି ଘନିଷ୍ଠ । କାରଣ ଏଥିରେ ଧ୍ୱନିମେଳ ରହୁଥିବାରୁ ଇଂରାଜୀରେ ଏପରି କବିତା Rhyme ବା song ଭାବରେ ଆଖ୍ୟାୟିତ । ଅନ୍ୟଅର୍ଥରେ ଶିଶୁ କବିତାରେ ଛନ୍ଦ ଏକ ଜୀବନିକା ଶକ୍ତି।

 

ସାଂପ୍ରତିକ ଶିଶୁକବିତାରେ ‘ଛନ୍ଦ’ର ପ୍ରକାର :

ଶିଶୁକବିତା ରଚନାର ଏକ ବିଶେଷତ୍ୱ ହେଲା ‘ଛନ୍ଦ’ ଉପଧା ମିଳନ ଦ୍ୱାରା କବିତାର ଲାଳିତ୍ୟ ବୃଦ୍ଧିପାଇବା ସଙ୍ଗେ ସଙ୍ଗେ ସୁଶ୍ରାବ୍ୟ ହୋଇଥାଏ । ‘ପ୍ରତ୍ୟେକ ଭାଷା ଉଚ୍ଚାରଣର ସ୍ଵତନ୍ତ୍ରତା ଦୃଷ୍ଟିରୁ ଛନ୍ଦର ରୀତି ମଧ୍ୟ ଭିନ୍ନରୂପ ଧାରଣ କରିଥାଏ ।’’ (୫) ସାଂପ୍ରତିକ ଶିଶୁକବିତାରେ ପରିଦୃଷ୍ଟ ହେଉଥିବା ଛନ୍ଦକୁ ନିମ୍ନପ୍ରକାରରେ ବିଭକ୍ତ କରାଯାଇଥାଏ । ଯେହେତୁ ଏହା ଲୌକିକ ଛନ୍ଦର ଅନ୍ତର୍ଭୁକ୍ତ: ତେଣୁ ତାହାକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇପାରେ । ଯଥା - ‘ମାତ୍ରିକ’ ଓ ‘ବର୍ଣ୍ଣିକ’ ।

 

ମାତ୍ରିକ ଛନ୍ଦ ବା ଲଘୁଗୁରୁ ଛନ୍ଦ :

ଏହି ଛନ୍ଦ ବର୍ଣ୍ଣମାନଙ୍କ ମାତ୍ରାଗୁଡ଼ିକର ସଂଖ୍ୟାଦ୍ୱାରା ନିୟନ୍ତ୍ରତ ହୋଇଥାଏ । ହ୍ରସ୍ୱସ୍ଵର ମାତ୍ରା ବିଶିଷ୍ଟ ‘କ’ ଠାରୁ ‘ହ’ ପର୍ଯ୍ୟନ୍ତ ବର୍ଣ୍ଣ ଏକମାତ୍ରା ହେଲାବେଳେ; ଦୀର୍ଘ ସ୍ଵରଯୁକ୍ତ ‘କ’ ଠାରୁ ‘ହ’ ପର୍ଯ୍ୟନ୍ତ ବର୍ଣ୍ଣ ଦୁଇମାତ୍ରା ବିଶିଷ୍ଟ ବର୍ଣ୍ଣଭାବେ ଗୃହୀତ । କବି ନନ୍ଦକିଶୋର ବଳଙ୍କ ଶିଶୁଗୀତ ଗୁଡ଼ିକ ଏହି ସ୍ଵରମାତ୍ରିକ ଛନ୍ଦରେ ଲିଖିତ । ‘ଘରଚଟିଆ’, ‘ଏ ଟୋକାଟି କିଏରେ’, ‘ମୁହଁ ଦୁହିଁଙ୍କର ସୁନା ପଇତା’ ପ୍ରଭୃତି କବିତାରେ ଏହି ସ୍ଵରମାତ୍ରିକ ଛନ୍ଦର ପ୍ରୟୋଗ ପରିଲକ୍ଷିତ ହୁଏ ।

 

ଯଥା -

‘‘ଶେଯେ ଶୋଇ ହସୁଥାଏ ଏ ଟୋକାଟି କିଏରେ

କଜଳପାତି କହିଯାଇଛି ମୁଣ୍ଡରେ ଲୁଗା ଦେରେ ।’’

(ଏ ଟୋକାଟି କିଏରେ : ନନ୍ଦକିଶୋର ଗ୍ରନ୍ଥାବଳୀ : ପୃ. ୬୮୩)

 

ବର୍ଣ୍ଣ ବା ଅକ୍ଷର ସଂଖ୍ୟାର ସମତା ପ୍ରତି ଲକ୍ଷ୍ୟରଖି ପଦ୍ୟର ପ୍ରତ୍ୟେକ ଚରଣ ରଚିତ ହେଲେ, ତାହାକୁ ବର୍ଣ୍ଣିକ ଛନ୍ଦ କୁହାଯାଏ । ଯଥା –

 

“ପବନ ବହେ ସୁଉ ସୁଉ ସୁଉ

ନଈର ଗତି ଘୁଉ ଘୁଉ ଘୁଉ ।’’

(ପୁଣ୍ୟପ୍ରଭା ଦେବୀ : ପିଲାଙ୍କ ମେଘଦୂତ/ ‘ଝଡ଼’ କବିତା ପୃ : ୨୬)

 

ତେବେ ମୁଖ୍ୟତଃ ଛନ୍ଦକୁ ଦୁଇଭାଗରେ ବିଭକ୍ତ କରାଯାଏ । ଯଥା - ମିତ୍ରାକ୍ଷର ଓ ଅମିତ୍ରାକ୍ଷର । ମିତ୍ରାକ୍ଷର ଓ ଅମିତ୍ରାକ୍ଷର ଛନ୍ଦ ସଂପର୍କରେ ସଚେତନ ହୋଇ କବିତା ଲେଖିବା ଦ୍ୱାରା ତାହା ଶ୍ରୁତି ମଧୁର ହେବା ସଙ୍ଗେ ସଙ୍ଗେ ପାଠ କରିବାରେ ସହଜ ହୁଏ ।

 

ମିତ୍ରାକ୍ଷର ଛନ୍ଦ କବିତାର ପ୍ରାଣ । ନାନାବାୟା ଗୀତଗୁଡ଼ିକ ସମ ଓ ବିଷମ ଉଭୟ ଛନ୍ଦରେ ରଚିତ ହୋଇଥିବାର ଦେଖାଯାଏ । ପାରଂପରିକ ଛନ୍ଦ ସହିତ ସମତା ରକ୍ଷାକରି ଅନେକ ଶିଶୁକବିତା ରଚନା କରାଯାଇଛି । ସେଥିମଧ୍ୟରୁ ବଙ୍ଗଳାଶ୍ରୀ ଛନ୍ଦଟି ଅନ୍ୟତମ । କୋଡ଼ିଏ ଅକ୍ଷର ବିଶିଷ୍ଟ ଦୁଇପାଦିଆ ଏଇ ଛନ୍ଦଟିର ବହୁଳ ବ୍ୟବହାର ହୋଇଥିବାର ଦେଖାଯାଏ । ଯଥା -

 

“ବିଲରେ ପାଟଇ ରଙ୍ଗଣୀ ଧାନ ଗୋ

      ହୋଓରେ ବାଇଆ ହୋଓ ।

ଯେଉଁ କିଆରିରେ ବହୁତ ଧାନ ତୁ ।

      ସେଇ କିଆରିରେ ଶୋଓ ॥

(ନନ୍ଦକିଶୋର ବଳ- ନାନା ବାୟାଗୀତ ପୃ : ୬୫୯)

 

ଏ କବିତାଟି ଦୁଇପାଦ ବିଶିଷ୍ଟ । ପ୍ରତ୍ୟେକ ପାଦ କୋଡ଼ିଏ ଅକ୍ଷର ବିଶିଷ୍ଟ । ପ୍ରତ୍ୟେକ ପାଦର ୬ଷ୍ଠର ୧୨ଶ, ୧୮ଶ ଓ ଶେଷ ଅକ୍ଷରରେ ଯତିପାତ ଘଟିଥାଏ ।

 

ବେଳେ ବେଳେ କବିତାର ପାଦରେ ଅସମାନ ଅକ୍ଷର ଥଲେ ମଧ୍ୟ ‘ଭାବଗତି' ଯତିପାତର ନିୟମକୁ ନିୟନ୍ତ୍ରଣ କରିଥାଏ । ଏଗୁଡ଼ିକ ବ୍ୟକ୍ତିକୈନ୍ଦ୍ରିକ ଓ ଭାବକୈନ୍ଦ୍ରିକ ହୋଇଥିବାରୁ ଯତିପାତ ମଧ୍ୟ ବ୍ୟକ୍ତି ଭିତ୍ତିକ ହୋଇଥାଏ ।

 

ଯଥା

‘‘କୁଉ’’ କୁଉ’ କଜଳପାତି

ଦେ’ ଲୋ’ ମାଉସୀ ଭାତ ଦୁଅଟି ।’’

(ଉତ୍କଳଗାଉଁଲି ଗୀତ : ଚକଧ୍ରର ମହାପାତ୍ର)

 

‘‘ନାନା ବାୟା କବିତାର ଅଧିକାଂଶ କବିତା ମିତ୍ରାକ୍ଷର ହେଲେ ହେଁ କେତେକ ସ୍ଥଳରେ ଗୀତର ବିଭିନ୍ନ ଚରଣ ସମାନ ଅକ୍ଷର ବିଶିଷ୍ଟ ନୁହେଁ । ତେଣୁ ଗାନସମୟରେ ସ୍ଵରକୁ ଗୁରୁଲଘୁ କରିବାକୁ ପଡ଼ିଥାଏ । ଫଳରେ ସ୍ଵରର ହ୍ରାସ ବୃଦ୍ଧି ଯୋଗୁଁ ଯତିପାତରେ କୌଣସି ଅସୁବିଧା ଘଟି ନଥାଏ । ଶେଷ ଅକ୍ଷରରେ ପ୍ରତ୍ୟେକ ପାଦର ଯତିପାତ ହୋଇଥାଏ । (୬)

 

‘‘ପିଲାକୁ କୋଳରେ ବସାଇ ଝୁଲାଇବା, ପିଲାର ଦୁଇ ହାତଧରି ତାଳିମାରିବା, ତାକୁ ଉପରତଳ କରି ନଚେଇବା ପ୍ରଭୃତି କାର୍ଯ୍ୟଦ୍ଵାରା ମଧ୍ୟ ଗୀତର ଯତିପାତକୁ ନିୟନ୍ତ୍ରିତ କରିଥାଏ ।’’ (୭)

 

ଯଥା      

‘‘ଝୁଲରେ’’ ହାତୀ’ ଝୁ-ଲୁ’

ବାଆ’ ପାଣିଖାଇ’ ଫୁଲ’ ।’’

 

ଏତଗଲା ଯତିପାତ କଥା । ପାଦ ବା ଚରଣ ଭେଦରେ ଶିଶୁକବିତାରେ ନାନା ପ୍ରକାର ଛନ୍ଦର ପ୍ରୟୋଗ କରାଯାଇଥାଏ । ଏଥିରୁ ଅନେକ କବିତା ଦୁଇପାଦ ବିଶିଷ୍ଟ ହୋଇଥାଏ ।

 

ଯଥା      

‘‘ମେଘ ଏବେ ପଇଲା

ନଈବଢ଼ି ଆଇଲା’’

(ପୁଣ୍ୟପ୍ରଭା ଦେବୀ : ପିଲାଙ୍କ ମେଘଦୂତ : ପୃ : ୧୯)

 

ତିନିପାଦ ବିଶିଷ୍ଟ କବିତା -

‘‘ଝର ଝର ବରଷା

ଭୁଇଁ କରେ ସରସା ।

ଗଛଲତା ଜୀବଜନ୍ତୁ ସବୁରି ସେ ଭରସା ।’’

(ନାଲି ସୂରୁଜ ବୁଣେ ମୁରୁଜ - ପ୍ରମିଳା ନାୟକ)

 

ଚାରି ପାଦିଆ କବିତା -

‘‘ଭାଇ ମୋର ଦୁଇଜଣ ଦାରା ସିଂ କିଂ କଂ

ଜଣେ ବଡ଼ ଅଳସୁଆ ଆଉଜଣେ ଚଂ ଚଂ ।’’

କୁସ୍ତିତ ଜଣା ନାହିଁ ଜଣାଖାଲି ପିଂ ପଂ

ଜଣେ ଥାଏ ଲଣ୍ଡନ ଜଣେ ଥାଏ ହଂ କଂ’’

(ମୋ ଭାଇ, ମୋ ଭଉଣୀ, ମୋ ବଂଧୁ, ମୋ ସାଥୀ’’ ରାମ ପ୍ରସାଦ ମହାନ୍ତି)

 

ପାଞ୍ଚପାଦ ବିଶିଷ୍ଟ କବିତା-

ମୁଢ଼ି ନଡ଼ିଆରେ ମୁଢ଼ି ନଡ଼ିଆ ।

ତୁମେ ଦୁହେଁ କିଆଁ ଏତେ ବଢ଼ିଆ ?

ବାଇପରି ହୋଇ ଆମେ ଯାଉଁ ଧାଇଁ

ଦାଣ୍ଡପଟେ ସେବେ ଡାକେ ଗୁଡ଼ିଆ

ବଡ଼ ବଢ଼ିଆରେ ମୁଢ଼ି ନଡ଼ିଆ’’

(ମୁଢ଼ି ନଡ଼ିଆ - ଉପେନ୍ଦ୍ର ତ୍ରିପାଠୀ)

 

ସେହପରି ଛଅ ପାଦିଆ କବିତା ଭାବରେ ରମେଶ ଭଞ୍ଜଙ୍କର ‘‘ଆମରି ପାଇଁ’’ କବିତାଟିକୁ ଲକ୍ଷ୍ୟ କରନ୍ତୁ ।-

 

‘‘କିଏ ସେ ତୁମେ ? ଜାଣିନୁ ଆମେ

କେଉଁଠି ଥାଅ ? କଅଣ ଖାଅ ?

କିପରି କର ଏତେ ବେପାର ଜଗତ ସାଇଁ

ଭାବିଲେ ସେକଥା ଭାରି ହୋଇ ମଥା ପଡ଼ଇ ନଇଁ’’

 

ବେଳେ ବେଳେ ଦୁଇଟି ପଦ ସହିତ ଆଉ ଏକ ପ୍ରଶ୍ନସୂଚକ ପଦ ମିଶାଯାଇ ଏକ ଦୀର୍ଘପଦର ସଂଯୋଜନା କରାଯାଇଥାଏ ସେପରି କବିତା ଭାବରେ କୃଷ୍ଣଚନ୍ଦ୍ର କରଙ୍କର ‘‘ଭଲ କି କରିନି ମୁହିଁ’’କୁ ନିଆ ଯାଇପାରେ ।

 

‘‘ସ୍ଵର ପ୍ରବାହ’’ ଶିଶୁ କବିତାର ପ୍ରାଣସ୍ପନ୍ଦନ । ଏହି ସ୍ଵର ପ୍ରବାହକୁ ଧୀର ଓ ଦ୍ରୁତ, ଏହି ପରି ଦୁଇଟି ବିଭାଗରେ ବିଭକ୍ତ କରାଯାଇପାରେ । ‘‘ଧୀରସ୍ଵର ପ୍ରବାହରେ ସ୍ଵରର ଗତି ଧୀର ହେବାଦ୍ୱାରା ଏହା ଦୀର୍ଘ ହୋଇଥାଏ ଏବଂ ସେ ଯେଉଁ ମୂର୍ଚ୍ଛନା ତୋଳେ, ଏଥିରେ ସରଳ ଶିଶୁପ୍ରାଣ ଦ୍ରବୀଭୂତ ହୋଇଥାଏ ।’’ ଏଥିସହିତ ସ୍ଵରର ‘ଆରୋହ’ ଓ ‘ଅବରୋହ’ ମଧ୍ୟ ଧୀରଗତି ସଂପନ୍ନ ହୋଇଥାଏ ।

 

ଆରେ ଜହୁମାମୁଁ ସରଗ ଶଶୀ ।

ମୋ କାହ୍ନୁ, ହାତରେ’ ପଡ଼ରେ ଖସି ।

 

ମାତ୍ର ଦ୍ରୁତସ୍ଵର ପ୍ରବାହରେ ସ୍ୱରର ଆରୋହ ଓ ଅବରୋହ ଦ୍ରୁତ ବେଗରେ ହୋଇଥାଏ ।

ଯଥା –

 

ତାକ୍‌ ଧିନା ଧିନ୍‌, ତାକ୍‌ ଧିନା ଧିନ୍‌

ତାକ୍‌ ଧିନା ଧିନ୍‌ ନାଟରେ

ସମସ୍ତେ ପିନ୍ଧିଲେ ଛିଣ୍ତା କୋତରା

କାହ୍ନୁ ପିନ୍ଧିଲା ପାଟରେ ।’’

 

ସ୍ଵର ପର୍ବ ବା ଏକକ ଯେତେ କ୍ଷୁଦ୍ର ହେବ, ସେତେ ଭଲ । ଏହାଦ୍ୱାରା ଶିଶୁ କବିତାଟିରୁ ସହଜରେ ଗ୍ରହଣ କରି ନେଇଥାଏ । ଯଥା –

 

‘‘ଆମ ମାମୁନି

ଶୀତ ନମାନି

ବୁଲୁଛି ଘର ବାହାର

ମାଆ ଖୁସିରେ

ପିନ୍ଧାଇ ଦେଲେ

ସୁଇଟରଟି ତାହାର ।’’

(ଶିଶୁସଂଗୀତ ପୃ : ୬)

 

ରାମକୃଷ୍ଣ ନନ୍ଦଙ୍କର ‘‘ବଗବଗୁଲି’’ କବିତା ଏଇ ଶ୍ରେଣୀୟ ।

 

ମୌଖି‌କ ଶିଶୁଗୀତ ଛନ୍ଦରେ ପ୍ରଭାବ :

‘‘ମୌଖିକ ଶିଶୁ ଗୀତର ସାଙ୍ଗୀତିକ ମୂଲ୍ୟ ସର୍ବାଧିକ ଶିଶୁମନରେ ଭାବର ଆବେଗ ଏହି ସବୁ ଗୀତର ଛନ୍ଦକୁ ନିୟନ୍ତ୍ରଣ କରିଥାଏ ।’’ (୯) ସ୍ଵର ମାତ୍ରିକ ଛନ୍ଦରେ ଏହା ବୋଲାଯାଇଥାଏ । ମୌଖିକ ଶିଶୁଗୀତ ଛନ୍ଦର ପ୍ରଭାବ ସାଂପ୍ରତିକ ଲିଖିତ ଶିଶୁକବିତାରେ ଅନେକାଂଶରେ ପଡ଼ିଥିବାର ଦୃଷ୍ଟି ଗୋଚର ହୁଏ ।

 

ମୌଖିକ ଶିଶୁଗୀତ ‘ବିଲୁଆ ନନାରେ ବିଲୁଆ ନନା’ ର ଛନ୍ଦ ନାରାୟଣ ମିଶ୍ରଙ୍କ ‘ବିଲୁଆନନା’ ଗୀତ ଉପରେ ପ୍ରଭାବ ପକାଇଛି । ସେହିପରି ‘‘ଉଡ଼ିଗଲେ ଗେଣ୍ଡାଳିଆ’’ ଗୀତଛନ୍ଦର ପ୍ରଭାବ ରାମକୃଷ୍ଣନନ୍ଦଙ୍କ ‘‘ରାଜାଙ୍କ ଶିକାର’’ ଗୀତରେ ପୂର୍ଣ୍ଣତଃ ପଡ଼ିଛି ।

 

‘‘ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲେ ପକ୍ଷୀ

ରାଜାଯିବେ ମୃଗମାରି କାହିଁଗଲେ ରକ୍ଷୀ ।’’

(ଝୁମୁକା : ପୃ: ୨୮ ପରିବର୍ଦ୍ଧିତ ସଂସ୍କରଣ - ୧୯୮୦)

 

‘ଡାମରାକାଉ’ ଓ ‘ମେଘ ପକାଇଲା ଟପରଟପର’ ଗୀତର ଛନ୍ଦ ନନ୍ଦକିଶୋର ସଂପୂର୍ଣ୍ଣ ଭାବେ ଗ୍ରହଣ କରିଅଛନ୍ତି ।

 

ମୌଖିକ ଗୀତର ଛନ୍ଦକୁ ଲିଖିତ ଗୀତର ପ୍ରଥମାଂଶରେ ଅବିକଳ ଗ୍ରହଣ କରିନେଇ ସାଂପ୍ରତିକ କାଳର ଶିଶୁ ସାହିତ୍ୟିକମାନେ ଶିଶୁକବିତା ରଚନା କରିଛନ୍ତି । ତାର ମୁଖ୍ୟ କାରଣ ହେଲା ପିଲାମାନେ ପୂର୍ବ ପରିଚିତ ମୌଖିକଗୀତର ଛନ୍ଦ ସହିତ ଏତେଦୂର ଅଭ୍ୟସ୍ତ ହୋଇଥାନ୍ତି ଯେ, ସେମାନଙ୍କୁ ଏ ନୂତନ ଲିଖିତ ଗୀତର ସ୍ଵର ବା ଛନ୍ଦ ଶିଖାଇବାକୁ ପଡ଼ି ନଥାଏ କି ସୂଚନା ମଧ୍ୟ ଦିଆଯାଇ ନଥାଏ । ସେମାନେ ଆପେ ଆପେ ନିଜର ପରିଚିତ ସ୍ଵର ସହିତ ମେଳାଇ କବିତାକୁ ଗାଇଥାନ୍ତି । ତେଣୁ ମୌଖିକ ଗୀତ ଛନ୍ଦର ପ୍ରଭାବ ସାଂପ୍ରତିକ କବିତାରେ ପଡ଼ିବା ସ୍ଵାଭାବିକ ।

 

ଗୋପାଳଚନ୍ଦ୍ର ପ୍ରହରାଜଙ୍କ ‘ଟୁଉକୁ ମୂଷି’ ନନ୍ଦକିଶୋରଙ୍କ ‘ହୋଓରେ ବାଇଆ ହୋଓ’, ନୀଳକଣ୍ଠ ଦାସଙ୍କର ‘ମୋ ରାଜା’, ଚକ୍ରଧର ମହାପାତ୍ରଙ୍କର ‘ଖରାମା ଖରେଇଦେ’, କବିଚନ୍ଦ୍ର କାଳିଚରଣଙ୍କର ‘ଆ ଜହ୍ନଁମାମୁ ଶରଗ ଶଶୀ’, ‘ଧୋରେ ବାଇଆ ଧୋ’, ଉପେନ୍ଦ୍ର ତ୍ରିପାଠୀଙ୍କର ‘ବାଇଚଢ଼େଇ’, ‘ଗା ଲୋ ବେଙ୍ଗୁଲି ଗା’, ଉଦୟନାଥ ଷଡ଼ଙ୍ଗୀଙ୍କର ‘ଚକାଚକା ଭଉଁରୀ’, ରାମକୃଷ୍ଣ ନନ୍ଦଙ୍କର ‘ହାତୀ ନେ ଘୋଡ଼ା ନେ’, କୁଞ୍ଜ ବିହାରୀ ଦାଶଙ୍କର ‘ଉଦୁ ଉଦୁମା’, ସ୍ନେହଲତା ମହାନ୍ତିଙ୍କର ‘ବାଇଆ ମାଆ ଲୋ’, ନିରଞ୍ଜନ ବେହେରାଙ୍କର ‘ନିଦମାଉସୀ’, ପୁଣ୍ୟପ୍ରଭା ଦେବୀଙ୍କର ‘ଟପର ଟପର’ ଆଦି କବିତାର ଛନ୍ଦ ମୌଖିକ ଗୀତ ଛନ୍ଦର ପ୍ରଭାବରେ ପ୍ରଭାବିତ ।

 

ସାଂପ୍ରତିକ ଶିଶୁକବିତାରେ ଛନ୍ଦର ବୈଶିଷ୍ଟ୍ୟ :

ଶିଶୁ, କବିତା ପ୍ରିୟ । ତାପାଇଁ ଲିଖିତ କବିତାଗୁଡ଼ିକ ସରଳ ମଧୁର ଛନ୍ଦରେ ରୂପାୟିତ ହେବା ଏକାନ୍ତ ଆବଶ୍ୟକ । ସାଂପ୍ରତିକ ଶିଶୁକବିତାରେ ଯେଉଁ ସବୁ ଛନ୍ଦର ପ୍ରୟୋଗ କରାଯାଇଛି; ସେଥିମଧ୍ୟରୁ ଅଧିକାଂଶ କବିତା ଶାସ୍ତ୍ରୀୟଛନ୍ଦ ‘ବଙ୍ଗଳାଶ୍ରୀ’ରେ ଲିଖିତ । ଏତଦ୍‌ଭିନ୍ନ ଚକ୍ରକେଳି ଛନ୍ଦରେ ଲିଖିତ ପୁଣ୍ୟପ୍ରଭା ଦେବୀଙ୍କର ‘ବାପା ନା ପିତା’, ରାମକୃଷ ନନ୍ଦଙ୍କର ପ୍ରାର୍ଥନା କବିତା ‘ଆହେ ଦୟାମୟ ବିଶ୍ଵବିହାରୀ’ ଡକ୍ଟର କୃତ୍ତିବାସ ନାୟକଙ୍କର ‘ନିଜ ଅଧିକାର ଜାଣିଛି ଯିଏ’, ଡକ୍ଟର ମନୋରମା ମହାପାତ୍ରଙ୍କର ‘ଇଞ୍ଚୁଡ଼ି ମିଞ୍ଚୁଡ଼ି’ ମଧ୍ୟ ଉଲ୍ଲେଖ ଯୋଗ୍ୟ । ତାଛଡ଼ା ନବାକ୍ଷରୀ ଛନ୍ଦ (ନନ୍ଦକିଶୋରଙ୍କର ‘ଆକାଶ’ କବିତା) ଗଣନା ଛନ୍ଦର ପ୍ରୟୋଗ ମଧ୍ୟ ଦେଖିବାକୁ ମିଳେ । ଏହାକୁ ମଧ୍ୟ ତାଳିଛନ୍ଦ ନାମରେ ନାମିତ କରାଯାଇଥାଏ ।

 

ପାରଂପରିକ ଛନ୍ଦ ବ୍ୟତୀତ ଅନେକ ନୂତନ ଛନ୍ଦର ପ୍ରୟୋଗ ମଧ୍ୟ ସାଂପ୍ରତିକ ଶିଶୁକବିତାରେ ଦେଖିବାକୁ ମିଳିଥାଏ । ବିଶେଷତଃ ସେଗୁଡ଼ିକ ପାରଂପରିକ ଛନ୍ଦର ମିଶ୍ରିତ ରୂପ । ଏ ପରିପ୍ରେକ୍ଷୀରେ ରାଜକିଶୋର ପାଢ଼ୀଙ୍କର ‘‘ମୂଲିଆର ସଂସାର’’ କବିତାଟିକୁ ଉଦାହରଣକୁ ନିଆଯାଇପାରେ ।

 

ଯଥା –

‘ଘରେ ଧାନ ନାହିଁ ଚୁଲିରେ ଦେବାକୁ ଗୋଟିଏ

ବଣାରେ ଚାଉଳ ନାହିଁ କାଲିପାଇଁ ମୁଠିଏ’ ।

(‘ସଂସାର’, ଡିସେମ୍ବର ୧୯୯୬ ପୃ : ୧୩)

 

ନିକୁଞ୍ଜ କାନୁନୁଗୋଙ୍କ ‘ଚାଲି’ କବିତାଟି ଏହି ଛନ୍ଦର ଅନ୍ତର୍ଭୁକ୍ତ । ସେହିପରି ଡକ୍ଟର ମହେଶ୍ଵର ମହାନ୍ତିଙ୍କର ‘‘ଦୁଇଟି ଛେଳି’’ କବିତାଟିକୁ ଲକ୍ଷ୍ୟ କରନ୍ତୁ ।

 

ଛାଡ଼ି ଦେ ବାଟ କହୁଛି ଭଲେ

ପହିଲେ ଯିବି ମୁହଁ

ନଇଲେ ମୁଣ୍ତ କରିବି ଛତୁ

ଗଡ଼ିବୁ ଯାର ଭୂଇଁ

ଦିନକର ଏକଥା ।

ଦୁଇଟି ଛେଳି କରିଲେ କଳି ।

ମଥାରେ ଯୋଡ଼ି ମଥା ॥

 

ସେହିପରି ଭାଗବତ ବାଣୀର ମିଶ୍ରିତ ରୂପ –

 

ବୀରକିଶୋରପାଢ଼ୀଙ୍କର ‘‘ଆମ ମୁଲକର ମଣି’’ କବିତାଟିକୁ ଦେଖନ୍ତୁ -

 

‘‘ଶୁଣିବକି ପିଲେ ଶୁଣିବ ।

ମାନଚିତରଟି ଆଣିବ

କାହିଁ କୋରାପୁଟ, କାହିଁ କନ୍ଧମାଳ

ନକ୍‌ସାରୁ ସବୁ ଜାଣିବ ।’’

 

ବଙ୍ଗଳାଶ୍ରୀର ମିଶ୍ରିତ ରୂପ (୨୧ ଅକ୍ଷର ବିଶିଷ୍ଟ) ବାଞ୍ଛାନିଧି ଦାଶଙ୍କର ‘‘ପହଲି ପଞ୍ଚକ’’ କବିତାକୁ ଉଦାହରଣ ଭାବେ ନିଆଯାଇପାରେ ।

 

ଯଥା -

‘‘ପହଡ଼େ ହେଲାଣି ଦଶମୀ ଜହ୍ନଟି

ବାରି ଆମ୍ବତୋଟା ପଛରେ

ବୁଡ଼ିଲାଣି ଆଉ ବହଳ ଅନ୍ଧାର

ନାହିଁ ବାଡ଼ି ବେଲ ଗଛରେ ।’’

 

‘‘ଚତୁର୍ଦ୍ଦଶାକ୍ଷରୀ’’ ଛନ୍ଦରେ ଲିଖିତ ଅନେକ ଶିଶୁକବିତା ମଧ୍ୟ ଦୃଷ୍ଟିଗୋଚର ହୁଏ । ସେଥିମଧ୍ୟରୁ ବଟକୃଷ୍ଣ ଓଝାଙ୍କର ‘‘ବୁଲୁର ଭୁଲ’’ ସ୍ନେହଲତା ମହାନ୍ତିଙ୍କର ‘‘ଡର ନାହିଁ’’ କବିତାଟିକୁ ଉଦାହରଣ ଭାବେ ନିଆଯାଇପାରେ । ଯଥା-

 

‘‘ଡର ନାହିଁ ଯେବେ କହିବାକୁ ସତକଥା

ସତ କହେ ଯିଏ ନୁଏଁ ନାହିଁ ତା’ର ମଥା ।’’

(ଶିଶୁ କବିତା ସଂକଳନ ୨ୟଭାଗ : ପୃ : ୩୩)

 

ସେହିପରି ‘‘ନଟବାଣୀ ବା ବିଭାସ କେଦାର’’ ଛନ୍ଦରେ ଅନେକ କବିତା ଲିଖିତ । ରାମକୃଷ୍ଣ ନନ୍ଦଙ୍କର ‘‘କର୍ମ ଗୀତିକା’’ କବିତାଟି ଏହାର ପ୍ରକୃଷ୍ଟ ଉଦାହରଣ ।

.

‘‘ଚୋଖୀ’’ ଛନ୍ଦରେ ଲିଖିତ କବିତା ମଧ୍ୟ ଦୃଷ୍ଟି ଗୋଚର ହୁଏ । ରାମକ୍ଷ ନନ୍ଦଙ୍କର ‘ଚିତ୍ରକର’ କବିତାଟି ଏହାର ଉଦାହରଣ ।

 

‘‘ପଞ୍ଚଦଶାକ୍ଷର’’ ବିଶିଷ୍ଟ ଛନ୍ଦରେ ଲିଖିତ ଅନେକ କବିତା ମଧ୍ୟରୁ ଡକ୍ଟର ମନୋରମା ମହାପାତ୍ରଙ୍କ ‘‘ଟିକିଫୁଲ’’ କଥା କହ’’ କବିତାଟି ଏହି ଶ୍ରେଣୀୟ ।

 

ପୁରାଣ ଛନ୍ଦ - ‘‘ଷୋଡ଼ଶାକ୍ଷରୀ’’ ଛନ୍ଦରେ ଲିଖିତ କବିତା ମଧ୍ୟ ସାଂପ୍ରତିକ ଶିଶୁକବିତାରେ ଦୃଷ୍ଟିଗୋଚର ହୁଏ । ଡକ୍ଟର କୃତ୍ତିବାସ ନାୟକଙ୍କର ‘‘ନିଜ ଗଢ଼ା ଘର ବଡ଼ ସୁନ୍ଦର’’ କବିତାଟି ଏହି ଶ୍ରେଣୀର ।

 

ସତର ଅକ୍ଷର ବିଶିଷ୍ଟ ଏକ ନୂତନ ଛନ୍ଦର ପ୍ରୟୋଗ ମଧ୍ୟ ସାଂପ୍ରତିକ ଶିଶୁକବିତାରେ ପରିଦୃଷ୍ଟ ହୋଇଥାଏ । ସେଥିମଧ୍ୟରୁ ଯଦୁନାଥ ଦାଶମହାପାତ୍ରଙ୍କ ‘‘ରଙ୍ଗ’’, ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂଙ୍କର ‘‘ସ୍ଲେଟଭିକ୍ଷା’’ କବିତା ଏଇ ଶ୍ରେଣୀର ଅନ୍ତର୍ଭୁକ୍ତ ।

 

ଏତଦ୍‌ଭିନ୍ନ କେତେକ କବିତା ବାଇଶି ଅକ୍ଷର, ଉଣେଇଶି ଅକ୍ଷର ବିଶିଷ୍ଟ ଛନ୍ଦରେ ଲିଖିତ ହୋଇଥିବାର ଦେଖାଯାଏ ।

 

ଏହିପରି ଭାବରେ ଦେଖିଲେ ସାଂପ୍ରତିକ ଶିଶୁକବିତା ନିଜସ୍ଵ ଛନ୍ଦ ବିଭବରେ ରୂପାୟିତ ହେଲେ ମଧ୍ୟ ପାରଂପରିକତାରୁ କୌଣସି ଗୁଣରେ ମୁକ୍ତ ନୁହେଁ । ସାଂପ୍ରତିକ କବିମାନେ ନିଜର ରଚନାରେ ପୂର୍ବ ପ୍ରଚଳିତ ଗୀତଛନ୍ଦର ଯାଦୁସ୍ପର୍ଶ ଟିକକ ଦେବା ଉଦ୍ଦେଶ୍ୟରେ ପାରଂପରିକ ଶିଶୁସଂଗୀତରୁ କିଛି ସଂଯୋଗକରି ନୂତନ ରୂପରେ ରୂପାୟିତ କରିଛନ୍ତି । ଏଗୁଡ଼ିକରେ ପ୍ରୟୋଗ ହୋଇଥିବା ଛନ୍ଦ, ପଠନ ତଥା ଆବୃତ୍ତି ପାଇଁ ଉଦ୍ଦିଷ୍ଟ ।

 

ପରିଶେଷରେ ଏତିକି କୁହାଯାଇପାରେ ଯେ ସାଂପ୍ରତିକ ଓଡ଼ିଆ ଶିଶୁକବିତାର ଛନ୍ଦ ଶିଶୁକୁ ପରିତୃପ୍ତି ଦେବା ପାଇଁ ଉଦ୍ଦିଷ୍ଟ । ଏଣୁ ଏହି ଛନ୍ଦଯୋଜନା ରସ ଓ ଭାବର ଅନୁକୂଳ ହେବାଦ୍ୱାରା ଅଗଣିତ ଶିଶୁପାଠକ ଓ ଶ୍ରୋତା ପ୍ରାଣରେ ଅପୂର୍ବ ପୁଲକ ଜଗାଇ ପାରିଛି । ତେବେ କେଉଁ କବିତାରେ କି ପ୍ରକାର ଛନ୍ଦର ପ୍ରୟୋଗ ହେବ; ତାହା କବିଙ୍କର ବ୍ୟକ୍ତିଗତ ପ୍ରୟୋଗ କୁଶଳତା ଓ ସୂକ୍ଷ୍ମ ଦୃଷ୍ଟିଭଙ୍ଗୀ ଉପରେ ନିର୍ଭର କରିଥାଏ । କଥାବସ୍ତୁ ଓ ଭାବର ଗତି ‘ଛନ୍ଦ’ କୁ ସୁନିର୍ଦ୍ଦିଷ୍ଟ କରିଥାଏ । ବାସ୍ତବରେ ତାହା ହିଁ ସାର୍ଥକ ‘‘ଛନ୍ଦ’’ ପଦବାଚ୍ୟ, ଯାହା ଶିଶୁ ତଥା ପାଠକର କର୍ଣ୍ଣଗହ୍ୱର ଭେଦ କରି ହୃଦୟରେ ସ୍ପନ୍ଦନ ତୋଳିଥାଏ ।

 

ଶିଶୁ କବିତାରେ ଛନ୍ଦପ୍ରୟୋଗ ପାଇଁ ନନ୍ଦକିଶୋର ବଳ ଯେଉଁ ନୂତନ ଛନ୍ଦର ପ୍ରୟୋଗ କରିଯାଇଛନ୍ତି; ତାହା ଅନେକାଂଶରେ ସାଂପ୍ରତିକ ଶିଶୁକବିତାର ଛନ୍ଦକୁ ପ୍ରଭାବିତ କରିପାରିଛି । ମାତ୍ର ଅନେକ କ୍ଷେତ୍ରରେ ମଧ୍ୟ ବ୍ୟତିକ୍ରମ ଘଟିଛି । ତେବେ ସାଂପ୍ରତିକ ଓଡ଼ିଆ ଶିଶୁକବିତାର ଛନ୍ଦ ଯେ ନିଜସ୍ଵ ବିଭବରେ ପୁଷ୍ପଳ ଏହା ଅନସ୍ୱୀକାର୍ଯ୍ୟ । ଆମ ଶିଶୁକବିତାର ଛନ୍ଦବିଭବ ଅନ୍ୟ ପ୍ରାନ୍ତୀୟ ଭାଷାମାନଙ୍କଠାରୁ ବହୁ ଉର୍ଦ୍ଧ୍ୱରେ । ପ୍ରତି ସମୟରେ ଏଠାକାର କବିଗଣ ସେମାନଙ୍କର କବିତାର ପ୍ରୟୋଗଶାଳାରେ ପ୍ରୟୋଗ କରିବାପାଇଁ ସତତ ଚେଷ୍ଟିତ ଓ ସଫଳତାର ଶୀର୍ଷଦେଶକୁ ଯିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

 

ସହାୟକ ଗ୍ରନ୍ଥସୂଚୀ

୧.

ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି, ଓଡ଼ିଆ ଛନ୍ଦର ବିକାଶ, ୨ୟ ସଂସ୍କରଣ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ୧୯୮୦, ପୃ : ୨ ।

୨.

ଡକ୍ଟର ମନୀନ୍ଦ୍ର ମହାନ୍ତି, ଓଡ଼ିଆ ଶିଶୁ ସାହିତ୍ୟ ଉନ୍ନେଷ ଓ ବିକାଶ ୧ମ ସଂସ୍କରଣ, ମାଣିକ ବିଶ୍ଵନାଥ ଦାତବ୍ୟ ସ୍ମୃତିନ୍ୟାସ, ଭୁବନେଶ୍ୱର ୧୯୯୨, ପୃଷ୍ଠା : ୨୩୦

୩.

ଡଃ ମନୀନ୍ଦ ମହାନ୍ତି, ଶିଶୁ ସାହିତ୍ୟ ବିଧାନ, ୧ମ ସଂସ୍କରଣ, ଅପର୍ଣ୍ଣା ପ୍ରକାଶନୀ, ଇରମ, ଭଦ୍ରକ ୧୯୯୫, ପୃ : ୩୩ ।

୪.

ଶଶିଭୂଷଣ ରାୟ, ପ୍ରବନ୍ଧ ପ୍ରବାହ, ୨ୟ ସଂସ୍କରଣ, ୧୯୪୮, ପୃ: ୧୨୭ ।

୫.

ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି, ଓଡ଼ିଆ ଛନ୍ଦର ବିକାଶ, ପୃ : ୧

୬.

ରାମକୃଷ୍ଣ ନନ୍ଦ, ଓଡ଼ିଆ ଶିଶୁସଂଗୀତ ସଂକଳନ, ପୃଷ୍ଠା - ୧୧

୭,

ଡକ୍ଟର ମନୀନ୍ଦ ମହାନ୍ତି, ଓଡ଼ିଆ ଶିଶୁ ସାହିତ୍ୟ ଉନ୍ନେଷ ଓ ବିକାଶ -ପୃ ୮୬

୮.

ତତ୍ରୈବ - ପୃଷ୍ଠା - ୮୭

୯.

ତତ୍ରୈବ - ପୃଷ୍ଠା - ୧୦୫ ଏତଦ୍‌ ଭିନ୍ନ

 

ପ୍ରବନ୍ଧାବଳୀ, ଶ୍ୟାମ ସୁନ୍ଦର ରାଜଗୁରୁ, ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୬୪ ।

ପିଲାଙ୍କ ସାହିତ୍ୟର କଳା ଓ କୌଶଳ - ଡକ୍ଟର କୃତ୍ତିବାସ ନାୟକ, ଅରୁଣ ତରୁଣ, ଆକାଶ ବାଣୀ କେନ୍ଦୁଝର, ୧ମ, ୧୯୯୫ ।

ଝୁମୁକା, - ରାମକୃଷ୍ଣ ନନ୍ଦ ସଂସାର ପ୍ରେସ, ୧୯୮୦ ।

ଓଡ଼ିଆ ଶିଶୁସାହିତ୍ୟ ସଂକଳନ – ରାମକୃଷ୍ଣ ନନ୍ଦ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର - ୧ମ, ୧୯୮୨ ।

ଶିକ୍ଷକ ଶିକ୍ଷାନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶାଙ୍କ ଆନୁକୂଲ୍ୟରେ ପ୍ରକାଶିତ ‘‘ଶିଶୁଗୀତିକା’’ ୧୯୯୫ ଆଦିର ସହାୟତା ନିଆ ଯାଇଛି ।

 

 

୧୪୮, ବମିଖାଲ

ପୋ - ରସୁଲଗଡ଼

ଭୁବନେଶ୍ଵର

 

***

 

Unknown

ପରିବର୍ତ୍ତିତ ସାମାଜିକସ୍ଥିତି ଓ ବ୍ୟକ୍ତିଜୀବନରେ

ଦୃଶ୍ୟକାବ୍ୟର ଭୂମିକା

ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀ

 

ଯେହେତୁ ଏଠାରେ ଦୃଶ୍ୟ-କାବ୍ୟ ସଂପର୍କରେ ଆଲୋଚନା କରାଯାଉଅଛି, ମୁଁ କେବଳ ‘ଦୃଶ୍ୟ’ ସଂପର୍କରେ ଆଲୋଚନା କରିବି । ଉଦାହରଣ ଛଳରେ ଯାହା କହିବି ସେଥି‌ରୁ ‘କାବ୍ୟ’ର ବାଙ୍‌ମୟ ନିର୍ମାଣ ସଂପର୍କରେ ବୁଝିହେବ । ବାଙ୍‌ମୟ ସାହିତ୍ୟ କହିଲେ ଜୀବନ ସାରା ଶବ୍ଦ ଖୋଜୁଥି‌ବା କବି ରମାକାନ୍ତଙ୍କ ବିନମ୍ରତାର କ୍ରୀଡ଼ା ସଂପର୍କରେ ବୁଝିହେବ ଏବଂ ଜ୍ଞାନପୀଠ ବିଜେତା ସୀତାକାନ୍ତଙ୍କ ଶବ୍ଦ-କ୍ରୀଡ଼ା ସଂପର୍କରେ ମଧ୍ୟ ସଚେତନତା ସୃଷ୍ଟି ହେବ । ମୁଁ ଏଠାରେ ‘ଦୃଶ୍ୟକାବ୍ୟ’ କଥା କହିବି । ଏହା ମଞ୍ଚ-ସାହିତ୍ୟ । ତେଣୁ ବିନା ଶବ୍ଦାକ୍ଷରରେ ଏଠାରେ ଆଲୋକ ହିଁ ଦୃଶ୍ୟବିମ୍ବ ସଂରଚନା କରେ । ବିନା ଅକ୍ଷରରେ ଏଇଠି ଖଣ୍ଡେ ଭାଓଲିନ ବା ବଂଶୀଟିଏ ତିଆରି କରେ ‘‘ଶବ୍ଦ ବିମ୍ବ’’ । ଅଂଧାରକୁ ଆଲୋକିତ କରିବା ମଞ୍ଚର କାର୍ଯ୍ୟ । ଅପ୍ରକାଶ୍ୟକୁ ଏହା ପ୍ରକାଶ୍ୟ କରେ । ଏଣୁ ଏହା କେବଳ ଆଲୋକ, ଆୟତନ ଏବଂ ଚିତ୍ରମାନଙ୍କର ବିପଣୀ ନୁହେଁ । ଏହାର ଦୃଶ୍ୟ ମଧ୍ୟରେ ଅନ୍ତର୍ଭୂକ୍ତ ଅଭିନୟ ଓ ନୃତ୍ୟ । ଆଲୋକ, ମଂଚବସ୍ତୁ ଓ ସାଂଗୀତିକ ଶବ୍ଦ ଦ୍ୱାରା ନିୟନ୍ତ୍ରିତ ଗୁଡ଼ିଏ ଶରୀରର ସହାବସ୍ଥାନ ଯେଉଁ ବିମ୍ବ ତିଆରି କରେ, ତାକୁ ପୁରୁଖାଲୋକେ ଦୃଶ୍ୟକାବ୍ୟ ବୋଲି କହୁଥି‌ଲେ । ଆଜିକାଲି ନାଟକକୁ ଦୃଶ୍ୟକାବ୍ୟ ବୋଲି କହିଲେ ହରିଆକୁ ହରିଶ୍ଚନ୍ଦ୍ର ବୋଲି ଡାକିଲା ଭଳି ଶୁଭୁଛି । ଅର୍ଥାତ୍‌ ଏହା ଗୋଟିଏ ସମ୍ମାନସୂଚକ ସାଧୁ ଶବ୍ଦ ପରି ମନେ ହେଉଅଛି । ଓଡ଼ିଶାରେ ସାଧୁଶବ୍ଦ ପ୍ରୟୋଗ କଲେ କାବ୍ୟକବିତା ହୁଏ ଏବଂ କହିଲେ ଭଦ୍ରଲୋକ ହୁଅନ୍ତି । କାରଣ ସଂସ୍କୃତ ଯୁଗରୁ ମୋଗଲ ଓ ଇଂରେଜ ଯୁଗ ପର୍ଯ୍ୟନ୍ତ ଆମେ ଅଧମ ପ୍ରଜାମାନେ ‘ସାଧୁଶବ୍ଦ’ମାନଙ୍କୁ ହିଁ ଅମରକୋଷ ଓ ଅଭିଧାନ ମାନଙ୍କରେ ଚିହ୍ନିଛୁ । ନାଟ୍ୟକାରମାନେ ଯେଉଁ ଚରିତ୍ର ତିଆରି କରନ୍ତି, ସେମାନେ ସବୁବେଳେ ‘ସାଧୁଶବ୍ଦ’ କହିପାରନ୍ତି ନାହିଁ । ତେଣୁ ସେମାନେ ବାଛନ୍ଦ ହୋଇଥିବା ‘ଦୃଶ୍ୟକାବ୍ୟ’ ଲେଖକ । ଓଡ଼ିଶାରେ ‘ଅତି ବେହିଆ ନାଚନ୍ତି’ ବୋଲି ପିଲାଦିନରୁ ଶୁଣି ଶୁଣି ମତେ ଆଜିକାଲି ଲାଗୁଛି, “ଅତି ଭଦ୍ରଲୋକ’’ ମାନେହିଁ କବିତା ଲେଖନ୍ତି । ଶବ୍ଦ ମାଧ୍ୟମରେ ତାଙ୍କର ଆଖି‌, ହୃଦୟ ଏବଂ ଶରୀରର ଅନେକ ଦୃଶ୍ୟ/ଅଦୃଶ୍ୟ ଅଂଗ ଓଦା ହୁଅନ୍ତି । ଶବ୍ଦ ତାଙ୍କୁ ସୁଆଦ ଦିଏ, ପରଶ ଦିଏ, ବାସ୍ନା ଦିଏ ଆଉ ଅନେକ ଅନେକ ଇନ୍ଦ୍ରିୟାନୁଭୂତି ଦିଏ, ଏଣୁ ଶବ୍ଦ ତାଙ୍କପାଇଁ ଇମେଜ୍‌ ବିମ୍ବ ନିର୍ମାଣ କରେ । ଦୃଶ୍ୟକାବ୍ୟର ଲେଖକ ପାଇଁ ଶବ୍ଦ ଏକମାତ୍ର ମାଧ୍ୟମ ନୁହେଁ । ଦୃଶ୍ୟ ଦ୍ୱାରା ସେ ଶବ୍ଦ/ସଂଗୀତ ଓ ଜୀବନ୍ତ ଶରୀରକୁ ପାଦପ୍ରଦୀପରେ ଜାଳିଦେଇ, ଦୃଶ୍ୟବିମ୍ବ ନିର୍ମାଣ କରେ ଦର୍ଶକସମାଜ ଆଗରେ । ଦର୍ଶକସମାଜ ମଧ୍ୟ ଏହି ଦୃଶ୍ୟବିମ୍ବର ବଳୟ ମଧ୍ୟରେ ଅବସ୍ଥିତ ଖାରବେଳଙ୍କ ସମୟରେ ‘‘ସମାଜ ଶବ୍ଦର ଅର୍ଥ ବ୍ୟାଯୋଗ ଦେଖି‌ବାକୁ ଆସିଥି‌ବା ଦର୍ଶକମଣ୍ଡଳୀ ।

 

ଓଡ଼ିଶାର ଆଦିନାଟ୍ୟକାର, ‘‘ଅନର୍ଘରାଘବ’ର ସ୍ରଷ୍ଟା ମୁରାରି ମିଶ୍ର (୭୫୦ ଖ୍ରୀ.ଅ.) ପ୍ରଥମ ଦୃଶ୍ୟକାବ୍ୟ ଲେଖି‌ବାର ଛ ଶହ ପଚାଶ ବର୍ଷ ପୂର୍ବେ ଐର ଖାରବେଳ ରାଣୀ/ହାତୀ ଗୁମ୍ଫା ରଂଗ ମଞ୍ଚରେ ‘ବ୍ୟାଯୋଗ’ ବା ବୀର ରସ ପୂର୍ଣ୍ଣ ନାଟକ ପରିବେଷଣ କରି ସୁପ୍ତ ପ୍ରାୟ ପାଇକ ଦର୍ଶକମାନଙ୍କୁ ଜାଗରଣର ପ୍ରବୃତ୍ତିରେ ଅଭିସିକ୍ତି କରିପାରୁଥି‌ଲେ ବୋଲି ଜଣେ ଗବେଷିକା (ମନୀଷା ଦାସ) ଉଲ୍ଲେଖ କରିଛନ୍ତି । (୧) ଆଜି ପରିବର୍ତ୍ତିତ ସାମାଜିକସ୍ଥିତି ଓ ବ୍ୟକ୍ତି ଜୀବନରେ ‘ଦୃଶ୍ୟକାବ୍ୟ’ର ଭୂମିକା ସଂପର୍କରେ ଏ ପ୍ରବଂଧ ଲେଖି‌ଲା ବେଳେ ମତେ ଲାଗୁଛି - ଏ ସଂପର୍କରେ କାହାରି କାହାରି ସଂଦେହ ହେଉଛି । ସଂଦେହ ହେଉଛି, ସତରେ କଣ ‘ଦୃଶ୍ୟକାବ୍ୟ’ ବ୍ୟକ୍ତି ଓ ସମାଜ ପାଇଁ ଆବଶ୍ୟକ ? ସଂଦେହ ହେଉଛି, ଏଗୁଡ଼ିକ ନଥି‌ଲେ କଣ ଅସୁବିଧା ହୁଅନ୍ତା ? ଖାଲି କବିତା ଓ ଗଳ୍ପ- ଉପନ୍ୟାସ ଲେଖି‌ଲେ କଣ ‘ସାହିତ୍ୟ’ ବିଭାଗଟା ବଂଚି ନଥାନ୍ତା ? ‘ଦୃଶ୍ୟକାବ୍ୟ’ର ‘ଭୂମିକା’ ଟା କ’ଣ ?

 

ତେଣୁ ଆମର ପ୍ରଥମେ ବୁଝିବା ଉଚିତ - ଦୃଶ୍ୟକାବ୍ୟଟା କଣ ? ଉତ୍ତର ଆଧୁନିକ ଯୁଗରେ ନାଟକ କହିଲେ ଆମେ ଗୋଟିଏ କ୍ରମିକତା ଥି‌ବା କାହାଣୀକୁ ବୁଝୁନାହୁଁ, କାବ୍ୟିକ ଭାଷା ଓ ମିଥ୍‌‌ର ଘୋଡ଼ଣୀ ଭିତରେ ଥିବା ପ୍ରାପ୍ତବୟସ୍କ ପ୍ରେମାଭିସାରକୁ ବୁଝୁ ନାହୁଁ, ମନସ୍ତାତ୍ତ୍ଵିକ ଚରିତ୍ର ଚିତ୍ରଣକୁ ମଧ୍ୟ ବୁଝୁନାହୁଁ । ଏହା କେବଳ ଗୁଡ଼ିଏ ଦୃଶ୍ୟବିମ୍ବର ସମାହାର । Robert Brustein ଏକ ସାକ୍ଷାତକାରରେ କହୁଛନ୍ତି ‘‘If you have a theatre in which you attend only to language, then.......... you could just stay home and read the script.’’ (୨) ତେଣୁ ଦୃଶ୍ୟକାବ୍ୟ ଦେଖି‌ବାକୁ ଆସୁଥି‌ବା ଲୋକେ ପ୍ରଥମେ ଚିତ୍ର କ’ଣ ଜାଣିବା ଉଚିତ । ଦୃଶ୍ୟକାବ୍ୟରେ ଚିତ୍ର ଯେମିତି ଅପରିହାର୍ଯ୍ୟ, ସେହିପରି ଚିତ୍ରରୁ ଦୃଶ୍ୟକାବ୍ୟ ତିଆରି ହୋଇଥାଏ । Peter Brook ତାଙ୍କର The Empty Space ନାମକ ପୁସ୍ତକର ଶେଷ ଆଡ଼କୁ କୁହନ୍ତି, ‘‘When a performance is over, what remains ? Fun can be forgotten, but powerful emotion also disappears and good arguments lose their thread. When emotion and arguments are harnessed to a wish from the audience to see more clearly into itself - then something in the mind burns. The event scorches on to the memory an outline a taste, a trace, a smell, a picture. It is the play’s central image that remains, its silhoutte and if the elements are rightly blended this silhoutte will be its meaning, this shape will be the essence of what it has to say.’’ (୩)

 

ଏହା ହିଁ ‘ଦୃଶ୍ୟକାବ୍ୟ’ର ବିଶେଷତ୍ୱ । ମଂଚସ୍ଥ ନାଟକର ସଂଳାପ, ଧ୍ୱନି ଓ ରସକୁ ଭୁଲି ହୋଇଯାଏ । ଖାଲି ଦୃଶ୍ୟବିମ୍ବଟି ମନଭିତରେ ଆଳି ହୋଇ ରହିଯାଏ । ‘ଜଣେ ମହାପୁରୁଷଙ୍କ ଜନ୍ମ ଓ ମୃତ୍ୟ ସଂପର୍କରେ’ କିମ୍ବା ‘ରାତିର ଦୁଇଟି ଡେଣା’ ନାଟକର ଶେଷଦୃଶ୍ୟରେ ସାମନାର ଆଲୋକ କଟି ପଶ୍ଚାତ୍‌ ଆଲୋକ ସଂପ୍ରେକ୍ଷଣ ଦ୍ୱାରା ଦୃଶ୍ୟଦିଗନ୍ତରେ ସିଲ୍‌ହୁଟ୍‌ ତିଆରି ହୋଇଯାଏ । ଖାଲି ମୁଦ୍ରିତ ନାଟକଟିକୁ ପଢ଼ିଲେ ଏହା ଯେକୌଣସି ସାହିତ୍ୟ ପରି ଶାବ୍ଦିକ ଅର୍ଥ ପ୍ରଦାନ କରିବ । କଳ୍ପନାରେ ଶୂନ୍ୟସ୍ଥାନ ଗୁଡ଼ିଏ ସୃଷ୍ଟି ହେବ ଏବଂ ପ୍ରତ୍ୟେକ ପାଠକ ନିଜ ନିଜ କଳ୍ପନାରେ ଦୃଶ୍ୟ ଗଢ଼ିବେ । ‘ଦୃଶ୍ୟକାବ୍ୟ’ର ଉପସ୍ଥାପନାରେ ଏହି କଳ୍ପନାର ଚିତ୍ରଟି ତିନୋଟି ଆୟତନ ଭିତରେ ବସ୍ତୁରୂପ ନିଏ । ସେହି ବସ୍ତୁରୂପଟି ହିଁ ଦୃଶ୍ୟକାବ୍ୟ ପାଇଁ ସତ୍ୟ ।

 

ସେହପରି ଦୃଶ୍ୟକାବ୍ୟର ଚରିତ୍ରମାନେ, ସେମାନେ ଗଳ୍ପ କିମ୍ବା ଉପନ୍ୟାସର କାଳ୍ପନିକ ମଣିଷ ନୁହଁନ୍ତି । ସେମାନେ ସ୍ପଷ୍ଟ ଆଲୋକ ଭିତରେ ନିଜ ସ୍ଵତନ୍ତ୍ର ପୋଷାକ ପିନ୍ଧି ମଞ୍ଚ ଉପରେ ଆତଯାତ ହୁଅନ୍ତି । ଅନେକଦିନ ତଳେ ଭରତ ମୁନି ନାୟକମାନଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରିଥି‌ଲେ ଏବଂ ଆରିଷ୍ଟୋଟଲ ତାଙ୍କ ଅନୁକୃତି ତତ୍ତ୍ୱ (Theory of Mimesis)ରେ ଅନ୍ୟ ଏକ ସତସତ ମଣିଷକୁ ଅନୁକରଣ କରାଯିବା କଥା ଲେଖି‌ଥଲେ । ଷ୍ଟାନିସ୍‌ଲାଭସ୍କି ତାଙ୍କର ଚରିତ୍ରନିର୍ମାଣ ପଦ୍ଧତିରେ ଏପରି ଅନୁକୃତିମୂଳକ ଅଭିନୟ । ସଂପର୍କରେ କହିଛନ୍ତି :

 

‘ସେ ଯୁଗ ଚାଲିଗଲାଣି, ଅନୁକରଣ କରିବା ପାଇଁ ଆଉ କେହି ନାହାନ୍ତି । ସମସ୍ତେ ଚରିତ ନଥିବା ଚରିତ୍ର, ଶୂନ୍ୟସ୍ଥାନ । ଏମାନଙ୍କର ସାମାଜିକ ସ୍ଥିତି ନାହିଁ । ଚାକିରୀ ନାହିଁ । ପଦବୀ ନାହିଁ । ତେଣୁ ମନ ଭିତରେ ବି ଶୂନ୍ୟ ସ୍ଥାନ । ତମେ କିଏ ବୋଲି ପଚାରିଲେ କିଛି ଉତ୍ତର ଦେଇ ପାରିବେ ନାହିଁ । ଅଥଚ ଯାହା ଗୋଟେ । ଉତ୍ତର ଦେବାକୁ ପଡ଼ିବ । ଯୋଉମାନେ ସଚେତନ, ନିଜକୁ କିଏ ଗୋଟେ ବୋଲି ପରିଚୟ ଦେବାକୁ ପଡ଼ିବ ବୋଲି ଭାବି, ‘କଣ ଗୋଟେ’ କୁହନ୍ତି ‘କିଛି ଗୋଟାଏ’ କରନ୍ତି । ସେକ୍‌ସ ନହେଲେ ଭାଓଲେନ୍ସ......ଅନ୍ୟର ଦୃଷ୍ଟି ଆକର୍ଷଣ କଲାପରି । ବଂଚିବାପାଇଁ ନିବିଡ଼ ମୁହୂର୍ତ୍ତଗୁଡ଼ିଏ ପାଇବା ପାଇଁ । ବୋମା ପକେଇ ଅନ୍ୟକୁ ମାରିଦେଇ ପାରିଲେ ଲାଗେ କିଛି ଗୋଟାଏ କରିଛି..... ସେକ୍‌ସ୍‌ କଲାବେଳେ ହିଁ ଲାଗେ ନିଜେ ବଂଚିଛି । ଆଉ କେତେବେଳେ ନୁହେଁ-। ତେଣୁ ବଞ୍ଚିବା ଗୋଟାଏ ଅଭିନୟ । ଗୋଟାଏ ଦୀର୍ଘ ନାଟକରେ ସୁଦୀର୍ଘ ଅଭିନୟ । ଯେତେବେଳେ ଯୋଉ ଭୂମିକା ମିଳିଲା, ସେଇଠି ଅଭିନୟ । ଭୂମିକା ନ ମିଳିଲେ ଭୂମିକାଟିଏ ଆବିଷ୍କାର କରିବାକୁ ପଡ଼ିବ ନିଜ ପାଇଁ । ହୁଏତ ପ୍ରତିମୂହୂର୍ତ୍ତରେ ସେ ଭୂମିକା ବଦଳି ପାରେ ।’

 

ଏହାହିଁ ପରିବର୍ତ୍ତିତ ସାମାଜିକ ସ୍ଥିତି । ଏହାହିଁ ପରିବର୍ତ୍ତିତ ବ୍ୟକ୍ତି ଜୀବନ । ଏଇଠି ଭୂମିକା ବଦଳିଲେ ମଧ୍ୟ ପୋଷାକ ବଦଳେଇବାକୁ ସମୟ ନାହିଁ । ମେକ୍‌ଅପ୍‌ ବଦଳେଇବାକୁ ସୁବିଧା ନାହିଁ-। ତେଣୁ ସମସ୍ତଙ୍କ ପୋଷାକ ଏକା । କିନ୍ତୁ ଭୂମିକା ଅଲଗା ଅଲଗା ।

 

ଏଇଠି ମଞ୍ଚ ଗୋଟିଏ ଶୂନ୍ୟ ସ୍ଥାନ, କାରଣ ମନର ଅନ୍ତସ୍ତଳ ଗୋଟିଏ ଶୂନ୍ୟସ୍ଥାନ । ଏଇଠି ନିଜର ସମାଜପ୍ରଦତ୍ତ ଭୂମିକା ନାହିଁ; ପରିଚୟ ନାହିଁ । ତେଣୁ ନିଜ ପାଇଁ ନିଜେ ଭୂମିକାଟିଏ ଆବିଷ୍କାର କରିବାକୁ ପଡ଼ିବ ।. କୋଉ ଭୂମିକା ଆବିଷ୍କୃତ ହେବ କିଛି ଠିକ୍‌ ନାହିଁ । ଗୋଟିଏ ସ୍ପଷ୍ଟ ଆଲୋକ ପଡ଼ିଥି‌ବା ସ୍ଥାନରେ ଠିଆହୋଇ ବାରମ୍ବାର ଭୂମିକା ବଦଳେଇବାକୁ ପଡ଼େ । କାରଣ ଭିତରେ ଥି‌ବା ଶୂନ୍ୟସ୍ଥାନଟିକୁ ପୃଥି‌ବୀର ମଂଞ୍ଚଉପରେ ଦେଖାଇଲେ ସମସ୍ତେ ହସିବେ । ତାହା ‘ଦୃଶ୍ୟକାବ୍ୟ’ ହେବାକୁ ପଡ଼ିବ ।

 

ଏମିତି ଏକ ପରିବର୍ତ୍ତିତ ସାମାଜିକ ସ୍ଥିତିରେ ବଂଚିଛି ବ୍ୟକ୍ତି । ବଞ୍ଚିଛନ୍ତି ବ୍ୟକ୍ତିମାନେ, ଅର୍ଥାତ ସମାଜ ସେମାନେ ଦର୍ଶକ ହୋଇ ‘ଅଡ଼ିଟୋରିଅମ୍‌’କୁ ଆସନ୍ତି । ନାଟକ ଦେଖି‌ଲେ ଲଣ୍ଡନରେ ପ୍ରେଷ୍ଟିଜ୍‌ ବଢ଼େ ବୋଲି ଦିଲ୍ଲୀ ଓ କଲିକତାରେ ମଧ୍ୟ ପ୍ରେଷ୍ଟିଜ୍‌ ବଢ଼େ । ତେଣୁ ନାଟକ ଦେଖି‌ବାକୁ କଟକ, ଭୁବନେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁରରେ ମଧ୍ୟ ଲୋକେ ଆସନ୍ତି । ଏମାନେ ଉଚ୍ଚ ମଧ୍ୟବିତ୍ର ଆଧୁନିକ ଲୋକ, ଘରେ ଇଜିପ୍ଟ ତିଆରି, କାଶ୍ମୀର ତିଆରି ଗାଲିଚା ନପକେଇ ପାରିଲେ କଏର୍‌ବୋର୍ଡ଼ର ଗାଲିଚା ପକେଇବାକୁ ହେବ, ନହେଲେ ଆଧୁନିକ ବୋଲି ଦୃଶ୍ୟହେବନାହିଁ । ଗୁଡ଼ିଏ ଇଂରେଜୀ ବହିକୁ ଇସ୍ତ୍ରୀ କରି ମେହୋଗାନି କାଠର ଆଲମାରୀ ଭିତରେ ସଜେଇ ରଖି‌ବାକୁ ପଡ଼ିବ । ନହେଲେ ଆଧୁନିକ ଓ ବୌଦ୍ଧିକ ବୋଲି ଦୃଶ୍ୟ ହେବନାହିଁ । କିଏ ପଢ଼ୁଛି, କିଏ ନପଢ଼ୁଛି କିଏ ଜାଣୁଛି ? ଯାହା ଦୃଶ୍ୟକାବ୍ୟ ତାକୁ ସତବୋଲି ଭାବିବାକୁ ପଡ଼ିବ । ଘରେ ଆଧୁନିକ ଓ ଦୁର୍ବୋଧ୍ୟ ପେଣ୍ଟିଂ ଗୋଟେ ଯୋଡ଼େ ନଝୁଲେଇଲେ ଆଧୁନିକ ବୋଲି ଜଣାପଡ଼ିବ ନାହିଁ । ପିପିଲି ଚାନ୍ଦୁଆ ନମାରିଲେ ‘‘ଲୋକକଳା’’ ପ୍ରତି ପ୍ରେମ ଅଛି ବୋଲି ଜଣାପଡ଼ିବ ନାହିଁ । କାରଣ ଆମେ ଆଧୁନିକ, ତେଣୁ ଆମ ସମାଜର ଡ୍ରଇଂରୁମ୍‌ହେଲା ‘‘ରବୀନ୍ଦ୍ର ମଣ୍ଡପ’’ । ମଝିରେ ମଝିରେ ସେଇଠିକି ଗଲେ ‘ଦୃଶ୍ୟକାବ୍ୟ’ ମାନଙ୍କୁ ପାଞ୍ଚଦଶ ଟଙ୍କା ଟିକଟ୍‌ରେ କିଣି ହୁଏ ଏବଂ ପ୍ରେଷ୍ଟିଜ୍‌ ବଢ଼େ । ଦର୍ଶକ ଜଣକ ଯଦି କବି, ଗାଳ୍ପିକ ବା ସାହିତ୍ୟ-କଳା- ସମାଜର ଅନ୍ତର୍ଭୁକ୍ତ, ତା’ହେଲେ ‘ନାଟ୍ୟ ସାହିତ୍ୟ’ରେ ଶସ୍ତା ଲୋକମାନେ କଣ ଦେଖାଉଛନ୍ତି ଜାଣିବା ଦରକାର ହୁଏ । ହସ ମାଡ଼ିଲେ ବି (କଳାକୁ ସମ୍ମାନ ଦେବା ପାଇଁ ହସି ହୁଏନା । କିନ୍ତୁ ଦର୍ଶକ ନ ହୋଇ ମଧ୍ୟ ଆମ ନାଟ୍ୟସାହିତ୍ୟ ସଂପର୍କରେ ଇଂରେଜୀରେ ପ୍ରବଂଧ ଲେଖି‌ହୁଏ । ୧୯୮୫ ମସିହାରେ କେରଳର K.M.Georgeଙ୍କ ସଂପାଦନାରେ ବାହାରିଥିବା ସୁଦୃଶ୍ୟ ବଂଧେଇ ‘ଭାରତୀୟ ସାହିତ୍ୟ’ ବହିରେ ଓଡ଼ିଆ ନାଟକ ସଂପର୍କରେ ଲେଖଛନ୍ତି ସୀତାକାନ୍ତ ମହାପାତ୍ର । ହାଇଦ୍ରାବାଦରେ ପ୍ରଫେସର ବିନୋଦ ସେନା ମତେ ବହିଟି ଦେଇ କହିଲେ, ଦେଖିଲ - ଏ ବହିରେ ତମ ସାହିତ୍ୟ ସଂପର୍କରେ କଣ ଲେଖା ହେଇଛି - ଏଗୁଡ଼ା ସତ ନା ମିଛ ? ମୁଁ ଏ ବହଟାକୁ ରିଭ୍ୟୁ କରିବି ।’’ ସେଇଠି ପ୍ରଫେସର ବିନୋଦ ସେନାଙ୍କ ରୁମ୍‌ରେ ବସି ଚା’ ପିଉପିଉ ମୁଁ ପ୍ରବଂଧଟି ପଢ଼ି ହସିଥି‌ଲି । ଆମ ନାଟ୍ୟସାହିତ୍ୟର ବିଜ୍ଞାପନଟା ବାହାରେ ଏମିତି ଦିଆଯାଏ ।

 

ତେଣୁ ଗତ ଦୁଇବର୍ଷ ଭିତରେ ଇଂରାଜୀ ଓ ହିନ୍ଦୀରେ ଭାରତୀୟନାଟକ ସଂପର୍କରେ ଯୋଉ ଗ୍ରନ୍ଥ ସବୁ ପ୍ରକାଶିତ ହୋଇଛି, ସେଥି‌ରେ ଓଡ଼ିଆ ନାଟକର ଚିହ୍ନବର୍ଣ୍ଣ ନାହିଁ । ଆଉ ଯାହା କଥା ଲେଖା ହେଲା ନ ହେଲା, ମନୋରଂଜନ ଦାସଙ୍କ ଦୁଇଟି ନାଟକ Oxford University Press ରେ ଛପା ହେଇଛି । ସେ ସଂପର୍କରେ ପ୍ରଫେସରମାନେ ଭୂମିକା ଲେଖୁଛନ୍ତି । ସେଗୁଡ଼ା କଣ ହେଲା ? ଆମେ ନାଟ୍ୟକାରମାନେ ଏପରି ଏକ ପରିବର୍ତ୍ତିତ ପରିସ୍ଥିତିରେ ଭାରତୀୟ ବିଜ୍ଞାପନ ମଞ୍ଚରୁ ସଂପୂର୍ଣ୍ଣ ଅଦୃଶ୍ୟ ହୋଇଗଲେଣି । କାରଣ ପ୍ରତିଷ୍ଠିତ ସାହିତ୍ୟିକମାନେ ନାଟକକୁ ଶସ୍ତା ‘ଯାତ୍ରା’ ବୋଲି ଭାବନ୍ତି । ‘ଦୃଶ୍ୟକାବ୍ୟ’ ତେଣୁ ଭୂମିକାଶୂନ୍ୟ ମାନସିକ ସ୍ଥାନଟିଏ । ସେଇଠି କଣ ଗୁଡ଼ାଏ କାହାଣୀ ଘଟେ । କାହାଣୀ ଘଟିବା ଆଧୁନିକତାର ଲକ୍ଷଣ ନୁହେଁ । ବୁଝାପଡ଼ିଲେ ଆଧୁନିକ ହୁଏ ନାହିଁ । ତେଣୁ ନାଟକର ଭୂମିକା ନାହିଁ, ଯେଉଁମାନେ ମନୋରଂଜନ ବାବୁଙ୍କ ନାଟକକୁ ଦୁର୍ବୋଧ୍ୟ ବୋଲି କହୁଥି‌ଲେ, ସେମାନେ ମଧ୍ୟ ଦେଖି‌ଲେଣି ତାଙ୍କ ନାଟକମାନଙ୍କର କିଛି ଦୁର୍ବୋଧ୍ୟତା ନାହିଁ । କିଛି ‘ଆବ୍‌ସଡ଼ିଟି’ ନାହିଁ ।

 

କିନ୍ତୁ ମଜାକଥା ହେଲା ନାଟକ ସଂପର୍କରେ ବିରୋଧାଭାସଟା ଏଇଠି ଅଛି । ଆମେ ଯଦି ମନୋରଞ୍ଜନ ବାବୁଙ୍କ ନାଟକକୁ ଦୂର୍ବୋଧ୍ୟ କହିବା ତା’ହେଲେ ଆମକୁ କାହାଣୀ ଶୁଣିବାକୁ ହିଁ ଭଲ ଲାଗେ ବୋଲି ଧରାଯାଉ । କାରଣ ଏ ଦେଶରେ ଆଠ ବର୍ଷର ବାଳକଠାରୁ ଅଶୀ ବର୍ଷର ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ‘ଗପ’ ଶୁଣନ୍ତି । ଗପମାନେ ମିଛ, ମିଛ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ ।

 

ଆଜିର ପରିବର୍ତ୍ତିତ ସାମାଜିକ ସ୍ଥିତିରେ ସେଇଥି‌ପାଇଁ ନାଟ୍ୟକାର ଦୃଶ୍ୟକାବ୍ୟରେ ମିଛ ଗଳ୍ପ ଶୁଣେଇବାକୁ ଭଲପାଏ ନାହିଁ । ଲୋକଙ୍କୁ ଗପ ଭିତରେ ହଜେଇ ଦେବାକୁ ଚାହେଁନାହଁ । ଗଳ୍ପକଥନ ଶୈଳୀକୁ ଭାଂଗି, ଭ୍ରାନ୍ତିର ସାମନା ପରଦାଟାକୁ ଉଠେଇ ଦେଇ ଆଉ ପକାଏ ନାହିଁ । ମଞ୍ଚ ଆଉ ଦର୍ଶକମାନଙ୍କ ମଧ୍ୟରେ ଥି‌ବା ଏହି ଅଦୃଶ୍ୟ କାନ୍ଥଟିକୁ ସେ ଭାଙ୍ଗି ଦେଇ କହିଛି - ଦୃଶ୍ୟକାବ୍ୟ ଏଣିକି ଆଉ “ଦୃଶ୍ୟ’’ କୁ ଦୃଶ୍ୟକାବ୍ୟ କରିବ ନାହିଁ । ଅଦୃଶ୍ୟକୁ ଦୃଶ୍ୟ କରେଇବ ମଂଚ ଉପରେ । ଏଇଥି‌ପାଇଁ ପ୍ରଥମେ ଅବଚେତନକୁ ମଞ୍ଚ ଉପରେ ଉପସ୍ଥାପନ କରିବାକୁ ହେବ । ମନୋରଂଜନ ବାବୁ ଏହି କାର୍ଯ୍ୟଟି କଲାବେଳେ ଦର୍ଶକମାନଙ୍କୁ କାହିଁକି ଅବୋଧ୍ୟ ମନେ ହୋଇଛି ମୁଁ ଜାଣିନି ।

 

ଆଜିର ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥାରେ ଆମେ ମଣିଷର ‘‘ଅବଚେତନଟିକୁ’’ ମଞ୍ଚ ବୋଲି ଧରିନେଇ, ମନର ମଗ୍ନ - ଚୈତନ୍ୟରେ ଯାହା ନିଜକୁ ବି ଦିଶୁ ନାହିଁ ତାକୁ ଲୋକଙ୍କୁ ଦେଖେଇବାକୁ ଚେଷ୍ଟା କରୁଛୁ । ତେଣୁ ପୂର୍ବରେ କୁହାଯାଇଥି‌ବା ମାନସିକ ଶୂନ୍ୟସ୍ଥାନଟି ହିଁ ମଂଚ । ପ୍ରଥମେ ସମସ୍ତଙ୍କ ଚେହେରା ଓ ପୋଷାକ ସମାନ । ସମସ୍ତେ ନିଜ ନିଜ ଗୀତ ଗାଉଥି‌ବା ଓ ନିଜ ନିଜ ନାଚ ଦେଖାଉଥି‌ବା ଅଭିଜ୍ଞତା, ଯଦି ବୁଝା ନ ପଡ଼ୁଛି ଜଣେ ସୂତ୍ରଧର ବା ନିର୍ଦ୍ଦେଶକ ଆସି ଏ ଦୃଶ୍ୟକାବ୍ୟକୁ ଲୋକଙ୍କୁ ବୁଝାନ୍ତି । ଦର୍ଶକମାନଙ୍କ ଆଗରେ ପ୍ରସଙ୍ଗଟିଏ ଉତ୍‌ଥାପନ କରି କଣ ଘଟୁଛି ସେ ସଂପର୍କରେ ସିଧାସଳଖ ଭାଷଣ ଦିଅନ୍ତି, ମଣିଷର ସ୍ଥିତି ସଂପର୍କରେ । ନିଜ ସମାଜରେ ‘ଶବ୍ଦ’ର ମଞ୍ଜି ବୁଣିଥି‌ବା ସ୍ରଷ୍ଟାମାନଙ୍କ ସଂପର୍କରେ, ଦର୍ଶକମାନଙ୍କର ଭୂମିକା ସଂପର୍କରେ ।

 

ଏହା କିନ୍ତୁ ଶ୍ରୀ ମନୋରଞ୍ଜନ ଦାସ ଏବଂ ପ୍ରାଣବଂଧୁ କର ଲେଖି‌ଥି‌ବା ମନସ୍ତାତ୍ତ୍ଵିକ ନାଟକଠାରୁ ଅଲଗା । ଏହାକୁ ଉତ୍ତର-ମନସ୍ତାତ୍ତ୍ଵିକ ନାଟକ କୁହାଯାଏ । ଶ୍ରୀ ଦାସ ଓ ଶ୍ରୀ କର ମଗ୍ନ- ଚୈତନ୍ୟର ଅଂଧାରକୁ ମଞ୍ଚ ଉପରକୁ ଆଣି ‘ଦୃଶ୍ୟକାବ୍ୟ’ ଲେଖି‌ଥି‌ଲେ । କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ମାନସିକ ଶୂନ୍ୟସ୍ଥାନଟିକୁ ମଞ୍ଚ ବୋଲି ଗ୍ରହଣ କରାଗଲେ ମଧ୍ୟ ମନସ୍ତତ୍ତ୍ଵର କାର୍ଯ୍ୟ କାରଣ ସଂପର୍କ ଏଠାରେ କାମ କରେନାହିଁ । କାରଣଟି ସୂକ୍ଷ୍ମକଳା କିମ୍ବା ସ୍ଥାପତ୍ୟରେ ଥାଇପାରେ । କାରଣଟି ନନ୍ଦନତାତ୍ତ୍ୱିକ ରୂପକଳ୍ପ ହୋଇପାରେ । ଏଣୁ ଉତ୍ତର-ଆଧୁନିକ କାଳରେ ଅଦୃଶ୍ୟ-ଦୃଶ୍ୟ ଏବଂ ଦୃଶ୍ୟ - ଅଦୃଶ୍ୟର ପ୍ରସଙ୍ଗ ଉତ୍‌ଥାପିତ ହୁଏ । ଏହାହିଁ ଅନୁପସ୍ଥିତି ଭିତରେ ଅନ୍ତର୍ନିହିତ ଥିବା ଉପସ୍ଥିତି ଏବଂ ଉପସ୍ଥିତି ଭିତରେ ଥିବା ଅନୁପସ୍ଥିତି । ସାଂପ୍ରତିକ ‘ଦୃଶ୍ୟକାବ୍ୟ’ ରେ ଆମେ ଆଲୋକ ଓ ଅଂଧାରର, ପ୍ରକାଶ୍ୟ ଓ ଅପ୍ରକାଶ୍ୟର ଖେଳଟି ଖେଳୁଛୁ ମଞ୍ଚ ଉପରେ । ସାଧାରଣ ଦର୍ଶକକୁ ଲାଗୁଛି ନାଟ୍ୟଘଟଣାର ଆରମ୍ଭ ଓ ବିରତି ପରି । ପ୍ରକୃତରେ ତାହା ବ୍ୟକ୍ତି ଚେତନାର ସଜ୍ଜିତରୂପ ।

 

ଭାରତୀୟ ତତ୍ତ୍ଵଦର୍ଶୀ କ୍ଷେମରାଜଙ୍କ ମତରେ ପ୍ରତ୍ୟେକ ପ୍ରକାଶ ବା ଦୃଶ୍ୟଚେତନାର ଆଲୋକରେ ଦୃଶ୍ୟମାନ ହୁଏ । ଏହା ବସ୍ତୁ ମଧ୍ୟରେ ନିହିତ ଥି‌ବା ଚେତନା । ଯଦି ମଂଚ ଉପରେ ଦୃଶ୍ୟ-କାବ୍ୟ ନିର୍ମାଣ କରୁଥିବା ବସ୍ତୁ ଓ ଅଭିନେତା/ଅଭିନେତ୍ରୀମାନେ ପ୍ରକାଶିତ ହୁଅନ୍ତି, ତାହା ସେମାନଙ୍କ ନିଜସ୍ଵ ଚେତନାର ଆଲୋକ ଦ୍ୱାରା ଘଟେ । ସେହିପରି ଅଭିନବଗୁପ୍ତ ତାଙ୍କର ‘ପର୍ଯ୍ୟନ୍ତ ପଞ୍ଚଶିକ’ ଗ୍ରନ୍ଥରେ ‘ପ୍ରମେୟ’ ସଂପର୍କରେ କୁହନ୍ତି :

 

‘‘ତଦେବଂ ଭୈରବଂ ଜ୍ଞାନଂ ଅଜ୍ଞାନମପି ଯନ୍ନତମ୍‌

ସୈବାସୌ ଭୈରବୀ ସତ୍ତା ଅସତ୍ତାପି ଚ ୟନ୍ମୟି ।’’

 

ଏଠାରେ ଜ୍ଞାନ ଓ ଅଜ୍ଞାନ ଦ୍ୱାରା ହିଁ ସତ୍ତା ଓ ଅସତ୍ତା ବାରି ହୁଏ । ମଂଚ ଉପରର ଦୃଶ୍ୟ ହିଁ ଚେତନା । କାରଣ ପ୍ରକୃତିର ନିଜସ୍ଵ ଆଲୋକ ଅଛି । ତାହା ପାଦପ୍ରଦୀପ ଦ୍ୱାରା ସଂଭବେ ବୋଲି ଭାବିବା ‘ପ୍ରଦାର୍ଥ ବିଜ୍ଞାନ’ର ସତ୍ୟ ମଧ୍ୟ ନୁହେଁ । ପ୍ରକୃତି ଓ ତାର ବସ୍ତୁସମୂହ ସ୍ଵୟଂ ପ୍ରକାଶ୍ୟ ବୋଲି ସେମାନଙ୍କର ବସ୍ତୁତ୍ଵ ଭିତରେ ଚେତନାଟିଏ ମଗ୍ନ ହୋଇ ରହିଥାଏ । ଏହି ଦୃଷ୍ଟିରୁ ଦୃଶ୍ୟକାବ୍ୟର ଚରିତ୍ର ହିଁ ବସ୍ତୁରୂପୀ ଚେତନା ।

 

ମଝିରେ ମଝିରେ ଦୃଶ୍ୟକାବ୍ୟର ଚରିତ୍ରମାନେ ନିଜ ଅନ୍ତସ୍ଥଳର ଉନ୍ମାଦନାକୁ ପ୍ରକାଶ କରିବାପାଇଁ ଶବ୍ଦର ଆଶ୍ରୟ ନିଅନ୍ତି । ତାହା କିନ୍ତୁ କବିତା/ଉପନ୍ୟାସର ଶବ୍ଦ ପଠନଠାରୁ ଅଲଗା । ‘ଦୁଇଟି ସୂର୍ଯ୍ୟଦଗ୍ଧ ଫୁଲକୁ ନେଇ’ ନାଟକର ଶେଷଦୃଶ୍ୟର କବିତାର ଉନ୍ନାଦନାକୁ ପ୍ରକାଶ କରିବାପାଇଁ ମୁଦ୍ରାଭିନୟ ଆବଶ୍ୟକ ।

 

ସେହିପରି ‘ଯେସନେ କୀଟ ଊର୍ଣ୍ଣନାଭ’ ବା ‘ମୁଣ୍ଡସାରା ଘୁଷୁରିଛୁଆ’ ନାଟକର ଶବ୍ଦ ଯେତିକି କଥା କହି ନ ପାରନ୍ତି, ଦୃଶ୍ୟ ତା’ଠାରୁ ଅଧିକା କୁହେ, ଏ ସଂପର୍କରେ JhonSearlଙ୍କର Speech-Act Theory କିମ୍ବା Husserl, Merleau - Porty Herbert Mead ପ୍ରଭୃତିଙ୍କ କାର୍ଯ୍ୟତତ୍ତ୍ୱ (Action Theory) ସଂପର୍କରେ existentia ଏବଂ phenomenological ବାଖ୍ୟା କରାଯାଇପାରେ ଆଲୋଚନାଚକ୍ରଟି ଏହି ସବୁ ଆଲୋଚନା ପାଇଁ ଉପଯୁକ୍ତ ସ୍ଥାନ ନୁହେଁ । ମଞ୍ଚ ଉପରେ ପରଦା ଉଠିଲେ କିମ୍ବା ଆଲୋକ ସଂପାତିତ ହେଲେ ଅଭିନେତା ନାମକ ବ୍ୟକ୍ତିଟିର ସମସ୍ତ କାର୍ଯ୍ୟ ଦୃଶ୍ୟ ହୁଏ । ଲୁଚେଇବା ପାଇଁ କିଛି ନଥାଏ । ତାଛଡ଼ା ସେ ଗୋଟାଏ ଚରିତ୍ର ରୂପେ ଜନ୍ମ ହୋଇ ମଞ୍ଚ ଉପରକୁ ଆସି ନଥାଏ । ଅଭିନୟ କରୁ କରୁ ଚରିତ୍ର ହୋଇଯାଏ ।

 

ତେଣୁ ମଞ୍ଚଉପରେ ଠିଆ ହୋଇଥିବା ଶରୀରଟା ହିଁ ସବୁକିଛି । ମୁଁ ଏଇଠି କହିବାକୁ ଚାହେଁ - ପରିବର୍ତ୍ତିତ ପରିସ୍ଥିତିରେ ବ୍ୟକ୍ତି ଏକ ଶରୀରସର୍ବସ୍ଵ ପ୍ରାଣୀ । ଏ ସମାଜ ମଧ୍ୟ ଶରୀରସର୍ବସ୍ଵ-। ଏକ ବସ୍ତୁବାଚକ ବିଶେଷ୍ୟ ବୋଲି ଉଭୟଙ୍କୁ ମୁଁ ଚିହ୍ମିତ କରୁଛି । ସେମାନେ ଚିହ୍ମିତ ହେଉଛନ୍ତି ମଧ୍ୟ । ସାର୍ତ୍ତେ ଏଇଟାକୁ Style of being ବୋଲି କୋଉଠି କହିଲା ଭଳି ମନେ ପଡ଼ୁଛି । ମିସେଲ୍‌ ଫୁକୋ ଏଇଟାକୁହିଁ ‘‘Stylistics of existence’’ ବୋଲି କୁହନ୍ତି । ଏହା ଆତ୍ମ ନିୟନ୍ତ୍ରିତ Style ବା ଢଙ୍ଗ ନୁହେଁ । ଏହା ସମାଜ ବା ଦର୍ଶକ ବା ଏକ ଅନୁପସ୍ଥିତ ନିର୍ଦ୍ଦେଶକ ଦ୍ଵାରା ନିୟନ୍ତ୍ରିତ । ଏହା ବ୍ୟକ୍ତି ଓ ସମାଜର ଦୃଶ୍ୟକାବ୍ୟର ଆଧାର । ଅନ୍ୟଠାରୁ ଭିନ୍ନଏକ ଢଙ୍ଗର ଶରୀରଭିତରେ ଆବଦ୍ଧ ହେବା ପ୍ରଣାଳୀ ହିଁ ଚରିତ୍ର । ତେଣୁ ସେ ଅନ୍ୟମାନଙ୍କଠାରୁ ଅଲଗା ଦୃଶ୍ୟ ହୁଏ । ଅଲଗା ଦେଖାଯିବାରୁ ତାକୁ ଅଲଗା ଚରିତ୍ର ବୋଲି କହିବା ସମାଜର କାର୍ଯ୍ୟ । ଏହା ଏକ ରାଜନୈତିକ କାର୍ଯ୍ୟ । ଗୋଟିଏ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଗଢ଼ି ଉଠିଥିବା ସଂସ୍କୃତିର କାର୍ଯ୍ୟ । ହୁଏତ ଆହୁରି ଅନେକ କାରଣ ଥାଇପାରେ । Judith Butlerଙ୍କ ଭାଷାରେ, “.... and । am sure, there is more than one, has often emerged, in the recognition that my pain or my silence or my anger or my perception is finally not mine alone, and that delimits me in a shared cultural situation, which in turn enables and empowers me in certain unanticipated ways. The personal is thus implicitly political in as much as it is conditioned by shared social structures, but the personal has also been immunized against political challenge to the extent that public/private distinctions endure.’’ (Butler, 522 - 23)

 

ଏହି ଦୃଷ୍ଟିରୁ ନାଟ୍ୟକାର ତାଳପତ୍ର କିମ୍ବା କାଗଜରେ ଲେଖି‌ଥିବା ଭାଷାଗୁଡ଼ିକ ନିର୍ଦ୍ଦେଶକଙ୍କ ଅର୍ଥ ନିଷ୍ପତ୍ତି କ୍ଷମତା ଦ୍ୱାରା ଅର୍ଥାନ୍ତରିତ ହୋଇ, ଅଭିନେତା/ଅଭିନେତ୍ରୀଙ୍କ ପାଖରେ ପହଞ୍ଚି, ସଂଳାପ ରୂପେ ପରିଚିତ ହୁଏ ଏବଂ ସଂଳାପ କହୁ କହୁ ଚରିତ୍ରଟି ସ୍ପଷ୍ଟ ହୁଏ । ଅନ୍ୟ ଚରିତ୍ରମାନଙ୍କ ଅନ୍ୟ ସଂଳାପ ସହ ତାଳ ମିଳାଇ ସଂଳାପ ଉଚ୍ଚାରଣ କରୁକରୁ ସେ ଆଲୋକ ଓ ଆବହ ସଂଗୀତ ଦ୍ୱାରା ନିୟନ୍ତ୍ରିତ ହୁଏ । ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା ବାଟରେ ଯେଉଁ ନୀରବତା ଥାଏ ତାହା ମଧ୍ୟ ଦୃଶ୍ୟକାବ୍ୟର ଭାଷା । ପୁନଶ୍ଚ ଭାଷା ସଂଳାପ ହୋଇ ଉଚ୍ଚାରିତ/ଅନୁଚ୍ଚାରିତ ହେଉହେଉ ଶବ୍ଦଟି ଦୃଶ୍ୟରେ ରୂପାନ୍ତରିତ ହୁଏ ଏବଂ ବିମ୍ବିତ ହୁଏ । ଏଇଠି ଦୃଶ୍ୟକାବ୍ୟର ଦୃଶ୍ୟବିମ୍ବ ସହ ଦର୍ଶକ ସମାଜର ଅର୍ଥାନ୍ତର ଓ ଅର୍ଥନିଷ୍ପତ୍ତି କ୍ରିୟାଟି ସଂପାଦିତ ହୁଏ । ଲିଖିତ ଭାଷା ଏଇଠି ବ୍ୟକ୍ତି ସ୍ତରରୁ ‘‘ମଞ୍ଚ-ସମାଜ’’ ଦେଇ ‘ଦର୍ଶକସମାଜ’ ପାଖରେ ପହଞ୍ଚେ । ମଞ୍ଚ ସମାଜରେ ଥାଆନ୍ତି ପାଞ୍ଚୋଟି ସ୍ତର କ- ନିର୍ଦ୍ଦେଶକ, ଖ- ଅଭିନେତା/ ଅଭିନେତ୍ରୀ, ଗ- ଆଲୋକ ସଂପାତକାରୀ ଘ- ଆବହ ସଂଗୀତର ଶିଳ୍ପୀ ଏବଂ ଙ- ଏ ସବୁର ସାମଗ୍ରିକ ମଞ୍ଚ ଉପସ୍ଥାପନା । ତାହା ଦର୍ଶକ ସମାଜ ପାଖରେ ପହଞ୍ଚିଲା ବେଳକୁ ପାଞ୍ଚଥର ଅର୍ଥ ନିଷ୍ପତି ହୋଇସାରିଥାଏ । ଦର୍ଶକମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ଅର୍ଥକୁ ଧରି ନିଅନ୍ତି । ଦର୍ଶକସମାଜର ମତାମତମାନଙ୍କ ଗରିଷ୍ଠ ସାଧାରଣ ଗୁଣନୀୟକ ବାହାରି ପାରିଲେ ଏହା ଷଷ୍ଠ ସ୍ତରର ଅର୍ଥନିଷ୍ପତ୍ତି ପ୍ରକ୍ରିୟା ବୋଲି କୁହାଯାଆନ୍ତା । ସେଥି‌ରୁ ସୁଧୀପାଠକେ ବୁଝି ପାରୁଥି‌ବେ ଦୃଶ୍ୟକାବ୍ୟର ସାମାଜିକ ଭୂମିକା ସଂପର୍କରେ । ।

 

 

୧୦୫, ରସୁଲଗଡ଼

ଭୂବନେଶ୍ଵର- ୧୦

 

***

 

ଏକାଡେମୀ ସମାଚାର

 

ବ୍ରଜନାଥ ବଡ଼ଜେନା ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଢେଙ୍କାନାଳ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୂଲ୍ୟରେ କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ପାଳନ ଅବସରରେ ତା ୧୪.୪.୯୮ ରିଖ ସଂଧ୍ୟା ଛ’ଘଣ୍ଟା ସମୟରେ ଢେଙ୍କାନାଳସ୍ଥ ଗୋପବଂଧୁ ଟାଉନ୍‌ହଲ୍‌ଠାରେ ଏକ ସାରସ୍ଵତ ଆସରର ଆୟୋଜନ କରାଯାଇଥିଲା । ଏହି ଉପଲକ୍ଷେ ସାହିତ୍ୟ ଏକାଡେମୀର ସଦସ୍ୟ ଶ୍ରୀ ହରମୋହନ ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ପଞ୍ଚାୟତରାଜ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ରଜନାଥ ବଡ଼ଜେନାଙ୍କ କାବ୍ୟିକ ଆବେଗ, ରସବୋଧ, ନିର୍ଭୀକ ସମାଲୋଚନାମୂଳକ ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀ ଓ ବୈପ୍ଲବିକ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ ।

 

ଉତ୍ସବରେ ମୁଖ୍ୟବକ୍ତା ଭାବେ ଶ୍ରୀ ରଜତ କୁମାର କର ଯୋଗ ଦେଇ ରୀତିଯୁଗର କବି ବ୍ରଜନାଥ ବଡ଼ଜେନା ଓଡ଼ିଆ ସାହିତ୍ୟର ଇତିହାସରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ସ୍ଥାନର ଅଧି‌କାରୀ ବୋଲି ମତବ୍ୟକ୍ତ କରିଥିଲେ । ଶବ୍ଦଚୟନ, ଛନ୍ଦସୃଷ୍ଟି ଓ ବର୍ଣ୍ଣନାଚାତୁରୀ ବଡ଼ଜେନାଙ୍କୁ ଓଡ଼ିଆ ସାହିତ୍ୟରେ ଅମର କରିଛି । ଶ୍ରୀ ମହାମେଧାନନ୍ଦ ନାଥ ସରସ୍ୱତୀ ଏବଂ ଶ୍ରୀ ବସନ୍ତ କୁମାର ମହାପାତ୍ର ଯଥାକ୍ରମେ ସମ୍ମାନିତ ଅତିଥି ଏବଂ ସମ୍ମାନିତ ବକ୍ତାଭାବେ ଯୋଗଦାନ କରି କବିଙ୍କ ବହୁ ମୁଖୀ ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ । ଏକାଡେମୀର ସହ ସଚିବ ଶ୍ରୀ ଭବାନୀ ପ୍ରସାଦ ସିଂହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।

 

ସିଦ୍ଧସାଧକ ଯଶୋବନ୍ତ ଦାସ ଜୟନ୍ତୀ

ମଧ୍ୟ ଯୁଗୀୟ ପଞ୍ଚସଖାର ଅନ୍ୟତମ ସିଦ୍ଧସାଧକ ଯଶୋବନ୍ତ ଦାସଙ୍କ ପୁଣ୍ୟ ଜନ୍ମତିଥି‌ ଉପଲକ୍ଷେ କବିଙ୍କ ଜନ୍ମପୀଠ ନାଇଲୋ, ଅଢ଼ଙ୍ଗଠାରେ ସ୍ଥାନୀୟ ଯଶୋବନ୍ତ ସାହିତ୍ୟ ଓ ସଂସ୍କୃତି ସଂସଦଙ୍କ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତା ୨୯.୦୪.୯୮ ରିଖ ସନ୍ଧ୍ୟା ୬ଘଣ୍ଟା ସମୟରେ ଏକ ସାରସ୍ଵତ ସ୍ମୃତି ଆସରର ଆୟୋଜନ କରାଯାଇଥି‌ଲା ।

 

ଏକାଡେମୀର ସଦସ୍ୟ ତଥା ସାରଳା ସାହିତ୍ୟ ସଂସଦର ସଂପାଦକ ଶ୍ରୀ ପ୍ରଭାକର ସ୍ଵାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସମାଲୋଚକ ଓ ଗବେଷକ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି ମୁଖ୍ୟ ଅତିଥି‌ ଏବଂ ସମାଲୋଚିକା ଡକ୍ଟର ସୁଲୋଚନା ଦାସ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ ।

 

ମୁଖ୍ୟ ଅତିଥି ‌ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି ତାଙ୍କର ଭାଷଣ ପ୍ରସଙ୍ଗରେ ସନ୍ଥକବିଙ୍କର ଜନ୍ମତିଥି ‌ନେଇ ବିବାଦ ସୃଷ୍ଟି ନକରି ତାଙ୍କର ଆଦର୍ଶ ଜୀବନ, ଆଧ୍ୟାତ୍ମବାଦ ତଥା କାଳଜୟୀ ସାରସ୍ଵତ କୃତି ପ୍ରତି ଅଧିକରୁ ଅଧି‌କ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଡକ୍ଟର ସୁଲୋଚନା ଦାସ କବିଙ୍କ ଜୀବନ ଓ ପ୍ରତିଭା ସଂପର୍କରେ ଭାଷଣ ପ୍ରଦାନ କରି କହିଲେ ଯେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଆଧ୍ୟାତ୍ମିକ ରଚନାବଳୀ ଦ୍ୱାରା ଋଦ୍ଧିମନ୍ତ କରି ଓଡ଼ିଆ ସାହିତ୍ୟର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନ ଚିର ସ୍ମରଣୀୟ ।

 

ଇଂ. ପ୍ରଭାକର ସ୍ୱାଇଁ ସ୍ମୃତିସଭାରେ ପୌରୋହିତ୍ୟ କରି ସିଦ୍ଧସାଧକ ଯଶୋବନ୍ତଙ୍କ ଅଲୌକିକ ବ୍ୟକ୍ତିତ୍ୱ ସଂପର୍କରେ ନାନା ଉଦାହରଣ ଦେଇ ତାଙ୍କୁ ଭଗବାନଙ୍କର ଏକ ଅଂଶବିଶେଷ ବୋଲି ଅଭିହିତ କରିଥିଲେ । ଜଗତ୍‌ସିଂହପୁର ଅଞ୍ଚଳରେ ଜନ୍ମଲାଭ କରିଥିବା ବହୁ ପ୍ରତିଷ୍ଠିତ କବି, ସାହିତ୍ୟିକ, ନାଟ୍ୟକାର, ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀଙ୍କର ଅବଦାନ ଅବିସ୍କୃରଣୀୟ ବୋଲି ଭାଷଣ ପ୍ରସଂଗରେ ସେ ଉଲ୍ଲେଖ କରିଥିଲେ ।

 

ଏକାଡେମୀର ସହସଚିବ ଶ୍ରୀ ଭବାନୀ ପ୍ରସାଦ ସିଂହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସ୍ଥାନୀୟ ଯଶୋବନ୍ତ ସାହିତ୍ୟ ଓ ସଂସ୍କୃତି ସଂସଦର ସଂପାଦକ ଶ୍ରୀ କିଶୋର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅଢ଼ଙ୍ଗ ଗ୍ରାମର ଜନସାଧାରଣ ଏହି ସଭାରେ ସମବେତ ହୋଇ ତାଙ୍କର ପ୍ରିୟକବିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

 

କବି ଦୀନକୃଷ୍ଣ ଦାସ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଦୀନକୃଷ୍ଣ ସ୍ମୃତି ପରିଷଦ ଜଳେଶ୍ଵରଙ୍କ ମିଳିତ ଆନୁକୂଲ୍ୟରେ । ଭକ୍ତ କବି ଦୀନକୃଷ୍ଣ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ୩.୫.୯୮ ତାରିଖ ସଂଧ୍ୟା ଛ’ ଘଣ୍ଟା ସମୟରେ । ଜଳେଶ୍ଵରସ୍ଥ ଦୀନକୃଷ୍ଣ ସଂଗୀତ କଳାମନ୍ଦିରରେ ଏକ ସାହିତ୍ୟସଭାର ଆୟୋଜନ କରାଯାଇଥି‌ଲା ।

 

ଏହି ସାରସ୍ୱତ ଉତ୍ସବରେ ଓଡ଼ିଆ ସାହିତ୍ୟର ବିଶିଷ୍ଟ ସମାଲୋଚକ ତଥା ବାଗ୍ମୀ ଶ୍ରୀ ହୃଦାନନ୍ଦ ରାୟ ମୁଖ୍ୟଅତିଥି‌, ସୁସାହିତ୍ୟକ ଓ ସୁବକ୍ତା ଶ୍ରୀ ରଜତ କୁମାର କର ମୁଖ୍ୟବକ୍ତା ଏବଂ ନାଟ୍ୟ ସମାଲୋଚକ ଶ୍ରୀ ଇନ୍ଦ୍ରଭୂଷଣ କର ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରିଥଲେ । ଏକାଡେମୀର ସଦସ୍ୟ ତଥା ବିଶିଷ୍ଟ କବି ଶ୍ରୀ ବ୍ରଜନାଥ ରଥ ଏଥି‌ରେ ପୌରୋହିତ୍ୟ କରିଥିଲେ । ମୁଖ୍ୟଅତିଥି‌ ଶ୍ରୀ ହୃଦାନନ୍ଦ ରାୟ ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ କବି ଦୀନକୃଷ୍ଣ ଥି‌ଲେ ଅଲୌକିକ ପ୍ରତିଭା ସଂପନ୍ନ କାବ୍ୟଶିଳ୍ପୀ ମଧ୍ୟ ଯୁଗୀୟ ଓଡ଼ିଆ ସାହିତ୍ୟରେ କବି ଦୀନକୃଷ୍ଣ ଦାସ ଏକ ପ୍ରଚଣ୍ଡ ବିପ୍ଳବୀ ପ୍ରତିଭା । ଦୀନକୃଷ୍ଣ ଓଡ଼ିଶାର ବୈଷ୍ଣବ ଧର୍ମ- ଆନ୍ଦୋଳନର ଇତିହାସରେ ଜଣେ ସମନ୍ଵୟବାଦୀ କବି । ଏକ ପକ୍ଷରେ ଜଗନ୍ନାଥଙ୍କ ଅବତାରିତ୍ୱ ପ୍ରତିପାଦନ କରି ଉତ୍କଳୀୟ ବୈଷ୍ଣବଧର୍ମାବଲମ୍ବୀଙ୍କ ମନୋରଞ୍ଜନ କରିବା ସଙ୍ଗେ ସଙ୍ଗେ ଅନ୍ୟପକ୍ଷରେ ଗୌଡ଼ୀୟ ମତରେ ଅନୁରୂପ ଶ୍ରୀକୃଷ୍ଣଙ୍କର ବିଷ୍ଣୁତ୍ୱ ପ୍ରତିପାଦନ କରିବା ଥିଲା ତାଙ୍କର ଚରମ ଲକ୍ଷ୍ୟ ।

 

ଶ୍ରୀ ରଜତ କୁମାର କର ମୁଖ୍ୟବକ୍ତା ଭାବେ ଯୋଗଦାନ କରି କହିଲେ ଯେ ରୀତିଯୁଗୀୟ କବି ଦୀନକୃଷ୍ଣ ନୈସର୍ଗିକ ପ୍ରତିଭାର ଅଧି‌କାରୀ ଥି‌ଲେ । ସେ ଓଡ଼ିଆ କାବ୍ୟ ପରଂପରାରେ ବୈଷ୍ଣବୀୟ ଭାବଚେତନାର ସୁଦୃଢ଼ ଭୀତି ସ୍ଥାପନ କରିଯାଇଛନ୍ତି । ଶୈଳୀଗତ ଲାଳିତ୍ୟ ଓ ଭାବମାଧୁର୍ଯ୍ୟରେ ସମୃଦ୍ଧ ଅମରକୃତି ରସକଲ୍ଲୋଳ ତାଙ୍କ ଉତ୍ତୁଙ୍ଗ କବିତ୍ୱ ଓ ଅଗାଧ ପାଣ୍ଡିତ୍ୟର ପରିଚାୟକ । ଏହି ସାରସ୍ଵତ ଆସରର ସଭାପତି କବି ଶ୍ରୀ ବ୍ରଜନାଥ ରଥ ତାଙ୍କ ଅଭିଭାଷଣରେ କହିଲେ ଯେ ରୀତିଯୁଗର ଅନନ୍ୟ କବି ଦୀନକୃଷ୍ଣ ତାଙ୍କର ସାରସ୍ୱତ କୃତି ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ଜାଗରଣ ଆଣିବାକୁ ଚେଷ୍ଟା କରିଥିଲେ । ଆଧ୍ୟାତ୍ମିକ ଭାବଧାରାରେ ପରିପୁଷ୍ଟ ତାଙ୍କର ପ୍ରତ୍ୟେକ କୃତି ଆଦର୍ଶର ଦ୍ୟୋତକ ଅଟେ ।

 

ଏକାଡେମୀର ସହସଚିବ ଶ୍ରୀ ଭବାନୀ ପ୍ରସାଦ ସିଂହ ତାଙ୍କର ସ୍ଵାଗତ ଭାଷଣ ପ୍ରସଙ୍ଗରେ ଏହି ମହାନ କାବ୍ୟଶିଳ୍ପୀଙ୍କ ଜୀବନ ଓ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ ।

 

ସନ୍ଥକବି ଭୀମଭୋଇ ଜୟନ୍ତୀ

୧୧-୫-୯୮ ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୀମଭୋଇ ସାହିତ୍ୟ ପରିଷଦ ଓ ଭୀମଭୋଇ କଳା ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ରେଢ଼ାଖୋଲସ୍ଥ କଦମ୍ବ ପଡ଼ିଆଠାରେ ସନ୍ଥକବି ଭୀମଭୋଇଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ମୃତିସଭାର ସଭାପତି ତଥା ଏକାଡେମୀର ସଦସ୍ୟ ଡକ୍ଟର ଗୋପାଳକୃଷ୍ଣ ରଥ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଅତିଥିମାନଙ୍କୁ ସ୍ଵାଗତ ଜଣାଇଥି‌ଲେ ଏବଂ ଭୀମଭୋଇ ସାହିତ୍ୟ ପରିଷଦର ସାଧାରଣ ସଂପାଦକ ଅଧ୍ୟାପକ ମହେନ୍ଦ୍ର କୁମାର ବିଶ୍ଵାଳ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

 

ଡକ୍ଟର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ସନ୍ଥକବି ଭୀମଭୋଇଙ୍କ ସୃଷ୍ଟିସଂପଦ ତାଙ୍କର ଏକାନ୍ତ ନିଜସ୍ଵ ଓ ପ୍ରଭାବହୀନ ଏବଂ ରୀତିଯୁଗୀୟ କାବ୍ୟପରଂପରାରେ କବିଙ୍କ ସୃଷ୍ଟି ନିଷ୍ପତ୍ତି ନହୋଇ ବରଂ ମୌଳିକତା ପାଇଁ ନିଜସ୍ଵ ସତ୍ତା ବଜାୟ ରଖିପାରିଛି ବୋଲି ଉଲ୍ଲେଖ କରିଥିଲେ । ଆଳଙ୍କାରିକ ଭାଷା ପ୍ରୟୋଗରେ ପାଣ୍ଡିତ୍ୟ ପ୍ରଦର୍ଶନକୁ ଉପେକ୍ଷା କରି କବି ସରଳ ଓ ବୋଧଗମ୍ୟ ଭାଷାରେ ମହିମା ଧର୍ମ ଓ ଦର୍ଶନକୁ ଲିପିବଦ୍ଧ କରି ଲୋକଙ୍କ ହୃଦୟକୁ ସ୍ପର୍ଶ କରି ପାରିଛନ୍ତି ବୋଲି କହିଥିଲେ ।

 

ସମ୍ମାନିତ ବକ୍ତା ମହେନ୍ଦ୍ର କୁମାର ବିଶ୍ଵାଳ ସନ୍ଥକବିଙ୍କୁ ଜଣେ କର୍ମଯୋଗୀ, ବିପ୍ଲବୀ ଓ ସମାଜ ସଂସ୍କାରକ ଭାବେ ଅଭିହିତ କରିବା ସଙ୍ଗେ ସଙ୍ଗେ ତତ୍‌କାଳୀନ ଉତ୍ପୀଡ଼କ ରାଜ୍ୟଶାସନ, ତ୍ରୁଟିଯୁକ୍ତ ନିର୍ବେଦଗ୍ରସ୍ତ ସାମାଜିକ ବ୍ୟବସ୍ଥା ଓ ପରଂପରା ବିରୋଧରେ ଯେଉଁ ବଜ୍ରଗମ୍ଭୀର ସ୍ଵର ଉତ୍ତୋଳନ କରିଥି‌ଲେ ତାହା ତାଙ୍କ ସୃଷ୍ଟିର ପ୍ରକୃତ ଚିତ୍ର ବୋଲି କହିଥିଲେ । ଏହି ଯୁଗପୁରୁଷ ସନ୍ଥକବିଙ୍କ ଜନ୍ମସ୍ଥାନ ରେଢ଼ାଖୋଲ ସଂପର୍କରେ ସଂପ୍ରତି ଉଠୁଥି‌ବା ଦ୍ୱିମତ ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ବିଶ୍ଵାଳ ସଂଗ୍ରହ କରିଥିବା ବହୁ ପ୍ରାମାଣିକ ତଥ୍ୟ ସଭାରେ ଉପସ୍ଥାପନ ପୂର୍ବକ ଭୀମଭୋଇଙ୍କ ପ୍ରକୃତ ଜନ୍ମସ୍ଥାନ ରେଢ଼ାଖୋଲ ଅନ୍ତର୍ଗତ ମଧୁପୁର ଗ୍ରାମରେ ବୋଲି ଦୃଢ଼ତାର ସହିତ ପ୍ରତିପାଦନ କରିଥି‌ଲେ । ଡକ୍ଟର ଗୋପାଳକୃଷ୍ଣ ରଥ ତାଙ୍କର ସଭାପତି ଅଭିଭାଷଣରେ ଭୀମଭୋଇଙ୍କୁ ଏକାଧାରରେ ଜଣେ ମହାନ୍‌ ସ୍ରଷ୍ଟା, ଦିବ୍ୟଦ୍ରଷ୍ଟା ଓ ସମାଜ ସଂସ୍କାରକ ରୂପେ ବର୍ଣ୍ଣନା କରିଥି‌ଲେ । ତତ୍‌କାଳୀନ ସମାଜର ଦଳିତ ଓ ନିଷ୍ପେଷିତଙ୍କ ପାଇଁ କବିଙ୍କ ଗଭୀର ବେଦନାବୋଧ, ସମ୍ବେଦନଶୀଳତା ସଂପର୍କରେ ଆଲୋକପାତ କରି ଭୀମଭୋଇଙ୍କ ଜଣାଣ ଭଜନ ଆଦିରେ କବିଙ୍କ ସତ୍ୟନିଷ୍ଠ ଆଦର୍ଶ ଜୀବନ, ଦର୍ଶନ ଓ ଧର୍ମଧାରଣାର ନିଗୂଢ଼ ତତ୍ତ୍ଵାବଳୀ ସଂପର୍କରେ ସେ ବିଶଦ ଆଲୋଚନା କରିଥିଲେ । ଭୀମଭୋଇ ସାହିତ୍ୟ ପରିଷଦର ସଭାପତି ଶ୍ରୀଯୁକ୍ତ ଗୋକୁଳାନନ୍ଦ ସାହୁ କବିଙ୍କ ଅମ୍ଳାନ ପ୍ରତିଭା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ପଶ୍ଚିମ ଓଡ଼ିଶାର ଅନେକ ଲୋକଗୀତ ଓ ଜନ୍ମମାଟିର ଲୋକସଂସ୍କୃତି ଓ ପରଂପରା ପ୍ରତି ଭୀମଭୋଇଙ୍କ ଗଭୀର ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ ସଂପର୍କରେ ସନ୍ତକବିଙ୍କ ରଚିତ ଲୋକଗୀତରୁ କେତେଗୁଡ଼ିଏ ପଂକ୍ତି ଉଦ୍ଧାର କରିଥିଲେ ।

 

ପରିଶେଷରେ ଭୀମଭୋଇ କଳା ପରିଷଦର ସଭାପତି ଶ୍ରୀ ରଞ୍ଜିତ କୁମାର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ଓ ଶେଷରେ ଭୀମଭୋଇ ସାହିତ୍ୟ ପରିଷଦ ଓ ଭୀମଭୋଇ କଳା ପରିଷଦ ପକ୍ଷରୁ ଭୀମଭୋଇଙ୍କ ରଚିତ ଭଜନ ଗାନ କରାଯାଇଥିଲା ।

 

ସାର୍‌ ବାସୁଦେବ ସୁଢ଼ଳଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ, ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦ, ଦେବଗଡ଼ ଓ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ତା ୧୬.୫.୯୮ରିଖରେ ଦେବଗଡ଼ସ୍ଥ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରାଙ୍ଗଣରେ ସାର୍‌ ବାସୁଦେବ ସୁଢ଼ଳଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଯାଇଥିଲା ।

 

ଉତ୍ସବ ପ୍ରାରମ୍ଭରେ ମୁଖ୍ୟଅତିଥି ‌ଶ୍ରୀଯୁକ୍ତ ଦୟାଲାଲ୍‌ ଯୋଷୀ ବାସୁଦେବଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜଳନ କରିଥି‌ଲେ । ଦେବଗଡ଼ର ବହୁ ବିଶିଷ୍ଟ ବ୍ୟକ୍ତି ବାସୁଦେବଙ୍କ ତୈଳଚିତ୍ରରେ ପୁଷ୍ପଗୁଛ ପ୍ରଦାନ କରି ସେମାନଙ୍କର ଭକ୍ତିପୁତ ଶ୍ରଦ୍ଧାସୁମନ ଅର୍ପଣ କରିଥଲେ । ମୁଖ୍ୟଅତିଥି ‌ଶ୍ରୀଯୁକ୍ତ ଯୋଷୀ ବାମଣ୍ଡାଧୀଶ୍ଵର ବହୁ ପ୍ରତିଭାର ଅଧି‌କାରୀ ସାର୍‌ ବାସୁଦେବ ସୁଢ଼ଳଦେବଙ୍କ ବ୍ୟସ୍ତିତ୍ୱ ଉପରେ ଆଲୋଚନା କରି କହିଲେ ଯେ ବାସୁଦେବ ଜଣେ ପ୍ରଜାବତ୍ସଳ ରାଜା ଭାବରେ ରାଜ୍ୟର ଯୋଗାଯୋଗ ବ୍ୟବସ୍ଥା, ନଗର ଉନ୍ନୟନ ପରିକଳ୍ପନା, ଜଳଯୋଗାଣ ଓ ବିଦ୍ୟୁତ୍‌କରଣ ତଥା କୃଷିର ବିକାଶ ସହିତ ବାଲ୍ୟ ବିବାହର ବିରୋଧ ଓ ବିଧବା ବିବାହ ପ୍ରଚଳନ ନିମନ୍ତେ ପଦକ୍ଷେପମାନ ଗ୍ରହଣ କରିଥି‌ଲେ । ଜଣେ ଉତ୍ତମ ସାରସ୍ଵତ ସାଧକ ଭାବରେ ଓଡ଼ିଆ ଭାଷାର ପ୍ରସାର ପାଇଁ ପ୍ରଥମେ ବାମଣ୍ଡାରେ ଏକ ଛାପାକଳ ପ୍ରତିଷ୍ଠା କରି ‘ସମ୍ବଲପୁର ହିତୈଷିଣୀ’, ‘ଉତ୍କଳ ମଧୂପ’ ଓ ବିଜୁଳି ଆଦି ପତ୍ରିକାମାନ ପ୍ରକାଶ କରାଇଥିଲେ । ସେ ଓଡ଼ିଆ ସାହିତ୍ୟର ପ୍ରସାର ନିମନ୍ତେ ରାଜକୀୟ ପୃଷ୍ଠପୋଷକତା ଓ ପ୍ରୋତ୍ସାହନ ଯୋଗାଇ ଆମ ସାହିତ୍ୟର ପ୍ରଭୃତ ଉନ୍ନତି ସାଧନ କରିଥିଲେ ।

 

ମୁଖ୍ୟବକ୍ତା ଡକ୍ଟର ରଘୁନାଥ ମେହେର ବାସୁଦେବଙ୍କ ସୃଷ୍ଟି ସଂପର୍କରେ ଆଲୋଚନା କରି ତାଙ୍କଦ୍ୱାରା ରଚିତ ଚିତ୍ରୋତ୍ପଳା, ବୀରବାମ ଆଦି କାବ୍ୟ ଗୁଡ଼ିକର ସାହିତ୍ୟିକ ମୂଲ୍ୟାୟନ କରିଥିଲେ-। ତାଙ୍କଦ୍ୱାରା ରଚିତ ଓ ଅପ୍ରକାଶିତ ରହିଥିବା ଅନେକ ପାଣ୍ଡୁଲିପିର ଯଥାଶୀଘ୍ର ପ୍ରକାଶନ ହେବା ସଂପର୍କରେ ମତବ୍ୟକ୍ତ କରିଥିଲେ । ପ୍ରକୃତିର ଜୀବନ୍ତ ଚିତ୍ରଣ, ଦେଶପ୍ରେମ ଓ ଜାତୀୟତାବାଦ ତାଙ୍କର ରଚନାଗୁଡ଼ିକୁ ଅମରତ୍ୱ ପ୍ରଦାନ କରିଛି । ସମ୍ମାନିତ ଅତିଥି‌ଭାବରେ ଦେବଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ କୁମାର ରାଉତ ଦେବଗଡ଼ରେ ସାର୍‌ ବାସୁଦେବ ସୁଢ଼ଳଦେବଙ୍କ ଜୟନ୍ତୀ ଉତ୍ସବ ଓଡ଼ିଶା ସାହତ୍ୟ ଏକାଡେମୀ ପାଳନ କରୁଥିବାରୁ ଏକାଡେମୀ କର୍ତ୍ତୃପକ୍ଷଙ୍କ ନିକଟରେ ସେ କୃତଜ୍ଞତା ଜ୍ଞାପନ କରିଥିଲେ । ଏକାଡେମୀର ସଦସ୍ୟ ଶ୍ରୀଯୁକ୍ତ ମଧୁସୂଦନ ଗୁରୁ ଉତ୍ସବରେ ପୌରୋହିତ୍ୟ କରି ସାର ବାସୁଦେବ ଏକାଧାରରେ ଜଣେ ସୁକବି, ସମାଜ ସଂସ୍କାରକ ଓ ସାରସ୍ଵତ ପ୍ରେମୀ ରାଜା ଥି‌ଲେ ବୋଲି କହିଥିଲେ । ତାଙ୍କ ଦରବାରରୁ ଫକୀର ମୋହନଙ୍କୁ ‘ସରସ୍ଵତୀ’ ଉପାଧି ‌ଓ ରାଧାନାଥଙ୍କୁ ‘କବିବର’ ଉପାଧି‌ ପ୍ରଦାନ କରାଯାଇଥିଲା-। ବାସୁଦେବଙ୍କ ଭଳି ଜଣେ ପ୍ରଚଣ୍ଡ ପ୍ରତିଭାର ଅଧି‌କାରୀଙ୍କୁ ଦେବଗଡ଼ବାସୀ ଶାସନାଧ୍ୟକ୍ଷ ଭାବରେ ପାଇଥି‌ବାରୁ ଦେବଗଡ଼ ଆଜି ମହାନ ହୋଇପାରିଛି ଏବଂ ଏକଦା ସାଂସ୍କୃତିକ ଜାଗରଣ କ୍ଷେତ୍ରରେ ବାମଣ୍ଡା ଓଡ଼ିଶାର କେନ୍ଦ୍ରବିନ୍ଦୁ ଥି‌ଲା ବୋଲି ସେ ମତ ପୋଷଣ କରିଥିଲେ ।

 

ଏକାଡେମୀ ପକ୍ଷରୁ ଶ୍ରୀ ରବିରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥି‌ଲେ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଶ୍ରୀ ମନୋଜ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

ସୁରେନ୍ଦ୍ର ମହାନ୍ତି ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଭୁବନେଶ୍ୱରସ୍ଥ ପାନ୍ଥନିବାସ ସଭାକକ୍ଷରେ ତା ୨୧.୬.୯୮ରିଖ ସଂଧ୍ୟା ଏକ ସାରସ୍ଵତ ଆସରର ଆୟୋଜନ କରାଯାଇଥିଲା । ଉତ୍ସବରେ ଜ୍ଞାନପୀଠ ପୁରସ୍କାର ବିଜେତା ବରିଷ୍ଠ କବି ଡକ୍ଟର ସଚ୍ଚିରାଉତରାୟ ମୁଖ୍ୟ ଅତିଥି ‌ଭାବେ ଯୋଗଦାନ କରିଥିଲେ ।

 

କବି ଫନୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ‌ସଚ୍ଚି ରାଉତରାୟ ସଂକ୍ଷିପ୍ତ ହେଲେ ମଧ୍ୟ ସୁରେନ୍ଦ୍ର ମହାନ୍ତିଙ୍କ ସାହିତ୍ୟର ଏକ ତାତ୍ତ୍ୱିକ ବିଶ୍ଲେଷଣ କରିଥି‌ଲେ । ସେ କହିଥି‌ଲେ ଯେ ମାନବୀୟ ଆବେଦନ ଯୋଗୁ ସୁରେନ୍ଦ୍ରଙ୍କ ଗଳ୍ପହିଁ ତାଙ୍କ ସାରସ୍ଵତ ସ୍ଵାକ୍ଷରର ସର୍ବଶ୍ରେଷ୍ଠ ନିଦର୍ଶନ । ଉପନ୍ୟାସଗୁଡ଼ିକ ମଧ୍ୟରୁ ଅନେକ, ଇତିହାସର ଉପାଦାନରୁ ସୃଷ୍ଟ । କେବଳ ଅନ୍ଧଦିଗନ୍ତ ଆମ ସମସ୍ତଙ୍କ ମନର କଥା କହିଛି । ସୁରେନ୍ଦ୍ର ଅସମ୍ଭବ ଓଡ଼ିଆପ୍ରେମୀ ଥିଲେ । କିନ୍ତୁ ତାଙ୍କର ଜାତୀୟତା ମଧୁବାବୁଙ୍କ ପର୍ଯ୍ୟନ୍ତ ବିସ୍ତୃତ ଥିଲା ବୋଲି ଶ୍ରୀ ରାଉତରାୟ ଉଲ୍ଲେଖ କରିଥିଲେ । ଏହି ସାରସ୍ୱତ ଆସରରେ ଯୋଗଦାନ କରି ଲବ୍‌ଧ ପ୍ରତିଷ୍ଠ ସାହିତ୍ୟିକ ଶ୍ରୀ ଶାନ୍ତନୁ ଆଚାର୍ଯ୍ୟ କହିଲେ ଓଡ଼ିଆ ଭାଷାର ସବ୍ୟସାଚୀ ସୁରେନ୍ଦ୍ରବାବୁଙ୍କ ଜୟନ୍ତୀ ଆମେ ପାଳନ କରୁଛେ । କିନ୍ତୁ ସେହି ଭାଷା ଉପରେ ଆମର ଆସ୍ଥା ନାହିଁ । ଓଡ଼ିଆ ଭାଷାର ଉନ୍ନତି ପାଇଁ ସରକାରୀ ସ୍ତରରେ ଯଥେଷ୍ଟ ପ୍ରୋତ୍ସାହନ ମିଳିବା ଉଚିତ୍‌ ବୋଲି ଶ୍ରୀ ଆଚାର୍ଯ୍ୟ ମତବ୍ୟକ୍ତ କରିଥଲେ । ଆଜିକାଲି ସଂବାଦପତ୍ର ଆମକୁ ପରିଚାଳନା କରୁଛି । କିନ୍ତୁ ସାହିତ୍ୟ ଆମକୁ ଯେଉଁଦିନ ପରିଚାଳନା କରିବାକୁ ଆଗେଇ ଆସିବ ସେଦିନ ଏ ଭାଷା ଓ ସଂସ୍କୃତି ନିରାପଦ ବୋଲି ଆମର ହୃଦବୋଧ ହେବ ବୋଲି ଶ୍ରୀ ଆଚାର୍ଯ୍ୟ ତାଙ୍କ ଭାଷଣ ପ୍ରସଙ୍ଗରେ କହିଥିଲେ ।

 

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଗାଳ୍ପିକ ତଥା ଔପନ୍ୟାସିକ ବିଭୂତି ପଟ୍ଟନାୟକ, ସୁରେନ୍ଦ୍ର ମହାନ୍ତିଙ୍କ କନ୍ୟା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଏବଂ ଗବେଷକ ଡକ୍ଟର ପ୍ରକାଶ କୁମାର ପରିଡ଼ା ସୁରେନ୍ଦ୍ରଙ୍କ ସଂପର୍କରେ କିଛି ବ୍ୟକ୍ତିଗତ ଓ ଭାବଗତ ଆଲୋଚନା କରିଥିଲେ । ଡକ୍ଟର ପରିଡ଼ା ଆଲୋଚନା ସମୟରେ ସୁରେନ୍ଦ୍ର ଗବେଷଣା ପରିଷଦ ଗଠନ ସମେତ ପାଞ୍ଚଟି ପ୍ରସ୍ତାବ ଉପସ୍ଥାପନ କରିଥି‌ଲେ । ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଛା ପଟନାୟକ ତାଙ୍କର ସ୍ଵାଗତ ଭାଷଣ ପ୍ରସଙ୍ଗରେ କଥାଶିଳ୍ପୀ ସୁରେନ୍ଦ୍ରଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି ଜଣେ ସଂପୂର୍ଣ୍ଣ ମଣିଷ ବୋଲି ସେ ପ୍ରକାଶ କରିଥି‌ଲେ । ସହସଚିବ ଶ୍ରୀ ଭବାନୀ ପ୍ରସାଦ ସିଂହ ଧନ୍ୟବାଦ ଅର୍ପଣ ଅବସରରେ ଏକାଡେମୀରେ ଶ୍ରୀ ମହାନ୍ତିଙ୍କ କାର୍ଯ୍ୟାବଳୀ ସଂପର୍କରେ ସୂଚନା ଦେଇଥିଲେ ।

 

ପଣ୍ଡିତ କୃପାସିନ୍ଧୁ ମିଶ୍ର ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ କୃପାସିନ୍ଧୁ ସ୍ମୃତି ସମିତିଙ୍କ ମିଳିତ ଆନୁକୂଲ୍ୟରେ ସତ୍ୟବାଦୀର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସଖା ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତାଙ୍କର ଜନ୍ମପୀଠ ବୀର ପ୍ରତାପପୁରସ୍ଥ କୃପାସିନ୍ଧୁ କ୍ଲବ ପ୍ରାଙ୍ଗଣରେ ତା ୨୭.୬.୯୮ରିଖ ସଂଧା ଛ’ ଘଣ୍ଟା ସମୟରେ ପାଳିତ ହୋଇଯାଇଛି । ଜୟନ୍ତୀ ପାଳନ ଅବସରରେ ଆୟୋଜିତ ସାରସ୍ଵତ ସ୍ମୃତିସଭାରେ ‘ସମାଜ’ର ସଂପାଦକ ତଥା ବରେଣ୍ୟ କବି ଓ ଶିଶୁ ସାହିତ୍ୟିକା ଶ୍ରୀମତୀ ମନୋରମା ମହାପାତ୍ର ମୁଖ୍ୟ ଅତିଥି‌ଭାବରେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କୃପାସିନ୍ଧୁଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରିଥି‌ଲେ । ପଣ୍ଡିତ ମହାଶୟ ଜ୍ଞାନ, ସେବା ଓ ତ୍ୟାଗର ଜୀବନ୍ତ ପ୍ରତିମୂର୍ତ୍ତି ଥି‌ଲେ ଏବଂ ତାଙ୍କର ନିଷ୍ଠାପର ସାଧନା ଓ ଗଭୀର । ଦେଶପ୍ରେମ ବିରଳ ବୋଲି ତାଙ୍କର ଅଭିଭାଷଣ ପ୍ରସଙ୍ଗରେ ଶ୍ରୀମତୀ ମହାପାତ୍ର ଉଲ୍ଲେଖ କରିଥିଲେ ।

 

ଲବ୍‌ଧପ୍ରତିଷ୍ଠ କଥାକାର ପ୍ରଫେସର ଡକ୍ଟର ଗଣେଣ୍ଵର ମିଶ୍ର ଏଥିରେ ସମ୍ମାନିତ ଅତିଥି‌ଭାବରେ ଯୋଗଦାନ କରି କୃପାସିନ୍ଧୁଙ୍କ ରଚିତ ମୂଲ୍ୟବାନ ପୁସ୍ତକ ତଥା ଦୁଷ୍ପ୍ରାପ୍ୟ ରଚନାବଳୀର ପୁନଃପ୍ରକାଶନ ପାଇଁ ମତ ପ୍ରକାଶ କରିଥଲେ । ବିଶିଷ୍ଟ କବି ତଥା ସମାଲୋଚକ ଡକ୍ଟର ଶୁଭେନ୍ଦୁ ମୁଣ୍ଡ ଏଥି‌ରେ ପୌରୋହିତ୍ୟ କରି ପଣ୍ଡିତ କୃପାସିନ୍ଧୁ ତଥା ସତ୍ୟବାଦୀର ଅନ୍ୟାନ୍ୟ ସଖାମାନଙ୍କ ଉତ୍ସର୍ଗୀକୃତ ସାଧନା, ସଂକଳ୍ପ ଓ ସଂଘର୍ଷ ବର୍ତ୍ତମାନର ସମାଜ ପାଇଁ ଆଦର୍ଶ ଓ ଶିକ୍ଷାପ୍ରଦ ବୋଲି ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ।

 

ପ୍ରାରମ୍ଭରେ ଏକାଡେମୀ ସଚିବ କବି ଡକ୍ଟର ହରପ୍ରସାଦ ପରିଛା ପଟନାୟକ ତାଙ୍କର ସ୍ଵାଗତ ଭାଷଣ ପ୍ରସଙ୍ଗରେ କୃପାସିନ୍ଧୁଙ୍କ ଆଦର୍ଶ ଜୀବନ ସଂପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କର ଜନ୍ନପୀଠରେ ପ୍ରଥମଥର ପାଇଁ ଏହି ଉତ୍ସବ .ଆୟୋଜନ କରି ଏକାଡେମୀର କାର୍ଯ୍ୟକ୍ରମକୁ ଗ୍ରାମାଭିମୁଖୀ କରିବା ଦିଗରେ ପ୍ରଚେଷ୍ଟା କରାଯାଇଛି ବୋଲି କହିଥି‌ଲେ । କିଛି ବ୍ୟକ୍ତି ରକ୍ତ ମାଂସର ଶରୀର ପ୍ରତି ଯତ୍ନଶୀଳ ଥାଆନ୍ତି ଓ ତାର ଅବସାନ ଘଟିଲେ ମରିଯାଆନ୍ତି । ଆଉ କିଛି ବ୍ୟକ୍ତି ନିଜର ଯୋଗ ଓ ସେବା ବଳରେ ମୃତ୍ୟୁ ତାର ଜୀବନପ୍ରତି ପ୍ରସ୍ତୁତ ହୋଇଥାନ୍ତି । କୃପାସିନ୍ଧୁ ସେହି ଦ୍ୱିତୀୟ ପର୍ଯ୍ୟାୟର ବ୍ୟକ୍ତିତ୍ୱ ବୋଲି ସେ ମତ ପୋଷଣ କରିଥିଲେ । କୃପାସିନ୍ଧୁ ସ୍ମୃତି ମନ୍ଦିର ସଭାପତି କୃପାସିନ୍ଧୁଙ୍କ ସୁଯୋଗ୍ୟ ପୁତ୍ର ଶ୍ରୀ ଜଗନ୍ନାଥ ମିଶ୍ର ମଧ୍ୟ ତାଙ୍କ ସମିତି ତରଫରୁ ସମସ୍ତଙ୍କୁ ସ୍ଵାଗତ କରିଥି‌ଲେ । ସ୍ମୃତି ସମିତିର ସଂପାଦକ ଶ୍ରୀ ଦିବାକର ମିଶ୍ର ବିବରଣୀ ପାଠ କରିଥିଲେ । ପ୍ରଥମେ ଗ୍ରାମ୍ୟ ବିଦ୍ୟାଳୟଠାରେ ଅତିଥିମାନେ କୃପାସିନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥି‌ଲେ । ପରିଶେଷରେ ଶ୍ରୀ ଶରତ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କୃପାସିନ୍ଧୁପ୍ରେମୀ ଜନସାଧାରଣ ଏହି ସ୍ମୃ‌ତି ସଭାରେ ବହୁ ସଂଖ୍ୟାରେ ଯୋଗଦେଇ ଏହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

କବି ବିକ୍ରମଦେବ ବର୍ମା ଜୟନ୍ତୀ

ତା ୨୮.୬.୯୮ରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମହାରାଜା କବି ବିକ୍ରମ ଦେବ ବର୍ମାଙ୍କ ୧୨୯ ତମ ଜୟନ୍ତୀ ସଂଧ୍ୟା ୬ ଘଣ୍ଟା ସମୟରେ ଜୟପୁରସ୍ଥ ଲକ୍ଷ୍ମଣ ନାୟକ ମେମୋରିଆଲ୍‌ ହଲ୍‌ରେ ପାଳନ କରାଯାଇଥି‌ଲା । ଏଥି‌ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ଡକ୍ଟର ବାଉରୀ ବଂଧୁ କର ମୁଖ୍ୟ ଅତିଥି ‌ଭାବରେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବିକ୍ରମ ଦେବଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରିଥିଲେ । ଓଡ଼ିଶାର ଦକ୍ଷିଣାଞ୍ଚଳରେ ସାଂସ୍କୃତିକ ବିକାଶ କ୍ଷେତ୍ରରେ ବିକ୍ରମଦେବଙ୍କ ମହନୀୟ ଅବଦାନ ସଂପର୍କରେ ସେ ଆଲୋକପାତ କରିବା ସଂଗେ ସଂଗେ ‘ନବଭାରତ’ ପତ୍ରିକା ପ୍ରକାଶନ ପାଇଁ ଏହି ମହାନୁଭବ ମହାରାଜା ପଣ୍ଡିତ ନୀଳକଣ୍ଠ ଦାସଙ୍କୁ କରିଥିବା ଆର୍ଥିକ ସହାୟତା ସଂପର୍କରେ ସେ ଉଲ୍ଲେଖ କରିଥିଲେ ।

 

ମୁଖ୍ୟବକ୍ତା ଡକ୍ଟର ଗଙ୍ଗାଧର ନନ୍ଦ ବିକ୍ରମ ଦେବ ବର୍ମାଙ୍କ ସଂସ୍କୃତ ଭାଷାରେ ଅଗାଧ ପାଣ୍ଡିତ୍ୟ, ଓଡ଼ିଆ ଓ ତେଲଗୁ ସାହିତ୍ୟକୁ ତାଙ୍କର ଦାନ ସଂପର୍କରେ ସଂସ୍କୃତ ଭାଷାରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ ଏହି ସ୍ମୃତି ଆସରରେ ସମ୍ମାନିତ ବକ୍ତାଭାବରେ ଯୋଗଦାନ କରି ଓଡ଼ିଶାର ସ୍ଵାଭିମାନକୁ ବଜାୟ ରଖି‌ବା ପାଇଁ ସାହିତ୍ୟ ମାଧ୍ୟମରେ ରାଜା ବିକ୍ରମଦେବ ଯେଉଁ ପ୍ରଚେଷ୍ଟା କରିଥି‌ଲେ ତାହା ଅବିସ୍ମରଣୀୟ ବୋଲି ତାଙ୍କର ଭାଷଣପ୍ରସଙ୍ଗରେ ସେ ଉଲ୍ଲେଖ କରିଥିଲେ ।

 

ସ୍ମୃତିସଭାର ସଭାପତି ଭାବରେ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଶ୍ରୀ ନରସିଂହ ମିଶ୍ର ବିକ୍ରମଦେବଙ୍କ ଉଦାର ବ୍ୟକ୍ତିତ୍ୱ ଓ ସଂସ୍କୃତି, ଓଡ଼ିଆ ଓ ତେଲୁଗୁ କାବ୍ୟ ବ୍ୟାକରଣ ଓ ଜ୍ୟୋତିଷଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଜୟପୁରରେ ମହାରାଜା ବିକ୍ରମଦେବଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ସେ ଦେଇଥିବା ପ୍ରସ୍ତାବ ଉପସ୍ଥିତ ଶ୍ରୋତାମଣ୍ଡଳୀଙ୍କ ଦ୍ୱାରା ସମର୍ଥିତ ହୋଇଥିଲା । ସ୍ଥାନୀୟ ବୟୋଜ୍ୟେଷ୍ଠ ସାହିତ୍ୟିକ ଶ୍ରୀ ସୀମାଦ୍ରି ପଣ୍ଡା ସ୍ଵର୍ଗତ ବର୍ମାଙ୍କ ଜୀବନ ଓ କୃତି ସଂପର୍କରେ ଆଲୋକପାତ କରିଥଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ପରିଶେଷରେ ଶ୍ରୀ ଗୋପାଳ କୃଷ୍ଣ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥି‌ଲେ । ଜୟପୁରର ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ଉତ୍ସବଟିକୁ ସାଫଲ୍ୟମଣ୍ଡିତ କରିଥିଲେ ।

 

***

 

ଓଡ଼ିଆ ସାହିତ୍ୟର ଉନ୍ନତି କଳ୍ପେ ସାହିତ୍ୟପତ୍ରିକାର ଭୂମିକା

 

ଓଡ଼ିଶାରେ ମରହଟ୍ଟା ଶାସନର ଶେଷକାଳରେ ଏବଂ ଇଂରେଜ ଶାସନର ଆରମ୍ଭ କାଳରେ କଟକ ଜିଲ୍ଲାର କୁଜୀବର ଗ୍ରାମରୁ ସାଧୁପ୍ରଧାନ ସାଧୁଚରଣ ଦାସଙ୍କ ଦ୍ଵାରା ସଂପାଦିତ ହାତଲେଖା କୁଜୀବର-ପତ୍ରର ପ୍ରକାଶନ ନିଶ୍ଚିତରୂପେ ଏକ ଐତିହାସିକ ଘଟଣା । ସାଧୁଚରଣଙ୍କ ଏହି ପତ୍ର ଓଡ଼ିଶାର ସର୍ବପ୍ରଥମ ଦେଶୀୟ ସଂବାଦପତ୍ରର ଗୌରବ ବହନ କରେ । ଏଥିରେ ରାଜନୀତି, ଧର୍ମନୀତି , ସମାଜ ସଂସ୍କାର, ସ୍ଵାସ୍ଥ୍ୟ, ଶିକ୍ଷା, କୃଷି, ସଂଗୀତ, ସାହିତ୍ୟ ସବୁ କିଛିର ଦୃଷ୍ଟାନ୍ତ ଦେଖିବାକୁ ମିଳେ । ଏହା ଏପରି ପ୍ରଭାବ ବିସ୍ତାର କରିଥି‌ଲା ଯେ କଟକରେ ଏହାର ବହୁଳ ପ୍ରସାର ହେବା ସଂଗେ ସଂଗେ ଏହାର କେତେକାଂଶ ପାଦ୍ରୀମାନଙ୍କ ଦ୍ଵାରା ଅନୁବାଦିତ ହୋଇ ଇଂଲଣ୍ଡ ପଠାଯାଉଥିଲା । ଇଂରେଜ ରାଜୁତି କାଳରେ ଜେଲଦଣ୍ଡକୁ ଖାତିର ନକରି ସାଧୁଚରଣ ତାଙ୍କର ନିର୍ଭୀକ ବିଚାରଧାରା ପରିବେଷଣ କରି ପାରିଥି‌ବାରୁ ସେ ଏ ଜାତିର ନମସ୍ୟ ।

 

୧୮୬୬ରେ ଯେତେବେଳେ ଓଡ଼ିଶାକୁ ନ’ଙ୍କ ଦୁର୍ଭିକ୍ଷର କରାଳଛାୟା ଗ୍ରାସ କରିଥିଲା ସେହି ଦୁର୍ଦ୍ଦିନରେ ଓଡ଼ିଶାରେ ସୁଦିନ ଉଦୟ ହୋଇଥିଲା, ଓଡ଼ିଆ ଜାତୀୟ-ଜୀବନର ବାର୍ତ୍ତାବହ ଭାବରେ ‘ଉତ୍କଳ ଦୀପିକା’ର ଆବିର୍ଭାବରେ କର୍ମବୀର ଗୌରୀଶଙ୍କର ରାୟଙ୍କ ସଂପାଦନାରେ ପ୍ରକାଶିତ ଏହି ସଂବାଦପତ୍ର ପ୍ରାୟ ୫୦ ବର୍ଷ କାଳ ଓଡ଼ିଶାବାସୀଙ୍କ ମହତ୍‌ ଉପକାର ସାଧନ କରିଥିଲା । ନିର୍ଭିକ ସାଂବାଦିକତା ସହିତ ଓଡ଼ିଆ ଭାଷା-ସାହିତ୍ୟର ସୁରକ୍ଷା ଓ ଉନ୍ନତିକଳ୍ପେ ଏହାର ଭୂମିକା ଅବିସ୍ମରଣୀୟ । ଊନବିଂଶ ଶତାବ୍ଦୀ ଓଡ଼ିଶାର ନବଜାଗରଣ ଆନୟନରେ ‘ଦୀପିକା’ ଅବଦାନ ଅସୀମ ଓ ଅତୁଳନୀୟ ।

 

୧୮୬୮ ରେ ବାଲେଶ୍ଵରରୁ ପ୍ରକାଶିତ ‘ବୋଧଦାୟିନୀ’ ଓ ‘ବାଲେଶ୍ୱର ସଂବାଦ ବାହିକା’ ଓଡ଼ିଆ ସଂବାଦ ଓ ସାହିତ୍ୟ ପରିବେଷଣ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲା । ଭାରତୀୟ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ ଫକୀର ମୋହନଙ୍କ ‘ଲଛମନିଆଁ’ ଏହି ‘ସଂବାଦ ବାହିକା’ର ପୃଷ୍ଠା ମଣ୍ଡନ କରିଥି‌ଲା । ୧୮୭୩ରୁ ଦୀର୍ଘ ତେରବର୍ଷ ଧରି ବାଲେଶ୍ଵରରୁ ପ୍ରକାଶିତ ହୋଇଥି‌ଲା ମାସିକ ସାହିତ୍ୟପତ୍ର ‘ଉତ୍କଳ ଦର୍ପଣ’ । ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ସୂତ୍ରପାତ କରିବାରେ ଏହାର ଭୂମିକା ଥିଲା ଅତୀବ ଗୁରୂତ୍ଵପୂର୍ଣ୍ଣ । ୧୮୭୮ରେ କଟକ ପ୍ରିଣ୍ଟିଂ କଂପାନୀରୁ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ସଂପାଦନାରେ ପ୍ରକାଶିତ ହୋଇଥିଲା ମାସିକ ସାହିତ୍ୟପତ୍ର ‘ଉତ୍କଳ ମଧୁପ’ । ଆଧୁନିକ ଓଡ଼ିଆ ସାହିତ୍ୟର ବିଖ୍ୟାତ ନାଟ୍ୟକାର ଓ ଔପନ୍ୟାସିକ ରାମଶଙ୍କର ରାୟ ଥି‌ଲେ ଏହାର ପୃଷ୍ଠପୋଷକ । ତାଙ୍କର ‘ସୌଦାମିନୀ’ ଉପନ୍ୟାସ ଏଥିରେ ଧାରାବାହିକ ଭାବେ ପ୍ରକାଶିତ ହୋଇ ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିଥି‌ଲା । ୧୮୯୩ରେ ପ୍ରକାଶିତ ‘ସଂସ୍କାରକ-ସେବକ’ରେ ରାଧାନାଥ ରାୟ, ମଧୁସୂଦନ ରାଓ, ଫକୀରମୋହନ ସେନାପତି, ଚନ୍ଦ୍ର ମୋହନ ମହାରଣା, ବିଶ୍ଵନାଥ କର, ନୀଳମଣି ବିଦ୍ୟାରତ୍ନ ପ୍ରଭୃ‌ତି ସାହିତ୍ୟସାଧକମାନଙ୍କର ବହୁ ପ୍ରବନ୍ଧ, କବିତା, ପ୍ରବନ୍ଧ-ସମାଲୋଚନା ଧାରାବାହିକ ରୂପେ ପ୍ରକାଶିତ ହୋଇ ଓଡ଼ିଶାର ବୁଦ୍ଧିଜୀବୀ ମହଲରେ ଆଦୃତି ଲାଭ କରିଥିଲା । ୧୮୮୮ରେ ‘ଓଡ଼ିଆ’ ଓ ‘ନବସଂବାଦ’ ପତ୍ରିକାଦ୍ୱୟର ମିଶ୍ରିତ ପ୍ରକାଶନ ମଧ୍ୟ ଏକ ଉଲ୍ଲେଖଯୋଗ୍ୟ ଘଟଣା । ୧୮୮୯ରେ ବାମଣ୍ଡାର ଜଗନ୍ନାଥବଲ୍ଲଭ ପ୍ରେସରୁ ମୁକ୍ତିଲାଭ କରେ ‘ସମ୍ବଲପୁର ହିତୈଷିଣୀ’ । ବାମଣ୍ଡାର ସାହିତ୍ୟିକ ରାଜା ସାର୍‌ ବାସୁଦେବ ସୁଢ଼ଳଦେବ ଥିଲେ. ଏହି ପତ୍ରିକାର ପ୍ରାଣପ୍ରତିଷ୍ଠାତା ଏବଂ ନୀଳମଣି ବିଦ୍ୟାରତ୍ନ ଥିଲେ ଏହାର ସଂପାଦନା ଦାୟିତ୍ୱରେ । ‘ହିତୈଷିଣୀ’ର ଆନୁକୂଲ୍ୟରେ ବାମଣ୍ଡାର ରାଜଧାନୀ ଦେବଗଡ଼ ଆଧୁନିକ ଓଡ଼ିଆ ସାହିତ୍ୟଚର୍ଚ୍ଚାର ପ୍ରାଣ୍ରକେନ୍ଦ୍ର ହୋଇପାରିଥିଲା । ୧୮୯୧ରେ ମୟୂରଭଞ୍ଜ ମହାରାଜାଙ୍କ ପୃଷ୍ଠପୋଷକତାରେ ପ୍ରକାଶିତ ସାହିତ୍ୟ ମାସିକ ‘ଉତ୍କଳପ୍ରଭା’ ଆଧୁନିକ ଓଡ଼ିଆ ସାହିତ୍ୟରେ ନବଯୁଗ ପ୍ରତିଷ୍ଠା କରିବାରେ ସହାୟକ ହୋଇଥିଲା । ରାଧାନାଥଙ୍କ ଚିଲିକା ଓ ମହାଯାତ୍ରା କାବ୍ୟଦ୍ୱୟ ସହିତ ଆଦ୍ୟଉପନ୍ୟାସ ‘ବିବାସିନୀ’କୁ ଲୋକଲୋଚନକୁ ଆଣି ପାରିଥି‌ଲା ଏହି ‘ଉତ୍କଳପ୍ରଭା’ । ବ୍ୟାସକବି ଫକୀରମୋହନ, ଭକ୍ତକବି ମଧୁସୂଦନଙ୍କ ବହୁ କବିତା ଓ ଉତ୍କଳ ଭାଷା-ସାହିତ୍ୟ ସଂବନ୍ଧୀୟ ପ୍ରବନ୍ଧାବଳୀ, ଚନ୍ଦ୍ର ମୋହନ ମହାରଣାଙ୍କ ‘ଖଣ୍ଡଗିରି’ ଓ ବିଶ୍ଵନାଥ କରଙ୍କ ଅଧିକାଂଶ ପ୍ରବନ୍ଧ ଏଥିରେ ପ୍ରକାଶିତ ହୋଇଥିଲା । ଉତ୍କଳପ୍ରଭା ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ସଂସ୍କୃତ ମହାଭାରତର ଗଦ୍ୟାନୁବାଦ ପ୍ରଥମେ ଲୋକଲୋଚନକୁ ଆଣିପାରିଥିଲା, ଯାହାପରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ଗ୍ରନ୍ଥାକାରରେ ପ୍ରକାଶିତ ହୋଇଥିଲା । ପ୍ରାଚୀନ ଓ ଆଧୁନିକ ସାହିତ୍ୟର ମସିଯୁଦ୍ଧରୁ ସୃଷ୍ଟି ହୋଇଥିଲା ଇନ୍ଦ୍ରଧନୁ ଓ ବିଜୁଳି ସାହିତ୍ୟ-ପତ୍ରଦ୍ଵୟ ।

 

୧୮୯୭ ସାଲରେ ବିଶ୍ଵନାଥ କରଙ୍କ ସଂପାଦନାରେ ପ୍ରକାଶିତ ‘ଉତ୍କଳ ସାହିତ୍ୟ’ ଓଡ଼ିଆ ସାହିତ୍ୟ ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା ତଥା ଓଡ଼ିଆ ସାହିତ୍ୟ ବିକାଶ କ୍ଷେତ୍ରରେ ତାଙ୍କର ଏକ ଉଲ୍ଲେଖନୀୟ ପଦକ୍ଷେପ । ମୁକୁର, ସତ୍ୟବାଦୀ, ନବଭାରତ, ସହକାର, ଶଙ୍ଖ ଆଦି ପତ୍ରିକାଗୁଡ଼ିକ ଓଡ଼ିଆ ସାହିତ୍ୟର ଶ୍ରୀବୁଦ୍ଧି ସାଧନରେ ଗୁରୂତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ନନ୍ଦକିଶୋର, ଗଙ୍ଗାଧର, ମଧୁସୂଦନ ଆଦି ବହୁକବି ଓ ଲେଖକମାନଙ୍କୁ ଏହି ସାହିତ୍ୟ ପତ୍ରିକାମାନେ ପ୍ରୋତ୍ସାହନ ଦେଇ ପ୍ରତିଷ୍ଠିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

 

୧୯୧୩ ମସିହାରେ ପ୍ରକାଶିତ ଶଶିଭୂଷଣ ରଥଙ୍କ ଦ୍ଵାରା ସଂପାଦିତ ‘ଆଶା’ ଦକ୍ଷିଣ ଓଡ଼ିଶାର ସଂବାଦ, ସାହିତ୍ୟ ଓ ସଂସ୍କୃତିର ମୁଖପତ୍ର ଭାବରେ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିଲା ।

 

ସ୍ୱାଧୀନତା ପରବର୍ତ୍ତୀକାଳରେ ଝଙ୍କାର, ଆସନ୍ତାକାଲି, ଡଗର, ସହକାର, ନବରବି, ସମାବେଶ ଆଦି ପତ୍ରିକା ଓଡ଼ିଆ ସାହିତ୍ୟର ବିକାଶସାଧନ ସହିତ ବହୁ ସୃଜନଶୀଳ ପ୍ରତିଭା ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି ।

 

ସାହିତ୍ୟ ଯୁଗାଶ୍ରୟୀ । ବିଭିନ୍ନ ଯୁଗରେ ମାନବର ଜୀବନଯାତ୍ରା ଓ ରୁଚି ଅନୁଯାୟୀ ସାହିତ୍ୟର ଧାରା, ରୂପ ଓ ପ୍ରକାଶଭଙ୍ଗୀର ପରିବର୍ତ୍ତନ ଅବଶ୍ୟମ୍ଭାବୀ ଏବଂ ତାହାହିଁ ପ୍ରତିଫଳିତ ହେଉଛି ଏଯୁଗର ସାହିତ୍ୟରେ । ଏଣୁ ସାହିତ୍ୟ-ପତ୍ରିକାଗୁଡ଼ିକ ଯୁଗାଶ୍ରୟୀ ହେବାକୁ ସର୍ବଦା ସାଧନାରତ । ଯୁଗରୁଚି ଅନୁଯାୟୀ ସାହିତ୍ୟର ବିଭିନ୍ନ ବିଭାବର ସୃଜନଶୀଳ ସୃଷ୍ଟିକୁ ପତ୍ରିକାଗୁଡ଼ିକରେ ସ୍ଥାନିତ କରିବା ସଂଗେ ସଂଗେ ଅଙ୍ଗସଜ୍ଜା, ମୁଦ୍ରଣ-ପରିପାଟିର ଉନ୍ନତି ପ୍ରତି ସଂପାଦକମାନେ ଅଧି‌କ ଧ୍ୟାନ ଦେବା ସ୍ୱାଭାବିକ । ଆମ ସମୟର କେତେକ ସାହିତ୍ୟ-ପତ୍ରିକା ମଧ୍ୟରେ ଅମୃତାୟନ, କାନ୍ତି ଧାରା, ପଶ୍ଚିମା, ଚିତ୍ରା, ଝଙ୍କାର, ନବରବି, ସୁଚରିତା, ସଚିତ୍ ବିଜୟା, ଆଗାମୀ ଶତାବ୍ଦୀ, ନବଲିପି, କଥା, ଇସ୍ତାହାର, ସମାବେଶ, ଶତଦ୍ରୁ, ଜିଗୀଷା, କୋଣାର୍କ, ପ୍ରତିବେଶୀ, ପୌରୁଷ, ସମାରୋହ, ପ୍ରତିଭା, ସପ୍ତର୍ଷି, ନବପତ୍ର ଆଦି ଓଡ଼ିଆ ସାହିତ୍ୟର ଉନ୍ନତି କଳ୍ପେ ସର୍ବଦା ଚେଷ୍ଟିତ । ଏ ସମସ୍ତଙ୍କର ପ୍ରକାଶନ କଟକ, ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲାର ପରିସୀମା, ମଧ୍ୟରେ ସୀମିତ । ଏତଦ୍‌ବ୍ୟତୀତ ଶିଶୁସାହିତ୍ୟ, ଚିତ୍ରଜଗତ ଓ ଧର୍ମ ସମ୍ବନ୍ଧୀୟ ବହୁ ପତ୍ରିକା ପ୍ରକାଶିତ ହେଉଛି ଏହି ଅଞ୍ଚଳରେ ।

 

ସୁଦୂର ବଲାଙ୍ଗୀର, ଭବାନୀପାଟଣା, କୋରାପୁଟ, ନବରଙ୍ଗପୁର, ଭଞ୍ଜନଗର, କେଉଁଝର, ଭଦ୍ରକ ଆଦି ଅପେକ୍ଷାକୃତ ଛୋଟ ସହରରେ ଏବଂ ଓଡ଼ିଶାର ଗ୍ରାମାଞ୍ଚଳରେ ମଧ୍ୟ ପତ୍ରିକା ପ୍ରକାଶ ପାଉଛି ସେଠାକାର କବି ଲେଖକମାନଙ୍କର ସାରସ୍ଵତ ସୃଷ୍ଟିକୁ ପାଥେୟ କରି । ଯୁବ-ସାହିତ୍ୟକମାନଙ୍କର ଆଶା ଓ ଅଭିଳାଷର ବାସ୍ତବ ରୂପାୟନ ଘଟେ ସେହି ସାହିତ୍ୟପତ୍ରଗୁଡ଼ିକରେ । ସେହି ସାହିତ୍ୟପତ୍ରରେ ପ୍ରକାଶିତ ଲେଖା ମାଧ୍ୟମରେ ସେମାନେ ଉତ୍ସାହିତ ହୁଅନ୍ତି ନିଜର ପରବର୍ତ୍ତୀ ସୃଜନ-ଶିଳ୍ପକୁ ଆହୁରି ସୁନ୍ଦରକରି ଗଢ଼ିତୋଳିବାରେ । ଏଣୁ ଏହି ସାହିତ୍ୟପତ୍ରଗୁଡ଼ିକ ସେ ଅଞ୍ଚଳର ନବପ୍ରତିଭାମାନଙ୍କୁ ଆବିଷ୍କାର କରିବା ସଂଗେ ସଂଗେ ବୃହତ୍ତର ପାଠକ ସମାଜ ମଧ୍ୟରେ ସେମାନଙ୍କୁ ପରିଚିତ କରାଇବାରେ ଯେଉଁ ଗୁରୂଦାୟିତ୍ୱ ସଂପାଦନ କରୁଛନ୍ତି ଏହା ଓଡ଼ିଆ ସାହିତ୍ୟର ଉନ୍ନତି କଳ୍ପେ ଏକ ପ୍ରଶଂସନୀୟ ପଦକ୍ଷେପ ନିଶ୍ଚୟ । ନିଜନିଜ ଅଞ୍ଚଳର ସାରସ୍ୱତ ଓ ସାଂସ୍କୃତିକ ପ୍ରତିନିଧିତ୍ୱ କରନ୍ତି ସେମାନେ ନିଜନିଜର ପତ୍ରିକା ମାଧ୍ୟମରେ ।

 

ଉପରୋକ୍ତ ବର୍ଣ୍ଣନାରୁ ଆମେ ସମସ୍ତେ ନିଶ୍ଚିତ ଯେ ସାହିତ୍ୟ-ପତ୍ରପତ୍ରିକାମାନେ ଗୋଟିଏ ଜାତିର ଭାଷା, ସଂସ୍କୃତି ଓ ରୁଚିବୋଧକୁ କେବଳ ସଂରକ୍ଷିତ କରନ୍ତି ନାହିଁ, ପ୍ରତିନିୟତ ନବ ନବ ଚିନ୍ତାଧାରାରେ ରସାଣିତ ଓ ଶାଣିତ କରନ୍ତି । ଅସଂଖ୍ୟ ପାଠକ-ପାଠିକାମାନେ ଯେକୌଣସି ପତ୍ରିକାର ସଦ୍ୟ ସଂଖ୍ୟାଟିଏ ପାଇଲେ ଅହେତୁକ ଆନନ୍ଦରେ ଉଲ୍ଲସିତ ହୁଅନ୍ତି । କିନ୍ତୁ ପତ୍ରିକାଟିଏ ତିଆରି କରିବା ପଛରେ ଯେଉଁ ନିଷ୍ଠା, ଶ୍ରମ ଓ ସର୍ବୋପରି ମାନସିକ ଦୃଢ଼ତା ରହିଛି ତାହା ଅଙ୍ଗେ ନିଭାଇଥିବା ବ୍ୟକ୍ତିହିଁ ଜାଣିପାରିବ । ରାତିର ଅନେକ ସ୍ଵପ୍ନ ସୂର୍ଯ୍ୟୋଦୟ ବେଳରେ ମରିଯାଇଥାଏ । ଅନେକ ପତ୍ରିକାର ଜନ୍ମଲାଭ କରିବାର ଆନନ୍ଦ ଲଭିବା ଆଗରୁ ପତ୍ରିକାଟି ମୃତ୍ୟୁବରଣ କରିଥାଏ । ଏହାର ଦୃଷ୍ଟାନ୍ତ ବହୁବିଧ । ସାହିତ୍ୟକୁ ବହୁଳ ଭାବରେ ପ୍ରସାରିତ କରାଇବାରେ ପୁସ୍ତକମାନଙ୍କ ଅପେକ୍ଷା ପତ୍ର ପତ୍ରିକାମାନଙ୍କର ଭୂମିକା ଅଧି‌କ ରହିଥିଲେ ମଧ୍ୟ ସେମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ ଏଯାବତ୍‌ କୌଣସି ଆଖିଦୃଷ୍ଟିଆ ଯୋଜନାବଦ୍ଧ ଉଦ୍ୟମ ହୋଇନାହିଁ । ସହରାଞ୍ଚଳରେ ସାହିତ୍ୟ ପତ୍ରିକା ପ୍ରକାଶ କରୁଥିବା ସଂପାଦକ-ପ୍ରକାଶକ ବନ୍ଧୁମାନଙ୍କ ଅପେକ୍ଷା, ଗ୍ରାମାଞ୍ଚଳରେ ସଂପାଦକ-ପ୍ରକାଶକ ବନ୍ଧୁମାନେ ଅଧି‌କ ଆର୍ଥିକ ଓ ମାନସିକ କଷ୍ଟ ଭୋଗିଥାନ୍ତି । ଅଥଚ କି ନିଶା ସେମାନଙ୍କର !

 

ଏସବୁ ଦୃଷ୍ଟିରୁ ସଂପ୍ରତି ସାହିତ୍ୟ-ପତ୍ରିକାର ସଂପାଦକମାନଙ୍କୁ ଏକତ୍ରିତ କରି ସେମାନଙ୍କର ସମସ୍ୟା ବୁଝିବା ସହିତ ସେମାନେ କେଉଁ ଆଭିମୁଖ୍ୟ ଗ୍ରହଣ କଲେ ଗୁଣାତ୍ମକ ସାହିତ୍ୟକୁ ପାଠକମାନଙ୍କ ଆଗରେ ପରିବେଷଣ କରିପାରିବେ, ସେସବୁ ବିଚାର ଆଲୋଚନାର ବି ଶେଷ ଆବଶ୍ୟକତା ରହିଛି ।

 

 

ସଚିବ

ଓଡ଼ିଆ ସାହିତ୍ୟ ଏକାଡେମୀ

 

***